ମାତ୍ର ସେ ଡେଉଁଥିବା ସମୟରେ ଯେ କେହି ତାଙ୍କ ଛାୟା ତଳକୁ ଆସିଯାଇଥାଏ, ତା’ର ମୃତ୍ୟୁ ହୋଇଥାଏ । ତେଣୁ ରାତିରେ ସେ ଆମ୍ୱ ବଗିଚା ରାସ୍ତା ଦେଇ ମଧ୍ୟ କେହି ଯାଆନ୍ତି ନାହିଁ ।
-: ପୂର୍ବରୁ :-
ଆମ ଘରକୁ ଲାଗି ଗୋଟିଏ ଆମ୍ୱ ବଗିଚା । ବଗିଚା ଶେଷରେ ଗୋଟିଏ ଛୋଟ ପୋଖରୀ । ପୋଖରୀର ଅନ୍ୟ ପଟେ ଗୋଟିଏ ସରୁ ରାସ୍ତା, ରାସ୍ତା ପାଖକୁ ବିରାଟ ଏକ ବରଗଛର ତୋଟା । ଆମ ଗାଁର ପାଠଶାଳାଟି ସେଇଠି । ତେଣୁ ତାକୁ ତୋଟା ସ୍କୁଲ୍ ବୋଲି କୁହାଯାଉଥିଲା । ତୋଟାର ପ୍ରାଧାନ୍ୟ ହେଲା ସବୁଆଡ଼େ ମୁଣ୍ଡଫଟା ଖରା ଥିଲେ ମଧ୍ୟ ଏଠାକୁ ସୂର୍ଯ୍ୟ କିରଣ ଆସେନା । ସ୍ଥାନଟି ଅପେକ୍ଷାକୃତ ଥଣ୍ଡା । ତେଣୁ ତାହା ଦିନ ବେଳା ଗାୟାଳ ପିଲାମାନଙ୍କର ଶୟନ କକ୍ଷ । ଯାତାୟାତ କରୁଥିବା ବାଟୋଇମାନଙ୍କର ବିଶ୍ରାମସ୍ଥଳୀ । କାହିଁକି କେଜାଣି ତୋଟାକୁ ଯିବା ପାଇଁ ଗାଁ ଝିଅମାନଙ୍କୁ ବାରଣ କରାଯାଏ । ବହୁବାର ମୁଁ ଏ ବିଷୟରେ ଅନେକ ଜଣଙ୍କୁ ପ୍ରଶ୍ନ କରିଛି । ମାତ୍ର କାହାଠୁ ସଠିକ୍ ଉତ୍ତର ପାଇନି । ଦ୍ୱିପ୍ରହରେ ପିଉସା, କକେଇମାନେ ବସି ତାସ୍ ଖେଳନ୍ତି । ବେଳେ ବେଳେ ମୁଁ ଯାଇ ସେମାନଙ୍କ ପାଖେ ବସିଥାଏ । ସେଦିନ ପିଉସା କହୁଥିଲେ “ବରଗଛମାନଙ୍କରେ ବହୁ ବାସେଳୀ ରହନ୍ତି । ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇଁ ଥାଆନ୍ତି । ରାତିରେ ଆମ୍ୱଗଛ ଉପରକୁ ମଧ୍ୟ ଡେଇଁ ଥାଆନ୍ତି । ଏଇ ବାସେଳୀମାନଙ୍କୁ କେହି ଆଖିରେ ଦେଖି ନାହାନ୍ତି । ମାତ୍ର ସେ ଡେଉଁଥିବା ସମୟରେ ଯେ କେହି ତାଙ୍କ ଛାୟା ତଳକୁ ଆସିଯାଇଥାଏ, ତା’ର ମୃତ୍ୟୁ ହୋଇଥାଏ । ତେଣୁ ରାତିରେ ସେ ଆମ୍ୱ ବଗିଚା ରାସ୍ତା ଦେଇ ମଧ୍ୟ କେହି ଯାଆନ୍ତି ନାହିଁ ।” ଏହା ଶୁଣିବା ପରେ ମୁଁ ଖୁବ୍ ଭୟ ପାଇଥିଲି । ମାତ୍ର କାହିଁକି କେଜାଣି ବରଗଛ ବିଷୟରେ ଜାଣିବା ପାଇଁ ମୋର ଉତ୍କଣ୍ଠା ବଢ଼ିଲା । କାହାକୁ ପଚାରିବି । ବାପାଙ୍କୁ ଭୟ, ଭାଇମାନେ ସହରରେ ରହନ୍ତି । କେବେ କେମିତି ପର୍ବପର୍ବାଣୀରେ ଦିନେ ଦୁଇଦିନ ପାଇଁ ଘରକୁ ଆସିଥାନ୍ତି । ମନକୁ ଗୋଟିଏ ଉପାୟ ଆସିଲା । ସଜନାକୁ ଭୋଗ ଲାଞ୍ଚ ଦେଇ ମତେ ସ୍କୁଲ୍ରେ ଛାଡ଼ି ଆସିବାକୁ କହିଲି । ଅଚାନକ ମତେ ସ୍କୁଲ୍ରେ ଦେଖି ପଦସାର୍ ଆଚମ୍ୱିତ ହେଲେ । ସେଦିନ କୌଣସି କାରଣରୁ ସ୍କୁଲ୍ ଶୀଘ୍ର ଛୁଟି ହେଲା । ସାର୍ ମତେ ଆସିବାର କାରଣ ପଚାରିଲେ, “ମୁଁ ଥ. . . ଥ. . . ମ. . . ମ. . . ହୋଇ କହିଲି ବରଗଛ ।”
କିଛି ନ ବୁଝି ସାର୍ ପଚାରିଲେ, “କ’ଣ କହୁଛୁ ହୁଣ୍ଡୀ ? ବରଗଛ କ’ଣ ??”
“ସେଇଟା ଏତେ ବଡ଼ କେମିତି ହେଲା ?” ଦମ୍ଭ ବାନ୍ଧି ଏକ ନିଶ୍ୱାସରେ କହି ପକାଇଲି ।
ଆଚ୍ଛା, ଆଚ୍ଛା, ତୁ ବରଗଛ ବିଷୟରେ ଜାଣିବାକୁ ଚାହୁଁଛୁ ?
କିଛି ନ କହି ମୁଁ ମୁହଁ ତଳକୁ ପୋତି ଛିଡ଼ା ହୋଇ ରହିଲି । ପଦସାର୍ ଜାଣନ୍ତି, ମୋର କିଛି ଜାଣିବାର ଉତ୍ସାହ ହେଲେ ମୁଁ ସେଇ ପ୍ରଶ୍ନ ପଛରେ ନିକୁଟି କରି ପଡ଼ିଥାଏ । ମତେ ତାଙ୍କ ଘରକୁ ନେବାକୁ କହି ସଜନାକୁ ବିଦାୟ ଦେଲେ ।
ସାର୍ ଆଗେ ଆଗେ ଚାଲିଥାନ୍ତି । ମୁଁ ପଛେ ପଛେ ।
ଘରକୁ ଚାଲ୍, ତୋ ଗୁରୁମା ଏ ବିଷୟରେ ତତେ ମୋ ଠାରୁ ଯଥେଷ୍ଟ ଭଲ ଭାବେ ବୁଝାଇ ଦେବେ ।
ସାରଙ୍କ ଘର ବହୁ ଦୂର ନ ହେଲେ ମଧ୍ୟ ପାଖରେ ନୁହେଁ । ଧୋବା ସାଇ ପାର ହୋଇ ଆମେ ସାମଲ ଦୋକାନ ପାଖରେ ପହଞ୍ଚିଲୁ । ସେଇଠୁ ପଣ୍ଡା ସାହି ଆରମ୍ଭ । ଶେଷ ଘରଟା ପଦସାର୍ଙ୍କର । ସରସ୍ୱତୀ ପୂଜା ପରେ ଘର ଘର ସରସ୍ୱତୀ ବୁଲାଇବା ମାଧ୍ୟମରେ ମୁଁ ତାଙ୍କ ଘର ଦେଖିଥିଲି ।
ପାଞ୍ଚ ଖଣ୍ଡ ଗାଁରେ ଏଇ ସାମଲ ଦୋକାନଟି ଦୈନନ୍ଦିନ ବ୍ୟବହୃତ ତେଲ, ଲୁଣ, ଡାଲି, ଚାଉଳ ପ୍ରଭୃତି ପାଇଁ ଏକମାତ୍ର ଦୋକାନ ଖୁବ୍ ପ୍ରସିଦ୍ଧ । ଦୋକାନ ସାମ୍ନାରେ ସାମ୍ନାସାମ୍ନୀ ଦୁଇଟି ବେଞ୍ଚ ପଡ଼ିଥାଏ । ପ୍ରାୟତଃ ଖରିଦ୍ଦାରମାନେ ବସିଥାନ୍ତି । ଶୀତଦିନେ ସାମଲ ବୁଢ଼ା ନିଜେ ବସି ଖରା ପୁଅଁନ୍ତି । ସେଇଥିରୁ ଗୋଟିଏ ବେଞ୍ଚ୍ ଖାଲି ପଡ଼ିଥିଲା । ଲଥ୍ କରି ବସି ପଡ଼ିଲି ।
“କ’ଣ ହେଲା ?” ପଦସାର୍ ପଛକୁ ବୁଲି ପ୍ରଶ୍ନ କଲେ ।
ପ୍ରଥମତଃ କ୍ଳାନ୍ତ, ଉପରକୁ ସାର୍ଙ୍କୁ ଡର । ପାଟି ଖନି ମାରି ଯାଉଥିଲା । ଖନେଇ ଖନେଇ କହିଲି, “ଗୋଡ଼ିରେ ଗୋଡ଼ ପଶିଗଲା ସାର୍ । ଆପଣ ଚାଲନ୍ତୁ, ମୁଁ ପଛେ ପଛେ ଆସୁଛି ।”
“ଗୋଡ଼ିରେ ଗୋଡ଼ ପଶିଗଲା ନା ଗୋଡ଼ରେ ଗୋଡ଼ି ?” କହି ପ୍ରଶ୍ନବାଚୀ ଦୃଷ୍ଟିରେ ସାର୍ ମୋ ମୁହଁକୁ ଚାହିଁଲେ ।
“ହଁ ସେଇଆ ସାର୍ ।'” ଆଖିପତା ନତ କରି କହିଲି । ମୋ ଦୟନୀୟ ଅବସ୍ଥା ଦେଖି ନିଧି ସାମଲ ମଉସା ବଟ ହାତରେ ପାଣି ଗ୍ଲାସ୍ଟିଏ ମୋ ପାଇଁ ପଠାଇ ଦେଇଥିଲେ ।
ଏକ ନିଶ୍ୱାସରେ ପାଣିତକ ଶେଷ କରି ସାର୍ଙ୍କ ଆଡ଼କୁ ଚାହିଁଲି । ଖରିଦ୍ଦାର୍ମାନଙ୍କ ସଙ୍ଗେ ଅନ୍ୟ ବେଞ୍ଚ ଉପରେ ପଦସାର୍ ବସିଥିଲେ । ବେଞ୍ଚରୁ ଉଠି ପଡ଼ି କହିଲେ, “ଖାଲି ଗ୍ଲାସ୍ଟା ଦେଇ ଆ, ଏବେ ଯିବା ।”
“ଗେହ୍ଲୀକୁ କୁଆଡ଼େ ନେଇ ଯାଉଛ ମାଷ୍ଟର ବାବୁ ?” (ମତେ ଗାଁଟା ସାରା ଗେହ୍ଲୀ କିମ୍ୱା ଗେହ୍ଲୀ ନାନୀ ଡାକିଥାନ୍ତି) କହିଲେ ସାମଲ ମଉସା ।
ଆମ ଘରକୁ ।
ତୁମ ଘରକୁ ମାଷ୍ଟର ବାବୁ । ତା’ ଅବସ୍ଥା ଦେଖୁଛ ତ ? ମୁହଁଟା ପୁରା ଲାଲ୍ ହୋଇ ଗଲାଣି । ତୁମ ଘରୁଟା ତ ଓ ଗାଁ ମୁଣ୍ଡରେ । ସେ ଏତେ ବାଟ ଚାଲିପାରିବ ?
ମୁହଁ ଟାଣ କରି କହିଲି, “ନା ଆଉ କେତେ ବାଟ ଯେ ? ମୁଁ ସାର୍ଙ୍କ ଘର ଦେଖିଛି ଚାଲିପାରିବି ।”
ହଉ ଉଠ୍ କହି ସାର୍ ମୋ ହାତ ଧରି ଚାଲିବାକୁ ଆରମ୍ଭ କଲେ ।
ପଦସାର୍ଙ୍କ ହାତ ଧରି ଗୋଟିଏ ଗୋଟିଏ ଚାଲିଲି ।
ସାର୍ଙ୍କ ପଦଗତି ମଧ୍ୟ ଶିଥିଳ ହୋଇଗଲା । ମତେ ଦେଖେଇ ଦେଖେଇ କହୁଥାନ୍ତି । ଏଇଟା ଠାକୁରାଣୀ ମନ୍ଦିର । ତା’ ପଛକୁ ଟିକିଏ ଉପରେ ହରି ବାରିକ ଘର । ଆମେ ସେ ସବୁ ଟପି ଏବେ ଜେନା ସାହିରେ ପଶିଲେଣି । ଆଉ ଘର କେଇଟା ତ ।
ମନେ ମନେ ପ୍ରମାଦ ଗଣିଲି । ପଣ୍ଡା ସାହି ଆରମ୍ଭ ହୋଇନି । ସାର୍ଙ୍କ ଘରଟା ଶେଷ ମୁଣ୍ଡରେ । ଏତେ ବାଟ ଚାଲି ପାରିବି ତ ? ମାତ୍ର ନାଚାର ।
ଜେନା ସାହି ପାର ହୋଇଗଲେଣି । ଏବେ ପଣ୍ଡା ସାହି ଛୁଇଁଲେ ।
ବଡ଼ ନିଶ୍ୱାସଟାଏ ଛାଡ଼ିଲି । ବାସ୍ ଆଉ ତ ମାତ୍ର ପଣ୍ଡା ସାହିଟା ରହିଲା ।
ସାର୍ ମୋ ମନର ଉତ୍ସାହ ବଢ଼ାଇବାକୁ କହିଲେ, “ଆଉ କେତେଟା ଘର ରହିଲା କହିଲୁ ?” ସେତେବେଳକୁ ମୋର ମନଟାଣ ଶରୀର ପାଖରେ ହାର ମାନି ସାରିଥିଲା । ମୋ ଠାରୁ କିଛି ଜବାବ୍ ନ ପାଇ ସାର୍ ମୋ ମୁହଁକୁ ଚାହିଁଲେ । ବିନା ବାକ୍ୟରେ ସିଧା ପିଠିରେ ଲାଉ । ମାତ୍ର ପାଞ୍ଚ ମିନିଟରେ ସାର୍ଙ୍କ ଘରେ ପହଞ୍ଚିଗଲୁ । ସାର୍ଙ୍କ ପାଇଁ ଗୁରୁମା ଅପେକ୍ଷା କରିଥିଲେ । ମତେ ଦେଖି ଆଶ୍ଚର୍ଯ୍ୟ ହେଲେନି । କାରଣ ମୁଁ ତାଙ୍କ ପାଖରେ ଅପରିଚିତା ନୁହେଁ । ହାତ ମୁହଁ ଧୋଇବା ଭିତରେ ଗୁରୁମା ଆମ ପାଇଁ ଦୁଇଟି କାଚ ଥାଳିଆରେ ଗରମ ଗରମ ଜଳଖିଆ ଆଣି ରଖିଲେ । ପଦସାର୍ ମୋ ଆସିବାର କାରଣ ଦର୍ଶାଇ ପୁଣି କୁଆଡ଼େ ବାହାରିଗଲେ ।
“ସେ ଭୂତ, ପ୍ରେତବାସୀ ଗଛ ବିଷୟରେ ତୁ କ’ଣ ଜାଣିବାକୁ ଚାହୁଁଛୁ ଲୋ ମା’ ?” କହି ଗୁରୁମା ମୋ ପାଖେ ବସିଲେ ।
– ତା’ପରେ –