ଆଧୁନିକ ଓଡିଆଭାଷା ଓ ସାହିତ୍ୟର ପ୍ରାତଃସ୍ମରଣୀୟ ସାଧକଙ୍କ ମଧ୍ୟରେ ବ୍ୟାସକବି ଫକୀରମୋହନ ସେନାପତି ହେଉଛନ୍ତି ଅଗ୍ରଗଣ୍ୟ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାଗ୍ୟବିଧାତା ସାଜି ସେ ଉଭା ହୋଇଥିଲେ । ଫକୀରମୋହନଙ୍କ ସାଧନା ଓ ସଂଘର୍ଷ ଯୋଗୁଁ ଓଡିଆଭାଷା ଓ ସାହିତ୍ୟର ନବଜନ୍ମ ହୋଇପାରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡିଆ ଜାତୀୟତାବୋଧର ଅଗ୍ରଣୀ ମହାନାୟକଙ୍କ ମଧ୍ୟରେ ଫକୀରମୋହନ ଥିଲେ ଅନ୍ୟତମ । ସେ ହିଁ ଥିଲେ ଆଧୁନିକ ଓଡିଆ ସାହିତ୍ୟର ସଂକ୍ରାନ୍ତି ପୁରୁଷ, ଯେ କି ସାହିତ୍ୟରେ କ୍ରାନ୍ତି ଆଣିଛନ୍ତି । ସେ ସୃଷ୍ଟି କରିଯାଇଛନ୍ତି ଓଡିଆ ସାହିତ୍ୟର ଅନେକ ଅମୂଲ୍ୟ ସଂପଦ, ଚିର ସବୁର କୃତି । ‘ଛମାଣ ଆଠଗୁଣ୍ଠ’ ଭଳି ଉପନ୍ୟାସ ଓ ‘ରେବତୀ’ ଭଳି ଗଳ୍ପ କେବଳ ଭାରତୀୟ ସାହିତ୍ୟ କାହିଁକି ବିଶ୍ଵ ସାହିତ୍ୟର ଗୋଟିଏ ଗୋଟିଏ ଅବିସ୍ମରଣୀୟ କୃତି । ଓଡିଆ ଭାଷା ସାହିତ୍ୟର ଉନ୍ନତି ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ନିଃସ୍ୱାର୍ଥପର ଭାବେ କାମ କରିଚାଲିଥିଲେ ଏହି ସ୍ଵାଭିମାନୀ ବାଲେଶ୍ଵର ମାଟିର ଯୋଗ୍ୟ ପୁତ୍ର । ୧୮୪୩ ମସିହାରେ ପବିତ୍ର ମକର ସଂକ୍ରାତିରେ ବାଲେଶ୍ଵର ଜିଲା ମଲ୍ଲିକାଶପୁରରେ ଭୂମିଷ୍ଠ ହୋଇଥିଲେ ଯୁଗଜନ୍ମା ତଥା ଆଧୁନିକ ଓଡିଆ ସାହିତ୍ୟର ଏହି କିମ୍ବଦନ୍ତୀ ପୁରୁଷ। ସେତେବେଳେ ଓଡ଼ିଶା ଥିଲା ଖଣ୍ଡବିଖଣ୍ଡିତ । ବେଙ୍ଗଲ ପ୍ରେସିଡେନ୍ସୀ, ବିହାର ପ୍ରେସିଡେନ୍ସୀ ଓ ସେଣ୍ଟ୍ରାଲ ପ୍ରେସିଡେନ୍ସୀ ଅଧୀନରେ ବାଣ୍ଟି ହୋଇଯାଇଥିଲା ବିଭିନ୍ନ ଅଞ୍ଚଳ। ମୋଗଲ, ମରହଟ୍ଟାଙ୍କ ପରେ ଶେଷରେ ବ୍ରିଟିଶ ଶାସନାଧୀନ ହୋଇ ଓଡ଼ିଶା ହରାଇଥିଲା ସ୍ଵତନ୍ତ୍ରତା । ବ୍ରିଟିଶ ଶାସକଙ୍କ ସ୍ୱେଚାରୀ ଶାସନ ସାଙ୍ଗକୁ ଓଡିଆଭାଷାର ବିଲୋପ ପାଇଁ କୁଚକ୍ରୀ ବଙ୍ଗାଳୀମାନଙ୍କ ଅନବରତ ଉଦ୍ୟମରେ ଅତିଷ୍ଠ ହୋଇପଡିଥିଲା ସେତେବେଳର ଓଡ଼ିଶା । ଭୁଶୁଡ଼ି ପଡ଼ିଥିଲା ଓଡ଼ିଆଙ୍କ ଅର୍ଥନୈତିକ ମେରୁଦଣ୍ଡ । ଖ୍ରୀଷ୍ଟୀୟ ମିଶନାରୀ ଓ ବଙ୍ଗୀୟମାନଙ୍କ ପ୍ରଭାବ ଓଡିଆସମାଜକୁ ଗ୍ରାସ କରିବାକୁ ବସିଥିଲା । ଇଂଲିଶ ଓ ବଙ୍ଗଳା ଭାଷାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ଉଦ୍ୟମର ପରିଣାମ ସ୍ଵରୂପ ଲୁପ୍ତ ପ୍ରାୟ ଅବସ୍ଥାକୁ ଆସିଯାଇଥିଲା ଓଡିଆଭାଷା । ସର୍ବୋପରି ଓଡିଆଭାଷା ଓ ସଂସ୍କୃତି ପ୍ରତି ସୃଷ୍ଟି ହୋଇଥିଲା ଗଭୀର ସଂକଟ । ଏଭଳି ଦୁଃସ୍ଥିତିରେ ଜନ୍ମ ନେଇଥିଲେ ଫକୀରମୋହନ । ଆଦ୍ୟ ଶୈଶବରୁ ହିଁ ମାତାପିତାଙ୍କୁ ହରାଇ ବସିଥିଲେ ଫକୀରମୋହନ । ଜେଜେମା ନେଇଥିଲେ ରୁଗ୍ଣ ଶିଶୁର ଦାୟିତ୍ଵ । କିଛି ଅଜଣା ରୋଗରେ ଆକ୍ରାନ୍ତ ଶିଶୁର ଦୀର୍ଘଜୀବନ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଜେଜେମା ଆଶା ଛାଡି ନ ଥିଲେ । ପୀରବାବାଙ୍କ ଶରଣାପନ୍ତ ହୋଇ ନିଜ ନାତିଙ୍କ ଆରୋଗ୍ୟ କାମନା କରିଥିଲେ । ଚମତ୍କାର ହେଲା ! ଆରୋଗ୍ୟ ଲାଭକଲେ ଶିଶୁ ବ୍ରଜମୋହନ (ଫକୀରମୋହନଙ୍କ ପ୍ରଥମ ନାମ) । ପୀରବାବାଙ୍କ କୃପାରୁ ଆରୋଗ୍ୟ ହୋଇଥିବାରୁ ବ୍ରଜମୋହନଙ୍କ ନାମ ବଦଳାଇ ରଖାଯାଇଥିଲା ଫକାରମୋହନ। ଆର୍ଥିକ ଦୁଃସ୍ଥିତି ଯୋଗୁଁ ଫକୀରମୋହନଙ୍କ ଆନୁଷ୍ଠାନିକ ଶିକ୍ଷା ବେଶି ଆଗେଇପାରି ନ ଥିଲା । କିନ୍ତୁ ତାଙ୍କ ଉପରେ ଥିଲା ବୀଣାପାଣିଙ୍କ ପ୍ରଚଣ୍ଡ ଆଶୀର୍ବାଦ । ଆନୁଷ୍ଠାନିକ ଶିକ୍ଷା ଶେଷ କରିପାରି ନ ଥିଲେ ମଧ୍ୟ ଦୃଢ଼ମନା ଫକୀରମୋହନ ନିଜ ଉଦ୍ୟମ ବଳରେ ପାର୍ସି, ଉର୍ଦୁ, ବଙ୍ଗାଳୀ ଓ ଇଂଲିଶ ଭାଷାରେ ବେଶ୍ ଦକ୍ଷ ହୋଇପାରିଥିଲେ। ଆଉ ଏଥିପାଇଁ ତ ସେ ବିଭିନ୍ନ ଗଡ଼ଜାତ ଅଞ୍ଚଳରେ ସ୍କୁଲ ଶିକ୍ଷକ, କିରାଣି, ଉପଦେଷ୍ଟା, ଦିୱାନ ଭଳି ପେସାଦାର କାର୍ଯ୍ୟ ବେଶ୍ ସୂଚାରୁ ରୂପେ ତୁଲାଇ ପାରିଥିଲେ । ପ୍ରଶାସକ ଭାବେ ସେ ତତ୍କାଳୀନ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଦେଖିଥିଲେ ଓଡ଼ିଆଙ୍କ ଦୁର୍ଦଶା, ଓଡିଆଭାଷା ବିଲୋପ କରିବାକୁ ସମ୍ଭ୍ରାନ୍ତ ଓ ଉଚ୍ଚ ଶିକ୍ଷିତ ବଙ୍ଗାଳୀଙ୍କ ଚକ୍ରାନ୍ତ । ସେ ପୁଣି ଦେଖିଥିଲେ ଭୟାବହ ନଅଙ୍କ ଦୁର୍ଭିକ୍ଷର ପରିଣାମ । ଏଭଳି ଏକ ଜଟିଳ ସମୟ ଦେଇ ଗତି କରୁଥିଲା ଓଡ଼ିଶା । ଆଉ ଏଭଳି ସମୟରେ ହିଁ ସୁଦକ୍ଷ ଓଡିଆଙ୍କ ମଧ୍ୟରେ ଜାତୀୟତାବୋଧର ଉଦ୍ରେକ ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ଶିକ୍ଷକତା କରୁଥିଲା ବେଳେ ହିଁ ଏ ଦିଗରେ ବ୍ରତୀ ହୋଇଥିଲେ ଫକୀରମୋହନ। ବାରବାଟୀ ସ୍କୁଲରେ ଶିକ୍ଷକ ଥିଲା ବେଳେ ପ୍ରଥମେ ସ୍କୁଲ ପାଠ୍ୟପୁସ୍ତକକୁ ସେ ଓଡିଆଭାଷାରେ ରଚନା କରିବା ଆରମ୍ଭ କରିଥିଲେ । ବଙ୍ଗାଳୀମାନଙ୍କ ପ୍ରତିରୋଧ ସତ୍ତ୍ଵେ ଜନ୍ ବିମ୍ସଙ୍କ ଭଳି ଉଦାରବାଦୀ ଓଡ଼ିଆ ପ୍ରେମୀ ପ୍ରଶାସନିକ ଅଧିକାରୀଙ୍କ ସମର୍ଥନ ଫକୀର ମୋହନଙ୍କୁ ପ୍ରେରଣା ଯୋଗାଇଥିଲା । ବାଲେଶ୍ଵର ବାରବାଟୀ ସ୍କୁଲରେ ଶିକ୍ଷକ ଥିଲା ବେଳେ ହିଁ ଫକୀରମୋହନ ରାଧାନାଥ ରାୟ ଓ ମଧୁସୂଦନ ଦାସଙ୍କ ସଂସ୍ପର୍ଶରେ ଆସିଥିଲେ । ୧୮୬୮ରେ ରାଧାନାଥ ରାୟ ଓ ଅନ୍ୟ ପାଞ୍ଚଜଣଙ୍କ ସହ ମିଶି ସେ ଓଡିଆସାହିତ୍ୟର ବିକାଶ ଲାଗି ଏକ ସଂଗଠନ ଗଢିଥିଲେ । ତାଙ୍କ ପ୍ରୟାସରେ ବାଲେଶ୍ଵରରେ ଏକ ଛାପାଖାନା (Press) ସ୍ଥାପନ ହୋଇଥିଲା । ସେଠାରୁ ଉଦ୍ବୋଧୟନୀ ଏବଂ ବାଲେଶ୍ଵର ସମ୍ବାଦ ବାହିକା ନାମରେ ଏକ ମାସିକ ପତ୍ରିକା ପ୍ରକାଶ କରି ଭାଷା ସୁରକ୍ଷା ଅଭିଯାନରେ ନିଜର ସକ୍ରିୟ ସଂପୃକ୍ତି ଜାରି ରଖିଥିଲେ। ଫକୀରମୋହନଙ୍କ କର୍ମ ପ୍ରବଣତା, ପ୍ରଶାସନିକ ଦକ୍ଷତା ଓ ସାଧୁତା ବ୍ରିଟିଶ ପ୍ରଶାସନିକ ଅଧିକାରୀ ଜନ୍ ବିମ୍ସଙ୍କୁ ବେଶ୍ ପ୍ରଭାବିତ କରିଥିଲା । ବିମ୍ସଙ୍କ ସୁପାରିସରେ ହିଁ ଫକୀରମୋହନ ୧୮୭୧ରେ ନୀଳଗିରି ଗଡ଼ଜାତ ରାଜ୍ୟରେ ଦିଦ୍ୱାନ ଭାବେ ନିଯୁକ୍ତି ପାଇଲେ। ଏହିଠାରୁ ଆରମ୍ଭ ହେଲା ତାଙ୍କ ଦୀର୍ଘ ୨୫ ବର୍ଷର ପ୍ରଶାସନିକ କ୍ୟାରିୟର । ପ୍ରଶାସକ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳ ସେ ଗସ୍ତ କରିଥିଲେ। ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହା କି ଭବିଷ୍ୟତରେ ତାଙ୍କୁ ଅତି ଉଚ୍ଚମାନର ସାହିତ୍ୟକୃତି ସୃଷ୍ଟି କରିବାରେ ସହାୟକ ହୋଇଥିଲା। ରାମାୟଣ, ମହାଭାରତ ଓ ଉପନିଷଦକୁ ଓଡିଆଭାଷାରେ ଅନୁବାଦ କରିଥିବାରୁ ସେ ବ୍ୟାସକବି ଭାବେ ପରିଚିତ ହେଲେ । ଫକୀରମୋହନଙ୍କ ରଚନାଶୈଳୀ ଥିଲା ସ୍ଵତନ୍ତ୍ର । ରଜାପୁଅ-ରଜାଝିଅଙ୍କ ପ୍ରେମକାହାଣୀ ଭଳି ପାରମ୍ପରିକ ରଚନାଶୈଳୀରୁ ସଂପୂର୍ଣ ଦୂରେଇ ଯାଇ ସାଧାରଣ ଲୋକ ଓ ସେମାନଙ୍କ ସମସ୍ୟା, ସଂଘର୍ଷକୁ ନିଜ ରଚନାରେ ପାନ ଦେଇଥିଲେ। ଏତଦ୍ବ୍ୟତୀତ ସରଳ ଓଡିଆତଥା କଥିତ ଭାଷାର ପ୍ରୟୋଗ ଥିଲା ତାଙ୍କ ସାହିତ୍ୟକୃତିର ଅନ୍ୟତମ ବୈଶିଷ୍ୟ । ଫକୀରମୋହନଙ୍କ ଉପନ୍ୟାସ ଗୁଡିକ ବେଶ୍ ବାସ୍ତବବାଦୀ । ଚରିତ୍ର ଚିତ୍ରଣ, ସାବଳୀଳ ବର୍ଣ୍ଣନା ଓ ସର୍ବୋପରି ବକ୍ରୋକ୍ତିର ପ୍ରୟୋଗ ହିଁ ଫକୀରମୋହନଙ୍କୁ ସର୍ବକାଳୀନ ଲୋକପ୍ରିୟ ଔପନ୍ୟାସିକ ଓ କଥାକାର କରି ରଖିଛି । ତାଙ୍କର ୪ଟି ଉପନ୍ୟାସ ହେଲା ଲଛମା, ଛମାଣ ଆଠଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ୍ତ । ମରହଟ୍ଟାଙ୍କ ଓଡ଼ିଶା ଆକ୍ରମଣର ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଥିଲା ଲଛମା । ଅନ୍ୟ ତିନିଟି ଉପନ୍ୟାସରେ ତତ୍କାଳୀନ ଓଡ଼ିଶାର ସାମାଜିକ ଜୀବନ ଚିତ୍ରଣ ହୋଇଛି। କିନ୍ତୁ ଛମାଣ ଆଠଗୁଣ୍ଠ ହିଁ ବେଶ୍ ଚର୍ଚ୍ଚିତ ଓ ଲୋକପ୍ରିୟ ଉପନ୍ୟାସ ହୋଇ ରହିଛି । ଗରିବ, କୃମିହୀନ ଗାଁ ଲୋକଙ୍କ ଉପରେ ପ୍ରଭାବଶାଳୀ ଜମିଦାରଙ୍କ ଅତ୍ୟାଚାର ଓ ବ୍ରିଟିଶ ଶାସନ କାଳରେ ନୂଆ ଶୋଷକ ଗୋଷ୍ଠୀର ଅଭ୍ୟୁଦୟ ଥିଲା ଊନ୍ନବିଂଶ ଶତାବ୍ଦୀ ଓଡ଼ିଶାର ସାମାଜିକ ଲକ୍ଷଣ । ଛମାଣ ଆଠଗୁଣ୍ଠ ଓ ମାମୁ ଉପନ୍ୟାସରେ ମୁଖତଃ ଏହି ସାମାଜିକ ବିଷୟବସ୍ତୁକୁ ଉପସ୍ଥାପିତ କରିଛନ୍ତି ବ୍ୟାସକବି । ନାରୀଶିକ୍ଷାର ମହତ୍ତ୍ଵ ବୁଝି ପାରିଥିଲେ ଫକୀରମୋହନ । କିନ୍ତୁ ରକ୍ଷଣଶୀଳ ସମାଜରେ ନାରୀଶିକ୍ଷା କିପରି ଏକ ଦିବାସ୍ୱପ୍ନ, ତାହା ଅତି ମର୍ମସ୍ପର୍ଶୀ ଭାବେ ‘ରେବତୀ’ ଗଳ୍ପରେ ଉପସ୍ଥାପନ କରିଛନ୍ତି। ‘ରେବତୀ’ ଗଳ୍ପର ପ୍ରାସଙ୍ଗିକତା ଆଜି ବି ବଜାୟ ରହିଛି। ‘ରେବତୀ’ ଥିଲା ଓଡିଆଭାଷା ସାହିତ୍ୟର ପ୍ରଥମ ଗଳ୍ପ । ନିଜର ଜୀବନୀ ‘ଆତ୍ମଜୀବନୀ ଚରିତ’ ହେଉଛି ଓଡିଆ ସାହିତ୍ୟର ପ୍ରଥମ ଜୀବନୀ ପୁସ୍ତକ। କହିବାକୁ ଗଲେ ୧୮୯୬ ମସିହା ପରେ ହିଁ ଫକୀରମୋହନଙ୍କ ସାହିତ୍ୟ ଜୀବନର ଘଟଣା ବହୁଳ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଓଡିଆଭାଷା ସାହିତ୍ୟର ଉନ୍ନତି ଓ ସବୁ ଓଡ଼ିଆଭାଷା ଅଞ୍ଚଳକୁ ଏକତ୍ର କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ଆଜୀବନ ବ୍ରତୀ ହୋଇଥିଲେ ଫକୀରମୋହନ । ୧୯୧୭ରେ ଆୟୋଜିତ ଉତ୍କଳ ସମ୍ମିଳନୀ ବୈଠକରେ ସଭାପତିତ୍ଵ କରିଥିଲେ ସେ । ସେହି ବର୍ଷ ହିଁ ସେ କଟକରେ ଆୟୋଜିତ ଉତ୍କଳ ସାହିତ୍ୟ ସମାଜ ସମ୍ମିଳନୀରେ ଯୋଗଦେଇଥିଲେ । ବୌଦ୍ଧିକ ଭାବେ ଫକୀରମୋହନ ଥିଲେ ଜଣେ ଦୁଃସାହସୀ ଓ ସଂସ୍କାରକ । ପୁରସ୍କାର ବା ଖ୍ୟାତି ଲାଗି ସେ ସାହିତ୍ୟ ସାଧନା କରି ନ ଥିଲେ । ସେ ଥିଲେ ଜଣେ ବହୁମୁଖୀ ପ୍ରତିଭା ସଂପନ୍ତ ଯୁଗଜନ୍ମା ପ୍ରତିଭା, ଯିଏ କି ସର୍ବଦା ଓଡ଼ିଆମାନଙ୍କ ମଧ୍ୟରେ ଜଣେ ଯୁଗପୁରୁଷ ଭାବେ ଚିରବନ୍ଦିତ ହୋଇ ରହିବେ। ଓଡିଆଭାଷା ସଂସ୍କୃତିର ସୁରକ୍ଷା କରିବାକୁ ପ୍ରାଣପଣେ ଉଦ୍ୟମ କରିଥିବା ଏହି ସ୍ରଷ୍ଟାଙ୍କର କାଳଜୟୀ ସାହିତ୍ୟ କୃତି ଯୁଗ ଯୁଗ ଧରି ଓଡିଆ ଜାତିକୁ ପ୍ରେରଣା ଯୋଗାଇ ଚାଲିଥିବ ।
ଓଡିଆ ଜାତିର ସୁଦକ୍ଷ ସେନାପତି : ଫକୀରମୋହନ
ଆନୁଷ୍ଠାନିକ ଶିକ୍ଷା ଶେଷ କରିପାରି ନ ଥିଲେ ମଧ୍ୟ ଦୃଢ଼ମନା ଫକୀରମୋହନ ନିଜ ଉଦ୍ୟମ ବଳରେ ପାର୍ସି, ଉର୍ଦୁ, ବଙ୍ଗାଳୀ ଓ ଇଂଲିଶ ଭାଷାରେ ବେଶ୍ ଦକ୍ଷ ହୋଇପାରିଥିଲେ