ଅନୁଭୂତି

ହାଟର ସଉଦା ବାଟର କଥା

ଓଡ଼ିଆ ଲେଖକ ତପନ ମହାପାତ୍ର

ଅଜୟଭାଇଙ୍କ ରସାଳ କଥାରେ ମୁଁ ଆଉ ଥରେ ଦେଖିଲି । ସେତେବେଳଯାଏଁ ମୁଁ ଭୁଲ୍‌ଟିକୁ ଧରିପାରିନଥିଲି । ପ୍ରକୃତରେ ମଞ୍ଜି ନୁହେଁ ଲେଖାଯାଇଥିଲା ମଞ୍ଜୀ ।

ହାଟର ସଉଦା ବାଟର କଥା

କ’ଣ ତପନ ଚନ୍ଦ୍ର ? ଏତେ ସକାଳୁ । ଡେରି ହେଲେ ଆଉ କ’ଣ ଅଜୟ ଭାଇ ମିଳିବେ । ସେଥିପାଇଁ ସକାଳୁ ଚାଲି ଆସିଲି ।

ଓଃ ! ବସ ବସ ! ନାଲି ଚା’ ପିଇବା ।

ଯେତେଥର ଯାଇଛି ସେଇ ଏକାକଥା । ନାଲି ଚା’ କପେ ପିଆଇ ଇଟିପୁର, ନୂଆଗାଁରୁ ଗାଡ଼ିରେ ବସାଇ ମୋତେ କୁଆଡେ଼ କୁଆଡେ଼ ନେଇଯିବେ ସେ । କେବେ ପିପିଲି, କେବେ ବାରଙ୍ଗ କେବେ ଭୁବନେଶ୍ୱର କି ଧଉଳି ପାହାଡ଼ । ବୁଲାଇବେ ରାତି ରାତି ଦିନ ଦିନ । ପାନଟାଏ ଖାଇ ପଇସା ଦେଲା ବେଳକୁ ଜାକି ଧରି ହାତ । ମୋ ପାଇଁ ଖର୍ଚ୍ଚ କରିଛନ୍ତି ଅଜସ୍ର ସ୍ନେହ ।

ସେଥର ଧଉଳି ପାହାଡ଼ ।

ପାହାଡ଼ ଉଠୁ ଉଠୁ ଅଧାରାସ୍ତାରେ ସେ ସ୍କୁଟର ରଖିଦେଲେ ହଠାତ୍ । କହିଲେ “ପଢ଼ ପଢ଼ କ’ଣ ଲେଖାଯାଇଛି ?”

ରାସ୍ତା ଉପରେ, ଧଳା ରଙ୍ଗରେ ଲେଖାଯାଇଥିଲା ଏଠାରେ କାଜୁ ମଞ୍ଜି ମିଳେ । ମୁଁ ପଢ଼ିଲି ।

“ପଢ଼ିଲ ?” ପଚାରିଲେ ଅଜୟ ଭାଇ ।

ମୁଁ କହିଲି ହଁ ।

କ’ଣ ପଢ଼ିଲ ?

ଏଠାରେ କାଜୁ ମଞ୍ଜି ମିଳେ ।

ଆହା ତପନ ଚନ୍ଦ୍ର । ତମେ ତ ହର୍ସଇ ମାତ୍ରେ ପଢ଼ିଲ ।

ଅଜୟଭାଇଙ୍କ ରସାଳ କଥାରେ ମୁଁ ଆଉ ଥରେ ଦେଖିଲି । ସେତେବେଳଯାଏଁ ମୁଁ ଭୁଲ୍‌ଟିକୁ ଧରିପାରିନଥିଲି । ପ୍ରକୃତରେ ମଞ୍ଜି ନୁହେଁ ଲେଖାଯାଇଥିଲା ମଞ୍ଜୀ ।

ଅଜୟଭାଇ କଥାଟାକୁ ଚଟୁଳ କରି କହିଲେ । ପ୍ରକୃତରେ ଯିଏ ଲେଖିଛି ତା’ର ଭାଷ୍ୟଜ୍ଞାନ ଥାଉ ବା ନ ଥାଉ ଭାବଜ୍ଞାନ ଅଛି ।

ମୁଁ ପଚାରିଲି । କେମିତି ?

କେମିତି କ’ଣ ? ମଞ୍ଜିରୁ ଗଛ ହେଉଛି ମାନେ ତା’ର ଜନ୍ମ କରିବା ଶକ୍ତି ଅଛି । ତେଣୁ ସ୍ତ୍ରୀଲିଙ୍ଗ ହେବ ହିଁ ହେବ ?

ଅଜୟଭାଇଙ୍କ କଥାରେ ମୁଁ ଖୁବ୍ ହସିଥିଲି ସେଦିନ ।

ଏବେ ବି ହାଟବାଟରେ ଯେବେ ଯେଉଁଠି ତୋଉ ମଞ୍ଜି ଦେଖିଲେ ମୋତେ ସେମିତି ହସ ଲାଗେ । ମୋର ଚଟ୍‌କରି ମନେପଡ଼ିଯାନ୍ତି ଅଜୟ ସ୍ୱାଇଁ ।

x-x-x-x-x-x-x

ଆଜି ଲଙ୍କା କିଣୁଥିଲି । ଚିକଣ କଳା କଳା ଲମ୍ୱା ଲଙ୍କାଗୁଡ଼ାକ ଦେଖି ମୋର ମନେପଡ଼ିଗଲେ ପଦ୍ମଜପାଳ ।

ସେଦିନ ବଗିଚାରେ ଠିଆ ହୋଇଥାନ୍ତି ସାର୍ ।

ଏମିତି ତ ସବୁବେଳେ ସାର୍ ଗଭୀର ଭାବନାରେ ଥିବା ପରି ମନେ ହୁଅନ୍ତି, ସେଦିନ ବି ।

ପଚାରିଲି, “ସାର୍ ! କ’ଣ ହୋଇଛି ?”

ନା ସେମିତି କିଛି ନୁହେଁ । ଏ ଲୋକମାନଙ୍କ କଥା ଭାବୁଛି । ଆମେ ତ କାହାକୁ କିଛି କହୁନା । ଯିଏ ଆସିଲା ତା’ ଅଧିକାର ସାବ୍ୟସ୍ତ କଲା । ଆମ ବାଡ଼ି ବଗିଚାରେ ବି । ଦେଖୁନ, ଆଉ କୋଉଠି ଗଛ ନ ଥିବା ପରି ଲଣ୍ଡା କରି ତୁଳସୀ କଢ଼ା ସବୁ ଛଡ଼ାଇ ନେଇଛନ୍ତି ।

ତୁଳସୀ ଗଛଟାକୁ ଚାହିଁ ମୁଁ କହିଲି, “ସାର୍ ! ତୁଳସୀ ଗଛ ସବୁଠି ଥିବ । କିନ୍ତୁ ଏ କୃଷ୍ଣ ତୁଳସୀ ତ !”

“ମାନେ ?” ପଚାରିଲେ ସାର୍ ।

ତୁଳସୀ ସାର୍ ଦି’ପ୍ରକାର ନୁହେଁ କି ? ଶ୍ୱେତ ତୁଳସୀ, କୃଷ୍ଣ ତୁଳସୀ । ଶ୍ୱେତ ତୁଳସୀ ଅପେକ୍ଷା କୃଷ୍ଣ ତୁଳସୀର ଗୁଣ ଅଧିକ । ବେଶି ପୂଜା ଉପଯୋଗୀ ।

ତମେ ଯେମିତି କହୁଛ ତପନ ଆମ ବାଡ଼ିରେ ତ କୃଷ୍ଣ ଲଙ୍କା ରହିବନି ।

ସାର୍‌ଙ୍କ କଥାରେ ମୋତେ ହସ ମାଡ଼ିଲା ।

ବଗିଚାରେ ଥିବା କୃଷ୍ଣରଙ୍ଗୀ ଲଙ୍କା ଗଛଟା ଉପରେ ମୋ ଆଖି ଲାଖି ଗଲା ବହୁବେଳ ଯାଏ ।

x-x-x-x-x-x-x

ସାରଦା ଭାଇଙ୍କ ସହିତ ମୁଁ ବେଶି ମିଶିନି ।

ବେଶି ମିଶିବାକୁ ଭାବିବାବେଳେ ସେ କାହାନ୍ତି ।

ସ୍ୱପ୍ନରେ ବି ହେଉ, ସାରଦା ଭାଇ ହୋଇ କିମ୍ୱା ସାରଦା ପ୍ରସାଦ ମିଶ୍ର ହୋଇ ଆସନ୍ତ କି ଥରେ । ମୋ ଉପରେ ପ୍ରୟୋଗ କରନ୍ତ ଆଉ ଏକ ସାଙ୍ଘାତିକ ଗୁଲି ।

କୋଲକୋତାରେ ବୁଲୁଥାଉ ଆମେ । ଆଗେ ଆଗେ ଅରବିନ୍ଦ ରାୟ, ସୁରେଶ ବଳବନ୍ତରାୟ ଓ ଅନ୍ୟମାନେ ।

ବଜାରର ଗହଳି କାଟିଯିବାରେ ବାଧା ସହିତ ନୂଆ କିଛି ଜିନିଷ ପାଖରେ ଅଟକି ସାରଦାଭାଇ ଓ ମୁଁ ରହିଯାଇଥାଉ ପଛରେ ।

ସୁରେଶଭାଇ ଡାକ ଦେଲେ, ଆରେ ଶୀଘ୍ର ଆସ ।

ସାରଦାଭାଇ ମୋତେ ଚାଲ୍‌ଚାଲ୍ କହି ମେଳି ପାଖକୁ ଦଉଡ଼ାଇ ନେଲେ ।

ସୁରେଶଭାଇ ଯେମିତି ପଚାରିଲେ କ’ଣ ପାଇଁ ଏତେ ପଛକୁ ରହିଗଲ ସାରଦାଭାଇ ସାଙ୍ଗେ ସାଙ୍ଗେ କହିଲେ ମୁଁ କ’ଣ କରିବି ? ଆପଣମାନେ ଜାଣିଶୁଣି ଆଗକୁ ଚାଲି ଆସିଲେ, ହଇରାଣରେ ପଡ଼ିଲି ମୁଁ । ତପନ ତ ଯାହା କିଣୁଛି କହୁଛି, ଭାଇ ପଇସା ଦିଅ । ବଡ଼ଭାଇଟା ହୋଇ ପାଖରେ ଅଛି ଯେତେବେଳେ ଦେବିନି କେମିତି ? ସେଥିପାଇଁ ଡେରି ।

x-x-x-x-x-x-x

ଏତେ ବଡ଼ ଲେଖକଙ୍କ ପାଖକୁ ପ୍ରଥମଥର ଯାଉଛି ଯେତେବେଳେ କ’ଣ ନେଇଯିବି ?

ଫୁଲ ! ବହି ! କଲମ ! ମିଠା !

ଯଦି ନେବି, କୋଉ ଫୁଲ, କୋଉ ବହି, କୋଉ କଲମ, କୋଉ ମିଠା । ଖିଅ ପାଇଲିନି । ମିଠା ନେଇଗଲି । କାହିଁକି କେଜାଣି, ମିଠା ପୁଡ଼ିଆ ହାତରେ ଧରି ପାହାଚ ଉଠିବାକୁ ମୋର ଇଚ୍ଛା ହେଲା ନାହିଁ । ସେମିତି ରଖିଦେଲି ଡିକିରେ ।

ଦାଣ୍ଡଘର ଚଉକି ଉପରେ ମୁଁ ଓ ମୋ ସାଙ୍ଗ ଦୁର୍ଗାମାଧବ ମଙ୍ଗରାଜ ବସିଲୁ । ସେ ଆସିଲେ ।

ହା. . . ହା. . . ହସିଲେ । କହିଲେ କିରେ ପାଗଳା ତୁ ବାହା ହେବୁ ପରା । ଏତେ ପରିଶ୍ରମ କରି ମୋ ପାଖକୁ କାହିଁକି ଆସିଲୁ । ଚିଠି ଦେଇଥିଲୁ ମୁଁ ବି ଉତ୍ତର ଦେଇଛି । ପାଇଥିବୁ । ଯିବି ବୋଲି ତ କହିଛି । ଆସିବା କ’ଣ ଦରକାର ଥିଲା ?

ସମସ୍ତଙ୍କ ପାଖକୁ ଯାଉଛି ଯେତେବେଳେ ଆପଣଙ୍କ ପାଖକୁ ଚାଲି ଆସିଲି ।

ଖାଇଛ ?

ହଁ ।

କ’ଣ ଖାଇଛ ?

ଭାତ ।

ସେ ସାଙ୍ଗେ ସାଙ୍ଗେ ଜରି ମୁହଁରେ ବନ୍ଧା ହୋଇଥିବା ରବର ଖୋଲି ଦେଲେ । ଭିତରେ ମିଠା ପ୍ୟାକେଟ୍‌ରୁ ଛନ୍ଦାଛନ୍ଦି ରବରକୁ । ହସିଲେ ହୋ. . . ହୋ. . . ହୋଇ ।

ସେ ହସ, ଉପହାସ ନା ବିମଳ ଆନନ୍ଦ ବୁଝିବା ପୂର୍ବରୁ ସେ ସେମିତି ହା’ ହା’ ହା’ ହା’ ହା’ ହା’ ହୋଇ ହସି ହସି କହିଲେ, “ମୁଁ ଗୋଟେ ଖୋଲା ଲୋକଟାରେ, ଏ ଗଣ୍ଠି ଫଣ୍ଠି ମୋତେ ଭଲ ଲାଗେନା । ଯେତେବେଳେ ଆସିବୁ ଖୋଲାମେଲା ହୋଇ ଆସିବୁ । ଲେଖକଟାଏ ଲେଖକ ପାଖକୁ ଆସିବ । ଗଣ୍ଠି କ’ଣ ?”

ଜୀବନରେ କେତେ କେତେ ଗଣ୍ଠି ପକାଇଛି, ଭୁଲି ଯାଇଛି । ମାତ୍ର ଦେବ୍‌ରାଜ ଲେଙ୍କାଙ୍କ ଗଣ୍ଠିକୁ ଗଣ୍ଠିକରି ଧରିଛି ଆଜିଯାଏଁ ।

x-x-x-x-x-x-x

ଶୁଭ୍ରାଂଶୁ ପଣ୍ଡା ସମ୍ୱାଦରେ ଥିବାବେଳେ ନୟାଗଡ଼ ଆସିଥିଲେ ସରୋଜ ।

ତାଙ୍କ ସହିତ ଶରତ ଆଚାର୍ଯ୍ୟ ଓ ମୁଁ ଖିଆଣିଆ, ଆଲୋଚନା ସମାଲୋଚନାରେ ରାତି ବଢୁଥିଲା ବଙ୍ଗଳାରେ ।

ହଠାତ୍, ଶରତ ନିଜ ମୋବାଇଲ୍ ଧରି ଛିଡ଼ା ହୋଇ ପଡ଼ିଲେ ଫଟୋ ନେବା ଲାଗି ।

ସେ ଯେମିତି ଉଠିଛନ୍ତି ସରୋଜ ହାତଟେକି ଦେଇ କହିଲେ, “କ’ଣ ଫଟୋ ! ନା ନା ।”

ଫଟୋ ନେବାକୁ ସରୋଜ ମନା କରୁଛନ୍ତି । ସେ ତ ନିଜେ ଅନେକଙ୍କର ଫଟୋ ଉଠାନ୍ତି । ପାଖରେ ଥିଲେ କେତେ କାହାକୁ ମେଳକୁ ଟାଣନ୍ତି । ମନା କରୁଛନ୍ତି କ’ଣ ?

ମୋ ଭାବନା ସ୍ପଷ୍ଟ ହେଲା ଶରତଙ୍କ କଥାରେ ।

ସରୋଜ ବଳଙ୍କ ଟୋପିପିନ୍ଧା ଫଟୋ ସମସ୍ତେ ଦେଖିଛନ୍ତି, ଟୋପି ନ ଥିବା ଫଟୋଟିଏ ଦେଖନ୍ତୁ ଫେସ୍‌ବୁକ୍‌ରେ ।

ସରୋଜ ସାଙ୍ଗେ ସାଙ୍ଗେ କହିଲେ ନା ନା ଉଠାନ୍ତୁନି । ଟୋପି ନ ଥିବା ମୁଣ୍ଡର କପିରାଇଟ୍ ମୁଁ କାହାରିକୁ ଦେଇନି ।

ଆମେ ହସି ପକାଇଲୁ । ଆମ ସହିତ ନିଜେ ସରୋଜ ବି ।

To Top