ଓସିଏ ପଡ଼ିଆର ବାଉଣ୍ଡାରୀ ବାହାରେ, କଦମ୍ବ ମୂଳେ ସ୍ୱଚ୍ଛ ଭାରତର ସମସ୍ତ ମନ୍ତ୍ରକୁ ଆହୂତି ଦେଇ ଖୁବ ହାଲକା ଅନୁଭବ କଲୁ ।
ପ୍ରକୃତିର ଡାକ ଓ ନାଲି କୋଠାର ପଡ଼ିଆ
ଏଇ ମାତ୍ର କେଇଟା ବର୍ଷ ତଳେ…
ଆମରି ଆଖି ଆଗରେ ରେଭେନଶାର ଖେଳପଡ଼ିଆ, “ଓସିଏ (ଓଡ଼ିଶା କ୍ରିକେଟ ଆସୋସିଏସନ) – ପଡ଼ିଆ” ପାଲଟି ଯାଇଥିଲା । ଭିତ୍ତିଭୂମି-ବିକାଶ ଆଳରେ “ଓସିଏ” ସହ କରା ଯାଇଥିବା ଚୁକ୍ତି ରେଭେନ୍ଶା ପିଲାଙ୍କ ପାଇଁ ଭାରି “ଭାରି” ପଡିଥିଲା । ସେ ପଡ଼ିଆରେ ଆମ ରେଭେନ୍ଶା ଛୁଆ ଖେଳୁଥିଲେ କମ ଆଉ ବର୍ଷ ତମାମ ପଡ଼ିଆ ବାହାରେ ଠିଆ ହୋଇ ଓସିଏ ପ୍ରାୟୋଜିତ ଟୁର୍ଣ୍ଣାମେଣ୍ଟ୍ ସବୁ ଦେଖୁଥିଲେ ବେଶି। ଧୀରେ ଧୀରେ ଆମେ ତାକୁ “ଓସିଏ ପଡ଼ିଆ” ବୋଲି ଡାକିବା ଆରମ୍ଭ କରିଥିଲୁ । ପଡ଼ିଆର ସୁରକ୍ଷା ଦାୟିତ୍ୱରେେ ନ୍ୟସ୍ତ ଲୋକମାନେ (ଓସିଏ ପ୍ରାୟୋଜିତ) ଖେଳ ହେଉ ନ ଥିବା ସମୟରେ ଏହାର ଆଖ ପାଖରେ ଆମକୁ ବୁଲା ବୁଲି କରୁଥିବାର ଦେଖିଲେ ଘଉଡେଇ ଦଉଥିଲେ। ସତେ ଯେମିତି ଆମେ ଶିବସେନା କର୍ମୀମାନଙ୍କ ଭଳି ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ପିଚ୍ ରେ ହଳ ବୁଲେଇ ଆଳୁ ବାଇଗଣ ଗଛ ପୋତି ପକେଇବା ପାଇଁ ପଇଁତରା ମାରୁଥିଲୁ ! ଏହା ଆମକୁ ଭାରି ବାଧୁଥିଲା । କାଶ୍ମୀର ପଣ୍ଡିତମାନଙ୍କର ନିଜର ଭିଟାମାଟିରୁ ନିଜେ ନିର୍ବାସିତ ହେବାର କଷ୍ଟର ଗମ୍ଭୀରତା ସ୍ପଷ୍ଟ ଅନୁଭବ ହେଉଥିଲା ! ହଷ୍ଟେଲମାନଙ୍କରେ ପାଇପ୍ରୁ ପାଣି ବାହାରୁ ବା ନ ବାହାରୁ କିନ୍ତୁ ଓସିଏ ପଡିଆର ସବୁଜିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେଠାରେ ଚବିଶ ଘଣ୍ଟା ଜଳସେଚନର ବ୍ୟବସ୍ଥା କରାଯାଇଥିଲା ।
ପ୍ରଚଣ୍ଡ ନିଦାଘରେ ଏମିତି ଏକ ଦିନର ଆମେ ବି ଦିନେ ସାମନା କରିଥିଲୁ । ସେଦିନ ସକାଳୁ ହଷ୍ଟେଲ୍ରେ ପାଣି ଠଅପ ! ରେଭେନଶାର ଜଳଯୋଗାଣ ଇଞ୍ଜିନିଅରଙ୍କୁ ଯୋଗାଯୋଗ କରିବାରେ ସେ ଆମକୁ ଜଣେଇଲେ ଯେ ଯୁଦ୍ଧକାଳୀନ ଭିତ୍ତିରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଜଳ ଯୋଗାଣ ପାଇପର ମରାମତି କାମ ଜାରି ରହିଛି ଏବଂ ସନ୍ଧ୍ୟା ସୁଦ୍ଧା ଆପଣମାନଙ୍କର ହଷ୍ଟେଲ୍ ମାନଙ୍କର ପାଇପ ସମୂହରୁ ଜଳଧାରା ପ୍ରବାହିତ ହେବ । ସକାଳ ଗଲା, ଦି’ପହର ଗଲା .. ସନ୍ଧ୍ୟା ବି ଆସିଲା ହେଲେ ପାଣି ଆସିଲାନି ! ଆଉ ଏପଟେ ଆମେ ଦୁଇ ସଙ୍ଗାତ ବିଶୁଆ ଆଉ ଚିନୁ ସକାଳୁ ଦାନ୍ତ ଜାବୁଡି ବସିଛୁ ପାଣି କେବେ ଆସିବ ଆଉ ଆମେ ପ୍ରକୃତିର ଡାକ ଶୁଣିବୁ !
ବିଶୁଆ: “ବୁଝିଲୁ ସାଙ୍ଗ ଆମ ଏମାନଙ୍କୁ ଆଉ ଭରଷା କରି ହବନି କି ଆଉ ସମ୍ଭାଳି ବି ହବନି ! ଚାଲ ବିକଳ୍ପ ଖୋଜିବା !”
ଚିନୁ: “ଭାଇ ମୋତେ ତ ଆଉ ବିକଳ୍ପ କିଛି ଥିଲା ଭଳିଆ ଦେଖା ଯାଉନି !”
ବିଶୁଆ: “ଶୁଣେ ଭାଇ, ଏଠି ବସି ରହିବା ଅପେକ୍ଷା ଚାଲେ ଓସିଏ ପଡ଼ିଆ ଆଡେ ଟିକେ ବୁଲି ଆସିବା ! କାଳେ ଆମ ମାନ୍ୟବର ପ୍ରଶାସନଙ୍କ ସହଯୋଗରେ ଆଜି ବି ସେଠି ମା’ ଗଙ୍ଗାଙ୍କର ଆଶୀର୍ବାଦ ଅବ୍ୟାହତ ଥିବ ! ”
ଚିନୁ: “ବାଃ ! କି ଉତ୍କୃଷ୍ଟ ବିଚାର ! ”
ଆଉ କାଳ ବିଳମ୍ବ ନ କରି ଦୁହେଁ ଓସିଏ ପଡ଼ିଆ ଆଡକୁ ଗାମୁଛା ପିନ୍ଧି ଦଉଡ଼ିଲୁ । ସତକୁ ସତ ସେଠି ଅସରନ୍ତି ପାଣିର ସ୍ରୋତକୁ ଦେଖି ଖୁସିରେ ଅନ୍ତରର କୋହକୁ ଆଉ ଅନ୍ତରରେ ଚାପିକି ରଖି ପାରିଲୁ ନାହିଁ । ଓସିଏ ପଡ଼ିଆର ବାଉଣ୍ଡାରୀ ବାହାରେ, କଦମ୍ବ ମୂଳେ ସ୍ୱଚ୍ଛ ଭାରତର ସମସ୍ତ ମନ୍ତ୍ରକୁ ଆହୂତି ଦେଇ ଖୁବ ହାଲକା ଅନୁଭବ କଲୁ । ଅତ ପରେ ପଡ଼ିଆ ଭିତରେ ସ୍ନାନାଦି କାର୍ଯ୍ୟ ସମାପନ କରି ଓସିଏ, ନାଲିକୋଠାର ପ୍ରଶାସନ, ମା’ ଗଙ୍ଗା, ଏବଂ ଆମ କାର୍ଯ୍ୟକଳାପର ମୂକସାକ୍ଷୀ ଥିବା କମର୍ସ ଡିପାର୍ଟମେଣ୍ଟ, ଦୟା-ଦେବୀ ହଷ୍ଟେଲର କୋଠା, ଗଛପତ୍ର- ସମସ୍ତଙ୍କୁ ଗୋଟି ଗୋଟି ସାଷ୍ଟାଙ୍ଗ ପ୍ରଣାମ କରି ନିଜ ହଷ୍ଟେଲକୁ ଫେରି ଆସିଲୁୁ ।
ଦୁଇ ଜଣଙ୍କ ପାଟିରୁ ଏକ ସଙ୍ଗେ ବାହାରି ପଡିଲା- “ବାଃ କି ଶାନ୍ତି !”
ଆଜି ବି ସେ ସନ୍ଧ୍ୟାଟି ଆମମାନଙ୍କ ଜୀବନର ଏକ ଅବିସ୍ମରଣୀୟ ସନ୍ଧ୍ୟା ଯେବେ ଆମ ହୃଦୟ ଏକ ଅଭୂତପୂର୍ବ କୃତଜ୍ଞତା ଏବଂ ପ୍ରସନ୍ନତାରେ କୃତ୍ୟ କୃତ୍ୟ ହୋଇ ଉଠିଥିଲା !
