କୋଉ କାଳର କଥାଟିଏ । ଗୋଟିଏ ବଣରେ ରାଜା ଥାଏ ବାଘ । ଭାଲୁ ଥାଏ ମନ୍ତ୍ରୀ । ସବୁ ପଶୁ ରାଜାର କଥା ମାନି ଚଳୁଥାନ୍ତି ।
ରାଜାର ଗୋଟିଏ ବଡ଼ ଭଣ୍ଡାର ଘର ଥାଏ । ଦୁଇ ବଖରିଆ ଭଣ୍ଡାର ଘର । ଭିତର ଘରେ ଧନରତ୍ନ ଥାଏ । ଆଗ ଘରେ ଖାଇବା ଜିନିଷ ଥାଏ । ପଶୁମାନେ ରାଜାଙ୍କ ପାଖକୁ ଆସିଲେ କିଏ ଧନ, ଆଉ କିଏ ଅବା ଖାଇବା ଜିନିଷ ଭେଟି ନେଇ ଆସନ୍ତି । ତାହା ଏହି ଭଣ୍ଡାର ଘରେ ରହେ । ଭଣ୍ଡାର ଘର କୋକିଶିଆଳିର ଜିମାରେ ଥାଏ । ରାଜା ତାକୁ ଆଦେଶ ଦେଇଥିଲେ- ଏଠାକୁ ମୋ ରାଇଜର ଭୋକିଲା ଓ ଗରିବ ପଶୁମାନେ ଆସି କିଛି ମାଗିବେ । ସବୁ ଜିନିଷ ସେମାନଙ୍କର । ତେଣୁ ଆମ ଭଣ୍ଡାରର ଏସବୁ ଜିନିଷ ଅଭାବରେ ପଡ଼ିଥିବା ପଶୁମାନଙ୍କ କାମରେ ଲାଗୁ ।
କୋକିଶିଆଳି ଚତୁର ଯେମିତି, ଧୂର୍ତ୍ତ ସେମିତି । ସେ ଭଣ୍ଡାର ଘରୁ ଧନଦରବ ଓ ଖାଇବା ଜିନିଷ ଲୁଚାଇ ତା’ ଘରକୁ ନେଇଯାଏ । ତା’ ଘରେ ନିତି ଭୋଜି ହୁଏ । ରାଜା ଏ କଥା ଜାଣିପାରନ୍ତି ନାହିଁ । ଏହା ଦେଖି କେତେକ ପଶୁ କୋକିକୁ ହିଂସା କରନ୍ତି । କିନ୍ତୁ ରାଜାଙ୍କ ଭୟରେ ତାକୁ କିଛି କହନ୍ତି ନାହିଁ ।
ବେଳେ ବେଳେ ଭୋକିଲା ପଶୁମାନେ ଭଣ୍ଡାର ଘର ପାଖକୁ ଆସନ୍ତି । କୋକିକୁ ନେହୁରା ହୋଇ ଖାଇଭା ଜିନିଷ ମାଗନ୍ତି । କୋକିର ମନ ପାଇଲେ ଦିଏ । ମନ ନ ପାଇଲେ ଖାଲି ହାତରେ ସେମାନଙ୍କୁ ଫେରାଇଦିଏ ।
ବଣରେ କେତେକ ଚତୁର ପଶୁ ଥିଲେ । ସେମାନେ ଧନଲୋଭରେ କୋକିକୁ ଟେକାଟେକି କରି କହନ୍ତି । ଏଥିରେ କୋକିର ଛାତି ଫୁଲି ଉଠେ । ସେ ସେମାନଙ୍କୁ ଭଣ୍ଡାର ଘରୁ ଧନଦରବ ଦେଇ ବିଦା କରେ । ଆଉ କେତେକ ପଶୁ କୋକିକୁ ଟେକାଟେକି କରି କହି ଭଣ୍ଡାର ଘରୁ ଖାଇବା ଜିନିଷ ନେଇଯାଆନ୍ତି । ମାଗଣାରେ ମିଳୁଥିବାରୁ ସେମାନେ କିଛି ଖାଇ, ଆଉ କିଛି ଫୋପାଡ଼ି ଦିଅନ୍ତି । ଏମିତି ଯାହାର ଦରକାର ସେ ମାଗି ନିଏ । ଯାହାର ଦରକାର ନାହିଁ, ସେ ବି ଠକିଭଣ୍ଡି ନେଉଥାଏ ।
ଦିନକର ଘଟଣା । ଗଧଟିଏ ଆସି ଭଣ୍ଡାର ଘର ଦୁଆରେ ପହଞ୍ଚିଲା । ତିନି ଦିନ ହେଲା ସେ ଖାଇବାକୁ ନ ପାଇ ଦୁର୍ବଳ ହୋଇଯାଇଥିଲା । ସେ କୋକିକୁ କିଛି ଖାଇବା ଜିନିଷ ମାଗିଲା । ତା’ କଥା ଶୁଣି କୋକି କହିଲା- ମାଗଣା ମିଳିବ ବୋଲି ଦୌଡ଼ି ଆସିଲୁନା ? ସେ ଦିନ ତୋ ଛୁଆ ଓ ମୋ ଛୁଆ କଳି କରୁଥିଲେ । ତୁ ମୋ ଛୁଆକୁ ଗାଳି ଦେଲୁ କାହିଁକି ? ଯା’, ଏଠି କିଛି ନାହିଁ ।
ଗଧର ଆଖିରୁ ଦୁଇ ଧାର ଲୁହ ଗଡ଼ିଗଲା । ଭୋକରେ ତା’ ହଂସା ଉଡ଼ି ଯାଉଥାଏ । ସେ ସେଇଠି ଶୋଇ ପଡ଼ିଲା । ଶୋଇଲା ଯେ, ଆଉ ଉଠିଲା ନାହିଁ । ତା’ ପିଣ୍ଡରୁ ପ୍ରାଣ ଚାଲିଗଲା ।
ବାଘର କାନକୁ ଏ କଥା ଗଲା । ସେ କୋକିଶିଆଳିକୁ ଡାକି କହିଲା- ନିରୀହ ଗଧଟା ଭୋକରେ ଛଟପଟ ହୋଇ ଆମ ଭଣ୍ଡାର ଘର ପାଖରେ ମରିଗଲା । ତାକୁ ତୁ ଖାଇବାକୁ ଦେଲୁ ନାହିଁ କାହିଁକି ? ତୁ କ’ଣ ଭଣ୍ଡାର ଘରର ମାଲିକ ବନିଗଲୁ ? ପାଜି କୁଆଡ଼ର ! ନିକଲ୍ ଏଇଠୁ !
କୋକି ପ୍ରାଣ ଭୟରେ ସେଠାରୁ ଚାଲିଗଲା । ତା’ପରେ ବାଘ ହରିଣକୁ ରଜାଘର ଭଣ୍ଡାରଘରିଆ କରିଦେଲା । ସେ ହରିଣକୁ କହିଲା- ଦେଖ, ବୁଝି ବିଚାରି କାମ କରିବୁ । କୋକିଶିଆଳି ଏକ ନମ୍ୱର ପାଜି । ଯାହାର ଦରକାର ନାହିଁ, ତାକୁ ଭଣ୍ଡାର ଘରୁ ଜିନିଷ ଦେଉଥିଲା । ଯାହାର ନିହାତି ଦରକାର, ତାକୁ କିଛି ଦେଲା ନାହିଁ ।
ହରିଣ କହିଲା- ମହାରାଜ, ଭଣ୍ଡାର ଘରୁ କୋକି କ’ଣ କମ୍ ଜିନିଷ ନେଇଛି ?
ବାଘ କହିଲା- ତା’ ଫଳ ସେ ପାଇଛି । ଏବେ ତାକୁ କିଏ ଆଉ ଖାତିର୍ କରିବ ? ସେଥିପାଇଁ ତୋତେ ବୁଝାଇ କହୁଛି । ଯାହାର ନାହିଁ ଓ କିଛି ମାଗୁଛି, ସେ ହେଲା ସତ୍ପାତ୍ର । ତାକୁ ଦିଅ । ଯିଏ ଠକିଭଣ୍ଡି ନେବାକୁ ଚାହୁଁଛି, ସେ ହେଲା ଅପାତ୍ର । ତାକୁ କଦାପି କିଛି ଦେବୁ ନାହିଁ । ଅପାତ୍ରରେ ଦେବା ଧନର ମୂଲ୍ୟ କିଛି ନାହିଁ । ପୁଣି, ସତ୍ପାତ୍ରରେ ଧନ ନ ଦେଲେ ସେ ଧନର ବି ମୂଲ୍ୟ କିଛି ନାହିଁ ।
ରାଜାର କଥା ମାନି ହରିଣ ଠିକ୍ କାମ କଲା । ସେଥିପାଇଁ ରାଜ୍ୟର ପଶୁମାନେ ରାଜାକୁ ଧନ୍ୟ ଧନ୍ୟ କଲେ । ହରିଣର ବି ପ୍ରଶଂସା କଲେ ।
ମହାଭାରତରେ ବିଦୁର କହିଛନ୍ତି :-
ସତ ବାଟେ ଧନ ଅରଜି
କିବା ଲାଭ କାହାର ?
ସତ୍ପାତ୍ରେ ନ ଦେବା, ଅପାତ୍ରେ
ଦେବା ଧନ ଅସାର ।ନ୍ୟାୟାଗତସ୍ୟ ଦ୍ରବ୍ୟସ୍ୟ ବୋଦ୍ଧବୈ ଦ୍ୱାବତିକ୍ରମୌ ।
ଅପାତ୍ରେ ପ୍ରତିପତ୍ତିଶ୍ଚ ପାତ୍ରେ ଚାପ୍ରତିପାଦନମ୍ ।।
ନୀତିକଥା:- ମନେକର, ଭଲ ବାଟରେ ତୁମେ ଧନ ଅର୍ଜିଲ । ସେ ଧନକୁ କେବଳ ସାଇତି ରଖିଲେ ତା’ର ମୂଲ୍ୟ କିଛି ରହିବ ନାହିଁ । ଦୁଃଖୀରଙ୍କିଙ୍କୁ ସେଥିରୁ କିଛି ଦିଅ । ଠକ ଓ ଲୋଭୀଙ୍କୁ ଧନ ଦିଅ ନାହିଁ ।