ଝରଣାଟିଏ । ତା’ର ଦୁଇ ପଟେ ଦୁଇଟି ବଣ । ବଣର ପଶପକ୍ଷୀମାନେ ସେଇ ଝରଣାର ପାଣି ପିଅନ୍ତି, ଗାଧୁଅନ୍ତି । ଦୁଇଟି ବଣ ଥିଲା ଦୁଇଟି ପଶୁ ରାଜ୍ୟ । ଗୋଟିଏ ରାଜ୍ୟର ରାଜା ଥିଲା ସିଂହ । ଆଉ ଗୋଟିଏ ରାଜ୍ୟର ରାଜା ଥିଲା ହାତୀ ।
ଦିନକର ଘଟଣା । ହାତୀ ରାଜା ଝରଣାର ଗୋଟିଏ ପଟେ ପାଣି ପିଉଥାଏ । ଏତିକିବେଳେ ଝରଣାର ଆରପଟେ ପହଞ୍ଚିଲା ସିଂହ । ହାତୀ ଓ ସିଂହ ଭିତରେ ଆଗରୁ ଭଲ ପଡୁ ନ ଥିଲା । ନ ପଡ଼ିବାର ବି କାରଣ ଥିଲା । ହାତୀ ଭାବୁଥିଲା, ସେ ସବୁଠାରୁ ଅଧିକ ବଳୁଆ ପଶୁ । ସିଂହ ଭାବୁଥିଲା, ସେସବୁଠାରୁ ଅଧିକ ସାହସୀ ଓ ଚତୁର ।
ହାତୀର ରାଗ ଥାଏ ସିଂହ ଉପରେ । ସେ ପାଣି ପିଇ ସାରି ତା’ ଶୁଣ୍ଢରେ କାଦୁଅ ପାଣି ସୋଡ଼କି ନେଲା । ତା’ପରେ ସେ ସୁଁ କିନା ମଇଳା ପାଣିତକ ସିଂହ ଉପରକୁ ଛାଡ଼ି ଦେଲା । ସିଂହର ଦେହସାରା କାଦୁଅ ପାଣିର ଛିଟିକା ଲାଗିଗଲା । ଏଥିରେ ସିଂହ ଭୀଷଣ ରାଗିଗଲା । ପାଣି କ’ଣ ଆଉ ପିଇବ । ଛାଡ଼ିଲା ବିକଟାଳ ଗର୍ଜନ । ତା’ ଗର୍ଜନରେ ଦୁଇ ବଣ ଦୁଲୁକି ଉଠିଲା ।
ହାତୀ କ’ଣ ଛାଡ଼ିବା ରାଜା । ସେ ତା’ର ସବୁ ବଳ ଖଟାଇ ପେଁକାଳିଲା । ଓଃ, କି ଭୀଷଣ ସେ ଶବ୍ଦ । ସତେ ଯେମିତି ଯୁଦ୍ଧ ଭୂମିରେ ଶହ ଶହ ତୁରୀ ଏକା ସଙ୍ଗେ ବାଜି ଉଠିଲା ।
ବାସ୍, ଘଟଣା ଏତିକି । ଏଥିପାଇଁ ଦୁଇ ବଣ ରାଜ୍ୟ ଭିତରେ ଲାଗିଗଲା ଗଣ୍ଡଗୋଳ । ଗଣ୍ଡଗୋଳ ବଢ଼ିଲା । ସେଠୁ ଚାଲିଲା ଯୁଦ୍ଧର ସଜବାଜ । ସିଂହ ରାଜ୍ୟର ସେନାପତି ଥିଲା ବାଘ । ସେ ନିଶ ଫୁଲାଇ କହିଲା- “ହାତୀର ଫୁଟାଣିର ମୁଁ ଠିକ୍ ଜବାବ୍ ଦେବି । ତା’ ପିଠିରୁ ପୁଳାଏ ମାଂସ ଯଦି ମୁଁ କାମୁଡ଼ି ନ ଆଣିଛି, ମୁଁ ବାଘ ନୁହେଁ ।”
ଏଣେ ହାତୀ ରାଜ୍ୟର ବିଲୁଆମାନେ ହୁକେ ହୋ’ ରଡ଼ି ଛାଡ଼ି କହିଲେ- “ସିଂହ ରାଜ୍ୟର ସବୁ ବିଲୁଆଙ୍କୁ ଆମେ ଆଜି ନିପାତ କରିଦେବୁ । ସେଇ ରାଜ୍ୟର ସବୁ ଠେକୁଆଙ୍କୁ ଖାଇଯିବୁ ।”
ଏମିତି ଦୁଇ ରାଜ୍ୟର ରାଜା ସହିତ ପ୍ରଜାମାନେ ବି ଯୁଦ୍ଧ ପାଇଁ ମାତି ଉଠିଲେ । ପଶୁମାନଙ୍କ ହୁଙ୍କାରରେ ଦୁଇ ରାଜ୍ୟ ଉଠିଲା, ପଡ଼ିଲା । ପଶୁମାନେ ନିଜ ନିଜ ଦଳବଳ ନେଇ ଆଗେଇ ଆସିଲେ । ଲଢ଼େଇ ପାଇଁ ଦୁଇ ରାଜ୍ୟର ପଶୁମାନେ ସତେ ଯେମିତି ପାଗଳ ହୋଇଯାଇଛନ୍ତି ।
ଠେକୁଆ ଥିଲା ସିଂହ ରାଜ୍ୟର ସବୁଠାରୁ ଛୋଟ ପଶୁ । ଡରୁଆ ଯେମିତି, ବୁଦ୍ଧିଆ ସେମିତି । ଏ ଲଢ଼େଇ କେଜାଣି କାହିଁକି ତାକୁ ଭଲ ଲାଗିଲା ନାହିଁ । ସେ ସିଂହ ପାଖକୁ ଯାଇ ହାତ ଯୋଡ଼ି କହିଲା- “ମହାରାଜ, ଛୋଟ ବୁଦ୍ଧିରେ ଗୋଟିଏ କଥା କହିବାକୁ ଆସିଛି । ଆଦେଶ ହେଲେ କହିବି ।”
ସିଂହ କହିଲା- “ଏବେ ଆମେ ଯୁଦ୍ଧ ପାଇଁ ଯାଉଛୁ । ଅନ୍ୟ କଥା ଶୁଣିବାକୁ ମୋର ବେଳ ନାହିଁ ।”
ଠେକୁଆ କହିଲା- “ହଜୁର, ମୁଁ ଏଇ ଯୁଦ୍ଧ କଥା ହିଁ କହିବାକୁ ଆସିଛି ।”
ସିଂହ କହିଲା- “ତାହାହେଲେ ଶୀଘ୍ର କହ ।”
ଠେକୁଆ କହିଲା- “ଲଢେ଼ଇ ହେବ । ଏ ଲଢେ଼ଇରେ ହୁଏତ ଆମେ ଜିଣିବା, ହାତୀ ରାଜ୍ୟ ହାରିବ । ତେବେ ଆମର ଲାଭ ହେବ କ’ଣ ? ବରଂ କ୍ଷତି ହେବ । ଯୁଦ୍ଧରେ ଆମ ରାଜ୍ୟର ଶହ ଶହ ପଶୁ ମରିବେ । ରାଜା ସବୁବେଳେ ପ୍ରଜାର ମଙ୍ଗଳ ଚାହିଁବେ । ଯୁଦ୍ଧ ହେଲେ ସେମାନଙ୍କର ଅନିଷ୍ଟ ହେବ । ତେଣୁ ଯୁଦ୍ଧ ନ କରି ଆପଣଙ୍କ ବଳ ଓ ବୁଦ୍ଧିକୁ ସେମାନଙ୍କ ମଙ୍ଗଳ କାମରେ ଲଗାଇବା ଠିକ୍ ହେବ ।”
ସିଂହ କହିଲା- “ତୁ କ’ଣ କହୁଛୁ, ମୁଁ କିଛି ବୁଝିପାରୁ ନାହିଁ ? ମୋତେ ଠିକ୍ ଭାବେ ବୁଝାଇ କହ ।”
ଠେକୁଆ କହିଲା- “ଖରାଦିନେ ଆମ ବଣର ଅବସ୍ଥା କହିଲେ ନ ସରେ । ଅନେକ ଗଛ ଶୁଖି ମରିଯାନ୍ତି । ଚରା ପଶୁମାନଙ୍କୁ ଘାସ ମିଳେ ନାହିଁ । ପାଣି ପିଇବା ପାଇଁ ବହୁତ ଦୂରରୁ ସମସ୍ତଙ୍କୁ ଏଇ ଝରଣା ପାଖକୁ ଆସିବାକୁ ପଡେ଼ । ଆମେ ସଭିଏଁ ଚାହିଁଲେ ଏ ଅସୁବିଧା ଆଉ ରହିବ ନାହିଁ ।”
ସିଂହ କହିଲା- “ଆମେ କ’ଣ କରିପାରିବା ? ଝରଣାଟିକୁ କ’ଣ ରାଜ୍ୟ ମଝି ଭାଗକୁ ଟେକି ନେଇ ଆସିବା ।”
ଠେକୁଆ କହିଲା- “ଦେଖନ୍ତୁ, ମହାରାଜା, ଯୁଦ୍ଧ ପାଇଁ ବଳ ଦରକାର । ବୁଦ୍ଧି ବି ଖଟାଇବା ଲୋଡ଼ା । ସେତିକି ବଳ ଓ ବୁଦ୍ଧି ଖଟାଇଲେ ଝରଣାକୁ ଆମେ ରାଜ୍ୟ ମଝିଯାଏଁ ନେଇ ଆସିବା ।”
ସିଂହ ପଚାରିଲା- “କିରେ, ଝରଣାଟା କ’ଣ ଗୋଟିଏ ପଶୁ ହୋଇଛି ଯେ, ଯେଉଁ ଆଡ଼େ ଇଚ୍ଛା କଲେ ଚାଲିଆସିବ । ସେଇଟି ଆମ ବଣ ଭିତରକୁ ଆସିବ କେମିତି ?”
ଠେକୁଆ କହିଲା- “ମହାରାଜ, ଇଚ୍ଛା ଥିଲେ ଉପାୟ ଜୁଟିଯିବ । ଝରଣାରୁ ସରୁ ନାଳଟିଏ ଆମେ ଖୋଳି ବଣ ଭିତରକୁ ନେଇଯିବା । ସଭିଏଁ ଲାଗିଗଲେ କାମଟା ସହଜରେ ହୋଇଯିବ । ପାଣି ମାଡ଼ିଲେ ଖରାଦିନେ ଘାସ ଭଲ କଅଁଳିବ । ପାଣି ପିଇବା ପାଇଁ ଆମକୁ ଆଉ ଝରଣା କୂଳ ଯାଏଁ ଦୌଡ଼ି ଆସିବାକୁ ପଡ଼ିବ ନାହିଁ ।”
କଥାଟା ସିଂହର ବେଶ୍ ପସନ୍ଦ ହେଲା । ସେ ସାଙ୍ଗେ ସାଙ୍ଗେ ଯୁଦ୍ଧ ବନ୍ଦ ହେଲା ବୋଲି ଆଦେଶ ଦେଲା । ତା’ପରେ କହିଲା- “ସବୁ ପଶୁ ସାଙ୍ଗେ ସାଙ୍ଗେ କାମରେ ଲାଗିଯାଅ । ଝରଣାରୁ ସରୁ ନାଳଟିଏ ବଣ ମଝି ଦେଇ ଖୋଳିବା । ଆମେ କାମ କରିବା । ତା’ଉପକାର ଆମେ ହିଁ ପାଇବା ।”
ବାସ୍, ଯୁଦ୍ଧର ହୁଙ୍କାର ବଦଳରେ ଏବେ ଚାଲିଲା ଶ୍ରମର ହୁଙ୍କାର । ଏକ ମାସ ଭିତରେ ନାଳ ଖୋଳା କାମ ଶେଷ ହେଲା । ଠେକୁଆ କହିବା କଥା ସତ ହେଲା । ରାଜା ଖୁସି ହୋଇ ତାକୁ ତାଙ୍କର ମନ୍ତ୍ରୀ କରିଦେଲେ । ରାଜ୍ୟର ସବୁ ପଶୁ ଖୁସିରେ ରହିଲେ ।
ମହାଭାରତରେ ବିଦୁର କହିଛନ୍ତି:-
“ନାଶିବାକୁ ପର ରାଇଜ କେବେ ନ ବଳା ମନ,
ନିଜ ରାଇଜର ଉନ୍ନତି ଲାଗି କର ଯତନ ।”“ନ ଏବେ ଯତ୍ନଃ କ୍ରିୟତେ ପରରାଷ୍ଟ୍ର ବିମର୍ଦ୍ଦନେ ।
ସ ଏବେ ଯତ୍ନ କର୍ତ୍ତବ୍ୟ ସ୍ୱରାଷ୍ଟ୍ର ପରିପାଳନେ ।।”
ନୀତିକଥା:- ଅନ୍ୟ ଦେଶର କ୍ଷତି କରିବାକୁ ବଳ ଓ ବୁଦ୍ଧି ଖଟାଅ ନାହିଁ । ତା’ ବଦଳରେ ନିଜ ଦେଶର ଲୋକଙ୍କ ଉନ୍ନତି ପାଇଁ ସେତିକି ବଳ ଓ ବୁଦ୍ଧି ଖଟାଅ ।