ପ୍ରବନ୍ଧ

ଭଗବତ୍ ଆସ୍ଥା

Armaan Ojha's Odia Prose Bhagabat Aasthaa

ଧର୍ମ ଧର୍ମ ନାମ ରେ ଯେବେ ଲୋକ ସୋସିଆଲ ମିଡିଆରେ ଏତେ କଥା ଲେଖନ୍ତି, ସେ ସମୟରେ ଏ ସବୁ ପ୍ରତି ପ୍ରଶ୍ନ କରାଯାଏନି କାହିଁକି?

ଭଗବତ୍ ଆସ୍ଥା

ଆମ ଜୀବନର ଏକ ପ୍ରମୁଖ ଅଙ୍ଗ ହେଉଛି ଧର୍ମ । ଏହାର କେନ୍ଦ୍ର କହିବାକୁ ଗଲେ ଆମେ ଭଗବାନଙ୍କୁ ହିଁ ଧରିଥାଉ । ତେବେ ଏହି ଭଗବତ ପ୍ରେମ ଯାହାକୁ କି ଆସ୍ଥା ମଧ୍ୟ କୁହାଯାଏ ଲୋକମାନଙ୍କ ପାଇଁ ଏକ ଜଟିଳ ତଥା ନିଜସ୍ୱ ବିଷୟ । କେହି ନିଜ ଆସ୍ଥା ଉପରେ ଆଞ୍ଚ ଆସିବା ପସନ୍ଦ କରନ୍ତିନି । ଅତଏବ ନିଜ ଆସ୍ଥା କୁ ନଜର ରେ ରଖି ଅନେକ ଘଟଣା ଇତିହାସରେ ଲିପିବଦ୍ଧ ହୋଇଅଛି । ଅଯୋଧ୍ୟାର ରାମ ମନ୍ଦିର ବିବାଦ ହେଉ ଅଥବା ସୋମନାଥ ମନ୍ଦିର ର ଲୁଣ୍ଠନ କିମ୍ବା ହୋଉ କଳା ପାହାଡ଼ର ଓଡିଶା ଆକ୍ରମଣ । ପ୍ରତି କ୍ଷେତ୍ରରେ ଧର୍ମ ପାଇଁ ହିଁ ବିବାଦ ହେଇଛି । ତେବେ ଏଥିରୁ କେବଳ ଏହା ଦେଖା ଯାଉନି ଯେ ଆମର ଧର୍ମ ପ୍ରତି ସମ୍ବେଦନଶୀଳତା କେତେ; ବରଂ ଏହା ମଧ୍ୟ ସ୍ପଷ୍ଟ ଯେ ଆମେ ଅନ୍ୟ ଧର୍ମ କୁ କେତେ ନୀଚ୍ଚ ଦୃଷ୍ଟି ରେ ଦେଖୁ । ଅଯୋଧ୍ୟା ର ରାମ ମନ୍ଦିର ଓ ବାଵରୀ ମସଜିଦ ସହ ସମ୍ପର୍କ ଆମକୁ ଭଲ ସେ ଜଣା । ଯଦି ବାବର ପ୍ରକୃତରେ ହିନ୍ଦୁ ଧର୍ମକୁ ସେତେ ପ୍ରାଧାନ୍ୟ ଦେଇଥାନ୍ତେ କିମ୍ବା ସେ ସ୍ଥାନର ମହତ୍ୱ ଜାଣିଥାନ୍ତେ ତେବେ ବୋଧ ହୁଏ ରାମ ମନ୍ଦିର ଭାଙ୍ଗି ନଥାନ୍ତା । ସେହିପରି ସୋମନାଥ ମନ୍ଦିର ମୁସଲିମ ସ୍ଥଳୀ ହୋଇନଥିଲେ ବୋଧ ହୁଏ ମାମୁଦ୍ ଏହାକୁ ଲୁଣ୍ଠନ କରିନଥାନ୍ତେ, କିମ୍ବା କଳାପାହାଡ଼ ନିଜ ଧର୍ମଚ୍ୟୁତ ହୋଇନଥିଲେ ଆଜି ଓଡ଼ିଶାର କୀର୍ତ୍ତି ୧୦୦ ଗୁଣ ବଢ଼ିଯାଇଥାନ୍ତା। କେବଳ ଅନ୍ୟ ଧର୍ମ ନୁହ, ଅନେକ ସମୟରେ ଆମ ହିନ୍ଦୁବାଦୀ ଲୋକମାନେ ମଧ୍ୟ ଅନ୍ୟ ଧର୍ମ ଉପରେ ଅତ୍ୟାଚାର କରନ୍ତି । ତେବେ ମୁଁ, କିମ୍ବା ଏ ଲେଖା ର ଉଦ୍ଦେଶ୍ୟ କାହାର ଧର୍ମ ଭାବନା ପ୍ରତି ଆଘାତ ଆଣିବା ନୁହଁ, ତେବେ ଯଦି କିଛି ଭୁଲ ଲାଗେ ତ କ୍ଷମା କରିବେ । ଏହା ଏକ ସାଧାରଣ ଭୁଲ ଉପରେ ଆଲୋକପାତ କରିବାକୁ ଚାହେଁ।

ସେଦିନ ବଡଦିନ ଥାଏ । ମହାତ୍ମା ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଉତ୍ସବ । ତେବେ ଆମେ ହିନ୍ଦୁମାନେ ମଧ୍ୟ ଏହାକୁ ପାଳନ କରନ୍ତି । ହେଲେ ମୋର ଜଣାଶୁଣା ଭିତରେ କେତେ ସାଙ୍ଗ ଅଛନ୍ତି ଯେଉଁମାନେ ନୈଷ୍ଠିକ ହିନ୍ଦୁ ସମାଜ ରେ ବିଶ୍ୱାସ ରଖନ୍ତି । ତେବେ ଏହା କିଛି ଭୁଲ ନୁହଁ । ନିଜ ଧର୍ମ ପ୍ରତି ସଦଭାବନା ତଥା ଧର୍ମ ସହ ଯୋଡ଼ି ହୋଇ ରହିବା ଅତ୍ୟନ୍ତ ଭଲ । ହେଲେ ସେଦିନ ମୋତେ ଏହି କଥାର ଏକ ଭୁଲ ପାର୍ଶ୍ୱ ମଧ୍ୟ ଦେଖାଗଲା । ଆମେ ପ୍ରତି ବଡଦିନରେ ଯୀଶୁଖ୍ରୀଷ୍ଟ ଙ୍କ ଉପରେ ଧାଡ଼ିଏ ଦୁଇ ଧାଡ଼ି ଲେଖି ସୋସିଆଲ ମିଡିଆ ରେ ପ୍ରକାଶ କରୁ । ସେ ବର୍ଷ ବି କରିଥିଲୁ । କିଛି ନୈଷ୍ଠିକ ହିନ୍ଦୁ ବନ୍ଧୁ କହିଲେ, “ହିନ୍ଦୁ ହେଇ ତୁମେ ଖ୍ରୀଷ୍ଟିଆନ ପର୍ବ କାହିଁକି ପାଳନ କରୁଛ ? ଏହା ତୁମକୁ ଶୋଭା ଦିଏନି। ” ତେବେ ଉତ୍ତର ମୁଁ କିଛି ଦେଲିନାହିଁ । କଣ ବା ତାର ଉତ୍ତର ମୁଁ ଦେବି । ଆମ ଧର୍ମ ଅନୁସାରେ ଗଛ ଲଗେଇ ତା ପାଖରେ ବସି candle ଲଗେଇ ଜଣେ ମହାପୁରୁଷଙ୍କୁ ଡାକିବା ତ ପାପ ନୁହଁ । ଆଉ ତାଙ୍କ ପାଇଁ ଦୁଇ ଧାଡ଼ି ଲେଖିଲେ ତାହା ତ କଳା ଭାବେ ଗ୍ରହଣ କରା ଯିବା ଉଚିତ୍ । ତେବେ ଈଶ୍ୱର ପ୍ରଦତ୍ତ କଳା ଓ ଗଛ ଲଗେଇବା ଭିତରେ ଧର୍ମ ର ପ୍ରଶ୍ନ ଆସୁଛି କୋଉଠୁ ? ଆମ ପରିବାର ଏକ ହିନ୍ଦୁ ପରିବାର, ପ୍ରତ୍ୟେକ ପୂଜା ପାର୍ବଣ ହୁଏ । ଯଦି ସେଠି ଜଣେ ଫକିର ପୂଜା ସମୟରେ ଆସି ଖାଇବା ପାଇଁ ଗଣ୍ଡେ ମାଗେ, ତାକୁ ଖାଇବାକୁ ନା ଦେଇ ଘଉଡାଇ ଦେଲେ କଣ ମୋତେ ପୂଜାର ଫଳ ମିଳିବ ?

ଏ ସବୁ ପ୍ରଶ୍ନ ଭିତରେ ଆମ ନିଜ ଧର୍ମ କଥା ବି ଆସେ । ଆମ ପୂଜା ପାର୍ବଣ ଅନ୍ୟ ଦେଶ ମାନଙ୍କରେ ଓ ଅନ୍ୟ ଧର୍ମର ଲୋକ ଖୁବ୍ ଆଡ଼ମ୍ବରରେ ପାଳନ୍ତି । ଏଯାବତ୍ ରଥଯାତ୍ରା ପୃଥିବୀର ୩୯ ଗୋଟି ଦେଶରେ ପାଳନ ହେବାର ନଜିର ଅଛି । COVID ସମୟରେ ଯେତେବେଳେ ସାର୍ବଜନୀନ ଦୂରତା ପାଳନ କରାଯାଉଥିଲା, ସେହି ସମୟରେ ହୋଇଥିବା ଅଧିକାଂଶ ଆନ୍ତର୍ଜାତୀୟ ବୈଠକରେ ଭାରତୀୟ ସମାଜର “ନମସ୍କାର”କୁ ହିଁ ଅଭିବାଦନ ର ସାଧନ ଭାବେ ଗ୍ରହଣ କରା ଯାଇଥିଲା । ତେବେ ଆଜି ଯାଏଁ ଭାରତ ବାହାରେ ରହୁଥିବା ଭାରତୀୟ ମାନଙ୍କ ପୂଜା ପର୍ବରେ ମଧ୍ୟ ଅନେକ ବାହାର ଦେଶର ଲୋକ ବି ରହି ତାକୁ ଅତ୍ୟନ୍ତ ଆଡମ୍ବର ରେ ପାଳନ କରନ୍ତି ।

ତେବେ ଅନ୍ୟ ଏକ ପ୍ରଶ୍ନ ଆସେ ଯେ, “ଖାଲି କଣ ପୂଜା ପାର୍ବଣ ଏସବୁ ରେ ନୈଷ୍ଠିକ ରହିଲେ ଆମେ ଧର୍ମ ପ୍ରତି ଆମେ ପ୍ରକୃତ ରୂପେ ନିଷ୍ଠାରେ ରହୁଛନ୍ତି?” ମୋ ହିସାବରେ “ନା” । ଖାଲି ପୂଜା ପାଠ କରିଦେଲେ ଯେ ଜଣେ ନିଷ୍ଠା ରେ ରହିଛି ତାହା ସଂପୂର୍ଣ୍ଣ ରୂପେ ଭୁଲ । ଆତ୍ମଜ୍ଞାନ, ବ୍ରହ୍ମଜ୍ଞାନ ରେ ପୂର୍ଣ୍ଣ ସାଧୁ ବାରମ୍ବାର ଜଣେ ମାଂସ ବିକାଳୀ କୁ ଭର୍ତ୍ସନା କରି ନର୍କ ଗାମୀ ହୋଇଥିଲେ ଏବଂ ସେହି ସ୍ଥାନରେ ଅଜ୍ଞାନ ମାଂସ ବିକାଳୀ ସାଧୁଙ୍କ ମହାନତା ବିଷୟ ରେ ଭାବି ଭଗବାନଙ୍କୁ ପ୍ରତିଦିନ କ୍ଷମା ମାଗି ସ୍ଵର୍ଗ ଗାମୀ ହୋଇଥିଲା । ତେବେ ଖାଲି ନୈଷ୍ଠିକ ହେଲେ ଯେ ଜଣେ ନିଷ୍ଠା କରୁଛି ତାହା ନୁହଁ, ସେମିତି ହୋଇଥିଲେ ବୋଧେ ପୂଜା ପାର୍ବଣ କରୁଥିବା ଲୋକ ହିଁ ସ୍ଵର୍ଗଗାମୀ ହୋଇଥାନ୍ତେ । ହେଲେ କଣ ହୁଏ ତାହା କେବଳ ଭଗବାନ ହିଁ ଜାଣିଛନ୍ତି ।

ଏଇ ଦୁଇ ଦିନ ତଳେ ମୁଁ ପୁରୀ ଯାଇଥିଲି । ଭାବିଲି କାଳିଆ ଦର୍ଶନ କରି ଭଲ ଭୋଗ କିଛି ଖାଇବି । ଲାଇନ ରେ ୩ ଘଣ୍ଟା ଠିଆ ହେବା ପରେ ଦର୍ଶନ ତ ହେଲା (ସେ ବି ତିନି ଦିଅଁଙ୍କ ଖାଲି ଆଖି ତିନି ଯୋଡ଼ା), ହେଲେ ଠେଲା ପେଲା ରେ ଦେହର ଆଉ ଅବସ୍ଥା ନଥିଲା । ଜଣେ ଗରିବ ପରିବାର ଆମ ସହ ଯାଇଥିଲେ । କେବେ କାଳିଆ ଦର୍ଶନ ପାଇଁ ସୁଯୋଗ ପାଇ ନଥିବାରୁ ସେ ଆମ ସହ ଗଲେ । ଦୁଇ ପରିବାର ସାଙ୍ଗ ହୋଇ ଗଲେ ତାଙ୍କୁ ପଇସା ଟିକେ କମ ପଡିବ ସେଥିପାଇଁ ଆମକୁ ସାଥିରେ ନେଇଥିଲେ । ଖୁସି ବାସୀ ହୋଇ କଥା ପଡିଲା ଯେ ଭୋଗ କରିବା । ଭୋଗ କଲା ବେଳେ ପଣ୍ଡା ଜଣେ କହିଲେ, “ଭଉଣୀ ୫୦ ଟଙ୍କା ଲାଗିବ।” ହେଲେ ସେ ମହିଳା ଜଣଙ୍କ ପାଖରେ ଖୁଚୁରା ନଥିଲା । ବାଧ୍ୟ ହୋଇ ସେ ଆମକୁ କହିଲେ ଖୁଚୁରା କରିବାକୁ ୨୦୦ ଟଙ୍କା ଟିଏ । ସେ ପଣ୍ଡା ଜଣକ କହିଲେ, “ଭଉଣୀ, ମୋତେ ଦଉନ, ମୁଁ ଖୁଚୁରା କରିଦେବି ଆଉ ଭୋଗ ଚଢେଇବି।” ବିଶ୍ୱାସ ପାଇ ସେ ମହିଳା ଜଣକ ଦେଇଦେଲେ ସିନା, ନା ମିଳିଲା ଭୋଗ, ନା ସେ ଖୁଚୁରା । ତେବେ ଯୋଉଠି ସ୍ୱୟଂ ବଡ ଠାକୁରଙ୍କ ଆଗରେ ଏମିତି ଘଟଣା ଆଉ କୋଉଠି କଣ ବା ଆଶା କରାଯିବ । ପୁନର୍ବାର କହୁଛି ଏହା କାହାର ଭାବନାକୁ ଆଘାତ ଦେବା ନୁହଁ । ହେଲେ ଏହା ଏକ ସତ ଘଟଣା ।

ସେଇ ଆନନ୍ଦ ବଜାରର ଜଣେ ବ୍ୟକ୍ତି ଡ଼ାକୁଥାନ୍ତି, “ଭଲ ଭୋଗ ଏଇଠି! ଭାଇ ମାନେ ଭଲ ଭୋଗ ଏଇଠି!” ଭାବିଲି ବୋଧେ ଗରମ ଗରମ ମହା ପ୍ରସାଦ ବାହାରିଛି । ଆଉ ପୁରୀ ଆସିଛି ଯେତେବେଳେ ମହାପ୍ରସାଦ ତ ଖାଇବା ଅନିବାର୍ଯ୍ୟ । ସେ ଭାଇ ଜଣଙ୍କୁ ପଚାରିଲି, “ଭାଇନା ଏବେ ମହାପ୍ରସାଦ ବାହାରିଛି କି?” ସେ କହିଲେ, “ଭାଇନା, ପୁରା ଗରମ ଗରମ, ୧୦୦ ଟଙ୍କା ଦିଅ, ଆମ ଲୋକ ତୁମ ପାଖରେ ନେଇକି ଦେଇଆସିବ । ତ ମୁଁ ପଇସା ଦେଇଦେଲି, ଆମ ପରିବାରର ଯେତେ ଲୋକ ସମସ୍ତଙ୍କ ପାଇଁ କହିଦେଇ ଆସିଲି । ହେଲେ ସେ ମହାଶୟ ଯେତେବେଳେ ଖାଇବା ଧରି ଆସିଲେ, ସେ ଖାଇବା ସତେ କି ଘର ଫ୍ରିଜ ରୁ ଅଣା ଯାଇଛି । ଆଉ ପଇସା ଦେଇଛୁ ଯେତେବେଳେ ବାଧ୍ୟ ହେଇକି ଖାଇବୁ ତ । ଆଉ ଯାହା ହୋଉ କି ନ ହେଉ ଏ ତ ସ୍ୱୟଂ ମହାପ୍ରସାଦ, ମନା କରିବୁ ବା କେମିତି ?

ଶ୍ରୀମନ୍ଦିରର କୌଣସି ବି ପରମ୍ପରା ବା ପ୍ରଥା କୁ ଆଞ୍ଚ ଆଣିବା ଭଳି କଥା ମୁଁ କହିବାକୁ ଚାହେଁନି । ମାତ୍ର ଏକ ସାଧାରଣ ପ୍ରଶ୍ନ ପଚାରିବାକୁ ଚାହେଁ । ଯଦି ଆମେ ଆମ ଧର୍ମ ପ୍ରତି ଏତେ ସମ୍ବେଦନଶୀଳ, ତେବେ ଏସବୁ କଣ ଆମ ଧର୍ମ ଦ୍ୱାରା ଗ୍ରହଣୀୟ ? ଯଦି ନୁହଁ ତେବେ ଏହା ହେଉଛି କଣ ପାଇଁ ? ତେବେ ମନ୍ଦିର ନୀତିକାନ୍ତି ଛାଡ଼ନ୍ତୁ , ଆମେ ଆମ ଧର୍ମ ପ୍ରତି କେତେ ଯତ୍ନଶୀଳ ? ସେହି ଭ୍ରମଣ ର ଆଉ ଗୋଟିଏ ସ୍ଥାନ, ମନ୍ଦିର ମାଳିନୀ ନଗରୀ ର ମହାନ ମନ୍ଦିର, ଶ୍ରୀ ଲିଙ୍ଗରାଜ ମନ୍ଦିର । ପ୍ରସ୍ଥର କାରୁକାର୍ଯ୍ୟ ରେ ଶୋଭା, ଅନେକ ପାର୍ଶ୍ୱ ମନ୍ଦିର ରେ ଭରପୁର । ଏହା ପ୍ରଥମ ଥର ନୁହଁ ଯେ ମୁଁ ଏ ମନ୍ଦିର ମାନଙ୍କୁ ଯାଇଛି, ହେଲେ ଏକ ଘଟଣା ମୋତେ ଖୁବ ବିରକ୍ତ କଲା । ଆମ ମନ୍ଦିର ମାନଙ୍କରେ ସ୍ମାର୍ଟଫୋନ ସାଧାରଣ ଭାବେ ବାରଣ ଥାଏ । ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶକ୍ତ ରୂପେ ବାରଣ ଅଛି । ହେଲେ ଜଣେ ମହିଳା ନିଜ vanity ବା କଣ ତାକୁ କହନ୍ତି ମୁଁ ଜାଣେନା, ତା ମଧ୍ୟରେ ମୋବାଇଲ ପୁରାଇ ମାତା ପାର୍ବତୀଙ୍କ ମନ୍ଦିରରେ ସେଲ୍ଫି ଉଠାଉଛନ୍ତି । ବାହାରେ ପୋଲିସ ଚେକ ହେବା ସତ୍ୱେ ସେ ଭିତରକୁ କିପରି ମୋବାଇଲ ନେଲେ ତାହା ଏକ ଚିନ୍ତାର ବିଷୟ । ହେଲେ ସବୁଠୁ ବଡ ପ୍ରଶ୍ନ ହେଲା ଯେ, “ଧର୍ମ ଧର୍ମ ନାମ ରେ ଯେବେ ଲୋକ ସୋସିଆଲ ମିଡିଆରେ ଏତେ କଥା ଲେଖନ୍ତି, ସେ ସମୟରେ ଏ ସବୁ ପ୍ରତି ପ୍ରଶ୍ନ କରାଯାଏନି କାହିଁକି? ”

ଜଣେ ମହାପୁରୁଷଙ୍କ ଉପରେ ଲେଖିଲା ବେଳେ କାହିଁକି କୁହାଯାଏ ଯେ ଏହା ଶୋଭା ଦିଏନି?…….

ଶେଷରେ ଖାଲି ଯେଉଁ ପାଠକ ମାନେ ଆଘାତ ପାଇଛନ୍ତି ତାଙ୍କୁ କ୍ଷମା ମାଗିନେବି। ମୁଁ କୌଣସି ଧର୍ମର ବିରୋଧ କିମ୍ବା କୌଣସି ଧର୍ମାବଲମ୍ବୀ ମାନଙ୍କୁ ଆଘାତ ଦେବାକୁ ଚାହେଁ ନାହିଁ, ଯାହା ସତ୍ୟ ତାକୁ ହିଁ ଦର୍ଶାଉଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top