ଅନୁବାଦ ସାହିତ୍ୟ

ଉଚ୍ଚ ନ୍ୟାୟଳୟରେ ଅପିଲ ପୂର୍ବରୁ

Uchch Nyayalayare Apil Purbaru : Mun Gandhi Badha Kana Pain Karili ? an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

ନ୍ୟାୟାଳୟରେ ଦିଆଯାଇଥିବା ବକ୍ତବ୍ୟର ଅନାକାଂଶ ଇତିହାସ ପର୍ଯ୍ୟବେସିତ ଏବଂ କିଛି ଅନ୍ତଃକରଣ ପ୍ରସୂତ ସାହିତ୍ୟ ।

ଉଚ୍ଚ ନ୍ୟାୟଳୟରେ ଅପିଲ ପୂର୍ବରୁ

ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିବା ଆରୋପୀଙ୍କ ମଧ୍ୟରୁ ନାଥୁରାମ ବି.ଗଡ଼ସେ ନିଜ କୃତକର୍ମ (ଗାନ୍ଧୀ ହତ୍ୟା)କୁ ଅସ୍ୱୀକାର କରି ନ ଥିଲେ । ୩୦ଜାନୁଆରୀ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ନାଥୁରାମ ଗଡ଼ସେ । ଏହି ଜଘନ୍ୟ ଅପରାଧ ହେତୁ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହି ରାୟ ବିରୁଦ୍ଧରେ ସେ ଅପିଲ କରି ନ ଥିଲେ । ସେ ନିଜର ଅପିଲ ଓ ଯୁକ୍ତି ଅନ୍ୟାନ୍ୟ ପ୍ରମାଣିତ ଆରୋପ ଆଧାରରେ ଏବଂ ତାହାରି ପରିସୀମାରେ ସୀମିତ ରଖିଥିଲେ । ଏହି ଅଦାଲତରେ ସେ ନିଜର ବକ୍ତବ୍ୟ ସ୍ୱୟଂ ପ୍ରସ୍ତୁତ କରିଥିଲେ । ତର୍କ ପ୍ରଦାନ କରିବା ସମୟରେ ସ୍ଥିତିର ଯେଉଁ ବିବେଚନା ଦେଲେ ସେଥିରୁ ତାଙ୍କର ବିଚକ୍ଷଣ ବୁଦ୍ଧିବତ୍ତା ଥିବା ପ୍ରତୀତ ହେଲା । ମୁଁ ସଂପୂର୍ଣ୍ଣ ବିଶ୍ୱାସର ସହ କହିବାକୁ ଚାହିଁବି ଯେ କୌଣସି ଆଇନକାନୁନ ସମ୍ବନ୍ଧୀୟ ପେସାଦାର ବିଶେଷଜ୍ଞଙ୍କ ଅନୁରୂପ ସ୍ୱୀୟ ବୟାନ ପ୍ରସ୍ତୁତ କରିଥିଲେ ନାଥୁରାମ ।

(“ Of all the Appellants Nathuram V. Godse has not challenged his conviction under Sec. 302 of the Indian Penal Code nor has he appealed from the sentence of death passed on him in respect of the offence. He has confirmed his appeal and also his arguments at the Bar only to the other charges which have been found proved against him”…he personally argued his appeal, I must say, with conspicuous ability evidencing a mastery of facts which would have done credit to any councel.”)

ସେ ସମୟରେ ଦିଲ୍ଲୀ ଲାଗି ଉଚ୍ଚ ନ୍ୟାୟାଳୟ ପଞ୍ଜାବରେ ଅବସ୍ଥିତ ଥିଲା । ବିଭାଜନ ପଶ୍ଚାତ୍ ତାହା ସିମଲାରେ ସ୍ଥିତ ହେଲା । ସେହି ନ୍ୟାୟାଳୟରେ ଗାନ୍ଧୀ-ହତ୍ୟା ଅଭିଯୁକ୍ତଙ୍କ ଦଣ୍ଡ ବିଷୟକ ଅପିଲର ଶୁଣାଣି ହେଲା । ୨୨ ଜୁନ, ୧୯୪୯ରେ ନ୍ୟାୟମୂର୍ତ୍ତି ନିଜର ନିର୍ଣ୍ଣୟ ଦସ୍ତାବିଜ ପଢ଼ିଲେ ।

ନ୍ୟାୟପୀଠ ବେଞ୍ଚରେ ନ୍ୟାୟମୂର୍ତ୍ତି ଶ୍ରୀ ଭଣ୍ଡାରୀ, ଶ୍ରୀ ଅଚ୍ଛରୁରାମ ଏବଂ ଶ୍ରୀ ଜି.ଡ଼ି ଖୋସଲା ଥିଲେ । ଶ୍ରୀ ଭଣ୍ଡାରୀ ଓ ଶ୍ରୀ ଅଚ୍ଛରୁରାମ ସ୍ୱ ସ୍ୱ ନିର୍ଣ୍ଣୟ ପ୍ରସ୍ତୁତ କରିଥିଲେ । ସେସବୁ ନିର୍ଣ୍ଣୟ ସମାନ ଥିଲା । ଶ୍ରୀ ଖୋସଲା ଏହି ଦୁଇ ନ୍ୟାୟମୂର୍ତ୍ତିଙ୍କର ରାୟର କିଛି ଅଂଶର ପୁଷ୍ଟି କରିଥିଲେ ।

ଡା.ପରଚୁରେ ଏବଂ ଶଙ୍କର କିସ୍ତେୟାଙ୍କୁ ଉଚ୍ଚ ନ୍ୟାୟଳୟ ଦୋଷମୁକ୍ତ ସାବ୍ୟସ୍ତ କଲେ । କରକରେ, ମଦନଲାଲ ପାହୱା ଏବଂ ଗୋପାଳ ଗଡ଼ସେଙ୍କୁ ଆଜୀବନ କାରାବାସ, ନାଥୁରାମ ଓ ନାନା ଆପଟେଙ୍କ ଫାଶୀ ଦଣ୍ଡାଦେଶ କାଏମ ରହିଲା ।

ଅପିଲ ଶୁଣାଣି ଅବଧିରେ ନ୍ୟାୟମୂର୍ତ୍ତି ନାଥୁରାମଙ୍କ ହାବଭାବ, ଚିନ୍ତାଧାରା, ବକ୍ତବ୍ୟରେ ପ୍ରଭାବିତ ହୋଇ ନିଜ ଅଭିମତ ବ୍ୟକ୍ତ କରିଥିଲେ । ଏହି ଅଧ୍ୟାୟରେ ନାଥୁରାମଙ୍କ ଅପିଲ ସମ୍ବନ୍ଧରେ ତଥା ତାଙ୍କର କ୍ଷମତା ବିଷୟରେ ଯେଉଁ ମତ ପ୍ରାରମ୍ଭରେ ଉଲ୍ଲେଖ କରାଯାଇଛି ତାହା ନ୍ୟାୟମୂର୍ତ୍ତି ଶ୍ରୀ ଅଚ୍ଛରୁରାମ ନିଜ ନିର୍ଣ୍ଣୟପତ୍ରର ପୃଷ୍ଠା ୨୦୪ ଏବଂ ୨୦୬ରେ ଅଙ୍କିତ କଲେ ।

‘ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିଲେ ତଥାପି ସେ ଗଭୀର ଅଧ୍ୟୟନ କରିଥିଲେ । ତାଙ୍କ ପ୍ରତିବେଦନର ଶୁଣାଣି ବେଳେ ଇଂରାଜୀରେ ଗଭୀର ଜ୍ଞାନ ଏବଂ ଚିନ୍ତା ଓ ବିଚାରଶୀଳତାର ସ୍ପଷ୍ଟ କ୍ଷମତା ଦର୍ଶନୀୟ ଥିଲା ।

(“ Although he failed in his Matriculation examination, he is widely read. While arguing his appeal he showed a fair knowledge of the English language and a remarkable capacity for clear thinking.”)

ନାଥୁରାମ ନିଜ ବକ୍ତବ୍ୟରେ କହିଥିଲେ, “୨୦ ଜାନୁଆରୀ ୧୯୪୮ରେ, ଅର୍ଥାତ୍ ଗାନ୍ଧୀଜୀଙ୍କ ପ୍ରାର୍ଥନା ସ୍ଥଳରେ ବିଷ୍ପୋରଣ ହେଲା, ସେଦିନ ମୁଁ ସେଠାରେ ନଥିଲି । ମୁଁ ପଛରେ ରହିଯାଇଥିଲି କାରଣ ମୋ ମୁଣ୍ଡ ବ୍ୟଥା ହେଉଥିଲା ।” ଏହି ସଫେଇକୁ ଖଣ୍ଡନ କଲେ ନ୍ୟାୟମୂର୍ତ୍ତି । ସେ ଅବଶ୍ୟ ମଥା ବିନ୍ଧୁଥିବା କଥା ମାନିଲେ ପରନ୍ତୁ ଏପରି ଗୁରୁତ୍ୱପୂର୍ଣ୍ଣ କ୍ଷଣରେ ତାଙ୍କ ଭଳି ସମର୍ଥ ବ୍ୟକ୍ତି ଯେ ପଛରେ ରହିଯାଇଥିବେ ଏହା ମାନିବାକୁ ସେ ପ୍ରସ୍ତୁତ ନୁହଁନ୍ତି ବୋଲି ମତ ଦେଇଥିଲେ । ସେ କହିଥିଲେ-

ପାଞ୍ଚ ସପ୍ତାହରୁ ଉର୍ଦ୍ଧ୍ୱ ଚାଲିଥିଲା ଅପିଲର ଶୁଣାଣି । ଅପିଲ ଅବଧି ବା ଯେଉଁ ଆଠ-ଦଶ ଦିନ ନାଥୁରାମ ସ୍ୱୟଂ ନିଜ ତର୍କ ନିଜେ ଉପସ୍ଥାପିତ କରିଥିଲେ, ସେହି ସମୟରେ ଆମେ ତାକୁ ଉତ୍ତମ ରୂପେ ନିରୀକ୍ଷଣ କରିଥିଲୁ । ତାଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ ମନୁୁଷ୍ୟ ପଛରେ ରହିଯିବ ଭଳି ବିଚାର କରିବ ଏହା ଆମେ ଗ୍ରହଣ କରିପାରୁନାହୁଁ ।

( “We have seen quite enough of Nathuram during the period of five weeks while we were hearing this appeal and particularly during the eight or nine days while he was arguing his case, and I cannot imagine that a man of his calibre could have even entertained the idea.”)

ନ୍ୟାୟମୂର୍ତ୍ତି ଶ୍ରୀ ଖୋସଲା ଗାନ୍ଧୀ ବଧର ପାଖାପାଖି ପନ୍ଦର ବର୍ଷ ପରେ, ସେବାନିବୃତ୍ତ ପରେ ‘ଦଶ ନ୍ୟାୟ-ନିର୍ଣ୍ଣୟ କଥା’ଶୀର୍ଷକ ଏକ ପୁସ୍ତକ ଲେଖିଥିଲେ । ସେଥିରେ ଗାନ୍ଧୀ ବଧ (The Murder of Mahatma) ଅଧ୍ୟାୟରେ ନାଥୁରାମ ଗଡ଼ସେଙ୍କ ଅଭିଯୋଗ The Case of Nathuram Godse)ସମ୍ବନ୍ଧୀୟ ବର୍ଣ୍ଣନା ମଧ୍ୟ ଅଛି । ଶ୍ରୀ ଖୋସଲାଙ୍କ ମନରେ ସେ ସମୟରେ ଯେଉଁ ଭାବନା ଅଙ୍କିତ ବା ସ୍ୱ ଅନୁଭବକୁ ହୋଇଥିଲା ତାହାରି ଶବ୍ଦାଙ୍କିତ ହୋଇଛି ପୁସ୍ତକରେ । ସେ ଲେଖନ୍ତି –

ନାଥୁରାମଙ୍କ ବକ୍ତବ୍ୟ ନ୍ୟାୟଳୟରେ ଉପସ୍ଥିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ଥିଲା । ଲୋକାରଣ୍ୟ ନ୍ୟାୟାଳୟ ପ୍ରକୋଷ୍ଠ ଏତେ ଭାବବିହ୍ୱଳ ହୋଇଯାଇଥିଲା ଯେ ଲୋକଙ୍କ ନିଶ୍ୱାସପ୍ରଶ୍ୱାସ ଶୁଣାଯାଉଥିଲା ଓ ଲୁହ ଢଳ ଢଳ ଆଖି ଓ ବୋହୁଥିବା ଅଶ୍ରୁ ବି ଦୃଷ୍ଟିଗୋଚର ହେଉଥିଲା । ନ୍ୟାୟାଳୟରେ ଉପସ୍ଥିତ ଜନତାଙ୍କ ଉପରେ ଯଦି ନ୍ୟାୟଦାନ କାର୍ଯ୍ୟ ସମର୍ପି ଦିଆଯାଇଥାନ୍ତା ତାହେଲେ ମୁଁ ନିଃସନ୍ଦେହରେ କହିପାରେ ଯେ ଅଧିକାଂଶ ଏହା କହିଥାଆନ୍ତେ ଯେ ନାଥୁରାମ ନିର୍ଦ୍ଧୋଷ ଅଟେ ।

The highlight of the appeal before us was the discourse delivered by Nathuram Godse in his defence. He spoke for several hours discussing, in the first instance , the facts of the case and then the motive which had prompted him to take Mahatma Gandhi’s life…(The Murder of the Mahatma, Page-238)

(The audience was visible and audibly moved. There was a deep silence when he ceased speaking . Many women were in tears and men were coughing and searching for their handkerchiefs. The silence was accentuated and made deeper by the sound of an occasional sniff or a muffled cough…”)

( “ I have however no doubt that had the audience of that day been constituted into a jury and entrusted with the task of deciding Godese’s appeal, they would have brought in a verdict of ‘ not guilty’ by an overwhelming majority”) (The Murder of The Mahatma , Page 234)

ନ୍ୟାୟମୂର୍ତ୍ତି କପୁର ଥରେ ନାଥୁରାମଙ୍କ କ୍ଷମତାକୁ ଆଧାର କରି ତାଙ୍କ ସମ୍ମୁଖରେ ହୋଇଥିବା ଏକ ସାକ୍ଷୀଙ୍କ ବୟାନକୁ ଖଣ୍ଡନ କରିବାକୁ ପଡ଼ିଥିଲା ।

ଗାନ୍ଧୀ ହତ୍ୟା ବାବଦରେ କ’ଣ ପୂର୍ବରୁ କେହି ଅବଗତ ନ ଥିଲେ ? ଏହାର ତଦନ୍ତ ଚାଲୁଥିବା ସମୟରେ ଗାନ୍ଧୀଙ୍କ ନାତୁଣୀ ଶ୍ରୀମତୀ ମନୁବେନ ଗାନ୍ଧୀ ମଧ୍ୟ ଜଣେ ସାକ୍ଷୀ ଥିଲେ । ସେ ଗାନ୍ଧୀଙ୍କ ସହିତ ସଦା ରହୁଥିଲେ । ସେ କହିଥିଲେ ଯେ, ୩୦ ଜାନୁଆରୀ, ୧୯୪୮ର ଦ୍ୱିପହରରେ ପାଖାପାଖି ବାରଟା ସମୟରେ ନାଥୁରାମ ବିରଳା ଭବନକୁ ଆସିଥିଲା । ଭିତରକୁ ପ୍ରବେଶ ପାଇଁ ତାକୁ କେହି ବାଧା ଦେଇନଥିଲେ । କାରଣ ଭବନ ମଧ୍ୟକୁ ସାଧାରଣ ଲୋକଙ୍କର ଅବାଧ ଯା’ଆସ ଲାଗିରହୁଥିଲା ଓ କେହି ସନ୍ଦିଗ୍ଧ ବ୍ୟକ୍ତି ପ୍ରବେଶ କରିଛନ୍ତି ବୋଲି କେହି ଗୁରୁତ୍ୱ ଦେଇ ନଥିଲେ । କାରଣ ଗାନ୍ଧୀଜୀ ଯେଉଁଠାରେ ରହୁଥିଲେ, ଶୋଉଥିଲେ, ଭୋଜନ କରୁଥିଲେ, ସେ ସ୍ଥାନ ତୀର୍ଥ ସମାନ ଦର୍ଶନୀୟ ଥିଲା ଯାହାକୁ ଦେଖିବାକୁ ଭିଡ଼ ଲାଗିରହୁଥିଲା । ନାଥୁରାମ ବି ଆସିଥିଲା । ସମ୍ଭବତଃ ସେ ପଛ ଦ୍ୱାର ଦେଇ ପ୍ରବେଶ କରିଥିଲା । ଅନେକ ବ୍ୟକ୍ତି ଗାନ୍ଧୀଜୀଙ୍କ ଦର୍ଶନ ପାଇଁ ଆସୁଥିଲେ । ସ୍ୱଚ୍ଛନ୍ଦ ପ୍ରବେଶ ଥିଲା । ସେହି ସମୟରେ ଗାନ୍ଧୀ ଖରା ପୋଉଁଥିଲେ ଓ ଯଦି ନାଥୁରାମ ଚାହିଁଥାଆନ୍ତା ସେଇଠାରେ ହିଁ ତାଙ୍କ ଉପରକୁ ଗୁଳି ଚଳାଇ ହତ୍ୟା ରଚିପାରିଥାଆନ୍ତା । ଶ୍ରୀମତୀ ମନୁବେନ କହିଲେ, ମୁଁ ନିଶ୍ଚିତ ରୂପେ କହିପାରେ ସେ ବ୍ୟକ୍ତ ଜଣକ ନାଥୁରାମ ଥିଲା । କାରଣ ଯେବେ ସନ୍ଧ୍ୟାବେଳେ ଉକ୍ତ ବ୍ୟକ୍ତି ଜଣକ ଗୁଳି କଲେ, ମନୁବେନ ତାଙ୍କୁ ଚିହ୍ନିନେଲେ । ତାଙ୍କ ଧାରଣା ଅନୁସାରେ ଯେବେ ନାଥୁରାମ ଦ୍ୱିପହରରେ ଆସିଥିଲା ଯେବେ ଗାନ୍ଧୀଜୀଙ୍କ ପ୍ରଚ୍ଛନ୍ନ ତେଜ ଦେଖି ଚକିତ ହୋଇଥିଲା । କିନ୍ତୁ ଶ୍ରୀମତୀ ମନୁବେନ ‘ବାପୁଜୀଙ୍କ ଅନ୍ତିମ ଦର୍ଶନ’ (Last Glimpse of Bapuji) ଶୀର୍ଷକ ଯେଉଁ ପୁସ୍ତକ ଲେଖିଥିଲେ ସେଥିରେ ସେ ଉପଯୁକ୍ତ ଘଟଣାର ଉଲ୍ଲେଖ କରିନାହାଁନ୍ତି । ୩୧ ଜାନୁଆରୀ, ୧୯୪୮ରେ ଅର୍ଥାତ୍ ଗାନ୍ଧୀ ହତ୍ୟାର ଦ୍ୱିତୀୟ ଦିନ ସେ ସୁରକ୍ଷା କର୍ମୀମାନଙ୍କୁ ବି ଏହି ଘଟଣା ବାବଦରେ କିଛି ବି ଜଣାଇନଥିଲେ କିନ୍ତୁ ସେ ‘ବ୍ଳିଟସ୍’ (ସାପ୍ତାହିକ ପୁସ୍ତିକା)ର ୨୬ ଜାନୁଆରୀ, ୧୯୬୯ର ସଂସ୍କରଣରେ ତାଙ୍କର ଯେଉଁ ଲେଖା ପ୍ରକାଶ ପାଇଥିଲା ସେଥିରେ ଏହି ଘଟଣାର ପ୍ରଥମଥର ଲାଗି ଉଲ୍ଲେଖ କରିଥିଲେ । ସେହି ଆଲେଖ୍ୟରେ ସେ କହିଛନ୍ତି ଯେ ଉପରୋକ୍ତ ଘଟଣା ବିଷୟରେ ସେ ପଣ୍ଡିତ ନେହେରୁ ତଥା ସର୍ଦାର ପଟେଲଙ୍କ ଅବଗତ କରିଥିଲେ । (ନ୍ୟାୟଧୀଶ କପୁର ଆୟୋଗ ପ୍ରତିବୃତ୍ତ ଖଣ୍ଡ ୧, ପୃଷ୍ଠା ୨୦୨-୨୦୩)

ଏ କଥାକୁ ନ୍ୟାୟମୂର୍ତ୍ତି କପୁର ବିଶ୍ୱାସ କରିନଥିଲେ । ତାଙ୍କ ଅନୁସାରେ ଗାନ୍ଧୀଜୀଙ୍କୁ ଜୀବନରେ ମାରିଦେବା ପାଇଁ ନାଥୁରାମର ପ୍ରତିବଦ୍ଧତା ତା’ର ବକ୍ତବ୍ୟରୁ ବି ସ୍ପଷ୍ଟ ହୁଏ । ତା’ ଲିଖିତ ଆବେଦନରେ ମନର ଯେଉଁ ଦୃଢ଼ନିଶ୍ଚୟ ଦୃଷ୍ଟିଗୋଚର ହୁଏ ତାହାକୁ ଧ୍ୟାନରେ ରଖି , ତାକୁ ଯଦି ଦ୍ୱିପହରରେ ଗାନ୍ଧୀଜୀଙ୍କୁ ହତ୍ୟା କରିବାର ସୁଯୋଗ ମିଳିଥାନ୍ତା ତାହହେଲେ ସେ ସୁଯୋଗକୁ ହରାଇ ଦେଇଥିବା ସମ୍ବାବନା କ୍ଷୀଣ ବୋଧ ହୁଏ । ସାନ୍ଧ୍ୟକାଳ ପ୍ରାର୍ଥନାସ୍ଥଳରେ ସେ ଅନୁଶୋଚନା ଦଗ୍ଧ ନଥିଲା କିନ୍ତୁ ଦ୍ୱିପହର ଗାନ୍ଧୀଜୀଙ୍କ ପରି ସନ୍ଥ ବ୍ୟକ୍ତିତ୍ୱଙ୍କୁ ଘୃଣା କରିବାର ପାପବୋଧ ଯୋଗୁଁ ଅନୁତପ୍ତ ହୋଇପଡ଼ିଥିବ ଏପରି ଧାରଣାର କାରଣ ଖୋଜିବା ନିରର୍ଥକ । କାହାର ପ୍ରାଣ ନେବା ଲାଗି ତତ୍ପର ବ୍ୟକ୍ତି ତା’ର ଲକ୍ଷ୍ୟ ବା ଶିକାରର ‘ଦର୍ଶନ’ କରିବାକୁ ଆଗ୍ରହ ରଖେନି ହେଉ ପଛେ ସେ ଗାନ୍ଧୀଜୀଙ୍କ ଭଳି ବ୍ୟକ୍ତିତ୍ୱ । ଯେପରି ନାଥୁରାମ ନିଜ ଅପିଲରେ କହିଛି ଗୁଳି ଚଳାଇବା ପଶ୍ଚାତ୍ ସୁରକ୍ଷା କର୍ମଚାରୀଙ୍କଠି ଆତ୍ମସମର୍ପଣ କରିବାକୁ ତା’ର ଯୋଜନା ଥିଲା । ଏହି କଥା ଆୟୋଗ ମାନିନଥିଲେ । (ଖଣ୍ଡ ୧ ଅନୁଚ୍ଛେଦ, ୧୨ ଏଫ/୯୧ (୫) , ପୃଷ୍ଠା ୨୦୫), ଏଥିପାଇଁ ମନୁବେନଙ୍କ ସାକ୍ଷ୍ୟ ‘ଅସିଦ୍ଧ’ ବର୍ଗରେ ରହିଲା । ତେଣୁ ଏହା ସ୍ୱୀକାର୍ଯ୍ୟ ନୁହେଁ ।

ଗାନ୍ଧୀ-ହତ୍ୟା ଭଳି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକାରୀ ଘଟଣା ସମୟରେ ନାଥୁରାମର ମନର ଅବସ୍ଥା ବିଷୟରେ ନ୍ୟାୟମୂର୍ତ୍ତି କପୁର ଯେଉଁ ଅଭିପ୍ରାୟ ରଖିଲେ, ତାହା ହିଁ ଉପରୋକ୍ତ ବିବେଚନାରୁ ସୁସ୍ପଷ୍ଟ ।

“ନାଥୁରାମର ବ୍ୟକ୍ତିତ୍ୱ କିଭଳି ଥିଲା, ବିଚାରର ବିବେଚନାର ପଦ୍ଧତି କେଉଁ ଭଳି , ଯେଉଁ କାମ ହାତକୁ ନିଅନ୍ତି ସେଥିରେ ତାଙ୍କ ନିଷ୍ଠା କି ପରି, ବାଦ-ବିବାଦ ଯୁକ୍ତି କରିବାରେ ତାଙ୍କର ପାଣ୍ଡିତ୍ୟ କି ଭଳି ଥିଲା ଆଦି କଥାର ବିବରଣୀ ମୁଁ ସ୍ୱୟଂ ବି ଦେଇପାରିବି କାରଣ ତାଙ୍କର ସେହି ଗୁଣ ବିଷୟରେ ମୁଁ ସ୍ୱୟଂ ଅବଗତ, ମୁଁ ସ୍ୱୟଂ ସାକ୍ଷୀ ସେହି ଗୁଣର । କିନ୍ତୁ ସେଥିରେ କିଛି ଭୟ ଥିଲା । ହତ୍ୟା କରିବା ବ୍ୟକ୍ତିର ଗୁଣଗାନ କରିବା ଦ୍ୱାରା ମୁଁ ହତ୍ୟା ଭଳି ଘଟଣାକୁ ଉତ୍ତେଜକ ଶୈଳୀରେ ପରିବେଷିତ କରୁଛି ବୋଲି ଆରୋପ କରାଯାଇଥାନ୍ତା । ଏହି ଆରୋପର ଛାନ୍‌ଭିନ୍ କରିବାକୁ ଅବଶ୍ୟ ନ୍ୟାୟାଳୟ ଅଛି କିନ୍ତୁ ତା’ପାଇଁ ଯେଉଁ ପ୍ରମାଣ ଯୋଗାଡ଼ କରି ପ୍ରତିରୋଧ କରିବାକୁ ପଡ଼ିଥାନ୍ତା ଏବଂ ଏଥି ଲାଗି କେତେ ପ୍ରକାରର କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାନ୍ତା ଏହା ଅନୁଭବସିଦ୍ଧ ।” ତେଣୁ ହତ୍ୟା ଯୋଗୁଁ ଫାଶୀଦଣ୍ଡାଦେଶର ଶୁଣାଣୀ କରୁକରୁ ନ୍ୟାୟମୂର୍ତ୍ତି ନାଥୁରାମର ଗୁଣର ବର୍ଣ୍ଣନା କରିଛନ୍ତି କାରଣ ନାଥୁରାମର ନିବେଦନରେ ଯେଉଁ ଐତିହାସକ ପ୍ରସଙ୍ଗ ଥିଲା ତାହା କେତେ ଦୃଢ଼ ଏବଂ ତାକୁ କିଭଳି ସମର୍ଥ ବ୍ୟକ୍ତି ଲେଖିଛନ୍ତି ଏହି କଥା ନ୍ୟାୟମୂର୍ତ୍ତିମାନେ ନାଥୁରାମର ବିଷୟରେ ଯେଉଁ ରାୟ ବ୍ୟକ୍ତ କରିଛନ୍ତି ତାହା ପାଠକ ଜାଣିପାରିବେ । ସେମାନେ ଘଟଣାର ସତ୍ୟ ଅସତ୍ୟ ବି ଜାଣିପାରିବେ ଏବଂ ସ୍ୱୟଂ ମୂଲ୍ୟାଙ୍କନ କରିପାରିବେ ।

ଗାନ୍ଧୀ ହତ୍ୟା ସଂଲଗ୍ନ ପ୍ରଶ୍ନ ଯେପରି ଦେଶ-ବିଭାଜନ, କାଶ୍ମୀର ଉପରେ ଆକ୍ରମଣ, ୫୫ କୋଟି ପ୍ରଦାନ ଭଳି ସେ ସମୟର ଚର୍ଚ୍ଚିତ ତଥା ବିବାଦୀୟ ପ୍ରସଙ୍ଗକୁ ମଧ୍ୟ ନ୍ୟାୟମୂର୍ତ୍ତି ବିବେଚନା କରିଛନ୍ତି । ଏହାର ସାରାଂଶ ପ୍ରାରମ୍ଭିକ ଅଧ୍ୟାୟରେ ଉପସ୍ଥାନିତ କରାଯାଇଛି । ‘ନିର୍ବାଚିତ ଏବଂ ଗାନ୍ଧୀଜୀ’ ଅଧ୍ୟାୟର ଅନ୍ତରେ ଯାହା ଲେଖାଯାଇଛି, ତଥା ଅନ୍ୟ ସ୍ଥାନରେ ବି ଉଲ୍ଲେଖ କରାଯାଇଛି କପୁର ଆୟୋଗଙ୍କ ରିପୋର୍ଟର ସମ୍ବନ୍ଧିତ ଭାଗରେ ବି ନାଥୁରାମର ବକ୍ତବ୍ୟ ସ୍ପଷ୍ଟ ହୁଏ ।

୫୫ କୋଟି ସଂଖ୍ୟା ହିଁ ଭାରତୀୟ ରାଜନୀତିରେ ଅଶୁଭସୂଚକ ଥିଲା । ଏହି ସଂଖ୍ୟା ଯୋଗୁଁ ଦେଶର ଅସ୍ମିତା ବଳି ପଡ଼ିଲା । ଏହି ସଂଖ୍ୟାର ବେଦିରେ କାଶ୍ମୀରରେ ଆମ ସୈନିକ ଶହୀଦ ହେଲେ । ସେହି ପ୍ରକାର ଗାନ୍ଧୀଜୀଙ୍କ ବଧ ମଧ୍ୟ ସେହି ୫୫କୋଟି ପ୍ରଦାନ ଯୋଗୁଁ ହୋଇଥିଲା । ସେହି ହତ୍ୟା ଯୋଗୁଁ କିଛି ଆନୁସଙ୍ଗିକ ଅଭିଯୋଗମାନ ଗଢ଼ିଉଠିଛି । ସେଥିରେ ଯେଉଁମାନେ ବଳି ପଡ଼ିଥିଲେ, ତାହା ସମସ୍ତ ଲକ୍ଷଣମାନରୁ ଅନୁମାନ କରିହେବ ଯେ ପର୍ଯ୍ୟାପ୍ତ ରୂପରେ ୫୫ କୋଟି ଟଙ୍କା ସଂଖ୍ୟା ଦାୟୀ ।

ନାଗପୁରର ମରାଠୀ ଖବରକାଗଜ ‘ତରୁଣ ଭାରତ’ ବୃତ୍ତ ପତ୍ରର ସମ୍ପାଦକ ଶ୍ରୀ ଗଜାନନ ତ୍ରୟମ୍ବକ ମାଡ଼ଖୋଲକରଜୀଙ୍କୁ ଶ୍ରୀ ନାଥୁରାମ ୧୪ ନଭେମ୍ବର , ୧୯୪୯ରେ ଅର୍ଥାତ୍ ଫାଶୀଦଣ୍ଡାଦେଶ କାର୍ଯ୍ୟକାରୀର ଏକ ଦିବସ ପୂର୍ବ ଏକ ପତ୍ର ଲେଖିଥିଲା । ସେ ପତ୍ର ‘ସୋବତ’ ସାପ୍ତାହିକ ପତ୍ରିକାର ଦୀପାବଳୀ, ୧୯୭୦ ଅଙ୍କରେ ଶ୍ରୀ ଗ.ବା. ବେହରଜୀ ପ୍ରକାଶ କରିଥିଲେ ।

ନାଥୁରାମଜୀ ସେହି ପତ୍ରରେ ଲେଖନ୍ତି, “ନ୍ୟାୟାଳୟରେ ଦିଆଯାଇଥିବା ବକ୍ତବ୍ୟର ଅନାକାଂଶ ଇତିହାସ ପର୍ଯ୍ୟବେସିତ ଏବଂ କିଛି ଅନ୍ତଃକରଣ ପ୍ରସୂତ ସାହିତ୍ୟ ।”

ନାଥୁରାମ ସ୍ୱୀୟ ପ୍ରେରଣାରୁ ଯେଉଁ ବୃହତ୍ ଭାଗ ଲେଖିଛନ୍ତି ଅର୍ଥାତ୍ ଷଡ଼ଯନ୍ତ୍ର ଆରୋପ ଖଣ୍ଡନ କରିବାକୁ ସେ ଯେଉଁ ତର୍କ ପ୍ରସ୍ତୁତ କରିଛନ୍ତି ତାହା କେବଳ ନିଜକୁ ଦୋଷମୁକ୍ତ ଉଦ୍ଧେଶ୍ୟରେ ଏବଂ ଇତିହାସରେ ଉଲ୍ଳଖିତ ହେବା ପାଇଁ ନୁହେଁ, ଏହା ହିଁ ସେ କହିଛନ୍ତି । ଯେଉଁ ଆରୋପ ସ୍ୱୀକୃତ ନୁହେଁ ତାହାରି ଉତ୍ତର ଦେବାର ପ୍ରଚେଷ୍ଟା କରିବା ହିଁ ଅନୁଚ୍ଛେଦର ବିଷୟ । ସେହି ଭାଗ ବି ଏତେ ବୃହତ୍ ନୁହେଁ । ଗାନ୍ଧୀଜୀଙ୍କୁ ହତ୍ୟା କରିବା କାହିଁକି ଅନିବାର୍ଯ୍ୟ ହୋଇପଡ଼ିଲା ତାହାର ତତ୍କାଳିକ କାରଣ ନାଥୁରାମ ଦେଇଛନ୍ତି । ଏହାର ପୂର୍ବାର୍ଦ୍ଧରେ ସେ ସେ ସମୟର ରାଜନୈତିକ ସ୍ଥିତିର ବ୍ୟାଖ୍ୟା କରିଛନ୍ତି । ଗାନ୍ଧୀଜୀଙ୍କ ନୀତି ପର୍ଯ୍ୟବେସିତ ଯେଉଁ ପ୍ରକାର ମାର୍ଗଦର୍ଶନ ହୋଇଚାଲିଥିଲା ଏବଂ ଦେଶରେ ଏହାର କ’ଣ ପରିଣାମ ଫଳିଲାଏହାର ସମାଲୋଚନା ହିଁ ନାଥୁରାମ କରିଛନ୍ତି । ଏହା ଇତିହାସ ବ୍ୟାଖ୍ୟାଂଶ ଅଟେ ।

ଶ୍ରୀ ମାଣ୍ଡଖୋଲକରଜୀଙ୍କୁ ଯେଉଁ ପତ୍ର ନାଥୁରାମ ଲେଖିଛନ୍ତି ସେଥିରେ ସେ ଉଲ୍ଲେଖ କରିଛନ୍ତି, ଯେଉଁ ସତ୍ୟ ଇତିହାସ ମୁଁ ଲେଖିଛି ଓ ଯାହା ଅନ୍ତପ୍ରେରଣାବଶତଃ ଲେଖାଯାଇଛି ଏବଂ ଏହାର ସାର୍ବଜନୀନ ହେବା ଭୟ ସରକାରଙ୍କୁ ଘାରିଛି । ମୁଁ ମୋ ତର୍କର ପ୍ରଭାବ ଅନୁଭବ କରିପାରୁଛି ।

ସେ ସମୟରେ ରାଜ୍ୟମାନଙ୍କ ସରକାରୀ ଆଇନ ଅନ୍ତର୍ଗତ ନାଥୁରାମଙ୍କ ଲିଖିତ ବିସ୍ତୃତ ଅପିଲ ପ୍ରକାଶନ ଉପରେ ପ୍ରତିବନ୍ଧ ଲଗାଯାଇଥିଲା । ନାଥୁରାମଙ୍କ ଧାରଣା ସତ୍ୟ ଥିଲା । ଦେଶ ସ୍ୱତନ୍ତ୍ରତା ଆନ୍ଦୋଳନର, ବିଭାଜନ, ନରସଂହାର ଭଳି ବିଷୟକୁ ଚାପିବା, କ୍ରୁରତାର ଇତିହାସ ଯାହା ନାଥୁରାମ ପ୍ରକଟ କଲେ ସେହି ଭାଗ ଉପରେ ସରକାର ପ୍ରତିବନ୍ଧ ଲଗାଇଲେ । ସତ୍ୟ ଉଜାଗର ହେବା ଘେନି କଂଗ୍ରେସ ଭୟଭୀତ ଥିଲା । କାରଣ ଏହା ଦ୍ୱାରା ଦଳର ଦେଶ ଭକ୍ତି ଏବଂ ମୁସଲମାନ ତୁଷ୍ଟିକରଣ ଭଳି ମନଭାବର ପର୍ଦ୍ଧାଫାଶ ହେବା ଅସମ୍ଭବ ନଥିଲା ।

ସମୟ ପରିବର୍ତ୍ତନଶୀଳ । ଯେଉଁ ଆଇନ ଅର୍ନ୍ତଗତ ପ୍ରତିବନ୍ଧ ଲଗାଯାଇଥିଲା ସେହି ଆଇନ ହିଁ ଏବେ ଅସ୍ତିତ୍ୱରେ ନାହିଁ । ଏହି ଯୋଗୁଁ ଅପିଲର ବିସ୍ତୃତ ଭାଗକୁ ଜନତାଙ୍କ ସମ୍ମୁଖରେ ଉଜାଗର କରିବା ସମ୍ଭବ ହେଲା । ଏହା ପୂର୍ବରୁ ନ୍ୟାୟମୂର୍ତ୍ତି ଶ୍ରୀ ଖୋସଲା, ଶ୍ରୀ କେ.ଏଲ ଗୌବା, ଶ୍ରୀ ଧମେନ୍ଦ୍ର ଶର୍ମା ଆଦି ଲେଖକ ସ୍ୱସ୍ୱ ଗ୍ରନ୍ଥରେ ନାଥୁରାମଙ୍କ ଅପିଲର ଯେଉଁ ଉଦ୍ଧୃତି କରିଛନ୍ତି ତାହା ପ୍ରତିବନ୍ଧ ଲଗାଇଥିବା ଆଇନର ଅସ୍ତିତ୍ୱରେ ନରହିବା ଯୋଗୁଁ ସମ୍ଭବ ହେଲା ।

ନାଥୁରାମ : ପ୍ରାରମ୍ଭିକ ଜୀବନ

ନାଥୁରାମଙ୍କ ପ୍ରାରମ୍ଭିକ ଶିକ୍ଷା ବାରାମତୀରେ ଆରମ୍ଭ ହୋଇଥିଲା । ତା’ର ଯଜ୍ଞୋବିତ ସଂସ୍କାର କୁଳଦେବତାଙ୍କ ସମ୍ମୁଖରେ ମାନସିକ ଅନୁସାରେ ବାରବତିର ରାମମନ୍ଦିରରେ ହୋଇଥିଲା । ସନ୍ଧ୍ୟା ବନ୍ଦନା ଏବଂ ସୂର୍ଯ୍ୟ ନମସ୍କାର ସେ ଦିନମାନଙ୍କରେ ସବୁ ମାତା ପିତା ନିଜ ସନ୍ତାନମାନଙ୍କୁ ଶିଖାଉଥିଲେ । ନାଥୁରାମର ବି ଏହି ଉପକ୍ରମ ହୋଇଥିଲା । ସ୍କୁଲ ଶିକ୍ଷା ସହିତ ସେଦିନମାନଙ୍କରେ ଏହି ପ୍ରଥା ବି ପ୍ରଚଳିତ ଥିଲା ଯେ ପୁତ୍ରକୁ ମରାଠୀ ତଥା ସଂସ୍କୃତ ଶିକ୍ଷାପ୍ରଦ କବିତା ବି କଣ୍ଠସ୍ଥ କରାଯାଉଥିଲା । ଏପରି ମାନ୍ୟତା ଥିଲା ଏହା ଦ୍ୱାରା ବୁଦ୍ଧିର ବିକାଶ ହୁଏ । ଏହି କାର୍ଯ୍ୟ ଘରେ ହେଉଥିଲା ।

ନାଥୁରାମର ସ୍ମରଣଶକ୍ତି ପ୍ରଖର ଥିଲା । ସନ୍ଧ୍ୟାରେ ନବନୀତର ଚୟିତ ଶ୍ଳୋକ, ମନୁସ୍ମୃତିର ଶ୍ଳୋକ, କରୁଣାଷ୍ଟକ, ଆରତୀ, ରାମାୟଣ ଏବଂ ମହାଭାରତର କିଛି ଚୟିତ ଶ୍ଳୋକ ପଢ଼ିବା ଓ ତାହାକୁ ଶୁଣିବା ଭଳି ପ୍ରଥାର କାରଣ ଯୋଗୁଁ ନାଥୁରାମକୁ ବହୁତ କଣ୍ଠସ୍ଥ ଥିଲା ।

ମହାରାଷ୍ଟ୍ରର ବିଶେଷକରି ପୁଣେର ରାଷ୍ଟୀୟ ଭାବାଧାରାପନ୍ନ ଖବରକାଗଜକୁ ରାଓଲେଟ ମହାଶୟ ଚିତପାବନ ସଂଜ୍ଞାରେ ସମ୍ବୋଧିତ କରିଛନ୍ତି । ରାଓଲେଟ କମିଟିର ବା Sedition Committe ର ରିପୋର୍ଟର ପୃଷ୍ଠା ୧୩ରେ ଏହା ସ୍ୱଷ୍ଟ ଅଙ୍କିତ କରାଯାଇଛି । ‘କେଶରୀ’ ସେ ସମୟରେ ପ୍ରମୁଖ ଖବରକାଗଜ ଥିଲା । ଇଂରେଜ ଅନୁରକ୍ତ କର୍ମଚାରୀମାନେ ‘କେଶରୀ’ର ନୀତିକୁ ଇଂରେଜ ଶାସିତ ରାଜ୍ୟର ବିରୋଧ କରିବା ପାଇଁ ଜନତାଙ୍କ ମଧ୍ୟେ ଅସନ୍ତୋଷର ମଞ୍ଜି ରୋପଣ କରିବା ଭଳି ନୀତି ବୋଲି କହି ଅଲିଖିତ ରୂପରେ କେଶରୀର ପଠନକୁ ଆପତ୍ତି ଜନକ ଘୋଷିତ କରିଥିଲେ । କିନ୍ତୁ ଏହାର ବିପରୀତ ବସ୍ତୁସ୍ଥିତି ଏହା ଥିଲା ‘କେଶରୀ’ ପଢ଼ିବା ପାଇଁ ସାଧାରଣ ପାଠକଙ୍କଠୁ ବି ଅଧିକ ଉତ୍କଣ୍ଠା ଏପରି ଲୋକଙ୍କର ଥିଲା । କୌଣସି କୃତିରେ ପ୍ରତିବନ୍ଧ ଳଗାଇଲେ ତାହା ପ୍ରତି କୌତୁହଳ ବଢ଼ିଯାଏ । ଏହି କାରଣ ଯୋଗୁଁ ନାଥୁରାମଙ୍କ ପିତା ନିଜ ଉପରେ କୌଣସି ଆରୋପରୁ ବର୍ତ୍ତିବା ଅଭିପ୍ରାୟର ସାତ-ଆଠ ବର୍ଷର ବାଳକ ନାଥୁରାମଙ୍କ ନାମରେ ‘କେଶରୀ’ ମଗାଉଥିଲେ ।

ଛୋଟ ବେଳୁ ହିଁ ପଢ଼ିବା ନାଥୁରାମର ପାଇଁ ଇଚ୍ଛା ଜାଗୃତ ହୋଇସାରିଥିଲା । ସେ ‘କେଶରୀ’ ପଢ଼ି ତାକୁ ବୁଝୁଥିଲା । ସ୍ୱତନ୍ତ୍ରତା ସଂଗ୍ରାମର ଯେଉଁ ଲେଖା ସେଥିରେ ପ୍ରକାଶିତ ହେଉଥିଲା ତାହା ନାଥୁରାମ ବାଲ୍ୟଅବସ୍ଥାରେ ଅଜଣାତରେ କିନ୍ତୁ ପରେ ବୁଝିସାରି ନିରନ୍ତର ପଢ଼ୁଥିଲେ । ଏହା ଦ୍ୱାରା ସେ ବେଶ ପ୍ରଭାବିତ ହୋଇଥିଲେ । ଏହି ସମ୍ବନ୍ଧରେ ହେଉଥିବା ଚର୍ଚ୍ଚା ଏବଂ ଭାଷଣରେ ବି ତାଙ୍କ ରୁଚି ବଢ଼ିବାରେ ଲାଗିଲା । ଥରେ ସେ ନିଜ ପିତାଜୀଙ୍କ ସହିତ ଭାଷଣ ଶୁଣିବାକୁ ଗଲେ । ଭାଷଣ ବିଷୟ ଅନୁସାରେ ସେ ଘର ଲେଉଟି ବିଦେଶୀ ଚିନିର ବହିସ୍କାର କରିବାକୁ ଆଗ୍ରହ କଲେ । ତାଙ୍କ ପିତାଜୀ ଜାଣିଥିଲେ ଯେ ଏହି ଜିଦ୍ ବାଲ ସ୍ୱଭାବ ଯୋଗୁଁ ହିଁ ମାତ୍ର, କୌଣସି ବିଷୟକୁ ପୂର୍ଣ୍ଣତଃ ବୁଝିପରଖି ପରର ପ୍ରତିକ୍ରିୟା ନୁହେଁ । ଏସବୁ ହୃଦ୍‌ବୋଧ କଲାପରେ ମଧ୍ୟ କେବଳ ପୁତ୍ରର ଜିଦ୍‌କୁ ପୂରଣ କରିବା ଉଦ୍ଧେଶ୍ୟରେ ଓ ଏହି ଜିଦ୍‌କୁ ପାଳନ କରିବାରେ ଯେମିତି କିଛି ହାନି ନାହିଁ ବୋଲି ବିଚାର ପୂର୍ବକ ସେ ଘରକୁ ବିଦେଶୀ ଚିନି ଆଣିବା ବନ୍ଦ କରିଦେଲେ । କିନ୍ତୁ ଏହି ପଦକ୍ଷେପ ଯୋଗୁଁ ଭବିଷ୍ୟତରେ ଘରକୁ ବିଦେଶୀବସ୍ତୁ ନ ଆଣିବାର ନିୟମ ଏକ ପରମ୍ପରା ଭଳି ରୋପିତ ହୋଇଗଲା ।

ନାଥୁରାମଙ୍କ ପିତାଙ୍କ ସ୍ଥାନାନ୍ତକରଣ ଛୋଟ ଛୋଟ ଗାଁରେ ହେଉଥିବା କାରଣରୁ ତା’ର ଶିକ୍ଷାର ଉଚିତ ବ୍ୟବସ୍ଥା ହୋଇପାରୁନଥିଲା । ମରାଠିରେ ଚତୁର୍ଥ ଶ୍ରେଣୀ ଉତ୍ତୀର୍ଣ୍ଣ କରିବା ପରେ ଇଂରାଜୀ ଶିକ୍ଷା ନିମନ୍ତେ ତାଙ୍କୁ ପୁଣେଠାରେ ଜଣେ ପିଉସୀଙ୍କ ନିକଟକୁ ପଠାଗଲା । ପରେ ତିନି-ଚାରିଜଣ ଛାତ୍ରବନ୍ଧୁ ମିଶି ଏକ କୋଠରୀ ଭଡ଼ା ସୂତ୍ରେ ନେଲେ ଏବଂ ନାଥୁରାମ ମଧ୍ୟ ସେମାନଙ୍କ ସହିତ ବାସ କରିବାକୁ ଲାଗିଲେ । ଛୁଟିରେ ନାଥୁରାମ ଘରକୁ ଆସୁଥିଲେ ମଧ୍ୟ ।

କବିତା ପଢ଼ିବା, ସେସବୁ କଣ୍ଠସ୍ଥ କରିବା ଏବଂ ସ୍ୱୟଂ ମଧ୍ୟ କବିତା ରଚନା କରିବାର ଅଭିରୁଚି ନାଥୁରାମଠାରେ ସ୍କୁଲ ଶିକ୍ଷା ସମୟରୁ ହିଁ ଉତ୍ପନ୍ନ ହୋଇସାରିଥିଲା । ଲୋକମାନ୍ୟ ତିଳକଙ୍କ ଶିକ୍ଷାନୁସାରେ ସେ ସମୟରେ ଗଣପତି ଉତ୍ସବ ସମାରୋହର ସଦ୍ଉପଯୋଗ ରାଷ୍ଟ୍ରଭକ୍ତି ପ୍ରଜ୍ଜ୍ୱଳିତ କରିବା ପାଇଁ କରାଯାଉଥିଲା । ଲୋକମାନ୍ୟଙ୍କ ପରେ ମଧ୍ୟ ଏହି ପ୍ରଥାର ନିରନ୍ତରତା ଜାରି ରହିଲା । ନାଥୁରାମ ସେଦିନମାନଙ୍କରେ ମେଳାରେ ଗାୟନ କରାଯିବା ଭଳି ଦେଶପ୍ରେମରେ ଓତଃପ୍ରୋତ ରଚନା ଲେଖୁଥିଲେ । ସେଇ ସମୟରେ ସେ ‘ଲକ୍ଷ୍ମୀତନୟ’ ଶୀର୍ଷକ ଏକ ଛୋଟ କବିତା ସଂଗ୍ରହ ପ୍ରକାଶିତ କରିଥିଲେ । ‘ରାମରକ୍ଷା ସ୍ତୋତ୍ର’ର ଛନ୍ଦବନ୍ଧ ରୂପାନ୍ତର ବି ସେ ହିଁ କରିଥିଲେ ।

ଗାନ୍ଧୀବଧର ସେହି ଦିନ :

ଗାନ୍ଧୀ ହତ୍ୟାର ତୁରନ୍ତ ବାଦ୍ ନାଥୁରାମର ମଥାରେ ଦୁଇ, ତିନି ଆଘାତ ହୋଇଥିଲା ଓ ଘାଆରୁ ରକ୍ତ ଝରୁଥିଲା । ରଘୁନାଥ ମାଳି ନିଜ ଖୁରପିରେ ନାଥୁରାମକୁ ପ୍ରହାର କରିଥିବା କଥା ନିଜ ବୟାନରେ କହିଥିଲେ । କିନ୍ତୁ ନାଥୁରାମ କହିଲେ, ମାଳି ପୂର୍ଣ୍ଣ ରୂପେ ମିଥ୍ୟା କହୁଛି । ହାତରେ ଧରାଯାଉଥିବା ଲାଠିରେ ମୋତେ ଦୁଇ ଚାରଥର ପ୍ରହାର କରାଯାଇଥିଲା କିନ୍ତୁ ତତ୍କାଳ ନୁହେଁ , ଘଟଣାର ଚାରି -ପାଞ୍ଚ ମିନିଟ ପଶ୍ଚାତ୍ । ଯେବେ ଡାକ୍ତର ମୋର ଚିକିତ୍ସା କଲେ ଯେତେବେଳକୁ ରକ୍ତ ଜମାଟ ବାନ୍ଧିସାରିଥିଲା । ମୋ ଘାଆର ବିବରଣୀ ବି ଡାକ୍ତର ଲେଖିଛନ୍ତି । ସେ ଘାଆକୁ ମାମୁଲି (All apparent Simple) କହି ଅଦାଢ଼ୁଆ(Blunt) ଅସ୍ତ୍ର ଦ୍ୱାରା ପ୍ରହାର କରାଯାଇଛି ବୋଲି ଲେଖାଯାଇଛି ।

ନାଥୁରାମକୁ ଧରିବା ପାଇଁ ନିଜ ତତ୍ପରତାକୁ ସମସ୍ତ ସାକ୍ଷୀ ଉଲ୍ଲେଖ କରିଛନ୍ତି । ଏହି ସମ୍ବନ୍ଧରେ ନାଥୁରାମ କହିଛନ୍ତି ଯେ “ମୋ ହାତରେ ପିସ୍ତଲ ଥିଲା, ଗୁଳି ଲକ୍ଷ୍ୟ ଭେଦ କରିସାରିଥିଲା, କିନ୍ତୁ ମୁଁ ଆଉ ଗୁଳି ଚଳାଇବିନି ବୋଲି ବିଶ୍ୱାସ କାହାର ନ ଥିଲା । ଯଦି ସେ ସମୟରେ କୌଣସି ସଶସ୍ତ୍ର ସିପାହୀ ମୋ ଉପରେ ଗୁଳି ଚଳାଇ ଥାଆନ୍ତେ, ତାହେଲେ ଏହା ଉଚିତ ହୋଇଥାଆନ୍ତା କିନ୍ତୁ ହେଲା କ’ଣ; ହଠାତ୍ ଚଳାଯାଇଥିବା ଗୁଳିର ଶବ୍ଦ ଯୋଗୁଁ ସେଠାରେ ଉପସ୍ଥିତ ସମସ୍ତେ କିଂକର୍ତ୍ତବ୍ୟବିମୂଢ଼ ଓ ତ୍ରସ୍ତ ହୋଇଯାଇଥିଲେ । ଅତି ନିକଟରୁ ଲୋକେ ମୋ ହାତରେ ରିଭଲବର ଦେଖିଥିଲେ । ଏପରି ଦଶାରେ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଉପରକୁ ବି ଗୁଳି ଚଳାଯାଇପାରେ ବୋଲି ଆଶଙ୍କା କରୁଥିଲେ । ତେଣୁ ସମସ୍ତେ ପାଞ୍ଚ -ସାତ ଗଜ ପଛକୁ ହଟିଗଲେ । ଗାନ୍ଧୀଜୀଙ୍କ ଆଗମନ ପାଇଁ ଯେଉଁ ମାର୍ଗ ଖାଲି ଥିଲା ଓ ଯେଉଁଠାରେ ମୁଁ ଛିଡ଼ା ହୋଇଥିଲି ତାହା ଆଉ ଚଉଡ଼ା ହୋଇଗଲା । ଚାରି ପାଦ ଅନ୍ତରରେ ଗାନ୍ଧୀଜୀ ଅଚେତ ହୋଇ ଟଳିପଡ଼ିଥିଲେ । ମୋତେ ଚାରି ପଟୁ ଘେରାଉ କରାଯାଇଥିଲା । ମୋ ସଶସ୍ତ୍ର ହାତ ଉପରକୁ ଟେକାଯାଇଥିବା ଦେଖି ଲୋକେ ଆଉ ଦୂରକୁ ଘୁଞ୍ଚିଗଲେ ନାହିଁ । ”

ଗୁଳି ଚଳାଇବା ପରେ ପିସ୍ତଲ ଧରିଥିବା ହାତକୁ ମୁଁ ଉପରକୁ ଉଠାଇ “ପୁଲିସ୍ ପୁଲିସ୍” ଚିତ୍କାର କଲି । କିନ୍ତୁ ଅଧ ମିନିଟ ବିତିଯାଇଥିବା ପରେ ବି କେହି ନିକଟକୁ ଆସିଲେନି । ବିତିଯାଉଥିବା ପ୍ରତ୍ୟେକ କ୍ଷଣରେ ମୁଁ ଅଧିକ ଚାପଗ୍ରସ୍ତ ହୋଇପଡ଼ୁଥିଲି । ମୁଁ ବହୁତ ଅସ୍ତବ୍ୟସ୍ତ ଅନୁଭବ କରୁଥିଲି । ମୋତେ ଲାଗିଲା ମୁଁ ଉତ୍ତେଜିତ ହୋଇପଡ଼ୁଛି ।

“ ଯଦି କିଏ ମୋତେ ମାରିବ ତା’ହେଲେ ମୁଁ ନିଜକୁ କିଭଳି ବଞ୍ଚାଇ ପାରିବି ତାହାର କଳ୍ପନା ମୋ ମନରେ ନଥିଲା । ସେହି ସମୟର ମନୋସ୍ଥିତିକୁ ମୁଁ ଆଜି ମଧ୍ୟ ପ୍ରତ୍ୟକ୍ଷ ଅନୁଭବ କରିପାରୁଛି । ଗାନ୍ଧୀ ହତ୍ୟାର ଯେକୌଣସି ପରିଣାମକୁ ଭୋଗିବାକୁ ମୁଁ ପ୍ରସ୍ତୁତ ଅଛି । କିନ୍ତୁ ମୁଁ ତିନି ଆରୋପରୁ ବଞ୍ଚିବାକୁ ଚାହୁଁଥିଲି । ମୁଁ ପଳାଇଯିବାକୁ ଚେଷ୍ଟା କରିଥିଲି ବୋଲି କେହି ଆରୋପ କରୁ ଏହା ମୁଁ ଚାହୁଁନଥିଲି । ଅଧ ମିନିଟ ପରେ ମୁଁ ପୁଣି ପୁଲିସକୁ ଡାକିଲି । ନିଜ ସାମ୍ନାରେ ମୁଁ ପୁରା ପୋଷାକରେ ଦଣ୍ଡାୟମାନ ସିପାହୀଙ୍କୁ ଦେଖୁଥିଲି । କିନ୍ତୁ ସେ ମୋତେ ଧରିବା ପାଇଁ ସାହସ ଜୁଟାଇ ପାରୁନଥିଲେ । ଯଦି ମୁଁ ପିସ୍ତଲ ଫୋଫାଡ଼ି ଦେଇଥାନ୍ତି ତା’ହେଲେ ଏହାର ଏହି ଅର୍ଥ ହୋଇଥାନ୍ତା ଯେ ମୁଁ ନିଜ ବଞ୍ଚିବା ପାଇଁ ରାସ୍ତା ତିଆରି କରୁଛି । ମୁଁ ନିଜ ଅସ୍ତ୍ର ସହିତ ସ୍ୱୟଂକୁ ପୁଲିସ ନିକଟରେ ସମର୍ପି ଦେବାକୁ ଚାହୁଁଛି ଏପରି ବିଶ୍ୱାସ ସାମ୍ନାରେ ଛିଡ଼ା ପୁଲିସ କର୍ମଚାରୀଙ୍କଠାରେ କିପରି ଜନ୍ମେଇ ପାରିବି? ଏହା ମୁଁ ବୁଝିପାରୁନଥିଲି ମୋତେ ଉପାୟ ଦେଖାଯାଉନଥିଲା ।”

“ମୁଁ ଚାରିଆଡ଼େ ଦୃଷ୍ଟି ପହଁରେଇ ଆଣିଲି । ଏଥିକିବେଳେ ଅମରନାଥ ଅଥବା ଯେଉଁ ସୈନିକ ମୋତେ ଧରିଥିବା କଥା କହିଥିଲେ ତା ଆଖିରେ ମୋ ଆଖି ମିଶିଗଲା । ଆଖିର ଇସାରାରେ ମୁଁ ତାକୁ ନିଜ ନିକଟକୁ ଆସିବାକୁ ସେଙ୍କତ ଦେଲି । ମୋ ଦୃଷ୍ଟି ସେଙ୍କତକୁ ସେ ବୁଝିଗଲେ । ସେ ମୋ ପାଖକୁ ଆସିଲେ ଓ ମୋ ଟେକା ହାତକୁ ସେ ଉପରୁ ହିଁ ଧରିନେଲେ । ମୁଁ କୌଣସି ପ୍ରତିକାର କରୁନାହିଁ ଏହା ସେ ବୁଝିଗଲା । ସେଇ ସମୟରେ ମୋ ମନର ବୋଝ ଉତରିଗଲା । ମୁଁ ଆଶ୍ୱସ୍ତିକର ନିଶ୍ୱାସ ନେଲି । ଏହା ପଶ୍ଚାଚ୍ ଦ୍ୱିତୀୟ ଜଣେ ଆସିଲା ଓ ସେ ମୋ ପିସ୍ତଲକୁ ଧରିନେଲା । ମୁଁ ପିସ୍ତଲକୁ ତା’ ହାତରେ ଧରାଇଦେଲି ।

ଏହା ପରେ ଅନେକ ଲୋକ ମୋତେ ଘେରିଗଲେ । ଅନେକ ଲୋକ ମୋତେ ପିଟିଲେ ମଧ୍ୟ । ପୁଲିସ ବି ମୁର୍ଖ ଥିଲା ଯେ ପିସ୍ତଲଟି ଏକ ହାତକୁ ଅନ୍ୟ ହାତକୁ ଯାଉଥିଲା, ଲୋକଙ୍କ କୌତୁହଳର ବସ୍ତୁ ଭଳି । ଜଣେ ଉତ୍ତେଜିତ ବ୍ୟକ୍ତି ମୋ ଦିଗକୁ ପିସ୍ତଲ ଦେଖେଇ କହିଲା, ମୁଁ ତୁମକୁ ଏହି ପିସ୍ତଲରେ ମାରିବି । ମୁଁ ତାକୁ ଶାନ୍ତ ଏବଂ ସ୍ପଷ୍ଟ ଶବ୍ଦରେ କହିଲି, ବହୁତ ଭଲ ହେବ, କିନ୍ତୁ ପିସ୍ତଲ କିପରି ଧରି ଚଳାଇବାକୁ ହୁଏ ତାହା ତୁମକୁ ବୋଧେ ଜଣାନାହିଁ । ତାହାର ସେଫ୍ଟିକ୍ୟାଚ ଖୋଲା ଅଛି । ଟିକିଏ ଚାପ ପଡ଼ିଲେ ତୁମରି ହାତରେ ଅନ୍ୟ କାହାକୁ ଗୁଳି ଲାଗି ତାହାର ମୃତ୍ୟୁ ହୋଇପାରେ । ତାହା ମଧ୍ୟରେ ଆହୁରି ଅନେକ ଗୁଳି ଅଛି, ଏହା ଜାଣି ରଖ । ତା’ପରେ ମୁଁ ମୋ ପାଖରେ ଛିଡ଼ା ପୁଲିସ ଅଧିକାରୀଙ୍କୁ କହିଲି, ପ୍ରଥମେ ତୁମେ ପିସ୍ତଲ ନେଇ ଯାଅ । ତାହାର ସେପ୍ଟିକ୍ୟାଚ ଖୋଲା ରହିଯାଇଛି, ମନେ ହେଉଛି ତାକୁ ବନ୍ଦ କରାଗଲେ ଏହି ଲୋକ ମୋ ସ୍ଥାନରେ ଆଉ କାହାକୁ ହତ୍ୟା କରି ବସିବ । ବାସ୍ ଏ କଥା ଅଧିକାରୀ ବୁଝିଗଲେ ଏବଂ ସେ ତୁରନ୍ତ ପିସ୍ତଲ ନିଜ ହାତରେ ନେଇ ତାହାର ସେଫ୍ଟିକ୍ୟାଚ ବନ୍ଦ କରି ତାକୁ ନିଜ ପକେଟରେ ରଖିନେଲେ । ଏହି ହଲ୍ଲାଗୋଳ ପ୍ରାୟ ପାଞ୍ଚ ମିନିଟ ଯାଏ ଚାଲିଥିବ । ସେହି ସମୟ ଅବଧିରେ ଏକ ଦୁଇ ସିପାହୀ ମୋତେ ଧରିପକାଇଥିଲେ । ବାହାରକୁ ଆସିବା ସମୟରେ ମୋ ଉପରେ କିଛିଥର ବାଡ଼ିରେ ପ୍ରହାର କରାଗଲା, ସେଥି ଯୋଗୁଁ ସୃଷ୍ଟ କ୍ଷତରୁ ରକ୍ତ ଝରିବାକୁ ଲାଗିଲା ।”

ମୁଖ୍ୟ ଘଟଣା ସମ୍ବନ୍ଧରେ ନାଥୁରାମଙ୍କ ବୟାନ :

ସନ୍ଧ୍ୟା ଚାରି ପଚାଶରେ ମୁଁ ବିରଳା ଭବନର ଦ୍ୱାରଦେଶରେ ପହଞ୍ଚିଲି । ଦ୍ୱାରରେ କର୍ତ୍ତବ୍ୟରତ ସୁରକ୍ଷା କର୍ମଚାରୀ ପ୍ରାର୍ଥନା ସଭାକୁ ଯାଉଥିବା ଆଗନ୍ତକଙ୍କୁ ଯାଞ୍ଚ କରୁଥିଲେ । ଏହି ନିରୀକ୍ଷଣ ପ୍ରକ୍ରିୟାକୁ ମୁଁ ଭୟ କରୁଥିଲି । ତେଣୁ ଚାରି- ପାଞ୍ଚ ଲୋକଙ୍କ ଏକ ଦଳ ଭିତରେ ପଶି ମୁଁ ପ୍ରାର୍ଥନା ସ୍ଥଳରେ ସାବଧାନତାର ସହ ପହଞ୍ଚିଗଲି । ପ୍ରାର୍ଥନା ସଭାସ୍ଥଳ ଫାଙ୍କା ପ୍ରାୟ ଥିଲା ଏବଂ ମୋତେ କିଛି କ୍ଷଣ ପାଇଁ ଲାଗିଲା ଯେପରି ବିକ୍ଷିପ୍ତ ବୁଲୁଥିବା ସିପାହୀଙ୍କ ନଜର ମୋ ଉପରେ ହିଁ ଅଛି । ପାଖାପାଖିରେ ଲୋକଙ୍କ ଭିଡ଼ରେ ମୁଁ ଶୀଘ୍ର ଶୀଘ୍ର ମିଶିଗଲି ।

“ପାଞ୍ଚ ଟା ଦଶ ବାଜିସାରିଥିଲା । କିଛି ଲୋକଙ୍କ ସହିତ ଗାନ୍ଧୀଜୀ ନିଜ କୋଠାରୀରୁ ବାହାରି ପ୍ରାର୍ଥନା ସ୍ଥଳକୁ ଆସୁଥିବାର ଦେଖିଲି । ତାଙ୍କ ମାର୍ଗରେ ମୁଁ ପ୍ରାର୍ଥନା ସଭାର ଶିଡ଼ି ନିକଟରେ ରୁଣ୍ଡ ଲୋକଙ୍କ ଭିତରେ ମୁଁ ଛିଡ଼ା ହୋଇଥିଲି ।

“ଗାନ୍ଧୀଜୀ ସିଡ଼ି ଚଢ଼ି ଦୁଇ-ଚାରି ପାଦ ଆଗକୁ ବଢ଼ି ସାରିଥିଲେ । ତାଙ୍କ ହାତ ଦୁଇ ବାଳିକାଙ୍କ କାନ୍ଧ ଉପରେ ଥିଲା । ”

ପକେଟରେ ହାତ ପୁରାଇ ମୁଁ ପିସ୍ତଲର ସେଫ୍ଟିକ୍ୟାଚ ଖୋଲିଲି । ଲୋକଙ୍କ ଭିଡ଼ରେ ଥିବା ଗାନ୍ଧୀଙ୍କ ଏତେ ନିକଟ ହେବାର ସୁବିଧା ମୋତେ କେବେ ମିଳିନଥିଲା ।

ମୋତେ ଏବେ କେବଳ ତିନି ସେକେଣ୍ଡ ଦରକାର ଥିଲା । ଦୁଇ ପାଦ ଆଗକୁ ଯାଇ ଗାନ୍ଧୀଜୀଙ୍କ ସାମ୍ନାକୁ ରେ ପିସ୍ତଲ ବାହାର କଲି ଏବଂ ଗାନ୍ଧୀଜୀ ନିଜ ଜୀବନରେ ଯେଉଁ ଦେଶ-ସେବା କରିଥିଲେ ଯେଉଁ ତ୍ୟାଗ କରିଥିଲେ ସେଥିପାଇଁ ତାଙ୍କ ଅଭିବାଦକ କରିବା ନିମିତ୍ତ ।

ସେଇ ଦୁଇ ବାଳିକାରୁ ଜଣେ ଗାନ୍ଧୀଜୀଙ୍କ ଅତି ନିକଟରେ ଥିଲା । ମୁଁ ଗୁଳିଚାଳନା ଯୋଗୁଁ ସେ ବି ଆହତ ହୋଇପାରେ ବୋଲି ଭୟ ବି ଥିଲା । ମୁଁ ଆଗକୁ ବଢ଼ିଲି ‘ନମସ୍ତେ’ କହି ପିସ୍ତଲ ସହିତ ହାତରେ ଅଭିବାଦନ ମୁଦ୍ରା କରିଲି । ଆଉ ଏକ ପାଦ ଆଗକୁ ବଢ଼ି ମୁଁ ସେଇ ଝିଅକୁ ବାଆଁ ହାତରେ ଆଡ଼େଇଦେଲି ।

ପରକ୍ଷଣରେ ମୁଁ ଗୁଳି ଚଳାଇଲି । ସେହି କ୍ଷଣର ପୂର୍ବାର୍ଦ୍ଧ ସମୟ ପ୍ରଥମରୁ ହିଁ ଗୁଳିବନ୍ଧ ଗାନ୍ଧୀଜୀ ‘ଆଃ’ ଅତି ଅସ୍ପଷ୍ଟ ସ୍ୱରରେ ଯେପରି ଭିତରୁ ବାହାରିଥିବା ଉଦ୍ଗାର ଭଳି କହି ଅଚେତ ହୋଇ ତଳେ ପଡ଼ିଗଲେ ।

“ଗାନ୍ଧୀଜୀଙ୍କ ଆତ୍ମା ଅନ୍ତର୍ଦ୍ଧାନ ହେଉଥିଲା ଓ ମୁଁ ମୃତ୍ୟୁସମ ଜୀବିତ ସମାଧିରେ ପ୍ରବେଶ ନେଉଥିଲି ।

ମୃତ୍ୟୁଦଣ୍ଡ ଆଦେଶର ବାସ୍ତବିକ ଏବଂ ବିଧିସମ୍ମତ କାର୍ଯ୍ୟନ୍ୱୟନ ପୂର୍ବରୁ ଆତ୍ମହତ୍ୟା କରିବା ବା ସେଥିପାଇଁ ଚେଷ୍ଟା କରିବା ଭଳି ଉଦାହରଣ ଅନେକବାର ଦେଖିବାକୁ ମିଳେ । କିନ୍ତୁ ପ୍ରାୟ ସେମାନଙ୍କ ଉଦ୍ଧେଶ୍ୟ ଶାସନକୁ ଚକ୍ମା ଦେବା ପାଇଁ ଅଭିପ୍ରେତ । କିନ୍ତୁ ନାଥୁରାମର ଭୂମିକା ଏପରି ନ ଥିଲା । ଆତ୍ମହତ୍ୟା କରି ସରକାରଙ୍କଠୁ ବର୍ତ୍ତିବା ବା ଶାସନକୁ ଚକ୍ମା ଦେବା ଭଳି ବିଚାର ତାଙ୍କର ନଥିଲା । କାରଣ ତାଙ୍କର ପକ୍କା ଧାରଣା ଥିଲା ଯେ ଶାସନ ଏବଂ ନ୍ୟାୟାଳୟ ଉଭୟେ ତାଙ୍କରି ଦେଶର ହିଁ ତ ।

ନାଥୁରାମଙ୍କ ସୈଦ୍ଧାନ୍ତିକ ପକ୍ଷର ଏପରି ଭୂମିକାକୁ ପଞ୍ଜାବ ଉଚ୍ଚ ନ୍ୟାୟଳୟ ସ୍ପଷ୍ଟ ଅନୁଭବ କଲେ । ଓକିଲଙ୍କ କାର୍ଯ୍ୟ, ହେଉ ଅବା ଅଭିଯୋଗକାରୀଙ୍କ ପକ୍ଷରୁ ବା ଦୋଷୀ ପକ୍ଷରୁ, ନ୍ୟାୟ ପ୍ରଦାନ କରିବା କାର୍ଯ୍ୟରେ ନ୍ୟାୟାଳୟକୁ ସହଯୋଗ ଦେବା ବିଧେୟ । ନାଥୁରାମ ବି ନିଜ ଅଭିଯୋଗ ଅବଧିରେ ସେଇପରି ସହଯୋଗ ନ୍ୟାୟାଳୟକୁ ଦେଲେ । ଏହା ନ୍ୟାୟାଳୟର କାର୍ଯ୍ୟସାରଣୀକୁ ପଢ଼ିଲେ ଜ୍ଞାତ ହୁଏ । ମୃତ୍ୟୁଦଣ୍ଡର ବିରୁଦ୍ଧରେ ସେ ଗୋଟିଏ ବି ଶବ୍ଦ କହି ନଥିଲେ । କିନ୍ତୁ ନ୍ୟାୟାଳୟର ସମ୍ମୁଖ ନିଜ ପକ୍ଷ ଯେପରି କୁଶଳତା ପୂର୍ବକ ପ୍ରସ୍ତୁତ କଲେ ତାହା ନିତ୍ୟାନ୍ତ ପ୍ରଶଂସନୀୟ ବୋଲି କହିବାକୁ ପଡ଼ିବ ।

“…Of the appealants NathuRam V. Godsehas not challenged his conviction under section 302 of the Indian Penal Code for the offence of the murder of Mahatma Gandhion the 30th January 1948 nor has he appealed from the sentence of death passed on him in respect of that offence. He has confined his appeal and also has argument at the Bar, -he personally argued his appeal, I must say with conspicuous ability evidencing , a mastery of facts which would have done credit to any councel- only to the other charges which have been found proved against him…’ ( Special Cour- Shimla)

ନିଜର ହାତରେ ଗାନ୍ଧୀଙ୍କୁ ହତ୍ୟା କରିବା ପଶ୍ଚାତ୍ ଲୋକଙ୍କ ଦ୍ୱାରା ନିଜ ନାମ ସହିତ କେଉଁ କେଉଁ ବିଶେଷଣ ସଂଯୁକ୍ତ କରାଯିବ ଏହା ନାଥୁରାମକୁ ଆରମ୍ଭରୁ ହିଁ ପୂର୍ବକଳ୍ପନା ଥିଲା ।

‘ଲୋକେ ମୋତେ ପାଗଳ ଆଦି କହିବେ । ମୁଁ ସତରେ ଏହା ଶୁଣି ଶୁଣି ପାଗଳ ହେଇଯିବି କାଳେ । ସେହି ଦଶାରେ ମାନସିକ ବିକୃତିର ଦଶାରେ ବଧ କରିଥିବା ହେତୁ ସରକାର ମୋତେ ଦୟା ଦେଖାଇବାକୁ ବାହାନା ପାଇଯିବେ ବା ପ୍ରତିବାଦୀ ପକ୍ଷ ମୋତେ ମନୋବିକାରଗ୍ରସ୍ତ ଘୋଷିତ କରି ମୋ ପାଇଁ ଦୟା ଯାଚନା କରିବେ ।’ ନାଥୁରାମ ଏହି ସ୍ଥିତି ପାଇଁ କଦାପି ତତ୍ପର ନଥିଲେ । ସେଥିପାଇଁ ସେ ଡାକ୍ତରଙ୍କଠୁ ଶାରୀରିକ ପରୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ଡାକ୍ତରଙ୍କ ଅନୁସାରେ ତାଙ୍କ ଶ୍ୱାସପ୍ରକ୍ରିୟା ସାଧାରଣ ଥିଲା ଏବଂ ନାଡ଼ିର ଗତି ଉତ୍ତେଜନା ରହିତ ଥିଲା ।

ସେ ଯାହା ହେଉ ନାଥୁରାମ ଦ୍ୱାରା ଏହି ଅବୈଧ କୃତ ତାଙ୍କର ବିଶେଷ ମନୋସ୍ଥିତିରେ ସମ୍ପନ୍ନ ହୋଇଥିଲା । ଏହା ଯିଏ ବି ସ୍ୱୀକାର କରିବ । ସ୍ୱୟଂ ନାଥୁରାମ ବି ଏହା ସ୍ୱୀକାର କରୁଥିଲେ ଯେ ତାଙ୍କ କର୍ମର ପକ୍ଷ ନେଇ କୌଣସି ବୈଧାନିକ ତର୍କ ବି ଦିଆଯାଇପାରିବ ନାହିଁ । ଫାଶୀ ହିଁ ଏହି କାଣ୍ଡର ଉପଯୁକ୍ତ ଦଣ୍ଡ । ଏପରି ତାଙ୍କର ଧାରଣା ଥିଲା ।

ମନର ଏପରି ଅବସ୍ଥାରେ ବି ସେ ମାନବ-ମନର ଅନ୍ୟ ପ୍ରବୃତ୍ତିରୁ ଶୂନ୍ୟ ନଥିଲେ ନାଥୁରାମ । ନିଜର କାର୍ଯ୍ୟ ଦ୍ୱାରା ଗାନ୍ଧୀ ପରିବାରକୁ ସେ ଅସହନୀୟ ଆଘାତ ଦେବାକୁ ଯାଉଛନ୍ତି ବୋଲି ତାଙ୍କର ବୋଧ ଥିଲା । ଏହି ବିଷୟରେ ଦୁଃଖ ପ୍ରକଟ କରିବାର ସୁଯୋଗ ତାଙ୍କୁ କିଛି ସମୟ ପଶ୍ଚାତ୍ ହିଁ ମିଳିଯାଇଥିଲା ।

ତାଙ୍କୁ ଜବତ୍ କରିନେବାର କିଛି ସମୟ ପରେ ନାଥୁରାମ ପ୍ରଥମେ ତୋଗଲାକ ରୋଡ଼ ଏବଂ ପରେ ସଂସଦ ରାସ୍ତାର ପୁଲିସ କେନ୍ଦ୍ରର କାରାଗାରରେ ରଖାଗଲା । ଅଧୀକାରୀଙ୍କ ସହିତ ଅନେକ ଲୋକ ତାଙ୍କୁ ଦେଖିବାକୁ ଆସୁଥିଲେ । କୋଠରୀରେ ନାଥୁରାମ ଟହଲ ମାରୁଥିଲେ ଓ ଜାଲି ସାମ୍ନାରେ ଛିଡ଼ା ହେଇଥିଲେ ।

ଜାଲି ବାହାରେ ଛିଡ଼ା ଏକ ପୁରୁଷକୁ ନାଥୁରାମ ଦେଖିଲେ । ସେ ମଧ୍ୟ ତାଙ୍କୁ ଦେଖୁଥିଲେ ।

“ମୁଁ ଚିହ୍ନିପାରିଲି, ଆପଣ ଶ୍ରୀଯୁକ୍ତ ଦେବଦାସ ଗାନ୍ଧୀ ।”

“ହଁ ଆପଣ କେମିତି ଚିହ୍ନି ପାରିଲେ”, ବ୍ୟକ୍ତି ଜଣକ ପ୍ରତିପ୍ରଶ୍ନ କଲେ । ସମ୍ଭବତଃ ଦେବଦାସ ଭାବୁଥିଲେ, ସେ ନିଜ ପିତାଙ୍କ ହତ୍ୟାକାରୀ ରୂପରେ ଜଣେ କ୍ରୁର, ଅସଂସ୍କୃତ, ଅସଭ୍ୟ ମଣିଷକୁ ଭେଟିବେ । ନାଥୁରାମଙ୍କ ସୌମ୍ୟ, ସ୍ପଷ୍ଟ ଓ ଶାନ୍ତ କଥାବାର୍ତ୍ତା ତାଙ୍କ କଳ୍ପନାତୀତ ଥିଲା ।

“ଆମେ ଏକ ପତ୍ରକାର ପରିଷଦରେ ସନ୍ଦର୍ଭରେ ଏକତ୍ରିତ ହେଇଥିଲୁ । ଆପଣ ସେଠାରେ ହିନ୍ଦୁସ୍ତାନ ଟାଇସମ୍ର ସମ୍ପାଦକ ରୂପେ ଆସିଥିଲେ”, ନାଥୁରାମ କହିଲେ ।

“ଏବଂ ଆପଣ ?”

“ମୁଁ ନାଥୁରାମ ବିନାୟକ ଗଡ଼ସେ । ଦୈନିକ ‘ହିନ୍ଦୁରାଷ୍ଟ୍ର’ର ସମ୍ପାଦକ । ମୁଁ ବି ସେଠାରେ ଉପସ୍ଥିତ ଥିଲି । ଆପଣ ଆଜି ପିତୃହୀନ ହୋଇଯାଇଛନ୍ତି । ମୁଁ ହିଁ ଏଥିପାଇଁ ଦାୟୀ । ଆପଣ ଓ ଆପଣଙ୍କ ପରିବାର ଉପରେ ଯେଉଁ ବଜ୍ରପାତ ହେଲା ମୁଁ ସେଥିପାଇଁ ମର୍ମାହତ । ଆପଣ ବିଶ୍ୱାସ କରନ୍ତୁ ଯେ ମୁଁ କୌଣସି ବ୍ୟକ୍ତିଗତ ଶତ୍ରୁତା ବା ଦ୍ୱେଷ ବଶବର୍ତ୍ତୀ ହୋଇ ବା ଆପଣଙ୍କ ଅନିଷ୍ଟ କରିବା ଛଳରେ ପ୍ରେରିତ ହୋଇ ଏପରି କାର୍ଯ୍ୟ କରିନାହିଁ ।”

ଯେଉଁ ହତ୍ୟାକାରୀ ହାତରୁ ଏପର୍ଯ୍ୟନ୍ତ ରକ୍ତ ଶୁଖିନାହିଁ ସେଇ ମଣିଷ ଏତେ ଶାନ୍ତିରେ, ଏତେ ସନ୍ତୁଳିତ ମନରେ ଏବଂ ସ୍ଥିତପ୍ରଜ୍ଞ ଭଳି ବାର୍ତ୍ତାଳାପ କରୁଥିଲା ଏପରି ଦେଖି ଶ୍ରୀ ଦେବଦାସଙ୍କ କୌତୁହଳ ଜାଗିଉଠିଲା । ତାଙ୍କ ପିତାଙ୍କ ହତ୍ୟାକାରୀ ପ୍ରତି ତାଙ୍କ ଘୃଣା ଥାଆନ୍ତା ତ ତାହେଲେ ଏଥିରେ କୌଣସି ଅସ୍ୱାଭାବିକତା ନଥିଲା । ଏପରି ଘୃଣାର ଅନୁଭବ ତାଙ୍କର ହୋଇଥିଲେ ବି ସେ ନିଜ ଉପରେ ନିୟନ୍ତ୍ରଣ ରଖିଲେ । ପିତୃବିୟୋଗର କ୍ଷୋଭକୁ ଚାପି ରଖି ସେ ପଚାରିଲେ, “ତାହେଲେ ଆପଣ କ’ଣ ପାଇଁ ଏପରି କଲେ?”

“କାରଣ ରାଜନୈତିକ ଓ କେବଳ ରାଜନୈତିକ ହିଁ”, ନାଥୁରାମ ଉତ୍ତର ଦେଲେ । “କ’ଣ ଆପଣ ଅଧଘଣ୍ଟା ଶୁଣି ପାରିବେ? ଅଧିକାରୀଙ୍କୁ ପଚାରନ୍ତୁ । ଆପଣ ସମ୍ପାଦକ । ପୃଷ୍ଠଭୂମି ଆପଣଙ୍କ ସମ୍ମୁଖକୁ ଉଜାଗର ହୋଇଯିବ ।”

“ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ । ଆପଣ ଚାଳନ୍ତୁ ।” ନିକଟରେ ଛିଡ଼ା ଅଧିକାରୀ ଶ୍ରୀ ଦେବଦାସଙ୍କ ଅନୁରୋଧ କରି କହିଲେ । ଗାନ୍ଧୀଜୀଙ୍କ ପୁତ୍ର ହେଇଥିବା ଯୋଗୁଁ ଶ୍ରୀ ଦେବଦାସଙ୍କୁ ନାଥୁରାମ ସହିତ ଦୁଇ-ତିନି ମିନିଟ କଥା ହେବା ପାଇଁ ଅନୁମତି ମିଳିଥିଲା । ନିଜ କୌତୁହଳ ସେମିତି ରହିଗଲା ଓ ଶ୍ରୀ ଦେବଦାସ ସେଠାରୁ ଅପସରି ଗଲେ ।

ଉତ୍ସର୍ଗ

ଦିଲ୍ଲୀର ଲାଲ କିଲ୍ଲାରେ ୧୦/୦୨/୧୯୪୯ରେ ଗାନ୍ଧୀ ବଧ ସମ୍ବନ୍ଧରେ ଗଠିତ ବିଶେଷ ନ୍ୟାୟାଳୟର ନ୍ୟାୟାଧୀଶ ଆତ୍ମାଚରଣ ଅଭିଯୋଗର ଶୁଣାଣୀ ସଂପୂର୍ଣ୍ଣ ଅନ୍ତେ ନିର୍ଣ୍ଣୟ ଘୋଷିତ କଲେ । ସେ ନାଥୁରାମ ଓ ନାନା ଆପତେଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ଏବଂ ବିଷ୍ଣୁ କରକରେ, ମଦନଲାଲ ପହୱା, ଗୋପାଳ ଗଡ଼ସେ, ଶଙ୍କର କିସତୈୟା ଏବଂ ଡାକ୍ତର ପରଚୂରେଙ୍କୁ ଆଜୀବନ କାରାବାସ ଦିଆଗଲା । ଏହାର ଅତିରିକ୍ତ ମଧ୍ୟ ଅନ୍ୟ ଦଣ୍ଡାବିଧାନ ଦେବାର ବ୍ୟବସ୍ଥା ଥିଲା କିନ୍ତୁ ସେସବୁ ମୁଖ୍ୟ ଦଣ୍ଡ ସହିତ ଏକ ସମୟରେ ଚାଲିଥାଆନ୍ତା । ଦିଗମ୍ବର ବଡ଼ଗେଙ୍କୁ କ୍ଷମା ଆଶ୍ୱାସିତ ସାକ୍ଷୀ ରୂପରେ କ୍ଷମା ପ୍ରଦାନ କରି ଦିଆଯାଇଥିଲା ଏବଂ ସାବରକରଜୀଙ୍କୁ ନିଃକଳଙ୍କ ମୁକ୍ତ କରାଦିଆଯାଇଥିଲା ।

ଗାନ୍ଧୀ ହତ୍ୟା ଅଭିଯୁକ୍ତଙ୍କ ସଂଯୁକ୍ତ ଫଟୋ

ଛିଡ଼ା ହୋଇଥିବା – ବାଁରୁ ଡାହାଣ – ଶଙ୍କର କିସତୈୟା, ଗୋପାଳ ଗଡ଼ସେ,ମଦଳଲାଲ ପହୱା,ଦିଗମ୍ବର ବଡ଼ଗେ ।
ବସିଥିବା ବାଁରୁ ଡାହାଣ – ନାରାୟଣ ଆପତେ,ବିନାୟକ ସାବରକର, ନାଥୁରାମ ଗଡ଼ସେ, ବିଷ୍ଣୁ କରକରେ ।
(ଶ୍ରୀ ବିନାୟକ ସାବରକରଙ୍କୁ ନିମ୍ନ ଅଦାଳତ ଦୋଷମୁକ୍ତ କରିଦେଇଥିଲେ)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top