ଆମ ଗାଁମୁଣ୍ଡ ବର ଗଛ ତଳ । ଅନେକ ଲୋକ ଙ୍କର ଭିଡ଼ ଜମିଛି । ପାଖରେ ପୁଲିସ ଗାଡି ଭି ଦିଶୁଛି । ଭିଡ଼ ଭିତରେ କିଛି କ୍ରନ୍ଦନ ର ସୁର ଶୁଭୁଚି । ଦୁଇ କମଳ ମତି ପିଲାଙ୍କର କଇଁ କଇଁ କାନ୍ଦ, ଏବଂ ଗୋଟିଏ ମହିଳାଙ୍କ ହୃଦୟ ବିଦାର ଚିତ୍କାର । ମୋ ସଂସାର ଭାସିଗଲା । ହେ ଭଗବାନ କାହିଁକି ନିଷ୍ଠୁର ହେଲୁ । ମୁଁ କଣ କରିବି ଏବେ । ଭିଡ଼ ଧୀରେ ଧୀରେ ଜମି ବାରେ ଲାଗିଛି । ସମେସ୍ତେ ନୀରବତା ରେ ଚାହିଁ ରହି ଛନ୍ତି । କାହାରି କିଛି ପ୍ରତିକ୍ରିୟା ନାହିଁ । ଦୁଇ ଦିନ ତଳେ ହଜି ଯାଇଥିଲା ମାଧିଆ ଉର୍ଫ ମାଧବ ମିସ୍ତ୍ରୀ ।
ମାଧବ ! ଜଣେ ଉଚ୍ଚକୋଟୀର ରାଜମିସ୍ତ୍ରୀ ଥିଲା । ରାଜମିସ୍ତ୍ରୀ କାର୍ଯ୍ୟ ରେ ଆମ ଆଖ ପାଖ ଚାରି ମଉଜ ରେ ପ୍ରସିଦ୍ଧି ଲାଭ କରିଥିଲା । ହେଲେ ଏଇ କିଛି ମାସ ତଳେ କାମରୁ ଫେରିବା ବେଳେ ତାର ଦୁର୍ଘଟଣା ଘଟିଥିଲା । ଆଉ ସେଇ ଦୁର୍ଘଟଣା ରେ ସେ ତାର ଗୋଡ଼ ଦୁଇ ଟି କୁ ହରାଇ ବସିଥିଲା । ଏଇ ଦୁର୍ଘଟଣା ବଦଳେଇ ଥିଲା ଜୀବନ ର ମୋଡ । ସବୁକିଛି ବଦଳି ଯାଇଥିଲା । ତା ପରିବାର ଟା ଛାରଖାର ହୋଇ ଯାଇଥିଲା। ବୁଢ଼ୀ ମା , ସ୍ତ୍ରୀ ଓ ଦୁଇ ଛୋଟ ପୁଅ କୁ ନେଇ ତାର ସଂସାର । ଛୋଟିଆ ଏକ ଘର ଛଡା ଜାଗା ବାଡ଼ି ବୋଲି ଆଉ କିଛି ନାହିଁ । ଘରେ କେବେଳ ମାଧିଆ ହି ରୋଜଗାର କ୍ଷମ ଥିଲା । ହେଲେ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଲା ପରେ କେମିତି ଯେ ଘର ଚାଲିବ । ତଥାପି ବଞ୍ଚିବାର ସଂଘର୍ଷ ଜାରି ରହିଛି । ପରିସ୍ଥିତି ର ଶୀକାର ସିନା ହେଇ ଯାଇଛି ହେଲେ ହାରି ନାହିଁ ମାଧିଆ । ଦୁର୍ଘଟଣା ପରେ ସରକାର ଙ୍କ ତରଫ ରୁ କିଛି ଅନୁଦାନ ମିଳି ନ ଥିଲା ଖାଲି ମିଳିଥିଲା ଏକ ହସ୍ତ ଚାଳିତ ତିନି ଚକିଆ ବାହାନ । ସବୁ ମାନ ସମ୍ମାନ, ସ୍ୱାଭିମାନ ଧୂଳି ସାତ କରି ଦେଇ ମାଧବ, ମିସ୍ତ୍ରୀ ବାବୁ ରୁ ଏବେ ମାଧିଆ ଭିକାରୀ ହେଇଯାଇଛି ।
ଦଇବ ଦୌଡ଼ି ଯୁଆଡେ ଟାଣେ ମଣିଷ ବା କଣ କରିପାରେ । ଅନେକ ପରିଚିତ ଲୋକ, ହେଲେ ଦୁଃଖ ସମୟ ରେ କେହି ନୁହନ୍ତି କାହାର । କାଲି ଯେଉଁ ଲୋକମାନେ ମିସ୍ତ୍ରୀ ବାବୁ ବୋଲି କହୁଥିଲେ ଆଜି ମାଧିଆ ଭିକାରୀ ବୋଲି କହି ମୁଁହ ଫେରି ଚାଲି ଯାଆନ୍ତି । ଜୀବନ ଟା ସଂଘର୍ଷ ପୂର୍ଣ୍ଣ । ନିଜ ପାଇଁ ନୁହେଁ କିନ୍ତୁ ପରିବାର ର ପ୍ରତିପୋଷଣ ଦାୟିତ୍ୱ ଯେ ଅଛି । ମାଧିଆ ପ୍ରତିଦିନ ଭିକ୍ଷା କରି ବାକୁ ଯାଏ । ଗାଁ ଠାରୁ ସହର ଯାଏ ହସ୍ତ ଚାଳିତ ବାହନ ରେ ଖରା ହେଉ କିମ୍ବା ଛାଇ ସବୁଠି ଘୁରି ବୁଲେ । ଦି ପଇସା ଆଣିଲେ ପରିବାର ର ଦି ଓଳିକର ପେଟ ପୋଷଣ ହେବ । ମାଧିଆ ସ୍ତ୍ରୀ ବି ୟା ତା ଘରେ ଝାଡୁ ପୋଛା ଲଗାଇ ମାସିକିଆ ଆଣେ । ଦୁଃଖ କଷ୍ଟ ରେ ଚଳି ଯାଆନ୍ତି । ପିଲା ଦୁଇଟି ପାଠ ପଢିବା ରୁ ବଞ୍ଚିତ । ବୁଢ଼ୀ ମାଆ ର ଔଷଧ ଖର୍ଚ୍ଚ ବି କରିହୁଏନି । ସବୁ କିଛି ଚିନ୍ତା କରି ବେଳେ ବେଳେ ଲୁଚି ଲୁଚି କାନ୍ଦି ପକାଏ ମାଧିଆ । ଏବେ କିନ୍ତୁ ଦେହ ସୁହା ହୋଇଗଲାଣି । ଆଉ ଚିନ୍ତା କରି ବି କଣ ଲାଭ । ଯାହା ଉପରଵାଲା ର ଇଚ୍ଛା । ସେ ବି କଣ କରି ପାରନ୍ତା ।
ଜ୍ୟେଷ୍ଠ ମାସ ସରି ଗଲାଣି । ଆଷାଢ ମାସ । ଚାରିଆଡେ ପାଣି ବରସୁଛି । ଭିକାରୀ ମାନଙ୍କ ପାଇଁ ଏଇ ଚାରିମାସ ବଡ଼ ଦୁଃଖ ର ମାସ । ଲୋକମାନେ ଚାଷ କାର୍ଯ୍ୟ ରେ ବ୍ୟସ୍ତ । ଗାଁ ଠୁଁ ସହର ଯାଏ ବର୍ଷା ଯୋଗୁଁ କେହି ମିଳନ୍ତିନି । ଭିକ୍ଷା ମିଳେନି କି ଦୁଇ ପଇସା ମିଳେନି । ଏଇ ବର୍ଷା ଋତୁ ଟା ମାଧିଆ ର ବଡ ଚିନ୍ତା । ଅଧେ ଦିନ ଖାଇଲେ ଅଧେ ଦିନ ଉପାସ ରହି ବାକୁ ପଡେ । ନିଜେ ସିନା ଉପାସ ରହି ଯାଏ ହେଲେ ପିଲା ଦିଟା ଙ୍କୁ ଉପାସ ଦେଖିଲେ ମନ ଭାରି କଷ୍ଟ ହୁଏ । ପିଲା ଦିଟା ଭୋକ ରେ ଡହଳ ବିକଳ ହୁଅନ୍ତି ହେଲେ ବାପ ମାଆ ଙ୍କ ଦୁଃଖ ଦେଖି ସିଏ ବି ବୁଝିଲା ସୁଝିଲା ପରି ଚୁପ ରହନ୍ତି ।
ଆଷାଢ ମାସ ଶେଷ ସମୟ । ଆଜିକୁ ପାଞ୍ଚ ଛଅ ଦିନ ହେଲାଣି ବର୍ଷା ଲାଗି ରହିଛି । ଘରେ ଯାହା କିଛି ଥିଲା ତିନି ଚାରି ଦିନ ଅଳ୍ପ ଅଳ୍ପ କରି ଚାଲିଗଲା । ଆଜି ଦିନଟା ଘରେ ଚୁଲି ଲାଗିନି । ସମେସ୍ତେ ଉପାସ । ପାଣି ପିଇ କରି ରହିବା ଛଡ଼ା ଆଉ କିଛି ଉପାୟ ନାହିଁ । ରାତି ହେଇଗଲାଣି । ମାଧିଆ ଆଖିରୁ ଲୁହ ସରୁନି । ପିଲା ଦିଟା ବି ଭୋକରେ ଶୋଇ ଗଲେଣି । ମାଧିଆକୁ କିନ୍ତୁ ନିଦ ନାହିଁ । ବାରମ୍ବାର ଆକାଶ କୁ ଚାହୁଁ ଥାଏ । ମନେ ମନେ ଭାବୁ ଥାଏ ହେ ଭଗବାନ ମୁଁ ତୋର କି ଦୋଷ କରି ଥିଲି କାହିଁକି ଏ ଭଳି ଦଣ୍ଡ ଦେଉଛୁ । ଲାଗୁଚି କିଛି ସମୟ ପରେ ରାତି ପାହିଯିବ । କିନ୍ତୁ ବର୍ଷା କମି ବାର ନା ନାହିଁ । ତୁହାକୁ ତୁହା ବର୍ଷା ଲାଗି ରହିଛି । ଚାରିଆଡେ ଜଳମୟ । ନଈ ପୋଖରୀ ଉଛୁଳା ମାରୁଛି । ରାତି ପାହି ସକାଳ ହେଲାଣି । ସକାଳ ଦଶଟା ,ବର୍ଷା ଛାଡି ଗଲାଣି । ମୋତେ କିଛି ନା କିଛି ପିଲା ମାନଙ୍କୁ ଖାଇବା ପାଇଁ ଆଣିବାକୁ ପଡିବ । ନିତ୍ୟକର୍ମ ସାରି ନିଜ ହସ୍ତ ଚାଳିତ ତ୍ରି ଚକିୟ ବାହାନ ରେ ବାହାରୁଥାଏ ମାଧିଆ , ପାଖରେ ସ୍ତ୍ରୀ ଆସି କହିଲା ଆଜି ଆମ ଗାଁ ଲେଙ୍କା ବାବୁ ଙ୍କ ପୁଅ ବାହାଘର । ଦିନ ବାରଟା ବେଳେ ନିମତ୍ତ ଅଛି । ଆଉ କିଛି ସମୟ ଅଛି ପିଲା ମାନକୁ ନେଇ ସେଇଠି ଖାଇ ଆସିବ । କଥା ଟା ଶୁଣି ମାଧିଆ ମନ ଆଶ୍ୱସ୍ଥ ହେଲା । କିଛି ସମୟ ର ବ୍ୟବଧାନ । ନିଶ୍ଚୟ କିଛି ନା କିଛି ବ୍ୟବସ୍ଥା ହେଇଥିବ । ଆଷାଢ଼ ମାସ ଶେଷ ଲଗ୍ନ ର ବାହାଘର । ବର୍ଷା ପାଇଁ ସ୍ଥଗିତ ଭି କରି ହେବନି । ନିଶ୍ଚୟ ବ୍ୟବସ୍ଥା ଥିବ । ଏଇ କଥା ମନେ ମନେ ଭାବି ଟିକିଏ ଚିନ୍ତା ଶୂନ୍ୟ ହେଲା ମାଧିଆ । ପିଲା ଦୁଇ ଙ୍କୁ ମା ଗାଧୁଆ ପାଧୁଆ କରି କପଡା ପିନ୍ଧେଇ ତୈୟାର କଲା । ପିଲା ଦି ଜଣ ବି ଭୋଜି ଖାଇବାର ଖୁସିରେ ଦୁଇ ଦିନ ର ଭୋକ ଭୁଲି ଯାଇଛନ୍ତି ।
ଦିନ ବାରଟା । ଆକାଶ ରେ ମେଘ ବାଦଲ ଗୁଡ଼ା ଧୀରେ ଧୀରେ ହଟିଗଲେଣି । ପାଞ୍ଚ ଛଅ ଦିନ ପରେ ଆଜି ଟିକିଏ ମନ୍ଦ ମନ୍ଦ ଖରା ପଡିଛି । ଦକ୍ଷିଣ ଦିଗରୁ ସୁଲୁସୁଳିଆ ପବନ ବହୁଥାଏ । ମାଧିଆ ଦୁଇ ପିଲାଙ୍କ ସହ ଭୋଜି ଖାଇ ବାକୁ ଗାଁ ରାସ୍ତା ରେ ବାହାରିଲା । ପିଲା ଦି ଜଣ ବି ବେଶ ଖୁସି ଅଛନ୍ତି । ରାସ୍ତାରେ ଗଲାବେଳେ ଜଣେ ଆର ଜଣଙ୍କୁ ତାନେ ମାରି କହୁଥାଏ, ମୁଁ ଆଜି ତୋ ଠାରୁ ଅଧିକ ଖାଇବି । ମାଂସ ଖାଇବି, କ୍ଷୀରି ଖାଇବି ସବୁ ଅଧିକା ଅଧିକା ଖାଇବି । ଭୋଜି ଖାଇବା ନିଶା ରେ ଦୁଇ ଦିନ ର ଭୋକ ଉପାସ ସତେ ଯେମିତି ଭୁଲି ଯାଇଛନ୍ତି । ପିଲାଙ୍କ ଖୁସି ଦେଖି ମାଧିଆ ବି ଅତି ପ୍ରସନ୍ନତା ଅନୁଭବ କରୁଛି । ଭଗବାନ ଙ୍କର ଅପାର କୃପାରୁ ଆଜି ମଣିଷ କୁ ଗଣ୍ଡେ ଭଲ କରି ଖାଇବାକୁ ମିଳିବ । ମନେ ମନେ ଭଗବାନ ଙ୍କୁ ଧନ୍ୟବାଦ କରୁଥାଏ ମାଧିଆ । ଲେଙ୍କା ବାବୁ ଙ୍କ ବାରି ପଟେ ଅତି ସୁନ୍ଦର ପଣ୍ଡାଲ ସଜା ଯାଇଛି । ଆଖପାଖ ଗାଁ ଗଣ୍ଡା ରୁ ଅନେକ ଲୋକ ଆସି ଛନ୍ତି । ଭୋଜି ଖାଇବା ଆରମ୍ଭ ହେଇଗଲାଣି । ବଡ଼ ଠାରୁ ଛୋଟ ପିଲା ଯାଏ ସମସ୍ତେ ଖୁସି ରେ ଭୋଜି ଖାଇ ଚାଲିଛନ୍ତି । ଗୋଟେ ପରେ ଗୋଟେ ପଙ୍ଗତ ଖାଇବାର ଲାଗିଛନ୍ତି । ମାଧିଆ ପିଲା ଦୁଇ ଙ୍କ ସହ ପଣ୍ଡାଲ ପାଖରେ ପହଁଚିଲା । ଚାରିଆଡେ ଖୁସି ଓ କୋଳାହଳ ସମସ୍ତେ ଖୁସିରେ ଖୁସି ରେ ଖାଇସାରି ଚାଲି ଯାଉଛନ୍ତି । ଦୁଇ ଦିନ ର ଭୋକ ରେ ଥିବା ପିଲା ଦିଟା ଯେତେବେଳେ ଆଖି ଆଗରେ ଖାଦ୍ୟ ସାମଗ୍ରୀ ଦେଖିଲେ ଲାଗିଲା ସତେ ଯେମିତି ଅନେକ ଦିନ ରୁ କିଛି ଖାଇ ନାହାନ୍ତି । ବାଟରେ ଆସିଲା ବେଳ ର ଖୁସି ସବୁ ଭୁଲି ଗଲେ । କେମିତି ଯାଇ ସେଠି ଗଣ୍ଡେ ପେଟ କୁ ପଡିଲେ ଭୋକ ତା ମେଣ୍ଟିବ । ବାପା ଚାଲୁନ ଆମେ ବସିକି ଖାଇବା ଭାରି ଭୋକ ଲାଗୁଛି ସାନ ପିଲାଟି କହୁଥାଏ । ଟିକିଏ ଅପେକ୍ଷା କର କିଛି ସମୟ ପରେ ଆମେ ଖାଇବା । ଅପେକ୍ଷା କାହିଁକି ସମସ୍ତେ ପରା ଯାଇ କି ଖାଉ ଛନ୍ତି । ହଁ ଯେ ହେଲେ ଆମେ କିନ୍ତୁ ସେମାନ ଙ୍କ ସାଙ୍ଗରେ ଖାଇପାରିବା ନାହିଁ । କାହିଁକି ? ଆମେ ପରା ଛୋଟ ଜାତି । ଆମର ତାଙ୍କ ସାଙ୍ଗରେ ବସି ଖାଇବାର ଅଧିକାର ନାହିଁ । ମାଧିଆ ହରିଜନ ଶ୍ରେଣୀ ର ଲୋକ । ଗାଁ ସମାଜ ର ଏକ ସ୍ୱତନ୍ତ୍ର ନିଅମ ପ୍ରଥା ଅଛି । ଭୋଜି ସମୟ ରେ ପ୍ରଥମେ ସବର୍ଣ୍ଣ ଖାଇବେ । ସେମାନେ ଖାଇ ସାରିବା ପରେ ପୁଣି ହରିଜନ ଜାତିର ଲୋକ ଖାଇବେ । ଛୋଟ ପିଲାଟି କିଛି ବୁଝି ପାରୁ ନ ଥାଏ । ନିରାଶ ମନ ରେ ଭୋଜି ଖାଉ ଥିବା ପିଲା ମାନଙ୍କ ଆଡ଼କୁ ଚାହୁଁଥାଏ । ପେଟର ଭୋକ ଆଉ ସହି ହେଉ ନ ଥାଏ । ବାପା ଚାଲ ନା ଖାଇବା ବାରମ୍ବାର କହୁଥାଏ ପିଲାଟି । ମାଧିଆ ବା କଣ କରନ୍ତା । ସମାଜ ର ପ୍ରଥାରେ ସିଏ ବି ବନ୍ଧା । ପିଲା ଦି ଜଣ ଙ୍କ ଭୋକ ଦେଖି ସିଏ ବି ଦୁଃଖ ରେ ପ୍ରତୀକ୍ଷା କରି ଥାଏ । ଅନେକ ଲୋକ ଆସୁଥିଲେ ଯାଉଥିଲେ । ଘଣ୍ଟା ଟିଏ ହେଲାଣି । ପିଲା ଟା ଭୋକ ବିକଳରେ ବାରମ୍ବାର ବାପକୁ ଚାହୁଁଥାନ୍ତି । ବାପ ର ହୃଦୟ ପିଲା ଦିଟା ଙ୍କ ଦୁଃଖ ଆଉ ଦେଖି ହେଉନି । ମନେ ମନେ ଭାବିଲା ମାଧିଆ, ଯଦି ସବର୍ଣ୍ଣ ପିଲା ମାନଙ୍କ ସାଙ୍ଗରେ ପିଲା ଦିଟା ଙ୍କୁ ଭିତରେ ବସି ଖାଇ ଆସନ୍ତି , ତେବେ କିଏ ବା କଣ ଜାଣିବ ସମସ୍ତେ ବ୍ୟସ୍ତ ଅଛନ୍ତି । କିଏ ବା ଏମାନଙ୍କୁ ଚିହ୍ନିପାରିବ । ମୁଁ ପରେ ଖାଇନେବି ପିଲା ଦିଟା ଙ୍କୁ ଏବେ ପଠେଇ ବାକୁ ପଡିବ । ପିଲା ଦି ଜଣକୁ ବୁଝେଇ ଦେଲା ମାଧିଆ ଚୁପ ଚୁପ ସେପଟେ ଯାଅ ଆଉ ସେ ଯେଉଁ ପିଲା ମନେ ଆସୁଛନ୍ତି ସେମାନଙ୍କ ଭିତରେ ପଶି ଖାଇ ଦେଇ ଆସ । ପିଲା ଦି ଜଣ ଙ୍କ ଖୁସି କହିଲେ ନ ସରେ । ସେମାନେ ତ ପ୍ରତୀକ୍ଷା କରିଥିଲେ ବାପା ଙ୍କ ନିର୍ଦ୍ଧେଶ କୁ । ବାସ ଆଉ କଣ ଥାଇପାରେ । ପିଲା ଦି ଜଣ ଚୁପଚାପ ସବର୍ଣ୍ଣ ପିଲାମାନଙ୍କ ମେଳରେ ମିଶି ପଣ୍ଡାଲ ରେ ପ୍ରବେଶ କଲେ । ସବୁ ଯେମିତି ସୁବ୍ୟବସ୍ଥିତ । ପେଣ୍ଡାଲ ର ଲାଇନ ରେ ବସି ଛନ୍ତି ପିଲା ଦି ଜଣ । ସବୁ ପ୍ରକାର ର ବ୍ୟଞ୍ଜନ ପରୋସା ଗଲାଣି । ଏପଟ ସେପଟ ଚାହୁଁଥାନ୍ତି ପିଲା ଦି ଜଣ । କେହିଜଣେ ଖାଇବା ଆରମ୍ଭ କଲେ ପୁଣି ଖାଇବା ହେବ। ପାଣି ବାଣ୍ଟୁ ଥିବା ଲୋକଟା ହଟାତ ପଚାରିଲା କିରେ ତମେ ଦି ଜଣ କାହା ପୁଅ । ତମ ସାଙ୍ଗରେ କିଏ ଆସିଛି । ପିଲାଦିଟା ବଲବଲ ହେଇ ଚାହିଁଲେ ତା ଆଡେ । ବାପା ଅଗୁରୁ କହିଥିଲେ କେହି କିଛି ପଚାରେ ତ କିଛି କହିବନି । ଅରେ ତମେ କିଏ, ମୁଁ କଣ ପଚାରୁଛି ପରା ? ଲୋକଟା ପୁଣି ପଚାରିଲା । ପିଲା ଦି ଜଣ କହି ବା ପୂର୍ବରୁ ଲୋକଟା ତାଙ୍କୁ ଚିହ୍ନି ନେଲା ତମେ ଦିଟା ମାଧିଆ ର ପୁଅ ନା । ଉଠ ଉଠଏଠୁ । ତମକୁ କିଏ ଏଠିକି ପଠେଇଲା । ପିଲା ଦି ଜଣ ନିରବ ରେ ଖାଇବା ପତ୍ର ଆଡେ ଦେଖୁଥିଲେ କିନ୍ତୁ ନିର୍ଦୟୀ ଲୋକଟା ତାଙ୍କ ହାତ ଧରି ଟାଣି ଟାଣି ବହରୁକୁ ନେଇ ଯାଉଥାଏ । ପଣ୍ଡାଲ ର ବାହାରେ ମାଧିଆ ବସି ଥିଲା । ପିଲା ଦି ଜଣ କୁ ମାଧିଆ ଆଡେ ଧକା ମାରି ପକେଇ ଦେଲା ଲୋକ ଟା । ଭିକାରି ! ଏତିକି ବି ଶିଷ୍ଠଚାର ଶିଖିନୁ । ସମାଜ ର ନିୟମ କାନୁନ କଣ ଜଣା ନାହିଁ । ଆମର ବଦନାମୀ କରିବାକୁ ଚେଷ୍ଟା କରୁଛୁ । ଟିକିଏ ଅପେକ୍ଷା କରିଥିଲେ କଣ ତୋ ପିଲା ଦିଟା ମରି ଯାଇଥାନ୍ତେ ।
ମାଧିଆ ଆଖିରୁ ଲୁହ ଝରି ଯାଉଥାଏ ପିଲା ଦି ଜଣ ବାପ ପାଖରେ ଠିଆ ହୋଇ କାନ୍ଦୁ ଥାନ୍ତି । ମୋର ଭୁଲ ହେଇ ଯାଇଛି ଆଜ୍ଞା । ପିଲା ଦିଟା ଦୁଇ ଦିନ ହେଲା ଖାଇ ନାହାଁନ୍ତି ।
ଚୁପ ଧରା ପଡିଲେ ବୋଲି ବାହାନା ବନଉଛୁ । ଛୋଟଲୋକ ତମର ଅତି ସାହସ ହେଇଗଲାଣି । ଅନେକ ଲୋକ ଘେରି କି ଦେଖୁଥାନ୍ତି ହେଲେ କାହାରି କିଛି ପ୍ରତିକ୍ରିୟା ନ ଥିଲା । ଲୋକ ଟା ଅନେକ ଗାଳି ଦେଇ ପଣ୍ଡାଲ କୁ ଚାଲିଗଲା । ପୂର୍ବ ପରି ପଣ୍ଡାଲ ରେ ଭୋଜନ ପ୍ରକ୍ରିୟା ଚାଲି ଥାଏ । ପିଲା ଦି ଜଣ ଙ୍କ ଭୋକ ମେଣ୍ଟିଗଲାଣି । ବାପା ଚାଲ ଘରକୁ ଚାଲ । ଆଉ ଭୋକ ଲାଗୁନି କାନ୍ଦି କାନ୍ଦି ପିଲା ଦି ଜଣ କହୁଥିଲେ । ମାଧିଆ ବି କଣ କରନ୍ତା ବାପ ର ହୃଦୟ । ଦି ଦିନରୁ ପିଲା ମାନେ କିଛି ଖାଇ ନାହାନ୍ତି । ଯେମିତି ହେଲେ କିଛି ଖାଇ ବାକୁ ପଡିବ । ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ
ଲୁହ ପୋଛି ଦେଲା ମାଧିଆ । ପିଲା ମାନଙ୍କ ଲୁହ ପୋଛି ଦେଲା । ମୁଁ କହୁ ଥିଲି ଟିକିଏ ପରେ ଆମେ ଖାଇ ବାକୁ । ଆମେ ଭୁଲ କଲେ ସେଥିପାଇଁ ଆମକୁ ସେ କହିଲେ । ମନ ଦୁଖ କରନି । ହେଇ ସବୁ ଲୋକ ଖାଇ ସାରିଲେଣି । ଏବେ ଆମେ ଖାଇ ବାକୁ ଯିବା ଆଉ କେହି କିଛି କହି ବେନି । କିଛି ସମୟ ର ପ୍ରତୀକ୍ଷା ପରେ ମାଧିଆ ପିଲା ଦୁଇ ଙ୍କ ସାଙ୍ଗରେ ନେଇ ଖାଇବାକୁ ଗଲା । ପିଲା ଦି ଜଣ ବାରମ୍ବାର ପାଣି ବାଣ୍ଟୁ ଥିବା ଲୋକ ଆଡେ ଚାହୁଁ ଥାନ୍ତି । ଆଖିରେ ଲୁହ ଟଳମଳ ହେଉଥାଏ । ଖାଇବା ସାରି ବାହାରକୁ ଆସିଲେ । ମାଧିଆ ପିଲା ମାନକୁ ଘରକୁ ଯିବା ପାଇଁ କହିଲା । ତମେ ମାନେ ଘରକୁ ଯାଅ ମୁଁ ଗାଁ ଆଡେ ଯାଉଛି କିଛି ଭିକ ନେଇ ଆସିବି ।
ପିଲା ଦି ଜଣ ବାପା କୁ ଚାହିଁଲେ ଓ ଘରକୁ ଫେରିଗଲେ । ମାଧିଆ ର କିନ୍ତୁ ମନ ଲାଗୁ ନ ଥାଏ । ଦେହଟା ଶିହରଣ ରେ କମ୍ପି ଯାଉଥାଏ । ଆଖିରୁ ଲୁହ ଝରି ଆସୁ ଥାଏ । ଆଜି ତା ସ୍ୱାଭିମାନ କୁ ବହୁତ ବଡ଼ ଝଟକା ଲାଗିଛି ବୁଦ୍ଧି ବିବେକ ଶୂନ୍ୟ ହେଇ ଯାଇଚି ସିଏ । ହସ୍ତ ଚଳିତ ତ୍ରି ଚକିଆ ବାହାନ ଟାକୁ ଜୋର ଜୋର ରେ ଚଳେଇ ଯାଉ ଥାଏ ଗାଁ ଭିତରେ । କାହାରି ଆଡେ ଚାହୁଁ ନ ଥାଏ । ସିଧା ସିଧା ଗାଁ ର ଶେଷ ମୁଣ୍ଡ ମହାଦେବ ମନ୍ଦିର ପାଖକୁ ଗଲା ମାଧିଆ । ମନ୍ଦିର ଆଗରେ ଅଟକି ଗଲା । ମନ୍ଦିର ଭିତରକୁ ଚାହିଁଲା । ମନ ଭିତରେ ଅନେକ ପ୍ରଶ୍ନ । ହେ ପ୍ରଭୁ ସବୁ ଦୁଃଖ ମୋରି ପାଇଁ ,ମୁଁ କି ଦୋଷ କରିଥିଲି ବାପ ହେଇ ପୁଅ ମାନକୁ ଖାଇବା ପାଇଁ ଗଣ୍ଡେ ଦେଇ ପାରୁନି । ବିନା ଦୋଷ ରେ ମୋ ଗୋଡ଼ ଦିଟା ଗଲା ପୁଣି ବି ତୋ ମନ ଶାନ୍ତି ହେଲାନି ଚାରିଆଡେ ମୋତେ ଦୁଃଖ ଦେଇ ଚାଲିଛୁ । ବହୁତ ହେଇଗଲାଣି ଆଉ କିନ୍ତୁ ହବନି । ଦୀର୍ଘ ନିଃଶ୍ୱାସ ନେଲା ମାଧିଆ । ବର୍ଷା ଋତୁ, ଗୋବରୀ ନଈ କୁ ଲାଗି ମହାଦେବ ମନ୍ଦିର । ଲଗାତାର ବର୍ଷା ଯୋଗୁ ନଈ ରେ ଅଥଳ ପାଣି । ପଥର ର ବନ୍ଧ ଟା ରାସ୍ତା କୁ ଲାଗି ରହିଥାଏ । ନିସ୍ତବ ଦ୍ୱିପ୍ରହର ସମୟ ,କେହି କୁଆଡେ ଦେଖା ଯାଉ ନାହାନ୍ତି । ଏପଟ ସେପଟ ଚାହିଁଲି ମାଧିଆ । ଶେଷ ଥର ପାଇଁ ମନ୍ଦିର ଆଡେ ଚାହିଁ ହାତଯୋଡି ନମସ୍କାର କଲା ମାଧିଆ । ହେ ପ୍ରଭୁ ମୋ ପିଲା ତୋତେ ହି ଲାଗିଲେ । ଜୋର ଜୋର ରେ କାନ୍ଦି ପକେଇଲା । ହାତ ଚଳିତ ଯାନଟାକୁ ନଈ ଆଡେ ଜୋର କରି ଗଡେଇ ନେଲା ମାଧିଆ । ନଈ ର ଗଭୀରତା ରେ କ୍ଷଣିକ ରେ ସମା ଗଲା ସବୁକିଛି । ପ୍ରଖର ସୁଅ ରେ ସବୁକିଛି ବୁଲୁପ୍ତ ହେଇଗଲା । ଦୂର ଦିଗବଳୟରୁ ବହି ଆସୁଥାଏ ମନ୍ଦ ମନ୍ଦ ଶୀତୁଆ ପବନ ଟା । ମନ୍ଦିର ଶିଖର ରେ ଉଡୁଥିବା ପତିତପାବନ ବାନା ଟା ବି ସେମିତି ମନ୍ଦ ମନ୍ଦ ଲହରୀ କାଢି ଉଡୁଥାଏ । ଦକ୍ଷିଣ-ପଶ୍ଚିମ ଆକାଶ ରେ କଳା ବାଦଲ ଟା ପୁଣି ଉଠିଲାଣି । ସମାଜ ର ଅଜବ ପ୍ରଥା ଏକ ଜୀବନ ନେଇଗଲା ।
ଦୁଇ ଦିନ ପରେ ଆଜି ପୁଣି ଭିଡ଼ ଜମିଛି । ମାଧିଆ ର ଶବ ପୋଲିସ ଉଦ୍ଧାର କରି ଆଣିଛନ୍ତି । ଗାଁ ମୁଣ୍ଡ ବରଗଛ ତଳେ ସମସ୍ତେ ଠିଆ ହୋଇ ଦେଖୁଥାନ୍ତି । ସେଦିନର ସେ ପାଣି ବାଣ୍ଟୁଥିବା ଲୋକ ଟା ଭି ସେଠି ଉପସ୍ଥିତ ଥିଲା । ସଭିଏଁ ନିରବ । ଅନେକ ଦିନ ଅନେକ ଘଟଣା ଗଟୁଛି ହେଲେ ଏ ଘଟଣା ଟା ଭି ନିଆରା । ସେଦିନର ଘଟଣା ମାଧିଆ ମନରେ ଅନେକ ଠେସ ପହଞ୍ଚାଇ ଥିଲା । ଜୀବନ ଟା ଅଭିଶପ୍ତ ପରି ଲାଗୁଥିଲା । ନୀଚ୍ଚ ଜାତି ରେ ଜନ୍ମ ନେବା ଟା କଣ ଗୋଟିଏ ଅଭିଶାପ ? ସମାଜ ରେ ଏମିତି ଅନେକ କିଛି ତ୍ରୁଟି ଅଛି । ହରିଜନ, ସବର୍ଣ, ହିନ୍ଦୁ, ମୁସଲିମ ଏ ସବୁ ବିଭିନ୍ନତା ସମାଜ ର ଗୋଟେ ଗୋଟେ କଳଙ୍କ । ସର୍ବ ପ୍ରଥମେ ଆମେ ସମସ୍ତେ ମଣିଷ । ସମସ୍ତଙ୍କୁ ଉଟିତ ସମାନ ଦେବା ଦରକାର । ଯଦି ଗୋଟେ ଉଚ୍ଚ ଜାତି ର ଲୋକକୁ ରକ୍ତ ର ଆବଶ୍ୟକ ଥାଏ ଆଉ ସେ ରକ୍ତ ଭଣ୍ଡାରୁ ରକ୍ତ ନିଏ କାହିଁ ସେଠି କଣ ସେ ପଚାରେ ଏ ରକ୍ତ ଟା ଗୋଟେ ସବର୍ଣ୍ଣ ର ନା ହରିଜନ ର ନା ହିନ୍ଦୁ ର ନା ମୁସଲମାନ ର । ଏଇଭଳି ଅନେକ ଉଚ୍ଚ ଜାତି ର ଲୋକ ଥାଇ ପାରନ୍ତି ଯେଉଁମାନେ ରକ୍ତ ଭଣ୍ଡାର ରୁ ରକ୍ତ ନିଅନ୍ତି ଆଉ ସେ ରକ୍ତ କୋଉ ମୁସଲମାନ କିମ୍ବା ହରିଜନ ଲୋକ ର ହେଇ ଥାଇପାରେ । ନୀଚ୍ଚ ଜାତି ର ପୋଲିସ ଅଫିସର ଯଦି ଆମ ଘରକୁ ଆସନ୍ତି ତେବେ କଣ ଆମେ ତାଙ୍କୁ ବାଛନ୍ଦ କରୁ । ତାଙ୍କ ଅଇଁଠା ବାସନ ବି ଧୋଇ ବାରେ ସଂକୋଚ କରୁନା । ତେବେ ପୁଣି କାହିଁକି ଏ ମିଥ୍ୟା ପ୍ରଥା କୁ ଆବୁଡ଼େଇ ଧରିଛେ।
ମଣିଷ ମଙ୍ଗଳ ଗ୍ରହରେ ସହର ତୋଳିବାକୁ ବାହାରିଲାଣି । ଶିକ୍ଷିତ ଶୃଙ୍ଖଳା ସମାଜ ରେ ରହୁଛେ । ବୁଦ୍ଧି ,ବିଦ୍ୟା ଓ ଉନ୍ନତି ର ଚରମ ସୀମାରେ ପହଁଚି ଯାଇଛି ମଣିଷ ତଥାପି ଏଇ ଜାତି , ଅଜାତି ଭଳି ଛୋଟ ଛୋଟ ବିଚାରଧାରା ଆମକୁ ଅମାନବୀକତା କରି ଦେଇଛି । ଆଉ ଏଇ ମିଥ୍ୟା କୁସଂସ୍କାର ,ଅନ୍ଧବିଶ୍ୱାସର ଶୀକାର ହୋଉ ଛନ୍ତି କିଛି ଟା ଗରିବ ନିରୀହ ଲୋକମାନେ । ନୀତି ପ୍ରତିଦିନ ହ୍ଵାଟ୍ସଆପ ଫେସବୁକ ରେ ଅନେକ ଉପଦେଶ ପଠେଇ ଦେଉଛେ ହେଲେ ସେଇ ଉପଦେଶ ପାଳନ କରିବା ର ଦାଇତ୍ୱ ଭି ନିଜର ଅଛି । ତେବେ ଆସନ୍ତୁ ନା ସମସ୍ତେ ମିଶି ଏକ ଉନ୍ନତ, ଶାନ୍ତିପ୍ରିୟ ,ଭେଦଭାବହୀନ ସମାଜ ଗଢିବା ।
