ପ୍ରବନ୍ଧ

ଗାଆଁର ଭାଷା ଓ ପରିଭାଷା

Pradip Nayak's Odia Prose Gaanra Bhasha o Paribhasha

ଏ ସମସ୍ୟା ଉଭା ହୁଅନ୍ତା ନାହିଁ ସୂଚନା ପ୍ରଯୁକ୍ତିର ବିସ୍ଫୋରଣ ଘଟୁଥିବା ସମୟରେ, ସମଗ୍ର ସଂସାର “ବିଶ୍ୱ ଗାଆଁ” ରେ ପରିବର୍ତ୍ତନ ହେବାକୁ ଅଣ୍ଟାଭିଡି ସାରିଥିବା ସମୟରେ ଏକ ମାନବୀୟ ବିଶ୍ୱଚେତନାକୁ ନିଦରୁ ଉଠେଇବାକୁ ପଡୁନଥାନ୍ତା

ଗାଆଁର ଭାଷା ଓ ପରିଭାଷା

ସମାଜ ବ୍ୟବସ୍ଥାରେ ଗାଆଁ ଏକ ଛୋଟ ଅଥଚ୍ ବଳିଷ୍ଠ ଏକକ । ଯଦିଓ ସର୍ବକନିଷ୍ଠ ଏକକ ଅନୁଷ୍ଠାନ ହେଉଛି ପରିବାର। ଗାଆଁ ଏଥିପାଇଁ ପରିବାର ଠୁ ମହତ ଅନୁଷ୍ଠାନ ଯେ ପରିବାର ଏକ ରକ୍ତର ପରିଚୟରେ ଗଠିତ। ଏହାର ମୂଳସ୍ରୋତରେ ଜଣେ ପିତା ଜଣେ ମାତାର ଗୁଣସୂତ୍ର ଓ ପୁରୁଷାନୁକ୍ରମ ନିହିତ ଥାଏ କିନ୍ତୁ ଗାଆଁ କହିଲେ ଯାହା ବହୁ ବିଭିନ୍ନତାର ସମାବେଶ ଘଟିଥାଏ। ପିଣ୍ଡରେ ବ୍ରହ୍ମାଣ୍ଡ ଅନୁଭବ କରିବା ପରି ଆମେ ଗାଆଁର ଅଇନାରେ, ସମ୍ମିଳିତ ସହାବସ୍ଥାନର ଅନୁଭବରେ ରାଜ୍ୟ ଓ ରାଷ୍ଟ୍ରକୁ ବୁଝିବାକୁ ସକ୍ଷମ ହେଉ। କେଉଁ ଆବହମାନ ସମୟରୁ ଗାଆଁ ପରି ସାମାଜିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅନୁଷ୍ଠାନ ରହିଆସିଛି ଓ ଯାବତ୍ ଚନ୍ଦ୍ରାର୍କେ ତିଷ୍ଠି ରହିଥିବ ମଧ୍ୟ । ଏହାର ମୂଳଭୂତ କାରଣଟି ହେଉଛି ସମ୍ପର୍କ। ଏଠି ପୀଢି ପରେ ପୀଢି ଜନ୍ମ ନେଉଥିବେ, ମରଣ ବି ଲଭୁଥିବେ, ମଣିଷ ସ୍ଥାୟୀ ହୋଇ ରହୁନଥିବେ କିନ୍ତୁ ସମ୍ପର୍କର ସୂତ୍ରରେ ଗ୍ରାମୀଣ ମଣିଷଟି ଏକତ୍ର ସହାବସ୍ଥାନକୁ ବଞ୍ଚାଇ ସ୍ଥାୟୀ ଅଛି ଓ ଥିବ ମଧ୍ୟ । ଅନେକ ଜାତି, ଅନେକ ବର୍ଣ୍ଣ, ବ୍ୟବସାୟ , ଅନେକ ବଂଶ ଗୋତ୍ର ଓ ମତବାଦର, ଧନୀ, ନିର୍ଦ୍ଧନ,ପାଠୁଆ ଅର୍ଦ୍ଧ ପାଠୁଆ ,ଅପାଠୁଆ ମଣିଷ ରହୁଥିବେ। ତା ସତ୍ତ୍ୱେ ମଧ୍ୟ ଗାଆଁ ପରିଚୟରେ ଏହା ଏକମାତ୍ର ସାମାଜିକ ଅନୁଷ୍ଠାନ ଯିଏ ସମସ୍ତଙ୍କୁ ବାନ୍ଧି ରଖିପାରିବାର କ୍ଷମତା ରଖିଥାଏ । ସବୁ ବ୍ୟକ୍ତିଗତ ବିଚାର, ଆଦର୍ଶ ବିଭିନ୍ନତାର ଉର୍ଦ୍ଧ୍ୱରେ ଗାଆଁ ପାଖରେ କେବଳ ଗୋଟିଏ ଲମ୍ବା ପଣତ ଥିବ ତାହା ହେଉଛି ସମ୍ପର୍କ । ଗାଆଁ ସମ୍ପ୍ରସାରିତ, ସଙ୍କୋଚନ ବି ହେଉଥିବ କେବଳ ସେଇ ପଣତର ପରିଧି ଭିତରେ ।

ଆମକୁ ବୁଝିବାକୁ ହେବ ମଣିଷର ବିଚାରରେ, ଆଦର୍ଶରେ ରାଷ୍ଟ୍ରର ପ୍ରଶାସନ ଗଢାଯାଇ ପାରେ କିନ୍ତୁ ଗାଁ ନୁହଁ । କାରଣ ରାଷ୍ଟ୍ରୀୟ ଶାସନ, ପ୍ରଶାସନ ସ୍ଥାୟୀ ଅସ୍ଥାୟୀ, ଭଙ୍ଗାଗଢା, ପକ୍ଷ, ବାଦ, ସଫଳ ଅସଫଳ ପ୍ରଶ୍ନ ସହ ଜଡିତ ରହିଥାଏ । ଗ୍ରାମୀଣ ସହାବସ୍ଥାନର ସ୍ଥିତିରେ ଦୁର୍ବଳତା ଆସିପାରେ କିନ୍ତୁ ଆଦୌ ବିଲୟର ସମ୍ଭାବନା ନାହିଁ। ରାଷ୍ଟ୍ର ସ୍ତରରେ ବାରମ୍ବାର ନେତା, ନେତୃତ୍ୱ, ଆଦର୍ଶର ପରିବର୍ତ୍ତନ ହୋଇଥାଏ କିନ୍ତୁ ଗାଁର ବ୍ୟବସ୍ଥାରେ ନେତା, ନେତୃତ୍ୱ ସ୍ଥାନରେ ଥାଆନ୍ତି ଗୁରୁ, ଗୁରୁଜନ, ମୁରବୀ । ଆଦର୍ଶ, ଏଜେଣ୍ଡା ସ୍ଥାନରେ ଥାଏ ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରା । ଯେଉଁଠି ପଡିଶା ଘର ଶବ ନ ଉଠିଲା ଯାଏ ଅନ୍ୟ ବଂଶ, କୂଳ ହୋଇ ମଧ୍ୟ ପଡିଶାର ଚୁଲିକି ନୁଣ୍ଡାଯାଏନା । କୌଣସି ବାଦବିବାଦରେ ଥାନା କଚେରୀ ଯାଉଥିବା ଲୋକକୁ ଗାଆଁ ମଣିଷଟି ସୂଚେଇ ଦେବାକୁ ପଛେଇ ଯାଏ ନାହିଁ – ଆରେ ସିଏ ପା’ ତୋ ଭାଇ, ବତିଶା, କକା କକେଇ, ମାମୁ ମାଇଁ, ମାଉସୀ ମଉସା ,ଖୁଡୀ ଇତ୍ୟାଦି । କୋଟ କଚେରୀ କ’ଣ ଏସବୁ କଥା ଜାଣେ ? ସେଠୁ କି ନ୍ୟାୟ ମିଳିବ ?

ଗ୍ରାମ୍ୟ ଅର୍ଥନୀତିରେ ମଧ୍ୟ ପାରସ୍ପରିକତା ବହୁତ ଗୁରୁତ୍ୱ ବହନ କରିଥାଏ । କୌଳିକ ବୃତ୍ତିକୁ ନେଇ ବଞ୍ଚିବା ଓ ସେଥିରେ ଦୃଢ ରହି ଆଗକୁ ବଢିବା ମଧ୍ୟ ଗାଆଁ ଶିଖାଇଥାଏ ।

ନାପିତ, ରଜକ, ବଢେଇ, ଯଜମାନ, ପୂଜକ, କମାର, ଏପରିକି ଦିନମଜୁରିଆ ପାଇଁ ନିର୍ଦ୍ଧାରିତ ହୋଇଥାଏ ଭରଣପୋଷଣର ବ୍ୟବସ୍ଥା । ବର୍ତ୍ତନ, ସିଦ୍ଧା, ଜାଗିରୀ, ବିଦାକି, ଦକ୍ଷିଣା, ବଦଳ ଆଦି ପ୍ରଥାରେ ବିନିମୟ ହୁଏ ଧାନ, ଚାଉଳ, ବିରି ମୁଗ ଇତ୍ୟାଦି । ଯଦିଓ ବିନିମୟର ବ୍ୟାପକ ସୁଯୋଗ ନଥାଏ ତଥାପି କୌଳିକ ବୃତ୍ତିକୁ ନେଇ ଗ୍ରାମୀଣ ସହାବସ୍ଥାନ ମଜବୁତ୍ ହୋଇଥାଏ ।

ସତକଥା ହେଲା ମଣିଷ ନିଃଶ୍ୱାସ ରେ କମ୍ ବିଶ୍ୱାସରେ ଅଧିକ ବଞ୍ଚିଥାଏ । ଆମେ ପରସ୍ପର ପ୍ରତି ବିଶ୍ୱାସ ରଖି ଶିଖିବା ଶିଖିଛୁ ଏଇ ଗ୍ରାମୀଣ ସଂସ୍କୃତିରୁ । ମୋ ପଡିଶା ମୋତେ ନିଶ୍ଚୟ ସାହାଯ୍ୟ କରିବ କେବେ ବିପଦକୁ ଠେଲିଦେବ ନାହିଁ । ମୋ ପ୍ରତି ବିପଦ ହେବ ନାହିଁ ମୁଁ ନିଶ୍ଚିତରେ ଶୋଇପାରିବି । ମୁଁ ଆଉ କାହା ଘରେ ଶୋଷ ପାଇଁ ପାଣି ମାଗିଲେ ସେ ବିଷ ମିଶେଇ ଦେବ ନାହିଁ । ରାତିଅଧରେ ମୁଁ ବିପଦରେ ପଡିଲେ ସମସ୍ତେ ମୋ ପାଖରେ ଠିଆ ହୋଇଯିବେ, କିଛି ନହେଲେ ବି ସମବେଦନା ଜଣାଇବେ । ମୁଁ ମଧ୍ୟ ସବୁରି ଦୁଃଖରେ ସାଧ୍ୟ ମୁତାବକ ସାମିଲ୍ ହେଉଥିବି । ଅଭାବ ପଡିଲେ ମନରେ ବଳ ଥିବ, ଗାଆଁରେ ଏତେ ପଡିଶା, ଆତ୍ମୀୟ ଅଛନ୍ତି କାହାଠୁ ନା କାହାଠୁ ଅବଶ୍ୟ ସାହାଯ୍ୟ ମିଳିଯିବ । ଏହାହିଁ ହେଉଛି ଗ୍ରାମ୍ୟ ସମ୍ବିଧାନ, ସଂସ୍କୃତି । ପ୍ରତିଟି ମଣିଷର ନିଜସ୍ୱ ଆଦର୍ଶ, ବିଚାର, ମତବାଦ ଥିବ କିନ୍ତୁ ତାହା କୌଣସି ଦ୍ଵନ୍ଦ, ଭୁଲ ବୁଝାମଣା ଅବା ଭେଦଭାବର କାରଣ ହେଉନଥିବ । ବେଳେବେଳେ ସାମୂହିକ ହିତ ଦୃଷ୍ଟିରୁ ପ୍ରତି ମଣିଷକୁ ନିଜ ଆଦର୍ଶ, ନିଜ ବିଚାର, ନିଜ ମତାମତକୁ ମଧ୍ୟ ବଳିଦେବାକୁ ପଡୁଥିବ । ଏହି ସବୁ ସାମାଜିକତାରୁ ଆମେ ଶିଖୁଥିବା ଗାଁ ବ୍ୟକ୍ତିଠୁ କିଛି ତ୍ୟାଗ, ତିତିକ୍ଷା, ଭାବନା କେବଳ ନେଇନଥାଏ ତା ବଦଳରେ ଆମକୁ ପରିଚୟ, ପ୍ରତିଷ୍ଠା, ସମ୍ମାନ ମଧ୍ୟ ଦେଇଥାଏ ।

ଗାଁ ଏଇଥି ପାଇଁ ନିଆରା ଯେ ତା’ର ଗଛମାଳକୁ ଜଙ୍ଗଲ କୁହାଯାଏନା କୁହାଯାଏ ତୋଟା, ଗାଁ ମଝିର ରାସ୍ତାକୁ ଦାଣ୍ଡ, ପୋଖରୀକୁ ଠାକୁରାଣୀ ପୋଖରୀ, ଗାଡିଆ । ଭୋଜିକୁ ପଙ୍ଗତ, ଭୋଗକୁ ମାଜଣା, କୁସୁମା । ଅବିବାହିତକୁ ବାଡ଼ୁଅ ( ବାଡୁଅପାଣି ପରମ୍ପରା ଥିବାରୁ), ହୋଲିକୁ ଫଗୁ, ନ୍ୟାୟ ପାଇଁ ନିଶାପ, ପିଣ୍ଡଦାନ ପାଇଁ ତୀର୍ଥ ନୁହେଁ ଦେଇପିଣ୍ଡି ଏମିତିକି ମଣିଷ ବଦଳରେ ବଦଳିଆ ଆଦି ଆଦି ଅନେକ ଚଳଣି, ପ୍ରଥା ।

ଗ୍ରାମୀଣ ମଣିଷର ଶିକ୍ଷା ଉଚ୍ଚରୁ ଉଚ୍ଚତର ହୋଇପାରେ, ଶିକ୍ଷାର ଭାଷା, ସଭ୍ୟତାର ବ୍ୟାକରଣ ବଦଳି ପାରେ କିନ୍ତୁ ଗ୍ରାମ୍ୟଚେତନାର ଭାଷା ସ୍ୱତନ୍ତ୍ର ଓ ନିଜସ୍ୱ । ଏବର ଶିକ୍ଷା ଆମକୁ ଡିଜିଟାଲି ବହୁତ ସଭ୍ୟ, ଆଧୁନିକ ଋଚିସମ୍ପନ୍ନ କରିପାରେ କିନ୍ତୁ ଗ୍ରାମ୍ୟ ସଂହିତାର ଭାଷା ଭିନ୍ନ ଓ ସ୍ୱତନ୍ତ୍ର । ଏହାର ମୌଳିକତା ଅତୁଳନୀୟ । ଗୁରୁଙ୍କ ସାମ୍ନାରେ ଶିଷ୍ୟ ପରି, ଗୁରୁଜନଙ୍କ ଆଗରେ ଲଘୁଜନ ପରି, ବାପାମାଆ ଆଗରେ ସନ୍ତାନ ପରି, ଦାଦା ଦାଦୀ ଆଗରେ ପୁତୁରା ଝିଆରୀ ପରି ସମ୍ପର୍କରେ ରହିବାରେ ଆମେ ବଞ୍ଚୁ ଓ ଆମ ସାମାଜିକ ବ୍ୟବସ୍ଥା ବଞ୍ଚିଥାଏ ।

ଅର୍ଥନୀତି ଦୃଷ୍ଟିରୁ ଗାଆଁ ବଜାର ହୋଇପାରି ନାହିଁ ସତ ଗ୍ରାମୀଣ ମାନବସମ୍ବଳ ଯେ ରାଷ୍ଟ୍ର ଅର୍ଥନୀତିର ମୂଳ ଆଧାର ଏକଥା ଅସ୍ୱୀକାର କରିହେବ ନାହିଁ । କିନ୍ତୁ ମଫସଲ ମଣିଷ ଅର୍ଥହୀନ ଅର୍ଥନୀତିରେ ବଳିପଡୁଛି ।

ଗାଆଁର ସଂସ୍କୃତି ବିଶ୍ୱାସ, ଅନ୍ଧବିଶ୍ୱାସ ମିଶ୍ରଣରେ ଗଢା,ସହରର ଭିତ୍ତିଭୂମି ଅବିଶ୍ୱାସ ଉପରେ ଛିଡା । ଅଳ୍ପପାଠୁଆ, ଅପାଠୁଆଙ୍କୁ ନେଇ ଗ୍ରାମ୍ୟ ଚେତନା ରୁଦ୍ଧିମନ୍ତ । ପାଠୁଆ, ଉଚ୍ଚପାଠୁଆଙ୍କୁ ନେଇ ସହରୀ ସଭ୍ୟତା ରୁଧିରାକ୍ତ । ଅନାବିଳ ସଂହତିକୁ ନେଇ ଗାଆଁର ଗୌରବ। ସ୍ଵାଧୀନତାର ସ୍ୱେଚ୍ଛାଚାରକୁ ନେଇ ସହର ରୌରବ । ସହର ବାୟୁର ନାଆଁ ପବନ, ମଫସଲ ବାୟୁର ନାଆଁ ବାଆ । ସହର ଯାହାକୁ ସଭ୍ୟତା କହେ ଗାଆଁ କହେ ସଣ୍ଠଣା । କିନ୍ତୁ ଆମେ ନିରିଖେଇ ଦେଖିଲେ ପରସ୍ପର ପରସ୍ପର ଆଡକୁ ଯେମିତି ସଦା ଧାବମାନ । ଗାଆଁ ଏବେ ପ୍ରତିଯୋଗିତା କରୁଛି ସହର ହେବାକୁ ଏବଂ ଅଣନିଃଶ୍ଵାସୀ ସହର ଖୋଜିବାକୁ ଆସୁଛି ଗାଆଁର ପରିମଳ ପବନ ।

ପ୍ରଶ୍ନ ଉଠୁଛି ଏହି ପୁରାତନ ସଂହତି, ସଂସ୍କୃତିର ତିଷ୍ଠି ରହିବା ଉପରେ । ପୁନଶ୍ଚ ସମାଜମଣିଷ ପାଇଁ ଆହ୍ୱାନ ସିଏ ସହରୀ ହେବ ନା – ଗାଆଁ ସହର ହେବ ? ଏ ପ୍ରଶ୍ନ ହୁଏତ ଉଠନ୍ତା ନାହିଁ ଯଦି ଆମ ଶିକ୍ଷା ଓ ଚେତନା ସହଯାତ୍ରୀ ହୋଇପାରୁଥାଆନ୍ତେ । ଏ ସମସ୍ୟା ଉଭା ହୁଅନ୍ତା ନାହିଁ ସୂଚନା ପ୍ରଯୁକ୍ତିର ବିସ୍ଫୋରଣ ଘଟୁଥିବା ସମୟରେ, ସମଗ୍ର ସଂସାର “ବିଶ୍ୱ ଗାଆଁ” ରେ ପରିବର୍ତ୍ତନ ହେବାକୁ ଅଣ୍ଟାଭିଡି ସାରିଥିବା ସମୟରେ ଏକ ମାନବୀୟ ବିଶ୍ୱଚେତନାକୁ ନିଦରୁ ଉଠେଇବାକୁ ପଡୁନଥାନ୍ତା , ସବୁ ମଣିଷଙ୍କ ଉଦ୍ଦେଶ୍ୟରେ ତାକୁ ପୁନଃ ପ୍ରତିଷ୍ଠା କରିବାକୁ ହୁଅନ୍ତା ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top