ମୋ ପାଇଁ ଭୁବନେଶ୍ୱର ରୁ ସମ୍ବଲପୁର ଯିବାର ତିନୋଟି ବିକଳ୍ପ ଥିଲା ଯଥା ବସ, କାର ଓ ଟ୍ରେନ । ଉଡ଼ାଜାହାଜ ପାଇଁ ମୋ ପାଖରେ ପଇସା ନ ଥିବାରୁ ସେ ବିଷୟରେ ଚିନ୍ତା କରି ନାହିଁ । ମୋର ସନ୍ଧ୍ୟା ସମୟରେ ଏକ ରାତ୍ରଭୋଜୀରେ ଯୋଗ ଦେବାର ଥିଲା । ବସ୍ରେ ଗଲେ ରାତି ଅନିଦ୍ରା ସହ ସକାଳୁ ପହଞ୍ଚିଥାନ୍ତି ତେଣୁ ଗ୍ରହଣୀୟ ହେଇ ପାରିଲା ନାହିଁ । କାରରେ ଗଲେ ପଇସା ଖର୍ଚ୍ଚ ଟିକେ ଅଧିକ ତା ଛଡା ରାସ୍ତା ଅବସ୍ଥା ଯାହା ଗାଡି ଚଳେଇବାକୁ ବିରକ୍ତ ଲାଗୁଛି ତେଣୁ ଏ ପ୍ରସ୍ତାବ ମଧ୍ୟ ଖାରଜ ହେଲା । ଶେଷ ମାଧ୍ୟମ ଟ୍ରେନ୍ରେ କମ ଖର୍ଚ୍ଚ, କମ ସମୟ ଓ ଆରାମ ଦାୟକ ଯାତ୍ରା, ତେଣୁ ବହୁ ସମୟର ବିଚାର ପରେ ନିଷ୍କର୍ସ ବାହାରିଲା ଟ୍ରେନରେ ଟିକେଟ ହେବ । ମୁଁ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟିରେ ଟିକେଟ କାଟିଲି । ନିର୍ଦ୍ଧାରିତ ଦିନ ଠିକ୍ ସମୟରେ ଷ୍ଟେସନ୍ରେ ପହଞ୍ଚିଲି । କୋଭିଡ ପରେ ଏହା ମୋର ଥିଲା ପ୍ରଥମ ଟ୍ରେନ ଯାତ୍ରା । ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେଠିକାର ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଘୋଷଣ କରାଯାଉଛି ଟ୍ରେନ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିବ କିନ୍ତୁ ୱେବସାଇଟରେ ଦେଖାଉଛି ଠିକ୍ ସମୟରେ ଛାଡିବ । କିଛି ସମୟ ଅନ୍ତରାଳରେ ଘୋଷଣ ଦ୍ୱାରା ଜଣେଇ ଦିଆଯାଉ ଥାଏ ଟ୍ରେନ ପହଞ୍ଚିବା ସମୟ । ବିଳମ୍ବ ଅବଧି ବଢି ବଢି ଚାଲିଲା ଘଣ୍ଟେ ରୁ ବଢି ବଢି ଅଢେଇ ଘଣ୍ଟା ହେଇଗଲା । ଜଣେ ସାଧାରଣ ମଣିଷକୁ ବିରକ୍ତ କରିବା ପାଇଁ ଏତକ ଯଥେଷ୍ଟ । ଆଉ କିଛି ଘଟଣା ଏମିତି ଥିଲା ଯାହା ଜଣେ ଅସାଧାରଣ ମଣିଷକୁ ମଧ୍ୟ ବିରକ୍ତ କରିଦେବ । ଆଗରୁ ଲାଗିଥିବା ଲିଫ୍ଟ କାମ କରୁ ନାହିଁ । କିଛି ନିର୍ମାଣ କାମ ଚାଲୁଥିବାରୁ ପାଞ୍ଚ ନମ୍ବର ପ୍ଲାଟଫର୍ମ ଚାରିଆଡ ଅପରିଷ୍କାର, ବସିବାକୁ ଜାଗା ନାହିଁ । କିଛି ସମୟ ଏପଟ ସେପଟ ହେବା ପରେ ଖଣ୍ଡେ ଖବର କାଗଜ କିଣିଲି, ପଢିବା ପାଇଁ ନୁଁହ ତଳେ ପକେଇ ବସିବାକୁ । ତଳେ ବସିବାର ଅଭାସ୍ୟ ନଥିବାରୁ ବେଶୀ ସମୟ ବସି ପାରିଲି ନାହିଁ । ଉଠିଲା ବେଳକୁ ପାଖରେ ଥିବା ଏକ ଖମ୍ବକୁ ଧରି ଉଠିଲି । ଖମ୍ବ ରେ ଥିବା ମଇଳା ଲାଗି ହାତ କଳା ହେଇଗଲା । ହାତ ଧୋଇବାକୁ ଗଲା ବେଳକୁ ଦେଖିଲି ଗୋଟିଏ ହେଲେ ଟ୍ୟାପ୍ରେ ପାଣି ଆସୁନାହିଁ । ସେ ପ୍ଲାଟଫର୍ମ ରେ ବାଥରୁମ ବି ନାହିଁ । ବାଧ୍ୟରେ ପିଇବା ପାଇଁ ରଖିଥିବା ପାଣିରେ ହାତ ଧୋଇଲି ।
ଗୋଟେ କଥା ମନେପଡ଼ିଲା, କିଛି ବର୍ଷ ପୂର୍ବେ ଏକ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁଆଡେ ଗୋଟେ ଯାଉଥିଲେ । ଖରାପ ରାସ୍ତା ଯୋଗୁଁ ଗାଡି ଅଟକିଗଲା । ପୁରା ଚେଷ୍ଟା ସତ୍ୱେ ଗାଡି ତା ଜାଗାରୁ ହଲିଲା ନାହିଁ । ଅନ୍ୟ ଉପାୟ ନ ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମହୋଦୟ ଗାଡି ଠିକ୍ ହେବାକୁ ଅପେକ୍ଷା କଲେ । ରାସ୍ତା କଡରେ ଏପଟ ସେପଟ ହେଉଥାନ୍ତି । ପାଖ ଗାଁରୁ କିଛି ଲୋକ ଆସି ଗାଡି ବାହାର କରିବାରେ ସାହାଯ୍ୟ କଲେ । ଏ ସୁଯୋଗ ନେଇ ଜଣେ ଗ୍ରାମବାସୀ ଭାବିଲା ନେତାଙ୍କୁ ପଦେ ଶୁଣେଇବ । କହିଲା;
–ଆପଣ ଏତେବର୍ଷ ଶାସନରେ ରହିଲେ, ଯଦି ରାଜ୍ୟର ବିକାଶ କରିଥାନ୍ତେ, ରାସ୍ତାଘାଟ କିଛି ନିର୍ମାଣ କରିଥାନ୍ତେ, ଆଜି ଆପଣ ଏ ଦୁର୍ଦିନ ଦେଖି ନ ଥାନ୍ତେ, ଅଯଥାରେ ହଇରାଣ ହେଇ ନଥାନ୍ତେ ।
ନେତା ଜଣେ ପୋଖତ ରାଜନୈତିକ, ତାଙ୍କର ଖଇନି ଖିଆ ମୁଣ୍ଡ ଖଟେଇଲେ କେମିତି ଏହାର ସଠିକ ଜବାବ ଦେଇହେବ । ସେ ତାଙ୍କର ମଜାକିଅ ଅନ୍ଦାଜ ଓ ଉପସ୍ଥିତ ବୁଦ୍ଧି ପାଇଁ ଜଣାଶୁଣା ଥିଲେ, ପଚାରିଲେ ;
— ତୋର କାର୍ ଅଛି ?
–ନା
— ମଟର ସାଇକେଲ୍ ଅଛି ??
–ନା
— ସାଇକେଲ ଅଛି ???
— ହଁ
— ତା ହେଲେ ତୁ କାହିଁକି ବ୍ୟସ୍ତ ହେଉଛୁ, ସାଇକେଲ ପାଇଁ ରାସ୍ତା ଠିକ୍ ଅଛି । ଯେଉଁମାନେ ଗାଡି ମଟର ରଖିଛନ୍ତି ସେମାନେ ହଇରାଣ ହୁଅନ୍ତୁ, ରାଜ୍ୟର ବିକାଶ ହେଲେ ନ ହେଲେ ତୋର କଣ ଅଛି ?
ସେ ସମୟ ପାଇଁ ମତେ ନେତାଙ୍କ କଥା ଠିକ୍ ଲାଗିଲା, ଦେଶର ବିକାଶ ହେଲେ ଆମର କଣ ଅଛି । ପଞ୍ଚମ ବଡ ଅର୍ଥନୀତି ହେଲାପରେ ଯଦି ଖଣ୍ଡେ ଚୌକି ଅଭାବରୁ ଖବର କାଗଜ କିଣି ପ୍ଲାଟଫର୍ମ ରେ ବସିବାକୁ ପଡୁଛି ସେଠି ଦେଶର ବିକାଶ ହେଲେ ଆମର କଣ ଲାଭ ହେଲା ? ଲାଗିଲା ଆମେ ସବୁ କାଉ ଓ ବିକାଶ ଏକ ପାଚିଲା ବେଲ ।
ଏତିକି ବେଳକୁ ଟ୍ରେନ ଆସିଲା । ବଡ ଖୁସି ହେଲି, ଯା ହେଉ ଶୀତଦିନ ସତ୍ତ୍ୱେ ଲୋଭ ନ କରି ଏସି ଟିକେଟ ଖଣ୍ଡେ କରିଥିଲି । ଏବେ ଆରାମରେ ବସିକି ଯାଇ ପାରିବି । ଯେଉଁଭଳି ଭିଡ ଥିଲା ଦୁତ୍ତିୟ ଶ୍ରେଣୀରେ ଯିବା ମୁସ୍କିଲ ଥିଲା । ମନକୁ ଅଳ୍ପ ସମୟ ପାଇଁ ଗର୍ବ ଆସିଲା ମୋର ଏସି ଟିକେଟ ପାଇଁ, ଯାହାର ଫଳ ମୁଁ ତୁରନ୍ତ ପାଇଲି । ଟ୍ରେନ ଚାଲିବା ମାତ୍ରେ ମୁଁ ଟିକେ ଶୋଇବାକୁ ଚାଁହୁଥିଲି ମାତ୍ର ଆଗ ଧାଡିରେ ବସିଥିବା ଜଣେ ଯାତ୍ରୀ ମୋବାଇଲ୍ରେ କଣ ଗୋଟେ ଭିଡିଓ ଦେଖୁଥାନ୍ତି । ପୁରା ଜୋରରେ ଭଲ୍ୟୁମ୍ ଦେଇ ଓ ମଝିରେ ମଝିରେ ଜୋର୍ରେ ହସୁଥାନ୍ତି । ତାଙ୍କ ସେ ଭିଡିଓ ଓ ହସ ମତେ ଅରୁଚିକର ତଥା ବିରକ୍ତିକର ଲାଗୁଥାଏ । ଭାବିଲି କିଛି ସମୟ ପରେ ସେ ଭିଡିଓ ବନ୍ଦ କରିବେ କିନ୍ତୁ ପରିସ୍ଥିତିରେ ସେମିତି କିଛି ଆଶାଜନକ ପରିବର୍ତ୍ତନ ଆସିଲା ନାହିଁ । ଇଚ୍ଛା ହେଉଥାଏ କହିବାକୁ, ଆରେ ମାଙ୍କଡ ମୋବାଇଲ ବନ୍ଦ କର । କିନ୍ତୁ କହିଲେ ସେ ଓଲଟା କଣ ଜବାବ ଦେବ ଭାବିକି ଚୁପ ରହିଲି । ଏତିକି ବେଳକୁ ଆଉ ଏକ ନୂଆ ସମସ୍ୟା ଆସିଲା । ସମସ୍ତ ସିଟ୍ରେ ଗୋଡ ରଖିବା ପାଇଁ ବ୍ୟବସ୍ତା ଅଛି । କିନ୍ତୁ ପଛରେ ବସିଥିବା ସ୍ତ୍ରୀ ଲୋକ ଜଣକ ଗୋଡ ରଖିବା ଜାଗାରେ ଗୋଡ ନରଖି ମୋ ସିଟ ରେ ଥିବା ବସିବା ଓ ଆଉଜାଇବା ଜାଗା ମଝିରେ ଥିବା ସ୍ୱଳ୍ପ ଫାଙ୍କରେ ଗୋଡ ରଖିଲେ । ତାଙ୍କ ପାଦ ବାରମ୍ବାର ମୋ ଦେହରେ ବାଜୁଥାଏ । ଭାବିଲି ଲେଖିଲା ବେଳେକୁ ସମସ୍ତ ମହିଳା ଙ୍କୁ ଭଦ୍ରମହିଳା କାହିଁକି ଲେଖାଯାଏ, ଖାଲି ମହିଳା ଲେଖିଲେ ଭଲ ହୁଅନ୍ତା । ଯେଉଁମାନେ ‘ଭଦ୍ର’ କେବଳ ତାଙ୍କ ପୂର୍ବରୁ ଭଦ୍ର ମହିଳା ବା ବ୍ୟକ୍ତି ଲଗାଯାଉ । ଜାଣତ କିମ୍ବା ଅଜାଣତ ରେ ମନରେ ଗର୍ବ ଆସିଲେ ଭଗବାନ ଏମିତି ଅତ୍ୟାଚାରୀଙ୍କ ହାବୁଡ଼ରେ ଆପଣଙ୍କୁ ପକେଇବେ, ଏ କଥା ଶୁଣିଥିଲି, ଏବେ ପ୍ରମାଣ ପାଇଲି ।
ଏତିକି ବେଳକୁ ଗୋଟେ ଷ୍ଟେସନ ରେ ପାଖରେ ବସିଥିବା ଦୁଇଜଣ ଯାତ୍ରୀ ଓ଼ଲ୍ଳେଇ ଗଲେ । ଟିକେ ଆରାମ ଲାଗିଲା । ତିନିଟା ସିଟ ଉପରେ ମୋର ଅଧିକାର ଆସିଗଲା । ପାଖ ସିଟ ଘୁଞ୍ଚି ଯିବାରୁ (ଭଦ୍ର) ମହିଳା ଙ୍କ ଅତ୍ୟାଚାରରୁ ରକ୍ଷା ପାଇଗଲି । ଏ ଖୁସି ମାତ୍ର ୧୦ ମିନିଟ ରହିଲା । ଆଗ ଷ୍ଟେସନରେ ମୁଁ ନିଜ ସିଟ୍ ଛାଡି ଛାଡି ଟିକେ ତଳୁ ବୁଲି ଆସିଲି । ଆସି ଦେଖିଲି ଜଣେ ବିନା-ଟିକେଟ ଯାତ୍ରୀ ଖାଲି ଜାଗା ଦଖଲ କରି ନେଲେଣି । ସେ ଜଣେ ରେଳ କର୍ମଚାରୀ । ସେ ଝରକା ପାଖ ସିଟ୍ରେ ବସିଗଲେ । ଲଗେଜ ରଖିବା ସିଟ ଉପରେ ଯଥେଷ୍ଟ ଜାଗା ଥିବା ସତ୍ୱେ, ମଝି ସିଟରେ ଗୋଟେ ଅତ୍ୟନ୍ତ ଅପରିଷ୍କାର ବ୍ୟାଗ ରଖିଲେ । ସେ ବ୍ୟାଗଟି ମୋ ଦେହରେ ଲାଗିବାରୁ ଟିକେ ଦୁରକୁ ଠେଲିଦେଲି । ସେ ରେଳ ବାବୁ ତୁରନ୍ତ ଆଉଥରେ ବ୍ୟାଗକୁ ମୋ ଆଡକୁ ଠେଲିଦେଲେ । ଏମିତି ପ୍ରକ୍ରିୟା କେତେଥର ଚାଲିଲା । ଭାବୁଥାଏ ଯଦି ମୁଁ ଟିକେ ତନ୍ତ୍ର କିମ୍ବା କଳାଯାଦୁ ଜାଣିଥାନ୍ତି, ପ୍ରୟୋଗ କରି ଏ ଲୋକର ଗୋଟେ ଗୋଡ କି ହାତ ଭାଙ୍ଗି ଦେଇଥାନ୍ତି । ଆଉ ଭିଡ଼ିଓ ଦେଖୁଥିବା ଲୋକ ମୁଁହକୁ ମାଙ୍କଡ ମୁଁହ, ପଛରେ ବସିଥିବା ସ୍ତ୍ରୀ ଲୋକ ମୁଁହକୁ ବିଲେଇ ମୁଁହ ଓ ଏ ରେଳ କର୍ମଚାରୀ ମୁଁହକୁ ଭାଲୁ ମୁଁହ କରି ଦେଇଥାନ୍ତି । ଦୁର୍ଭାଗ୍ୟକୁ ସେମିତି ଶକ୍ତି ନଥିବାରୁ ବାଧ୍ୟହେଇ ଚୁପ ରହିଲି । ଭୁବନେଶ୍ୱର ଷ୍ଟେସନ ରୁ କିଣିଥିବା ଏକ ବହି ପଢିବାକୁ ଲାଗିଲି ।
ବହିରେ ପଢିଥିବା ଗପଟି ଏ ଭଳିଆ ଥିଲା;
ଦୁଇଜଣ ବନ୍ଧୁ ଦିଲ୍ଲୀ ବୁଲିବାକୁ ଗେଲେ । ସେମାନେ ଆଗରୁ ବହୁ ଜାଗା ବୁଲିଥିଲେ କିନ୍ତୁ କେବେ ଦିଲ୍ଲୀ ଯାଇନଥିଲେ । ସେମାନେ ଗୋଟେ ତାରକା ହୋଟେଲରେ ରହିଲେ । ନିଜେ ପସନ୍ଦ କରି ହୋଟେଲ୍ର ସବୁଠୁ ଉପର ମହଲା ମାନେ ୧୧ ମହଲା ରେ ଏକ କୋଠରୀ ନେଲେ । ପରଦିନ ସକାଳୁ ବାହାରି ବିଭିନ୍ନ ଜାଗା ବୁଲିଲେ । ଚାଲି ଚାଲି ଥକି ଯାଇଥାନ୍ତି, ଦିନ ତିନିଟା ବେଳକୁ ଭାବିଲେ ହୋଟେଲକୁ ଫେରି କିଛି ଖାଇବା ଭଲ ହେବ, ଜୋରରେ ଭୋକ ଲାଗୁଥାଏ । ହୋଟେଲକୁ ଫେରି ଦେଖିଲେ ଲିଫ୍ଟ ମରାମତି ହେଉଛି । କିଛି ସମୟ ଅପେକ୍ଷା କରିବାକୁ ପଡିବ । ଏ କଥା ଦେଖି ପ୍ରଥମ ବନ୍ଧୁ ପ୍ରବଳ ରାଗିଗଲେ, ମ୍ୟାନେଜର ପାଖକୁ ଯାଇ ପାଟିତୁଣ୍ଡ କଲେ । ମ୍ୟାନେଜର ତାଙ୍କୁ ବୁଝେଇବାକୁ ଚେଷ୍ଟା କଲେ,
–ଅଳ୍ପ ସମୟରେ ଯାନ୍ତ୍ରିକ ତ୍ରୁଟି ଠିକ ହେଇଯିବ । ଆପଣ ମାନେ ଲବିରେ ଟିକେ ବସିଯାନ୍ତୁ । ଯଦି ଖାଇବାର ଅଛି ତଳେ ରେଷ୍ଟୁରାଣ୍ଟ ରେ କିଛି ଖାଇ ନିଅନ୍ତୁ ।
୨ୟ ବନ୍ଧୁ ପଚାରିଲେ;
— ରେଷ୍ଟୁରାଣ୍ଟ କଣ ଖାଲି ତଳେ ଅଛି ?
— ଆମର ତିନଟା ରେଷ୍ଟୁରାଣ୍ଟ ଅଛି, ଚତୁର୍ଥ ଓ ଅଷ୍ଟମ ମହଲାରେ ଆଉ ଦୁଇଟି ରେଷ୍ଟୁରାଣ୍ଟ ଅଛି । ତା ଛଡା ଆପଣ ରୁମରେ ସର୍ଭିସ ପାଇ ପାରିବେ ।
୨ୟ ବନ୍ଧୁ ଜଣକ କହିଲେ ଠିକ ଅଛି ଆମ ଅର୍ଡର ନେଇ ନେଇ ଯାନ୍ତୁ ଆମ ଖାଦ୍ୟ ଆମ ରୁମକୁ ପଠେଇ ଦେବେ । ଏତକ କହି ସାରିବା ପରେ ନିଜ ବନ୍ଧୁକୁ କହିଲେ;
— ଚାଲ, ଆଜି ପରୀକ୍ଷା କରି ଦେଖିବା ୧୧ ମହଲା ଯାକେ ଆମେ ଚଢି ପାରୁଛେ ନା ନାହିଁ । ଏ କଥା ପରୀକ୍ଷା ହେଇଯିବ ଆମ ଅଙ୍ଗ ପ୍ରତ୍ୟଙ୍ଗ ଆଗ ଭଳିଆ କାମ କରୁଛି ନା ନାହିଁ ।
ଏ କଥାରେ ଦୁଇ ବନ୍ଧୁ ଚାଲିବା ଆରମ୍ଭ କଲେ କିଛି ସମୟ ପରେ ଦୁଇ ବନ୍ଧୁ ନିଜ ରୁମ ପାଖକୁ ପହଞ୍ଚିଗଲେ । ୧୧ ମହଲା ପାହାଚ ଚଢି ପାରିଥିବାରୁ ଖୁସି ଅନୁଭବ କଲେ, କିନ୍ତୁ ଭୋକ ଚାରିଗୁଣ ହେଇଗଲା । ତାଙ୍କ ଖୁସି କୁଆଡେ ଉଭେଗଲା ଯେତେବେଳେ ସେମାନେ ଜାଣିଲେ, ମ୍ୟାନେଜର ସହ ଯୁକ୍ତି କଲା ବେଳକୁ ସେଠି ଚାବି ଛାଡି ଦେଇ ଆସିଛନ୍ତି । ପ୍ରଥମ ବନ୍ଧୁ ଆଉଥରେ ହୋଟେଲ ବ୍ୟବସ୍ଥା କୁ ଗାଳି କରିବା ଆରମ୍ଭ କରିଦେଲେ । ୨ୟ ବନ୍ଧୁ କହିଲେ;
— ଏବେ ଆଉ ରାଗି ଲାଭ ନାହିଁ, ତୁ ଏଠି ବସ୍ ମୁଁ କଣ କରିହେବ ଦେଖୁଛି ।
ଏହା କହି ସେ ଧୀରେ ଧୀରେ ତଳକୁ ଗଲେ କିଛି ସମୟ ପରେ ଚାବି ଧରି ଆସିଲେ, ପ୍ରବଳ କଷ୍ଟ ସହ କହିଲେ ;
— ବଡ ଖୁସି ଲାଗୁଛି, ଯା ହେଉ ମୁଁ ଦୁଇ ଥର ୧୧ ମହଲ ଚଢି ପାରିଲି ।
ସେ ପ୍ରଥମ ବନ୍ଧୁକୁ ଚାବି ବଢ଼େଇଦେଲେ । ପ୍ରଥମ ବନ୍ଧୁଙ୍କ ମନେ ପଡିଲା ସେହିଁ ମ୍ୟନେଜର ପାଖରେ ଚାବି ଛାଡିଥିଲେ । ସେ ଆଶ୍ଚର୍ଯ୍ୟ ହେଲେ ଏମିତି ବିପରୀତ ପରିସ୍ଥିତି ରେ ମଧ୍ୟ ତାଙ୍କ ବନ୍ଧୁ ଧର୍ଯ୍ୟହରା ହେଇ ନାଁହାନ୍ତି । ଦୁଇଜଣ ରୁମ ଭିତରକୁ ଗଲେ, ଖାଦ୍ୟ ଆସିଗଲା ଓ ସେମାନେ ଆରାମରେ ଖାଇଲେ, ଖାଦ୍ୟ ସ୍ୱାଦିଷ୍ଟ ହେଇଥିଲା । ତା ପରେ କିଛି ସମୟ ବିଶ୍ରାମ କଲେ । ଖାଇବା ପରେ ପ୍ରଥମ ବନ୍ଧୁ କହିଲେ;
–ମୁଁ ଆଜି ଜୀବନର ଏକ ବଡ ମନ୍ତ୍ର ପାଇଲି ।
–କଣ ସେ ମନ୍ତ୍ର ।
— ମୁଁ ଯେତେବେଳେ ଅସ୍ଥିର ହେଉଥିଲି, ତମେ ସେତେବେଳେ ଟିକେ ହେଲେ ବିଚଳିତ ହେଲ ନାହିଁ । ମୁଁ ଏବେ ବୁଝି ପାରୁନି ଯେଉଁ ସମସ୍ୟା ଅଟେ ଅଳ୍ପ ସମୟ ପାଇଁ ଥିଲା ଓ ଯାହା ସହଜରେ ଆଡେଇ ଦିଆ ଯାଇପାରିଥାନ୍ତା, ମୁଁ କାହିଁକି ଧର୍ଯ୍ୟଧରି ରହି ପାରିଲି ନାହିଁ । ଏବେ ଜାଣି ପାରୁଛି ବିପରୀତ ପରିସ୍ଥିତିରେ, ଯେତିକି ସମ୍ଭବ ଛୋଟ ଛୋଟ ଘଟଣାରେ ବିବ୍ରତ ନ ହୋଇ ସ୍ଥିର ରହିବା ହିଁ ଜୀବନର ମନ୍ତ୍ର ।
ଏତକ ପଢିବା ପରେ ଭାବିଲି ମୁଁ ଟ୍ରେନରେ ଘଟୁଥିବା ଘଟଣା ଗୁଡିକ ଅଧିକ ଗୁରୁତ୍ତ୍ଵ ଦେଇ ନିଜର କ୍ଷତି କରୁଛି । ସାମୟିକ ସମୟ ପାଇଁ ଆସୁଥିବା ଅସୁବିଧା ପରିସ୍ଥିତିରେ ବେଶୀ ବିବ୍ରତ ହେଇ ମୁଁ ନିଜର କ୍ଷତି କରୁଛି ।
ଆମେ ଯେତେବେଳେ ବିବ୍ରତ ହେଉ ଆମ ଦେହରେ Cortisol ନାମକ ଏକ ହରମୋନ କ୍ଷରଣ ହୁଏ, ଯାହା ଆମ ଶରୀରର ଅପୂରଣୀୟ କ୍ଷତି କରିଥାଏ । ଠିକ୍ ସେଇଭଳି ଆମେ ଯେତେବେଳେ ଖୁସି ହେଉ ଆମ ଦେହରେ Dopamine ନାମକ ହରମୋନ କ୍ଷରଣ ହୁଏ, ଯାହା ଆମ ଶରୀରକୁ ସୁସ୍ଥ ରହିବାରେ ସହାୟକ ହେଇଥାଏ ।
ଏ ଭିତରେ ଟ୍ରେନ ଆଉ ଗୋଟେ ଷ୍ଟେସନ ରେ ଅଟକିଲା ମୁଁ ଅଭ୍ୟାସ ବଶତଃ ତଳୁ ଯାଇ ବୁଲି ଆସିଲି, ଆସିଲା ବେଳକୁ ରେଳ କର୍ମଚାରୀ ଜଣକ ମୋ ଜାଗାରେ ଆଉ ଜଣକୁ ବସେଇ ସାରିଛନ୍ତି । ମତେ କହିଲେ ଆପଣ ଆଗରେ ଖାଲି ଥିବା ସ୍ଥାନରେ ବସିଯାନ୍ତୁ । ଏତିକି କଥାରେ ପଛପଟୁ ଜଣେ ପାଟିକଲେ, ଏ କି କଥା ତୁ ନିଜେ ଟିକେଟ ନକରି ବସିଛୁ ପୁଣି ଆଉ ଜଣକୁ ଅନ୍ୟ ଜାଗାରେ ବସେଇଲୁଣି । ତୁ ସେ ଜାଗା ଛାଡ । କର୍ମଚାରୀ ଜଣକ କହିଲା ଆମେ ଷ୍ଟାଫ ଖାଲି ଜାଗାରେ ବସି ପାରିବୁ । ଏତିକି କଥାରେ ପାଖରେ ସମସ୍ତ ଯାତ୍ରୀ ଉଠି ସେ ଦୁଇଜଣଙ୍କୁ ସେଠୁ ଚାଲି ଯିବାକୁ ବାଧ୍ୟକଲେ ।
ଏ ଭିତରେ ମୋବାଇଲ ରେ ଭିଡିଓ ଦେଖୁଥିବା ବ୍ୟକ୍ତି ଶୋଇ ପଡ଼ିଥାନ୍ତି । ଆହୁରି ଜାଣିଲି ସେ ବଗିରେ ବସିଥିବା ଅଧିକାଂଶ ଯାତ୍ରୀ ଡାକ୍ତର, ସେମାନେ ଏକ ସମ୍ମିଳନୀ ରେ ଯୋଗ ଦେବାକୁ ବୁର୍ଲା ଯାଉଛନ୍ତି । ସେଥିରୁ ୨ଜଣ ଡାକ୍ତର କଥାବାର୍ତ୍ତା ବେଳକୁ ଏକ ପ୍ରଶ୍ନ ର ଉତ୍ତର ପାଉନଥାନ୍ତି । ସେ ପ୍ରଶ୍ନର ଉତ୍ତର ମୁଁ ଜଣେଇଦେବାରୁ ତାଙ୍କ ସହ ପରିଚୟ ହେଇଗଲା । ପଛରେ ବସିଥିବା ମହିଳା ମଧ୍ୟ ଜଣେ ଡାକ୍ତର ଥିଲେ । ସେମାନେ ସମସ୍ତେ ଆମ ସହ ଡାକ୍ତରୀ ପେଶା ସହ ଜଡିତ ଅସୁବିଧା ବିଷୟରେ ଆଲୋଚନା କଲେ । ଏତିକି ବେଳକୁ ଦୁଇଜଣ ବରିଷ୍ଠ ନାଗରିକ ଆସି ପାଖରେ ବସିଲେ । କଥାବାର୍ତ୍ତାରେ ଜଣା ପଡିଲା ସେମାନେ ମୋର ଜଣେ ପୁରୁଣା ବନ୍ଧୁଙ୍କ ପିତା ମାତା । ତାଙ୍କ କଥାବାର୍ତା ଅତ୍ୟନ୍ତ ସ୍ନେହପୁର୍ଣ୍ଣ ଥିଲା, ଅଳ୍ପ ସମୟ ମଧ୍ୟରେ ପରିବେଶ ବଦଳିଗଲା । କଳାଯାଦୁ ପ୍ରୟୋଗ କରି କାହାର କ୍ଷତି କରିବା ଚିନ୍ତା ମୋ ମନରୁ ଉଭେଇଗଲା । ଟ୍ରେନ ଯଦିଓ ବହୁ ଡେରିରେ ପହଁଚିଲା, ପରବର୍ତ୍ତିତ ପରିସ୍ଥିତିରେ ବିଳମ୍ବ ଆଉ ଜଣା ପଡୁନଥାଏ ।
ଭାବିଲି ଜୀବନ ଯାତ୍ରା ରେ ଅଳ୍ପ ସମୟ ପାଇଁ ଆସୁଥିବା ଭଲ ଓ ଖରାପ ପରିସ୍ଥିତି ରେ ସ୍ଥିର ରହିବା ହିଁ ଜୀବନର ମନ୍ତ୍ର ।
ଯଦି ଆପଣଙ୍କ ଜୀବନରେ କିଛି ବିପରୀତ ପରିସ୍ଥିତି ଆସେ ଯାହା ସହି ଯାଇ ହେବ ତେବେ ବିରକ୍ତ ନ ହେଇ ଚୁପ ରହିଯାନ୍ତୁ । ସେ ସମୟରେ ମନକୁ ଅନ୍ୟ ଆଡକୁ ନେବା ପାଇଁ Welcome ସିନେମାର ନାନା ପାଟକରଙ୍କ ‘କଂଟ୍ରୋଲ ମଜନୁ କଣ୍ଟ୍ରୋଲ’ ଦୃଶ୍ୟ କୁ ମାନେ ପକେଇ ପାରନ୍ତି, କିମ୍ବା Dopamine ଓ Cortisol ବିଷୟରେ ଭାବି ପାରନ୍ତି । ସେ ସମୟରେ ମନକୁ ଆଣିବାରଅଛି ଯେ ଯଦି ମୁଁ ପରିସ୍ଥିତର ଦାସ ହେଇଯିବି ତା ହେଲେ ମୋରହିଁ ବେଶୀ କ୍ଷତି ହେବ ଯିଏ ପରିସ୍ଥତି ପାଇଁ ଦାୟୀ ତାର ନାହଁ । ଶେଷରେ ନିମ୍ନରେ ଲେଖାଥିବା କିଛି ଶବ୍ଦ କୁ ମନ୍ତ୍ର ହିସାବରେ ନିଅ ଯାଇ ପାରେ ।
जिंदगी जीना आसान नहीं होता, आसान बनाना पड़ता है ।
कुछ सब्र कर के, कुछ बर्दाश्त कर के और
बहुत कुछ नजरअंदाज कर के ।