ଅନୁଭୂତି

ଅନୁଭୂତି

Odia Author Bindass Gopal

ଆଉ ଏଇ ଅନୁଭୂତି କୁ ସାଇତି ରଖିବା ଆବଶ୍ୟକ । କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ କେବେ କାହାର ଗୁରୁ ହେବାକୁ ପଡେ ତ କେବେ କାହାର ଶିଷ୍ୟ ।

ଅନୁଭୂତି

ଅନୁଭୂତି ଏକ ଅଭୁଲା ଅତୀତ ,ଚିର ସ୍ମରଣୀୟ । ଅନୁଭବର ପୃଷ୍ଠା ରେ ଛପି ଥିବା ଅତୀତ ର ଅଲୌକିକ କାହାଣୀ । ଏଇ ଅନୁଭବର ପାହାଡ ତଳେ ଲୁଚି ରହିଥାଏ ଜୀବନ ର ସଫଳତା । ଅନୁଭୂତି ଆଣିଦିଏ ଜୀବନ ରେ ପରିବର୍ତ୍ତନ । ସେମିତି ଏକ ଅନୁଭବ ର ଅନୁଭୂତି କୁ ନେଇ ମୋର ଏ ପ୍ରସ୍ତୁତି ।

ସେତେବେଳେ ମୁଁ ନବମ ଶ୍ରେଣୀରେ ପଢ଼ୁଥିଲି । ସେ ଦିନ ସଂସ୍କୃତ ପଢ଼ାଇବା ପାଇଁ ପଣ୍ଡିତ ବିଦ୍ୟାଧର ପଣ୍ଡା ଆସିଲେ । ପୂର୍ବ ପରି ପ୍ରଥମେ ପଛ ଅଧ୍ୟାୟର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ପୁଣି ନୂଆ ଅଧ୍ୟାୟ ଆରମ୍ଭ । ପଛ ଅଧ୍ୟାୟର ପ୍ରଶ୍ନ ପଚରା ଗଲା । କିଛି ପ୍ରଶ୍ନ ର ଉତ୍ତର ଠିକ ଥିଲା ହେଲେ କିଛି ର ଭୁଲ ବି ଥିଲା । କିଛି ଛାତ୍ର ଛାତ୍ରୀଙ୍କ ପରି ମୁଁ ବି କିଛି ପ୍ରଶ୍ନର ଉତ୍ତର ଭୁଲ କରିଥିଲି । ସେମାନଙ୍କ ପରି ମୁଁ ବି ଠିଆ ହୋଇ ରହିଥାଏ । ସାର୍ ମୋ ପାଖରେ ଠିଆ ହୋଇ ଥାନ୍ତି । ସମସ୍ତ ଙ୍କୁ ନିଜ ନିଜ କାନ ଧରି ଚାପଡ଼ା ଖାଇବାକୁ କହିଲେ । ହେଲେ ମୋ ପାଇଁ କିନ୍ତୁ ବିଶେଷ ଦଣ୍ଡର ବ୍ୟବସ୍ଥା । ସାର୍ ମୋ କାନ କୁ ମୋଡି ବେତ ବାଡ଼ି ରେ ଦୁଇ ପ୍ରହାର ଦେଲେ । ସାଥିରେ କହୁଥାନ୍ତି, ଆରେ ରୋଲ ନମ୍ବର ୧ ତୁ କୁଆଡେ କ୍ଲାସରେ ଫାଷ୍ଟ ଆସୁଛ ହେଲେ ପାଠ କାହିଁ ।

ପଛ କିଛି ଶ୍ରେଣୀ ରୁ ମୁଁ ପ୍ରଥମ ଆସୁଥାଏ ବୋଲି ମୋର ରୋଲ ନମ୍ବର ୧ ଥିଲା ସେଥିଲାଗି ସାର୍ ମୋତେ ରୋଲ ନମ୍ବର ୧ ବୋଲି ଡାକନ୍ତି । ହେଲେ ଅନେକ ଦିନରୁ ମୁଁ ଅନୁଭବ କରୁଥାଏ । ମୋ ପ୍ରତି ଏ ଅନ୍ୟାୟ କାହିଁକି ? ସବୁ ପିଲାଙ୍କ ପରି ମୋର ଭି ଭୁଲ ହୁଏ ହେଲେ ସେମାନଙ୍କ ଅପେକ୍ଷା ମୋତେ କାହିଁକି ସାର୍ ଅଧିକ ଦଣ୍ଡ ଦିଅନ୍ତି ? ମୋତେ କାହିଁକି ଲଜ୍ଜିତ କରନ୍ତି ? ମୋ ମାନସ ମନ୍ଥନ ରେ ଅନେକ ପ୍ରଶ୍ନବାଚୀ । କିଶୋର ଅବସ୍ଥା, ପିଲାଦିନ ର ଚପଲତା ସରି ଆସୁଥାଏ । ମନରେ ବହୁତ ଅଭିମାନ, କିଶୋର ଅବସ୍ଥାରେ ପ୍ରାୟତଃ ମଣିଷ ଅଧିକ ସ୍ୱାଭିମାନି ହୋଇଥାଏ । ଏ ସମୟ ରେ ଲଜ୍ଜା ସରମ ଭି ଅଧିକ ଅନୁଭବ ହୁଏ । ଟିକିଏ ଲଜ୍ଜିତ କ୍ରୋଧ ଆଣିଦିଏ । କ୍ରୋଧ ବଶତଃ ମଣିଷ ଭଲ ମନ୍ଦର ବାଛ ବିଚାର କରି ପାରେନି ।

ଠିକ ସେହିପରି ମୁଁ ବି ଧର୍ଯ୍ୟ ହରା ହୋଇ ପଡ଼ିଥିଲି । ଅନେକ ଦିନର ଏ ଅନ୍ୟାୟ ର ପ୍ରତିବାଦ କରିବାକୁ ପଡ଼ିବ । ବହୁତ ହେଇ ଗଲାଣି ଏବେ କିନ୍ତୁ ସାର୍ ଙ୍କୁ କହିବାକୁ ପଡିବ । ମୋ ପ୍ରତି ଏ ଅନ୍ୟାୟ କାହିଁକି ? ଦଣ୍ଡ ବିଧାନ ସରିଲା । ସାର୍ ସମସ୍ତଙ୍କୁ ବସିବାକୁ କହିଲେ । ସାର୍ ବି ନିଜ ମେଜ ନିକଟକୁ ଚାଲିଗଲେ । ଅନ୍ୟ ଏକ ଅଧ୍ୟାୟ ପଢା ଯିବ । ମୁଁ କିନ୍ତୁ ଠିଆ ହୋଇ ରହିଥାଏ । ଶିକ୍ଷକ ମହୋଦୟ ମୋ ଆଡ଼କୁ ଚାହିଁଲେ ଆଉ କହିଲେ କିରେ ତୋତେ କଣ ଆଉଥରେ ବସି ବାକୁ କହିବି । ମୁଁ ମୁଁହ ଫୁଲେଇ କହିଲି ନାଇଁ ସାର୍ ମୋର ଆପଣଙ୍କୁ କିଛି କହିବାର ଅଛି । ଆଛା କୁହନ୍ତୁ ଆଜ୍ଞା, ଆପଣଙ୍କର କଣ କହିବାର ଅଛି । ସାର୍ ଅଟ୍ଟାହାସ୍ୟ କରି କହିଲେ । ସାର୍ ! ପ୍ରଶ୍ନୋତ୍ତର ବେଳେ ଅନେକ ପିଲା ଭୁଲ କରନ୍ତି ହେଲେ ସେମାନଙ୍କ ଅପେକ୍ଷା ମୋତେ କାହିଁକି ଆପଣ ଅଧିକ ଦଣ୍ଡ ଦେଉଛନ୍ତି ଏବଂ ଲଜ୍ଜିତ ବି କରୁଛନ୍ତି ?

ଶ୍ରେଣୀଗୃହ ର ପରିବେଶ ଶାନ୍ତ ପଡ଼ିଗଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁ ଥିଲେ । ସାର୍‌ଙ୍କ ମୁଖ ମଣ୍ଡଳରେ ଉଦାସୀନତା ଛାଇ ଗଲା । କିଛି ସମୟ ଶାନ୍ତ ହୋଇ ମୋତେ ଚାହିଁଲେ ସାର୍ କହିଲେ ବହୁତ ସୁନ୍ଦର ପ୍ରଶ୍ନ ପଚାରିଲୁ । ସାବାସ ବେଟା, ଠିକ ଅଛି ଆଜିଠୁ ମୁଁ ତୋତେ ଆଉ କେବେ ମାରିବିନି, ଏବେ ବସିପଡ଼ । ସାର୍ ଙ୍କ ଉଦାସୀନତା ସ୍ପଷ୍ଟ ଭାବରେ ଦିଶୁଥିଲା । ସାର୍ ନୂଆ ଅଧ୍ୟାୟ ପଢେଇବାକୁ ଆରମ୍ଭ କଲେ । ସବୁ ଛାତ୍ର ଛାତ୍ରୀ ସାର୍‌ଙ୍କ ଆଡକୁ ଚାହିଁ ରହିଥିଲେ ହେଲେ ସାର୍ କିନ୍ତୁ କାହାରିକୁ ଚାହୁଁ ନ ଥାନ୍ତି । ସେଦିନର ପାଠ ପଢା ରେ ଏତେଟା ମନ ଲାଗୁ ନ ଥାଏ । କ୍ଲାସ ସରିଲା, ସାର୍ ବି ଅଫିସର ପରିସର କୁ ଚାଲିଗଲେଣି । କେଜାଣି କାହିଁକି ମନ ଭିତରେ ଅନେକ ପ୍ରଶ୍ନବାଚୀ ଉଙ୍କି ମାରୁଥାଏ । ଅନେକ ଦ୍ଵିବିଧା । ହୃଦୟଟା ଯେମିତି ଅସ୍ଥିର ହୋଇ ଯାଇଥିଲା । ବିବେକ ର କାଠଗଡ଼ାରେ ଠିଆ ହୋଇଥିବା ଏକ ଆସାମୀ ପରି ମନେ ହେଉଥାଏ । ଭଲ ମନ୍ଦର ବିଚାର ନ କରି ସାର୍ ଙ୍କ ଉପରେ ଏ ଭଳି ପ୍ରତିକ୍ରିୟା ସତେ ଯେମିତି ଅବିବେକୀ ପରି ଲାଗୁଥାଏ । ମନ ହେଉଥାଏ ସତେ ଯେମିତି ବହୁତ ବଡ଼ ଭୁଲ କରିଛି । ଯାହା ହେଲେ ବି ସେ ମୋ ଗୁରୁ । ସେ ମୋ ପାଇଁ ବିଷ୍ଣୁ ,ସେ ବ୍ରହ୍ମା, ସେ ମହେଶ୍ୱର , ମୋର ତିଳକ ଜ୍ଞାନ ତାଙ୍କର ଅପାର କୃପା । ପୁଣି, ଏ ଭୁଲ କାହିଁକି ମୁଁ କଲି ? ପ୍ରାୟତଃ ଏ ଏକ କୈଶୋରିକ ଦୃଷ୍ଟାମି । ସେ ଯାହା ବି ହେଉ ମୋତେ କିନ୍ତୁ ସାର୍‌ଙ୍କୁ ଭୁଲ ମାଗିବାର ଅଛି । ଏହାର ପ୍ରାୟଶ୍ଚିତ କରିବାର ଅଛି ।

ମଧ୍ୟାହ୍ନ ଭୋଜନ ର ଅବକାଶ । ଅଫିସ ପରିସର ଆଡକୁ ଚାହିଁଲି । ସ୍କୁଲ ବାରଣ୍ଡାରେ ସାର୍‌ଙ୍କୁ ଏକା ଏକା ବୁଲୁଥିବା ଦେଖିଲି । ମନକୁ ଦୃଢ଼ କରି ଧୀରେ ଧୀରେ ସାର୍‌ଙ୍କ ଆଡକୁ ଅଗ୍ରସର ହେଲି । ଅତି ବୀନମ୍ରତା ରେ ହାତ ଯୋଡି ସାର୍‌ଙ୍କୁ କହିଲି ମୋର ଭୁଲ ହେଇ ଯାଇଛି ସାର୍ ମୋତେ କ୍ଷମା କରନ୍ତୁ । ସାର୍ ମୋ ଆଡେ ଚାହିଁଲେ । ମୋ ବୀନମ୍ରତା ଦେଖି ମୋ କାନ୍ଧ ଥାପୁଡ଼େଇ ପାଖକୁ ନେଲେ । କହିଲେ ବାବୁ ମୁଁ ତୁମ ଉପରେ ରାଗିନି । ତମର ପ୍ରଶ୍ନ ଉଚିତ ନୁହେଁ କିନ୍ତୁ ତୁମେ ମୋ ଭାବନା କୁ କେମିତି ବୁଝିବ । ପ୍ରଥମ ଥର ପାଇଁ ମୋତେ ରୋଲ ନମ୍ବର ୧ ନ ଡାକି ମୋ ନାଁ ଧରି ମୋତେ କହିଲେ ଗୋପାଳ ତୁମେ ଦୁଃଖ କରନି । ମୋ କଥା ଟିକେ ଶୁଣ ।

ଏଇ ସ୍କୁଲରେ ଦୀର୍ଘ ପନ୍ଦର ବର୍ଷ ହେଲାଣି ମୁଁ ପଢ଼ାଇ ଆସୁଛି । ତମ ପରି ଅନେକ ଛାତ୍ର ଙ୍କୁ ମୁଁ ଶିକ୍ଷା ଦେଇଛି । ମୋ ଛାତ୍ର ଭିତରେ କିଏ ଆ.ଇ.ଏସ ଅଛି ତ କିଏ ଆ.ପି.ଏସ ଆଉ କିଏ ପିଅନ ଭି ହେଇଛନ୍ତି । ହେଲେ ମୁଁ କେବଳ ଶିକ୍ଷକ ହିଁ ରହିଛି ଆଉ ଶିକ୍ଷକ ହିଁ ରହିଥିବି । କାରଣ ମୋର ପରିବର୍ତ୍ତନ ନାହିଁ ହେଲେ ତମର ପରିବର୍ତ୍ତନ ଅତି ଆବଶ୍ୟକ । ମୋର ଖୁସି କେବଳ ମୋ ଛାତ୍ର ମାନଙ୍କ ପ୍ରଗତିରେ । କ୍ଲାସ ରେ ଅନେକ ପିଲା ଅଛନ୍ତି ହେଲେ ସେମାନଙ୍କ ଅପେକ୍ଷା ତମେ ଅଧିକ ନମ୍ବର ଆଣିଥାଅ । ସେଥି ପାଇଁ ମୋର ତମ ପ୍ରତି ବିଶ୍ଵାସ ଅଧିକ ହେବା ସ୍ୱାଭାବିକ । କିନ୍ତୁ ଯେତେବେଳେ ତମେ ମୋ ବିଶ୍ୱାସ ରେ ଠିଆ ହୋଇ ପାରନି ସେତେବେଳେ ମୋତେ ଦୁଃଖ ଲାଗିବ କି ନାହିଁ ? ମୋର ବିଶ୍ୱାସ ତମକୁ ଯଦି ମୁଁ ଦଣ୍ଡିତ କରିବି ମୋତେ ତାର ସୁଫଳ ନିଶ୍ଚିତ ପ୍ରାପ୍ତ ହେବ । କାରଣ ତମେ ଆହୁରି ମାର୍ଜିତ ହେବ ଆହୁରି ମନ ଧ୍ୟାନ ଦେଇ ପଢିବ । କିନ୍ତୁ ଯେଉଁମାନଙ୍କୁ ବାରମ୍ବାର ଦଣ୍ଡିତ କରାଗଲା ପରେ ସେମାନଙ୍କ ସ୍ଵଭାବରେ ପରିବର୍ତ୍ତନ ନାହିଁ ସେମାନଙ୍କୁ ଦଣ୍ଡ ଦେଇ ଲାଭ କଣ ହେବ ! ସେଥିପାଇଁ ମୁଁ ତୁମକୁ ହିଁ ଦଣ୍ଡ ଦିଏ । କାରଣ ଇଏ ହି ତୁମ ପ୍ରତି ମୋର ଭଲ ପାଇବା । ତମ ମନରେ ଦୁଃଖ ଦେବା କିମ୍ବା ତୁମକୁ ଲଜ୍ଜିତ କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ମୁଁ ଚାହେଁ ତମେ ମୋ ଠାରୁ ଅଧିକା ଶିକ୍ଷା କର । ମୋର ଆଶା ତମେ ନିଶ୍ଚିତ ପୁର୍ଣ କରିବ ବୋଲି ମୋର ବିଶ୍ୱାସ ।

ତଳକୁ ମୁଣ୍ଡ ପୋତି ଠିଆ ହୋଇଥାଏ । ଆଖିରୁ ଅଜଣା ରେ ଲୁହ ଝରି ଆସୁଥାଏ । ପ୍ରଶ୍ଚାତାପର ଲୁହ ପ୍ରାୟଶ୍ଚିତର ମାର୍ଗରେ ସାର୍‌ଙ୍କ ପାଦ ଉପରେ ପଡିଗଲା । ସାର୍‌ଙ୍କ ନଜର ମୋ ଉପରେ ପଡ଼ିଲା । ଆରେ ଏ କଣ ତମେ କାନ୍ଦୁଛ କାହିଁକି । ମୋ ହାତ ସାର୍‌ଙ୍କ ପାଦ ଛୁଇଁବା ପୂର୍ବରୁ ସାର୍ ମୋତେ କୋଳେଇ ନେଲେ । ପାଗଳ ପୁଅଟା ମୋର ! ଛୋଟ ଛୋଟ କଥାଟା ଏତେ ଭାଙ୍ଗି ପଡିଲେ ହେବ, ଚୁପ ହେଇ ଯା । କିଛି ସମୟର ପ୍ରଶ୍ଚାତାପ , ସାର୍‌ଙ୍କ ଆଖିରେ ଆଖି ମିଶେଇ ବାର ସାହସ ନ ଥାଏ । ଅଫିସ ଭିତରୁ ପାଣି ଆଣି ଦେଲେ ସାର୍ । ଯା ଏବେ କ୍ଲାସ ଟାଇମ ହେଇଗଲାଣି । କିଛି ଅନୁତାପ କରନି । ତମର ବହୁତ କିଛି ଶିଖିବାର ଅଛି । ମନେରଖ ଏ ସବୁ ଗୋଟେ ଗୋଟେ ଅନୁଭୂତି । ଦୁଃଖ ଓ ଅନୁତାପ ମଣିଷ କୁ ଅନେକ ଶିକ୍ଷା ଦେଇଥାଏ । ସୁଖ ସମୃଦ୍ଧି କେବେଳ ଗର୍ବ ଅହଂକାର ଶିଖାଇ ଥାଏ । ତମେ ଯାଅ କ୍ଲାସ ଆରମ୍ଭ ହେଇଗଲାଣି । ମୋ ଆଶୀର୍ବାଦ ସଦା ସର୍ବଦା ତମ ସହ ଅଛି ।

ଧୀରେସୁସ୍ଥେ କ୍ଲାସରୁମ କୁ ଫେରି ଆସିଲି । ମନଟା ହାଲୁକା ଲାଗିଲା । ପୂର୍ବଭାନ୍ତି ସ୍କୁଲ ଜୀବନଟା ଏକ ଅଜ୍ଞାକାରୀ ଶିଷ୍ୟ ରୂପରେ କଟିଗଲା । କିନ୍ତୁ ସେ ଦିନର ଏଇ ଅନୁଭୂତି ଆଜି ଭି ଅନେକ ଶିକ୍ଷା ଦିଏ । କେବଳ ସ୍କୁଲ ବା କଲେଜରେ ନୁହେ ଜୀବନ ର ପ୍ରତ୍ୟେକଟି ମୁହୂର୍ତ୍ତରେ କିଛି ନା କିଛି ଶିକ୍ଷା ମିଳିଥାଏ । ଆଉ ଏଇ ଅନୁଭୂତି କୁ ସାଇତି ରଖିବା ଆବଶ୍ୟକ । କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ କେବେ କାହାର ଗୁରୁ ହେବାକୁ ପଡେ ତ କେବେ କାହାର ଶିଷ୍ୟ । ଅଫିସ୍‌ରେ ହେଉ କି ପରିବାର ରେ ସହକର୍ମୀ ହୁଅନ୍ତୁ କିମ୍ବା ସମ୍ପର୍କୀୟ ସବୁଠି କିଛି ନା କିଛି ଶିକ୍ଷା ଦେବାକୁ ହୁଏ । ଆଉ ଏଇ ଶିକ୍ଷା ସେଇ ପୁରୁଣା ଅନୁଭୂତି ର ଆଧାର । ପଣ୍ଡିତ ବିଦ୍ୟାଧର ସାର୍ ଙ୍କୁ ମୋର କୋଟି କୋଟି ନମନ ।

To Top