ଅନୁଭୂତି

ପରାଜିତର ଦୁଃଖ ନୁହେଁ ଦୃଢତା

Dr Anita Panda

ଜଗନ୍ନାଥ ସାର୍‌ଙ୍କୁ ଜଣାଥିଲା ମୋର ଟ୍ରାନ୍ସଫର ସାର୍ଟିଫିକେଟ୍ ନିଆ ସରିଛି ।

ପରାଜିତର ଦୁଃଖ ନୁହେଁ ଦୃଢତା

-: ପୂର୍ବରୁ :-

ଅଗଷ୍ଟ ପନ୍ଦର ପାଇଁ ସ୍କୁଲରେ ଉତ୍ସବ । ପ୍ରତିଯୋଗିତା ପାଇଁ ସମସ୍ତେ ନାଁ ଦେଇ ସାରିଲେଣି । ସ୍କୁଲ ପିଅନ ଆସି ଖବର ଦେଲା, ପ୍ରାର୍ଥନା କ୍ଲାସ୍ ର ଯେଉଁ ଛୋଟ ଝିଅଟି ପ୍ରାର୍ଥନା ଗାଏ ତାକୁ ଚିନ୍ତାମଣି ସାର୍ ଡାକୁଛନ୍ତି ।

ସମସ୍ତେ ମୋ ଆଡକୁ ଚାହିଁଲେ । ଶେଷରେ ଅନୀତାକୁ ସାଙ୍ଗରେ ନେଇ ସାର୍‌ଙ୍କ ପାଖକୁ ଗଲି ।

ଲିଷ୍ଟିରେ ତୋର ନାଁ କାହିଁକି ନାହିଁ ? ସଙ୍ଗୀତ ପ୍ରତୀଯୋଗୀତାରେ ମୁଁ ତୋ ନାଁ ଦେଉଛି ।

ନାଁ ସାର୍…

ମାତ୍ର କାହିଁକି ? ତୁ ଏତେ ସୁନ୍ଦର ଗାଇ ପାରୁ

ଅଭ୍ୟାସ କରିବାକୁ ସମୟ ଦେଇ ପାରିବିନି ସାର୍ । ମୁଁ ପାଠରେ ବହୁତ ଦୁର୍ବଳ । ଆସନ୍ତା ବର୍ଷ ଉତ୍ସବରେ ନିଶ୍ଚୟ ଗାଇବି । କହି ମୁଁହ ତଳକୁ କଲି ।

ସାର୍ ମୋ କଥାରେ ଅପମାନ ପାଇଲେ କି କ’ଣ ବୁଝି ପାରିଲିନି । ଟିକିଏ ରହି କହିଲେ, ଭଦ୍ରକରେ ସମସ୍ତ ସ୍କୁଲ ମଧ୍ୟରେ ଗ୍ରୁପ ସଙ୍ଗୀତ ପ୍ରତିଯୋଗୀତା ମଧ୍ୟ ହେଉଛି । ତୁ ସେଇଥିରେ ଭାଗ ନେ ।
ସାର୍‌ଙ୍କ କଥା ଭାଙ୍ଗି ପାରିଲିନି । ମାତ୍ର ଅଭ୍ୟାସ କରିବାକୁ ସମୟ ନଷ୍ଟ ବୋଲି ଭାବିଲି । ୧୧ଟି ସ୍କୁଲ ଭାଗ ନେଇଥିଲେ । ଆମ ସ୍କୁଲର ସେକେଣ୍ଡ ପୋଜିସନ୍ । ଭଦ୍ରକ ଗାର୍ଲସ ସ୍କୁଲ ଫାଷ୍ଟ ।

ମୋ ମୁଣ୍ଡ ତଳକୁ କରାଇଲୁ, କହି ଚିନ୍ତାମଣି ସାର୍ ଉଠିଗଲେ । ଦଉଡି ଯାଇ ତାଙ୍କ ପାଦ ଧରି କହିଲି ଆସନ୍ତା ବର୍ଷ ନିଶ୍ଚୟ ଆମ ସ୍କୁଲକୁ ପ୍ରଥମ ପୁରସ୍କାର ମିଳିବ ।

ଷଡ ମାସିକ ପରୀକ୍ଷାରେ ରେଜଲ୍ଟ ବାହାରିଛି । କେବଳ ଓଡିଆରେ ୭୩ ଆଉ ଇଂରାଜୀ ରେ ୪୫, ୪୦, ଆର ସବୁ ସବ୍ଜେକ୍ଟରେ ଫେଲ୍ । ଗଣିତରେ ୨୦ ।

ରେଜଲ୍ଟ ପେପର୍ ଟି ନେଇ ନନାଙ୍କ ହାତରେ ଧରାଇ ମୁହଁ ତଳକୁ କରି ଠିଆ ହୋଇ ରହିଲି ।

ଠିକ୍ ତ ଅଛି । ମୁହଁ କାହିଁକି ଶୁଖାଇଛୁ । ପ୍ରଥମ ପରୀକ୍ଷା । ଧୀରେ ଧୀରେ ଠିକ୍ ହେବ । ହଁ, ଗଣିତ ପାଇଁ ପ୍ରବଳ ପରିଶ୍ରମ କରିବାକୁ ହେବ ।

ତହିଁ ଆରଦିନ ଠାରୁ ମୁଁ ପ୍ରାୟ ଅଙ୍କ କଷିବା ପାଇଁ ପାଗଳ ହୋଇ ଯାଉଥିଲି । ଆଲଜେବ୍ରାର ଫରମୁଲା ଗୁଡିକ କାଗଜରେ ଲେଖି ମୁଣ୍ଡ ପାଖ କାନ୍ଥରେ ମାରିଲି । ଯେଉଁଠି ବସିଲି ଚକ୍ ଖଣ୍ଡିଏ ଧରି ସେଠି ଅଙ୍କ କଷା । ଘର ଅପରିଷ୍କାର କରୁଛି ବୋଲି ନୂଆବୋଉଙ୍କ ଠାରୁ ଗାଳି ଶୁଣିବାକୁ ପଡୁଥିଲା । ଟିକିଏ ବି ଦୁଃଖ କରୁ ନଥିଲି । ସତରେ ତ ମୁଁ ଘର ଅପରିଷ୍କାର କରୁଛି । ତାପରେ ମୁଣ୍ଡରେ କ’ଣ ପଶିଲା । ସଙ୍ଗେ ସଙ୍ଗେ ଡଷ୍ଟର ଖଣ୍ଡିଏ ମଧ୍ୟ ଧରିଲି । ଅଙ୍କ କଷି ସାରି ଜାଗାଟିକୁ ସଫା କରି ଦେଇଥାଏ । ଆଜିକାଲି ମୁଁ ଟେବୁଲ୍‌ରେ ଖାଇବା ବନ୍ଦ କରି ଦେଇଛି । ଆମ ଘରର ସଂସ୍କୃତି, ସମସ୍ତେ ଏକାଠି ବସି ଖାଇବେ । ତେଣୁ ତଳେ ଆସନ ଖଣ୍ଡେ ପକେଇ ବସିଯାଏ । ହାତରେ ଖାଇଲେ ହାତ ଅପରିଷ୍କାର ହେବ । ତେଣୁ ଚାମଚରେ ଖାଏ । ଅଙ୍କ କଷାର ବିରତି ନ ଥାଏ । କେବେ କେବେ ରାତିରେ ନିଦ ଭାଙ୍ଗିଯାଏ । ବିଛଣାରୁ ଉଠିଆସି ପୁଣି ଅଙ୍କ କଷା ଆରମ୍ଭ କରିଦିଏ । ସୁଶୀ ନାନୀ ଓ ମୁଁ ଗୋଟିଏ ଖଟରେ ଶୋଉ । ତେଣୁ ସେ କେବେ କେବେ ବିରକ୍ତି ହୋଇ ଯାଇଥାଏ । କହନ୍ତି ନିଶା ଧରିଲେ କିଛି କାଟୁ କରେନା । ମତେ ବୋଧେ ନିଶା ଧରିଥିଲା ।

ପରିବାର ବନ୍ଧନ

କହିବାକୁ ଭୂଲି ଯାଇଛୁ, ଆମ ଘରକୁ ୧୯୬୦ ମସିହା ସେପ୍ଟମ୍ୱର ୨୫ ତାରିଖରେ ଗୋଟିଏ ଖୁବ୍ ସୁନ୍ଦର କଣ୍ଢେଇ ଆସିଥିଲା । ତା ଜନ୍ମପରେ କାହିଁ କେଜାଣି ବାପା ବହୁତ ଗର୍ବ କରୁଥିଲେ । ଆମ ଗାଁ ଘରେ ଦୁଇଟି ଗାଈ ରଖା ଯାଇଥିଲା । ତାର କାରଣ ହେଲା, ଗୌଡ ଠାରୁ କ୍ଷୀର କିଣି ଠାକୁରଙ୍କୁ ସ୍ନାନ କରାଇ ହେବନି । ସେ କ୍ଷୀର ଦୂଷିତ ହୋଇ ପାରିଥାଏ । କହନ୍ତି, କାଳୀ ଗାଈର କ୍ଷୀର ମିଠା । ହେଲେ ଆମ ଘରେ ଥିବା ଛୋଟ ଧଳା ଗାଈଟିର କ୍ଷୀର ବହୁତ ମିଠା । ସେ ଦିନ ମୁଁ ସ୍କୁଲରୁ ଫେରି ଦେଖିଲି, ଘରେ ଚହଳ ପଡିଛି, ବାପା ଆସିଛନ୍ତି । ମାତ୍ର ୟା ପୂର୍ବରୁ ବାପା ବହୁତ ବାର ଆସିଛନ୍ତି । ତେବେ କଥା କ’ଣ ? ଅଳ୍ପ ଦୂରରେ ଦେଖିଲି ଆମ ପଞ୍ଚାଳୀ (ଗାଈ)କୁ ବଇଦା ଗାଧୋଇ ଦେଉଛି । ବସ୍ତାନୀ ଫୋପାଡି ବଇଦା ପାଖକୁ ଗଲି । ଜାଣିବାକୁ ପାଇଲି ନାତୁଣୀ ଘର କ୍ଷୀର ପିଇବ ବୋଲି ବାପା ଯାଜପୁରରୁ ଭଦ୍ରକ ଚାଲି ଚାଲି ପଞ୍ଚାଳୀ ଆଉ ଛୋଟ ବାଛୁରୀ ନେଇ ଆସିଛନ୍ତି । ପରିବାର ପ୍ରତି କେତେ ସ୍ନେହ । ବାପାଙ୍କ ପାଖକୁ ଯାଉଥିଲି । ସେ ବିଶ୍ରାମ କରୁଥିଲେ । ତେଣୁ ସୁଶୀନାନୀ ତାଙ୍କ ପାଖକୁ ଯିବାକୁ ବାରଣ କଲା ।

ତା ପରଦିନ ସନ୍ଧ୍ୟା ବାପା ମତେ ପାଖକୁ ଡାକିଲେ “ନନା କହୁଥିଲେ ତୋର ଅଙ୍କ ହେଉନି । ଆଣିଲୁ ବହି,ଖାତା ।”

ଦଶ ଖଣ୍ଡ ଅଙ୍କ ବହିରୁ ବାଛି ବାଛି ଦେଇ ସେ ତାଙ୍କ ବାଙ୍କୁଲି ବାଡି ଖଣ୍ଡକ ଧରି ଚାଲିଗଲେ । ଧନିଆ ନନା ବହୁବାର ଖାଇବା ପାଇଁ ତାଳିବା ସତ୍ତ୍ୱେ ମଧ୍ୟ ମୁଁ ଭିତରକୁ ନ ଯାଇ ପଢାଘରେ ଅଙ୍କ କଷୁଥିଲି । ବାଧ୍ୟତଃ ସେ ଗରମ କ୍ଷୀର ଗ୍ଲାସଟା ଆଣି ମୋ ପାଖେ ରଖି ଚାଲିଗଲେ ।

ବାପା ଫେରିବା ବେଳକୁ ମୋ ଅଙ୍କ କଷା ସରିଥିଲା ହେଲେ ଗାଳି ଶୁଣିବାକୁ ପଡିଥିଲା ।

“ପ୍ରଥମେ ସ୍ୱାସ୍ଥ୍ୟ,ପରେ ଅନ୍ୟ ସବୁ ।”

ବୁଝି ପାରିଲି, କ୍ଷୀର ଗ୍ଲାସଟା ହେଉଛି କଲ୍‌ପ୍ରିଟ ଧଡ କରି ଗ୍ଲାସଟା ଉଠାଇ ଶେଷ କରି ଦେଲି ।

“ଜ୍ୟାମିତି ସଲ୍ୟୁସନ କରିପାରୁନୁ, ଆଉ ସବୁ ଠିକ୍ ଅଛି ।”

ସେ ଗୁଡା ଜମା ଆସୁନି ।

“କିଛି କଥା ନାହିଁ, ମାତ୍ର ୪ ନମ୍ୱର ଛାଡିଦେ ଅନ୍ୟସବୁ ଉପରେ ଗୁରୁତ୍ତ୍ୱ ଦେ”

ବେଦର ଗାର ଭଳି ନେଇ ନେଲି, ଆଉ ସେଇ ଦିନଠୁ ଜ୍ୟାମିତି ପ୍ରବଲେମ୍ ଛୁଇଁଲିନି । ହେଲେ କନଷ୍ଟ୍ରକସନ ନିଶ୍ଚୟ କରୁଥିଲି, ଚାରିରୁ ଦୁଇ ତ ମିଳି ଯିବ ।

ପରୀକ୍ଷା ବହୁତ କମ୍ ଦିନ, ନନା ପ୍ରତି ସପ୍ତାହରେ ଦୁଇ ଦିନ ମୋର ପରୀକ୍ଷା ନିଅନ୍ତି । ହେଲେ କେବେ କିଛି କହନ୍ତି ନି ।

ଦିନେ ମୁହଁ ଖୋଲି ପଚାରିଲି । ସବୁ ଠିକ୍ ହେଉଛି ତ ?

“କର୍ମଣ୍ୟେ ବଧିକାରସ୍ତେ ନା ଫଳେଷୁ କଦାଚନ” କ’ଣ ବୁଝିଲୁ?

“ହଁ, କର୍ତ୍ତବ୍ୟ କର, ଫଳର ଆଶା ରଖନି ।”

ଦଶମ ବାର୍ଷିକ ପରୀକ୍ଷା ଫଳ ବାହାରିଛି, ଜଗନ୍ନାଥ ସାର୍ ଆମ କ୍ଲାସ୍‌ଟିଚର । ମୋ ହାତରେ ରେଜଲ୍ଟ ପେପର୍ ଟା ଧରାଇ କହିଲେ, ଆଉ ଦୁଇଟା ନମ୍ୱର ଆଣି ପାରିଲୁନି । ଜ୍ୟାମିତି ସଲ୍ୟୁସନ୍ ଟା ଛାଡି ଦେଇଛୁ । ଆମ ସ୍କୁଲରେ ଅଙ୍କରେ ୧୦୦ ନମ୍ୱର ରଖିଲେ ବାର୍ଷିକ ଉତ୍ସବରେ ପୁରସ୍କାର ମିଳେ । “ଆପଣଙ୍କ ଦୟା ଆଉ ଆଶୀର୍ବାଦରୁ ମୁଁ ଗଣିତ ଶିଖି ପାରିଛି । ସେ ମୋ ଲାଗି ଲକ୍ଷେ ପୁରଷ୍କାର ଠାରୁ ବେଶୀ” କହି ମୁହଁ ପୋତି ଛିଡା ହେଲି ।

ଦେଖ ପିଲାଏ ତାର ବଡପଣିଆ । ତୁମ ମାନଙ୍କ ଭଳି ନମ୍ୱର କାହିଁକି କଟି ଗଲା ବୋଲି ଝଗଡା କରୁନି ।

ସେ ଗଣିତରେ ଦୁର୍ବଳ ଥିଲା ତ, ସେଇଥିପାଇଁ ଶୁଭନିକା ଏବଂ ଗଣେଷ ଏକାଠି କହି ଉଠିଲେ । ଏତିକି କହି ତୁମେ ଦୁହେଁ ତୁମ ଈର୍ଷା ପରାୟଣାତାର ପ୍ରମାଣ କରିଦେଲେ । ଆଉ ବିଶେଷ କିଛି ନ କହି ସାର୍ କଲ ଆରମ୍ଭ କଲେ ।

ବିଦାୟୀ

ବଡନନାଙ୍କ ଭଦ୍ରକରୁ ବଦଳି, ଜୁନ୍ ୧୦ତାରିଖ ସୁଦ୍ଧା ବାଲେଶ୍ୱରରେ ଚାର୍ଜ ନେବେ । ଅଫିସ୍ କର୍ମଚାରୀଙ୍କ ଜରିଆରେ ଯିବା ପାଇଁ ପ୍ରାୟ ସମସ୍ତ ବ୍ୟବସ୍ଥା ହୋଇ ସାରିଲାଣି । ଏମିତିକି ସ୍କୁଲରୁ ଟ୍ରାନ୍ସଫର ସାର୍ଟିଫିକେଟ ମଧ୍ୟ ଆସି ସାରିଲାଣି । ସ୍କୁଲରେ ଗରମ ଦିନ ଛୁଟୀ ମଇ ୩୧ ତାରିଖ । ଆମ ହେଡମାଷ୍ଟ୍ରଙ୍କର ଅବସର ଦିନ ସବୁ ଶିକ୍ଷକମାନେ ସ୍କୁଲରେ ଥିବେ ନିଶ୍ଚୟ । ତେଣୁ ସମସ୍ତଙ୍କ ଠାରୁ ବିଦାୟ ନେବା ପାଇଁ ମତେ ସୁବିଧା ମିଳିଯିବ । ବର୍ଷକ ଭିତରେ ମୁଁ ଅନୁଭବ କରିଥିଲି ଉପେନ୍ଦ୍ର ସାର୍ (ହେଡ୍ ମାଷ୍ଟ୍ରେ) ତାଙ୍କ ଛତାକୁ ଖୁବ୍ ଭଲ ପାଆନ୍ତି । ତେଣୁ ନନାଙ୍କୁ କହି ତାଙ୍କ ପାଇଁ ଗୋଟିଏ ଭଲ ଛତା ପ୍ୟାକ୍ କରି ନେଇଥିଲି । ସାର୍‌ଙ୍କ ପାଦ ଛୁଇଁ ଦୁଇଟି ଯାକ ହାତରେ ଧରାଇଛି । ଛତାଟିର ଉଚ୍ଚତା ମୋ ଉଚ୍ଚରୁ ଟିକିଏ ବଡ ଥିଲା । ତେଣୁ ସମସ୍ତଙ୍କ ମନରେ କୌତୁହଳ । ସେଇଟି କ’ଣ ହୋଇପାରେ । ଖୋଲିବାର ଅନୁମତି ମିଳିବା ପରେ ଜଗନ୍ନାଥ ସାର୍(ତାଙ୍କ ଜ୍ୱାଇଁ) ସେଇଟିକୁ ଖୋଲିଲେ । ମତେ ଖୁବ୍ ଲାଜ ଲାଗୁଥିଲା । କିଏ କ’ଣ କହିବ । ମାତ୍ର ଛତାଟିକୁ ଦେଖି ସାର୍ କହିଲେ, ଏତେ ଛୋଟ ଝିଅଟା ମୋ ପସନ୍ଦକୁ ଠିକ୍ ନଜର କରିଛି । ଗୀତଟି ଖୋଲି ମନକୁ ମନ ପଢିଲେ । ହଠାତ୍ ମୁଁ ଅନୁଭବ କଲି ସାର୍‌ଙ୍କ ଆଖି ଦୁଇଟି ଆର୍ଦ୍ର ।କିଛି ଭୂଲ ଲେଖି ଦେଇଛିକି ? ବିକଳ ହୋଇ ଚିନ୍ତାମଣି ସାର୍‌ଙ୍କ(ଓଡିଆ) ଆଡକୁ ଚାହିଁଲି । ସେତେବେଳକୁ ସେ ତାଙ୍କ ହାତରୁ ନେଇ ପଢି ସାରିଥିଲେ । କହିଲେ,”ଖୁବ୍ ହୃଦୟ ସ୍ପର୍ଶୀ” ତୁ ପଢି ସମସ୍ତଙ୍କୁ ଶୁଣା । ସତ କହିବାକୁ ଗଲେ ମୁଁ ସେଇଟି ଗାଇବା ସ୍ଥିର କରିଥିଲି । ମାତ୍ର କହିଲି, ପ୍ରଥମ ପାଦ ବନ୍ଦନା କରି ତା ପରେ ଶୁଣାଇବି । ଗାଇବା ଆରମ୍ଭ କଲି, ଅର୍ଘ୍ୟ ଘେନ ହେ ଲଗନ ଶେଷେ, ଘେନ ମୋର ବିନତି, ଦିଅ ଅଜାତି ସ୍ନେହ ପସରା, ବିଦାୟ ବେଳାରେ ଆଜି ।” ଏତେ ଭଲ କରି ପ୍ରାକ୍ଟିସ୍‌ କରିଥିଲେ ମଧ୍ୟ ଆଉ ଆଗକୁ ଗାଇ ପାରିଲିନି । ଭେଁ ଭେଁ ହୋଇ କାନ୍ଦିବା ଆରମ୍ଭ କରିଦେଲି । ଜଗନ୍ନାଥ ସାର୍‌ଙ୍କୁ ଜଣାଥିଲା ମୋର ଟ୍ରାନ୍ସଫର ସାର୍ଟିଫିକେଟ୍ ନିଆ ସରିଛି । ସତେ ସାନ୍ତ୍ୱନା ଦେବା ପାଇଁ କଥାର ମୋଡ ବଦଳାଇଲେ, “ତୁ ବି ତ ଆମ ସମସ୍ତଙ୍କୁ ଛାଡି ବଡ ସହର ଯାଉଛୁ ।”

ବଡ ସହର ଯାଉଛୁ ! ଅର୍ଥାତ୍ ?

ସଂଗୀତ ଶିକ୍ଷକ ପ୍ରଶ୍ନ କଲେ ।

ଆମ ସ୍କୁଲରୁ ଟ୍ରାନ୍ସଫର୍‌ ସାର୍ଟିଫିକେଟ୍ ନେଇ ସାରିଲାଣି । ପାଞ୍ଚଦଶ ମିନିଟ୍ ଧରି ତାରି ଉପରେ ଆଲୋଚନା ଚାଲିଲା । ହଠାତ୍ ଅନୁଭବ କଲି ଆମ ସଂଗୀତ ଶିକ୍ଷକ ଉଠି ଚାଲିଯିବାର ପ୍ରଚେଷ୍ଟା କରୁଛନ୍ତି । ଦଉଡି ଯାଇ ତାଙ୍କ ପାଦ ଛୁଇଁଲି । “ପ୍ରତିଶ୍ରୃତି ଦେଉଛି ସାର୍, ଅଗଷ୍ଟ ପନ୍ଦର ସାଂସ୍କୃତିକ କାର୍ଯ୍ୟ କ୍ରମରେ ନିଶ୍ଚୟ ଭାଗ ନେବି ।” ତା ପରେ ଶିକ୍ଷକ ମାନଙ୍କର ପାଦ ଛୁଇଁ ଆର୍ଶୀବାଦ ନେଇ ଘରକୁ ଫେରିଲି ।

– ତାପରେ –

Click to comment

Leave a Reply

Your email address will not be published. Required fields are marked *

To Top