ଅନୁଭୂତି

ଅଭୁଲା ସ୍ମୃତି

Dr Anita Panda

କ’ଣ ମତେ ବାପା ଭାବିଲୁ କି ? ମୁଁ ସବୁଦିନ ଭଳି ଆଜି ବି କୂଅ ମୂଳେ ଯାଇ ହାତ, ଗୋଡ଼ ଧୋଇ ଆସିବି । ଗାମୁଛାଟା ଦେଲୁ ।

ଅଭୁଲା ସ୍ମୃତି

-: ପୂର୍ବରୁ :-

“ତୁ ଗୀତା ପଢ଼ିଛୁ ?” କାଳିନ୍ଦୀ ବାବୁ ପ୍ରଶ୍ନ କଲେ ।

ହଁ, ମାତ୍ର କିଛି ବୁଝି ପାରେନି, ବାପା କହନ୍ତି ବାରମ୍ୱାର ପଢ଼ିଲେ ବୁଝିପାରିବୁ । ତେଣୁ ମୁଁ ସବୁଦିନ ଗୋଟିଏ ଅଧ୍ୟାୟ ଗୀତା ପାଠ କରିଥାଏ । ବହୁବାର ପଢ଼ିବା ପରେ ଗୋଟିଏ ଶ୍ଳୋକର ଅର୍ଥ ବୁଝିପାରିଛି । ଶୁଣାଇବି ।

ଗୋଟିଏ ଖୁବ୍ ଉତ୍ସାହୀ ଶ୍ରୋତା ଜଣେ ବିଖ୍ୟାତ ବକ୍ତାଙ୍କର ବକ୍ତବ୍ୟ ଶୁଣିଲା ଭଳି କାଳିନ୍ଦୀବାବୁ ମୁଣ୍ଡ ହଲାଇଲେ ।

“ଅଜ୍ଞାନ ଡିମିରାନ୍ଧସ୍ୟ ଜ୍ଞାନଞ୍ଜନ ଶଳାକୟା
ଚର୍କ୍ଷୁନ୍ମିଲିତଂ ୟେନ, ତସ୍ମୈ ଶ୍ରୀ ଗୁରବେ ନମଃ ।।”

ଅର୍ଥାତ୍ ଯେଉଁମାନେ ବିଦ୍ୟାହୀନ ଅଜ୍ଞାନ, ଜ୍ଞାନୀମାନଙ୍କଠାରୁ ସେମାନଙ୍କୁ କୁଭାଷାରେ ଗାଳି ଶୁଣିବାକୁ ପଡ଼ିଥାଏ । ତେଣୁ ଗୁରୁଙ୍କୁ ପ୍ରଣାମ କରି ବହୁ ବିଦ୍ୟା ହାସଲ୍ କରିବା ଉଚିତ୍ ।

ମା’ ଲୋ’, ଶ୍ଳୋକଟି ଠିକ୍ କହିଲୁ, ମାତ୍ର ତା’ର ଅର୍ଥ ଯାହା କହିଲୁ ଠିକ୍ ସେଇଆ ନୁହେଁ, ବାପାଙ୍କୁ କହିବୁ ଠିକ୍‌ରେ ବୁଝାଇ ଦେବେ ।

ମୋର ବହୁ ଗୁଡ଼ିଏ ଶ୍ଳୋକ ଶୁଣାଇବାର ଉତ୍ସାହ ଥିଲା । ମାତ୍ର ଭୁଲ୍ ଅର୍ଥ କହୁଛି ଶୁଣିବା ପରେ ମନ ମରିଗଲା । କେବଳ ଚୁପ୍ ଚାପ୍ ଛିଡ଼ା ହୋଇ ରହିଲି । ଛକଡ଼ି କଥା ମଧ୍ୟ କହିବାକୁ ସାହସ କଲିନି । ଅତିଥିମାନେ ପ୍ରସ୍ଥାନର ଯୋଜନା କରୁଥିଲେ ।

ଅତିଥିମାନେ ପ୍ରସ୍ଥାନ କରିବାର ଦୁଇଘଣ୍ଟାରୁ ଉର୍ଦ୍ଧ୍ଵ ହୋଇ ଗଲାଣି । ସାଧାରଣତଃ ଘରକୁ କେହି ଅତିଥି ଆସିଲେ ମୁଁ ଓ ସୁଶୀନାନୀ ଖୁବ୍ ଖୁସି ହେଉ । ତା’ର କାରଣ ହେଲା ପରିବାରର ସମସ୍ତ ସଦସ୍ୟଙ୍କୁ ବାହାରକୁ ଯିବାରୁ ଅନୁମତି ଥିବା ସ୍ଥଳେ ଆମ ଦୁହିଁଙ୍କ ପାଦରେ ଜଞ୍ଜିର । ଅତିଥି ଘର ଛାଡ଼ିଲେ, ଆମେ ଦୁହେଁ ବହୁତ ଦୁଃଖ କରୁ । ସୁଶୀନାନୀଟା ନାକ କାନ୍ଦୁରୀ । ବେଳେ ବେଳେ କାନ୍ଦି ପକାଏ ।

ନାନୀକୁ ମୁଁ ବହୁଥର ଅନୁରୋଧ କରେ ଅତିଥିମାନଙ୍କୁ ଘରେ ବେଶୀ ଦିନ ରଖିବାକୁ । ଘରେ ଅତିଥି ରହିଲେ ବହୁତ ମଜା ଆସେ ।

ନାନୀ ଉତ୍ତର ଦିଏ, “ଘରେ ଅତିଥି ରହିଲେ କେତେ ଅଧିକା ଖର୍ଚ୍ଚ, କୋଉଠୁ ଆସିବ ?” ବାପାଙ୍କ କଥା ମନକୁ ଆସେ । ଅତିଥି ଦେବୋ ଭବଃ । ଭଗବାନଙ୍କ ପାଇଁ ନାନୀ ଖର୍ଚ୍ଚ କାଣ୍ଟୁଛି । କିଛି ଉତ୍ତର ନ ଦେଇ ମୁଁ ମୁହଁ ମୋଡ଼ି ଅନ୍ୟ ଆଡ଼େ ଚାଲିଯାଏ ।

ଆଜିର ଅତିଥିମାନେ ଯିବା ପରେ ମତେ ଦୁଃଖ ଲାଗିଲାନି । ତା’ର କାରଣ ହେଲା ମୁଁ ମନେ ମନେ ବହୁ ଉତ୍ସାହିତ ହେଉଥିଲି । ଛୁଆନନାଙ୍କୁ କାଳିନ୍ଦୀ ପାଣିଗ୍ରାହୀଙ୍କ ବିଷୟରେ କ’ଣ କ’ଣ କହି, ତାଙ୍କ ଲେଖା ଆଉ ଖଣ୍ଡିଏ ବହି ଲାଇବ୍ରେରୀରୁ ଆଣିଦେବେ ବୋଲି ଯୋଜନା କରୁଥିଲି । ଛୁଆନନାଙ୍କୁ ଗପ ବହି ପଢ଼ିବା ପସନ୍ଦ ନୁହେଁ । ମାତ୍ର ମୋ ଅନୁରୋଧ କେବେ ଭାଙ୍ଗନ୍ତିନି ।

ମୁହଁ ସଞ୍ଜ ହୋଇ ଯାଇଥିଲା । ସାଇକେଲ୍ ଘଣ୍ଟି ଶୁଣି ଦୌଡ଼ି ଯାଇ ବାହାରେ ପହଞ୍ଚିଗଲି । ସାଇକେଲ୍‌ଟା କାନ୍ଥରେ ଭରା ଦେଇ ଛୁଆନନା ବ୍ୟାଗ୍ ଦୁଇଟି ବାହାର କରୁଥିଲେ । ସୁଶୀନାନୀ ହାତରେ ଓଜନିଆ ବ୍ୟାଗ୍‌ଟା ଦେଇ ମୁଁ ଅନ୍ୟଟା ଉଠାଇଲି । ଛୁଆନନା ତାଙ୍କ ମଇଳା ହାତ ଦୁଇଟା ଦେଖାଇ କହିଲି ଚାଲିଥିଲେ, “ଆଜି ରାସ୍ତାରେ ସାଇକେଲ୍‌ର ଚେନ୍‌ଟା ବାହାରିଗଲା, କେଉଁଠି କ’ଣ ଗୋଟାଏ ଅସୁବିଧା ହୋଇଯାଇଥିଲା । ଯେତେ ଚେଷ୍ଟା କଲେ ବି ଲାଗିଲାନି । ବାଧ୍ୟତଃ ଅନ୍ୟର ସାହାସ୍ୟ ନେବାକୁ ପଡ଼ିଲା ।”

ଚିନାବାଦାମ ବ୍ୟାଗ୍‌ଟା ଦେଖି ମୁଁ ବହୁତ ଖୁସି ହୋଇଯାଇଥିଲି । ଆଜି ଦିନଟାରେ ଖାଲି ଆନନ୍ଦ ହିଁ ଆନନ୍ଦ ଉତ୍ସାହ ସହ କହିଲି, “ପାଣି ତଉଲିଆ ଆଣି ଦେଉଛି, ହାତ ପୋଛି ଜଲ୍ଦି ଭିତରକୁ ଆସ ।”

କ’ଣ ମତେ ବାପା ଭାବିଲୁ କି ? ମୁଁ ସବୁଦିନ ଭଳି ଆଜି ବି କୂଅ ମୂଳେ ଯାଇ ହାତ, ଗୋଡ଼ ଧୋଇ ଆସିବି । ଗାମୁଛାଟା ଦେଲୁ ।

ମୋ ହାତରୁ ଗାମୁଛାଟା ନେଇ ଛୁଆନନା ପୁଣି କହିବା ଆରମ୍ଭ କଲେ, “କହିଦେ କହିଦେ, ଆଜି କ’ଣ ଅର୍ଡର କରିବାର ଯୋଜନା କରିଛୁ ।”

କିଛି ନାହିଁ, ଆସ, ଚିନାବାଦାମ ଖାଇବା ।

ଅଳ୍ପ ସମୟ ପରେ ଆମେ ତିନି ଭାଇ ଭଉଣୀ ମିଶି ଚିନାବାଦାମ ଖାଇବା ।

ଅଳ୍ପ ସମୟ ପରେ ଆମେ ତିନି ଭାଇ ଭଉଣୀ ମିଶି ଚିନାବାଦାମ ବ୍ୟାଗଟିର ସଦୂପଯୋଗ କରିବାରେ ଲାଗିଲୁ ।

ଛୁଆନନା ସୁଶୀନାନୀ କାନ ପାଖରେ ଫୁସ୍ ଫୁସ୍ କରି କହିଲେ, “ନାନୀକୁ କହ ଆଜି ଆମେ ଶୀଘ୍ର ଭାତ ଖାଇବା, ନ ହେଲେ ଚିନାବାଦାମ୍ ଗୁଡ଼ା ପେଟରେ ଫୁଲିଗଲେ ବେଶୀ ଖାଇବା ଖାଇ ହେବନି । ଆଜି ଘରକୁ ଅତିଥି ଆସିଥିଲେ, ବଢ଼ିଆ ବଢ଼ିଆ ଖାଇବା ଥିବ ।”

ହଁ ତୁମ ପାଇଁ ମାଣ୍ଡିଆ ତଳେ ଘୋଡ଼ା ହୋଇ ସବୁ ରହିଛି । ଆମକୁ ନ ମିଳିପାରେ । ଆମେ ତ ଦିନରେ ଖାଇଛୁ ।

ଖାଇଲ ତ କ’ଣ ହେଲା, ସମସ୍ତେ ମିଶି ଆଉ ଥରେ ଖାଇବା ।

ଇଚ୍ଛା ହେଲା କହିବି ଛୁଆନନା ତୁମେ କେତେ ଭଲ । ମାତ୍ର ତାହା ନ କହି ମୋ ମନରେ ଆସୁଥିବା ବିଷୟଟିକୁ ପ୍ରକଟ କଲି । ଚିନାବାଦାମ ଫୁଲିବା ଆରମ୍ଭ କଲେ ଖାଇଥିବା ଭାତସବୁ ବାହାରକୁ ଆସି ଯିବନି ତ ?

ତୋ ଠାରୁ ଏମିତି ପ୍ରଶ୍ନ ଶୋଭା ପାଏନା । ଏଇଟା ପଚାରି ତୁ ନିଜକୁ ବୋକି ବୋଲି ପ୍ରମାଣ କରି ଦେଲୁ ।

ମୁଁ ତ ବୋକୀ, ମୁଁ କ’ଣ ପରୀ ହୋଇଛି ?

ପରୀ ! କୋଉ ପରୀ କଥା କହୁଛୁ ।

ରାମବାଗ ସ୍କୁଲ୍‌ର ପରୀ । ସେ କ’ଣ ସତରେ ଏତେ ବୁଦ୍ଧିଆ ? ନାଁ, ବୁଦ୍ଧିମତୀ ନୁହେଁ, ମାତ୍ର ଭାରି ସ୍ମାର୍ଟ ଅର୍ଥାତ୍ ଖୁବ୍ ତୀବ୍ର । ସାଇକେଲ୍‌ରେ ସ୍କୁଲ୍ ଆସେ ।

ମିଛ ।

କ’ଣ ମିଛ ?

ଯେତେ ପ୍ରଖର ହେଲେ ବି ଝିଅ ପିଲାଟା, ସାଇକେଲ୍ କେମିତି ଚଲାଇବ ?

ଝିଅ, ପୁଅ ପାଇଁ ସାଇକେଲ୍ ଚଲାଇବାର କଟକଣା ନାହିଁ । ତୁ ଗାଁରେ ଝିଅମାନେ ସାଇକେଲ୍ ଚଲାଇବାର ଦେଖିନୁ ତ । ଏ ସବୁ କଟକଣା ଗାଁ ପାଇଁ । କଟକ ସହରରେ କେତେ ଝିଅ ସାଇକେଲ୍ ଚଲାନ୍ତି ।

ମୁଁ ତୁମ ସାଇକେଲ୍ ଚଲାଇ ପାରିବି ?

ନାଁ, ତୁ ଏବେ ବହୁତ ସାନ । ଝିଅ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ସାଇକେଲ୍ ଅଛି ।

ପରୀନାନୀକୁ ଆମ ଘରକୁ ଡାକିବା ।

ଭାତ ବଢ଼ା ହେଲାଣି ନାନୀ ଡାକରେ ତିନି ହେଁ ଉଠିଗଲୁ ।

ପରୀନାନୀ ଆସିଛି । ତାକୁ ଦେଖିଲେ ମନେ ହେଉଥାଏ ଯେମିତି ତା’ ହାତ ଗୋଡ଼ କଥା କହୁଛି । ସେ ଆମ ଭଳି ଫ୍ରକ୍ ପିନ୍ଧି ନଥିଲା । କିମ୍ୱା ଶାଢ଼ୀ ମଧ୍ୟ ନୁହେଁ । ଭିନ୍ନ ଏକ ପୋଷାକ ।

ତୁମ ସାଇକେଲ୍ ତ ଠିକ୍ ଛୁଆନନାଙ୍କ ସାଇକେଲ୍ ଭଳି । କିଛି ସ୍ୱତନ୍ତ୍ରତା ନାହିଁ ପରୀନାନୀ ।

ସାଇକେଲ୍‌ରେ ପୁଣି ସ୍ୱତନ୍ତ୍ରତା କ’ଣ ? ସାଇକେଲ୍ ତ ସାଇକେଲ୍ । ଚଢ଼ି ଶିଖିଲେ ହେଲା । ସେ ପୁଅ ହେଉ ବା ଝିଅ । ପରୀନାନୀ ଆଖି ଯେମିତି କହୁଥିଲା, ତୁମେମାନେ ମଫସଲୀ, ତୁମମାନଙ୍କୁ କିଛି ଜଣାନାହିଁ ।

ସତ କହୁଛି ପରୀନାନୀ ଛୁଆନନା କହୁଥିଲେ, ଝିଅ ପୁଅଙ୍କ ସାଇକେଲ୍‌ରେ ଫରକ୍ ଅଛି । କେବେ ସହର ଗଲେ ଦେଖିବ ଦୃଢ଼ କଣ୍ଠରେ କହିଲି ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

To Top