ଅନୁଭୂତି

ମୋ ପିଲାଦିନର ସ୍ମୃତି ଓ ଟିକି ବୋଉ

Prasanta Kumar Behera's odia cognition Mo Piladinara Smruti o Tiki Bou

ଟିକି ବୋଉଙ୍କୁ ଜଡ଼ିତ କରି ଗାଁରେ ଥିବା ସମୟରେ ମୋର ମାତ୍ର ଚାରି ବର୍ଷରେ ବହୁ ସ୍ମୃତି ରହିଛି ।

ବଡ଼ି ଭୋର୍‌ରୁ ମୋବାଇଲ୍‌ଟା ବାଜି ଉଠିଲା । ଉଠାଇବାରୁ ଜଣା ପଡ଼ିଲା ଯେ, ଏହା ଏକ ଦୁଃଖଦ ଖବର ବହନ କରୁଥିବା କଲ୍‌ ଥିଲା । ଟିକି ବୋଉ ଚାଲିଗଲେ । ଖବରଟିକୁ ବିଶ୍ୱାସ କରିବାକୁ ମନ ଆଦୌ ରାଜି ହେଉନଥିଲା । ଟିକି ବୋଉଙ୍କର ବୟସ ଏଇ ମାତ୍ର ୬୦ ବର୍ଷ ହୋଇଥିବ । ପୂର୍ବଦିନ ସେ ନିଜ କଟକ ବିଡ଼ାନାସି ଘରେ ଅଷ୍ଟପ୍ରହରୀ ସରିବାପରେ ଖାଇପିଇ ଏଇ ରାତି ୧୨ଟା ସୁଦ୍ଧା ଶୋଇଥିଲେ । ଯଦିଓ ତାଙ୍କର ଡ଼ାଇବେଟିସ୍ ସହିତ ବ୍ଲଡ଼୍ ପ୍ରେସର ବହୁ ଆଗରୁ ରହିଥିଲା, ସେ କିନ୍ତୁ ନିୟମିତ ଓୌଷଧ ଖାଇ ସେ ସବୁ ରୋଗକୁ ସମ୍ପୂର୍ଣ୍ଣ କଣ୍ଟ୍ରୋଲରେ ରଖିଥିଲେ । ଦେଢ ବର୍ଷତଳେ କରୋନାରେ ଆକ୍ରାନ୍ତ ହୋଇ ପାଖା ପାଖି ୧୨ ଦିନ ଆଇ.ସି.ୟୁ ରେ ରହି ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତା’ପରଠାରୁ ସମ୍ପୂର୍ଣ୍ଣ ଦେହକୁ ଜଗିରଖି ଚଳୁଥିଲେ । ବୁଝିବାରୁ ଜଣାଗଲା ଯେ, ସେଦିନ ପାହାନ୍ତିଆ ସମୟ ମାନେ ସକାଳ ୪ଟା ବେଳେ ଛାତି କ’ଣ ହେବାରୁ ସେମିତି ଶୋଇରହି ପାଣି ପିଇବାକୁ ମାଗିଲେ । ଦୁଇ ପୁଅ ଓ ବୋହୁ ସମସ୍ତେ ତାଙ୍କ ପାଖକୁ ଦୌଡ଼ି ଯାଇ ଜଣେ ପାଣି ପିଇବାକୁ ଚାମଚରେ ଦେବାବେଳେ ସେ କହିଲେ, ” ହେ ! ଏମିତି ଚାମଚରେ କି ପାଣି ପିଇବି ବୋଲି କହି ସେମିତି ଶୋଇବା ଅବସ୍ଥାରେ ମୁଣ୍ତ ଉପରକୁ ଉଠାଇ ପୁରା ଗିଲାସତକ ପାଣିକୁ ଧରି ପିଉଥିବା ଅବସ୍ଥାରେ ହିଁ ଟଳି ପଡ଼ିଲେ । ସଙ୍ଗେ ସଙ୍ଗେ ତାଙ୍କୁ ବିଡ଼ାନାସି ବାସଭବନରୁ କଟକ ମେଡ଼ିକାଲ ନେବାରୁ ଡ଼ାକ୍ତର ମୃତ ବୋଲି ଘୋଷଣା କଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ, ଟିକି ବୋଉ ହାର୍ଟ ଆଟାକ୍‌ରେ ହିଁ ଚାଲିଗଲେ ।

ଟିକି ବୋଉ ଏମିତି ଅକସ୍ମାତ୍ ଚାଲିଯିବେ ତାହା କେହି ଆଶା କରି ନଥିଲେ । କୌଣସି ରୋଗରେ ପଡ଼ି ବା ଅତ୍ୟଧିକ ବୟସ ହେବା ହେତୁ ବାର୍ଦ୍ଧକ୍ଯ ରୋଗରେ ପଡ଼ି ଚାଲିଗଲେ ଘରଲୋକ ତାଙ୍କ ପାଇଁ ଯେତିକି ମନ ଦୁଃଖ କରି ଶୋକରେ ବୁଡ଼ି ଯାଆନ୍ତି ତା’ଠାରୁ ବହୁ ଗୁଣରେ ଦୁଃଖ ପାଇଥାନ୍ତି ଏମିତି ଅବେଳାରେ ବୟସ ଥାଇ କୌଣସି କ୍ରିଟିକାଲ୍ ରୋଗରେ ନ ପଡ଼ି ଚାଲିଗଲେ । ଘର ଲୋକଙ୍କ ସହିତ ସାଇ ପଡ଼ିଶା ଓ ବନ୍ଧୁ ବାନ୍ଧବ ବି ଏମିତିକା ଦୁଖ ଘଟଣାକୁ ପ୍ରଥମେ ବିଶ୍ୱାସ କରିପାରନ୍ତି ନାହିଁ । ଟିକି ବୋଉଙ୍କ ଚାଲିଯିବା ଖବର ମୋ ସହିତ ଆମ ପରିବାରର ଅଧିକାଂଶ ସଦସ୍ୟଙ୍କ ଉପରେ ଠିକ୍‌ ସେମିତି ହିଁ ପ୍ରଭାବ ପକାଇଥିଲା ।

ଟିକି ବୋଉ ଆମ ଘରକୁ ବୋହୁ ହୋଇ ଅସିବା ବେଳକୁ ମୋତେ ଏଇ ୭ କି ୮ ବର୍ଷ ବୟସ ହୋଇଥିବ । ମୋ ଜନ୍ମ ପୂର୍ବରୁ ଜେଜେ ମା ( ବାପାଙ୍କ ବୋଉ) ଆର ପାରିକୁ ଚାଲି ଯାଇଥିଲେ । ସେଇ ସମୟରେ ଗାଁ ପରିବେଶ ଖୁବ୍ ଚମତ୍କାର ଥିଲା ବୋଲି ମୋତେ ଏବେ ଲାଗୁଛି । ଏମିତି ବି ହୋଇପାରେ ମୋ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆସିଥିବା ହେତୁ ଏମିତି ଲାଗୁଥାଏ ପାରେ । ସେଇ ସମୟରେ ବିରାଟ ଯୌଥ ପରିବାର ଆମର ଥିଲା । ଜେଜେ, ମଝିଆ ଜେଜେ, ମଝିଆ ମା, ( ମଝିଆ ଜେଜେଙ୍କର କୌଣସି ପିଲାପିଲି ନଥିଲେ) ସାନ ମା ( ସାନ ଜେଜେଙ୍କ ଦେହାନ୍ତ ପୂର୍ବରୁ ହୋଇ ସାରିଥିଲା ) ଏମାନେ ସବୁ ଗୋଟେ ପିଢିର ଥିବା ବେଳେ ବାପା, ବୋଉ, ମଝିଆ ବାପା, ସାନ ବୋଉ, ଛୁଆ ବାପା, ଠୁକୁରୀ ଦେଇ ( ପିଇସୀ, ଯିଏକି ସାନ ଜେଜେଙ୍କର ଏକ ମାତ୍ର ଝିଅ ଥିଲେ ) , ଏମାନେ ସବୁ ଆମ ଉପର ପିଢିର ଥିବା ବେଳେ ସେଇ ପିଢିର ୪ ଜଣ ପିଇସୀ ( ବାପାଙ୍କର ନିଜ ଭଉଣୀମାନେ ) ବିବାହ କରିସାରିଥିବା ହେତୁ କେତେବେଳେ କେମିତି ପର୍ବ ପର୍ବାଣୀ ମାନଙ୍କରେ ଆମ ଘରକୁ ଆସୁଥିଲେ ) , ୟା’ପରେ ଆମ ପିଢିର ଦେଇ ( ଗୌରୀ ), ଭାଇ ( ଲୋକନାଥ ), ମୁଁ, ବୁଢି ( ସୁପ୍ରଭା ), ପ୍ରଦୀପ, ଝୁନୁ ( ଜୋର୍ତିର୍ମୟୀ ) , ପ୍ରମୋଦ ( ମଝିଆ ବାପାଙ୍କ ପୁଅ ) ଆଉ ଚାଷବାସ ବୁଝିବାପାଇଁ ତ୍ରିନାଥ ନାମକ ଜଣେ ଲୋକ ଥିଲେ ଯିଏକି ଖାଇପି ବର୍ଷକୁ କିଛି ଦରମା ନେଉଥିଲେ । ତା’ମାନେ ପାଖା ପାଖି ୨୦ ଜଣ ସଦସ୍ୟ ଥିବା ଏକ ପରିବାରକୁ ଟିକି ବୋଉଙ୍କର ଛୁଆ ବାପାଙ୍କ ସହିତ ବାହାଘର ହୋଇ ଘରର ସାନ ବୋହୁ ଭାବରେ ଗୃହ ପ୍ରବେଶ ହେଲା ।

ସେତେବେଳେ ଆମ ଘର ଚାଲୁଥିଲା ଚାଷବାସରୁ ଆସୁଥିବା ଧାନ, ମୁଗ, ବିରି, ଆଦି ଶସ୍ୟ ସହିତ ଶୀତ ଦିନେ ହଂସୁଆ ନଈ ନିକଟରେ ହେଉଥିବା ଆଳୁ ଓ ଘର ନିକଟରେ ଥିବା ବାଡ଼ିରେ ଫଳୁଥିବା ବିଭିନ୍ନ ପ୍ରକାର ପନି ପରିବା ସହିତ ବାପାଙ୍କ ଦରମା ଓ ମଝିଆ ଜେଜେ ରେଳବାଇ ଚାକିରିରୁ ଅବସର ନେଇ ଘରେ ରହି ପାଉଥିବା ପେନସନ୍ ପଇସାରେ । ମଝିଆ ବାପା ଓ ଛୁଆ ବାପା ପରେ ସରକାରୀ ଚାକିରି ପାଇ ବାହାରେ ରହିଲେ ବି ସାନ ବୋଉ ଆଉ ଟିକି ବୋଉ କିନ୍ତୁ ଗାଁ ଘରେ ହିଁ ରହୁଥିଲେ । ସେଇ ଭିତରେ ପ୍ରଥମେ ବାପାଙ୍କ ବାପା ଅର୍ଥାତ୍ ଜେଜେଙ୍କର ବାର୍ଦ୍ଧକ୍ଯ ଜନିତ କାରଣ ହେତୁ ଦେହାନ୍ତ ହେଲା । ପରେ ବାପା କରୁଥିବା ଚାକିରି ସ୍ଥାନକୁ ମୋତେ ଓ ମୋ ବଡ଼ ଭାଇକୁ ଭଲ ପାଠପଢା ଉଦ୍ଦେଶ୍ଯରେ ନେବା ହେତୁ ମୋର ପ୍ରଥମ ଶ୍ରେଣୀ ଛତିଆ ବଟ ନିକଟରେ ଥିବା ପ୍ରାଇମେରୀ ସ୍କୁଲ ଓ ମୋର ତୃତୀୟ ଶ୍ରେଣୀ ଆଉ ଭାଇର ଷଷ୍ଠ ଶ୍ରେଣୀର ପାଠପଢା ସୁଦୁର ଗଂଜାମ ଜିଲ୍ଲାର ଋଷିକୁଲ୍ଯା ନଈ କୂଳରେଥିବା ମୁଣ୍ତମରାଇ ଗ୍ରାମରେ ଥିବା ସ୍କୁଲରେ ହୋଇଥିଲା । ପରେ ୧୯୮୧ ମସିହା ଶେଷ ଆଡ଼କୁ ଦେଈର ଏଠି ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟରେ ଆଇ.ଏ. ରେ ଆଡ଼ମିଶନ ହେବା ସହିତ ଆମମାନଙ୍କର ପାଠପଢାର ସୁବିଧା ପାଇଁ ବାପା ବୋଉଙ୍କ ସହିତ ଆମେ ସମସ୍ତେ ଜଗତସିଂହପୁରରେ ଆସି ପ୍ରଥମେ ଘର ଭଡ଼ା ନେଇ ରହି ପରେ ୧୯୮୮ ମସିହା ବେଳକୁ ଗୋପାଳସାଗରରେ ଘର କରି ସ୍ଥାୟୀ ବାସିନ୍ଦା ହୋଇଗଲୁ ।

ଏମିତିରେ ଦେଖିଲେ ଜଗସିଂହପୁରକୁ ମୁଁ ଆସିବା ବେଳକୁ ମୋର ବୟସ ମାତ୍ର ୧୧ ବର୍ଷ ହୋଇଥିଲା । ତେଣୁ ସେଇ ୧୧ ବର୍ଷ ମଧ୍ୟରୁ ବର୍ଷେ ଛତିଆ ଓ ଆଉ ବର୍ଷେ ଗଂଜାମ ଜିଲ୍ଲାରେ କଟିଥିବାରୁ ମୋର ଗାଁ ରେ ସମୁଦାୟ ୯ ବର୍ଷ ହିଁ କଟିଥିଲା । ସେଇ ୯ ବର୍ଷର ପିଲାଦିନର ସ୍ମୃତି ଏତେ ମଧୁର ଥିଲା ତାହା ସବୁ ଏବେ ବି ମୋ ଆଖି ଆଗରେ ନାଚି ଉଠନ୍ତି ଆଉ ମନ କୁହେ ପୁଣି ସେଇ ସମୟ ସବୁ ଫେରି ଆସନ୍ତା ନାହିଁ ! ଭାଇ ଆଉ ମୋ ଭିତରେ ମାତ୍ର ଦେଢ ବର୍ଷ ବୟସରେ ବ୍ୟବଧାନ ହେତୁ ଆମେ ପିଲାଦିନରୁ ସାଙ୍ଗ ଭଳି ଚଳି ଆସିଛୁ । ଖୁବ୍ ଛୋଟ ଥିବାବେଳେ ଭାଇ ମୋତେ ଜଗିଥାଏ । ଯଦି ପିଣ୍ତାରେ ହେଉ ଅଥବା ଖଟରେ ଶୋଇଥିବା ଅବସ୍ଥାରେ ଦାଢକୁ ଗଡ଼ି ଆସେ କୁଆଡ଼େ ଭାଇ ମୋ ଗୋଡ଼କୁ ମାଡ଼ିବସି ରଡ଼ିକରି ସମସ୍ତଙ୍କୁ ଡ଼ାକ ପକାଏ, ” ଟିକି ପୁଅ ପଡ଼ିଯିବ ।” ଭାଇର ଏଇ ଟିକି ପୁଅ ଶବ୍ଦ ଠିକ୍‌ରେ ତା’ ପାଟିରେ ପଶେ ନାହିଁ ଆଉ ତାହା ହିଁ ମୋ ଡ଼ାକ ନାମ ଅର୍ଥାତ୍ ନିକ୍ ନେମ୍ ” ଟୀକା ” ହେବାର ପ୍ରମୁଖ କାରଣ । ମୋର ଆଉ ଏକ ଡ଼ାକ ନାମ ମଧ୍ୟ ସୃଷ୍ଟି ହୋଇଥିଲା । ମୋ ବୋଉ ମୋର ଯାଁବାଳ ଆଖଣ୍ଡଳମଣିଙ୍କ ପାଖରେ ଯାଚିଥିଲା । ଯାଚିବାର କାରଣ ହେଉଛି ସେଇ ପିଲାବେଳେ ମୋ ଦେହ କୁଆଡେ ବହୁତ ଖରପ ଥିଲା । ଦେହ କେମିତି ଶୀଘ୍ର ଭଲ ହୋଇଯିବ ସେଥିପାଇଁ ବୋଉ ମୋ ଯାଁବାଳ ଯାଚିଥିଲା ।ମୁଁ ବଡ଼ ହୋଇଗଲି ଆଉ ତା’ ସହିତ ମୋ ମୁଣ୍ତର ଜଟ ବି ବହୁତ ବଡ଼ ହୋଇଗଲା । ଦୁଇଟା ଜଟ ମୋ ମୁଣ୍ଡ ପଛପଟେ ଲମ୍ବିଥାଏ । ୧୯୮୨ ମସିହାରେ ଷଷ୍ଠ ଶ୍ରେଣୀରେ ଜଗତସିଂହପୁରର ଶ୍ରୀକୃଷ୍ଣ ଏକାଡେମୀକୁ ସେ ଜଟକୁ ମୁଣ୍ଡରେ ଧାରଣ କରି ପଢିବାକୁ ଗଲି । ସ୍କୁଲ୍‌ରେ ଏନ୍.ସି.ସି.ର ନାରାୟଣ ସାର୍ କ୍ଲାସ୍ ଟିଚର୍ ଥିଲେ ଆଉ ସେ ହିଁ ମୋତେ ପ୍ରଥମେ ” ଜଟିଆ ” ନାମରେ ଡ଼ାକିଲେ ଆଉ ତା’ପରେ ମୋ କ୍ଲାସମେଟ୍ ମାନେ ମୋ ନାଁ ଜଟିଆ ଦେଇଦେଲେ । ସମସ୍ତେ ଜଟିଆ ଡ଼ାକିବାରୁ ରାଗରେ ଦିନେ ଦୁଇପ୍ରହରରେ ମୋ ଜଟ ଦୁଇଟାକୁ କାଟି କଲେଜ ପୋଲ ଉପରେ ଠିଆ ହୋଇ ତାକୁ ମାଛଗାଁ କେନାଲରେ ଭସାଇଦେଇ ଘରକୁ ଫେରିଲି । ସେଦିନ ମୋ ବୋଉ ବହୁତ କାନ୍ଦିଥିଲା ଆଉ ବାପା ଢେର୍ ଗାଳି କରିଥିଲେ । କିନ୍ତୁ ମୋ ଜଟ ଆଉ ପକାଇବାକୁ ଆଖଣ୍ଡଳମଣିଙ୍କ ପାଖକୁ ଯାଇନଥିଲି । ତେବେ ମୋ ପୁଅ ସୋନୁ ଜନ୍ମ ହେବାପରେ ମୋ ବୋଉ ତାକୁ ନେଇ ଆଖଣ୍ଡଳମଣିଙ୍କ ପାଖରେ ୨୦୦୨ ମସିହାରେ ଯାଁବାଳ ପକାଇ ମୋ ପାଇଁ କରିଥିବା ମାନସିକ ପୂରଣକରି ଖୁବ୍ ଖୁସି ହୋଇଥିଲା ।

ଆମ ଗାଁ ଧରାଧରପୁର ପଞ୍ଚାୟତର ବସନ୍ତା – ଜଗତସିଂହପୁର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ । ସେଇଠି ମୋର ଅଭୁଲା ବାଲ୍ୟ ଜୀବନର ୯ ବର୍ଷ କଟିଛି । ଦୁଇ ଜେଜେ, ଜେଜେମା, ବାପା, ଦୁଇ ଦାଦା, ବୋଉ ଦୁଇ ଖୁଡ଼ି, ପିଇସୀମାନେ , ଭାଇ ଭଉଣୀ ଏମାନଙ୍କ ଭିତରେ ସେ ସମୟ କେତେ ଚମତ୍କାର ଥିଲା ତାହା ବସ୍ତବରେ ଭାଷାରେ ବର୍ଣ୍ଣନା କରିବା ଏକବାରେ ଅସମ୍ଭବ । ଭାଇ ଆଉ ମୁଁ ଖରାବେଳେ ଖାଇ ସାରିବା ପରେ ଅଜାଙ୍କର ତାଗିଦ୍ ରେ ଶୋଇବାକୁ ଯାଉ । କିଛି ସମୟ ପରେ ଆମେ ଶୋଇଛୁ କି ନାଇଁ ତାହା ତଦାରଖ୍ କରିବାକୁ ଜେଜେ ହାତରେ ବାଡ଼ି ଧର ପହଞ୍ଚି ଯାଆନ୍ତି । ଆମେ ଦୁଇ ଭାଇ ଆଖିବୁଜି ନିଦରେ ଶୋଇବାର ବାହାନା କରୁ । ମିଛରେ ଘୁଙ୍ଗୁଡ଼ି ବି ମାରୁ । ମୋର ଠିକ୍ ମନେ ଅଛି ଜେଜେ ଥରେ କହିଲେ, ” ଆରେ ହେଇ ! ଏ ଦିଇଟା କେହି ବି ଶୋଇ ନାହାନ୍ତି ରେ !! ଠିକ୍ ନିଦରେ ଶୋଇବା ଲୋକର ଗୋଡ଼ ତ ହଲେ , ହେଲେ ୟାଙ୍କର କଣ ପୁରା ସ୍ଥିର । ” ବାସ୍ ଏତିକି ପରେ ଭାଇକୁ ଦୁଇ ପାହାର ବସିବାରୁ ଜାଣିଲି ଯେ, ଭାଇ ଗାଢ ନିଦରେ ଶୋଇଛି ବୋଲି ପ୍ରମାଣ ଦେବାକୁ ଯାଇ ଗୋଡ଼ ହଲାଇ ଦେଇଛି ! ”

ବାପାଙ୍କର ଦୁଇ ଭାଇ – ଯାହାଙ୍କୁ ଆମେ ଡ଼ାକୁ ମଝିଆ ବାପା ଆଉ ଛୁଆ ବାପା, ଏମାନଙ୍କୁ ବି ଜଡ଼ିତ କରି ଅଲଗା ଅଲଗା ମନୋଭାବ ଆମର ସେଇ ଛୋଟ ବେଳୁ ସୃଷ୍ଟି ହୋଇଥିଲା । ମଝିଆ ବାପା ଆମ ମନ ମୁତାବାକ କାମ କରନ୍ତି । ନିଜେ ଆଜୀବନ ନିରାମିଷାଶୀ ହୋଇଥିଲେ ମଧ୍ୟ ଆମକୁ ସାଙ୍ଗରେ ଧରି ବସନ୍ତା ପୋଖରୀରୁ ଜାଲ ପକାଇ ବା ବନିଶି ଦ୍ୱାରା ମାଛ ଧରନ୍ତି । କେଉଁଠି କଣ୍ଟେଇକୋଳି ତ ଆଉ କେଉଁଠି ବେତ କୋଳି , ବରକୋଳି ସେସବୁ ତୋଳନ୍ତି ଆମ ପାଇଁ । ଖରାଦିନେ ଆମ ବାଡ଼ିରେ ଥିବା ବଡ ବଡ ତାଳ ଗଛରୁ ଦୁଇଟି ନଗି ଓ କାଟେଣିକୁ ଏକାଠିକରି ବାନ୍ଧି ତାଳ ପାରି ଆମକୁ ଖୁଆଇବା । କୁଅରୁ ପାଣି କାଢିବା ବେଳେ ଯଦି ବାଲଟି କିମ୍ୱା ଗରା ଖସି ପଡ଼ୁଥିଲା, ତେବେ ବିଲେଇକଣ୍ଟା ( କୁଅ କଣ୍ଟା ) ସହିତ ଆମ ମାନଙ୍କୁ ସାଙ୍ଗରେ ଧରି ମଝିଆ ବାପା କୁଅ ନିକଟକୁ ଚାଲନ୍ତି ତାକୁ କାଢିବା ପାଇଁ । ସେ କୁଅରେ କଣ୍ଟା ବୁଲାଉ ବୁଲାଉ ଉପରକୁ ଉଠାନ୍ତି ଆଉ ହାଲ୍କା ଲାଗିଲେ ପୁଣି ବୁଲେଇବା ଆରମ୍ଭ କରନ୍ତି । ଯେତେବେଳେ କଣ୍ଟାରେ ଗରା ବା ବାଲଟି ଲାଗି ଯାଇ ଉପରକୁ ଉପରକୁ ଆସୁଥାନ୍ତି ସେତେବେଳେ ଆମେ ଯେମିତି କୁଅରୁ ଅମୃତ ବାହାରିବ ସେଇ ଲକ୍ଷରେ ଏକ ଲୟରେ ଚାହିଁ ଥାଉ । ମଝିଆ ବାପାଙ୍କର ଏଇସବୁ କାମ ପାଇଁ ଆମେ ତାଙ୍କ ପଛରେ ଅହରହ ତାଙ୍କ ଲାଙ୍ଗୁଡ ପରି ବୁଲୁଥାଉ । ତାଙ୍କୁ ଯଦି କିଏ କହେ ପିଲାମାନେ ପାଠ ପଢିବେ ନା ଏମିତି ବୁଲୁଥିବେ ? ତେବେ ତାର ଉତ୍ତର ରେ ସେ କୁହନ୍ତି, ” ବଡ଼ ହେଲେ ବୁଦ୍ଧି ହେଲେ ବଳେ ପଢିବେ ।” ( ଦୁଃଖ ଲାଗୁଛି ଏ ଭିତରେ ମଝିଆ ବାପା ଆରପାରିକୁ ଯିବା ଅଠ ବର୍ଷ ହୋଇଗଲାଣି ।)

କିନ୍ତୁ ମଝିଆ ବାପାଙ୍କ ପରି ଛୁଆ ବାପା ନଥିଲେ । ସେ ସେତେବେଳେ ଆମ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟରେ ଆଇ. ଏସ.ସି. ପଢୁଥିଲେ, ଆଉ ସକାଳୁ ସାଇକେଲ୍ ରେ ଆସି କ୍ଲାସ ସାରି ଫେରୁଥିଲେ । ଭାଇ ଆଉ ମୋ’ର ପାଠ ପଢାଇବା ତାଙ୍କ ପାଖରୁ ହିଁ ଆରମ୍ଭ ହୋଇଥିଲା । ପାଠ ପଢାଇବା ବେଳେ ଭୁଲ୍ କରିବା ହେତୁ ବହୁଥର ମାଡ଼ ବି ଖାଇଛୁ ତାଙ୍କ ଠାରୁ । ସେଇ ହିସାବରେ ମୁଁ ତାଙ୍କୁ ଖୁବ୍ ଡ଼ରୁଥିଲି ଆଉ ସଂଧ୍ୟାରେ ଯେବେ ସେ କଲେଜରୁ ଫେରୁଥିଲେ ଭାବୁଥିଲି ସବୁଦିନେ କାଇଁ ଯା ଆସ କରୁଛନ୍ତି , ସିଆଡ଼େ କଲେଜରେ ରହି ପଢିଲେ ହୁଅନ୍ତା ନାହିଁ । ସେତେବେଳେ ସ୍କୁଲରେ ସାର୍ ମାନେ ମାଧ୍ୟ ପାଠ ଆଦୟ କରିବା ବେଳେ ବା ବଦମାସ୍ ପିଲାକୁ ଛାଟରେ ପିଟୁଥିଲେ । ଆଜିକାପରି ସ୍କୁଲ ସବୁ ଦଣ୍ତମୁକ୍ତ ଅଞ୍ଚଳ ହୋଇ ନଥିଲା । ସାର୍ ମାନଙ୍କୁ ପିଲାମାନେ ଭୟ ସହିତ ଭକ୍ତି ବି କରୁଥିଲେ । ସାର୍ ମାନେ ନାଳ ପାରିହେବା ବେଳେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ କାନ୍ଧରେ ବସାଇ ଆର ପାରିକି ଟେକି ନେଉଥିବାର ଦୃଶ୍ୟ ବି ଦେଖା ଯାଉଥିଲା । ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ଖଇଚା କଲେ ମାଡ଼ ମାରୁଥିଲେ ଆଉ ତତୋଧିକ ସ୍ନେହ ଶ୍ରଦ୍ଧା ବି କରୁଥିଲେ । ଶ୍ରୀକୃଷ୍ଣ ଏକାଡ଼େମୀରେ ମଧ୍ୟ ନାରଣ ସାର୍, ଶାରଦା ମହାପାତ୍ର ସାର୍ ( ନିଜ ହାତରୁ ଘଣ୍ଟା ଓଲ୍ହାଇ ଟେବୁଲ ଉପରେ ରଖି ବଦମାସି କରୁଥିବା ପିଲା ଉପରକୁ ଚକ୍ ଡ଼ଷ୍ଟର ପକାଇବା ), ବଡ଼ ପଣ୍ତିତ( ଚଉକି ବସାଇଦିଅନ୍ତି ) , ସାନ ପଣ୍ତିତ ( ଗୋଟିଏ ଛୋଟ ହାତିକିଆ ବେତ ଧରି ଧୁମ୍ ପିଟନ୍ତି ) , ପ୍ରସନ୍ନ ସାର୍ , ଷଡ଼ଙ୍ଗୀ ସାର୍ , ଭୋଳି ମହାରଣା ସାର୍ ( ପେଟର ନାହି ପାଖକୁ ଖୁବ୍ ଜୋର୍ ରେ ଚିମୁଡ଼ନ୍ତି ) , ବୈଜୟନ୍ତି ମାଡ଼ାମ ( କଳମ ଛାଟ ମଗାଇ ପିଟନ୍ତି ), ମଞ୍ଜୁ ମାଡ଼ାମ ( ଆଣ୍ଠେଇ ଦିଅନ୍ତି ), ଏମିତିକି ସେତେବେଳର ହେଡ଼୍ ସାର୍ ସୁର ପ୍ରସାଦ ମହାପାତ୍ରଙ୍କ ଠାରୁ ମାଡ଼ ଖାଇବା ଅଭିଜ୍ଞତା ମୋର ରହିଛି । ଆଜିକା ସମୟରେ ଆଉ ସେଇ ସ୍ଲୁଲ ପରିବେଶ ନାହିଁ । ତେଣୁ ସେସବୁ ସ୍ୱପ୍ନ ଭଳି କେବଳ ଲାଗୁଛି ।

ଟିକି ବୋଉଙ୍କୁ ଜଡ଼ିତ କରି ଗାଁରେ ଥିବା ସମୟରେ ମୋର ମାତ୍ର ଚାରି ବର୍ଷରେ ବହୁ ସ୍ମୃତି ରହିଛି । ସେ ଆମ ଘରକୁ ବାହା ହୋଇ ଆସିବାର ବର୍ଷେ ପରେ ଛୁଆ ବାପା ଚାକିରି ପାଇ ବାହାରକୁ ଯାଇଥିଲେ । ଏମିତିରେ ତ ଆମ ପରିବାର ବହୁତ ବଡ଼ ଆଉ ତିନି ଯା ( ବୋଉ, ସାନ ବୋଉ ଆଉ ଟିକି ବୋଉ ) ମିଶି ସମସ୍ତଙ୍କ ପାଇଁ ରୋଷେଇ କରନ୍ତି । ନୂଆ ନୂଆ ବାହା ହୋଇ ଆସିଥିବାରୁ ଟିକି ବୋଉ ଘର ରୋଷେଇରେ ଅଧିକ କାମ କରିବାକୁ ସବୁବେଳେ ବ୍ୟଗ୍ର ହୁଅନ୍ତି । ବାପ ଘରେ ଝିଅଟେ ଇଛା ମୁତାବକ କାମଦାମ କରୁଥିବା ବେଳେ ଶାଶୁଘରେ କିନ୍ତୁ କାମକରିବାଟା ଏକରକମ ବାଧ୍ୟ ବୋଲି ଧରିନିଆଯାଇଥାଏ । ଟିକି ବୋଉଙ୍କ ବୟସ ଏଇ ସତର କି ଅଠର ହୋଇଥିବ । ଘରକାମ କରିସାରିବା ପରେ ଖରାବେଳେ ଟିକି ବୋଉଙ୍କର ଦେହ ସହିତ ଗୋଡ଼ ହାତ ସବୁ ବିନ୍ଧା ଛିଟ୍ କା କରେ । ସେତେବେଳେ ମୁଁ ମାତ୍ର ୭ କି ୮ ବର୍ଷର ଖୁବ୍ ପତଳା ହୋଇ ଏଇ ୨୦ କେଜି ଭିତରେ ମୋ ଓଜନ ଥିଲା । ଟିକି ବୋଉ ମୋତେ ଡ଼ାକି ନେଇ ତାଙ୍କ ଉପରେ ଠିଆ ହେବା ସହିତ ନାଚକୁଦ କରିବାକୁ କୁହନ୍ତି । ଏମିତିରେ ମୋ ଖାଇବା ପିଇବା ବି ସେ ପ୍ରାୟ ବୁଝୁଥିଲେ । ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି ଟିକି ବୋଉଙ୍କ ସହିତ ମୁଁ ତାଙ୍କ ବାପଘର ଗାଁ ତତଲାପଦାକୁ ସେଇ ୪ ବର୍ଷ ଭିତରେ ୫ କି ୬ ଥର ଯାଇଥିବି । ସେଠିକାର ଅଭିଜ୍ଞତା ଏବେ ବି ମୋ ମନରେ ସେମିତି ତାଜା ହୋଇ ରହିଛି । ତାଙ୍କ ପରିବାର ବି ଆମ ପରିବାର ପରି ବହୁତ ବଡ଼ । ଟିକି ବୋଉଙ୍କ ବାପା କଟକ ଖପୁରିଆସ୍ଥିତ ସରକାରୀ ଛାପାଖାନା ( Govt. Press ) ରେ ଚାକିରି କରିଥିଲେ ଆଉ ତାଙ୍କ ଦାଦା ଘରେ ରହି ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲେ । ଟିକି ବୋଉ ବଡ଼ ଝିଅ ହେତୁ ତାଙ୍କର ଖୁବ୍ ଦବଦବା ଘରେ ଥିଲା । ରମା ମାଉସୀ, ଅମ୍ଭୀ ମାଉସୀ, କୈଳାସ ମାମୁ , କୁନିଆ ମାମୁଁ, ଟୁନିଆଁ ମାମୁଁ ଓ ମୁନା ମାମୁଁ ଏମାନଙ୍କ ମଧ୍ୟରୁ ପ୍ରଥମ ତିନି ଜଣ ମୋ ଠାରୁ ଅଳ୍ପ ବଡ଼ ହୋଇଥିବା ବେଳେ ଅନ୍ୟମାନେ ମୋ ବୟସର ଆଉ ଦାଦାଙ୍କ ପିଲାମାନେ ମୋ ଠାରୁ ଛୋଟ ଥିଲେ । ସେଠି ନା ଥିଲା ପାଠ ପଢିବାର ଟେନସନ୍ ନାଁ ଛୁଆ ବାପାଙ୍କ ଠାରୁ ମାଡ଼ ଖାଇବାର ଭୟ ! ସବୁଥର ସେଠି ମିନିମମ୍ ୫ ରୁ ଆରମ୍ଭକରି ୧୦ ଦିନ ଯାଏ ରହିଥିବି । ଅହଲ୍ୟା ( ଟିକି ବୋଉଙ୍କ ନାମ ) ପୁତୁରା ହିସାବରେ ମୋତେ ସମସ୍ତେ ଖୁବ୍ ଗୁରୁତ୍ବ ଦେଉଥିଲେ । ସେଠି ତିନୋଟି କଥା କେବଳ ଗୁରୁତ୍ବ ବହନ କରୁଥିଲା – ତାହା ହେଉଛି ଖାଇବା ଆଉ ଖେଳିବା ସହିତ ଗାଁ ସାରା ବୁଲାବୁଲି କରିବା । ଟିକି ବୋଉଙ୍କ ଘରେ ଗୋଟିଏ ଆଞ୍ଚରେ ବଡ଼ କଡ଼ାଇରେ ଖିରକୁ ବସାଯାଇ ଗୋଟେ ଲୋକ ଅହରହ ତାକୁ ଗୋଳାଉଥାଏ । ସେଇ ଗରମ ଗରମ ରାବିଡ଼ି ଆଉ ଖୁଆ ମୋତେ ଆଈମା ( ଟିକି ବୋଉଙ୍କ ବୋଉ ) ଆଣି ଖାଇବାକୁ ଦିଅନ୍ତି । ସେମିତି ଟେଷ୍ଟ ଥିବା ରାବିଡ଼ି ଆଉ ଖୁଆ ମୁଁ ଆଉ କେଉଁଠି ବି ଆଜିଯାଏ ଖାଇବାକୁ ପାଇନି । ସଂଧ୍ୟାରେ ଅଫିସରୁ ଅଜା ( ଟିକି ବୋଉଙ୍କ ବାପା ) ଫେରିବା ବେଳେ ମୋ ପାଇଁ ବିଭିନ୍ନ କିସମର ଚକଲେଟ୍ ନିଶ୍ଚୟ ଆଣିଥାନ୍ତି । ଶେଷକୁ ଘରକୁ ଫେରିବା ଦିନ ଉଭୟ ଅଜା ଆଉ ଆଇ ମୋ ପକେଟ୍ ରେ ନିଶ୍ଚୟ ୧୦ ଟଙ୍କିଆ ନୋଟ୍ ଗୋଟିଏ ଗୋଟିଏ କରି ପୁରାଇ ଦିଅନ୍ତି । ସେତେବେଳେ ମାନେ ୧୯୮୦ ପୂର୍ବରୁ ୨୦ ଟଙ୍କାର ମୂଲ୍ୟ ବହୁତ ଥିଲା ମୋ ପରି ଛୋଟ ବୟସର ପିଲାମାନଙ୍କ ପାଇଁ । ଘରକୁ ଫେରି ସେଇ ଟଙ୍କାକୁ କିଛି ଦିନ ସମ୍ରାଟ ପରି ବିନ୍ଦାସ୍ ଆଉ ବେଫିକର୍ ହୋଇ ଖର୍ଚକରେ । ସେତେବେଳେ ଗୋଟିଏ ପଇସା,୫ ପଇସା, ୧୦ ପଇସା, ୨୦ ପଇସା, ଚାରଣା, ଅଠଣା ଏ ସବୁ ମଧ୍ୟ ଚଳୁଥିଲା ଆଉ ଆମକୁ ସେଇ ପଇସାରେ କିଛି କିଣାକିଣି କରିବାକୁ ଖୁବ୍ ଆନନ୍ଦ ଲାଗୁଥିଲା । ଧନୀକ ଘର ପିଲାଙ୍କର ଏମିତି ବଂଧୁ ବାନ୍ଧବଙ୍କ ଘରୁ ଟଙ୍କା ପାଇ ଖୁସିରେ ଖର୍ଚ କରିବାର ଅଭିଜ୍ଞତା ହୁଏତ ନଥିବ କିନ୍ତୁ ମିଡ଼ିଲ୍ କ୍ଲାସ, ଲୋୟର୍ ମିଡ଼ିଲ୍ କ୍ଲାସ ଆଉ ଗରିବ ପରିବାରର ପିଲାମାନଙ୍କର ନିଶ୍ଚୟ ଥିବ । ଏମିତି ସବୁ ଘଟଣା ମଧ୍ୟ ସାନ ବୋଉଙ୍କ ( ହେମ – ମଝିଆ ବାପାଙ୍କ ସ୍ତ୍ରୀ ) ସହିତ ତାଙ୍କ ଘରକୁ ଗଲାବେଳେ ମଧ୍ୟ ଘଟେ । ସାନ ବୋଉଙ୍କ ଭାଇ ଯାହାଙ୍କୁ ମୁଁ ଭାଲୁ ମାମୁଁ ବୋଲି ଡ଼ାକେ ଥରେ ଗୋଟେ ବଳଦଗାଡ଼ି ଧରି ଅସି ପହଞ୍ଚିଲେ । ସେଦିନ ସାନ ବୋଉଙ୍କ ସାଙ୍ଗରେ ସେଇ ଶଗଡ଼ ଗାଡ଼ିରେ ଜୟଶୋଳ ହଂସୁଆ ନଈ ସହିତ କିଛି ଛୋଟ ଛୋଟ ନାଳ ଆଉ ବିଲ ଭିତରେ ଶଗଡ଼ ଗାଡ଼ିରେ ହଲି ଦୋହଲି ଯିବା ମୋ ପିଲାଦିନର ଏକ ଅଭୁଲା ସ୍ମୃତି ନିଶ୍ଚୟ । ଆଜିକା ସମୟରେ ପିଲାମାନେ ଆଉ ବଳଦଗାଡ଼ି( ଶଗଡ଼ ) ରେ ବସିବା ତ ଦୁରର କଥା ଦେଖିନଥିବେ । ଆମେ ପିଲାଦିନେ ଦେଖୁଥିବା ହଳ, ଲଙ୍ଗଳ, ମହୀ , କୁଅ କଣ୍ଟା ଅଦି ବିଭିନ୍ନ ଜିନିଷ ପିଲାମାନେ କେବଳ ବହିରେ ଚିତ୍ରଦେଖି ହିଁ ଜାଣୁଥିବେ ।

ଆମେସବୁ ୧୯୮୧ ମସିହା ସୁଦ୍ଧା ଜଗତସିଂହପୁର ଆସିବା ପରେ ଟିକି ବୋଉଙ୍କର ଦୁଇ ପୁଅ ହେବା ଏବଂ ତାଙ୍କର ପାଠପଢାର ସୁବିଧା ପାଇଁ ଛୁଆ ବାପା ଚାକିରି କରିଥିବା କଟକକୁ ସିଫ୍ଟ କରି ଆସନ୍ତି । ପରେ କଟକ ବିଡ଼ାନାସିରେ ଜାଗା କିଣି ତିନି ମହଲା ବିଶିଷ୍ଟ କୋଠା ଘର ମଧ୍ୟ କରିସାରିଛନ୍ତି । ତା’ପରଠାରୁ ପର୍ବ ପର୍ବାଣୀ, ବିବାହ ବା ଅନ୍ୟ କୌଣସି ଫଙ୍କସନ୍ ରେ ଯାହା ଦେଖା ସାକ୍ଷାତ ହୁଏ । ମଝିରେ ମଝିରେ ଫୋନ୍ ରେ କଥା ମଧ୍ୟ ହେଉ । ଏ ଭିତରେ ଦୁଇ ପୁଅ ବିଶୁ ଆଉ ବିଭୁ ପୋଲିସ୍ ବିଭାଗରେ ଚାକରିକରି ବିବାହ ମଧ୍ୟ କରିସାରିଲେଣି । ବଡ଼ପୁଅ ବିଶୁର ଦୁଇ ପୁଅ- ବରୁନ, ବିବନ୍ ଆଉ ସାନ ପୁଅ ବିଭୁର ଗୋଟିଏ ଝିଅ – ବର୍ଖା ହୋଇସାରିଲେଣି । ଟିକି ବୋଉ ନିଜେ ହିଁ ଘରର ସମସ୍ତ କଥା ବୁଝନ୍ତି । ଛୁଆ ବାପାଙ୍କର ଚାକିରି ଭଲ ତ ସେ ଭଲ । ମାସ ଶେଷକୁ ପାଉଥିବା ଦରମା ଟିକିବୋଉକୁ ଧରାଇଦେଇ ନିଜର କାମ ସାରିଦିଅନ୍ତି । ପିଲାଙ୍କ ପାଠପଢା, ଘର ଚଳେଇବା, ବନ୍ଧୁ ବାନ୍ଧବ ଠାରୁ ସାଇ ଭାଇ ସମସ୍ତଙ୍କ କଥା ସେଇ ଟିକି ବୋଉ ହିଁ ବୁଝନ୍ତି । ମନେଅଛି ବିଶୁ ବାହାଘର ସମୟର କଥା । ଫୋନ୍ କରି ଟିକି ବୋଉ ମୋତେ ନିର୍ଦ୍ଦେଶ ଦେଅନ୍ତି , ” ଟୀକା ଅମକ ଜାଗାକୁ ଯାଇ ଦିନ ୨ଟା ରେ ପହଞ୍ଚିବ ବାବୁଲି ( ମୋ ବଡ଼ ଭାଇ ) ସହିତ । ସେଠି ବିଶୁ ପାଇଁ ଝିଅ ହେଖିବ । ଚୟେସ୍ ହେଲେ ବାହାଘର ଫାଇନାଲ୍ ହେବ । ” ଠିକ୍ ସେଇ ଏକା କଥା ବିଭୁ ବାହାଘର ହେବା ପୂର୍ବରୁ ବି କହିଥିଲେ । ଏସବୁ କଥା କହିବାର କାରଣ ହେଉଛି ଟିକି ବୋଉ ହିଁ ତାଙ୍କ ପରିବାରର ମେରିଖୁଣ୍ଟ ଥିଲେ । ତାଙ୍କ ଚାରିପଟେ ଛୁଆ ବାପାଙ୍କ ଠାରୁ ଆରମ୍ଭ କରି ପୁଅ ବୋହୁ ମାନଙ୍କ ସହିତ ନାତି ନାତୁଣୀମାନେ ବୁଲୁଥିଲେ । ଛୁଆ ବାପା ତ ସମ୍ପୂର୍ଣ୍ଣ ରୂପେ ଟିକି ବୋଉଙ୍କ ଉପରେ ନିର୍ଭରଶୀଳ ଥିଲେ – ଚାକିରି କଲାବେଳେ ଆଉ ଏବେ ୬ ବର୍ଷ ହେବ ଚାକିରିରୁ ଅବସର ନେଇସାରିବା ପରେ ମଧ୍ୟ ।

ସେଦିନ କଥା ହେଲା ଟିକି ବୋଉଙ୍କ ମର ଶରୀର କଟକ ବିଡ଼ାନାସି ବାସ ଭବନରୁ ବାହାରି ଆମ ଗାଁ ବସନ୍ତା ଦେଇ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯିବ । ମୋ ବୋଉ ଖବର ପାଇବା ପରଠାରୁ ମନ ଦୁଃଖରେ ଥାଏ ଆଉ ରହିରହି କାନ୍ଦୁଥାଏ । ଏମିତିରେ ଟିକି ବୋଉ ମାନେ ତା’ ସାନ ଯା ତା’ଠାରୁ ବୟସରେ ୨୧ ବର୍ଷ ସାନ । ଆଉ ସେ ଏମିତି ଅସମୟରେ ଚାଲିଯିବା ତାକୁ ଖୁବ୍ ବାଧୁଥାଏ । ଟିକି ବୋଉ ଗାଁକୁ ଆସୁଛନ୍ତି ଜାଣି ଭାଇ, ଭାଉଜ ଓ ଚିକୁକୁ ଧରି ଯେତେ ଶିଘ୍ର ସମ୍ଭବ ଜଗତସିଂହପୁରରୁ ବାହାରି ଗାଁ କୁ ପଳାଇଲା । ମୁଁ କଟକରୁ କେତେବେଳେ ବାହାରିଲେ ସବୁ ବୁଝିସୁଝି ଦିନ ୧୧.୩୦ ରେ ଗାଁ ରେ ପହଞ୍ଚିଲି । ଥଣ୍ତା ଜ୍ୱର ହୋଇଥିଲେ ବି ଟିକି ବୋଉଙ୍କ ସହିତ ପିଲାଦିନର ସେଇ ସବୁ ସ୍ମୃତି ମୋତେ ଗାଁ କୁ ବାଟ କଢାଇନେଲା । ଦିନ ୧୨.୧୫ ସୁଦ୍ଧା ଟିକି ବୋଉଙ୍କ ମର ଶରୀର ଗାଁ ରେ ପହଞ୍ଚିଲା । ଛୁଆ ବାପା ନିର୍ବିକାର ହୋଇ ସେଇ ଆମ୍ୱୁଲାନ୍ସ୍ ର ଆଗ ସିଟ୍ ରେ ବସିଥିଲେ । ବଡ଼ ପୁଅ ବିଶୁ ଟିକି ବୋଉଙ୍କ ପାଖରେ ବସିଥାଏ । ସାଇ ଭାଇ ପଡ଼ିଶା ସବୁ ଯାଇ ଟିକି ବୋଉଙ୍କୁ ଶେଷ ଦର୍ଶନ କରୁ ଥାଆନ୍ତି । ଟିକି ବୋଉଙ୍କ ସାନ ଭାଇ ଆଉ ଝିଆରୀ ବି ତତଲାପଦାରୁ ଆସି ଥାଆନ୍ତି । ରମ୍ଭା ମାଉସୀ ଟିକି ବୋଉଙ୍କ ପଛେ ପଛେ ଆଉ ଗୋଟେ ଗାଡ଼ିରେ ଥାଆନ୍ତି । ମୋ ବଡ଼ ଭଉଣୀ ଗୌରୀ ଆଉ କାର୍ତ୍ତିକ ଭାଇ, ସାନ ଭଉଣୀ ଝୁନୁ ଆଉ ତିଲୁ ସହିତ ମୋ ମାମୁଁ ସମସ୍ତେ ସେଠି ଉପସ୍ଥିତ ଥାଆନ୍ତି । ମୁଁ ଭିଡ଼ କମିଲେ ଟିକି ବୋଉଙ୍କ ପାଖକୁ ଯିବି ବୋଲି ଚିନ୍ତାକରି ଚୁପ୍ ଚାପ୍ ସେଇ ପାଖରେ ପିଣ୍ତା ଉପରେ ବସି ସବୁ ମନଦୁଃଖରେ ଦେଖୁଥାଏ । ଯେଉଁମାନେ କାନ୍ଦୁଥିଲେ ସେମାନେ ସେଇ ଟିକି ବୋଉ ଥିବା ଗାଡ଼ି ନିକଟରେ ରହିଥାନ୍ତି । ହଠାତ୍ ମୋ ପଛପଟୁ କାନ୍ଦ ଆରମ୍ଭ ହେଲା । ମୁଁ ଜାଣିଗଲି ଏଇ କାନ୍ଦ ହେଉଛି ମୋ ବୋଉର । ଚିନ୍ତାକଲି ବୋଉ ନିଜେ ୪ଟା ପାହାଚ ଓହ୍ଲାଇ ଟିକି ବୋଉଙ୍କ ପାଖକୁ ଯାଇପାରିବନି, ଯେହେତୁ ବୋଉର ଗୋଡ଼ରେ ଅସୁବିଧା ରହିଛି । ଭାବିଲି ଧରିକି ନେଇଯିବି । ପୁଣି ଭାବିଲି ସେଠି ଟିକି ବୋଉଙ୍କ ମୁହଁ ଦେଖିଲେ ବେଶି କାନ୍ଦିବ । ତେଣୁ ଏଇଠି ୧୦ ହାତ ଦୂରରେ ଥାଇ ଦେଖୁ । କିନ୍ତୁ ୫ ମିନିଟ୍ ପରେ ଭାଇ ଆସି ସେଠି ପହଞ୍ଚି ବୋଉକୁ ପଚାରିଲା , ” ବୋଉ ସେଠିକି ଯିବୁ ଦେଖିବାକୁ ?” ବୋଉ ସେମିତି କାନ୍ଦୁଥିବା ଅବସ୍ଥାରେ ମୁଣ୍ତ ହଲାଇ ହଁ ମାରିଲା । ଦେଖିଲି ଭାଇ ବୋଉକୁ ଧରି ଏକୁଟିଆ ସେଇ ପାହଚରୁ ଉହ୍ଲାଇବାରେ ଅସୁବିଧା ହେଉଛି । ଉଠିଯାଇ ଏ ପଟରୁ ମୁଁ ଧରିଲି । ଆସ୍ତେ ଆସ୍ତେ ବୋଉକୁ ନେଇ ଟିକି ବୋଉଙ୍କ ପାଖରେ ପହଞ୍ଚିଲୁ । ବୋଉ ସେମିତି କାନ୍ଦୁଥାଏ – ଭାଇ ସହିତ ମୁଁ ବି । ସେଦିନ ଭାଇ ଟିକି ବୋଉଙ୍କ ସାଙ୍ଗରେ ପୁରୀ ସ୍ୱର୍ଗଦ୍ୱାର ଗଲା । ମୁଁ ବାଟରେ ଫେରିବା ବେଳେ ଭାବୁଥିଲି, ବଡ଼ ପୁଅ ମାନେ ବୋଧେ ଏମିତିକା । ବାପା ମା ଙ୍କ ମନକଥା ଠିକ୍ ଧରିପାରନ୍ତି । ମୁଁ ବୋଉଙ୍କୁ ଟିକି ବୋଉଙ୍କ ପାଖକୁ ନେବା ଠିକ୍ ହେବନାହିଁ ବୋଲି ଭାବି ଚୁପ୍ ଥିଲି । ସେଦିନ ଯଦି ବୋଉ ଟିକି ବୋଉଙ୍କୁ ସେଇ ପାଖରୁ ଦେଖି ନଥାନ୍ତା ହୁଏତ ତା’ ମନ ଭିତରେ କେଉଁଠି ଗେଟେ ଅବଶୋସ ରହିଯାଇଥାନ୍ତା ।

ଟିକି ବୋଉ ଯିବା ଏ ଭିତରେ ଏଗାର ଦିନ ଗତ ହୋଇ ଗଲାଣି । ସମୟର କଷଟି ପଥରରେ ଆସ୍ତେ ଅସ୍ତେ ସବୁ ଠିକ୍ ହୋଇଯିବ ଟିକି ବୋଉଙ୍କର ପରିବାରର । କିନ୍ତୁ ଛୁଆ ବାପା ସବୁଠାରୁ ଅଧିକ ଦୁଃଖ ପାଇବେ ଟିକି ବୋଉଙ୍କ ଅବର୍ତ୍ତମାନରେ । ଯାହା ହାତ ଧରି ଜୀବନର ଶେଷତମ ରାସ୍ତା ଯାଏ ଚାଲିବେ ଭାବିଥିଲେ, ସେ ଏମିତି ଅଧାରୁ ବାଟ କାଟିଥିବାରୁ ମନେମନେ ଅଭିମାନ ନିଶ୍ଚେ କରୁଥିବେ | ସମୟ ଅନୁପାତରେ ସମସ୍ତେ ମାନସିକ ସନ୍ତୁଳନ ଲାଭ କରନ୍ତୁ ଆଉ ଛୁଆ ବାପାଙ୍କ ଆଗାମୀ ଜୀବନ ପୁଅ ବୋହୁ ନାତି ନାତୁଣୀଙ୍କ ଗହଣରେ ଭଲରେ କଟିଯାଉ | ମାସ ଶ୍ରେଷ୍ଠ କାର୍ତ୍ତିକ ମାସ ରେ ଅହ୍ୟ ସୁଲକ୍ଷଣି ସାଜି ଇହଧାମ ଛାଡିଥିବା ଟିକି ବୋଉଙ୍କର ଆତ୍ମା ପରାତ୍ମାଙ୍କ ସହିତ ଲୀନ ହେଇ ଜନ୍ମ ମୃତ୍ୟୁ ଚକ୍ର ରୁ ମୁକ୍ତି ଲାଭ କରୁ, ଏତିକି ପ୍ରାର୍ଥନା ।

ଜୟ ଜଗନ୍ନାଥ

To Top