ପ୍ରବନ୍ଧ

ବଳରାମ ଦାସଙ୍କ ଲକ୍ଷ୍ମୀପୂରାଣ

Priyanka Priyadarshini Mishra's Odia Prose Balaram Dasanka Lakshmipooraana

ଲକ୍ଷ୍ମୀପୂରାଣ ସାରାଂଶ ଯାହାକୁ ବି ଜଣାଥିବ, ଅନେକ ସ୍ଵାଭାବିକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରିବ

ବଳରାମ ଦାସଙ୍କ ଲକ୍ଷ୍ମୀପୂରାଣ

ଷୋଡ଼ଶ ଶତାବ୍ଦୀରେ ଭକ୍ତିରସ ଭରି ଓଡ଼ିଆ ସାହିତ୍ୟକୁ ମର୍ଯ୍ୟାଦାବନ୍ତ କରିଥିବା ପଞ୍ଚସଖାଙ୍କ ମଧ୍ୟରେ କବି ବଳରାମ ଦାସ ଅନ୍ୟତମ । ପବିତ୍ର ମାର୍ଗଶୀର ମାସର ଗୁରୁବାର ପ୍ରାତଃକାଳରେ ଓଡ଼ିଆ ଘରେ ଘରେ ତରଙ୍ଗାୟିତ ହୁଏ ବଳରାମ ଦାସଙ୍କ ଶାଶ୍ୱତ କୃତି ଲକ୍ଷ୍ମୀପୂରାଣର ଛାନ୍ଦମାନ । ସାମାଜିକ ସୁବ୍ୟବସ୍ଥାର ବିଭିନ୍ନ ଦିଗକୁ ସତର୍କତାର ସହ ଲକ୍ଷ୍ୟ କରି ଭକ୍ତିରସ ସହିତ ପରିଷ୍କାର ପରିଚ୍ଛନ୍ନତା, ଖାଦ୍ୟ ପ୍ରତି ସମ୍ମାନଭାବ, ପରିବାର ତଥା ସମାଜ ଗଠନରେ ସ୍ତ୍ରୀ ର ଗୁରୁତ୍ୱ, ଜାତିବାଦର ମୂଲ୍ୟହୀନତା, ଓଡ଼ିଆ ସଂସ୍କୃତି ଓ ବ୍ୟଞ୍ଜନ, ନାରୀର ସ୍ୱାଭିମାନ ଆଦି ବିଷୟରେ ଛାନ୍ଦବଦ୍ଧ କାହାଣୀ ମାଧ୍ୟମରେ ସହଜ ସରଳ ଭାଷାରେ, ବୋଧଗମ୍ୟ ଢଙ୍ଗରେ ସମାଜକୁ ଅତ୍ୟାବଶ୍ୟକ ବାର୍ତ୍ତା ଦେବାକୁ କବି ଉଦ୍ୟମ କରିଛନ୍ତି ।

ଲକ୍ଷ୍ମୀପୂରାଣ ସାରାଂଶ ଯାହାକୁ ବି ଜଣାଥିବ, ଅନେକ ସ୍ଵାଭାବିକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରିବ ; ଯେପରିକି – ସତରେ କଣ ପ୍ରଭୁ ଜଗନ୍ନାଥ ମାଁ ଲକ୍ଷ୍ମୀ ଚଣ୍ଡାଳ ଘରେ ପାଦଦେବାରୁ ତାଙ୍କୁ ଘରୁ ତଡି ଦେଇଥିଲେ ? ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ପ୍ରତିବର୍ଷ ବଡ଼ଦାଣ୍ଡକୁ ଓହ୍ଲେଇ ଆସନ୍ତି ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ସମସ୍ତ ଭକ୍ତମାନଙ୍କ ସହ ଭାବର ଆଦାନପ୍ରଦାନ କରିବାକୁ, ସେମାନେ କଣ ଜାତିଭେଦ କରିବେ ? ପ୍ରଭୁ ଜଗନ୍ନାଥ ମାଉସୀଘରୁ ଫେରିବାପରେ ଶ୍ରୀମନ୍ଦିର ଦୁଆରରେ ରୋଶ କରି ଜଗିବସନ୍ତି ମାଁ କମଳା, କାହିଁକି ତାଙ୍କୁ ନ ନେଇ ପ୍ରଭୁ ଗଲେ ବୋଲି । ପ୍ରେମମୟ କାଳିଆ ସାଆନ୍ତ ରସଗୋଲା ଖୁଆଇ, ବୁଝାଇସୁଝାଇ ତାଙ୍କୁ ଶାନ୍ତ କଲା ପରେ ବଡ଼ ଦେଉଳକୁ ପରିବେଶ କରନ୍ତି । ସେହି ପ୍ରଭୁ କିପରି ଶ୍ରୀମନ୍ଦିରରେ କେବଳ ଦୁଇଭାଇଙ୍କ ଅଧିକାର ସାବ୍ୟସ୍ତ କରି ଜଗଦଜନନୀଙ୍କୁ ତଡ଼ିଦେବେ ? ମା ଲକ୍ଷ୍ମୀ କେବେହେଲେ ପ୍ରଭୁଙ୍କୁ ବାରବର୍ଷ ଅନାହାରରେ ରହିବାକୁ ଅଭିଶାପ ଦେବେ ?

ଉପରୋକ୍ତ ପ୍ରଶ୍ନଗୁଚ୍ଛର ଆଧାରରେ ଦୋଷଦୃଷ୍ଟିରେ ଲକ୍ଷ୍ମୀପୂରାଣକୁ ଦେଖିଲେ, ମହାନ କବି ବଳରାମ ଦାସଙ୍କ ଦୂରଦୃଷ୍ଟି ଓ ଉଦ୍ଦେଶ୍ୟକୁ ବୁଝିବାରେ ବିଫଳ ହେବା । ବରଂ ଏଭଳି ଦୃଷ୍ଟିଭଙ୍ଗୀରେ ଆମେ ଦେଖିବା ଉଚିତ ଯେ , ସ୍ୱୟଂ ଭଗବାନଙ୍କୁ କାହାଣୀର ଚରିତ୍ର ସଜାଇ କବି ସାମାଜିକ ବାର୍ତ୍ତା ଦେବା ସହ ନିଷ୍ଠାପର ଭକ୍ତିର ପରାକାଷ୍ଠା ଭାବମୟ ଶୈଳୀରେ ପରିପ୍ରକାଶ କରିଛନ୍ତି ।

ତାଙ୍କ ରଚନାଟିର ଭାବାର୍ଥ ହେଲା ଯେ ଅନନ୍ତ ବ୍ରହ୍ମାଣ୍ଡର ପାଳନକର୍ତ୍ତା ମଧ୍ୟ ନିଜ ଅର୍ଦ୍ଧାଙ୍ଗିନୀଙ୍କୁ ଯଥୋଚିତ ସ୍ୱାଧୀନତା ନ ଦେଲେ, ସମ୍ମାନ ନ କଲେ ଦୁଃଖ ଭୋଗ କରିବେ । ମାଁ ମହାଲକ୍ଷ୍ମୀ ଧନ ଓ ଅନ୍ନର ଦେବୀ ହୋଇଥିବାରୁ ନିଜର ଶକ୍ତି ଖଟାଇ ପରିବାରର ସୁଖଶାନ୍ତିରେ ନାରୀମାନଙ୍କ ଯୋଗଦାନର ଗୁରୁତ୍ୱ ଦର୍ଶାଇବାକୁ ଭଗବାନଙ୍କୁ ମଧ୍ୟ ଅନାହାରରେ ରଖିଛନ୍ତି । ମାତ୍ର ଯେତେବେଳେ ଦୁଇଭାଇ ତାଙ୍କ ଦୁଆରକୁ ଆସିଛନ୍ତି, କରୁଣାମୟୀ ମାଁ ସ୍ଵହସ୍ତରେ ପ୍ରଭୁଙ୍କ ପସନ୍ଦର ବ୍ୟଞ୍ଜନ ରାନ୍ଧି ପରଷିଛନ୍ତି ଏବଂ ପ୍ରଭୁ ଜଗନ୍ନାଥ ନିଜ ଦୋଷସ୍ୱୀକାର ପୂର୍ବକ କ୍ଷମାପ୍ରାର୍ଥୀ ହେବାରୁ ମାଁ ମହାଲକ୍ଷ୍ମୀ ପୁଣି ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଭୁ ଜଗନ୍ନାଥ ମାଁ ଲକ୍ଷ୍ମୀଙ୍କୁ ଘରୁ ବିଦାକରିବା ବେଳେ ମାଁ ନିଜର ସମସ୍ତ ସ୍ୱାମୀଦତ୍ତ ଅଳଙ୍କାର ଫେରାଇ ଦେଇ ସ୍ୱାଭିମାନର ସହ ସ୍ୱାଧୀନଭାବେ ବସବାସ କରିଛନ୍ତି । ଅଧୁନାତନ ସମୟରେ ଦାମ୍ପତ୍ୟ କଳହ ଓ ଛାଡ଼ପତ୍ରର ମାତ୍ରା ଦ୍ରୁତଗତିରେ ବଢୁଥିବା ବେଳେ ଲକ୍ଷ୍ମୀପୂରାଣ ପ୍ରେରଣା ଦେଉଛି ଯେ ନାରୀ ଅର୍ଥନୈତିକ ତଥା ମାନସିକ ସ୍ତରରେ ସଶକ୍ତ ଏବଂ ସ୍ୱାଧୀନ ରହି ସମସ୍ତ ବିପଦକୁ ବୁଦ୍ଧିମତାର ସହ ସମ୍ମୁଖୀନ କରିବା ଉଚିତ ।

ଲକ୍ଷ୍ମୀପୂରାଣରେ ଭୋଜନ, ପରଷିବା ବିଧି, ଶୟନ ଆଦି ବିଷୟରେ ସମଦର୍ଶୀତାପୂର୍ଣ୍ଣ ବୈଜ୍ଞାନିକ ସମ୍ମତ କଥାସବୁ ଲେଖାଯାଇଛି । ଘରେ ଶାନ୍ତିପୂର୍ଣ୍ଣ କଳହରହିତ ପରିଷ୍କାର ପରିବେଶ ରଖିବା, ଅତିଥିମାନଙ୍କୁ ଆଦର କରିବା ଏବଂ ସଦାସର୍ବଦା ଉତ୍ତମ ଆଚରଣ କରିବା ଉପରେ ବିଶେଷ ଗୁରୁତ୍ଵ ଦିଆ ଯାଇଛି । “ଚଣ୍ଡାଳୁ ବ୍ରାହ୍ମଣ ଯାଏଁ ଖୁଆ ଖୁଇ ହେବେ” ବୋଲି ଲେଖି କବି ଜାତିଭେଦର ଘୃଣ୍ୟ ସଂକୀର୍ଣ୍ଣତା ଉପରେ ପ୍ରଚଣ୍ଡ କୁଠାରଘାତ ପକାଇଛନ୍ତି । ଈଶ୍ୱରଙ୍କ କରୁଣାଲାଭ ପାଇଁ ନିରୀହ-ନିଷ୍କପଟ ହୃଦୟ, ଅବିଚ୍ଛିନ୍ନ ଭକ୍ତିଧାରା ଏବଂ ଦୃଢ଼ନିଷ୍ଠାର ଆବଶ୍ୟକତାକୁ ଶ୍ରୀୟା ଚଣ୍ଡାଳୁଣୀଙ୍କ ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଓଡ଼ିଶାର ସଂସ୍କୃତି, ପିଠାପଣା, ବ୍ୟଞ୍ଜନ, ଝୋଟିଚିତା ଆଦିକୁ ଅତି ଯତ୍ନରେ କବି ପୁରାଣ ଟିରେ ସାମିଲ କରିଛନ୍ତି ।

ପୁରାଣଗୁଡିକୁ ପ୍ରାୟତଃ ବିଭିନ୍ନ କାହାଣୀ ଶୈଳୀରେ ଉପସ୍ଥାପନକରି ସାଧାରଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସଦ୍‌ ବିଚାରରେ ଅଭିମନ୍ତ୍ରୀତ କରିବାକୁ ମହତ ଉଦ୍ଦେଶ୍ୟ ସମ୍ପନ୍ନ ସାହିତ୍ୟିକମାନେ ଆପ୍ରାଣ ଉଦ୍ୟମ କରନ୍ତି । ପବିତ୍ର ଲକ୍ଷ୍ମୀପୂରାଣ ମଧ୍ୟ ସେହିଭଳି ସମାଜ ସଂସ୍କାରଧର୍ମୀ ଭକ୍ତିଭାବ-ରସମୟ ଗ୍ରନ୍ଥଟିଏ । ପୁରାଣଟିକୁ ସଠିକ୍‌ ଦୃଷ୍ଟିକୋଣ ନେଇ ପାଠକଲେ ଏବଂ ସୂକ୍ଷ୍ମ ମାନସିକତାରେ କବି ବଳରାମ ଦାସଙ୍କ ନୈତିକପୂର୍ଣ୍ଣ ବାର୍ତ୍ତାକୁ ବୁଝିପାରିଲେ, କବିଙ୍କ ପରିଶ୍ରମ ସାର୍ଥକ ହେବ ଏବଂ ଆମ ସମାଜର କଲ୍ୟାଣ ହେବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top