ବହୁ ପୁରୁଣା କାଳରୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର- ଏହି ଚାରି ବର୍ଣ୍ଣାଶ୍ରମର ସୃଷ୍ଟି । ସେତେବେଳେ ମଣିଷ ଜୀବନର ପ୍ରାୟ ସମସ୍ତ ଆବଶ୍ୟକତା ଏହି ଚାରୋଟି ବର୍ଣ୍ଣାଶ୍ରମ ଦ୍ୱାରା ପୂରଣ ହୋଇପାରୁଥିଲା । ଆଜିକାଲିକା ପରି ସେତେବେଳେ ଦକ୍ଷ ପେଷାଭିତ୍ତିକ ଶିକ୍ଷାନୁଷ୍ଠାନ ନଥିଲା । ସେଥିପାଇଁ ପିଢ଼ିପିଢ଼ି ଧରି କୌଳିକ ଭିତ୍ତିରେ ଆପଣାର ପରିବାର ହିଁ, ଥିଲା ସବୁକିଛି । ପରିବାରର ମୁଖ୍ୟ, ପିତା ଥିଲେ ଅନ୍ନଦାତା, କୌଳିକ ପେଷାଭିତ୍ତିକ ବିଦ୍ୟାଦାତା ଏବଂ ନିଯୁକ୍ତିଦାତା । ଜୀବନର ସବୁକିଛି ଆବଶ୍ୟକତାର ଉତ୍ସ ଥିଲା ପରିବାର । ପିତାମାତ ସନ୍ତାନମାନଙ୍କ ନିକଟରେ ଥିଲେ ଠାକୁର ଠାକୁରାଣୀଙ୍କ ପରି ।
ଆଜିକାଲି ଏଥିରେ ଆକାଶପାତାଳ ପ୍ରଭେଦ । କେବଳ ଖାଦ୍ୟକୁ ବୋଧହୁଏ ଛାଡ଼ିଦେଲେ, ଶିକ୍ଷା, ବୈଷୟିକ ଯୋଗ୍ୟତା, ନିଯୁକ୍ତି ପ୍ରାପ୍ତିର ଯୋଗ୍ୟତା ଏବଂ ଜୀବନଧାରଣ ପାଇଁ ଆବଶ୍ୟକୀୟ କର୍ମସଂସ୍ଥାନଟିଏ ପାଇଁ ଆଜିକାଲିର ପିଲା ବାରଦୁଆର ଶୁଣ୍ଢିପିଣ୍ଡା, ରାସ୍ତାଘାଟର ଯାଯାବର । ସମସ୍ତ କୌଳିକ ବୃତ୍ତିରେ ଅଭିନବ ଅତ୍ୟାଧୁନିକ ବିପ୍ଳବ ।
ପରିବାରର ପରିଧି ଭିତରେ ପିତାମାତା ଓ ପରିବାର ସେଥିପାଇଁ ଅସମ୍ଭବ ଭାବରେ ଅସମର୍ଥ । ଯୁବସମାଜକୁ ଆଚ୍ଛନ୍ନ କରି ରଖିଛି ଅନିଶ୍ଚିତତା । ମାନସିକ ସନ୍ତୁଳନରେ ସେମାନେ ସନ୍ତପ୍ତ । ପ୍ରଚଣ୍ଡ ପ୍ରତିଯୋଗିତାର ସମ୍ମୁଖୀନ ହୋଇ, ମୁହୂର୍ତ୍ତମୁହୂର୍ତ୍ତ ସେମାନେ ମ୍ରିୟମାଣ, ଆତ୍ମଦଗ୍ଧ । ମାନସିକ ସ୍ତରରେ ସେମାନେ ଏବେ ପିତାମାତା ଏବଂ ପରିବାରଠାରୁ ବେଶ୍ କିଛି ଦୂରରେ । ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ଏହା ହିଁ ସମ୍ଭବତଃ ବିଭିନ୍ନ ପିଢ଼ିର ବ୍ୟକ୍ତିମାନଙ୍କ ମଧ୍ୟରେ ମନୋଭାବର ପାର୍ଥକ୍ୟ । ସେମାନଙ୍କ ଭିତରେ ପରସ୍ପର ସୁସ୍ଥ ବୁଝାମଣାର ଅଭାବ । ଏହା ପରମ୍ପରାର ନୂଆ ଏକ ପରିଚୟ, ଯାହାକୁ ଆଉ ଏକ ଭଙ୍ଗୀରେ କୁହାଯାଏ, ଜେନେରେସନ୍ ଗ୍ୟାପ୍ ।
ଆଧୁନିକତାର ବାର୍ତ୍ତାବହ ଏହି ଯୁଗ । ବୈଷୟିକ ଶିକ୍ଷାର ବିସ୍ଫୋରଣ ଏହି ଯୁଗ । ଜଗତର କୋଣେକୋଣେ ଜନ୍ମିତ ଜାଗରଣକୁ ଜିଭ ଅଗରେ ରଖି, ଆପଣାକୁ ଜାଗତିକ ଜାଗୃତିରେ ଜାରି ରଖି ବଞ୍ଚିବାର ଏହି ଯୁଗ । ଚୁଟି ରଖି, ଚନ୍ଦନଚର୍ଚ୍ଚିତ ହୋଇ, ଗୈରିକ ବସ୍ତ୍ର ପରିଧାନ କରି, କୁଶବଟୁ ତମ୍ୱାପାତ୍ର ଢାଳ ତୁଳସୀ ଧରି, ଘରେ ଘରେ ଯଜମାନି କରି ସାଧାରଣ ଭାବରେ ପେଟ ପୋଷିବାକୁ ବ୍ରାହ୍ମଣ ବଂଶର ପୁଅ ଆଗରେ, ଆଜି ଅନେକ ପ୍ରକାରର ରୋଜଗାରର ପନ୍ଥା । ଗାଁ ଗାଁରୁ ତୈଳବୀଜ ସଂଗ୍ରହ କରି ଘଣାପକା ଘଡ଼ାଘଡ଼ା ତେଲକୁ ଗାଆଁ ଗାଆଁ ବୁଲି ବିକ୍ରି କରି ସଂସାର ଚଳେଇବାକୁ ବୈଶ୍ୟବଂଶର ପୁଅର ଆଉ ଆବଶ୍ୟକତା ନାହିଁ । ଜନ୍ମମୃତ୍ୟୁ ପୂଜାପାର୍ବଣଠାରୁ ପରସ୍ପର ଜୀବନର ଅଙ୍ଗୀକାରବଦ୍ଧତାକୁ ଆଧାର କରି, ସମାଜର ସେବାରେ ବ୍ରତୀ ହେବାର ଯୁକ୍ତିଗତ ଉତ୍ତରଟେ ଆଜି, ଶୂଦ୍ରବଂଶ ପୁଅଝିଅଙ୍କ ପାଖରେ ଅଗ୍ରହଣୀୟ । ତରବାରି, ଲେଖନୀକୁ ସ୍ମରଣ କରି ସମାଜକୁ ସୁରକ୍ଷା ଦେବା ବ୍ରତରେ ଆପଣାକୁ ଜଳାଞ୍ଜଳି ଦେଇ, ନିଜ ପାଇଁ କୀର୍ତ୍ତିସ୍ତମ୍ଭ ନିର୍ମାଣ କରିବାର ସ୍ୱପ୍ନ, ଆଜି କେବଳ ହିଁ କ୍ଷତ୍ରିୟ ପୁଅର ରକ୍ତକୁ ତତେଇ ଦେବା ପାଇଁ ଅସମର୍ଥ ।
ଆଜି ଆମ ସମ୍ମୁଖରେ ସୁବିଧା ସୁଯୋଗ ପର୍ଯ୍ୟାପ୍ତ, ପରିବ୍ୟାପ୍ତ । ଶିକ୍ଷା ଏବଂ ଶାସନର ସହଯୋଗରେ ଆଜି ଯେକୌଣସି ବର୍ଗର ସନ୍ତାନ, ଯେକୌଣସି କର୍ମ ସମ୍ପାଦନ କରିବାରେ ସମର୍ଥ । କୌଳିକ ବୃତ୍ତିର ପରିକଳ୍ପନା ଆଜି ସୁଦୂର ପରାହତ । ବ୍ରାହ୍ମଣ ଘରର ପୁଅ ଆଜି ଏକ ସଫଳ ସେଲୁନ୍ ଏବଂ ଲାଭଜନକ ଲଣ୍ଡ୍ରିର ମାଲିକ । ଶୂଦ୍ର ଘରର ସନ୍ତାନ ଆଜି ଏକ ଅସାମାନ୍ୟ ବ୍ରହ୍ମବେତ୍ତା । କୁଳର କୌଳିକ ନୈପୁଣ୍ୟତା, କୌଳିକ ବୃତ୍ତିର ଆଦରଣୀୟତା ଏବେ ଆଉ ଆବଶ୍ୟକତାର ମାନଦଣ୍ଡକୁ ମନ୍ତ୍ରମୁଗ୍ଧ କରି ଧରି ରଖିପାରିବାର ସମସ୍ତ ସାର୍ଥକତା ହରେଇ ବସିଛି । ସବୁ ସ୍ତରରେ ସମୁଦ୍ର ମନ୍ଥନ । ସବୁ ଶ୍ରେଣୀରେ ସୁଷମ/ବିଷମ ସମ୍ମିଶ୍ରଣର ପ୍ରଭାବ ପ୍ରତିଭାତ । ଚତୁଃବର୍ଣ୍ଣାଶ୍ରମର ସଂଜ୍ଞାରେ ଏବେ ନିରବଚ୍ଛିନ୍ନ ନୂତନତାର ସ୍ୱାଦ । ଜାତି ତତ୍ତ୍ୱର ସଂଜ୍ଞାଟି କ୍ରମଶଃ ମଣିଷ ଜାତି ତତ୍ତ୍ୱ, ବୃତ୍ତି ତତ୍ତ୍ୱ ଏବଂ ବ୍ୟବସାୟ ତତ୍ତ୍ୱ ଆଡ଼କୁ ମୁହାଁଇବାରେ ଖୁବ୍ ଆନ୍ତରିକତାର ସହିତ ମର୍ମିଳ । ରାଷ୍ଟ୍ରଗତ, ଧର୍ମଗତ, ବ୍ୟବସାୟଗତ, ଆଚାରଗତ, ବିଚାରଗତ, ଶାସନଗତ ପ୍ରଭୃତି ବହୁ ନୂଆ ନୂଆ ଜାତି ପ୍ରଜାତିର ଅଭ୍ୟୁଦୟ, ଆଶାତୀତ ଭାବରେ ଅଙ୍କୁରିତ ।
ଏମିତି ଏକ ଅଦ୍ଭୁତ ଆଧୁନିକତାର ଅଭ୍ୟୁଦୟରେ, ଏହି ପେଟ ଯେକୌଣସି ପ୍ରଥା ଏବଂ ପର୍ଯ୍ୟାୟକୁ ପାଥେୟ କରିନେବାକୁ ବାଧ୍ୟ । ପେଟ ଭିତରେ ରାଜୁତି କରୁଥିବା ଆଦ୍ୟତମ ତଥା ସର୍ବକାଳୀନ ଭୋକ-ରାକ୍ଷସ ଆଗରେ ଜାତି ବୃତ୍ତି ବୋଲି କିଛି ଏକ ନିର୍ଦ୍ଦିଷ୍ଟ କୁଳ-କୌଶଳର ବାଧ୍ୟବାଧକତା ନାହିଁ, ଚମତ୍କାରିତା ନାହିଁ କିମ୍ୱା ଆଦର୍ଶର ଆବେଗମୟ ଆକର୍ଷଣ ନାହିଁ । ଇହଧାମରେ ଜୀବନ ଓ ମୃତ୍ୟୁର ପରମ ପୀଠସ୍ଥଳୀ ହେଉଛି ଏହି ପେଟ । ସର୍ବଧର୍ମ ସାରସ୍ୱତ ସମ୍ମେଳନ ଏହି ପେଟ । ସବୁ କୁଳର, କୌଳିକ ପ୍ରଥାର, ସବୁ ବ୍ୟକ୍ତିର, ସବୁ ବୃତ୍ତିର, ସବୁ ବ୍ୟବସାୟର ସାଧନାସିଦ୍ଧ ସିଂହାସନ ଏହି ପେଟ । ଶାସିତ ଶୋଷିତ ଠାରୁ ଦେଶ ମହାଦେଶର ପ୍ରତାପୀ ଶାସକ ଯାଏ, ଭିକାରୀରୁ କୋଟିପତି ଯାଏ, ମୂର୍ଖରୁ ମହାଜ୍ଞାନୀ ଯାଏ, ସୈନିକରୁ ସେନାପତିଯାଏ, ଘୃଣ୍ୟ ଘାତକଠାରୁ ଋଷି ମହର୍ଷିଯାଏ, ମଶା ମାଛି ପୋକ ଜୋକଙ୍କଠାରୁ ଜଳ ସ୍ଥଳ ଆକାଶରେ ଦେହଟିଏ ପାଇଥିବା ଦେହଧାରୀଙ୍କ ଯାଏ, ସମସ୍ତେ ଏହି ଭୋକ ନିକଟରେ ବଚସ୍କର, କ୍ରୀତଦାସ, କ୍ରୀଡ଼ନକ, ଯୋଡ଼ହସ୍ତ, ନତମସ୍ତକରେ ଦଣ୍ଡାମାନ ହୋଇଥିବା ଏକଏକ ଅସହାୟପଣ । ଏହି ଭୋକ ହିଁ, ସମସ୍ତଙ୍କର ଅହଂ-ଆସ୍ଫାଳନକୁ ଉପହାସ କରେ । ଅବନମିତ କରି ରଖେ । ଉପବାସ ବିପକ୍ଷରେ ଭୋକର ଏହି ଉଗ୍ର ଉପହାସ ଅତିମାତ୍ରାରେ ଅସହ୍ୟ । ଏହି ଅସହ୍ୟପଣ ମୃତ୍ୟୁଶଯ୍ୟାରେ ମୃତ୍ୟୁର ପୂର୍ବପର୍ବର ଦହନ । ତେଣୁ ଭୋକକୁ ସହି ସମ୍ଭାଳି ବଞ୍ଚିବା ପାଇଁ ଯେକୌଣସି ଏକ ବୃତ୍ତିର ଆବଶ୍ୟକତା ଅପରିହାର୍ଯ୍ୟ ।
ଏବେ ବୃତ୍ତିର ବୃତ୍ତ, ଯେତେ ବୃହତ୍ ବ୍ୟାପକ ହେଲେ ମଧ୍ୟ, ଅଧିକାଂଶ କ୍ଷେତ୍ରରେ ଇଚ୍ଛାଧୀନ ନୁହେଁ । କୌଳିକ ବୃତ୍ତିକୁ ଆଦରି ନେବା ଏବେ ଯେତିକି ଅସୁବିଧାଜନକ, ଏହି ବୃହତ୍ ବୃତ୍ତିଭଣ୍ଡାରରୁ କୌଣସି ଏକ ମନଲାଖି ବୃତ୍ତଟିଏ ଖୋଜି ପାଇବା ତତୋଧିକ କଷ୍ଟସାଧ୍ୟ । ଖିଆଲକୁ ଖାପ ଖାଉନଥିବା ବୃତ୍ତିଟିଏକୁ ଅଗତ୍ୟା ଆଦରି ନେବା ହିଁ, ଆଜିର ଆହ୍ୱାନ । ସେଥିପାଇଁ, ଏ ଆଧୁନିକ ମଣିଷର ଯେକୌଣସି ପରିସ୍ଥିତିକୁ ଆଦରି ନେବାର ମାନସିକତାକୁ ଧନ୍ୟବାଦ୍ ଦିଆଯାଇପାରେ । କିନ୍ତୁ ମାନସିକ ସ୍ତରରେ ଅଶାନ୍ତି ଏବଂ ଅନାଗ୍ରହ ଆଚରଣରେ, ସେ ଅସାଧାରଣ ଭାବରେ ଆକ୍ରାନ୍ତ ଓ ଆଘାତପ୍ରାପ୍ତ । ଏକ ଜୀବନବ୍ୟାପୀ ଅଶାନ୍ତ ବାତାବରଣରେ ସେ ହସିକାନ୍ଦି ବଞ୍ଚି ରହିବାକୁ ସାହସ କରେ । ବୃତ୍ତି ଗ୍ରହଣର ଏହା ହିଁ ଆପାତତଃ ଏକ ଇତିବୃତ୍ତ ।
ଏହି ମର୍ତ୍ତ୍ୟକୁ ଆସିବା ପଛରେ ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି କାରଣ ଥାଏ । ବିନା କାରଣରେ କାହିଁକି ବା କିଏ ଏଠାକୁ ଆସିବ । କୌଣସି ଏକ ନିର୍ଦ୍ଦିଷ୍ଟ ଅଭିନୟ କରିବା ପାଇଁ ସେ ଆସେ ଏ ମାଟିର ମଞ୍ଚକୁ । ଏକ ମହାନାଟକରେ ସେ ଜଣେ ଛୋଟବଡ଼ ଅଭିନେତା । ତା’ର ସେଥିପାଇଁ, ଖାଦ୍ୟ ବାସସ୍ଥାନ ଭଳି କେତେକ ମୌଳିକ ଆବଶ୍ୟକତା ଥାଏ । ସେ ଖାଇବା ପାଇଁ ବେଞ୍ଚନା ବରଂ ବଞ୍ଚିବା ପାଇଁ ଖାଏ । ତା’ର ନିଜର, ନିଜ କୁଟୁମ୍ୱର ଭରଣପୋଷଣ, ରକ୍ଷଣାବେକ୍ଷଣ ଏବଂ ଉତ୍ତରଣ ପାଇଁ ଗୋଟିଏ ମାଧ୍ୟମ ଦରକାର । ସେହି ମାଧ୍ୟମ ତା’ ପାଇଁ ବୃତ୍ତି, ଅନ୍ୟ ଭାଷାରେ ଭାତହାଣ୍ଡି ।
ନିଜର ଇଚ୍ଛା, ଆଗ୍ରହ, ସ୍ପୃହା ବା ଅଭିରୁଚି ଥାଉ କି ନ ଥାଉ, ହାତ ପାହାନ୍ତାର କୌଣସି ଏକ ବୃତ୍ତିକୁ ସେ ଆଦରି ନେବାକୁ ବାଧ୍ୟ ହୁଏ । ସେ ହୁଏ କର୍ମଯୋଗୀ । ସେହି ବୃତ୍ତିକୁ ଆପଣାର ପରମ ପବିତ୍ର ପ୍ରବୃତ୍ତି ବୋଲି ଭାବି ନେଇ, ନିଜ ଅନ୍ତରର ସ୍ୱାଭାବିକ ପ୍ରବଣତାରେ ନିଜକୁ ନିୟୋଜିତ କରେ । ସେହି କର୍ମ ତା ପାଇଁ ପାଲଟିଯାଏ ଜୀବିକା, ପେସା । ଏହା ଏକ ସାଧାରଣ ମଣିଷର ମାନବିକ ଧର୍ମ । କର୍ମକ୍ଷେତ୍ରରେ ସେ ଖଟେ, ମେହନତ କରେ । ମୂଲ ମଜୁରୀ ଭତ୍ତା ଅଥବା ଅନ୍ୟ ଅର୍ଥରେ ଦରମା ପାଏ । ଏହା ତାହାର ବୃତ୍ତିଗତ ପ୍ରାପ୍ୟ । କୁଟୁମ୍ୱ ପରିପୋଷଣ କରିବାର ଅବଲମ୍ୱନ । ଛାତ୍ରଟିଏ ପାଠ ପଢ଼ିବା ପାଇଁ ସ୍କଲାର୍ସିପ୍ ଭତ୍ତା ପାଇଲା ପରି ତାକୁ ମଧ୍ୟ ଏହି ବୃତ୍ତିଗତ ଭତ୍ତା ମିଳେ । ଜୀବନଧାରଣ ଓ କୁଟୁମ୍ୱ ପ୍ରତିପୋଷଣ ପରି ମହତ କର୍ମରେ ସେ କ୍ରମେ ନିଜ ପେସାରେ ପ୍ରାଞ୍ଜଳ ହୁଏ, ପ୍ରତିଶ୍ରୁତିବଦ୍ଧ ହୁଏ, ପ୍ରାଜ୍ଞ ପଣ୍ଡିତ ହୁଏ, ପ୍ରବୁଦ୍ଧ ହୁଏ । କର୍ମକ୍ଷେତ୍ରରେ ସେଥିପାଇଁ ସେ ବେଳେବେଳେ ଅପରିହାର୍ଯ୍ୟ ହୁଏ । ପ୍ରତିଶ୍ରୁତିବଦ୍ଧତାରେ ପ୍ରତିନ୍ଧକ ହେଲେ ପ୍ରତ୍ୟାଖ୍ୟାତ ହୁଏ ।
– ତା’ପରେ –