ଅଣୁଗଳ୍ପ

କୋଳ

Ram Nagina Maurya's Short Story Kola in odia by Dr Mousumi Parida

ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି । ବୁଝିଲୁ କି ନାହିଁ ?

କୋଳ

ମୂଳ ହିନ୍ଦୀ

ରାମ ନଗୀନା ମୌର୍ଯ୍ୟ, ଲକ୍ଷ୍ନୌ

ରାମ ନଗୀନା ମୌର୍ଯ୍ୟ, ଲକ୍ଷ୍ନୌ

ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି । ବୁଝିଲୁ କି ନାହିଁ ?

ନଅ ଦଶବର୍ଷର ପିଲାଟି ଯିଏ ବୋଧହୁଏ ମାଆଠାରୁ ଗପ ଶୁଣୁଥିଲା କିମ୍ବା ମାଆ ଆଗେ ସାରାଦିନରେ ଘଟିତ ଘଟଣାସବୁକୁ ବର୍ଣ୍ଣନା କରୁଥିଲା । ବିଳମ୍ବିତ ରାତିରେ ଅଫିସ୍ରୁ ଫେରି ହାତମୁହଁ ଧୋଇ ଖାଇସାରିବା ପରେ ବିଶ୍ରାମ ନେବାକୁ ବିଛଣାକୁ ଆସି ପତ୍ନୀଙ୍କ କୋଳରେ ପୁଅକୁ ଶୋଇଥିବାର ଦେଖି ଭର୍ତ୍ସନା କଲାପରି କହିଲେ ସେ ତାକୁ ।

କାହିଁକି, ବାପା? ପୁଅଟି ପଚାରିଲା ।

କାରଣ ତୁ ବଡ ହୋଇଗଲୁଣି । ଖାଇପିଇ ସାରି ହୋମୱାର୍କ ସଂପୂର୍ଣ୍ଣ କର । ସ୍କୁଲ୍ରୁ ଫେରିବା ପରେ ବି ତୋ ମୁଣ୍ଡ ଖାଲି ଖେଳକୁଦ କିମ୍ବା ମାଆ ପାଖେ ଛନ୍ଦାଛନ୍ଦି ହୋଇ ନସରପସର ହେବାରେ ଯାଉଛି । ପ୍ରତ୍ୟେକ ଜିନିଷର ନିର୍ଦ୍ଧିଷ୍ଟ ସୀମା ଥାଏ । ଏକଥା ଯେତେ ଶୀଘ୍ର ବୁଝିଯିବୁ ସେତେଶୀଘ୍ର ତୋ ଭବିଷ୍ୟତ ପାଇଁ ଭଲ ହେବ ।

କିନ୍ତୁ ମୁଁ ତ .. ମୋ ହୋମୱାର୍କ ସବୁ କରିକି ଆସିଛି ମାଆ ପାଖକୁ ।

ହଁ କିନ୍ତୁ ମାଆକୁ କିଛି ସମୟ ଏଠି ସେଠି କୋଉଠି ବସିବାର କି ଶୋଇବାର ଦେଖୁଣୁ ନଦେଖୁଣୁ ତା କୋଳରେ ଲାଖି ରହିବାର ଇଏ କି ଅଭ୍ୟାସ? କିଛି ବୁଝିନବିଚାରି ଯେତେବେଳେ ଦେଖିବ ସେତେବେଳେ ମାଆ କୋଳରେ ପଶିବାର ସୁଯୋଗ ଉଣ୍ଡୁଛୁ! ଯାଆ ଏବେ ଏଠୁ ।

କିନ୍ତୁ ବାପା..?

ଆରେ ବାବା! କାମରୁ ଫେରି ମୋତେ ବି ତ ତୋ ମାଆ ସହିତ ସାରାଦିନର ଅନୁଭବସବୁକୁ ବାଂଟିବାର ଥାଏ । କିଛି କଥା ଗପିବାକୁ କି ଶୁଣିବାକୁ ବି ଥାଏ । ଜରୁରୀ ନୁହଁ କି ତୁ ଆମର ସବୁକଥା ଶୁଣିବୁ । ଏଥର ବାପା ରୁକ୍ଷ ଭାବେ କହିଲେ ।

ତମେ ଏମିତି ତାକୁ କାଇଁ ଗାଳି ଦେଉଛ? ତାକୁ ଭଲଭାବେ ଶ୍ରଦ୍ଧାର ସହ ବୁଝେଇ ଶୁଝେଇ ଏକଥା କହିହୁଅନ୍ତା । ବାପ ପୁଅଙ୍କ କଥା ମଝିରେ ପତ୍ନୀ ହସ୍ତକ୍ଷେପ କଲେ ।

ତମ ଗେଲବସର ପାଇଁ ସେ ବିଗିଡିଗଲାଣି । ତମେ ହିଁ ୟାକୁ ମୁଣ୍ଡରେ ବସେଇଛ । ଆରେ ବାବା ! ତୁ ଏଠୁ ଗଲୁନି ଏଯାଏଁ ? ଏବେ ଯାଆ ଏ ଘରୁ, କୋଡିଏଯାଏଁ ଟେବୁଲ୍ ମୁଖସ୍ଥ କର । କାଲି ସକାଳେ ମୁଁ ତୋଠାରୁ ଟେବୁଲ୍ ଶୁଣିବି । ବୁଝିଲୁ କି ନା ? ବାପା ପୁଣିଥରେ ବିରକ୍ତ ହୋଇ ଚିଲେଇଲେ ପୁଅ ଉପରେ ।

ଠିକ୍ ଅଛି ପୁଅ, ଏବେ ବାପାଙ୍କ ସହିତ ମୋର କିଛି କଥା ହେବାର ଅଛି । ଏବେ ତୁ ନିଜ ବିଛଣାକୁ ଯାଇ ଶୋଇପଡ । ସକାଳେ ତୋତେ ଶୀଘ୍ର ଉଠିବାକୁ ବି ତ ହେବ । କାଲିଠାରୁ ତୁମ ସ୍କୁଲ୍ ସମୟରେ ପରିବର୍ତ୍ତନ ହୋଇଛି ନା ? ତୁ ତ ସୁନା ପିଲାଟିଏ । ଶୁଭରାତ୍ରୀ । ପୁଅକୁ ଓଜନିଆ ପାଦରେ ମନକଷ୍ଟ ସହିତ ଫେରିଯାଉଥିବାର ଦେଖି ମାଆ ତାକୁ ଆଶ୍ୱାସନା ଦେଇ କହିଲେ ।

ଶୁଭରାତ୍ରୀ ମାଆ, ଶୁଭରାତ୍ରୀ ବାପା । ଗଲାବେଳେ କହିଲା ଛୋଟ ପୁଅଟି ।

ଏହା ସ୍ପଷ୍ଟ ଯେ ସ୍ୱାମୀଙ୍କ ଇଚ୍ଛା ଓ ତାଙ୍କ କ୍ରୋଧର ଅର୍ଥ, ପୁଅର ମନୋଦଶା, ବାପ ପୁଅଙ୍କ ଭିତରେ ଉପୁଜିଥିବା ଦ୍ୱନ୍ଦ୍ୱକୁ ସମାଧାନ କରିବାର ଦାୟିତ୍ୱବୋଧ ଭିତରେ ବି ସ୍ଥିତିକୁ ସ୍ୱାଭାବିକ କରି ସଂସାରର ତାଳମେଳ ବଜାୟ ରଖିବାର ପ୍ରୟାସ କଲେ ପତ୍ନୀ ।

ଅଫିସ୍‌ରେ ଆଜି କାହା ସହ ବାଦବିବାଦ ହୋଇଯାଇଛି କି?

ତମକୁ କଣ ଲାଗୁଚି? ସ୍ୱାମୀଙ୍କ ଏବେ ବି ଚିଡଚିଡା ଲାଗୁଥିଲେ ।

ତୁମ ମୁଡ୍ ଦେଖିକି ତ ଏଇଆ ଲାଗୁଛି ।

ତୁମେ ମୋ ଦ୍ୱିଧା ଓ ମନୋଭାବ କେମିତି ବୁଝିପାର?

ତୁମକୁ ବୁଝିବା ତ ବହୁତ ସହଜ । ଯେହେତୁ ତୁମ ସହିତ ଜନ୍ମ ଜନ୍ମାନ୍ତରର ପ୍ରେମ ସଂପର୍କ ରହିଆସିଛି । ମନେଅଛି, ବିବାହ ପରର ଦିନଗୁଡିକରେ ଘରେ ହେଉ ବା ପାର୍କରେ ଗ୍ରୀଷ୍ମ ବର୍ଷା ଶୀତ ଯେଉଁ ଋତୁ ହେଲେ ବି ସକାଳ ସନ୍ଧ୍ୟା ଘଣ୍ଟା ଘଣ୍ଟା ଧରି ଆମେ ଦୁହେଁ ବାହୁରେ ବାହୁ ଛନ୍ଦି ବସିରହିଥାଏଁ କିମ୍ବା ଶୋଇରହିଥାଏଁ । ଭଲମୁଡ୍‌ରେ ଥିଲାବେଳେ ତୁମେ ତ ପ୍ରାୟ କେଉଁ ଫଳ, ପନିପରିବା, ଛଣାଛଣି ବିକୁଥିବା ଠେଲାଦୋକାନୀ କିମ୍ବା ପାର୍କିଂବାଲାଠାରୁ ପଇସା କମ୍ କରିବାକୁ ନେଇ ଯୁକ୍ତିତର୍କରେ ମଜ୍ଜିଯାଉଥିଲ । ପ୍ରଥମ ପ୍ରଥମରୁ ମୋତେ ଏସବୁ ବହୁତ ଖରାପ ଲାଗୁଥିଲା । କିନ୍ତୁ ଧୀରେ ଧୀରେ “ଟିକେ ରାଗ, ଟିକେ ଖୁସି, ରାଗ-ଅନୁରାଗ କ୍ଷଣେ କ୍ଷଣେ” ପରି ପ୍ରତି ମୂହୁର୍ତ୍ତରେ ହେଉଥିବା ତୁମ ଭାବ ପରିବର୍ତ୍ତନକୁ ମୁଁ ଭଲଭାବେ ବୁଝିବାକୁ ଲାଗିଲି ।

ଜାଣିନଥିଲି ସେ ମୋର ବୋକାମୀ ଥିଲା ନା ବୟସଜନିତ ଦୋଷଦୁର୍ବଳତା । ସ୍ୱାମୀ ନିରପେକ୍ଷ ଭାବେ ଅନ୍ୟମନସ୍କ ହୋଇ କହିଲେ ।

କିନ୍ତୁ ସେ ସମୟର ବିନୟଭାବ, ମନୋବଳର ପ୍ରତିଟି କ୍ଷଣ ନିଶ୍ଚିତ ଭାବେ ଶାନ୍ତିଦାୟକ ଥିଲା ।

ସେଇଆ ତ । ସ୍ୱାମୀ ଗଭୀର ଦୀର୍ଘଶ୍ୱାସ ପକେଇ କହିଲେ ।

ସଂସାରିକ ଭାବ-ଅଭାବରେ ପ୍ରେମର ସେ ସୁଖଦୁଖର ମୂହୂର୍ତ୍ତସବୁ ଆମ ଜୀବନର ମୁଳ ଜମାପୁଞ୍ଜି । ସ୍ୱାମୀଙ୍କ ମନୋଦଶାକୁ ବୁଝି ପତ୍ନୀ କଥାର ଡୋରକୁ ଆଗକୁ ବଢାଇଲେ ।
ଏତେବର୍ଷ ପରେ ତୁମେ ଆଜି ଏସବୁ କାଇଁ ଭାବୁଛ ? ସ୍ୱାମୀ ଅବୁଝା ଭାବେ ପଚାରିଲେ ।

ପୁଅ ବଡ ହେଲାଣି । ତାକୁ ଏବେ ଏମିତି ଗାଳି କରନି । ସେ ନିଜ ସ୍କୁଲ୍, ସାଙ୍ଗମାନଙ୍କ କଥା, ତା ଶିକ୍ଷକ ଶିକ୍ଷୟତ୍ରୀମାନେ କଣ ସବୁ ପଢାଇଲେ ଏହିସବୁ କଥା ତ ମୋତେ ଶୁଣଉଥିଲା । ପତିଙ୍କୁ ସ୍ୱାଭାବିକ ଦେଖି ପତ୍ନୀ ଶ୍ରଦ୍ଧାର ସହିତ ବୁଝାଇଲେ ।

ଏବେ ତୁମେ ବି ମୋତେ ବୁଝାଇବାକୁ ଲାଗିପଡିଲ ? କେତେଥର କହିଲିଣି ପୁଅ ବଡ ହେଇଗଲାଣି । ତାକୁ ଏବେ ଅଲଗା ରୁମ୍‌ରେ ଶୋଇବାକୁ କୁହ ବୋଲି । ମୋତେ ବି ତୁମ ସହିତ କିଛି କଥା ହେବାକୁ ଥାଏ । ସାରାଦିନର ଅନୁଭବ, କାର୍ଯ୍ୟକଳାପ, ଦୁଃଖସୁଖ । କି କି ବାଧା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । କେଉଁମାନଙ୍କ ସହିତ ଭେଟ ହେଲା, କଣସବୁ କହିଲି ଶୁଣିଲି, କି କି ଉତଥାନ ପତନ ସମ୍ମୁଖୀନ ହେଲି । ପୁଣି କିଛିକଥା ଏମିତି ବି ଥାଏ ଯାହା କେବଳ ତୁମକୁ ହିଁ କହିବାକୁ ଥାଏ ।

ପୁଅ ଟିକେ ବଡ ହୋଇଗଲେ ମନକୁ ମନ ବୁଝିବାକୁ ଲାଗିବ ।

ଏ ମହାଶୟ କେବେ ବଡ ହେବେ? କେବେ ବୁଝିବେ? ନିଜେ ବାପା ହୋଇସାରିବା ପରେ କଣ ନିଜ ବାପାଙ୍କୁ ବୁଝିବେ?

ତୁମେ ଏମିତି କାଇଁ ଭାବୁଛ?

ତୁମେ ତ ଜାଣ, ମୋତେ ପ୍ରାୟ ତାକୁ ରାତିରେ ନିଦରୁ ଉଠେଇ କାଖକରି ତା କୋଠରିଯାଏଁ ନେଇଯିବାରେ କେତେ ଅସୁବିଧା ହୁଏ ? ଅଣ୍ଟାରେ ଯନ୍ତ୍ରଣା ହୁଏ । ତା ଉପରେ ଆଜି ସନ୍ଧ୍ୟାରୁ ଭୟଙ୍କର ଭାବେ ମୁଣ୍ଡ ବିନ୍ଧା.. । ତୁମେ ବି କଣ ମୋତେ ବୁଝିବନି? ଆରେ ବାବା ମୋର ବି କିଛି ଆବଶ୍ୟକତା ଅଛି ନା ନାଇଁ ? ମୋତେ ବି ତ କେବେକେବେ ତୁମ କୋଳରେ ଆବଶ୍ୟକତା ପଡେ । ସ୍ୱାମୀ ଖୁବ୍ ନିରୀହତାର ସହିତ ପତ୍ନୀଙ୍କୁ ନିଜର ବ୍ୟଥା କହିବାକୁ ଚାହୁଁଥିଲେ ।

ଆରେ ୱାହ୍! ବାହାନା ବନାଇବା କେହି ତୁମଠାରୁ ଶିଖିବା ଉଚିତ୍ । ପତ୍ନୀ ସ୍ଥିତିକୁ ସ୍ୱାଭାବିକ ମନୋରମ କରିବାକୁ ଯାଇ କହିଲେ ।

ବାହାନା କରୁନି । ସତ କହୁଛି । ଜଣାନାହିଁ ଏତେବର୍ଷର ସଂପର୍କ ପରେ ବି ତୁମେ ମୋତେ ଠିକ୍‌ରେ ବୁଝିପାରିଲନି କେମିତି !

ମୁଁ ତୁମକୁ ବୁଝିବିନି ତ ଆଉ କାହାକୁ ବୁଝିବି? ତୁମକୁ ବହୁତ ଭଲରେ ବୁଝିଛି । ଗାଁରୁ ଏଇ ସହରକୁ ତୁମ ସହିତ ଆସିଲାବେଳେ ମାଆ ତୁମର ସ୍ୱଭାବ, ଅଭ୍ୟାସ ବିଷୟରେ ଭଲରେ ବୁଝେଇ କହିଛନ୍ତି । କାହାକୁ କିଛି କହିବାକୁ ଥିଲେ ତୁମେ ଶୀଘ୍ର ବ୍ୟାକୁଳିତ ହୋଇପଡ । ସେତେବେଳେ ତୁମକୁ ଖାଲି କଥାରେ ବୁଝେଇଶୁଝେଇ ହୁଏନାହିଁ । ସ୍ୱାଦିଷ୍ଟ ଖାଦ୍ୟ ପାନୀୟ ଦ୍ୱାରା ତୁମର ଯତ୍ନ ନେବାକୁ ହୁଏ । ଏବେ ତୁମ ପୁଅ ବି ତୁମ ପାଦ ସହ ପାଦ ମିଶେଇ ଚାଲିବା ଆରଂଭ କଲାଣି । ସବୁଦିନ ଟିଫିନ୍‌ରେ କିଛି ନା କିଛି ନୂଆ ଖାଦ୍ୟ ଦରକାର । ତାକୁ ବି ମୋତେ ହିଁ ସଂଭାଳିବାକୁ ପଡୁଛି । ପତ୍ନୀ ଏସବୁ ସପ୍ରେମ ଦୁଷ୍ଟାମୀଭରା ମୁଦ୍ରାରେ କହିଲେ ।

ଆଚ୍ଛା! କଣ କଣ ସବୁ କହେ ତୁମକୁ ସେ ?

ତୁମ ପରି ତାକୁ ବି ନିଜ ସହ ବିତିଥିବା ଘଟଣାସବୁର ବିସ୍ତୃତ ବିବରଣୀ ଦେବାର ଥାଏ । ତାକୁ ବି ଭଲମନ୍ଦ ସବୁ ବୁଝାଇବାକୁ ପଡେ । କିନ୍ତୁ ଗୋଟେକଥା ମୋତେ ବେଶୀ ମହତ୍ୱପୂର୍ଣ୍ଣ ଲାଗେ କି ତାର ସବୁକଥା କେବଳ ମୋତେ ହିଁ କହିବାକୁ ଥାଏ ।

ସତେ! ଏ ତ ବହୁତ ଭଲକଥା । କିନ୍ତୁ ଏ ମହାଶୟ କେବେ ବଡ ହେବେ ଯିଏ ସବୁକଥା ତୁମ କୋଳକୁ ଆସି କହିବାକୁ ଚାହାନ୍ତି ?

ତୁମ ପରି ହେଇଛି । ତାକୁ ବୋଧେ ମୋ କୋଳରେ ଶାନ୍ତି ମିଳୁଥିବ, କିଏଜାଣେ !

ସେମିତିରେ ଦେଖିଲେ ମୁଁ ବି ସାରାଦିନର ଅନୁଭବକୁ ତୁମ ସହିତ ବାଣ୍ଟି ଶାନ୍ତି ପାଏ ।

ତେବେ ପୁଅକୁ କାଇଁ କହିଲ ଏଠି ଚାଲିଯିବାକୁ ? ବିଚାରା ନୀରବିଗଲା । ଛୋଟପିଲାଟିଏ ତ ସେ !

ଆଚ୍ଛା! ଡାକି ଆଣ । ଯାହାହେଲେ ବି ସେ ବି ମୋ ପରି ହାଡମାଂସରେ ତିଆରି ହୋଇଛି । ତାକୁ ବି ତ ତୁମ କୋଳର ଆବଶ୍ୟକତା ଅଛି ।

ଆଚ୍ଛା! ଆସ, ବସ ଏଇଠି । ପ୍ରଥମେ ତୁମ ମୁଣ୍ଡ ଚିପିଦିଏ । ଏବେ ତ ଖୁସି ନା? ପତ୍ନୀ ମୁରୁକିହସି ପଚାରିଲେ ।

ତୁମେ ବି ନା..! ଅନ୍ତଃସଲୀଳା ପରି ମୋ ମନକଥା କେମିତି ବୁଝିଯାଅ?

ନାରୀଟିଏ ମୁଁ । ପିଲାଦିନରୁ ସେ ଅଭ୍ୟାସ ଅଛି । କିନ୍ତୁ ତୁମେ ଯେବେ ଚିଡ, ରାଗ, ଅଶାନ୍ତ ହୁଏ ମୋତେ ଜମ୍ମାରୁ ଭଲ ଲାଗେନି । ମିଛିମିଛିକା ରାଗରେ କହିଲେ ପତ୍ନୀ ।

ମୁଁ ତ ଖାଲି ଏମିତି..

ଆଚ୍ଛା ମହାଶୟ । ଏବେ ନିଜକଥା ପଡିଲାରୁ ୟାଡୁସ୍ୟାଡୁ କହି ଆଖପାଖ ଉଣ୍ଡୁଛ । କଣ ସବୁ ପୁରୁଷ ଏମିତି ହୋଇଥାଆନ୍ତି ?

କିଏ ଜାଣେ ? କିନ୍ତୁ ଏତିକି ବିଶ୍ୱାସର ସହିତ କହିପାରିବି ଯେ ଆମ ବାପ ପୁଅ ଦୁହିଁଙ୍କୁ ତୁମ କୋଳରେ ହିଁ ଆରାମ ଓ ଶାନ୍ତି ମିଳିଥାଏ ।

ମାନେ ଯାଦୁକି ଝପ୍ପି?

ନିଶ୍ଚୟ ।

କିନ୍ତୁ ଏବେ ତୁମେ କୁଆଡେ ଯାଉଛ?

ପୁଅକୁ ଆଣିବାକୁ । ଯାହା ହେଲେ ତାକୁ ବି ତ ତୁମ କୋଳ ଓ ଯାଦୁବାଲି ଝପ୍ପି ଦରକାର ନା? ଏବେ ଖୁବ୍ ନିକଟରେ ମୁଁ ପଢିଥିଲି ଯେତେବେଳେ ସିଗଡିଅନସେଟ୍ ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇବାର ଘୋଷଣା କରାଗଲା, ସାମ୍ବାଦିକମାନେ ତାଙ୍କ ସାକ୍ଷାତକାର ନେବାକୁ ଚାହିଁବାରୁ ସେ ଅସାମର୍ଥ୍ୟ ପ୍ରକାଶ କରି କହିଲେ କି ଏବେ ମୁଁ କଥା ହୋଇପାରିବି ନାହିଁ । ଜୀବନର ଖୁବ୍ ମହତ୍ୱପୂର୍ଣ୍ଣ କାମ ଏବେ କରୁଛି । ସେତେବେଳେ ନିଜକ ପିଲାକୁ ସେ କାହାଣୀ ଶୁଣାଇ କୋଳରେ ଶୁଆଉଥିଲେ ।

ତମେ ବି ନା..କେବେକେବେ ଏତେ ବଡବଡ କଥା କହିପକାଅ ଯେ ତୁମକୁ ବାସ୍ତବରେ ବୁଝିବା କଷ୍ଟକର ହୋଇଯାଏ ।

ୟାକୁ ତ ପ୍ରେମ କହନ୍ତି । ଯାହାକୁ ବୁଝିହୁଏନି ଖାଲି ଅନୁଭବ କରିହୁଏ । ପରମୂହୁର୍ତ୍ତରେ ପତିପତ୍ନୀ ଉଭୟଙ୍କ ଓଠରେ ହସ ଖେଳିଉଠିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top