ନୀତିକଥା

ଯେସାକୁ ତେସା

Basudev Mohapatra's Odia Notikatha JESA KU TESA

ବିପଦ ଆସିଲେ ଭାଙ୍ଗି ପଡ଼ନାହିଁ । ଦୁଃଖ କଷ୍ଟ ସହିଯାଅ । ବୁଝି ବିଚାରି କାମରେ ଲାଗିଯାଅ । ତେବେ ତୁମେ ମହାପୁରୁଷ ହୋଇପାରିବ । ଶତ୍ରୁ ତୁମଠାରେ ହାର ମାନିବ ।

ଯେସାକୁ ତେସା

ବଣ ଭିତରେ ଝଙ୍କାଳିଆ ବରଗଛଟିଏ । ତା’ର ଗୋଟିଏ ପାଖରେ ପାରାମାନେ ଓ ଅନ୍ୟ ପାଖରେ କାଉମାନେ ବସା କରି ରହୁଥାନ୍ତି । ପାରାମାନେ ଭାରି ସାଧାସିଧା । ସେମାନେ ସକାଳଠାରୁ ସଞ୍ଜଯାଏଁ ନିଜ ନିଜ କାମରେ ଲାଗିଥାନ୍ତି । ପର କଥାରେ କାନ ଦିଅନ୍ତି ନାହିଁ । କାହାରି ସହିତ କଳହ କରନ୍ତି ନାହିଁ । କିନ୍ତୁ କାଉମାନେ ଭାରି କଳିହା ଓ ଦୁଷ୍ଟ । ଟିକକ କଥାରେ ପାଟି କରନ୍ତି, ଅନ୍ୟ ଉପରେ ଚଢ଼ାଉ କରନ୍ତି ।

ଦିନକର ଘଟଣା । ପାରାଟିଏ କାଠିକୁଟା ଗୋଟାଇ ଆଣି ଗଛଡ଼ାଳରେ ବସା ତିଆରି କରୁଥାଏ । ଏତିକିବେଳେ କାଉଟିଏ ତା’ ପାଖକୁ ଆସି ଧମକେଇ କହିଲା- ବନ୍ଦ କର ! ବନ୍ଦ କର ! ଆମ ଜାଗାରେ ତୁ କ’ଣ ବସା ତିଆରି କରୁଛୁ ?

ପାରା କହିଲା- ଏଠି ଆମ ପୁରୁଣା ବସା ଥିଲା । ତାହା ଭାଙ୍ଗିଯିବାରୁ ପୁଣି ତିଆରି କରୁଛି । ତୁମେ ମିଛରେ ରାଗୁଛ କାହିଁକି ?

କାଉ ଆହୁରି ରାଗିଗଲା । ସେ ଆଗକୁ ମାଡ଼ି ଯାଇ ପାରାର ଅଧା ତିଆରି ବସାକୁ ତଳକୁ ଖସାଇ ଦେଲା । ପାରା ବିଚରା ଆଉ କରେ କ’ଣ ? ଉଡ଼ିଗଲା ତା’ ମୁଖିଆ ପାଖକୁ । କାନ୍ଦି କାନ୍ଦି ମୁଖିଆ କାଉ ଆଗରେ ଏ କଥା କହିଲା ।

ମୁଖିଆ କାଉ ତାକୁ ନାଲି ଆଖି ଦେଖାଇ କହିଲା- ଆମେ ଦୟାକରି ପାରାମାନଙ୍କୁ ଏ ଗଛରେ ଜାଗା ଦେଇଥିଲୁ । ତୁମେ ଗୁଡ଼ା ପୋକମାଛି ପରି ବଢ଼ି ଚାଲିଛ । ତୁମକୁ ଏତେ ଜାଗା ଛାଡ଼ିବ କିଏ ? ହଁ, ତୋତେ ସଫା କହିଦେଉଛି, କାଲି ଏତେବେଳକୁ ଏ ଗଛରେ ଗୋଟିଏ ବି ପାରାବସା ନଥିବ ଯେମିତି ! ଥିଲେ ସବୁ ପାରାଙ୍କୁ ପ୍ରାଣରେ ମାରି ଦେବୁ ।

ପାରା ତା’ ମୁଖିଆକୁ ସବୁ କଥା କହିଲା । ମୁଖିଆ କହିଲା-ସର୍ବନାଶ ! କାଉମାନଙ୍କ ସହିତ ଆମେ ଜମା ଲଢ଼ିପାରିବା ନାହିଁ । ଲଢ଼ିବା ବି ଠିକ୍ ହେବ ନାହିଁ । ଆମକୁ ଏ ଜାଗା ଛାଡ଼ି ଚାଲିଯିବାକୁ ପଡ଼ିବ ।

ଏତିକିବେଳେ ମୁଖିଆ ପାରା ଦେଖିଲା, ମା’ ପାରାଟିଏ ତା’ର ଦୁଇଟି ଛୁଆଙ୍କୁ ଡେଣାରେ ଘୋଡ଼େଇ କାନ୍ଦୁଛି । କାଉମାନେ ଆକ୍ରମଣ କରିବେ ବୋଲି ସେ ଭୟରେ ଗୋଟାପଣେ ଥରୁଥାଏ । ମୁଖିଆ ପାରା କହିଲା- କାନ୍ଦିଲେ କ’ଣ ହେବ ? ବିପଦ ଆସିଛି, ଏଥିରେ ଦବିଯାଅ ନାହିଁ । ସାହସ ଧର । ମିଳିମିଶି କାମରେ ଲାଗିଯାଅ । ତାହାହେଲେ ଦୁଃଖ ଚାଲିଯିବ । ଶତ୍ରୁ ହଟିଯିବ ।

ମୁଖିଆ କଥାରେ ସମସ୍ତେ ଏକଜୁଟ୍ ହୋଇଗଲେ । ମୁଖିଆ ପାରା ଉଡ଼ି ଉଡ଼ି ଯାଇ ଆଉ ଗୋଟିଏ ଜାଗା ଠାବ କଲା । ସେଇଟି ଥିଲା ଗୋଟିଏ ଝଙ୍କାଳିଆ ଜାମୁଗଛ । ସବୁ ପାରା ନିଜ ନିଜ ଛୁଆଙ୍କ ସହିତ ବସା ବାନ୍ଧି ରହିବା ପାଇଁ ବେଶ୍ ନିରାପଦ ଜାଗା । ମୁଖିଆ କଥା ମାନି ସବୁ ପାରା ସେଇ ଜାମୁଗଛକୁ ଉଡ଼ିଗଲେ । ତା’ପର ଦିନ ସକାଳେ ସବୁ ପାରା ବସା ତିଆରି କାମରେ ଲାଗିପଡ଼ିଲେ । ବେଳ ବୁଡ଼ିବା ଆଗରୁ ବସାସବୁ ତିଆରି ହୋଇଗଲା । ପାରାମାନେ ଯେ ଯାହାର ବସାରେ ରହିଲେ ।

ତେଣେ କାଉମାନେ ସେଇ ବରଗଛରେ ଥାଆନ୍ତି । ସେମାନେ ସବୁବେଳେ ନିଜ ନିଜ ଭିତରେ କଳିଗୋଳ କରୁଥାନ୍ତି । ବେଳେବେଳେ ସେମାନଙ୍କ ଭିତରେ ମାରପିଟ ଲାଗିଯାଏ । କେତେ ଖଣ୍ଡିଆଖାବରା ହୁଅନ୍ତି । ସଭିଏଁ ତ ଦୁଷ୍ଟ । କିଏ କାହା କଥା ଶୁଣୁଛି ! ସେଠି ପାରାମାନେ ଥିଲା ବେଳେ ସେମାନଙ୍କୁ ବୁଝାଇ ସୁଝାଇ କଳହ ତୁଟାଉଥିଲେ । ସେମାନେ ସେଠାରୁ ଚାଲିଯିବା ପରେ ବରଗଛଟା ଗୋଟିଏ ଯୁଦ୍ଧକ୍ଷେତ୍ର ପାଲଟିଯାଇଛି ।

ଦିନେ ପାରାମାନେ ଆହାର ଖାଇ ସାରି ବସାକୁ ଫେରି ଆସିଲେ । ବେଳ ବୁଡ଼ିଆସୁଥାଏ । ଏତିକିବେଳେ କାଉଟିଏ ସେଇ ଜାମୁଗଛ ଉପରକୁ ଉଡ଼ିଆସିଲା । ତା’ପରେ ହଠାତ୍ ଗୋଟିଏ ପାରାବସାରେ ପଶି ଦୁଇଟି ପାରା ଅଣ୍ଡା ଖାଇଗଲା । ମା’ ପାରା ତା’ ଡେଣା ଫଡ଼ଫଡ଼ କରିବାରୁ ସେ ତାକୁ ଖୁମ୍ପି ପକାଇଲା । ଏହା ଦେଖି ସବୁ ପାରା ଏକାଠି ହୋଇ କାଉକୁ ସେଠାରୁ ତଡ଼ି ଦେଲେ ।

କାଉ ସେଠାରୁ ଉଡ଼ି ଉଡ଼ି ଯାଇ ତା’ ମୁଖିଆ ଆଗରେ କହିଲା- ପାରାମାନଙ୍କୁ ଆମେ ବରଗଛରୁ ତଡ଼ି ଦେଇଥିବାରୁ ମୋତେ ପାରାମାନେ ଏକାଠି ହୋଇ ଆକ୍ରମଣ କଲେ । ତୁମେ ଆମ ମୁଖିଆ । ପାରାମାନଙ୍କୁ ଶାସ୍ତି ଦିଅ । ତା’ ନ ହେଲେ ସେମାନଙ୍କ ସାହସ ବଢ଼ିଯିବ ।

କାଉର ମିଛ କଥାରେ ମୁଖିଆ ବିଶ୍ୱାସ କରିଗଲା । ସେ ସବୁ କାଉଙ୍କୁ ଏକାଠି କଲା । ତା’ପରେ ପାରାମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା । କାଉମାନେ କା’ କା’ କରି ଶହ ସହ ସଂଖ୍ୟାରେ ଉଡ଼ି ଚାଲିଲେ ଜାମୁଗଛ ଆଡ଼େ ।

ମୁଖିଆ ପାରା ଦେଖିଲା, କାଉମାନେ ସାକ୍ଷାତ୍ ଯମ ପରି ମାଡ଼ି ଆସୁଛନ୍ତି । ସେମାନଙ୍କଠାରୁ ନିସ୍ତାର ନାହିଁ । ଭୟଙ୍କର ବିପଦ । ତଥାପି ସେ ଧୈର୍ଯ୍ୟ ଧରି ଏକା ଏକା ଉଡ଼ି ଚାଲିଲା । ସବା ଆଗରେ ମୁଖିଆ କାଉ ଉଡ଼ି ଆସୁଥାଏ । ତାକୁ କହିଲା- କାଉ ଭାଇ, ଆମେ କେତେ ବର୍ଷ ଧରି ଏକାଠି ଥିଲେ । ଆମ ସ୍ୱଭାବ ତୁମେ ଜାଣିଛ । ମୁଁ ରାଣ ଖାଇ ସତ କହୁଛି । ସେ କାଉଟି ଆମ ପାରାବସାରୁ ଜବରଦସ୍ତି ଦୁଇଟି ଅଣ୍ଡା ଖାଇଗଲା । ତୁମ ଆଗରେ ବୋଧହୁଏ ଏଣୁତେଣୁ ମିଛ କଥା କହିଥିବ ।

ଏତିକିବେଳେ ଆଉ ଗୋଟିଏ କାଉ ଉଡ଼ି ଆସି ମୁଖିଆ କାଉକୁ କହିଲା- ମୁଖିଆ ବାବୁ, କାଉ ବଂଶ ବୁଡ଼ିଲା ବୋଲି ଜାଣ । ଆମେ ବସା ଛାଡ଼ି ଯେମିତି ଆସିଲେ, ଢାମଣା ସାପଟାଏ ବରଗଛରେ ଚଢ଼ି ଆମର ଦୁଇଟି କାଉଛୁଆଙ୍କୁ ଖାଇଗଲା ।

ବାସ୍, ଏତିକିରେ ଯୁଦ୍ଧ ବନ୍ଦ । ମୁଖିଆ କାଉ ଅନ୍ୟ କାଉମାନଙ୍କ ସହିତ ବରଗଛକୁ ଉଡ଼ିଗଲା । ସେତେବେଳକୁ କଥା ବଳେଇ ଯାଇଥିଲା । ଢାମଣା ସାପ କାଉଛୁଆଙ୍କୁ ଖାଇ ସେଠାରୁ ଚାଲିଯାଇଥିଲା ।

କାଉମାନେ କ’ଣ ଆଉ କରିବେ ? ଛୁଆ ହରେଇଥିବା ମା’ କାଉମାନେ ମଥା କଚାଡ଼ି କାନ୍ଦିଲେ । ଅନ୍ୟ କାଉମାନେ ଆଖିରୁ ଲୁହ ଗଡ଼ାଇଲେ । ସେମାନେ ଦୁଃଖରେ ଭାଙ୍ଗି ପଡ଼ିଲେ । ନିରୀହ ପାରାମାନଙ୍କୁ ଆକ୍ରମଣ କରିବାକୁ ଆଉ କେବେ ସାହସ କଲେ ନାହିଁ । ଯେମିତି କାମ କଲେ, ସେମିତି ଫଳ ପାଇଲେ । ଯେସା’କୁ ତେସା ।

ମହାଭାରତରେ ବିଦୁର କହିଛନ୍ତି-

ବିପଦେ ଯେ ମହାପୁରୁଷ, ଦୁଖୀ ନ ହୋଇ ତିଳେ
ସାବଧାନେ କରେ କରମ, ସହି କଷଣ ହେଳେ,
ପରାଜିତ ତାର ବଇରି, ହେବ ନିୟତ, ଜା,
ବିଦୁରଙ୍କ ନୀତି ବଚନ, କେବେ ନ ହେବ ଆନ ।

“ପ୍ରାପ୍ୟାପଦଂ ନ ବ୍ୟଥତେ କଦାଚିଦୁଦ୍ୟୋଗମନ୍ୱିଚ୍ଛତି ଚାପ୍ରମତ୍ତଃ ।
ଦୁଃଖଂ ଚ କାଳେ ସହତେ ମହାତ୍ମା ଧୁରନ୍ଧରସ୍ତସ୍ୟ ଜିତାଃ ସପତ୍ନାଃ ।।”

ନୀତିକଥା : ବିପଦ ଆସିଲେ ଭାଙ୍ଗି ପଡ଼ନାହିଁ । ଦୁଃଖ କଷ୍ଟ ସହିଯାଅ । ବୁଝି ବିଚାରି କାମରେ ଲାଗିଯାଅ । ତେବେ ତୁମେ ମହାପୁରୁଷ ହୋଇପାରିବ । ଶତ୍ରୁ ତୁମଠାରେ ହାର ମାନିବ ।

To Top