ସମୟର ଶଗଡରେ ବିଦାୟ ନେଇଛି ପୁରୁଣା ବର୍ଷ ୨୦୧୬ । ଶୀତ କାକରର ଫୁଲ ପାଲିଙ୍କିରେ ପାଖକୁ ଆସିଛି ନବବର୍ଷ ୨୦୧୭ । ୨୦୧୭ ଆମ ପାଇଁ କଣ ଆଣିଛି ତାହା ତ ଆମେ ଜାଣିନେ, ହେଲେ ୨୦୧୬ ଆମ ପାଇଁ ଛାଡିଯାଇଛି ଅନେକ ସ୍ମୃତିର ପାଦଚିହ୍ନ । ଯେତେବେଳେ ୨୦୧୫ ବର୍ଷଟା ବିଦାୟ ନେଇଥିଲା ସେତେବେଳେ ୨୦୧୬ ବର୍ଷଟା ଆମ ପାଇଁ ଆଣିଥିଲା ଅନେକ ସ୍ୱପ୍ନ ଆଉ ଅନେକ ସମ୍ଭାବନା । ହେଲେ କେମିତି କେଜାଣି ବର୍ଷଟା ଭିତରେ ଲୁଚି ରହିଥିଲା ଅନେକ ଦୁଃଖ ଆଉ ଅନେକ ଯନ୍ତ୍ରଣା । ଅସୂର୍ଯ୍ୟ ଉପନିବେଶ ନଗଡାର ଶିଶୁ ମଡକ ସାରା ଭାରତବର୍ଷରେ ଶୋକର ଛାୟା ଖେଳାଇ ଦେଇଥିଲା । ପ୍ରଗତିର ନାରା ପିଟୁଥିବା ସରକାର କେବେ ବି ଭାବି ନ ଥିଲେ ଯେ ଭାରତବର୍ଷରେ ଆଜି ଏପରି ଅଞ୍ଚଳମାନ ରହିଛି ଯେଉଁଠି ଲୋକମାନେ ନିଜର ମୌଳିକ ଅଧିକାରକୁ ମଧ୍ୟ ଉପଭୋଗ କରିବାର ସୁଯୋଗ ଏ ପର୍ଯ୍ୟନ୍ତ ପାଇ ପାରିନାହାଁନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସେବା ଲୋକମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ଅନ୍ଧବିଶ୍ୱାସର ସାହାରା ହୋଇ ଲୋକମାନେ ଯନ୍ତ୍ରଣା ଜର୍ଜରିତ ଜୀବନ ବିତାଉଛନ୍ତି । ପ୍ରତିମୁହୂର୍ତ୍ତରେ ଏମିତି ସରକାରଙ୍କର ଅନେକ ଯୋଜନାମାନ ଗଢାହୁଏ । ବିଧାନସଭାରେ ତୁମ୍ବି ତୋଫାନ ହୁଏ । ଖବର କାଗଜ ତଥା ଇଲେକ୍ଟ୍ରୋନିକ ମିଡିଆମାନଙ୍କରେ ନେତା ଓ ମନ୍ତ୍ରୀମାନେ ଅନେକ ପ୍ରତିଶୃତିର ଫମ୍ପା ତଥା ଅର୍ଥହୀନ ମତ ଏବଂ ମନ୍ତବ୍ୟମାନ ଦିଅନ୍ତି । ଯାହାକୁ ନେଇ ଲୋକମାନେ ଅନେକ ସ୍ୱପ୍ନ ଦେଖନ୍ତି ତଥା ଅନେକ ସମ୍ଭାବନା ଓ ପରିବର୍ତ୍ତନକୁ ଆଶାକରନ୍ତି ହେଲେ ବଦଳି ପାରେନା ଲୋକଙ୍କର ଦୁଃଖ ଓ ଯନ୍ତ୍ରଣାର ଚିତ୍ର । ବଦଳି ପାରେନା ସେମାନଙ୍କର ଅର୍ଥନୀତିର ଭୂଗୋଳ । ସମୟର ପହଣ୍ଡିରେ ଚେନାଏ ପରିବର୍ତ୍ତନ ବି ଆସେନା ସେମାନଙ୍କ ଜୀବନରେ । କେବିକେ ଅଞ୍ଚଳର ଲୋକମାନଙ୍କର ସମସ୍ୟା ସୀମାହୀନ ଏବଂ ଅଣଦେଖା । ଆଗକୁ ନୂଆବର୍ଷ ଆଣୁଛି ନିର୍ବାଚନୀ ଇସ୍ତାହାର । ତେବେ ଅସୂର୍ଯ୍ୟ ଉପନିବେଶ ତଥା କେବିକେ ଇଲାକାର ଲୋକମାନଙ୍କୁ ଚକମା ଦେଖାଇ ବ୍ଲାକମେଲ୍ କରିବା ପାଇଁ ଏବେଠାରୁ ବୋଧେ ସରକାରଙ୍କର ରିହର୍ସେଲ ଆରମ୍ଭ ହୋଇଗଲାଣି । ସେହିପରି ଜାପାନୀ ଜ୍ୱର ତାତିରେ ଟକ୍ ମକ୍ ହୋଇ ଫୁଟିଛି ପୁରୁଣା ବର୍ଷର ଛାତି । ଦୁଇ ଅଞ୍ଚଳକୁ ଯିବା ପାଇଁ ସରକାରୀ ଅଧିକାରୀମାନେ ଯେତିକି କୁଣ୍ଠାବୋଧ କରୁଛନ୍ତି ନିଜ ଜୀବନକୁ ନେଇ ସେତିକି ମଧ୍ୟ ଭୟ କରୁଛନ୍ତି । ଆଉ ଗାନ୍ଧୀ ଗୋପବନ୍ଧୁ ନାହାଁନ୍ତି ଯେ ନିଜ ଜୀବନକୁ ବିପନ୍ନକରି ପର ଦୁଃଖରେ ସାମିଲ ହୋଇ ମାନବର ସେବା ହିଁ ମାଧବର ସେବା ପଦକୁ ମନେ ପକାଇବେ । ସେବା ତ ଦୂରକଥା ଜାପାନୀ ଜ୍ୱର ବିଷୟରେ ବିଧାନସଭାରେ ଆଲୋଚନା କରିବା ପାଇଁ ମଧ୍ୟ ସରକାର ପ୍ରଶୟ ଦେଉନାହାଁନ୍ତି । ତେଣୁ ପୁରୁଣା ବର୍ଷଟା ଜାପାନୀ ଜ୍ୱରରେ ଛଟପଟ ହୋଇଛି ।
ଏବେ ଆସନ୍ତୁ ନଜର ପକାଇବା ପୁରୁଣା ବର୍ଷର କେତେକ ଲୋମହର୍ଷକ ତଥା ଦୁଃଖଦ ଘଟଣାବଳୀ ଉପରେ । ଦାନ ମାଝିର ନିଜ କାନ୍ଧରେ ନିଜ ସ୍ତ୍ରୀର ଶବକୁ ଘରକୁ ନେବା ଘଟଣା କେବଳ ଭାରତବର୍ଷ ନୁହେଁ ସାରା ବିଶ୍ୱରେ ଖୁବ୍ ଚର୍ଚ୍ଚା ହୋଇଛି । ରାଜ୍ୟରେ ଗରୀବ ଲୋକମାନେ କିପରି ସରକାରୀ ସୁବିଧା ଓ ସୁଯୋଗରୁ ବଞ୍ଚିତ ହେଉଛନ୍ତି ଏବଂ ଗରୀବ ଲୋକମାନଙ୍କୁ ସରକାର କର୍ମଚାରୀମାନେ କିପରି ହତାଦର କରୁଛନ୍ତି ତାହାର ଏକ ସ୍ପଷ୍ଟଚିତ୍ର ଆଙ୍କି ପାରିଛି ଦାନ ମାଝି । ତେବେ ପୁରୁଣା ବର୍ଷର ସ୍ମୃତିକୁ ଅବଲୋକନ କରି ସରକାର ଅନେକ କିଛି ଶିଖନ୍ତୁ ଏବଂ ଭବିଷ୍ୟତରେ ଦାନମାଝିର ଚିତ୍ର ଯେପରି ସମୟର କ୍ୟାନଭାସରେ ଆଙ୍କି ହୋଇ ନ ଯାଉ । ଭାରତବର୍ଷରେ ଧନୀ, ଗରୀବ, ପାଠୁଆ, ଅପାଠୁଆ, ଝିଅ, ପୁଅ, ପୁରୁଷ, ସ୍ତ୍ରୀ ସମସ୍ତେ ସମାନ ଅଧିକାର ପାଇବା ଉଚିତ । ତେଣୁ ସମ୍ବିଧାନର ନିୟମକୁ ଅବମାନନା କରି ପାର୍ଥକ୍ୟର ପାଚେରୀ ଛିଡା କରାଇ ଲୋକମାନଙ୍କୁ ସେବା ଯୋଗାଇବା ଖାଲି ଏକ ଧର୍ତ୍ତବ୍ୟ ଅପରାଧ ନୁହେଁ ବରଂ ଏକ ମହାପାପ ଅଟେ । ନୂତନ ବର୍ଷର ସୂର୍ଯ୍ୟର ଆଲୋକିତ ଆଭାରେ ପୋଛି ହୋଇଯାଉ ଏ ମହାପାପ । ନୂତନ ଚେତନା ଏବଂ ଆଦର୍ଶରେ ଉଦ୍ବୁଦ୍ଧ ହୋଇଉଠୁ ସବୁରି ପ୍ରାଣ ଆଉ ହୃଦୟ । ସେହିପରି ସମ୍ ହସପିଟାଲରେ ଆକଷ୍ମିକ ଅଗ୍ନିକାଣ୍ଡ, ଗୁମୁଡୁମୁହାରେ ଅଚାନକ ଗୁଳିବର୍ଷଣରେ ନିରୀହ ଜନତାଙ୍କର ପ୍ରାଣହାନି ବିଭିନ୍ନ ସ୍ଥାନରେ ଯାନବାହନ ଦୁର୍ଘଟଣାରେ ଜନସାଧାରଣଙ୍କର ଅକାଳ ବିୟୋଗରେ ବିଳପି ଉଠିଛି ଓଡିଶାର ପ୍ରାଣ ଓ ଥରିଉଠିଛି ଓଡିଶାବାସୀଙ୍କ ଛାତି । ପୁରୁଣାବର୍ଷର ଏହି ଦୁଃଖଦ ସ୍ମୃତି ଏବେ ବି ମନେପଡିଲେ ଆଖିରୁ ଝରିଯାଏ ଲୁହ । ହୃଦୟରେ ଉଠେ କୋହ, ହେଲେ ଅପେକ୍ଷା କରେନା ସମୟର ସୁଅ ।
ଷୋହଳରେ ହିଁ ଓଡିଶାକୁ ଲାଗିଥିଲା ଗୋଟିଏ ବଡ ଧକ୍କା । ଯେତେବେଳେ ଓଡିଶାବାସୀ ଅବଗତ ହେଲେ ଯେ ମହାନଦୀର ପାଣିକୁ ଅଟଳାଇବା ପାଇଁ ଛତିଶଗଡ ଏକ ବୃହତ୍ତ ଯୋଜନା ଆରମ୍ଭକରିିଛି । ଜନ୍ମନେଲା ମହା ବିବାଦ ଆରମ୍ଭ ହେଲା ମହା ଲଢେଇ । ଦିଲ୍ଲୀରେ ବସିଲା ସଭା, ବିଧାନସଭା ଉଠିଲା ପଡିଲା । ପ୍ରତିବାଦର ସ୍ୱରକୁ ତୀବ୍ରକରି ମହାସଂଗ୍ରାମ ରଚି ରାଜରାସ୍ତାକୁ ଓହ୍ଲାଇଲେ ରାଜ୍ୟବାସୀ । ଓଡିଶାର କୋଣେ ଅନୁକୋଣେ ସୃଷ୍ଟିହେଲା ମହାନଦୀକୁ ବଞ୍ଚାଇବାର ମହାବିପ୍ଲବ । ପୁରୁଣାବର୍ଷ ବିଦାୟ ନେଲା ସିନା ଆଜି ପର୍ଯ୍ୟନ୍ତ ସଫଳତା ମିଳିପାରିଲାନି ଓଡିଶାବାସୀଙ୍କୁ । ମହାନଦୀର ପାଣି ଯେ ଦିନେ ଶୁଷ୍କ ହୋଇଯିବ । ତା ଛାତିର ସେହି ପଳ ପଳ ଅମୃତ ଯେ ଓଡିଶାବାସୀ ଆଉ ପାଇବେ ନାହିଁ ତାହା ଆଜି ବିଷାଦଗ୍ରସ୍ତ କରିପକାଇଛି ଓଡିଶାବାସୀଙ୍କୁ । ତେବେ ଏହି ନବବର୍ଷର ନବ ଅବସରରେ ଓଡିଶା ସରକାର କିଛି ଏକ ନୂତନ ବିକଳ୍ପ ଚିନ୍ତାକରନ୍ତୁ । କେନ୍ଦ୍ର ସରକାରଙ୍କ ସହିତ ନୂତନ ବିଚାର ବିମର୍ଷ କରି ମହାନଦୀର ଜଳକୁ ଓଡିଶା ମୁଖୀ ଚିରସ୍ରୋତା କରିବା ପାଇଁ ଅଭିନବ ପନ୍ଥା ନିର୍ଦ୍ଧାରଣ କରନ୍ତୁ । ମହାନଦୀ ହିଁ ଓଡିଶାର ଜୀବନଧାରା । ମହାନଦୀ ଶୁଷ୍କ ହୋଇଗଲେ ଓଡିଶାବାସୀଙ୍କର ଜୀବନ ବିପନ୍ନ ହୋଇଉଠିବ ତଥା ଓଡିଶାର ପ୍ରଗତୀ ଓ ସମୃଦ୍ଧିରେ ବାଧା ଓ ପ୍ରତିବନ୍ଧକ ମାନ ସୃଷ୍ଟି ହେବ । ତେଣୁ ଏହି ନବବର୍ଷରେ ମହାନଦୀକୁ ବଞ୍ଚାଇବା ପାଇଁ ଆମେ ସମଗ୍ର ଓଡିଶାବାସୀ ଏକ ମନ ଓ ଏକ ହୃଦୟ ନେଇ ଦୃଢ ସଂକଳ୍ପ ହେବା । ପୁରୁଣା ବର୍ଷର ଦୁଃଖ ଯନ୍ତ୍ରଣା, ମାନ, ଅଭିମାନ ତଥା ରାଗରୁଷାକୁ ଭୁଲି ଆମ୍ଭେମାନେ ଏବେ ଆରମ୍ଭ କରିବା ନୂଆ ଅଭିଯାନ, ନୂଆ ଯୋଜନା, ନୂଆ ଆଲୋଚନା କେବଳ ମହାନଦୀର ଜଳଟିକେ ପାଇବା ପାଇଁ । ପୁରୁଣାବର୍ଷର ସବୁଠାରୁ ଚର୍ଚ୍ଚିତ ବିଷୟ ହେଉଛି ବିମୁଦ୍ରାୟନ । ନଭେମ୍ବର ମାସ ଆଠ ତାରିଖଠାରୁ ଆଜି ପର୍ଯ୍ୟନ୍ତ ସୃଷ୍ଟିହୋଇଛି ମୁଦ୍ରା ସମସ୍ୟା । କଳାଧନର ଉଦ୍ଧାର ପାଇଁ ସରକାରଙ୍କର ପ୍ରାୟୋଜିତ ଯୋଜନା ବିମୁଦ୍ରୀକରଣ ମଧ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ଭାରତୀୟମାନଙ୍କର ଦୈନନ୍ଦିନ ଜୀବନ । ୧୦୦୦ ଟଙ୍କା ଓ ୫୦୦ ଟଙ୍କା ଅଚଳ ହେବାର ଘୋଷଣା ପରେ ପରେ ଚଳଚଞ୍ଚଳ ହୋଇଉଠିଥିଲା ବ୍ୟାଙ୍କ, ଡାକଘର ମାନ । ଭାଙ୍ଗିପଡିଥିଲା କୋଟି କୋଟି ଟଙ୍କାର କଳାପାହାଡ । ହେଲେ ଖୁବ୍ ହନ୍ତସନ୍ତ ହେଲେ ଗରୀବ, ଖଟିଖିଆ, ଦାଦନ ତଥା କ୍ଷୁଦ୍ର ବ୍ୟବସାୟୀମାନେ । ଖୁଚୁରାକୁ ନେଇ ଠପ୍ ହୋଇଯାଇଥିଲା ଜୀବନ ଯାତ୍ରା । ତେବେ ଏହି ଆର୍ଥିକ ସଂସ୍କାରର ସୁଫଳ କ’ଣ, କେତେ କଳାଧନ ଉଦ୍ଧାର ହେଲା ତାହା ଏ ପର୍ଯ୍ୟନ୍ତ ଦେଶବାସୀଙ୍କ ଜ୍ଞାତ ହୋଇନାହିଁ । ଡିସେମ୍ବର ମାସ ୩୧ ତାରିଖ ଗତ ହେବା ସହିତ ପ୍ରଧାନମନ୍ତ୍ରୀ ମହୋଦୟଙ୍କର ୫୦ ଦିନର ପ୍ରତିଶୃତି ମଧ୍ୟ ଅନ୍ତ ହୋଇଛି । ଏବେ ଅନେକ ପ୍ରଶ୍ନକୁ ନେଇ ଦେଶବାସୀ ଅପେକ୍ଷାକରିଛନ୍ତି ସମୟକୁ ତେବେ ଆଶା ଓ ବିଶ୍ୱାସ ନୂଆବର୍ଷଟି ନିଶ୍ଚୟ ସକରାତ୍ମକ ଉତ୍ତର ପ୍ରଦାନ କରିବ ଭାରତବର୍ଷକୁ ।
ଷୋହଳର ସେହି ଗର୍ବିତ ଅଧ୍ୟାୟ “ସର୍ଜିକାଲ୍ ଷ୍ଟ୍ରାଇକ୍ ଭାରତବାସୀଙ୍କ ପାଇଁ ଏକ ନୂଆ ଇତିହାସ ସୃଷ୍ଟିକରିଛି । ପାକିସ୍ଥାନ ଆତଙ୍କବାଦୀଙ୍କୁ ନିହତ କରିବା ସହିତ ପାକିସ୍ଥାନୀ ସେନାକୁ ମଧ୍ୟ କଡା ଜବାବ ଦେଇ ଭାରତବର୍ଷ ସାରାବିଶ୍ୱରେ ବିସ୍ମୟ ସୃଷ୍ଟିକରିପାରିଛି । ତେବେ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ନେଇ ଭାରତୀୟ ସେନାବାହିନୀକୁ ରାଜନୈତିକ ଦଳ ସନ୍ଦେହ ଚକ୍ଷୁରେ ଦେଖିଥିବା ବେଳେ ବିଭିନ୍ନ ମହଲରେ ଏହି ସନ୍ଦେହ ତଥା ଅବିଶ୍ୱାସକୁ ନିନ୍ଦା କରାଯାଇଛି । ଭାରତୀୟ ଯବାନମାନେ ନିଜ ଜୀବନକୁ ବିପନ୍ନକରି ଦେଶକୁ ସୁରକ୍ଷା ଯୋଗାଉଛନ୍ତି । ହେଲେ ପ୍ରତିବର୍ଷ ଅନେକ ଯବାନ ଜୀବନକୁ ବଳିଦେଇ ସହୀଦ୍ ହେଉଛନ୍ତି । ସହୀଦ୍ ପରିବାର ଯେତେ ପ୍ରକାର ସରକାରୀ ଅନୁଦାନ ସାହାଯ୍ୟ ପାଇଲେ ମଧ୍ୟ ନିଜର ଆତ୍ମୀୟମାନଙ୍କୁ ସାରା ଜୀବନରୁ ଝୁରି ହେଉଛନ୍ତି । ତେଣୁ ଯବାନମାନଙ୍କୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତଥା ଉଚ୍ଚଶକ୍ତି ସଂପନ୍ନ ଟର୍ଚ୍ଚ, ଫୋନ୍ ଏବଂ ରାଡାର୍ ସେବା କିପରି ଯୋଗାଇ ହେବ ସେ ବିଷୟ ପ୍ରତି ଏହି ନୂତନ ବର୍ଷରେ ସରକାର ନିଶ୍ଚୟ ପଦକ୍ଷେପ ନେବେ । ଯବାନ ବଞ୍ଚିଲେ ଦେଶବାସୀଙ୍କ ଜୀବନ ସୁରକ୍ଷିତ ରହିବ । ତା ଛଡା ଯବାନମାନଙ୍କର ପରିବାରବର୍ଗ କିପରି ଦୁଃଖ ଓ ବିଷାଦ ନ ହୋଇ ଶାନ୍ତି ତଥା ଆନନ୍ଦରେ ଜୀବନ ନିର୍ବାହ କରିପାରିବେ ସେ ଦିଗରେ ସରକାର, ସମାଜ ତଥା ବୁଦ୍ଧିଜୀବିମାନେ ଚିନ୍ତାକରିବା ଖୁବ୍ ଜରୁରୀ ।
‘ଜୟ ଯବାନ ଜୟ କିଷାନ’ ର ସ୍ଲୋଗାନ ମଧ୍ୟରେ ଭାରତବର୍ଷର ଆଦର୍ଶ ତଥା ଆଭିମୁଖ୍ୟ ନିହିତ । ଜଣେ ଦେଶବାସୀଙ୍କୁ ସୁରକ୍ଷା ଦେଉଥିବା ବେଳେ ଆଉ ଜଣେ ଦେଶବାସୀଙ୍କୁ ଖାଦ୍ୟ ଯୋଗାଉଛି । ଭାରତବର୍ଷ ଏକ କୃଷିପ୍ରଧାନ ଦେଶ । କୃଷି ଓ କୃଷକ ଦେଶର ମେରୁଦଣ୍ଡ । କୃଷକମାନଙ୍କର ସମସ୍ୟା ପ୍ରତି ଗଭୀର ଦୃଷ୍ଟିଦେବା ସରକାରଙ୍କର ମୁଖ୍ୟ କର୍ତ୍ତବ୍ୟ । ହେଲେ ଓଡିଶା ସରକାର ବିଗତ ଦିନରେ ଭୁବନେଶ୍ୱର ତଥା ସାକ୍ଷୀଗୋପାଳଠାରେ ଚାଷୀମାନଙ୍କ ଉପରେ ଯେପରି ପୋଲିସ୍ ଲଗାଇ ଗୁଣ୍ଡାରାଜ୍ ଚଳାଇଲେ ତାହା ଘୋର ଲଜ୍ଜ୍ୟାର ବିଷୟ । ଯେଉଁ ଦେଶରେ ନିଜର ସମସ୍ୟା ଜଣାଇବାକୁ ଯାଇ ଚାଷୀମାନେ ପୋଲିସ୍ ଲାଠିମାଡରେ ଲହୁ ଲୁହାଣ ହୁଅନ୍ତି ସେ ଦେଶରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ସବୁ ସୁଦୂର ପରାହତ ହୋଇପଡେ । ତେବେ ଆସନ୍ତା ବର୍ଷରେ ନବୀନ ସରକାର ଚାଷୀମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ସମାଧାନର ଉଚିତ ପନ୍ଥା ନିର୍ଦ୍ଧାରଣ କରିବେ ବୋଲି ଆଶା ଓ ବିଶ୍ୱାସ ।
ପୁରୁଣା ବର୍ଷର ଶେଷ ସମୟ ଆଡକୁ ପଞ୍ଚାୟତ ନିର୍ବାଚନ ଅବହାୱା ସରଗରମ ହୋଇଉଠୁଥିବା ବେଳେ ମେୟରଙ୍କର ସେକ୍ସ ସିଡି ସ୍କାଣ୍ଡାଲ୍ ରାଜନୀତିର ପଶାପାଲିରେ ଗୋଟି ହୋଇପଡୁଛି । ତେବେ କିଛି ମାସତଳେ ସରକାର ଦଳର କର୍ମୀ ପପୁ ପମ୍ ପମ୍ କାଷ୍ଟିଂ କାଉଚରେ ଫସି ଜେଲ୍ ଜୀବନ ବିତାଇଥିବା ବେଳେ ଚର୍ଚ୍ଚିତ ସେକ୍ସ ସିଡି ସ୍କାଣ୍ଡାଲ୍ ନିର୍ବାଚନ ଉପରେ ଗଭୀର ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସେହିପରି ବିଦେଶରେ ପୁଞ୍ଜିପତି ମହିମାନନ୍ଦ ମିଶ୍ର ଗିରଫ ଆଇନ ଓ କାନୁନର ନିରପେକ୍ଷତା ତଥା ଦୃଢତାକୁ ଲୋକଲୋଚନକୁ ଆଣିପାରିଛି ।
ଅନେକ ଘଟଣା ତଥା ଦୁର୍ଘଟଣାକୁ ନେଇ ବିଦାୟ ନେଇଛି ଆମଠାରୁ ପୁରୁଣା ବର୍ଷ ୨୦୧୬ । ସଫଳତା ଅପେକ୍ଷା ଅନେକ ବିଫଳତାକୁ ସାମନାକରି ଅତୀତ । ତେବେ ବିଫଳତାକୁ ମନେ ପକାଇ ସଫଳତା ଆଡକୁ ପାଦ କାଢିବା ହିଁ କେବଳ ବୁଦ୍ଧିମାନର କାମ । ତେଣୁ ସଫଳତାର ଚର୍ଚ୍ଚା ଅପେକ୍ଷା ବିଫଳତାର ସ୍ମୃତିରେ ହିଁ ଗତିକରୁଛି ଏ ନବବର୍ଷର ଅନୁଚିନ୍ତା । ତେବେ ନବବର୍ଷ ୨୦୧୭ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ । ସୁଖ, ସମୃଦ୍ଧି ଆଣୁ । ପ୍ରତ୍ୟେକ ଭାରତୀୟର ଚିନ୍ତା ଓ ଚେତନାରେ ସଂସ୍କାର ଆଣି ଏକ ନୂତନ ଦେଶ ଓ ସମାଜର ଗଠନ ପାଇଁ ଏ ନବବର୍ଷ ନୂତନ ଉତ୍ସାହ ଓ ନୂତନ ପ୍ରେରଣା ଆଣିଦେଉ । ସମଗ୍ର ଦେଶବାସୀଙ୍କ ପାଇଁ ଲେଖକଙ୍କର ଏ ନବବର୍ଷରେ ଏତିକି ଶୁଭକାମନା । “ଭାରତ ମାତା କି ଜୟ” ।