ଅନୁଭୂତି

ଏ.ବି. ମିଶନ୍ ହାଇସ୍କୁଲ

Dr Anita Panda

କାଲିଠୁ ମୁଁ ଆସିବା ବନ୍ଦ କରିବି । ମୋ ପିଲା ଅଙ୍କ କଷି ପାରୁନି । କି ଲଜ୍ଜ୍ୟାର ବିଷୟ । ବିରି ମାଡ ଦେଖି କୋଳଥ ଚୋପା

ଏ.ବି ମିଶନ୍ ହାଇସ୍କୁଲ

-: ପୂର୍ବରୁ :-

ଜୁଲାଇ ମାସରେ ମୋର ମିଶନ୍ ସ୍କୁଲରେ ଆଡମିଶନେ ହୋଇଗଲା ଖ୍ରୀଷ୍ଟୀୟାନ ସ୍କୁଲ, ପୁଣି କେବଳ ଝିଅ ମାନଙ୍କ ପାଇଁ । ଏଇ ସ୍କୁଲରେ ଭର୍ତ୍ତୀ ହେବାର ପ୍ରଧାନ କାରଣ ହେଲା ଏଇଠା ଘରଠୁ ଖୁବ୍ ନିକଟରେ । ଦ୍ୱିତୀୟ କାରଣ ସେଠା ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଝିଅ ଗାୟତ୍ରୀ ମଧ୍ୟ ସେ ସ୍କୁଲରେ ପଢେ । ଗାୟତ୍ରୀ ବାପାଙ୍କର କ୍ୱାଟରଟା ଆମ କ୍ୱାଟରକୁ ଲାଗି । ଗାୟତ୍ରୀ ୯ମ ଶ୍ରେଣୀରୁ ସେଇ ସ୍କୁଲରେ ପଢୁଛି । ପ୍ରଥମ ଦିନ ସ୍କୁଲରେ ସେ ମତେ ସମସ୍ତଙ୍କ ସଂଗେ ପରିଚୟ କରାଇ ଦେଲା । ଏ ସ୍କୁଲରେ ମଧ୍ୟ ମୁଁ ଆମ କ୍ଲାସର ସମସ୍ତଙ୍କ ଠାରୁ ସାନ ଥିଲି । ତେଣୁ ସମସ୍ତେ ମତେ ଟିକିଏ ହେୟ ଦୃଷ୍ଟିରେ ଦେଖୁଥିଲେ । ଚାରିଦିନ ପରେ… କ୍ଲାସ୍ ଟିଚରଙ୍କ ପାଖକୁ ମୋର ମାର୍କ ଲିଷ୍ଟ ଆସି ଯାଇଥିଲା । ତ୍ରୟ ମାସିକ ପରୀକ୍ଷା ପାଖେଇ ଆସିଲାଣି ଆମ କ୍ଲାସ୍ ଟିଚର୍ ଗଣିତ ପଢାନ୍ତି । ମଞ୍ଜୁ ଆମ କ୍ଲାସ୍ ର ଗଣିତରେ ଶ୍ରେଷ୍ଠ ବୋଲି ଗଣାଯାଏ । ପାଞ୍ଚ ଖଣ୍ଡ ଅଙ୍କ କଷିବାକୁ ଦେଇ ଉତ୍ତର ଅପେକ୍ଷାରେ ରହିଲେ । ସର୍ବ ପ୍ରଥମେ ସେ ନେଇ ଖାତା ଦେଲା ।

“କ’ଣ ସବୁ ଠିକ୍ କରିଛୁ”

“ହଁ ସାର୍,ହେଲେ ଉତ୍ତର ମିଳିବ କି ନାହିଁ ଜାଣିନି ।”

ପରେ ପରେ ମୁଁ ନେଇ ଖାତା ଦେଲି । ସାର୍ କିଛି ପଚାରିବା ପୂର୍ବରୁ କହିଲି, “ମୁଁ ଉତ୍ତର ମିଳାଇ ଦେଖିଛି ସାର୍ ।”

“ଅର୍ଥାତ୍ କପି କରିଛୁ?”

ନା ।

ତେବେ ଉତ୍ତର ମିଳାଇଲୁ କାହା ସଂଗେ ?

ନିଜେ ନିଜେ

“ଆଚ୍ଛା ମୋ ଆଗରେ ଖଣ୍ଡକର ମିଳାଇଲୁ”

ସେଇଠି ଠିଆ ହୋଇ ପଛଆଡୁ ମିଳାଇବା ଆରମ୍ଭ କଲି ।

“ଏହା କାହାଠୁ ଶିଖିଲୁ?”

“ନନାଙ୍କଠୁ”

“ସେ କେଉଁ ସ୍କୁଲରେ ଅଙ୍କ ଶିକ୍ଷକ ଅଛନ୍ତି?”

ନାଁ, ସାର୍, ସେ ଆଡମିନିଷ୍ଟ୍ରେଟିଭ ଚାକିରୀ କରନ୍ତି ।

ତହିଁ ଆରଦିନ ସାର୍ ମୋ ଦଶମ ପରୀକ୍ଷା ର ରେଜ୍ଲଟ୍ ପେପରଟା ପଢି ଶୁଣାଇଥିଲେ । ୟା ପରେ ପରେ କ୍ଲାସ୍ ରେ ଖୁବ୍ ପ୍ରିୟ ଭାଜନ ହୋଇ ଯାଇଥିଲି ।
କେବେ କେବେ ଖାଲି ବସିଥିଲେ ମୁଁ ଭଦ୍ରକ ସ୍କୁଲ ସଂଗେ ବର୍ତ୍ତମାନ ସ୍କୁଲର ତୁଳନା କରେ । ଖୁବ୍ ଭିନ୍ନ । ଏଠାରେ ଶିକ୍ଷକ ମାନେ ଛାତ୍ରୀ ମାନଙ୍କ ସହ ମାପି ଚୁପି କଥା କହନ୍ତି । ପାଠରେ ଦୁର୍ବଳ ବୋଲି ଅନ୍ୟ ସ୍କୁଲରେ ମୁଁ ଅନ୍ୟମାନଙ୍କର ଦୟାର ପାତ୍ରୀ ଥିଲି । ମାତ୍ର ଏଠାରେ ମୋର ସ୍ଥାନ ଅତି ଭଲ ଛାତ୍ରୀଙ୍କ ସ୍ତରରେ । ସ୍କୁଲରୁ ଫେରି ମୁଁ ଏବେ ଘରେ ବସି ଅଙ୍କ କଷୁନି ।

ଟିକି, ରିନିଙ୍କ ସଂଗେ ୫ଟାରୁ ୬ଟା ଘଣ୍ଟାଏ ଘର ପାଖରୁ ଅନତି ଦୂର ଏକ ବଗିଚାରେ ବସି ବହୁ ପ୍ରକାର ଆଲୋଚନା କରୁ । ବଗିଚା କହିଲେ ଭୂଲ୍ ହେବ । କେଉଁ ଆଦିମ କାଳର ଭଙ୍ଗା ରୂଜା ଇଟା ସିମେଣ୍ଟର କାନ୍ଥ । ବହୁତ ବଡ ବଡ ଗଛ ଗୁଡାକ । ଆମ୍ୱ, ପଣସ, ନଡିଆ, ତାଳ ଗଛ ନୁହେଁ । ଜାମୁ ଗଛ ନିଶ୍ଚୟ ଅଛି । କେଇଟା ଗୁଆ ଗଛ ମଧ୍ୟ, ଭୂଇଁଟା ସମତଳ ନୁହେଁ ବହୁତ ଆବଡା ଖାବଡା ପଶ୍ଚିମକୁ ଗୋଟିଏ ବଡ ପୋଖରୀ । ହେଲେ ବହୁତ ବେଶୀ ପାଣି ନଥାଏ । ମାଛ ଅଛନ୍ତି କି ନାହିଁ ଜଣାପଡେନା । ହେଲେ ମଝିରେ ଛୋଟ ଛୋଟ କିଛି ଜଳଜନ୍ତୁ ସନ୍ତରଣ କରିବା ଦେଖାଯାଏ । ଟିକି, ରିନିର ପରମ ବଂଧୁ । ହେଲେ ଟିକିଏ ଆଡ ପାଗଳୀ ।

ପୋଖରୀ ହୁଡା ଉପରକୁ ଲମ୍ୱା ଲମ୍ୱା ଦୁଇ ତିନିଟା ଭଙ୍ଗା ସିମେଣ୍ଟବେଞ୍ଚ, ଦିନେ ବସି ବସି ମତେ ଆମ ପରିବାରଙ୍କ ବିଷୟରେ ପଚାରିଲା । ବାପା ଆଉ ସମସ୍ତ ଭାଇ, ଭଉଣୀ, ଭାଉଜ, ଭିଣେଇ ମାନଙ୍କ ବିଷୟରେ କହିଲି । ହଠାତ୍ କହି ଉଠିଲା, ତୋର ଯେଉଁ ନାନୀଟି ବିଧବା ବୋଲି କହିଲୁ, ତାଙ୍କ ସ୍ୱାମୀ କ’ଣ କରୁଛନ୍ତି ? ମୁଁ ଅବାକ୍ ହୋଇ ଯାଇଥିଲି । ଗାଁରେ ସମସ୍ତେ କହନ୍ତି ବିଧବା ମାନେ ସ୍ୱାମୀ ନାହାନ୍ତି । ନିଶ୍ଚୟ ମୋର ବୁଝିବାରେ ଭୁଲ୍ ହୋଇଛି । ସେଇଦିନ ଖାଇବା ଟେବୁଲରେ “ନାନୀଙ୍କର ସ୍ୱାମୀ କ’ଣ ଚାକିରୀ କରୁଛନ୍ତି” ପଚାରି ପରିହାସ କରୁଛି ବୋଲି ଏମିତି ଗାଳି ଖାଇଥିଲି, ଜୀବନ ସାରା ଭୂଲିବିନି ।

ଲିଲି ଓ ମୁଁ ଦୁହେଁ ସନ୍ଧ୍ୟାରେ ଏକାଠି ପଢୁ ଖାଇବା ସମୟ ହୋଇଗଲେ ମାଉସୀ ମତେ ଖାଇବା ପାଇଁ ବାଧ୍ୟ କରନ୍ତି । ହେଲେ ମୁଁ “ଆଉ ଦିନେ ଖାଇବି” କହି ବିଦାୟ ନିଏ ।

ରିନିର ଗଣିତ ଅପସନାଲ୍ ଗଣିତ ପଢାଇବାକୁ ବାଲେଶ୍ୱର ଜିଲ୍ଲା ସ୍କୁଲର ଗିରି ସାର୍ ଆସନ୍ତି । ତେଣୁ ମୁଁ ସେଠାରେ ଅପେକ୍ଷା କରି ବସେ । ଗିରି ସାର୍ ଖୁବ୍ ଭଲ ପଢାନ୍ତି । ମୁଁ ଯେତେ ସମୟ ବସେ ତାଙ୍କ କଥା ହିଁ ଶୁଣୁଥାଏ । ଷଡମାସିକ ପରୀକ୍ଷା ପାଖେଇ ଆସୁଛି । ମନ ଦେଇ ପଢିବା ପାଇଁ ମତେ ଘରେ ବାରଂବାର ଚେତାବନୀ ନୂଆବୋଉଙ୍କର କଡା ଆଦେଶ, ସନ୍ଧ୍ୟାରେ ବଗିଚା ବୁଲା ଛାଡି ପାଠ ପଢାରେ ମନ ଦେବା କଥା । ଏଇଟା ସେଣ୍ଟଅପ୍ ପରୀକ୍ଷା । ରିନିର ଗଣିତ ଅପ୍ସନାଲ । ତେଣୁ ଟିଉସନ୍ ନିଏ । ୭ଟା ଠୁ ଯାଇ ସେଠାରେ ସମୟ ନଷ୍ଟ କରିବା ଜମା ଠିକ୍ ହେଉନି । ତୁମର ତ ସଂସ୍କୃତ ଅପସନାଲ୍ ସେଇ ସମୟଟା ଘରେ ବସି ସଂସ୍କୃତ ପଢ । ନ ମାନି ଚାରା ନାହିଁ ।

ସେଦିନ ରିନି ଘରେ ପହଞ୍ଚି ଦେଖିଲି ଗିରିସାର୍ ତା ଉପରେ ଭୀଷଣ ବରକ୍ତି ହେଉଛନ୍ତି । “କାଲିଠୁ ମୁଁ ଆସିବା ବନ୍ଦ କରିବି । ମୋ ପିଲା ଅଙ୍କ କଷି ପାରୁନି । କି ଲଜ୍ଜ୍ୟାର ବିଷୟ । ବିରି ମାଡ ଦେଖି କୋଳଥ ଚୋପା” ମୁଁ ଡରି ଧୀରେ ଧୀରେ ସେଠାରୁ ବାହାରି ଆସିବାକୁ ଚେଷ୍ଟା କରୁଥିଲି । କହିଲେ, “ଏ ଝିଅ, ତିନିଦିନ ହେଲା ତୁ କୁଆଡେ ଚାଲିଯାଇଥିଲୁ?”

କିଛି ନ କହି ଡରରେ ସେଇଠି ଥପ କରି ବସି ପଡିଲି । ରିନି ହାତରୁ ଖାତାଟା ଛଡାଇ ଆଣି କହିଲେ, “ତୁ ଏଇଟା କରି ପାରିବୁ?”

କିଛି ନ କହି ଅଙ୍କ ଖଣ୍ଡ ଖଷି ସାର୍ ଙ୍କ ହାତକୁ ବଢାଇ ଦେଲି ।

ତତେ ଏଟା ଆସେ?

ନାଁ ସାର୍,ଏଇଟା ତ ଅପସନାଲ୍‌ର ଅଙ୍କ । ମୋର ସଂସ୍କୃତ ଅପସନାଲ୍ । ମାତ୍ର ସେଦିନ ଆପଣ ରିନିକୁ ଏତେ ସୁନ୍ଦର ବୁଝାଇଥିଲେ ଯେ ମୋର ମନେ ରହିଯାଇଛି ।

ସାର୍‌ଙ୍କ ରାଗ ବୋଧେ ଥଣ୍ଡା ପଡିଯାଇଥିଲା । ଆଉଥରେ ଅଙ୍କ ଖଣ୍ଡିକ ରିନିକୁ ବୁଝାଇ ପରଦିନ ଆସିବେ କହି ବିଦାୟ ନେଲେ ।

ସାର୍ ଯିବା ପରେ ମୁଁ ଲକ୍ଷ୍ୟ କଲି ରିନି ଖୁବ୍ ଗମ୍ଭୀର ବୋଧେ ସାର୍‌ଙ୍କ ଗାଳି ତାକୁ ବହୁତ ବାଧିଛି ।

ପରଦିନ ମାଉସୀ ମତେ ଡାକି କହିଲେ ରିନି ର ବହୁତ ଅପସନାଲ୍‌ ଅଙ୍କ କରିବାର ଅଛି । ତେଣୁ ତୁ ଘରେ ବସି ପଢ । ଏଇ କେତେ ଦିନରେ ଏକା ପଢିବା ଅଭ୍ୟାସଟା ଛାଡି ଯାଇଥିଲା । ତେଣୁ ଅଶ୍ୱସ୍ତି ବୋଧ କଲି ।

ପୂର୍ବରୁ ତ ବଗିଚା ବୁଲିବା ବନ୍ଦ ହୋଇଥିଲା,ଏବେ ଅନୁଭବ କଲି ରିନି ମୋ ଠୁ ଦୂରେଇ ରହୁଛି । ପରେ ପରେ ଟିକି ମଧ୍ୟ । ଏମିତିକି ମୋ ଆଡୁ କିଛି କହିଲେ ମଧ୍ୟ ଦୁହେଁ ଶୁଣି ନ ଶୁଣିଲା ପରି ରହନ୍ତି । ମୋ ଦୋଷ କ’ଣ ନିଜେ ଜାଣି ପାରିଲିନି କିମ୍ବା ଅନ୍ୟ କାହାକୁ ପଚାରିବାକୁ ସାହସ କରି ପାରିଲିନି ।

– ତାପରେ –

To Top