ଅନୁଭୂତି

ସହରୀ ଜୀବନ

Dr Anita Panda

ମୁଁ କ’ଣ ସଂସ୍କୃତ ପଢ଼ିଛି । ପୁରାଣ ପଢ଼ାରୁ ଯାହା ବୁଝୁଛି କିଛି ଗୁଣ୍ଡିଚା ଘର ଆଉ ଅଶ୍ୱମେଧ ଯଜ୍ଞ କଥା କହୁଛନ୍ତି । ତତେ କଥା ଦେଉଛି, ପାଠ ପଢ଼ିଲେ ୟା’ର ସମସ୍ତ ଅର୍ଥ ତତେ ବୁଝାଇ ଦେବି ।

ସହରୀ ଜୀବନ

-: ପୂର୍ବରୁ :-

ଆଶାର ଗାଁ ଏକ ନିପଟ ମଫସଲରେ ହୋଇଥିଲେ ମଧ୍ୟ ତାର ଜନ୍ମ ସହରରେ । ତେଣୁ ପଲ୍ଲୀ କହିଲେ ତା’ର କୌତୁହଳ ବଢ଼ିଯାଏ । ଆମ ଛାତଟା ଲଣ୍ଡା । ତେଣୁ ବ୍ରଜନନା(ରୋଷେୟା) ଚବିଶ ଘଣ୍ଟା ଛାତରେ ତାଲା ଲଗାଇ ରଖିଥାଏ । ଯେତେ ଅନୁରୋଧ କଲେ ମଧ୍ୟ କାଟୁ କରେନା ।

ଆଶାର ବାପା ବହୁତ ଭଲ । ମାତ୍ର କାହିଁକି କେଜାଣି ତାଙ୍କୁ ଦେଖିଲେ ମୋର ପିଳେହୀ ପାଣି ହୁଏ । ବଡ଼ନନା ତାଙ୍କ ଅଧୀନରେ କିମ୍ୱା ଅନ୍ୟ କିଛି କାରଣରୁ, ତାହା ମୁଁ ନିଜେ ମଧ୍ୟ ଜାଣିପାରେନା ।

ଆଶାର ମା’ ଟିକିଏ ଅନ୍ୟଧରଣର । କାହା ସଙ୍ଗେ ବେଶୀ ମିଶନ୍ତିନି । ମାପି ଚୁପି କଥା କୁହନ୍ତି । ଗାଁ କହିଲେ ତାଙ୍କର ନାହିଁ ଡେଇଁବା ଆରମ୍ଭ ହୋଇଯାଏ । ତେଣୁ ତାଙ୍କ ଘର ବହୁ ପାଖରେ ଥିଲେ ମଧ୍ୟ ତାଙ୍କ ଘରକୁ ମୋର ନିୟମିତ ଯିବା ଆସିବା ହୋଇ ପାରେନା । କେବଳ ସେତିକି ନୁହେଁ । ସୁଶୀନାନୀ ତାଙ୍କ ଘରକୁ ଯିବାକୁ ଆଦୌ ପସନ୍ଦ କରେନା । କହେ ଆମେ ଖୁସି ବାସି କରିବାକୁ ଯିବା । ଏତେ କାୟଦା କଟକଣା । ସେ ମିସେସ୍ ଆଇ.ଏ.ଏସ୍.ଙ୍କୁ ମୋର ଦୂରୁ ଜୁହାର ।

ଆଶା ମତେ ବହୁତ ବୁଝାଏ । ବାପା ଭାରି ସ୍ନେହୀ । ଥରେ ଯାହାକୁ ଦେଖନ୍ତି ତାକୁ କଥାରେ କିଣି ପକାନ୍ତି । ତୁ ମିଛରେ ତାଙ୍କୁ ଭୟ କରୁଛୁ ।

ତଥାପି ମଧ୍ୟ ମୁଁ ତାଙ୍କ ଘରକୁ ଖୋଲା ଖୋଲି ଯିବାକୁ ସାହସ କରେନା । କେବେ କେବେ ଲୁଚି ଲୁଚି ଯାଇ ତାଙ୍କ ଛାତ ଉପରେ ବସୁ । ତାଙ୍କ ଛାତଟା ବହୁ ପରିଷ୍କାର । ଦୋତାଲା ଘର । ସମୁଦ୍ର ସେଠାରୁ ଖୁବ୍ ସୁନ୍ଦର ଭାବେ ଦେଖାଯାଏ । ଆଶାର ପଢ଼ା ସମୟ ପୂର୍ବରୁ ପଛପଟ ସିଢ଼ି ଦେଇ ଫେରି ଆସିଥାଏ ।

ରଜ ଆଉ ଖୁବ୍ କମ୍ ଦିନ ରହିଲା । ମାଉସୀ (ଆଶାର ମା’) ଏ ପର୍ବଟିକୁ ଗାଉଁଲୀ ପର୍ବ ମନେ କରନ୍ତି । ବଙ୍ଗାଳୀମାନଙ୍କ ଘରେ ତ ଏ ପର୍ବ ନାହିଁ । ମୋ ଠାରୁ ଏ ପର୍ବ ବିଷୟରେ ଶୁଣି ଶୁଣି ଆଶା ଖୁବ୍ ଆନନ୍ଦିତ ମନେ ହେଉଥିଲା । ମା’ ଏଇ ପର୍ବଟିକୁ ଗାଉଁଲୀ ପର୍ବ ରୂପେ ଆଖ୍ୟା ଦେଉଥିବା ହେତୁ ବିଚାରୀ ଆଶାକୁ ୧୪ ବର୍ଷ ବୟସ ହୋଇଥିଲେ ମଧ୍ୟ ୟା’ ବିଷୟରେ କିଛି ଜ୍ଞାନ ନ ଥିଲା । ହୁଏ ତ ତାକୁ ଖୁସି କରିବାକୁ କିମ୍ୱା ନିଜର ବଡ଼ାଇ ପ୍ରକାଶ କରିବାକୁ ମୁଁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କଲି । ପାଞ୍ଚଦିନ ଧରି ଆମେ କେମିତି ମଜା କରୁ ସେ କଥା ମଧ୍ୟ କହିଲି । ମୋ ଠାରୁ ଶୁଣିବା ପରେ ବହୁ ଉତ୍‌ଫୁଲ୍ଲିତ ହେଲେ ମଧ୍ୟ ଉଦାସ ହୋଇ କହିଲା, “ଏଇ ପର୍ବଟା ଅଭିଆଡ଼ି ଝିଅମାନଙ୍କ ପାଇଁ । ଆଉ ବର୍ଷ କେଇଟାରେ ତ ମୁଁ ବାହା ହୋଇ ଯିବି । ରଜପର୍ବର ମଜା ଆଉ ଏ ଜନ୍ମରେ ପାଇ ପାରିବିନି ।” ତେଣୁ ଦୁହେଁ ମିଶି ସ୍ଥିର କଲୁ ଆମ ଘରେ ରଜପର୍ବ ପାଳନ କରିବୁ । ରଜଘରର ବ୍ୟବସ୍ଥା ହୋଇଗଲା । କେବଳ ରଜଦୋଳି ଛାଡ଼ି ଆଉ ସବୁର ଯୋଜନା ହୋଇଗଲା । ମଉସା (ଆଶାର ବାପା) ଆଉ କେତେଜଣ ଓଡ଼ିଆ ଝିଅଙ୍କୁ ମଧ୍ୟ ଆମନ୍ତ୍ରଣ କରି ଆଣିଥିଲେ । ସେଇ ଅବସରରେ ଆମେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କଲୁ । ଖର୍ଚ୍ଚର ବ୍ୟବସ୍ଥା ସବୁ ଆଶାର ବାପା ବହନ କରିଥିଲେ ।

ଆମ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଥିଲା ଏକ ନାଟକ । ଫକୀର ମୋହନ ସେନାପତିଙ୍କର କ୍ଷୁଦ୍ର ନାଟକ ପେଟେଣ୍ଡ ମେଡ଼ିସିନ୍ । ନାଟକର ଅଭିଜ୍ଞତା ମୋର ଖୁବ୍ ଅଳ୍ପ ଥିଲା । ମୁଁ ଚନ୍ଦ୍ରକାନ୍ତବାବୁଙ୍କ ଭୂମିକା ପରିବେଷଣ କରିଥିଲି । ଆଉ ଆଶା ସୁଲୋଚନା । ଆଶାର ସାନ ଭାଇ ଚାକର ଟୋକା । ଆଶାର ପୂର୍ବ ଅନୁଭୂତି ନ ଥିଲା । ତେଣୁ ନାଟକରେ ସେ ମତେ ଏତେ ଜୋର୍‌ରେ ଝାଡୁରେ ପିଟିଥିଲା ଯେ ମାସକ ଯାଏ ମୋ ଦେହର ବଥା ଯାଇ ନ ଥିଲା ।

ପୁରୀ ରଥଯାତ୍ରା :-

ପୁରୀରେ ଏଥର ମୋ ପାଇଁ ପ୍ରଥମ ରଥଯାତ୍ରା । ସମସ୍ତଙ୍କ ମୁହଁରୁ ରଥଯାତ୍ରାର ପ୍ରଖ୍ୟାତି ବିଷୟରେ ଶୁଣିଥିଲି । ରଥଯାତ୍ରାର ଅନୁଭୂତି ଅତୁଳନୀୟ । ଏ ବର୍ଷ ମୁଁ ନିଜେ ଅନୁଭବ କଲି ।

ବଡ଼ଦେଉଳରେ ତେତିଶ କୋଟି ଦେବତା । ମାତ୍ର ଯେତିକି ଦିନ ଜଗନ୍ନାଥ ଅଣସର ଘରେ ରହନ୍ତି ସମ୍ପୂର୍ଣ୍ଣ ବେଢ଼ା ପ୍ରଦକ୍ଷିଣ କଲେ ମଧ୍ୟ ଅଧୁରା ମନେହୁଏ । ରଥଯାତ୍ରା ପାଇଁ ବଡ଼ନନାଙ୍କର ସ୍ୱତନ୍ତ୍ର ଡ୍ୟୁଟି ଲାଗିଥିଲା । ସୁବିଧାରେ ଦେଖିବା ପାଇଁ ସେ ଆମର ରାଜପ୍ରାସାଦ ଉପରେ ବସିବାର ସ୍ୱତନ୍ତ୍ର ସୁବିଧା କରାଇ ଦେଇଥିଲେ । ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ତିନିଟି ଯାକ ରଥ ସଜା ହୋଇ ରହିଛି । ଗୋଟିକ ପରେ ଗୋଟିଏ ଭଗବାନଙ୍କ ମୂର୍ତ୍ତିକୁ ଅଣାଲଗା । ବ୍ରାହ୍ମଣମାନେ ବହୁ ଜୋର୍ ଜୋର୍‌ରେ ଶ୍ଳୋକ ପାଠ କରୁଥାଆନ୍ତି । ଘଣ୍ଟା, ମୁର୍ଦ୍ଦଙ୍ଗ, ଝାଞ୍ଜର ତାଳରେ ଚଉଦିଗ ମୁଖରିତ ହୋଇ ଉଠୁଥାଏ । ଭକ୍ତମାନଙ୍କର ଜୟ ଜୟ ଧ୍ୱନି । ବଡ଼ଦାଣ୍ଡରେ ସୋରିଷ ପକାଇବାକୁ ମଧ୍ୟ ସ୍ଥାନ ଅଭାବ । ଆବେଗରେ ଭକ୍ତମାନେ ରଥ ଉପରକୁ ଚାହିଁ ରହିଛନ୍ତି । ରାଜାଙ୍କ ଦ୍ୱାରା ଛେରା ପହରା ପଦ୍ଧତି ଶେଷ ହେଲା ।

ଅନ୍ୟ ଏକପଟର ବ୍ରାହ୍ମଣ ଗୋଷ୍ଠୀଙ୍କ କଣ୍ଠରୁ ଭାସି ଆସିଲା “ଆତ୍ମାନମ୍ ରଥିନାମ ବିଧି, ଶରୀରମ୍ ରଥମେଭଟୁ, ବୁଦ୍ଧିମ୍ ତୁ ସାରଥିମ୍, ବିଧି ମନାଃ ପ୍ରଗାହ ମେବଚ ।”

ସୁଶୀନାନୀ ଭାବେ ମୁଁ ସବୁ ବୁଝିପାରେ । ୟା’ର ଅର୍ଥ ପଚାରିଲା ଠିକ୍ ଭାବେ ତ କହିପାରିବିନି । ମୋଟା ମୋଟି ଯାହା ମନେ ହୁଏ- ଶରୀର ହେଉଛି ରଥ, ଆଉ ଆତ୍ମା ହେଉଛି ରଥରେ ବିଜୟ ଭଗବାନ ।

ତା’ପରେ ଅନ୍ୟ ଏକ ଗୋଷ୍ଠୀଙ୍କର ଶ୍ଳୋକ ଗାନ ।

“ଗୁଣ୍ଡିଚା ମଣ୍ଡପମ୍ ନମାମ, ୟାତ୍ରା ହମଜମେ ପୁରା, ଅଶ୍ୱମେଧ ସହସ୍ରାୟ ମହାଦେବୀ ତତଦ୍ଭବତ୍ ।”

ଏଥର ସୁଶୀନାନୀ କିଛି ପ୍ରଶ୍ନ କରିବା ପୂର୍ବରୁ କହିଲି, “ମୁଁ କ’ଣ ସଂସ୍କୃତ ପଢ଼ିଛି । ପୁରାଣ ପଢ଼ାରୁ ଯାହା ବୁଝୁଛି କିଛି ଗୁଣ୍ଡିଚା ଘର ଆଉ ଅଶ୍ୱମେଧ ଯଜ୍ଞ କଥା କହୁଛନ୍ତି । ତତେ କଥା ଦେଉଛି, ପାଠ ପଢ଼ିଲେ ୟା’ର ସମସ୍ତ ଅର୍ଥ ତତେ ବୁଝାଇ ଦେବି ।”

ୟା’ ଭିତରେ ରଥଟଣା ପଦ୍ଧତି ଆରମ୍ଭ ହୋଇ ଯାଇଥିଲା । ସମସ୍ତେ ନିଜ ନିଜ ବସିବା ସ୍ଥାନରୁ ଉଠି ରଥଟଣା ଉପରେ ଦୃଷ୍ଟି ନିବିଦ୍ଧ କଲେ ।

ଦୁଇଟି ସନ୍ଧ୍ୟା

ବଡ଼ନନାଙ୍କର ବଦଳି । ପୁରୀ ସହିତ ମୁଁ ଏତେ ନିବିଡ଼ ଭାବେ ଜଡ଼ି ଯାଇଥିଲି ଯେ ଉଦାସ ହୋଇ ରହିବା ବ୍ୟତୀତ ଆଉ ମୋର କିଛି ଉପାୟ ନ ଥିଲା ।

ମୋ ଅପେକ୍ଷା ଆଶା ବେଶୀ ଉଦାସ ଥିଲା । କହିଲା, “ବାପା କହୁଥିଲେ ତୁ ଏ ବର୍ଷ ସ୍କୁଲ୍‌ରେ ନାମ ଲେଖାଇବୁ ।” କେତେ ମଜା କରିବା ମନେ ମନେ କଳ୍ପନା କରି ନେଇଥିଲି । ମାତ୍ର ସବୁ ଫସର ଫାଟିଗଲା ।

ତା’ କଥା ଶୁଣି ଉତ୍ତର ଦେବାକୁ ମୋ ପାଟିରେ ଭାଷା ନ ଥିଲା ।

ଆଜି ସନ୍ଧ୍ୟାରେ ମଉସା (ଆଶାର ବାପା) ଆମ ଘରକୁ ଆସିଥିଲେ । ଠା’ ଠା’ ପକବାନ ତିଆରି କରି ବ୍ରଜନନା ପରଶୁ ଥିଲା । ମଉସା ଅନର୍ଗଳ ଭାବେ ବଡ଼ନନାଙ୍କର ପ୍ରଶଂସା ଗାଇ ଚାଲିଥିଲେ । ଆନନ୍ଦରେ କରୁଳି ଉଠି ଲୁଚି ଲୁଚି କବାଟ ପାଖରେ ତାଙ୍କ କଥା ଶୁଣିବାକୁ କାନେଇଲି । ବହୁ ଭାଗ କଥାବାର୍ତ୍ତା ଇଂରାଜୀରେ । ତେଣୁ ବୁଝିପାରୁ ନଥିଲି । ବ୍ରଜନନା ପକୁଡ଼ି ପ୍ଲେଟ୍‌ଟା ନେଇ ଯାଉଥିଲା । ଲୋଭ ସମ୍ଭାଳି ପାରିଲିନି । କହି ଉଠିଲି, “ମତେ ଗୋଟେ ଦିଅନା ।” ମୋ କଥା ନ ଶୁଣି ବ୍ରଜନନା ଭିତରକୁ ଚାଲିଗଲା । ମଉସା ମତେ ଇଶାରାରେ ଡାକିଲେ । ମୁହଁ ତଳକୁ କରି ତାଙ୍କ ପାଖକୁ ଲାଗି ଛିଡ଼ା ହେଲି । ଚିନ୍ତା କରୁଥିଲି ମଉସା ନିଶ୍ଚୟ ମୋ ହାତରେ ବହୁତ ପକୁଡ଼ି ଧରାଇବେ । ମାତ୍ର ସେମିତି କିଛି ଘଟିଲାନି । ପଚାରିଲେ, “ଆମ କଥାବାର୍ତ୍ତାରୁ କ’ଣ ବୁଝିଲୁ ?”

“କିଛି ନୁହେଁ । ଇଂରାଜୀରେ ଥିଲା ।” ଖୁବ୍ ଭୟଭୀତ ହୋଇ ଖନେଇ ଖନେଇ କହିଲି ।

ମତେ ଆଉ କିଛି ନ କହି ବଡ଼ନନାଙ୍କୁ କହିଲେ, “ପିଲାଟାର ଗୋଟାଏ ବର୍ଷ ନଷ୍ଟ କରିଦେଲ । ଏଥର ଯେଉଁଠାରେ ଚାକିରୀ ଜଏନ୍ କରିବ ତା’ ନାଁ ସ୍କୁଲ୍‌ରେ ଲେଖାଇ ଦେବ । ଦରକାର ହେଲେ ଟିଉସନ୍ ମାଷ୍ଟରଟିଏ ମଧ୍ୟ ରଖାଇଦେବ । ଆଜିକାଲି ଦୁନିଆଁରେ ଝିଅ ପାଠ ନପଢ଼ିଥିଲେ ଯେତେ ବୁଦ୍ଧିମତୀ, ସର୍ବଗୁଣ ସମ୍ପର୍ଣ୍ଣା ହୋଇଥିଲେ ମଧ୍ୟ ସମାଜରେ ମାଡ଼ ଖାଇଯିବ ।”

ଚାହା ଶେଷ କରି ଦୁହେଁ ହାତ ଧୋଇବାକୁ ଉଠିଗଲେ । ଦଉଡ଼ିଯାଇ ହାତରେ ଖଣ୍ଡେ ସଫା ତଉଲିଆ ଧରି ଛିଡ଼ା ହୋଇ ରହିଲି ।

ଆମ ଦୁଇ ଭଉଣୀଙ୍କର ପୁରୀ ଛାଡ଼ିବା ଦିନ ପାଖେଇ ଆସୁଛି । କାକୋଲିର ବାପା ବଡ଼ନନାଙ୍କ ସହ ନନାଙ୍କୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ । କାକୋଲୀକୁ ଦେଖି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲି । ଦୁଇଦିନ ତଳେ ମତେ ଚିଠି ଲେଖିଥିଲା । ଆସିବା କଥା କ କିଛି ଲେଖି ନ ଥିଲା ।

ଏତେ ଦିନରେ ମୁଁ ତୋର ଏକାଗ୍ରତା ବିଷୟରେ ଜାଣି ପାରିଥିଲି । ତତେ ବଙ୍ଗଳା ଶିଖାଇବା ପାଇଁ ଏଇଟା ମୋର ଚାଲ୍ ଥିଲା । ଏମିତି କରିବାରୁ ମା’ ମତେ ଶିଖାଇଥିଲେ । ଆମେ ତିନି ଭଉଣୀ । ଆମର ଦାଦା କାହିଁ ? ଠାକୁମା’ଙ୍କର ଦେହାନ୍ତ ମୋ ଜନ୍ମ ପୂର୍ବରୁ ହୋଇଛି । ପରେ ପରେ ମାସୀମା ମୋ ସିଲାଇ ଆଉ ବଙ୍ଗଳା ଶିଖିବା ବିଷୟରେ ବିସ୍ତାର ଭାବେ ଆଲୋଚନା କରିଥିଲେ ।

ବଂଶୀ କକେଇଙ୍କ ସହ ଆମ ଦୁଇ ଭଉଣୀଙ୍କୁ ଟ୍ରେନ୍‌ରେ ବସାଇବାକୁ ବଡ଼ନନା ଷ୍ଟେସନ୍ ଆସିଥିଲେ । ଟ୍ରେନ୍ ଛାଡ଼ିବା ପୂର୍ବରୁ ମତେ କହିଲେ, “ଶୁଣୁଛି ମୋର ପ୍ରଥମ ପୋଷ୍ଟିଂ ଭଦ୍ରକ ହେବ । ସେଇଠି ତୋର ସ୍କୁଲ୍ ପଢ଼ା ଆରମ୍ଭ ହେବ ।” କୃତ୍ୟ କୃତ୍ୟ ହୋଇ ମୁଁ ନନାଙ୍କ ମୁହଁକୁ ଚାହିଁ ରହିଲି ।

ତା’ପରେ

To Top