ଅନୁଭୂତି

ଉଦ୍‌ଘାଟନ

Dr Sharat Chandra Parida

ଯିଏ ଇଣ୍ଡୋନେସିଆର ରାଜା ସୁକର୍ଣ୍ଣଙ୍କୁ କୋଠା ଉପରୁ ହେଲିକ୍ୟାପଟର୍ ସାହାଯ୍ୟରେ ଶୂନ୍ୟେ ଶୂନ୍ୟେ ଉଠାଇ ନେଇ ସୁରକ୍ଷା ଦେଇଥିଲେ ତାଙ୍କୁ ଏ ଘଟଣା କି ମାତର !

ଉଦ୍‌ଘାଟନ

-: ପୂର୍ବରୁ :-

ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଦୃଷ୍ଟି ମଧ୍ୟ ଏକ ଲୟରେ ଦର୍ଶକମାନଙ୍କ ପାଖରେ ବନ୍ଧା ପଡ଼ିଥାଏ । ହଠାତ୍ ଆକାଶରୁ ଧୂମକେତୁ ଖସିଲା ପରି ଏକ ସୁସ୍ଥ ସବଳ ଯୁବକ କେଉଁଠି ଥିଲା ବିଜୁଳି ବେଗରେ ଧାଇଁ ଆସି ପୋଡ଼ିୟମ୍‌କୁ ଶକ୍ତ ଧକ୍କାଟିଏ ଦେଲା । ପିଛଡ଼ା ପଡ଼ିବା ମାତ୍ରକେ ଅନ୍ତର୍ଦ୍ଧାନ ହେବାକୁ ଚେଷ୍ଟା କଲାବେଳେ ଚାରିପଟେ ଘେରି ରହିଥିବା ପୁଲିସ କର୍ଡନ୍‌କୁ ପାରି ହୋଇ ଯିବା ତା’ ପକ୍ଷରେ ସମ୍ଭବ ହେଲା ନାଇଁ । ଜାଲ ଭିତରୁ ମାଛ ନ ଯାଇ ପାରିଲା ପରି ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ ପୁଲିସ୍‌ର କବ୍‌ଜାକୁ ଚାଲି ଆସିଥିଲା । ସମସ୍ତ ଦେଖଣାହାରିଙ୍କ ଆଖି ଖୋସି ହୋଇ ଯାଇଥିଲା । ହେଇ ଧର ବୋଲି କହି ଦର୍ଶକମାନେ ନିଜ ନିଜ ସିଟ୍‌ରୁ ଉଠି ପଡ଼ିଥିଲେ । ମାତ୍ର ସ୍ୱେଚ୍ଛାସେବୀ ଓ ସୁରକ୍ଷାବଳର ଆଶ୍ୱସ୍ତି ବାଣୀ ଓ ଶାନ୍ତି ଭଙ୍ଗ ନ କରିବା ପାଇଁ ଅନୁରୋଧରେ ସମସ୍ତେ ନିରବି ଯାଇଥିଲେ । ମାତ୍ର ଦର୍ଶକମାନଙ୍କ ପକ୍ଷରେ ଏହା ଅକଳ୍ପନୀୟ ଥିଲା ।

ଅନ୍ୟମାନେ ସିନା ସେହି ଯୁବକକୁ ଚିହ୍ନି ନଥିଲେ କିନ୍ତୁ ମୋଭଳି ଅନେକ ସହପାଠୀ ସେ ଯୁବକକୁ ଚିହ୍ନିଥିଲେ ସେ. . . । ମୋର ଜଣେ ସହପାଠୀ ଥିଲେ । ଅମରେନ୍ଦ୍ର (ଛଦ୍ମନାମ) । ଦେଖିବାକୁ ନୀଳଗିରି ଗଛର ଠାଣି । ଲମ୍ୱା ଦେହ । ସୁନ୍ଦର ସୁଗଠିତ ବପୁ । ଧୀର ସ୍ଥିର । ଶ୍ରେଣୀରେ ବେଶି ଗମ୍ଭୀର । କଥାବାର୍ତ୍ତା କମ୍ । ଖୁବ୍ କମ୍ ପିଲାଙ୍କ ସାଙ୍ଗରେ ମିଶନ୍ତି । ନ ମିଶନ୍ତି କହିଲେ ବି ଭୁଲ୍ ହେବ ନାଇଁ । ତାଙ୍କର ସ୍ୱର ମଧ୍ୟ ଅଧିକାଂଶ ପିଲା ଶୁଣି ନଥିବେ । ଶ୍ରେଣୀରେ ଯାହା ଯେତେବେଳେ ଯେତିକି ଦେଖା ହୁଏ । ସେତେବେଳେ ମୁଁ ଛାତ୍ରାବାସରେ ରହୁ ନଥାଏ । ରାଣୀ ହାଟର ଶାନ୍ତିନଗରର ପ୍ରେରଣା ଦାତା ସ୍ୱର୍ଗତ କିଶୋରୀମୋହନ ନନ୍ଦଙ୍କ ଘରେ ରହି ସାଇକେଲ୍ରେ ଯିବା ଆସିବା କରୁଥାଏ । ବେଳେ ବେଳେ ମୁଁ ସାଇକେଲ୍‌ରେ ଗଲା ବେଳେ ଅମରେନ୍ଦ୍ର ମଧ୍ୟ ଯିବାର ଲକ୍ଷ୍ୟ କରିଚି । ଆସିଲା ବେଳେ ମଧ୍ୟ ରାଣୀହାଟ ହାଇସ୍କୁଲ ସାମ୍ନାରେ ବା ରାଣୀହାଟ ପୋଲ ଉପରେ ଦେଖା ହୋଇଚି । ବେଳେ ବେଳେ କଲେଜର ସାଇକେଲ ଷ୍ଟାଣ୍ଡରେ ମଧ୍ୟ ଭେଟିଚି । ଆମ ଆର୍ଟସ କ୍ଲାସ୍‌ରେ ବାରମ୍ୱାର ଦେଖି ଥରେ ମୋ ତରଫରୁ ପଚାରିଲି- ଅମରେନ୍ଦ୍ର । ତୁମକୁ ମୁଁ ବାଟରେ ଗଲାବେଳେ ଦେଖୁଚି । ତୁମେ କେଉଁଠାରେ ରହୁଚ ? ହଁ, ଏଇ ବକ୍ସିବଜାରରେ ରହୁଚି । ଜଣେ ସମ୍ପର୍କୀୟ ଭଉଣୀଙ୍କ ଘରେ । ପାର୍ଥ, ସୁବଳ, ନଗେନ୍ଦ୍ର, ଅନଙ୍ଗ, ରାଜବିଷ୍ଣୁ ଦୟାନିଧିଙ୍କ ପରି ଅମରେନ୍ଦ୍ର ଘନିଷ୍ଠ ସହପାଠୀ ବନ୍ଧୁ ହୋଇ ଆଗେଇ ଆସିଲେ ନାଇଁ । ନ ଆସିଲେ ନାଇଁ । ନିଜ କାମରେ ତ ସମସ୍ତେ ବ୍ୟସ୍ତ । ତା’ଉପରେ ଏତେ ନିଘା ଦେଉଚି କିଏ ?

ଢିପ ଜାଗାରୁ ବର୍ଷା ପାଣି ଜାଗାକୁ ଗଡ଼ିଗଲା ପରି ଦିନ ସବୁ ଗଡ଼ିବାକୁ ଲାଗିଲା । ୟା’ ମଧ୍ୟରେ ମୁଁ ଅମରେନ୍ଦ୍ରଙ୍କ ବିଷୟରେ ବହୁତ କଥା ଶୁଣିବାକୁ ପାଇଲି । କିନ୍ତୁ ପ୍ରତ୍ୟକ୍ଷରେ କିଛି ଜାଣି ନଥିବାରୁ ମୁଁ କାଇଁକି ତାଙ୍କୁ ସନ୍ଦେହ କରିବି । ବିନା କାରଣରେ କାହାକୁ ସନ୍ଦେହ କରିବା ପାପ । ମୋ ଭାବନା ମୋ ମନରେ ଘୋଡ଼େଇ ହୋଇ ଶୋଇ ରହିଥାଏ । ଅମରେନ୍ଦ୍ର କାହା ସହିତ ଖୋଲାଖୋଲି କଥା ହେବାର ମୁଁ କେବେ ଲକ୍ଷ୍ୟ କରି ନଥିଲି । ସେ ତ ଉପରମୁହାଁ ଓଟ ।

ଦିନେ ସକାଳ ଦଶଟା ବେଳେ ମୁଁ କଲେଜ ଯାଉଥିଲା ବେଳେ ଲକ୍ଷ୍ୟ କଲି ଶଗଡ଼ିଆ ସାହି ଛକ ପାଖରେ ଥିବା ଟେଲର ଦୋକାନ ପାଖରେ ଗୋଟିଏ ଯୁବକକୁ ତିନିଜଣ ଲୋକ ଘେରି ଟଣା ଓଟରା କରୁଛନ୍ତି । ଚୁଟି ଭିଡୁଛନ୍ତି । ମୁଥ ମାରୁଛନ୍ତି । ପାଖରେ ସାଇକେଲ୍‌ଟା ଚିତ୍ପଟାଙ୍ଗ ମାରି ନିଶ୍ଚଳ ହୋଇ ପଡ଼ି ରହିଛି । ଅଫିସ୍ ଆୱାର୍ । ସମସ୍ତେ ତ ନିଜ ନିଜ ଗନ୍ତବ୍ୟ ପଥରେ ପେଁ ପାଁ କରି ଗାଡ଼ି ମଟର ଛୁଟାଇଛନ୍ତି । ସମସ୍ତେ ଏ ଦୃଶ୍ୟର ଝଲକ ଦେଖୁଥାନ୍ତି । କାଦୁଅରେ ପଶିବି କାହିଁ ଗୋଡ଼ ଧୋଇବି କାହିଁ ଏମିତି ଭାବନାରେ ସମସ୍ତେ ନିଜ ବାଟରେ । ଭଲ ଲୋକରେ କାହିଁକି ଭାଣ୍ଡିଆ ହେବି । ୟେତ ସହର ବଜାର ଜାଗା । କେହି କାହାକୁ ଚିହ୍ନନ୍ତି ନାଇଁ କି ଜାଣନ୍ତି ନାଇଁ । ସାରୁ ଭିତରେ ମାରୁ ଥାଇପାରେ । ତେଣୁ ସମସ୍ତେ କିଛି ନ ଦେଖିଲା ପରି ବାଟ ଭାଙ୍ଗି ଚାଲି ଯାଉଥାନ୍ତି ।

କିନ୍ତୁ ମୁଁ କ’ଣ କରିବି ଏ ଦ୍ୱନ୍ଦ୍ୱରେ ପଡ଼ିଗଲି । ମୁଁ ଭଲ କରି ନିରେଖିଲି । ଅମରେନ୍ଦ୍ର ଭଳି ଲାଗୁଛି । ତିନି ଚାରିଥର ଆଖି ପିଛଡ଼ା ମାରି ଦେଖିଲା ବେଳକୁ ଅନ୍ଦାଜଟା ସତ । ୟେତ ଅମରେନ୍ଦ୍ର ! ମୋର ସହପାଠୀ ! ବଡ଼ଦ୍ୱନ୍ଦ୍ୱରେ ମୁଁ ପଡ଼ିଗଲି । କ’ଣ କରିବି ? ପାଖକୁ ଯିବି ? ପାଖକୁ ଯାଇ କ’ଣ କହିବି ? କ’ଣ କରିବି ? ସେ କାହାର କି ପ୍ରକାର ଦୋଷ, କ୍ଷତି ବା ଅପରାଧ କରିଛି ମୁଁ ତ ଜାଣି ନାଇଁ । ତା’ର ସ୍ୱଭାବ, ଚରିତ୍ର, କାର୍ଯ୍ୟକଳାପ ବିଷୟରେ ମୁଁ ତ ସମ୍ପୂର୍ଣ୍ଣ ଅଜ୍ଞ । କିଛି ନ ଜାଣି ଯଦି ଅକସ୍ମାତ୍ ରଣ କ୍ଷେତ୍ରରେ ମୁଁ ସୁରକ୍ଷା ଦେବା ପାଇଁ ଓହ୍ଲାଇ ପଡ଼େ ପରିଣାମ କ’ଣ ହେବ କିଏ ଜାଣେ ? ଦୁଧ ଘଡ଼ି ହାତରେ ଥିଲେ ଲୋକେ ମଦ ବୋତଲ ବୋଲି କହନ୍ତି । ଯଦି ଚୋରର ସାଙ୍ଗ ଚୋର, ଦୁଷ୍ଟର ସାଙ୍ଗ ଦୁଷ୍ଟ ବୋଲି ଭାବି ଦିଅନ୍ତି ତେବେ ଗୋଟିଏ ବି ମାଡ଼ ତଳେ ପଡ଼ିବ ନାଇଁ । ଅମରେନ୍ଦ୍ର ତ ମୋତେ ତା’ର ସାଙ୍ଗ ବୋଲି ଆଜିଯାଏ ସ୍ୱୀକୃତି ଦେଇ ନାଇଁ । ଶହ ଶହ ପିଲାଙ୍କ ସାଙ୍ଗରେ ପଢ଼ିଲେ ବୋଲି ସମସ୍ତେ ଅନ୍ତରଙ୍ଗ ବନ୍ଧୁ ହୋଇଯାନ୍ତି ତାହା ବି ନୁଏଁ । ତେଣୁ ବାଟ କାଟି ଆଗକୁ ଚାଲିଲି । ସେ ଦିନର ସେହି ସମୟର ଦୃଶ୍ୟ ଏବେ ବି ମୋ ମନରେ ସତେଜ ହୋଇ ରହିଛି । ମୁଁ ଭୁଲ୍ କରିଚି କି ଠିକ୍ କରିଚି ସେ ପ୍ରଶ୍ନର ଏବେ ବି ସମାଧାନ ହୋଇପାରି ନାଇଁ । ଦୋଳକ ପରି ସନ୍ଦେହଟା ମୋ ମନ ଭିତରେ ଖେଳୁଚି ।

ଅମରେନ୍ଦ୍ର ଧକ୍କା ଦେଇ ପୋଡ଼ିୟମ୍‌କୁ ପାଞ୍ଚ ଫୁଟ ତଳକୁ ପକାଇ ଦେଇଥିଲା । ସେ ଭାବିଥିଲା ପୋଡ଼ିୟମ୍ ସହିତ ତା’ ଉପରେ ଭରା ଦେଇ ଭାଷଣ ଦେଉଥିବା ବକ୍ତା ସଭାର ମୁଖ୍ୟ ଆକର୍ଷଣ ଶ୍ରୀଯୁକ୍ତ ପଟ୍ଟନାୟକ ମଧ୍ୟ ତଳୁ ଖସି ପଡ଼ିବେ । ମାତ୍ର ଯିଏ ଜନତାର ହୃଦୟରେ ସ୍ନେହ ଆଦର ସମ୍ମାନରେ ବନ୍ଧା ଚିର ପୂଜିତ ସେ କେବେ ତଳେ ପଡ଼ି ପାରିବେ । ଯେତେ ଚେଷ୍ଟା କଲେ ମଧ୍ୟ ମହାନ୍ ଲୋକ ସବୁବେଳେ ଉପରେ ଥାନ୍ତି । ସେ ପଡୁ ପଡୁ ନିଜର ଦେହର ଭାରସାମ୍ୟ ନିଜେ ରକ୍ଷା କରିନେଲେ । ଯିଏ ଇଣ୍ଡୋନେସିଆର ରାଜା ସୁକର୍ଣ୍ଣଙ୍କୁ କୋଠା ଉପରୁ ହେଲିକ୍ୟାପଟର୍ ସାହାଯ୍ୟରେ ଶୂନ୍ୟେ ଶୂନ୍ୟେ ଉଠାଇ ନେଇ ସୁରକ୍ଷା ଦେଇଥିଲେ ତାଙ୍କୁ ଏ ଘଟଣା କି ମାତର ! କଥାରେ ଅଛି ପରା କଂସାରି ଘର ପାରା, ତାକୁ କୁଲା ଢାଉଁ ଢାଉଁ ଡରା । ରାଜନୀତି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଘଟଣା ଦୁର୍ଘଟଣା ମାନ ଅପମାନ ସବୁ ଦେହ ଘଷା । ଏଥିରେ କିଛି ନୂତନତା ନଥାଏ ।

ପ୍ରେକ୍ଷାଳୟରେ ଉପସ୍ଥିତ ଶ୍ରୋତୃବର୍ଗ ପ୍ରଚଣ୍ଡ ଭାବରେ ମର୍ମାହତ ହେଲେ । ଆୟୋଜକମାନେ ନିଜର ଅପାରଗତାକୁ ଗୁଣି ହେଉଥିଲେ । ପୁଲିସ ନିଜ କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଇ ପାରି ନାଇଁ ବୋଲି ଘୋଷି ହେଉଥିଲେ । ରାଜନୀତି ଦଳୀୟ ବ୍ୟକ୍ତିମାନେ ଏ ଯୁବକ କେଉଁ ଦଳର ବୋଲି ପ୍ରଶ୍ନବାଚୀରେ ଆନ୍ଦୋଳିତ ହେଉଥିଲେ । ଆଉ କେତେକ ଭାବୁଥିଲେ ଏ ପାଗଳ ନା ବିକୃତ ମସ୍ତିଷ୍କ ! ସହପାଠୀମାନେ ଭାବୁଥିଲେ ଏ କ’ଣ ମନକୁ କାଣ୍ଡ ଭିଆଇଲା ନା କାହା ପ୍ରରୋଚନାରେ ଏ ଦୁଃସାହସିକ କାର୍ଯ୍ୟ କଲା ? ସାଧାରଣ ଲୋକେ ଭାବୁଥିଲେ- ପୁଲିସ୍ ଏହାକୁ ବାଡ଼େଇ ବାଡ଼େଇ ମାରିଦେବ କିମ୍ୱା କଲେଜରୁ ସବୁଦିନ ପାଇଁ ଟି.ସି. ଦିଆହେବ । ସମସ୍ତଙ୍କ ବିଚାରାଳୟରେ ୟା’ ପ୍ରତି କି ପ୍ରକାର ଦଣ୍ଡ ବିଧାନ କରାଯିବ- ଏ ଭାବନା ଗୋଳେଇ ଘାଣ୍ଟି ହେଉଥିଲା । ଦର୍ଶକ ବୃନ୍ଦ ଅପେକ୍ଷା କରିଥାନ୍ତି କଳିଙ୍ଗବୀର, ଉତ୍କଳମାଟିର କୃତି ସନ୍ତାନ ଓ ମୁକୁଟ ବିହୀନ ସମ୍ରାଟ ଏ ପ୍ରସଙ୍ଗରେ କ’ଣ ମତାମତ ଦେବେ । ଚାତକ ବର୍ଷା ବାରିକି ଏକ ଲୟରେ ଅନିଶା କଲା ପରି ଜନତା ଉଦ୍‌ଗ୍ରୀବ ହୋଇ ଚାହିଁ ରହିଥାନ୍ତି ମାନ୍ୟବର ମନ୍ତ୍ରୀ ମହୋଦୟଙ୍କ ମୁଖମଣ୍ଡଳକୁ । ହଜାର ହଜାର ଜନତାର ଆଖି ଆଗରେ ଯେଉଁ ଅଘଟଣ ଘଟିଗଲା ତାକୁ କିପରି ଭାବରେ ଗ୍ରହଣ କରିବେ ସେ । ମୁଁ ଅତ୍ୟନ୍ତ ମର୍ମାହତ, ନା ମୁଁ ବିଶେଷ ଭାବରେ ଦୁଃଖିତ, ନା ଆଜିକାଲିର ଯୁବକମାନେ ଏମିତି ଉଦ୍ଧତ, ମୋତେ ଏହି ଉଦ୍ଘାଟନ ଉତ୍ସବକୁ ଡାକି ଏମିତି ଅପମାନ କାହିଁକି ? କ’ଣ ପ୍ରତିକ୍ରିୟା ପ୍ରକାଶ କରିବେ ସେ ? ବୁଢ଼ିଆଣୀ ଜାଲରେ ଛନ୍ଦି ହେଉଥିବା ସମସ୍ତଙ୍କର ଚିନ୍ତାକୁ ଚମକେଇ ଦେଇ ପ୍ରଚଣ୍ଡ ପ୍ରତିଭାଧର ଶ୍ରୀଯୁକ୍ତ ପଟ୍ଟନାୟକ ଗୁରୁଗମ୍ଭୀର ପରିବେଶକୁ ହାଲକା କରିବାକୁ ଯାଇ ଟିପ୍ପଣୀ ଦେଇଥିଲେ- “ପ୍ଲିଜ୍ ଡ଼ୋଣ୍ଟ୍ ମାଇଣ୍ଡ, ଇଟି ଇଜ୍ ଏ ୟଙ୍ଗମ୍ୟାନ୍ସ ଜୋକ୍ !”

To Top