ଅନୁବାଦ ସାହିତ୍ୟ

ଦେଶ ବିଭାଜନ

Desha Bibhajana : Mun Gandhi Baddha Kana Pain Karili ? an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

ଏହା କ’ଣ ରାତାରାତି ପ୍ରସ୍ତୁତ ହେଇଗଲା । ଏହା ତ ପୂର୍ବରୁ ହିଁ ପ୍ରସ୍ତୁତ ଥିଲା । କେବଳ ଉପରଠାଉରିଆ ଭାବେ କୁହାଯାଉଥିଲା,ପରସ୍ପର ମଧ୍ୟରେ ବୁଝାମଣା କରିନିଅ ଓ ଏମିତି କିଛି କାର୍ଯ୍ୟମାନକୁ ରୂପାନ୍ୱିତ କରାଯାଉଥିଲା ଯେ ନିଜ ନିଜ ମଧ୍ୟରେ କୌଣସି ନିଷ୍କର୍ଯ୍ୟ ହିଁ ନହେଇପାରୁ ।

ଦେଶ ବିଭାଜନ

-ହଂସରାଜ ରହବର (‘ଗାନ୍ଧୀ ବେନକାବ’ ପୁସ୍ତକରୁ ଉଦ୍ଧୃତ କିଛି ଅଂଶ)

ଇନ୍ଦୁଲାଲ ୟାଜ୍ଞିକ, ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ବ ଭାରତୀୟ କୃଷକ ମହାସଙ୍ଘର ପୁରୋଧା, ନିଜ ପୁସ୍ତକ ‘ଗାନ୍ଧୀଜୀଙ୍କୁ ମୁଁ ଯେପରି ଜାଣେ’ (Gandhi as I know Him) ରେ ଲେଖିଛନ୍ତି ଥରେ କାରାଗାରରେ ଥିବା ସମୟରେ ରମଜାନ ମାସ ଚାଲିଥିଲା । ଗାନ୍ଧୀଜୀ ଆମ ସାଥିଭାଇମାନଙ୍କୁ ଜୋର କରି ରୋଜା ରଖିବାକୁ କହିଲେ । ପରେ ଆମେ ପୁରୁଣା କାରାଗାରରେ ଥିବା ସମୟରେ ଇଦ ପର୍ବ ପାଳନ ତିଥି ଆସିଲା । ବଡ଼ ଆଶ୍ଚର୍ଯ୍ୟ କିନ୍ତୁ ଏହା ସତ୍ୟ ଯେ ଗାନ୍ଧୀଜୀ ଜଣେ ହିନ୍ଦୁ ହୋଇଥିବା ସତ୍ୱେ ମିଷ୍ଟର ଅଲ୍ଲୀ ଓ ଅନ୍ୟ ମୁସଲମାନ କଏଦୀଙ୍କ ସହିତ ଇଦ୍ ପାଳନ କଲେ । ଦିନ ତମାମ୍ ମୁସଲମାନ କଏଦୀଙ୍କଠୁ ଇଦ୍ ମୁବାରକ୍ ବା ଶୁଭ କାମନା ନେବା/ଦେବାରେ ତାଙ୍କର ବେଶ୍ ସମୟ ଅତିବାହିତ ହୋଇଗଲା । ମିଷ୍ଟର ଅଲ୍ଲୀଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଦେବାରେ ସେ ବଡ଼ ଉଦାରଶୀଳ ଜଣା ପଡ଼ୁଥିଲେ । ଏହା ଭିତରେ ସଞ୍ଜ ନଇଁଆସିଲା । ନୂତନ ଜହ୍ନ କିଛି କ୍ଷଣ ପାଇଁ ଗଛର ଉପର ଭାଗକୁ ଉଠିଆସି ଜେଲଖାନାର ମଜବୁତ ପ୍ରାଚୀରକୁ ଅବଲୋକନ କରୁଥିବା ଭଳି ପ୍ରତୀତ ହେଲା । ମିଷ୍ଟର ଅଲ୍ଲୀଙ୍କଠୁ ଅଧିକ ଗାନ୍ଧୀ ଚାନ୍ଦକୁ ଦେଖିବାକୁ ଉତ୍ସୁକ ଥିଲେ ବୋଲି ଜଣାପଡ଼ୁଥିଲା । ଯେବେ ଚାନ୍ଦ ଦେଖାଗଲା ଗାନ୍ଧୀଙ୍କ ଖୁସିର ଅନ୍ତ ନଥିଲା । ସେ ଏତେ ଉଲ୍ଲସିତ ଜଣାପଡ଼ୁଥିଲେ ଯେ ଚାନ୍ଦର ପୂର୍ଣ୍ଣ ସ୍ୱରୂପ ଦେଖିବା ଅଭିପ୍ରାୟରେ ବାହାରକୁ ଆସି ଅତ୍ୟନ୍ତ ଉତ୍କଣ୍ଠିତ ସ୍ୱରରେ ମିଷ୍ଟର ଅଲ୍ଲୀଙ୍କୁ ଡାକ ପକାଇଲେ । ସେ ବି ପହଞ୍ଚିଗଲେ ଓ ଆମେ ସବୁ ଉନ୍ମୁକ୍ତ ଅଗଣାରେ ନୂଆ ଚାନ୍ଦର ଧୂଆଳିଁଆ ସୌନ୍ଦର୍ଯ୍ୟ ଦେଖିବାକୁ ଏକତ୍ରିତ ହୋଇଗଲୁ । (ଗାନ୍ଧୀଜୀ, ପୃ. ୧୯୫)

ଏହା ପରେ ଇନ୍ଦୁଲାଲ ୟାଜ୍ଞିକ ଲେଖିଛନ୍ତି ଯେ ସାମ୍ପ୍ରଦାୟିକ ଏକତା ପ୍ରଦର୍ଶନର ଏହି ମନୋଭାବ ସହିତ ହିନ୍ଦୁ ଓ ମୁସଲମାନଙ୍କ ମନ ଯୋଡ଼ିବାର ରୋମାଞ୍ଚକର କଳ୍ପନା କେଉଁ ପ୍ରକାରେ ବ୍ୟର୍ଥ ହେଲା ପରବର୍ତ୍ତୀ ଘଟଣାରୁ ସ୍ପଷ୍ଟ ହୋଇଥିଲା ।

ଏହି ରୋମାଞ୍ଚକର କଳ୍ପନାର ମୂଳଦୂଆ କେତେ ଦୁର୍ବଳ ଥିଲା ତାହା ବୁଝିବାକୁ କୋଡ଼ିଏ ବର୍ଷ ଉପରାନ୍ତ ଘଟଣାବଳୀ ଅନୁଶୀଳନ ସାପେକ୍ଷ । ୧୯୪୨-୧୯୪୪ରେ ଗାନ୍ଧୀ ଆଗା ଖାନ ପ୍ୟାଲେସରେ ନଜରବନ୍ଦୀ ଥିବା ସମୟରେ ତାଙ୍କ ବ୍ୟକ୍ତିଗତ ଚିକିତ୍ସକ, ବିଶିଷ୍ଟ ଗାନ୍ଧୀବାଦୀ, ରାଜନୀତିଜ୍ଞ, ସ୍ୱାଧିନ ଭାରତର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ (୧୯୫୨-୫୫)ସୁଶିଲା ନାୟାରଙ୍କ ଡାଏରୀର କିଛି ବାକ୍ୟକୁ ରେଖାଙ୍କିତ କରାଯାଇପାରେ ।

‘ବାପୁ କହୁଥିଲେ,ସାନ୍ଧ୍ୟକାଳୀନ ଭ୍ରମଣ ସମୟରେ ଥରେ ସେ କୁତୁବ ମିନାର ଦେଖିବାକୁ ଯାଇଥିଲେ । ତାଙ୍କ ମାର୍ଗଦର୍ଶକ ଥିଲେ ଜଣେ ବିଦ୍ୱାନ ଇତିହାସକାର । ସେ କହୁଥିଲେ ଯେ କୁତୁବର ବାହାର ଦ୍ୱାରର ସିଡ଼ିର ନିର୍ମାଣ ଭାରତର ଅନେକ ବୈଭବପୂର୍ଣ୍ଣ ମନ୍ଦିର ଲୁଣ୍ଠନ କରି କରାୟତ କରାଯାଇଥିବା ଦେବାଦେବୀଙ୍କ ମୂର୍ତ୍ତିର ପଥରରେ ନିର୍ମିତ । ବାପୁ କହିଲେ, “ମୁଁ ଏହା ସହି ପାରିଲି ନାହିଁ ଓ ଆଉ ଆଗକୁ ବଢ଼ିପାରିଲି ନାହିଁ ଓ ଲେଉଟି ଯିବାକୁ ତାଙ୍କୁ କହିଲି । ଏହା ପରେ ମୁଁ ଫେରିଆସିଲି ।”

ଇସଲାମ ବିଷୟରେ ଆଲୋଚନା ଜାରି ରହିଲା । ବାପୁ ଜାଣନ୍ତି ଅତୀତରେ ମୁସଲମାନମାନେ କେତେ ଅତ୍ୟାଚାର କରିଛନ୍ତି । ତଥାପି ସେମାନଙ୍କ ପ୍ରତି ତାଙ୍କର ଅହେତୁକ ଉଦାରତା ଓ ପ୍ରେମ ଭାବନା । ମୁସଲମାନ ତାଙ୍କୁ ନିନ୍ଦା କଲେ ବି ସେମାନଙ୍କ ପାଇଁ ସେ ହିନ୍ଦୁଙ୍କ ସହିତ ଲଢେ଼ଇ କରୁଥିଲେ । ଏହା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ । ଏହା ତାଙ୍କ ଅହିଂସା ମନ୍ତ୍ର ପରଖିବାର ମାନଦଣ୍ଡ (ପୃ. ୧୨୬)

ଯେବେ ମନରେ ଦ୍ୱିଧା ଥିବ ଓ ଇତିହାସର ପୃଷ୍ଠାରେ ମୁସଲମାନଙ୍କ ଅନ୍ୟାନ୍ୟ ଧର୍ମ ପ୍ରତି ଅତ୍ୟାଚାରର ପ୍ରମାଣିକ ତଥ୍ୟ ସମସ୍ତଙ୍କୁ ଜଣା ଥିବ ସେଭଳି ସ୍ଥିତିରେ ସେମାନଙ୍କ ପ୍ରତି ସ୍ନେହ ଓ ଆଦର ପୂର୍ବକ ଖୋସାମତିଆ ବ୍ୟବହାର କରି ସାମ୍ପ୍ରଦାୟିକ ଏକତା ସ୍ଥାପନା କରିବା କିଭଳି ସମ୍ଭବ ହୋଇପାରିଥାଆନ୍ତା? ଆମର ଐତିହାସିକ ପୃଷ୍ଠଭୂମିଠାରୁ ଦକ୍ଷିଣ ଆଫ୍ରିକାର ପ୍ରବାସୀ ଭାରତୀୟ କେବେଠାରୁ ଅଲଗା ହୋଇଯାଇଥିଲେ । ନିଜର ଧାର୍ମିକ ମତଭେଦ ଭୁଲି ଗୋରା ଉପନିବେଶବାଦୀଙ୍କ ରଙ୍ଗଭେଦ ନୀତି ବିରୁଦ୍ଧରେ ଗୋଟିଏ ମଞ୍ଚରେ ଏକାଠି ହୋଇ ଗାନ୍ଧୀଙ୍କୁ ନିଜ ନେତା ମାନିନେବା ସେମାନଙ୍କ ପାଇଁ ଦୁରୂହ ନଥିଲା । କିନ୍ତୁ ଭାରତର ପରିସ୍ଥିତି ଦକ୍ଷିଣ ଆଫ୍ରିକାର ପରିସ୍ଥିତିଠାରୁ ଥିଲା ଭିନ୍ନ । ଯେପର୍ଯ୍ୟନ୍ତ ସାମ୍ପ୍ରଦାୟିକତାର ଐତିହାସିକ ଓ ସାଂସ୍କୃତିକ କାରଣଗୁଡ଼ିକର ଯଥାର୍ଥ ବିଶ୍ଳେଷଣାତ୍ମକ ଆକଳନ କରାନଯିବ, ସେପର୍ଯ୍ୟନ୍ତ କେବଳ ରାମ-ରହିମ ଏକ କହିଦେଲେ ଓ ପରସ୍ପରର ପର୍ବପର୍ବାଣୀକୁ ଏକାଠି ପାଳନ କରିଦେଲେ ହିନ୍ଦୁ-ମୁସଲମାନ ଏକତା ସମ୍ଭବ ନୁହେଁ । ଗାନ୍ଧୀଙ୍କ ଚିନ୍ତନରେ ନା ଥିଲା ବୈଜ୍ଞାନିକ ଆଧାର ନା କ୍ରାନ୍ତିକାରିତା । ସେ ଆମର ଇତିହାସକୁ ସେ ଦୃଷ୍ଟିରେ ଅଧ୍ୟୟନ କରିନଥିଲେ ଯଦ୍ଧ୍ୱାରା ସାମ୍ପ୍ରଦାୟିକ ସମସ୍ୟାର ମୂଳ କାରଣଗୁଡ଼ିକ ବୁଝିବିଚାରି ସେସବୁର ବୈଜ୍ଞାନିକ ଆଧାରରେ ନିରାକରଣ କରାଯାଇପାରିବ । ଏହାର ବିପରୀତ ସେ ଉଦାରବାଦୀ ଓ ଅବସରବାଦୀ ରାସ୍ତା ଧରିଲେ । ପରିଣାମ ସ୍ୱରୂପ ସମସ୍ୟା ସୁଧୁରିବା ବଦଳରେ ଆହୁରି ଜଟିଳ ହୋଇପଡ଼ିଲା ଓ ଦେଶ ବିଭାଜନ ପରେ ଆଜି ମଧ୍ୟ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ।

ମୌଲବୀ ଅବଦୁଲ ହକ୍ ଆଲିଗଡ଼ରୁ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ ଉତ୍ସବରୁ ଫେରିବା ପରେ ନଭେମ୍ବର ୧୯୨୦ରେ ଡା. ମୁକ୍ତାର ଅହମ୍ମଦ ଆନ୍ସାରୀଙ୍କୁ ଏକ ପତ୍ର ଲେଖିଥିଲେ, ସେଥିରେ ଲେଖାଥିଲା, “ମୁଁ ମହମ୍ମଦ ଅଲୀ ଓ ସୌକତ ଅଲ୍ଲୀଙ୍କଠୁ ଏକ ଅନୁରୋଧଭରା ‘ମୁଲ୍ଲଟା’(ଚିଠି) ପାଇଲି । ଏହାର ପ୍ରତି ଶବ୍ଦରେ ଦ୍ୱିଧା, ଦ୍ୱନ୍ଦ୍ୱ, ଅନ୍ଧବିଶ୍ୱାସ, କଠୋର ଦୃଢ଼ତା, ଦ୍ୱେଷ, ଅସହିଷ୍ଣୁତାର ଆଭାସ ମିଳୁଥିଲା । ମୋ ଚିନ୍ତନରେ ଏଭଳି ବିଚାରଧାରା କେବେ ନଥିଲା । ତାଙ୍କ ପ୍ରତି ବାକ୍ୟରେ ଖୁଦାଙ୍କ ନାମ ନେବା ଓ ପ୍ରତି ହୁକୁମକୁ ଖୁଦାଙ୍କ ଓ ତାଙ୍କ ବାର୍ତ୍ତାବହଙ୍କ ସହିତ ସମ୍ବନ୍ଧିତ କରିବା ଓ ଅତିଶୟୋକ୍ତି କୌଣସିି ବିବେକବାନ ବ୍ୟକ୍ତିର ନିଶ୍ଚୟ ପସନ୍ଦ ହେବନି । (ଖତୂତେ-ଅବଦୁଲ ହକ କରାଚିରୁ ପ୍ରକାଶିତ)

ମୌଲବୀ ଅବଦୁଲ ହକ୍ ନିଜ ଅଲୀ ବନ୍ଧୁଙ୍କ ବିଷୟରେ ଯାହା ଲେଖିଥିଲେ ତା’ର ପ୍ରତି ଶବ୍ଦ ଗାନ୍ଧୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଯେଉଁଠି ଖିଲାପତ୍ ଆନ୍ଦୋଳନରେ ଏହି ନେତାଗଣ କଠୋରବାଦୀ ଓ ପୁନରୁତ୍ଥବାଦୀ ଥିଲେ ସେଇଠି ଗାନ୍ଧୀ ମଧ୍ୟ ଅନୁରୂପ ଥିଲେ । କେବଳ ଏତିକି ଅନ୍ତର ଥିଲା ଯେ ଖିଲାପତ୍ ସମର୍ଥନକାରୀ, ପରମ୍ପରା ପାଇଁ ବିଦେଶୀ ଇସ୍ଲାମିକ ରାଷ୍ଟ୍ରକୁ ସମର୍ଥନ ଯୋଗାଉଥିଲେ ଓ ଗାନ୍ଧୀଙ୍କ ଚିନ୍ତାଧାରା ତୁଲସୀ ରାମାୟଣରେ ଓତଃପ୍ରୋତଃ ଥିଲା ଓ ସେ ରାମରାଜ ସ୍ଥାପନ କରିବା ସ୍ୱପ୍ନରେ ବିଭୋର ଥିଲେ । ଭିନ୍ନ ଭିନ୍ନ ପରମ୍ପରାର ଅସମାନତା ବା ଘର୍ଷଣ ଯୋଗୁଁ ଉତ୍ପନ୍ନ ପରିସ୍ଥିତି ହିଁ ସାମ୍ପ୍ରଦାୟିକର ବିଦ୍ୱେଷର ମୂଳ ଆଧାର । ଏହି ପ୍ରକ୍ରିୟା ଅକ୍‌ବରଙ୍କ ଶାସନ କାଳରେ ଆରମ୍ଭ ହୋଇଥିଲା । ଇତିହାସରେ ଏହାର ଚେର ଅତି ମଜବୁତ ଓ ଏହାର ଉତ୍ପାଟନ ବିନା ହିନ୍ଦୁ-ମୁସଳମାନ ଏକତା ସମ୍ଭବ ନୁହେଁ । ଉପବାସ ଓ ସଦିଚ୍ଛା ଦ୍ୱାରା ଏହି ସମସ୍ୟାର ସମାଧାନ ହେଇପାରିବ ନାହିଁ । ତେଣୁ ଉଭୟ ହିନ୍ଦୁ ନେତା ଓ ଖିଲାପତ୍ ନେତା ବ୍ରିଟିଶ ଉପନିବେଶବାଦର କ୍ରୀଡ଼ନକ ସାଜିଲେ । ଏହି ସନ୍ଦର୍ଭରେ ଗାନ୍ଧୀଜୀଙ୍କ ବିବଶତାର ଅନୁମାନ ଗୋଲ ଟେବୁଲ ବୈଠକ ଘଟଣା ଦ୍ୱାରା ସୁସ୍ପଷ୍ଟ ହେଲା । ଏହା ‘ବାପୁଙ୍କ କାରାବାସର କାହାଣୀ’ରେ ବର୍ଣ୍ଣିତ ଅଛି ।

‘ଅପରାହ୍ଣ ଓ ସନ୍ଧ୍ୟାରେ ବାପୁଙ୍କୁ ଭାଇ ଗୋଲ ଟେବୁଲ ବୈଠକ ବିଷୟରେ ପଚାରିଥିଲେ, ହିନ୍ଦୁ-ମୁସଲମାନ ଏକତା ଲାଗି କେଉଁ କେଉଁ ପ୍ରଚେଷ୍ଟାମାନ କରାଗଲା କିପରି ହିନ୍ଦୁ -ମୁସଲମାନ ପରସ୍ପର ସହିତ ସଲାସୁତୂରା କରିବାକୁ ଉପଦେଶ ଦେଇ ଅନ୍ୟ ପଟେ ସରକାର ଚୁପଚାପ ସାମ୍ପ୍ରଦାୟିକ ନିର୍ଣ୍ଣୟ ନେଉଥିଲେ । ଥରେ ବାପୁଙ୍କୁ ମୁସଲମାନ ସମ୍ପ୍ରଦାୟର କିଛି ବ୍ୟକ୍ତି ଏକ ସଭାକୁ ଆମନ୍ତ୍ରଣ କରିଥିଲେ । ସେଠାରେ ସମସ୍ତେ ବାପୁଙ୍କ ତୋଷାମଦ କଲେ । “ଆପଣଙ୍କ ପାଇଁ କ’ଣ ମୁସ୍କିଲ ଆଜ୍ଞା ! ଆପଣ ଜିନ୍ନାଙ୍କ ୧୪ ସୂଚୀ ଦାବୀ ପୂରଣ କରିଦିଅନ୍ତୁ” । ଆଗା ଖାଁ ଆରମ୍ଭ କଲେ । “ଆପଣ ବଡ଼ ମହାତ୍ମା । ଆପଣଙ୍କ ପାଇଁ ଏହା ମାମୁଲି କଥା” ଇତ୍ୟାଦି ଇତ୍ୟାଦି । ବାପୁ କହିଲେ, “ଆପଣଙ୍କୁ ଏପରି ଥଟା-ପରିହାସ ଶୋଭା ଦେଉନାହିଁ । ମୁଁ କିଏ? ଆପଣଙ୍କର ତ ଅନେକ ଅନୁମାଗୀ ଅଛନ୍ତି । ମୋର କେତେ ଅଛନ୍ତି? ମୋତେ କଂଗ୍ରେସ ଏକ କାର୍ଯ୍ୟ ପାଇଁ ପଠେଇଛି । ଅନ୍ୟ କୌଣସି ଭିନ୍ନ କାମ କରିବାକୁ କଂଗ୍ରେସ ମୋତେ ଅଧିକାର ଦେଇନି । ସେଥିପାଇଁ ଡଃ ଅନ୍‌ସାରୀଙ୍କ ସାହାଯ୍ୟ ମୋର କାମ୍ୟ ।”

ସୌକତ ଅଲ୍ଲୀ ମଧ୍ୟ କହିଲେ, “ଆପଣ ଏତିକି କରିଦିଅନ୍ତୁ । ଆପଣଙ୍କ ପାଇଁ ଏହା କେଉଁ ବଡ଼ କଥା” । ବାବୁ କହିଲେ, “ସୌକତ ଅଲ୍ଲୀ, ଏହା ଠିକ୍ ନୁହେଁ । ତୁମେ ଆଜି କ’ଣ ମୋ କଥା ଶୁଣୁଛ? ତେଣୁ ମୁଁ ତୁମର ସରକାର କେମିତି ହେଲି?” ସୌକତ ଅଲ୍ଲୀ କହିଲେ, “ନା ସରକାର, ଆପଣ ଏତିକି କରିଦିଅନ୍ତୁ, ଆମେ ଆପଣଙ୍କୁ ସଦା ସମର୍ଥନ କରିବୁ” ।

ବାପୁ କହିଲେ, “ଶ୍ରୀ ଜିନ୍ନା ତ ପୂରା ରାଜନୈତିକ ଶୈଳୀରେ କଥାବାର୍ତ୍ତା କରୁଛନ୍ତି । ଥରେ ସେ ମୋତେ ନିଜ ଆବାସସ୍ଥଳୀକୁ ଡକାଇଥିଲେ । ବୈଠକଖାନାରେ ଅଗ୍ନିକୁଣ୍ଡ ସାମ୍ନାରେ ସେ ମୋ ସହିତ ଚଟାଣରେ ବସିଗଲେ । କହିଲେ, “ଆପଣ ବଡ଼ ମହାତ୍ମା । ଏସବୁ ତ ମାମୁଲି କଥା । ଆପଣ ଏତିକି ମଂଜୁର କରିଦିଅନ୍ତୁ” । ମୁଁ କହିଲି, “ମୁଁ ଏସବୁ ଯେପର୍ଯ୍ୟନ୍ତ କରିପାରିବି ନାହିଁ ଯେପର୍ଯ୍ୟନ୍ତ ଡ.ଅନ୍‌ସାରୀଙ୍କୁ ନ ପଚାରିଛି । ହିନ୍ଦୁ ମୁସଲମାନଙ୍କ ସମ୍ବନ୍ଧରେ ସେହି ମୋ ପରାମର୍ଶଦାତା । ତାଙ୍କ ବିନା ମୁଁ ପାଦଟାଏ ମଧ୍ୟ ଆଗକୁ ବଢ଼ାଇପାରିବି ନାହିଁ ” । ଜିନ୍ନାଙ୍କୁ ଏହା ଠିକ୍ ଲାଗିଲା ନାହିଁ । ଅଭ୍ୟର୍ଥନା କକ୍ଷକୁ ଆସିଲୁ । ବେଗମ ଶାହାନୱାଜ(ମୁସଲିମ ଲିଗ୍ କାର୍ଯ୍ୟକର୍ତ୍ତା ଓ ଶାହାନୱାସଙ୍କ ପତ୍ନୀ) ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଓ ଅନୁରୂପ ସ୍ୱଭାବଧାରୀ ଥିଲେ । ସେହିପରି ମୋତେ କହିଲେ, “ଆପଣ ବଡ଼ ମହାତ୍ମା । ଏତିକି କରିଦେବା କ’ଣ ମୁସ୍କିଲ କାମ?” ମୁଁ ବିଚଳିତ ହେଲି । କହିଲି, “ସମସ୍ତେ ତ ଏକା ପରି କଥା କହୁଛନ୍ତି, କିନ୍ତୁ ଆପଣ ଜଣେ ନାରୀ ହୋଇ ମଧ୍ୟ ସେମାନଙ୍କ ଏପରି ବିଚାରକୁ ସମର୍ଥନ କରୁଛନ୍ତି । ମୁଁ ଏହା ସହି ପାରୁନାହିଁ” । ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବୁଝାମଣା ଆଲୋଚନା ବ୍ୟର୍ଥ ହେଲା ଓ ଏହା ପରେ ସରକାରଙ୍କ ସାମ୍ପ୍ରଦାୟିକ ନିର୍ଣ୍ଣୟ ଆସିଗଲା । ଏହା କ’ଣ ରାତାରାତି ପ୍ରସ୍ତୁତ ହେଇଗଲା । ଏହା ତ ପୂର୍ବରୁ ହିଁ ପ୍ରସ୍ତୁତ ଥିଲା । କେବଳ ଉପରଠାଉରିଆ ଭାବେ କୁହାଯାଉଥିଲା,ପରସ୍ପର ମଧ୍ୟରେ ବୁଝାମଣା କରିନିଅ ଓ ଏମିତି କିଛି କାର୍ଯ୍ୟମାନକୁ ରୂପାନ୍ୱିତ କରାଯାଉଥିଲା ଯେ ନିଜ ନିଜ ମଧ୍ୟରେ କୌଣସି ନିଷ୍କର୍ଯ୍ୟ ହିଁ ନହେଇପାରୁ ।

ଖିଲାପତ କମିଟି ପରେ ଗାନ୍ଧୀଜୀଙ୍କ ମୁସଲିମ ଲିଗ୍ ସହିତ ସମ୍ପର୍କ ହେଲା । ସେତେବେଳେ ବି ହିନ୍ଦୁ-ମୁସଲମାନ ସମସ୍ୟାର ସମାଧାନ କରିବାରେ ତାଙ୍କ ପଦ୍ଧତି / ଉପାୟ ଅବୈଜ୍ଞାନିକ ଥିଲା ଓ ଅବସରବାଦୀ ମଧ୍ୟ । ଦେଶ ବିଭାଜନର ଦାବିର ଆଧାରରେ ଉତ୍ସାହିତ ହୋଇ ମୁସଲିମ୍ ଲିଗ ଦୁଇ ରାଷ୍ଟ୍ରର ସିଦ୍ଧାନ୍ତକୁ ଆପଣେଇ ଥିଲା । ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ଇକ୍ବାଲ /ଜିନ୍ନାଙ୍କ ମସ୍ତିସ୍କ ଜାତ ନଥିଲା । ଅସଲରେ ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ସାମାଜିକ ସଂସ୍କୃତି ସହିତ ସଂପୃକ୍ତ । ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ତିକ୍ତତାର ମଞ୍ଜି ବୁଣିବା ପାଇଁ ବ୍ରିଟିଶ ଉପନିବେଶବାଦୀ ସାଂସ୍କୃତିକ ଭିନ୍ନତାକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ୧୮୫୭ର ଅସଫଳ କ୍ରାନ୍ତି ଅସାମଞ୍ଜସ୍ୟ ପ୍ରବୃତ୍ତିକୁ ବହୁଗୁଣିତ କରିବା ଉଦ୍ଧେଶ୍ୟରେ ‘ଏସିଆଟିକ୍ ଜର୍ନାଲ’ ଦ୍ୱାରା ପ୍ରଚାରିତ-ପ୍ରସାରିତ ହୋଇଥିଲା । ସେମାନେ ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ପ୍ରବର୍ତ୍ତକ ରୂପେ ମୁସଲମାନ ନେତା ତୋଷାମଦକାରୀ ସଏଦ ଅହମଦଙ୍କୁ ନିଯୁକ୍ତ କଲେ ।

ମୋଗଲ ଶାସନ କାଳରେ ବିଦେଶି ତତ୍ତ୍ୱ ବରାବାର ବୃହତ୍ ଦଳବଳ ସହିତ ଭାରତକୁ ଆସୁଥିଲେ । ସେତେବେଳେ ପାର୍ଶୀ ରାଜଭାଷା ଥିଲା । ତେଣୁ ଅନେକ ବୁଦ୍ଧିଜୀବୀ ଭାରତ ଆସୁଥିଲେ ଏବଂ ସେନା ଶକ୍ତିକୁ ଦୃଢ଼ କରିବା ଉଦ୍ଧେଶ୍ୟରେ ସେମାନଙ୍କ ମଧ୍ୟରୁ କେତେକଙ୍କ ସେନାରେ ନିଯୁକ୍ତ କରାଯାଉଥିଲା । ଏହି ବିଦେଶୀ ତତ୍ତ୍ୱ ହିନ୍ଦୁସ୍ତାନୀ ଦଳ ନୁହେଁ ବରଂ ମୋଗଲ ଦଳ ରୂପେ ଅଧିକ ସଙ୍ଘଠିତ ଥିଲେ । ଏହି ସମୂହ ସବୁବେଳେ ସ୍ଥାନୀୟ ଲୋକଙ୍କଠାରୁ – ସେ ହିନ୍ଦୁ ହେଉ ଅବା ମୁସଲମାନ- ନିଜକୁ ଶ୍ରେଷ୍ଠ ମଣୁଥିଲେ । ଏହି ଦେଶର ସଂସ୍କୃତି ଓ ପରମ୍ପରାକୁ ସେମାନେ ଆଦୌ ସମ୍ମାନ ଦେଉନଥିଲେ । ସେମାନଙ୍କ ବିଶ୍ୱାସନୀୟତା ସବୁବେଳେ ସରକାରଙ୍କ ପ୍ରତି ଥିଲା । ମୋଗଲଙ୍କ ପରେ ଯେବେ ଇଂରେଜ ଆସିଲେ ଏମାନଙ୍କ ଭିତରୁ ଅନେକ ଆତ୍ମସମର୍ପଣ କରିଦେଲେ । ୧୮୫୭ରେ ଇଂରେଜଙ୍କ ଜୀବନ ବଞ୍ଚାଇ , ସେମାନଙ୍କୁ ସାହାଯ୍ୟ / ସମର୍ଥନ କରି ଜାଗିର, ପୁରସ୍କାର ଓ ବିଭିନ୍ନ ଉପାଧିରେ ଭୂଷିତ ହେଲେ ।

ସାର ସଏଦ ଅହମଦ ଖାନ ଏହି ବିଦେଶୀ ତତ୍ତ୍ୱଙ୍କ ଇରାନୀ ସମୁହଙ୍କ ବଂଶଧର । ୧୮୫୭ରେ ସେ ବିଜନୌରର ମୁନ୍ସିଫ ଥିଲେ । ସେଠାରେ ସେ କିଛି ଇଂରେଜଙ୍କ ଜୀବନ ରକ୍ଷା କରିଥିଲେ । ଏହାର ପ୍ରତିଦାନରେ ସରକାର ତାଙ୍କୁ ଜାଗିର କରିବାକୁ ଚାହୁଁଥିଲେ । ଚତୁର ଥିଲେ ସେ, ତେଣୁ ଜାଗିର ସିନା ଗ୍ରହଣ କଲେ ନାହିଁ କିନ୍ତୁ ଏହାପରେ ତାଙ୍କ ଭାଗ୍ୟ ଉଜ୍ଜଳରୁ ଉଜ୍ଜଳତର ହେଲା ଓ ସେ ଉନ୍ନତି ପଥରେ ଆଗେଇଲେ । ୧୮୬୮ରେ ସେ ବନାରସରେ ନ୍ୟାୟାଧୀଶ ଥିଲେ । ବିଟ୍ରିଶ ସରକାର ତାଙ୍କୁ ଏଥିରୁ ଅବ୍ୟାହତି ଦେଇ ବିଲାତ ପଠାଇଦେଲା । ସେଠାରେ ତାଙ୍କ ପ୍ରଶିକ୍ଷଣ ଦିଆଗଲା । ଦେଢ଼ / ଦୁଇ ବର୍ଷ ପରେ ଭାରତ ଲେଉଟି ସେ ‘ତହଜିବୁଲ -ଇଖଲାଖ’ ନାମକ ଏକ ଉର୍ଦ୍ଧୁ ପତ୍ରିକାର ପ୍ରକାଶନ ଆରମ୍ଭ କଲେ ଯାହାର ପ୍ରଚ୍ଛଦ ପୃଷ୍ଠା ସେ ବିଲାତରୁ ପ୍ରସ୍ତୁତ କରି ଆଣିଥିଲେ । ଏହି ପତ୍ରିକାକୁ ସେ ଦୁଇ ରାଷ୍ଟ୍ରବାଦର ପ୍ରଚାର ନିମନ୍ତେ ବ୍ୟବହାର କଲେ ବା ମାଧ୍ୟମ କଲେ ।

ସାର ସଏଦ ହିନ୍ଦୀ ନୁହେଁ ବରଂ ଉର୍ଦ୍ଧୁକୁ ପ୍ରାଧାନ୍ୟ ଦେଲେ ଓ ଏହାକୁ ଶିକ୍ଷା ଓ ପ୍ରଶାସନର ସରକାରୀ ଭାଷା କରିବାକୁ ଦାବି କଲେ । ପାର୍ଶୀ ତ ସରକାରୀ ଭାଷା ହୋଇପାରିନଥାନ୍ତା, ତେଣୁ ଉର୍ଦ୍ଧୁକୁ ସାମାଜିକ ସଂସ୍କୃତିର ପ୍ରତିନିଧି ରୂପେ ପ୍ରସ୍ତୁତ କରି ରାଜଭାଷା ପଦରେ ଏହାକୁ ଅଧିଷ୍ଠିତ କରିବାକୁ ପ୍ରଚେଷ୍ଟିତ ହେଲେ । ୧୮୮୭ରେ ମିରଟରେ ଏକ ଭାଷଣ ଦେବା ଅବସରରେ ସେ କହିଥିଲେ-

‘ଧରି ନିଅନ୍ତୁ ସବୁ ଇଂରେଜ ଓ ତାଙ୍କ ସେନା ହିନ୍ଦୁସ୍ତାନରୁ ଚାଲିଯିବେ, ସେ ତାଙ୍କ ସହିତ ତୋପ, ହାତହତିଆର ଓ ସବୁ ଜିନିଷ ମଧ୍ୟ ସାଥିରେ ନେଇଯିବେ, ସେତେବେଳେ ହିନ୍ଦୁସ୍ତାନର ଶାସକ କିଏ ହବ? ଏପରି ପରିସ୍ଥିତିରେ କ’ଣ ଏହା ସମ୍ଭବ ଯେ ଦୁଇ ସମ୍ପ୍ରଦାୟ -ହିନ୍ଦୁ ଏବଂ ମୁସଲମାନ- ଗୋଟିଏ ଆସନରେ ବସି, ସମାନ ଅଧିକାର ସହିତ ହିନ୍ଦୁସ୍ତାନର ଶାସନ ଡୋରି ବା ସତ୍ତା ସମ୍ଭାଲିବେ ? ନା ଏହା ସମ୍ଭବ ନୁହେଁ । ତେଣୁ ଜଣେ ଆଉ ଜଣକୁ ହରାଇ ତଳକୁ ଖସାଇ ଦେଉ, ଏହାହିଁ ଉଚିତ୍ ହେବ । ଉଭୟ ସମଭାବ ସମ୍ପନ୍ନ ହୋଇ ଯେ ଏକାଠି ଶାନ୍ତିରେ ରହିପାରିବେ ଏପରି ଆଶା ବୃଥା ଅଟେ । ଏହା ଅସମ୍ଭବ । ଏପରି ଚିନ୍ତନ ବି ଅଯୌକ୍ତିକ’ । (Quest , December, 1970)

ଏହି ପ୍ରସଙ୍ଗରେ ଏକ କଥନ ବେଶ୍ ପ୍ରଚଳିତ; କୁହାଯାଏ ଏହି ଚତୁରତା ସାର ସଏଦ ଅହମ୍ମଦଙ୍କ ନଥିଲା ବରଂ ଅଲିଗଡ଼ ବିଶ୍ୱବିଦ୍ୟାଳୟର ଗୋରା ଅଧ୍ୟକ୍ଷ ଥିଓଡ଼ର ବ୍ୟାଙ୍କ ଏପରି ଲେଖି ସଏଦଙ୍କୁ ଦେଇଥିଲେ । ଥିଓଡ଼ର ଜଣେ ଧୂର୍ତ୍ତ, ଚାଲାକ ସାମ୍ରାଜବାଦୀ ଥିଲେ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦର ମଞ୍ଜି ବୁଣିବାର ଦାୟିତ୍ୱ ତାଙ୍କୁ ଖାସ୍ କରି ଦିଆଯାଇଥିଲା ।

ଅଲିଗଡ଼ ବିଶ୍ୱବିଦ୍ୟାଳୟ ସହିତ ସଏଦ ସାଇଣ୍ଟିଫିକ୍ ସୋସାଇଟି ମଧ୍ୟ ସ୍ଥାପିତ କରିଥିଲେ । ତେଣୁ କୁହାଯାଏ ଯେ ମୁସଲମାନଙ୍କ ମଧ୍ୟରେ ନୂତନ ଶିକ୍ଷା, ନୂତନ ଆଲୋକର ଶିଖା ପ୍ରଜ୍ଜଳିତ କରି ମୁସଲମାନ ସମୁଦାୟକୁ ରୂଢିବାଦୀ କୁସସ୍କାଂରକୁ ନିଷ୍କୃତି ଦେବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ସତ୍ୟ ଏହା ଯେ ଖୋଦ୍ ସାର ସଏଦ ଏକ ସାମ୍ରାଜବାଦୀ ବିଚାରଧାରୀ ରୂଢ଼ିବାଦୀ ବ୍ୟକ୍ତିତ୍ୱ୍ୱ ଥିଲେ ଓ ତାଙ୍କର ସବୁଠୁ ବଡ଼ ଅପରାଧ ଥିଲା ଦୁଇ ରାଷ୍ଟ୍ର ସିଦ୍ଧାନ୍ତକୁ ପ୍ରଚାର କରି ସାମ୍ପ୍ରଦାୟିକ ଅସହିଷ୍ଣୁତାର ମଞ୍ଜି ବୁଣିବା । ଏପରି କରିବାରେ ସେ ପ୍ରଥମ ମୁସଲମାନ ଥିଲେ ।

ଏହିପରି ଦୁଇରାଷ୍ଟ୍ରର ସିଦ୍ଧାନ୍ତ ମଜବୁତ ହେବାରେ ଲାଗିଲା । ଏହାର ଆଧାରରେ ମୁସଲିମ୍ ଲିଗର ସ୍ଥାପନା ହେଲା । ବିଦେଶୀ ସରକାର ବିଭିନ୍ନ ପ୍ରଶାସନିକ ପଦପଦବୀ ତଥା ଚାକିରୀ ଆଦିରେ ମୁସଲମାନଙ୍କୁ ପ୍ରତିନିଧିତ୍ତ୍ୱ ଦେଇ ବା ସୁଯୋଗ ଦେଇ ପୃଥକବାଦୀ ପ୍ରବୃତ୍ତିକୁ ପ୍ରୋତ୍ସାହିତ କଲେ ଓ ଧିରେ ଧିରେ ସଂପୂର୍ଣ୍ଣ ଦେଶ ଧର୍ମର ଆଧାରରେ ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟମତାବଲମ୍ବୀ ଆଦିରେ ବିଭକ୍ତ ହେଲା । ଏହି ସାମ୍ରାଜବାଦୀ ଷଡ଼ଯନ୍ତ୍ରର ଉପଚାର ଅଭିପ୍ରାୟରେ କଂଗ୍ରେସ, ଭାଷା ଓ ସଂସ୍କୃତିର ଆଧାରରେ ପଞ୍ଜାବୀ, ସିନ୍ଧୀ, ବଙ୍ଗଳା, ଗୁଜୁରାଟୀ ଆଦି ଜାତିର ସିଦ୍ଧାନ୍ତକୁ ପ୍ରବାହିତ କରି ଓ ଆତ୍ମନିର୍ଣ୍ଣୟର ଆଧାରରେ ବିିଭିନ୍ନ ଜାତିର ସ୍ୱତନ୍ତ୍ର ସଂଘୀୟ ସରକାର ଗଢ଼ିବାକୁ ସଙ୍ଘର୍ଷ କରିଥାନ୍ତା । କିନ୍ତୁ ଜାତିର ଆତ୍ମନିର୍ଣ୍ଣୟର ସଙ୍ଘର୍ଷ ବର୍ଗ ଘର୍ଷଣରେ ପରିଣତ ହେଇଥାଆନ୍ତା । ତେଣୁ ଏହି ପନ୍ଥା ଆପଣେଇବା କଂଗ୍ରେସ ରାଜନୀତିକୁ ଓଲଟା ପରିଣାମ ଭୋଗିବାକୁ ପଡ଼ିଥାଆନ୍ତା । ଗାନ୍ଧୀ କଂଗ୍ରେସର ଯେଉଁ ବିଧାନ ପ୍ରସ୍ତୁତ କରିଥିଲେ ସେଥିରେ ରାଜ୍ୟକୁ ଭାଷା ଆଧାରରେ ବିଭାଜିତ କରାଯାଇଥିଲା । କିନ୍ତୁ ଭାଷା ଓ ସଂସ୍କୃତି ବିଷୟରେ ଗାନ୍ଧୀଙ୍କ ନିଜସ୍ୱ ଦୃଷ୍ଟିକୋଣ ତାଙ୍କ କ୍ରାନ୍ତି ବିରୋଧି ରାଜନୀତିରେ ଏକ ଅଂଶ ଥିଲା । ତେଣୁ ଏହାର ବାସ୍ତବ ରୂପାୟନ ସମ୍ଭବ ନଥିଲା । ନିଜ ଅନୁଭବର ଆଧାରରେ ଗାନ୍ଧୀ ନିଜର ‘ଆତ୍ମକଥା’ରେ ଲେଖିଛନ୍ତି –

‘ଆଜି ମୁଁ ଭାବୁଛି ଯେ, ଭାରତ ବର୍ଷରେ ଉଚ୍ଚଶିକ୍ଷା ପାଠ୍ୟକ୍ରମ ଦେଶୀ ଭାଷା ବାଦ୍ ରାଷ୍ଟ୍ରଭାଷା, ସଂସ୍କୃତ, ପାର୍ଶୀ, ଅରବୀୟ ଏବଂ ଇଂରେଜୀକୁ ମଧ୍ୟ ସୁଯୋଗ ମିଳିବା ବାଞ୍ଛନୀୟ । ଭାଷାର ସଂଖ୍ୟାକୁ ଭୟ କରିବାରେ କୌଣସି ଯଥାର୍ଥତା ନାହିଁ । ଯଦି ଭାଷାକୁ ସଠିକ୍ ଢ଼ଙ୍ଗରେ ପଢ଼ାଯିବ ଓ ସବୁ ବିଷୟକୁ କେବଳ ଇଂରେଜୀ ଭଳି ବିଦେଶୀ ଭାଷାରେ ପଢ଼ାଯିବା ଓ ବୁଝିବା ଲାଗି ଆମ ବିଦ୍ୟାର୍ଥୀଙ୍କ ଉପରେ ଚାପ ନରହିବ ତା’ହେଲେ ଏ ସମସ୍ତ ଭାଷାକୁ ସହଜରୂପେ ଆୟତ୍ତ କରାଯାଇପାରିବ । ବରଂ ଭାଷାର ଅଧ୍ୟୟନ ଆନନ୍ଦଦାୟକ ପ୍ରକି୍ରୟା ହେବ । ଉର୍ଦ୍ଧୁକୁ ମୁଁ ସଂପୂର୍ଣ୍ଣ ଭିନ୍ନ ଭାଷା ବୋଲି ମାନେ ନାହିଁ । କାରଣ ଏହା ହିନ୍ଦୀ ବ୍ୟାକରଣକୁ ନିଜସ୍ୱ କରିଛି । ଏହାର ଶବ୍ଦକୋଷ ଆରବୀୟ ଓ ପାର୍ଶୀ ଶବ୍ଦରେ ଭରା । ଉର୍ଦ୍ଧୁ ପଢ଼ି-ବୁଝିବା ପାଇଁ ଆରବୀୟ ଓ ପାର୍ଶୀ ଭାଷା ଜାଣିବା ଜରୁରୀ । ଠିକ୍ ସେମିତି ଯେମିତି ଉତ୍ତମ ଗୁଜରାଟୀ, ହିନ୍ଦୀ, ବଙ୍ଗଳା, ମରାଠୀ ଭାଷାରେ ଦକ୍ଷତା ସକାଶେ ସଂସ୍କୃତର ସମ୍ୟକ ଜ୍ଞାନ ଥିବା ଆବଶ୍ୟକ (ପୃ. ୩୩) ( ପୃଷ୍ଠା ୧୩, ଗାନ୍ଧୀଙ୍କ ଆତ୍ମକଥା, My Story of my Experiments with Truth)

ଏବେ ଦେଖନ୍ତୁ ଗାନ୍ଧୀଙ୍କ ମତରେ ଇଂରେଜୀ ଶିଖିବା ଏଇଥିପାଇଁ ଜରୁରୀ କାରଣ ଇଂରେଜ ଶାସକ ଏହାକୁ ଆମ ଉପରେ ଲଦିଦେଇଛନ୍ତି ଓ ଏହା ଛଡ଼ା ପାର୍ଶୀ ଓ ଆରବୀୟ ଜାଣିବା ଏଇଥିପାଇଁ ଜରୁରୀ କାରଣ ମୁସଲମାନ ଏହା ସହିତ ଧାର୍ମିକ ସ୍ତରରେ ସମ୍ପର୍କିତ ଓ ଏହାକୁ ବାଦ୍ ଦେଇ ଭଲ ଉର୍ଦ୍ଧୁ ଶିଖିବା ସମ୍ଭବ ନୁହେଁ । ଯଦି ସଠିକ୍ ଢଙ୍ଗରେ ପଢ଼ାଯିବା ଦ୍ୱାରା ଏହି ସବୁ ଭାଷା ଶିଖାଯାଇପାରିବ ତା’ହେଲେ ଜର୍ମାନ, ଫରାସୀ, ରୁଷୀୟ ଆଦି ଭାଷା ବି ଶିକ୍ଷା କରାଯାଇପାରିବ । ଏସବୁ ଶିଖିବା କାହିଁକି ଜରୁରୀ ନୁହେଁ ?

ଏଥିରେ ଅବଶ୍ୟ ସନ୍ଦେହ ନାହିଁ ଯେ ଗାନ୍ଧୀ ଇଂରେଜ ଭାଷାକୁ ସବୁବେଳେ ବିରୋଧ କରିଆସିଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓ ପୁଣି ସ୍ୱଦେଶ ଲେଉଟି ମାତୃଭାଷାର ମହତ୍ୱକୁ ବିଶେଷ ଧ୍ୟାନ ଦେଲେ । କିନ୍ତୁ ରାଜନୀତି କରି ଭାଷା ସମ୍ବନ୍ଧରେ ମଧ୍ୟ ବୁୁଝାମଣା ନୀତି ଆପଣେଇଲେ । ଗାନ୍ଧୀ ଅନେକ ବର୍ଷ ପର୍ଯ୍ୟନ୍ତ ହିନ୍ଦୀ ସାହିତ୍ୟ ସମ୍ମିଳନୀର ଅଧ୍ୟକ୍ଷ ରହିଥିଲେ । କିନ୍ତୁ ଯେବେ ମୁସଲିମ ଲିଗର ପ୍ରାଧାନ୍ୟ ବଢ଼ିବାରେ ଲାଗିଲା ଓ ମୁସଲମାନଙ୍କ ତରଫରୁ ହିନ୍ଦୀ ବିରୋଧୀ ମନୋଭାବ ବଢ଼ିଲା ଗାନ୍ଧୀ ହିନ୍ଦୀ ସାହିତ୍ୟ ସମ୍ମିଳନୀରୁ ଇସ୍ତଫା ଦେଇଦେଲେ । ସେ ଦେବନଗରୀ ଓ ପାର୍ଶୀ ଉଭୟ ଲିପିରେ ‘ହିନ୍ଦୁସ୍ତାନୀ’କୁ ରାଷ୍ଟ୍ରଭାଷା କରିବାକୁ ସମର୍ଥନ କଲେ । ଏହି ସମ୍ବନ୍ଧରେ ନାଗପୁରରେ ଏକ ସମ୍ମଳନୀର ଆୟୋଜନ କରାଗଲା । ସମ୍ମିଳନୀର ଉପରାନ୍ତ ମୌଳବୀ ଅବଦୁଲ ହକ୍ ୧୮ ସେପ୍ଟେମ୍ବର ୧୯୩୭ରେ ମିଆଁ ବଶୀର ଅହମ୍ମଦ, ସମ୍ପାଦକ, ‘ହୁମାୟୁନ୍‌’ ଲାହୋରକୁ ଏକ ଚିଠି ଲେଖିଲେ ।

‘ଚିଠି ପହଞ୍ଚିଲା । ବହୁତ କୃତଜ୍ଞ । ମୋର ଏବଂ ରାଜେନ୍ଦ୍ର ବାବୁଙ୍କ ବୟାନରେ କେଉଁଠାରେ ହିନ୍ଦୀ ବିଷୟ ଉଲ୍ଲେଖ ନାହିଁ । ଆମେ ହିନ୍ଦୁସ୍ତାନୀ ଭାଷା ପ୍ରୟୋଗ କରୁଛୁ ଓ ହିନ୍ଦୁସ୍ତାନୀଙ୍କ ପ୍ରଶଂସା ବି କରିଛୁ । ଅର୍ଥାତ୍ ସେହି ଭାଷା ଯାହା ଉତ୍ତର ଭାରତରେ ବ୍ୟବହୃତ ହୁଏ । ହିନ୍ଦୀକୁ ନେଇ ଯୁକ୍ତି ନାହିଁ । ଆମର କଥନ ଅନୁସାରେ ହିନ୍ଦୁସ୍ତାନୀ ଭାଷା ହିନ୍ଦୁସ୍ତାନର ସମସ୍ତ ପ୍ରଦେଶର ଦପ୍ତର ତଥା ଶିକ୍ଷା/ତାଲିମ ପ୍ରଦାନ ପାଇଁ ବ୍ୟବହୃତ ଭାଷା ହେଇଯିବ ତାହେଲେ ଆମରି ହିଁ ଜିତ୍ ।

ପ୍ରଶ୍ନ ଏହା ଯେ ଗାନ୍ଧୀ ଉର୍ଦ୍ଧୁକୁ , ହିନ୍ଦୀଠୁ ଅଲଗା ଭାଷା ବୋଲି ଭାବୁନଥିଲେ । କ’ଣ ଏହା ବୁଝାମଣା ଭିତ୍ତିକ ଚାପଲୁସି ନୁହେଁ?

ଅନ୍ୟ ପକ୍ଷେ ଯେଉଁ ପ୍ରକାର ଇଂରେଜ ସରକାର ସମ୍ପୂର୍ଣ୍ଣ ଦେଶ ଉପରେ ଇଂରେଜୀ ଭାଷା ଲଦିଥିଲେ ସେହି ଅନୁରୂପ ହିନ୍ଦୀ ବା ହିନ୍ଦୁସ୍ତାନର ସମସ୍ତ ରାଜ୍ୟର ରାଷ୍ଟ୍ରଭାଷା ଭାବେ ମର୍ଯ୍ୟାଦା ଦେବା ଓ ଏହାକୁ ଶିକ୍ଷା ଓ ପ୍ରଶାସନର ଭାଷା କରିବା, କ୍ଷେତ୍ରୀୟ ଭାଷା ଓ ସଂସ୍କୃତି ସହିତ ଅନ୍ୟାୟ । କଂଗ୍ରେସ ସରକାର ଆଜି ବି ଏହି ନୀତି ଉପରେ ଚାଲୁଛି । ତେଣୁ ଭାଷା ସମସ୍ୟାର ସମାଧାନ ହେଇପାରୁନି ।

ଆମେ ଏଠାରେ ଏହା କହିରଖୁ ଯେ କମୁ୍ୟନିଷ୍ଟ ଦଳରେ ଚିନ୍ତନର ଆଧାର ଦ୍ୱନ୍ଦ୍ୱାତ୍ମକ ଭୌତିକବାଦ ହୋଇପାରେ ତଥାପି ସେମାନେ ଆମ ଦେଶ ଭାଷା ସମସ୍ୟା ଓ ଜାତି ସମସ୍ୟାକୁ ସମାଧାନ ବଦଳରେ ଆହୁରି ଜଟିଳ କରିଦେଇଛନ୍ତି । କାରଣ ସେ ଦଳର ଇଂରେଜୀ ପଢ଼ୁଆ ନେତା ପ୍ରାୟତଃ ଉଚ୍ଚବର୍ଗ ଅଥବା ଉଚ୍ଚ-ମଧ୍ୟ ବର୍ଗରୁ ଆସିଛନ୍ତି ଓ ଏମାନେ କଂଗ୍ରେସ ଅନୁଗାମୀ ଓ ଅବସରବାଦୀ । ସେମାନଙ୍କର ସବୁଠାରୁ ବଡ଼ ଭୁଲ ହେଲା ମୁସଲମାନ ଓ ଶିଖଙ୍କୁ ଧର୍ମର ଆଧାରରେ ଅଲଗା ଅଳଗା ଜାତିରେ ବିଭକ୍ତ କରି ପାକିସ୍ତାନ ଓ ‘ଶିଖ ହୋମ ଲାଣ୍ଡ’ର ଦାବିକୁ ସମର୍ଥନ କରିବା । ଏହି ଆତ୍ମନିର୍ଣ୍ଣୟର ଅଧିକାରର ଅତ୍ୟନ୍ତ ମୁର୍ଖତାପୂର୍ଣ୍ଣ ବ୍ୟାଖା ଅଟେ । ଏହି ଭୁଲକୁ ସେମାନେ ତ ଯେମିତି ସେମିତି ସୁଧାରି ନେଲେ କିନ୍ତୁ ଭାଷା ବିଷୟରେ ଆଜି ବି ଭୁଲ ନୀତି ଧରିଛନ୍ତି । ସେମାନେ ଉର୍ଦ୍ଧୁକୁ ହିନ୍ଦୀଠାରୁ ଅଲଗା ମୁସଲମାନଙ୍କ ଭାଷା ମାନନ୍ତି ଓ ତାକୁ ପାର୍ଶୀ ଲିପିରେ ଲିପିବଦ୍ଧ କରିବା ପାଇଁ ଆଶ୍ୱସନା ବି ଦେଉଛନ୍ତି । ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କର ଏହି ମନୋବୃତ୍ତି ମାର୍କସ ବିରୋଧି ତଥା ରାଷ୍ଟ୍ର ବିରୋଧି ଓ ଏହା ଦ୍ୱାରା ବିଚ୍ଛିନତାବାଦୀ ପ୍ରବୃତ୍ତିକୁ ପ୍ରୋତ୍ସାହିତ କରାଯାଉଛି । ସେମାନେ ହିନ୍ଦୀ ସାମ୍ରାଜ୍ୟ ନାମରେ ହିନ୍ଦୀର ବିରୋଧ କରିଆସିଛନ୍ତି କେବଳ । କିନ୍ତୁ ସେମାନେ ଏହା ବୁଝନ୍ତି ନାହିଁ ଯେ ବୃହତ୍ ଜାତିର ଭାଷା, ସେମାନଙ୍କ ଆର୍ଥିକ ସ୍ୱଚ୍ଚଳତା ଓ ପ୍ରଭାବ ଯୋଗୁଁ ସ୍ୱତଃ ସଂପର୍କର ଭାଷା ହୋଇଯାଏ । ଭାଷା ପରି ସଂସ୍କୃତି ବିଷୟରେ ମଧ୍ୟ ଗାନ୍ଧୀଙ୍କ ଦୃଷ୍ଟିକୋଣ ସବୁବେଳେ ଭୁଲ ଓ ଭ୍ରାନ୍ତିପୂର୍ଣ୍ଣ ଥିଲା । ସ୍କୁଲ ଓ ଇଂରାଜୀ ଶିକ୍ଷାର ବହିଷ୍କାର କରିବା ଲାଗି ଆନ୍ଦୋଳନ କଲେ, ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆଲିଗଢ଼ ବିଶ୍ୱବିଦ୍ୟାଳୟର ଶିକ୍ଷାନବୀଶଙ୍କ ନିବେଦନ କରିଥିଲେ ଯେ ସେମାନେ ସରକାରୀ ସହାୟତା ନେବା ବନ୍ଦ କରିଦିଅନ୍ତୁ ଓ ସବୁ ସଂସ୍ଥାରେ ରାଷ୍ଟ୍ରୀୟ ଶିକ୍ଷା ଦେବା ଆରମ୍ଭ କରିଦିଅନ୍ତୁ । ଏହି ସନ୍ଦର୍ଭରେ ସେ ମୌଳାନା ମହମ୍ମଦ ଅଲୀଙ୍କ ସହିତ ଆଲିଗଡ଼ ବି ଯାଇଥିଲେ । ସେତେବେଳ କିଛି ଲୋକ ଆରୋପ କରିଥିଲେ ଯେ ଗାନ୍ଧୀ ମୁସଲମାନଙ୍କ ହିତ ସାଧିବା ଆଳରେ ମୁସଲମାନ ବିଶ୍ୱବିଦ୍ୟାଳୟର କ୍ଷତି କରୁଛନ୍ତି । ଏହି ଆରୋପର ଉତ୍ତର ଦେଇ ଗାନ୍ଦୀ ୨୬ ଅକ୍ଟୋବର ୧୯୨୦ରେ ‘ ୟଙ୍ଗ ଇଣ୍ଡିଆ’ରେ ଲେଖିଥିଲେ:

‘ଏହା ହିନ୍ଦୁସ୍ତାନରେ ଇସଲାମୀ ସଭ୍ୟତାର ସବୁଠାରୁ ପ୍ରାଚୀନ କେନ୍ଦ୍ର । ମୁଁ ଏହା କାହିଁକି ନଷ୍ଟ କରିବି? ଅସଲରେ କିଛି ମୁସଲମାନ ଭାବୁଛନ୍ତି ଯେ ଅଲିଗଡ଼ର ହିତ ବାହାନାରେ ମୁଁ ସେମାନଙ୍କ ପ୍ରତି ଖରାପ ମନୋଭାବ ରଖୁଛି । ସେମାନଙ୍କ ଜ୍ଞାତ ନାହିଁ ଯେ ମୁଁ ପଣ୍ଡିତ ମାଲବୀୟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ସମାନ ମାମଲା କରିବା ପାଇଁ ପ୍ରାର୍ଥନା କରୁଛି ଯାହା ମୁଁ ଏଠାକାର ଶିକ୍ଷାନବୀଶଙ୍କ ସହିତ ମୁସଲିମ ବିଶ୍ୱବିଦ୍ୟାଳୟ ବାବଦରେ କରିବାକୁ ଚାହୁଁଛି । ଖାଲସା କଲେଜ, ଯାହା ଶିଖ ସଭ୍ୟତାର ଏକ ମାତ୍ର କେନ୍ଦ୍ର ଏହା ପ୍ରତି ବି ମୋର ଏହି ଆଶା । ମୁଁ ଏହି ତିନି ସଂସ୍ଥାକୁ ପରିବର୍ତ୍ତନ କରି ଏମାନଙ୍କ ସ୍ଥାନରେ ଅଧିକ ପବିତ୍ର ଓ ଅଧିକ ଶୁଦ୍ଧ ସଂସ୍ଥା ସ୍ଥାପିତ କରିବାକୁ ଚାହୁଁଛି । ମୁଁ ଏହା କଦାପି ଗ୍ରହଣ କରିପାରୁ ନାହିଁ ଯେ ଏହି ସବୁ ସଂସ୍ଥା ନିଜ ନିଜର ସଭ୍ୟତାର ଉପଯୁକ୍ତ ପ୍ରତିନିଧି ବୋଲି । ଯେଉଁ ପ୍ରକାର ଇସଲାମ ଇଂରେଜୀଙ୍କ ହାତରେ ଧ୍ୱଂସର ମୁଖଶାଳାରେ ଦଣ୍ଡାୟମାନ ସେହି ପ୍ରକାର ହିନ୍ଦୁ ଧର୍ମ ଓ ଶିଖ ଧର୍ମ ବି ନଷ୍ଟ ହେବା ଉପରେ ।

ଧର୍ମକୁ ସଭ୍ୟତା ଓ ସଂସ୍କୃତିର ଆଧାର ମାନିନେବା ବଡ଼ ଭୁଲ । ଏହାଦ୍ୱାରା ଜାଣ ଅଜାଣତରେ ସାମାଜିକ ସଂସ୍କୃତି ଓ ସିଦ୍ଧାନ୍ତ ଓ ଦୁଇ ରାଷ୍ଟ୍ର ସିଦ୍ଧାନ୍ତକୁ ସମର୍ଥନ ମିିଳିଥାଏ । ଗାନ୍ଧୀଙ୍କର ରାମ ରହିମ ଏକର ରାଗ ଓ ତାଙ୍କ ପ୍ରାର୍ଥନା ସଭାରେ ଗୀତା ପାଠ ସହିତ କୋରାନ ପାଠ ମଧ୍ୟ ହୁଏ । କିନ୍ତୁ ମୁସଲମାନ ତାଙ୍କୁ କେବେ ନିଜ ନେତା ସ୍ୱୀକାର କରିନଥିଲେ । ତାଙ୍କର ଅହିଂସାବାଦ ମଧ୍ୟ ମୁସଳମାନଙ୍କ ଧାର୍ମିକ ଧାରଣାର ବିପରୀତ ।

ଇକ୍ବାଲ ଲେଖିଛନ୍ତି
ଋଷି କେ ଫାକୋ ସେ ଟୁଟା ନା ବ୍ରାହ୍ମଣର ତିଲିସ୍ମ
ଅସା ନ ହୋ ତୋ କଲୀମୀ ହେ କାରେ-ବେବୁନିଆଦ

ଅର୍ଥାତ୍ – ଋଷି ପ୍ରତିମ ମହାତ୍ମା ଗାନ୍ଧୀଙ୍କ ଅନେକ ବ୍ରତ ଉପବାସ ଦ୍ୱାରା ବି ହିନ୍ଦୁ/ବାହ୍ମଣଙ୍କ ଛୁଆଅଛୁଁଆ ମନୋଭାବରେ କୌଣସି ପରିବର୍ତ୍ତନ ସମ୍ଭବ ହେଲାନାହିଁ । ଏହା କେବଳ ମୁସାଙ୍କ, ଆଲ୍ଲାଙ୍କ ଦୂତ, ଦଣ୍ଡ(ଲାଠି) ର ପ୍ରହାରରେ ସମାଧାନ ହୋଇପାରେ ।

କଲୀମ ହଜରତ ମୁସାଙ୍କ ଅସା ସେହି ଲାଠି ଯଦ୍ୱାରା ସେ ଶତ୍ରୁ ଉପରେ ପ୍ରହାର କରନ୍ତି । ମୁସା ସହିତ ନିଜ ମାନସିକ ସମ୍ପନ୍ଧ ଯୋଡ଼ି ଇକବାଲ ମୁସଲମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଗଲେ । ନହେଲେ ନିରସ୍ତ୍ର ନେତୃତ୍ୱ ବ୍ୟର୍ଥ ଅଟେ ।

ହଜରତ୍ ମୋହାନୀ ଏହି କଥା କଥା ନିଜ ଅନ୍ଦାସରେ ଏମିତି କୁହନ୍ତି ।

ଯାହାକୁ କୁହନ୍ତି ଅହିଂସା ସିଏ ଅସଲରେ ଆତ୍ମହତ୍ୟା
ନା ଏହା କିଏ କହିଥାନ୍ତା ନା ଜନତା ଏହି ପଥରେ ଆଗେଇଥାଆନ୍ତେ ।

ହଜରତ ମୋହାନୀ ସମାଜବାଦୀ ବିଚାରଧାରର ଥିଲେ । ସେ ଧାର୍ମିକ ପ୍ରବୃତ୍ତି ଅପେକ୍ଷା ଜନବାଦୀ ଓ ଯଥାର୍ଥତା ଉପରେ ଗୁରୁତ୍ୱ ଦେଉଥିଲେ । ତେଣୁ ସେ ଅହିଂସା ଅପେକ୍ଷା ଅନ୍ୟ ମାର୍ଗ ଆପଣେଇବାକୁ ମତ ରଖନ୍ତି ।

ଗାନ୍ଧୀଙ୍କ ଭଳି ବସି ବସି ଆମେ କାହିଁକି ଚର୍ଖାରେ ସୂତା କାଟିବୁ ।

ଲେଲିନଙ୍କ ଭଳି ଆମେ ଦୁନିଁଆରେ କ୍ରାନ୍ତିକାରୀ ପରିବର୍ତ୍ତନ କାହିଁକି ନଆଣିବୁ ।

ଏଥିରେ ସନ୍ଦେହ ନାହିଁ ଯେ ହିନ୍ଦୁସ୍ତାନର ଜନସାଧାରଣଙ୍କ ହିତ ଚର୍ଖାରେ ସୂତା କାଟିବାରେ ନୁହେଁ ବରଂ କ୍ରାନ୍ତିର ମାର୍ଗରେ ଥିଲା । ସ୍ୱାଧିନତା ସଂଗ୍ରାମର ସଶସ୍ତ୍ର ସଙ୍ଘର୍ଷରେ ଧାର୍ମିକ ଅନ୍ଧବିଶ୍ୱାସ ଓ ରୂଢିବାଦର ଅନ୍ତ ଘଟି ସାଧାରଣ ସ୍ତରର ହିନ୍ଦୁ-ମୁସଲମାନ ସମୁଦାୟ ମଧ୍ୟରେ ବାସ୍ତବିକ ଏକତା ସମ୍ଭବ ହୋଇପାରିବ । ୧୮୫୭ର କ୍ରାନ୍ତି ଏହାର ସଶକ୍ତ ପ୍ରମାଣ ଅଟେ । କିନ୍ତୁ ଗାନ୍ଧୀ ନିହିତ ସ୍ୱାର୍ଥ ସକାଶେ ନେତା ହୋଇଥିଲେ ଓ ସଚ୍ଚୋଟତାର ସହ ଜାଣିଶୁଣି କ୍ରାନ୍ତି ବିରୋଧି ଭୂମିକା ନିର୍ବାହ କରୁଥିଲେ । ତେଣୁ ସେ ଗୋଟେ ପଟେ ହିନ୍ଦୁ ଜନତାଙ୍କୁ ରାମରାଜ୍ୟର ପୁନତ୍ଥାନ ପରମ୍ପରା ସହିତ ଯୋଡ଼ି ନିଜର କ୍ରାନ୍ତି ବିରୋଧି ନେତୃତ୍ୱ ଦୃଢ଼ କଲେ ଓ ଅନ୍ୟ ପକ୍ଷେ ମୁସଲମାନ ଜନତାଙ୍କ ଅସା ଓ ମୁସାଙ୍କ ପରମ୍ପରା ସହିତ ଯୋଡ଼ି ମୁସଲିମ୍ ଲିଗ୍ ଓ ପ୍ରତିକ୍ରିୟାଶୀଳ ନେତୃତ୍ୱ କୋଳରେ ଠେଲି ଦେଲେ । ଯେଉଁ ପ୍ରକାର ଦୁଇ ଲିପିରେ ହିନ୍ଦୁସ୍ତାନୀ ଭାଷା ଚାଲିବା ସମ୍ଭବ ନଥିଲା ସେହି ପ୍ରକାର ଏହି ଦୁଇ ପ୍ରକାର ପୁନରୁତ୍ଥବାଦୀ ପରମ୍ପରାର ସମନ୍ୱୟ ସମ୍ଭବ ନଥିଲା । ତେଣୁ ହିନ୍ଦୁ-ମୁସଲିମ ଏକତା ପାଇଁ ଗାନ୍ଧୀଜୀଙ୍କ ସମସ୍ତ ପ୍ରକାରର ପ୍ରଯତ୍ନ ପରିଣାମ ସ୍ୱରୂପ ଏହା ହେଲା ଯେ ଦ୍ୱେଷର ଘନତା ଏତେ ବଢ଼ିଗଲା ଯେ ଏହାର ନିରାକରଣ ଅସମ୍ଭବ ଥିଲା ।

ମହମ୍ମଦ ଅଲ୍ଲୀ ଜିନ୍ନା ଅନେକ କମ୍ପାନୀରେ ଅଂଶଧନ କିଣିଥିଲେ, ସେ ଏକ ପୁଞ୍ଜିବାଦୀ ସଭ୍ୟତାରେ ବଞ୍ଚିଥିଲେ ଓ ଧର୍ମ ନିରପେକ୍ଷ ବିଚାରଧାରୀ ବ୍ୟକ୍ତିତ୍ୱ ଥିଲେ । କିନ୍ତୁ ଯେବେ ଖିଲାପତ କମିଟି ଦ୍ୱାରା ଗାନ୍ଧୀ ଇସଲାମର ପ୍ରତିକ୍ରିୟାବାଦୀ ନିକୃଷ୍ଟତମ ତତ୍ତ୍ୱ ସହିତ ବୁଝାମଣା କଲେ ଓ ଅଲ୍ଲୀ ବନ୍ଧୁଙ୍କ ସହିତ ପ୍ରେମର ସମ୍ପର୍କ ଗାଢ଼ କଲେ ଜିନ୍ନା ଚିଡ଼ିିଯାଇ କଂଗ୍ରେସଠୁ ପୃଥକ ହୋଇଗଲେ ଓ ଗାନ୍ଧୀଙ୍କ ପ୍ରତି ତାଙ୍କ ମନରେ ଘୃଣା ଉତ୍ପନ୍ନ ହେଲା । ଏହା କେବେ ଦୂରୀଭୂତ ହେଲାନାହିଁ । ଏହା ସତ୍ୱେ ଜିନ୍ନା ୧୯୩୦ ପର୍ଯ୍ୟନ୍ତ ହିନ୍ଦୁ-ମୁସଲିମ ଏକତାର ଦୂତ ବୋଲି ମାନ୍ୟ ଥିଲେ । କେବଳ ମୋତିଲାଲ ନେହେରୁ ନୁହେଁ ପଣ୍ଡିତ ମଦନମୋହନ ମାଲବୀୟଙ୍କ ସହିତ ମଧ୍ୟ ତାଙ୍କର ବହୁତ ଭଲ ସମ୍ବନ୍ଧ ଥିଲା । ରାଜନୀତିରେ ସେ ସଂସଦୀୟ ମାର୍ଗରେ ଥିବା ଉଦାର ବିଚାରବାଦୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଖିଆଲ ଥିଲା କି ହିନ୍ଦୁସ୍ତାନକୁ ବ୍ରିଟ୍ରିଶ ସାମ୍ରାଜ୍ୟ ଭିତରେ ଅଷ୍ଟ୍ରେଲିଆ ଓ କାନାଡ଼ା ପରି ଉପନିବେଶବାଦ ପଦପ୍ରାପ୍ତ ହେଇଯିବ । ଏହାଠୁ ବେଶି ସେ କେବେ କାମନା କରିଥିଲେ ନା ସେ ନିଜକୁ କେବେ କ୍ରାନ୍ତିକାରୀ ଦେଖାଇବାକୁ ପ୍ରଯତ୍ନ କରିଥିଲେ ।

ଜିନ୍ନା ସବୁବେଳେ ମୁସଲିମ ଭୋଟ ଦ୍ୱାରା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହେଉଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ଅନୁଭବ ହେଲା ଯେ ଗାନ୍ଧୀ ଓ ତାଙ୍କ ଅନୁଗାମୀଙ୍କ ପ୍ରଭାବରେ ତାଙ୍କର କୌଣସି ଉନ୍ନତି ହେବନାହିଁ ସେ ମୁସଲିମ ଲିଗର ନେତା ରୂପେ ନିଜକୁ ପ୍ରତିଷ୍ଠିତ କରାଇବାରେ ଯତ୍ନଶୀଳ ହେଲେ । ଗାନ୍ଧୀ ଧର୍ମ ଓ ରାଜନୀତିକୁ ପରସ୍ପର ସହିତ ଛନ୍ଦିଥିଲେ । ଏବେ ସେ ଗାନ୍ଧୀଙ୍କୁ ଗାନ୍ଧୀଙ୍କର ବିଚାର ଦ୍ୱାରା ହରାଇବାକୁ ଭାବିଲେ । ଏଣୁ ସେ ଗାନ୍ଧୀ ଓ କଂଗ୍ରେସକୁ ହିନ୍ଦୁଙ୍କ ପ୍ରତିନିଧି ଓ ନିଜକୁ ଓ ମୁସଲିମ ଲିଗକୁ ମୁସଲମାନଙ୍କ ପ୍ରତିନିଧି କହିବା ଆରମ୍ଭ କଲେ ।

ଜିନ୍ନା ଓ ମୁସଳିମ ଲିଗର ଅନ୍ୟ ନେତା ଧର୍ମର କେବଳ ସେମିତି ସାହାରା ନେଲେ ଯେମିତିକି ମୁସଲମାନଙ୍କୁ ଧର୍ମର ଆଧାରରେ ହିନ୍ଦୁଙ୍କୁ ପୃଥକ ସମୁଦାୟ କହିଲେ । ସେ କହିଲେ, ଉଭୟ ଧର୍ମ କେବଳ ଭିନ୍ନ ନୁହେଁ , ରାଜନୀତି, ଇତିହାସ, ସଂସ୍କୃତି ଓ ଭାଷା ସବୁ ଅଲଗା, ଅଲଗା । ପୁଣି ହିନ୍ଦୁ ବହୁ ସଂଖ୍ୟକ, ଅନେକ ଧନ ସମ୍ପତ୍ତିର ମାଲିକ, ନାନା ବଡ଼ ବଡ଼ ଉଦ୍ୟୋଗ , ଧନ୍ଦା ଆଦିରେ ନିୟୋଜିତ ଅଛନ୍ତି ଓ ସେମାନେ ମୁସଲମାନଙ୍କୁ ଶୋଷଣ କରୁଛନ୍ତି । ଯଦି ଇଂରେଜ ଚାଲିଯିବା ପରେ ହିନ୍ଦୁ ଓ ମୁସଲମାନ ଏକାଠି ରହିବେ ଏହି ଶୋଷଣ ଆହୁରି ବଢ଼ିଯିବ ଯେପରି ସବର୍ଣ୍ଣ ହିନ୍ଦୁ ନିମ୍ନ ଜାତିର କୋଟି କୋଟି ହିନ୍ଦୁଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଅଛୁଆଁ କହି ଭେଦଭାବ କରିଆସୁଛନ୍ତି, ସେମାନେ ମୁସଳମାନଙ୍କ ପ୍ରତି ବି ସମ ର୍ଦୁବ୍ୟବହାର କରିବେ ।

ମୁସଲମାନ ସମ୍ପ୍ରଦାୟ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତେଣୁ ସେମାନଙ୍କ ଉପରେ ଏହି ପ୍ରଚାରର ପ୍ରଭାବ ପଡ଼ିଲା ଯଦିଓ ଖୋଦ୍ ମୁସଲିମ ଲିଗ ନୱାବ, ଖାନ ବାହାଦୂର, ବଡ଼ ବଡ଼ ଜମିଦାର ଓ ସବୁ ପ୍ରକାରର ପ୍ରତିକ୍ରିୟାବାଦୀ ତତ୍ୱର ପ୍ରତିନିଧିଙ୍କ ସଂସ୍ଥା ଥିଲା । କିନ୍ତୁ ପରିଶ୍ରମୀ ମୁସଲମାନ ଜନତା ଏହି କଥା ଭୁଲି ନିଜକୁ ଶୋଷିତ ଓ ହିନ୍ଦୁଙ୍କୁ ଶୋଷକ ବୋଲି କହିବୁଲିଲେ । ପୁଣି ଜିନ୍ନାଙ୍କ ନେତୃତ୍ୱରେ ମୁସଲିମ ଲିଗ ଯେବେ ଏହି ପ୍ରଚାର ଆରମ୍ଭ କଲେ ତେବେ ୧୯୩୫ India Act ଅନୁଯାୟୀ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଢ଼ାଯାଇ ସାରିଥିଲା । ଏହି ମନ୍ତ୍ରିମଣ୍ଡଳ ୧୯୩୭ରୁ ୧୯୩୯ ପର୍ଯ୍ୟନ୍ତ କ୍ଷମତାରେ ରହିଲେ । ଏହି ଦୁଇ ବର୍ଷ ଶ୍ରମିକ ଓ କୃଷକଙ୍କ ସଙ୍ଘର୍ଷ ତୀବ୍ରତର ହେଲା ଓ କଂଗ୍ରେସ ମନ୍ତ୍ରିମଣ୍ଡଳ କାରଖାନାର ମାଲିକ ଓ ଜମିଦାରଙ୍କ ପକ୍ଷ ନେଇ ଶ୍ରମିକ ଓ କୃଷକଙ୍କ ଉପରେ ପ୍ରହାର କଲେ । ଅଧିକାଂଶ କାରଖାନାର ମାଲିକ ଓ ଜମିଦାର ହିନ୍ଦୁ ଥିଲେ ଓ ଶ୍ରମିକ କୃଷକ ଅଧିକ ସଂଖ୍ୟାରେ ମୁସଲମାନ ଥିଲେ । ଏହା ଦ୍ୱାରା ମୁସଲମାନ ଲିଗକୁ ଟିପ୍ପଣୀ କରିବାକୁ ମଉକା ମିଳିଲା ଯେ ଦେଖ, ହିନ୍ଦୁ କଂଗ୍ରେସ ସରକାର ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏହା ଦ୍ୱାରା ଘୃଣା ବ୍ୟାପକ ଆକାର ଧାରଣ କଲା ଓ ମୁସଳମାନ ସମୁଦାୟଙ୍କ ବିଚାର, ମନୋଭାବ ମୁସଲିମ ଲିଗ ଛାୟାରେ ପ୍ରତିପାଳିତ ହେବାକୁ ଲାଗିଲା । ଶେଷରେ ଦୁଇ ଧର୍ମାନୁବଲମ୍ବୀ ହିନ୍ଦୁ ଏବଂ ମୁସଲିମ ଏପରି ଭାଗ ଭାଗ ହେଇଗଲେ ଯେ ମୁସଲିମ ଲିଗ ଆୟୋଜିତ ୧୯୪୦ର ଶ୍ରମିକ ଅଧିବେଶନରେ ପାକିସ୍ତାନର ପ୍ରସ୍ତାବ ପାଶ୍ କରିବାରେ ସଫଳ ହେଲେ ।

ଏହା ପରେ ବି ଜିନ୍ନା କଳ୍ପନା ସୁଦ୍ଧା କରି ନଥିଲେ ଯେ ଦେଶର ବିଭାଜନ ସମ୍ଭବ ହେବ । ସେ କେବଳ ଏପରି ପ୍ରସ୍ତାବର ଚାପ ଦ୍ୱାରା ମୁସଲମାନଙ୍କ ପାଇଁ ଅଧିକ ସୁବିଧା ଓ ସୁଯୋଗ ହାସଲ କରିବାକୁ ଚାହୁଁଥିଲେ । ଯଦି ସେ ପ୍ରକୃତରେ ବିଭାଜନ ଚାହୁଁଥିଲେ ୧୯୪୫ରେ ନିଜ ପୁରୁଣା ବଙ୍ଗଳାକୁ ନୂଆ ରୂପେ ଗଢ଼ିବା ପାଇଁ କେବେ ବି ଚେଷ୍ଟା କରିନଥାଆନ୍ତେ । କିନ୍ତୁ ଘୃଣାର ଯେଉଁ ମଞ୍ଜି ବୁଣାଯାଇଥିଲା ତାହାର ପରିଣାମ ସ୍ୱରୂପ ଦେଶ ବିଭାଜନ ଅବଶ୍ୟମ୍ଭାବୀ ଥିଲା । ୧୯୪୬ରେ ଯେବେ ପୁଣି ଥରେ କ୍ରାନ୍ତିର ଢେ଼ଉ ସାରା ଦେଶରେ ସଞ୍ଚରି ଗଲା ସେତେବେଳେ ମୁସଲିମ ଲିଗ ଓ କଂଗ୍ରେସ ପ୍ରତିକ୍ରିୟାବାଦୀ ନେତୃବୃନ୍ଦଙ୍କ ଆଉ କିଛି ଉପାୟ ନଥିଲା । ବ୍ରିଟିଶ ସାମ୍ରାଜବାଦୀ ପୂର୍ବରୁ ଦେଶ ବିଭାଜନ କରିବା ନିମନ୍ତେ କ୍ରାନ୍ତିକାରୀ ଶକ୍ତି ସମୁହକୁ ନିଷ୍କ୍ରିୟ କରିବାକୁ ଷଡ଼ଯନ୍ତ୍ର କରିସାରିଥିଲେ ।

ସାଧାରଣତଃ ଲୋକେ ବିଭାଜନର ଉତ୍ତରଦାୟୀ ଜିନ୍ନା ଅଥବା ମୁସଲିମ ଲିଗ ବା ମୌଲାନା ଆଜାଦଙ୍କ ପରି ସର୍ଦ୍ଧାର ପଟେଲ ବା ଜବାହାରଲାଲଙ୍କୁ ମାନନ୍ତି । ଏପରି ବିଚାର କରୁଥିବା ସମୟରେ ସେମାନେ ଗାନ୍ଧୀ ଓ କଂଗ୍ରେସର ବର୍ଗ ଚରିତ୍ର କଥା ଭୁଲିଯାଆନ୍ତି । ପ୍ରକୃତ କଥା ଜାଣିବା ପାଇଁ ଅଧିକ ବିସ୍ତାରିତ ଜାଣିବା ଆବଶ୍ୟକତା ନାହିଁ । ଏକ-ଦୁଇ ଉଦାହରଣ ଯଥେଷ୍ଟ ।

ଆଲାନ କାମ୍ପବେଲ ଜନସନ, ପ୍ରେସ ଆଟାଚି ବା ସରକାରଙ୍କ ତରଫରୁ ପ୍ରଚାରତନ୍ତ୍ର / ଗଣମାଧ୍ୟମ ସହିତ ଯୋଗାଯୋଗ ଲାଗି ନିଯୁକ୍ତ କର୍ମକର୍ତ୍ତା ସେ ସମୟରେ ଲର୍ଡ ମାଉଣ୍ଟବାଟେନଙ୍କ ସହିତ ଦିଲ୍ଲୀରେ ଥିଲେ । ସେ ନିଜ ପୁସ୍ତକ ‘ଭାରତ ବିଭାଜନ’ର କାହାଣୀରେ ଲେଖିଛନ୍ତି:

ଅନ୍ତରୀଣ ସରକାରଙ୍କ ବିତ୍ତ ମନ୍ତ୍ରୀ ଦାୟିତ୍ୱରେ ଥିବା ଲିକାୟତ ଅଲ୍ଲୀ ଖାନ ଆମଦାନୀ କର ଲାଗୁ ପ୍ରସ୍ତାବ ରଖି କଂଗ୍ରେସକୁ ବଡ଼ ଅସୁବିଧାରେ ପକାଇଦେଲେ । ନିଜ ଧନୀ ସମର୍ଥକଙ୍କୁ ବଞ୍ଚାଇବା ପାଇଁ ଏବେ ନିଜ ପ୍ରଗତିଶୀଳ ତଥା ସମସ୍ତ ବର୍ଗଙ୍କୁ ସମାନ ଅଧିକାରେ ପ୍ରଦାନ କଲା ଭଳି ଘୋଷଣା ବିପରୀତ ତାଙ୍କୁ ରିହାତି ଦାବୀ କରିବାକୁ ପଡ଼ିବ । ସାଧାରଣ ଭାବନା ଏହା ଥିଲା ଯେ କିଛି ବୁଝାମଣାର ରାସ୍ତା ବାହାରି ଆସିବ କାରଣ ନିଜ ଧନୀ ସମର୍ଥକ ଉପରେ କର ଲଗାଇ ମୁସଲିମ ଲିଗ ଓ କଂଗ୍ରେସ ଉଭୟ ସୀମା ଲଙ୍ଗିବାକୁ ଅବଶ୍ୟ ଚାହିଁବେନି (ପୃ. ୩୫) ।

ଲିଖାୟତ ଅଲ୍ଲୀ ଭାରି କର ଲଗାଇବାର ପ୍ରସ୍ତାବ କଂଗ୍ରେସକୁ ଚିଡ଼ାଇବା ପାଇଁ ଏବଂ ଲିଗର ମୁସଲିମ ସମର୍ଥକଙ୍କୁ ପ୍ରସନ୍ନ କରିବାକୁ ବାଢ଼ିିଥିଲେ । ନହେଲେ ତାଙ୍କର ଏପରି ଉଦ୍ଧେଶ୍ୟ ନଥିଲା । କାରଣ ପାକିସ୍ତାନ ଗଢ଼ିବା ପରେ ବଡ଼ ଆମଦାନୀ ଉପରେ ଏମିତି ବଡ଼ କର କେବେ ଲାଗିନଥିଲା । ସେ ଯାହା ହେଉ ବୁଝାମଣାର ବାଟ ଖୋଜାହେଲା । ମାଉଣ୍ଟବାଟେନ ରାଜା, ନବାବ, କଂଗ୍ରେସ ଓ ମୁସଲିମ ଲିଗର ନେତାଙ୍କ ସହିତ ଆଲୋଚନା କଲେ । ଜନସନ ଲେଖନ୍ତି-

ସମସ୍ତ ସମସ୍ୟାର ସମାଧାନ ପାଇଁ ମହାତ୍ମା ଗାନ୍ଧୀ ଏକ ଆଶ୍ଚର୍ଯ୍ୟଜନକ ପ୍ରସ୍ତାବ ଦେଲେ । ସେ କହିଲେ ବର୍ତ୍ତମାନର ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ଜିନ୍ନାଙ୍କୁ ପୂର୍ଣ୍ଣ ଭାବେ ମୁସଲିମ ମନ୍ତ୍ରୀମଣ୍ଡଳ ତିଆରି କରିବା ଲାଗି ଆମନ୍ତ୍ରଣ କରାଯାଉ ।

ମାଉଣ୍ଟବ୍ୟାଟେନ ପଚାରିଲ, “ଜିନ୍ନାଙ୍କ କ’ଣ ପ୍ରତିକ୍ରିୟା ହେବ?”

ଗାନ୍ଧୀ ଉତ୍ତର ଦେଲେ, “ଜିନ୍ନା କହିବେ, ଏହା ଧୂର୍ତ୍ତ ଗାନ୍ଧୀର ଚାଲ ବୋଲି ।”

ମାଉଣ୍ଟବ୍ୟାଟେନ ହସିକରି ପ୍ରଶ୍ନ କଲେ, “ତାଙ୍କର ଏପରି କହିବା କ’ଣ ଠିକ ନୁହେଁ?”

“ନା”, ଗାନ୍ଧୀ କହିଲେ, ମୁଁ ହୃଦୟରୁ ଏକଥା କହୁଛି (ପୃ. ୪୮)

ଏହା କୌଣସି ଔପଚାରିକ ଆଲୋଚନା ନଥିଲା ଓ ଜିନ୍ନା ବି ଛୋଟ ପିଲା ନଥିଲେ ଯେ ଏହା ସ୍ୱୀକାର କରିଥାଆନ୍ତେ । ଶେଷରେ ବିଭାଜନର ନିର୍ଣ୍ଣୟ ହେଲା ଯାହା କଂଗ୍ରେସ ଓ ଜିନ୍ନା ମାନିଲେ ଓ ଗାନ୍ଧୀ ୭ ମଇ ୧୯୪୭ରେ ନିଜ ପ୍ରାର୍ଥନା ସଭାରେ ଏହି ନିଷ୍ପତ୍ତି ଏହି ଶବ୍ଦରେ ପ୍ରକାଶ କଲେ-

“କାଲି ମୁଁ ଜିନ୍ନା ସାହେବଙ୍କ ନିକଟକୁ ଯାଇଥିଲି । ଆମ ମଧ୍ୟରେ ରାଜନୈତିକ ମତଭେଦ ଅନେକ ଅଛି । ସେ ପାକିସ୍ତାନ ମାଗୁଛନ୍ତି ଓ ମୁଁ ଏହାର ବିରୋଧ କରୁଛି । କିନ୍ତୁ କଂଗ୍ରେସ ପ୍ରାୟତଃ ନିର୍ଣ୍ଣୟ ନେଇଯାଇଛନ୍ତି ଯେ ପାକିସ୍ତାନ ଗଠନ ଦାବି ପୂରଣ କରିଦିଆଯାଉ । ହଁ ପଞ୍ଜାବ ଓ ବଙ୍ଗାଳର ଯେଉଁ ଇଲାକାରେ ହିନ୍ଦୁଙ୍କ ବହୁମତ ଅଛି ବା ସଂଖ୍ୟା ଅଧିକ ତାହା ପାକିସ୍ତାନକୁ ନମିଳୁ । କେବଳ ସେହି ପ୍ରଦେଶ ପାକିସ୍ତାନକୁ ମିଳିବ ଯେଉଁଠାରେ ମୁସଲମାନଙ୍କ ବହୁମତ ଅଛି ।

ମୁଁ ତ ଏହାକୁ ବି ବିରୋଧ କରୁଛି । ଦେଶର ଟୁକୁଡ଼ା କରିବା କଥାରେ ମୁଁ ଥରିଉଠୁଛି । କିନ୍ତୁ ଏପରି ଚିନ୍ତା କରିବା ମୁଁ ଏକମାତ୍ର ବ୍ୟକ୍ତି ଏହି ସମୟରେ । ମୁଁ କୌଣସି ପକ୍ଷର ସମର୍ଥନ କରୁନି । କିନ୍ତୁ ସାହେବଙ୍କୁ ମୁଁ ସଫା ସଫା କହିଦେଇଛି । ମୁଁ ହିନ୍ଦୁ , ମୁସଲମାନ , ପାର୍ଶୀ, ଶିଖ, ଜୈନ, ଖ୍ରୀଷ୍ଟଧର୍ମାବଲମ୍ବୀ ଆଦି ସମସ୍ତ ଜାତିର ସେବକ ଅଟେ । ତେଣୁ ପାକିସ୍ତାନ ନିର୍ମାଣରେ ମୁଁ ଆଗ୍ରହ ରଖିବି ନାହିଁ ଓ ତା’ର ସ୍ୱୀକୃତିରେ ମୁଁ ହସ୍ତାକ୍ଷର କରିବିନି । ମୁଁ ଜିନ୍ନା ସାହେବଙ୍କୁ ଏହା ବି ନମ୍ରତା ପୂର୍ବକ କହିଲି ଯେ ଆପଣ ହିଂସା ବା କାପୁରୁଷ ବ୍ୟବହାର ଦ୍ୱାରା ପାକିସ୍ତାନ ନେଇ ପାରିବନି । ଶାନ୍ତିରେ ସାରା ଦେଶକୁ ଆପଣଙ୍କୁ ସମର୍ପି ଦେଲେ ମଧ୍ୟ ମୁଁ ଖୁସି ହେବି । ଏପରି ହେବ ତ ପ୍ରଥମେ ତୁମକୁ ଅଭିନନ୍ଦନ କରିବି । ( ମନୁ ବହନ, ବିହାର କୀ କୌମି ଆଗ ମେ, ପୃଷ୍ଠା ୧୯୨)

ଗାନ୍ଧୀ ଏହା ମଧ୍ୟ କହିଥିଲେ ଯେ ପାକିସ୍ତାନ ମୋ ଶବ ଉପରେ ନିର୍ମାଣ ହେବ ଓ ଯେବେ ତିଆରି ହେଇଗଲା ନିଜ ପ୍ରତିକ୍ରିୟା ଏପରି ଧୂର୍ତ୍ତତାପୂର୍ଣ୍ଣ ଢ଼ଙ୍ଗରେ ଦେଖାଇଲେ । ଭାବନ୍ତୁ ଯେବେ ମାଉଣ୍ଟବାଟେନ ଓ ଜିନ୍ନାଙ୍କ ସହିତ ବୁଝାମଣା ସ୍ୱୟଂ ଗାନ୍ଧୀ କରୁଥିଲେ ଅନ୍ୟ କଂଗ୍ରେସ କିଏ ? କ’ଣ ଗାନ୍ଧୀଙ୍କ ବିନା କଂଗ୍ରେସ ଦ୍ୱାରା କୌଣସି ନିର୍ଣ୍ଣୟ ସମ୍ଭବ ଥିଲା ? ଆଉ ଯେବେ ପାକିସ୍ତାନ ହେଇଗଲା ତା’ହେଲେ ଜିନ୍ନାଙ୍କୁ ଏହା କହିବାର କ’ଣ ଉଦ୍ଧେଶ୍ୟ ଯେ ସେ ହିଂସା ଦ୍ୱାରା ପାକିସ୍ତାନ ନେଇପାରିବେ ନାହିଁ ଆଉ ମଜାର କଥା ଏହି ଯେ ଦେଶ ବିଭାଜନକୁ ସ୍ୱାଧୀନତାର ନାମ ଦେଇ ତା’ର ଶ୍ରେୟ ଗାନ୍ଧୀଙ୍କୁ ଦିଆଗଲା ଓ ଦୁନିଆ ସାରା ଘୋଷଣା କରାଗଲା :

ଦେ ଦି ହମେ ଆଜାଦୀ ବିନା ଖଡଗ, ବିନା ଢାଲ,
ସାବରମତି କେ ସନ୍ଥ ତୁନେ କର ଦିଆ କମାଲ ।।

ସାବରମତୀର ସନ୍ଥ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କଲ,
ବିନା ଖଢ଼ଗ ବା ଢାଲ ଆମକୁ ସ୍ୱାଧୀନତା ଆଣିଦେଲ ।

ସମାଜ, ବ୍ୟବସ୍ଥା, ପ୍ରଶାସନ-ପ୍ରଣାଳୀ, ଶିକ୍ଷା-ପ୍ରଣାଳୀ ଯେମିତିକୁ ସେମିତି ରହିଲା । ବାହୁ ଓ ଅର୍ଥରେ ବଳବାନଙ୍କ ଶୋଷଣ, ଧର୍ମ ଓ ଜାତିର ଦମନ ସେମିତି ରହିଲା । ଏହା କିପରି ସ୍ୱାଧିନତା ଥିଲା ଏହା ତ ଜନତା ପିଠିରେ ପଛରେ ଛଳ-କପଟଭରା ରାଜନୀତି ଦ୍ୱାରା ଜନ୍‌ଙ୍କ ଜାଗାରେ ଗୋବିନ୍ଦଙ୍କୁ ବସାଇ ଦିଆଗଲା । ଏଣୁ ଏସବୁ ଯଦି ଗାନ୍ଧୀଙ୍କ ଅହିଂସା ଦ୍ୱାରା ସମ୍ଭବ ହେଇଗଲା, ତା’ହେଲେ ଦେଶର ବିଭାଜନ ଦ୍ୱାରା ଯେଉଁ ଲକ୍ଷ ଲକ୍ଷ ନିରପରାଧ ବ୍ୟକ୍ତିଙ୍କ ଜୀବନ ଚାଲିଗଲା ଓ କୋଟି କୋଟି ସମ୍ପତ୍ତି ନଷ୍ଟ ହେଲା ଏ ସମସ୍ତ ଉତ୍ତର ଦାୟୀ କିଏ ହେବେ? ଏସବୁରେ ତା’ର କ୍ରାନ୍ତି ବି ସଫଳତା ପୂର୍ବକ ସମ୍ଭବ ଥିଲା ଓ ରାଷ୍ଟ୍ରର ଚରିତ୍ର ସୁଦୃଢ଼ ହେଇଥାଆନ୍ତା । ବିଭାଜନର ନିର୍ଣ୍ଣୟ ବି ଭୌଗଳିକ, ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ଭୁଲ ଥିଲା । ଏହି କଥା ଏବେ ଅସମ୍ଭବ ଲାଗୁଛି, କିନ୍ତୁ ଆମର ଏହା ଦୃଢ଼ ବିଶ୍ୱାସ ଯେ ଶେଷରେ ହିନ୍ଦୁସ୍ତାନ ଓ ପାକିସ୍ତାନ ଏକ ହେବ ଓ କ୍ରାନ୍ତି ପରେ ବିଭିନ୍ନ ଜାତିର ସଙ୍ଘୀୟ ସରକାର ସ୍ଥାପିତ ହେବ । ଏହି ମାମଲାରେ ପାକିସ୍ତାନଠୁ ଆଗୁଆ ଅଛି ।

ଦେଶର ବିଭାଜନ ଘୃଣିତ ଅପରାଧ ଥିଲା । ପ୍ରକୃତ ଅପରାଧୀ ଦଣ୍ଡିତ ହେବା ଉଚିତ ଥିଲା ଓ ଶେଷରେ ସେ ଦଣ୍ଡିତ ହେଲେ ମଧ୍ୟ । ନାଥୁରାମ ଗଡ଼ସେ ୩୦ ଜାନୁଆରୀ ୧୯୪୮ରେ , ବିଭାଜନରେ ଚାରି-ପାଞ୍ଚ ମାସ ପରେ ବିରଳା ଭବନରେ ଗାନ୍ଧୀଙ୍କୁ ବଦ୍ଧ କଲେ । ସେ କହିଲେ, “ମୁଁ ଚାହୁଁନଥିଲି ଯେ ଏହି ବ୍ୟକ୍ତିଙ୍କ ପ୍ରାକୃତିକ ମୃତ୍ୟୁ ହେଉ । ମୁଁ ଏହାଙ୍କୁ ବଦ୍ଧ କରି ଇତିହାସରେ ପ୍ରଶ୍ନ ଚିହ୍ନ ଲଗାଇଦେବାକୁ ଚାହେଁ ।” ପ୍ରଶ୍ନ ଚିହ୍ନ ନିଶ୍ଚୟ ଲାଗିଲା, ଯାହା ଦିନକୁଦିନ ବିଶାଳ ଓ ଗାଢ଼ ହେଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top