ସେଦିନ କୁଆଁର ପୁନିଅ । ପଶୁ ରାଇଜରେ ମଉଛବ ଲାଗିଥାଏ । ପଶୁରାଜ ସିଂହ ଭାରି ଖୁସି ଥିଲେ । ସେ ତାଙ୍କ ସେନାପତି ହାତୀକୁ କହିଲେ- “ଆଜି ମୁଁ ଭଲ ପୁରସ୍କାରଟିଏ ଦେବି । ଯେଉଁ ପଶୁ ସମସ୍ତଙ୍କର ପ୍ରିୟ, ସେ ଏହି ପୁରସ୍କାର ପାଇବ ।”
ପଡ଼ିଆରେ ଶହ ଶହ ପଶୁ ଜମା ହୋଇଥିଲେ । ରାଜାଙ୍କ କଥା ଶୁଣି ଏ ତା’ ମୁହଁକୁ, ସେ ୟା’ ମୁହଁକୁ ଅନାଇଲେ । ନିଜେ ନିଜେ ଭାବିଲେ- ମୁଁ ତ କେବେ ନା କେବେ କାହା ସହିତ ଝଗଡ଼ା କରିଛି, ଗାଳି ଦେଇଛି । ମୁଁ ସମସ୍ତଙ୍କ ପ୍ରିୟହେବି କେମିତି ? ଶେଷରେ ପୁରସ୍କାର ଆଶାରେ ରାଜାଙ୍କ ପାଖରେ ଆସି ଠିଆ ହେଲେ ବିଲୁଆ, ଘୋଡ଼ା, ଗଧ ଓ ଗାଈ ।
ତିନି ପଶୁଙ୍କୁ ପାଖରେ ଦେଖି ପଶୁରାଜ ସିଂହ କହିଲେ- “ବିଲୁଆ ଆଗେ ଆସିଛି । ଏ ଖଚୁଆ ଯେମିତି, ଲୋଭୀ ସେମିତି । ଅନ୍ୟର ଅନିଷ୍ଟ ହେଲେ ଏହାକୁ ଭଲ ଲାଗେ । କେବେ କେମିତି ବାଘ ଛାଲ ପିନ୍ଧି ଛୋଟ ପଶୁଙ୍କୁ ଡରାଏ । ତେଣୁ ଏହାକୁ ସମସ୍ତେ ଭଲ ପାଆନ୍ତି ନାହିଁ । ଏ ପୁରସ୍କାର ପାଇବ ନାହିଁ ।”
ବିଲୁଆ ସେଠାରୁ ମୁହଁ ଶୁଖାଇ ଚାଲିଗଲା । ତା’ପରେ ପଶୁରାଜ କହିଲେ- “ଏବେ ଘୋଡ଼ା କଥା ଶୁଣ । ଘୋଡ଼ା ଅନ୍ୟ ଆଗରେ ନିଜର ବଡ଼ାଇ କହେ । ଛୋଟ ପଶୁମାନଙ୍କୁ ଛିଛାକର କରେ । ଏମିତି ବଡ଼ାଇକୁହା ପଶୁକୁ ଭଲ ପାଇବ କିଏ । ତେଣୁ ଏ ପୁରସ୍କାର ପାଇବ ନାହିଁ ।”
ଘୋଡ଼ା ଚାଲିଯିବା ପରେ ପଶୁରାଜ କହିଲେ ଗଧ ଟିକିଏ କଥାରେ ରାଗେ ନାହିଁ ସତ । କିନ୍ତୁ ଥରେ ରାଗିଲେ ଅସମ୍ଭାଳ ହୋଇଯାଏ । ଅନ୍ୟକୁ ଯାହା ଇଚ୍ଛା ତାହା ଗାଳି ଫଜିତ୍ କରେ । ଖାଲି କଣ ଏତିକି । ଯାହା ଉପରେ ରାଗେ, ତାକୁ ତା’ ପଛ ଗୋଡ଼ରେ ଶକତ ଲାତ ମାରେ । ଏ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ ।
ଶେଷକୁ ଥିଲା ଗାଈ । ପଶୁରାଜ କହିଲେ- “ଏ ହେଲା ଗାଈ ! ଏ କେବେ ଉଦ୍ଦଣ୍ଡ ବେଶ ଧରେ ନାହିଁ । କେବେ ନିଜ ବଳର ବାହାଦୂରୀ ଦେଖାଏ ନାହିଁ । ଗାଳି ଶୁଣି ଚୁପ୍ ରହେ । ଅନ୍ୟକୁ ଓଲଟି ଗାଳି ଦିଏ ନାହିଁ । ଅନ୍ୟକୁ କଡ଼ା କଥା କହେ ନାହିଁ, ମାରପିଟ୍ କରେ ନାହିଁ । ଚୁପ୍ଚାପ୍ ସବୁ ସହିଯାଏ । ଯେତିକି ପାରେ, ପରର ଉପକାର କରେ । ଏହାକୁ ସବୁ ପଶୁ ଭଲ ପାଆନ୍ତି । ତେଣୁ ଆଜିର ଏଇ ମଉଛବରେ ପୁରସ୍କାର ପାଇବ ଗାଈ ।”
ଏହା କହି ପଶୁରାଜ ଗାଈର ବେକରେ ଗୋଟିଏ ଚକମକିଆ ମୋତିହାରଟିଏ ଗଳାଇ ଦେଲେ । ତାହା ଦେଖି ପଶୁମାନେ ଏକ ସ୍ୱରରେ କହି ଉଠିଲେ- “ଗାଈ ମା’ କୀ ଜୟ ।”
ମହାଭାରତରେ ବିଦୁର କହିଛନ୍ତି-
ନ ଧରେ ଲଫଙ୍ଗା ବେଶ ଯେ, ନ କରେଇ ବଡ଼ାଇ
ଅନ୍ୟ ଆଗେ ନିଜ ବଳର, କଥା କଠୋର ନୋହି
ରାଗିଲେ ଯେତେ ବି, ଏ ସିନା ତାର ମହତ ପଣ,
ସବୁ ଲୋକେ ପ୍ରିୟ ହୁଅଇ ସଦା ଏପରି ଜନ ।ଯୋ ନୋଦ୍ଧତଂ କୁରୁତେ ଜାତୁ ବେଷଂ
ନ ପୌରୁଷେଣାପି ବିକତ୍ଥତେଽନ୍ୟାନ୍ ।
ନ ମୂର୍ଚ୍ଛିତଃ କଟୁକାନ୍ୟାହ କିଞ୍ଚିତ୍
ପ୍ରିୟ ସଦା ତଂ କୁରୁତେ ଜନୋ ହି ।।
ନୀତିକଥା- ଲଫଙ୍ଗା ବେଶରେ ବୁଲ ନାହିଁ । ନିଜ ବଳର ବଡ଼ାଇ କହି ବୁଲ ନାହିଁ । ନିଜେ ରାଗିଲେ ବି ଅନ୍ୟକୁ ବାଧିବା ଭଳି କଠୋର କଥା କହ ନାହିଁ । ଏମିତି ହେଲେ ତୁମେ ସମସ୍ତଙ୍କର ପ୍ରିୟ ହୋଇପାରିବ ।