
ପ୍ରତ୍ୟେକ ବର୍ଷ ଡିସେମ୍ୱର ଆଠ ତାରିଖ ଦିନ ବୁଦ୍ଧଧର୍ମ ଅବଲମ୍ୱୀମାନେ ଏଇ ଗଛ ତଳେ “ବୁଦ୍ଧଂ ଶରଣଂ ଗଚ୍ଛାମି” କହି ପରସ୍ପରକୁ ଆଲିଙ୍ଗନ କରନ୍ତି ।
ଭୌତିକ ଗାଥା-: ପୂର୍ବରୁ :-
“ଏତେ ବଡ଼ ଗଛଟା ଜନ୍ମ କେମିତି ହୁଏ ଗୁରୁମା ?” ଅନ୍ୟ ଗଛ ସବୁ ତ ଛୋଟରୁ ବଡ଼ ହୋଇଥାଏ ।
“ଏ ଗଛ ମଧ୍ୟ ଛୋଟରୁ ବଡ଼ ହୋଇଥାଏ ।”
“ନା ଗୁରୁମା, ଆମ ତୋଟାରେ ସବୁ ବଡ଼ ଗଛ ଗୁଡ଼ା ଜନ୍ମ ହୋଇଛନ୍ତି । ମୁଁ ପ୍ରଥମ ଶ୍ରେଣୀ ପାସ୍ କଲା ପରେ ଠାକୁର ଘର ପାଖରେ ଖୁସିରେ ଗୋଟିଏ ନଡ଼ିଆ ପୋତି ଦେଇଥିଲି । ସତ କହୁଛି ଗୁରୁମା, ପ୍ରଥମେ ଏଡ଼ିକି ଟିକିଏ ଗଜା ବାହାରିଲା, ତା’ପରେ କେଡ଼େ ସୁନ୍ଦର କଅଁଳିଆ ଦୁଇଟି ପତ୍ର । ଏବେ ସେ ଗଛଟା ମୋ ଠାରୁ ଉଚ୍ଚତାରେ ବଡ଼ ହୋଇଗଲାଣି ବିଦ୍ୟାରାଣ ସତ କହୁଛି ।”
“ତୁମ ତୋଟା ବରଗଛ ଶହେ ବର୍ଷର ପୁରୁଣା ଗଛ ହୋଇଥିବ । ତେଣୁ ତୁ ତାକୁ ଛୋଟ ଦେଖିନୁ । ମନେରଖି ଥା’, ଗଛ ହେଉ, ପଶୁ ହେଉ, ପକ୍ଷୀ କିମ୍ୱା ମଣିଷ ସମସ୍ତେ ଜନ୍ମ ଅବସ୍ଥାରେ ଖୁବ୍ ସାନ ଥାଆନ୍ତି । ରହିଲା ଗଛ ଲତାଙ୍କ କଥା, କେହି ମଞ୍ଜିରୁ ଏବଂ ଅନ୍ୟ କେହି ଡାଳରୁ ଉତ୍ପନ୍ନ ହୋଇଥାଆନ୍ତି । ବରଗଛର ଉତ୍ପନ୍ନ ମଧ୍ୟ ମଞ୍ଜିରୁ ।”
“ତେବେ ସେ ମଞ୍ଜିଟା ମଧ୍ୟ ବହୁତ ବଡ଼ ହୋଇଥିବ ?”
“ନା, ଖୁବ୍ ଛୋଟ ଛୋଟ । ତୁ ବରଗଛରେ ନାଲି ନାଲି ଫଳ ଦେଖିନୁ ?”
“ହଁ ଗୁରୁମା, ପେନ୍ଥା ପେନ୍ଥା ହୋଇ ବି ଥାଏ । ଭାରି ସୁନ୍ଦର ଦେଖାଯାଏ ।”
“ସେଇ ଗୋଟିଏ ଗୋଟିଏ ଫଳ ଭିତରେ ଅନେକ ବହୁ ଛୋଟ ଛୋଟ ସୋରିଷ ଭଳି ମଞ୍ଜି ଥାଏ । ପକ୍ଷୀମାନେ ଏଇ ଫଳ ଗୁଡ଼ା ଖାଇବା ସମୟରେ କିମ୍ୱା ତାଙ୍କ ପାଦମାନଙ୍କରେ ଯାଇ ଯେଉଁଠାରେ ପଡ଼ିଥାଏ, ସେଇଠି ଗଛ ଉଠିଥାଏ, ଘରମାନଙ୍କ ଫାଟ କିମ୍ୱା ଫାଙ୍କା ଯାଗାମାନଙ୍କରେ ତୁ କେବେ ଛୋଟ ଛୋଟ ବରଗଛ ଦେଖିନୁ ?”
“ନା ଗୁରୁମା. . . ?”
ଏତେ ଅନ୍ଧାର ହୋଇଗଲାଣି ଦେଖାଯିବନି । କାଲି ତତେ ଦେଖାଇ ଦେବି ।
“ଏତେ ବଡ଼ ଗଛଟାକୁ ଚେର କେମିତି ସମ୍ଭାଳେ ଗୁରୁମା ?”
“ଗଛ ବଡ଼ ହେବା ସଙ୍ଗେ ସଙ୍ଗେ ୟା’ର ବହୁ ଶାଖା ଚେର ଗଛରୁ ଓହଳି ପଡ଼ି ଥାଆନ୍ତି । ଯାହାକୁ ଆମେ ବର ଓହଳ କହିଥାଉ । ସମୟକ୍ରମେ ସେଇ ଚେର ଗୁଡ଼ିକ ଭୂଇଁ ଭିତରେ ବ୍ୟାପୀ ଯାଇଥାଆନ୍ତି । ପରେ ପରେ ମୁଖ୍ୟ ଚେରଟି ଶୁଖି ଯାଇଥାଏ । ସେଇ ଯାଗାରେ ଏକ ଫମ୍ପା ସ୍ଥାନ ରହିଯାଏ । ଏଇ ଫମ୍ପା ଜାଗାକୁ ଆମେ କୋରଡ଼ କହିଥାଉ । ସେଇ କୋରଡ଼ରେ ବିଷାକ୍ତ ସାପ, କଙ୍କଡ଼ା ବିଚ୍ଛା ଇତ୍ୟାଦି ଘର କରି ରହନ୍ତି । ସମୟେ ସମୟେ ଏଇ ସାପମାନେ ବାହାରି ଗଛରେ ଫଳ ଖାଉଥିବା ଚଢେ଼ଇମାନଙ୍କୁ ମଧ୍ୟ ଗିଳି ଦେଇଥାଆନ୍ତି ।”
“ହଁ ଗୁରୁମା, ସ୍କୁଲ୍ରେ ପଢ଼ିବା ସମୟରେ ଆମେ ଏଇ ଦୃଶ୍ୟ ଥରେ ଦି’ଥର ଆଖିରେ ଦେଖିଛୁ ।”
“ହେଲେ ଭାରି ଉପକାରୀ ଗଛଟିଏ । ରାସ୍ତାରେ ଚାଲି ଚାଲି ଥକି ଯାଉଥିବା ପଥୁକୀମାନେ ଏହା ଛାଇରେ ବସି ବିଶ୍ରାମ କରନ୍ତି ।”
ଗୁରୁମା, “ସତ କଥା, ୟା’ ତଳେ ଗାୟାଳ ପିଲାମାନେ ମଧ୍ୟ ଆରାମ କରନ୍ତି । ଖେଳ ଛୁଟିରେ ପୁଅପିଲାମାନେ ଯାଇ କେଡ଼େ ମଜାରେ ଖେଳନ୍ତି । ଝିଅମାନଙ୍କୁ ସାର୍ ଯିବାକୁ ଦିଅନ୍ତିନି ।”
“ପୁଅମାନଙ୍କ ସଙ୍ଗେ ମିଶି ଖେଳିଲେ ତୁମମାନଙ୍କୁ ଉର୍ଦ୍ଦଣ୍ଡୀ, ଅଣ୍ଡିରୀ ଚଣ୍ଡୀ ଆଖ୍ୟା ଦେବେ ବୋଲି ।”
“ନା ଗୁରୁମା ! ବଡ଼ ଗଛଟା ତଳେ ବାପା ଗୋଟିଏ ଖୁବ୍ ସୁନ୍ଦର ଚଉତରା ତିଆରି କରି ଦେଇଛନ୍ତି । ତାରି ଉପରେ ଯାଇ ବସିବା ପାଇଁ ମଧ୍ୟ ସାର୍ ପ୍ରତିରୋଧ କରନ୍ତି ।”
କାହିଁକି କେଜାଣି, ମୋ କଥାର ଉତ୍ତର ନ ଦେଇ ଗୁରୁମା କହିଲେ “ବରଗଛର ଓହଳ ଗୁଡ଼ିକ ଏଡ଼େ ସୁନ୍ଦର ଯେ, ଏଇ ଗଛକୁ “ବନସାଇ” କରି ଘରେ ରଖିବାକୁ ବହୁଲୋକ ପସନ୍ଦ କରନ୍ତି ।”
“ବନସାଇ” କ’ଣ ଗୁରୁମା ?”
“ଏଡ଼ିକି ଟିକିଏ ମୁଣ୍ଡ, କେତେ କଥା ଜାଣିବାକୁ ଚାହୁଁଛୁ ?” “ବନସାଇ” ଅର୍ଥାତ୍ ଗୋଟିଏ ବଡ଼ ଗଛକୁ ଗୋଟିଏ କୁଣ୍ଡ ଭିତରେ ଛୋଟ ରୂପେ ପ୍ରତିଷ୍ଠିତ କରି ତା’ର ସୌନ୍ଦର୍ଯ୍ୟ ଉପଭୋଗ କରିବା । ଏଇ “ବନସାଇ ତାଇୱାନ୍”ରେ ଦୁଇଶହ ବର୍ଷଠାରୁ ଅଧିକରେ ଅଛି ବୋଲି କୁହାଯାଏ ।
ୟା’କୁ ଆମେ ଦେଖି ପାରିବା ।
“ନା, ଏହା “ତାଇୱାନ୍”ରେ ପଢ଼ିଲେ ଜାଣିବୁ । ଆଜି କେବଳ ଗଛ ବିଷୟରେ ଜାଣିଥା’ । ଆଲୋ ମା’, ଆଜି ଘିଅ ମାରି ଥିଲି । ତୋ ସାର୍ଙ୍କୁ ଘର ମରା ଘିଅ ଖୁବ୍ ଭଲ ଲାଗେ । ତେଣୁ ଦୁଧସର ଜମାଇ ପ୍ରତିସପ୍ତାହରେ ଥରେ ଲହୁଣୀ ବାହାର କରି ଘିଅ ମାରିଥାଏ । ତତେ ଘିଅ କୋରୁଅ ଭଲ ଲାଗେ ?”
“ବହୁତ ଭଲ ଲାଗେ, ଟିକିଏ କଞ୍ଚା ଏବଂ ଗରମ ଥିଲେ ।”
“ରହ, ମୁଁ ଟିକିଏ ଉଷୁମ୍ କରି ଆଣୁଛି ।”
“ଏବେ ନାଇଁ ଗୁରୁମା, ଆଉ ଟିକିଏ ଗଛ ବିଷୟରେ କୁହ ।”
“ସବୁ ତ କହି ସାରିଲିଣି । ହଁ ଏଇ ଗଛକୁ ଜାତୀୟ ବୃକ୍ଷ ବୋଲି କୁହାଯାଏ । ଭଗବାନ୍ କୃଷ୍ଣ ୟା’ ବିଷୟରେ ଆତ୍ମା ଏବଂ ଅପାର୍ଥିବ ବିଷୟ ଉପରେ ବହୁ ତୁଳନା ବର୍ଣ୍ଣନା କରିଛନ୍ତି । ସେସବୁ ତୁ ବଡ଼ ହେଲେ ବୁଝି ପାରିବୁ । ତା’ ବ୍ୟତୀତ, ଏହା ବିଷୟରେ ବହୁ ବଡ଼ ବଡ଼ ଲେଖକ ସତ୍ୟ ବୋଲି ଧାରଣା କରି ବହୁ କାଳ୍ପନିକ ଗଳ୍ପ ଲେଖିଛନ୍ତି । ସେସବୁ ବୁଝିବା ପାଇଁ ତୋର ବୟସ ହୋଇନି । ହଁ, ଏଇ ଗଛ ତଳେ ବସି ବୁଦ୍ଧଦେବ ନିର୍ବାଣ ପ୍ରାପ୍ତ କରିଥିଲେ, ତେଣୁ ସେଇ ଗଛଟିର ନାମ ବୋଧିଦ୍ରୁମ । ପ୍ରତ୍ୟେକ ବର୍ଷ ଡିସେମ୍ୱର ଆଠ ତାରିଖ ଦିନ ବୁଦ୍ଧଧର୍ମ ଅବଲମ୍ୱୀମାନେ ଏଇ ଗଛ ତଳେ “ବୁଦ୍ଧଂ ଶରଣଂ ଗଚ୍ଛାମି” କହି ପରସ୍ପରକୁ ଆଲିଙ୍ଗନ କରନ୍ତି ।”
“ଆଉ ଭୂତ ?”
ଭୂତ ???
ବରଗଛରେ ବାସୁଳୀ. . . ?
“ଏତେ କଅଁଳ ମନରେ ଏ ଭୂତ କଥା କିଏ ପଶାଇଲା ?” କଥା କାଟି କହିଲେ ଗୁରୁମା ।
ଆଉ କହନ୍ତି, “ଏ ବାସୁଳୀ ଗୋଟିଏ ଗଛରୁ ଅନ୍ୟ ଏକ ଗଛକୁ ଡେଇଁଥାଏ ।”
“ମିଛରେ ମନ ଭିତରେ ଏ ଭୂତ ପ୍ରେତ କାହାଣୀ ମନରେ ପଶାଇ ଦେଇଛୁ । ଆଜିଠୁ ମନେରଖ, ଆଉ କାହାଠାରୁ ଏ ଭିତ୍ତିହୀନ ଭୂତ ପ୍ରେତ ଗପ ଶୁଣିବୁନି ।”
“ବିଦ୍ୟାରାଣ, ଆଉ କେବେ କାହାଠୁ ଶୁଣିବିନି ।”
“ଏ ବିଦ୍ୟାରାଣ କଥା କଥାକେ ପକାଇବା ମଧ୍ୟ ଛାଡ଼ିଦେ । ଏଥିରେ ମା’ ସରସ୍ୱତୀଙ୍କୁ ଦୁଃଖ ହେବ ।
ଯୋଉ ସରସ୍ୱତୀ ମା’ ଆମ ଉପରେ ଏତେ ଜ୍ଞାନ ଅଜାଡ଼ି ଦେଉଛନ୍ତି, ତାଙ୍କୁ ଦୁଃଖ ହେବ । ଆଉ ଥରେ ବି ବିଦ୍ୟାରାଣ କହିବିନି । କହିବା ବାହୁଲ୍ୟ, ଆଜି ମଧ୍ୟ ମୋ ସାମ୍ନାରେ ବିଦ୍ୟାରଣ କିମ୍ୱା ସେମିତି କିଛି ରାଣ କହିଲେ ମୁଁ ବିରକ୍ତ ହୋଇଯାଏ ।”
ସାର୍ଙ୍କର ପ୍ରିୟ ଛାତ୍ରୀ, ଗୁରୁମା କଥା ମାନିବନି ।
“ସତ ଗୁରୁମା, ବରଗଛରେ ଭୂତ ରହନ୍ତିନି । ତେବେ ଆମେ ସେ ଆଡ଼େ ରାତିରେ ଯିବାକୁ ଡରିବୁ କାହିଁକି ?”
“ଏତେ ଖୋଳେଇ ପଡ଼େଇ ପଚାରୁଛୁ ତ ଶୁଣ୍ । “ଫିଲିପାଇନ୍” ଦର୍ଶନ ଶାସ୍ତ୍ର ଅନୁସାରେ ବରଗଛରେ ଜୀବାତ୍ମା ବାସ କରେ । କେହି ତାକୁ ଉପହାସ କଲେ ସେ ପ୍ରତିଶୋଧ ନିଏ । ଭୁଲ୍ ବଶତଃ କେହି କେବେ ତା’ ବାସ ଆଡ଼କୁ ଆଙ୍ଗୁଠି ଦେଖାଇଥାଏ, ତେବେ ସେ ନିଶ୍ଚୟ ତା’ର ଶିକାର ହୋଇଥାଏ । ହେଲେ ଆମ ଭାରତୀୟ ସଂସ୍କୃତିରେ ସେମିତି କିଛି ନାହିଁ ।”
“ଫିଲିପାଇନ୍’ର ହେଉ ବା ଭାରତର ଭୂତ କଥା ଶୁଣି ମୋର ଝାଳ ବୋହିବା ଆରମ୍ଭ ହୋଇଯାଇଥିଲା ।” ପଣତକାନିରେ ମୋ ଝାଳ ପୋଛି ଦେଇ ଗୁରୁମା ମତେ ରନ୍ଧାଘର ଆଡ଼କୁ ନେଇଗଲେ । ଏଇ ଆଙ୍ଗୁଠି ଦେଖା ଶକଟି ମୋ ମନରେ ଏମିତି ବସା ବାନ୍ଧି ଯାଇଛି ଯେ କେହି ବି ଆଙ୍ଗୁଠି ଦେଖାଇ କଥା କହୁଥିଲେ (ବଡ଼, ସାନ, ଗୁରୁଜନ, ପରିଚିତ, ଅପରିଚତ ନିର୍ବିଶେଷରେ) ମୁଁ ଈଶାରାରେ ତାଙ୍କୁ ଆଙ୍ଗୁଠି ନତ କରିବାକୁ କହେ ।
ଗୁରୁମାଙ୍କ ଠାରୁ ସବୁ କଥା ଶୁଣିବା ପରେ ମଧ୍ୟ ଭୂତ, ପ୍ରେତ ଅବସ୍ଥିତି କଥାଟିକୁ ମୁଁ ମନରୁ ପୋଛି ଦେଇପାରିନଥିଲି । ପୃଥିବୀରେ ଭୂତ ଅଛନ୍ତି, ଯେଉଁମାନେ କେଉଁଠି ଟିକିଏ ଫାଙ୍କା ଯାଗା ପାଇଲେ ବାସ କରିଥାନ୍ତି । ଯେମିତିକି ବରଗଛ କୋରଡ଼, ଚାଳ ଘରେ କାନ୍ଥ ଆଉ ଛପର ମଧ୍ୟରେ ଫାଙ୍କା । ରୁମ୍ ଭିତରକୁ ପଶିଲେ ମୁଁ ଆଗ ଭଲ କରି ଆଖି ବୁଲାଏ । ସେଇ ଫାଙ୍କାରେ ଭୂତ ବସିନିତ । ସତକୁ ସତ ଦିନେ ଭୂତକୁ ଦେଖିଥିଲି । ତାହା କେମିତି ? ଏବେ ମନେ ପଡ଼ିଲେ ମୁଁ ନିଜକୁ ନିଜେ ଲଜ୍ଜିତ ହୁଏ ।
ଆମ ଘରକୁ ଲାଗି ପୋକ ପିଉସାଙ୍କ ଘର, ସମ୍ପର୍କରେ ସେ ମୋର ଜେଜେବାପା ହେବେ । ମାତ୍ର ସେ ୟୁନିଭର୍ସାଲ୍ (ସାର୍ବଜନିନ) ପିଉସା । ମୋ ଜନ୍ମପୂର୍ବରୁ କିମ୍ୱା ଜନ୍ମପରେ ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । କହନ୍ତି ସେ ଖୁବ୍ କଳା ଥିଲେ । ଅନ୍ଧାରରେ ଦେଖିଲେ ଜଣେ ଜାଣି ପାରିବନି । ଆଉ ବୋଉ ଘର (ଆମ ଶୋଇବା ଘର) କାନ୍ଥ ଉପରେ ପୋକ ପିଉସାଙ୍କ ଭୂତ । ଆଖି ଦି’ଟା ଦପ୍ ଦପ୍ କରି ଜଳୁଛି । ଏକ ଅଚଳ ପଥର ମୂର୍ତ୍ତୀ ସଦୃଶ । ଖୁବ୍ ଜୋର୍ରେ ଚିତ୍କାର କରି ବେହୋସ୍ ହୋଇ ଯାଇଥିଲି । ହୋସ୍ ଆସିବା ପରେ ମଧ୍ୟ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଛଣାରୁ ଉଠିପାରି ନଥିଲି ।
ବଡ଼ନାନୀର ଭିତ୍ତିହୀନ ଆକ୍ଷେପ ଏବେ ମନେ ପଡ଼ିଲେ ଖୁବ୍ ସହ ଲାଗେ ପିଲାଟିର ସାହା ମାଆ । ଯୋଉ ପିଲାର ମାଆ ନଥାଏ ଭୂତ ପ୍ରେତମାନେ ତା’ ଚାରିପାଖେ ଭିନ୍ନ ଭିନ୍ନ ବେଶରେ ବୁଲୁଥାନ୍ତି । ଆମ ପିଲାଟାକୁ ପ୍ରଭୁ ଲକ୍ଷ୍ମୀନାରାୟଣ ସାହା ବୋଲି ତାକୁ ଛୁଇଁ ପାରୁନାହାନ୍ତି, ମାତ୍ର କୁକୁର, କେବେ ଶିଆଳ(ଶୃଗାଳ) କେବେ ବିଲେଇ ରୂପ ଧରି । ସେଦିନର ବିଲେଇଟି ମଧ୍ୟ ଗୋଟିଏ ପ୍ରେତାତ୍ମା ଥିଲା ।
୧୯୭୨ ମସିହାରେ ପୋଷ୍ଟ ଗ୍ରାଜୁଏଟ୍ କରିବା ପାଇଁ ଅପ୍ଥାଲ୍ମିକ୍ ଫିଜିଓଲୋଜି ପଢ଼ିବା ସମୟରେ ଜାଣିଲି ଯେ ବିଲେଇ ଏବଂ କୁକୁରମାନଙ୍କ ଆଖି ଭିତରେ “ଟାପେଟମ୍ ଲୁସିଡ଼ମ୍” ନାମକ ଗୋଟିଏ ଲେୟାର୍ ଥାଏ, ଯାହା ସେମାନଙ୍କର ପିଉପିଲ୍ ମାଧ୍ୟମରେ ଲାଇଟ୍ ରିଫ୍ଲେକ୍ଟ କରେ । ଯାହା ବ୍ଲୁ କଲର୍ ଅର୍ଥାତ୍ ନୀଳରଙ୍ଗର ।
୧୯୭୭ ମସିହାର ଆଉ ଏକ ଘଟଣା । ଯାହା ମତେ ପିଲାଦିନର ଭୂତ ପ୍ରେତ ମହିମା ବିଷୟରେ ମୋ ମନରେ ଥିବା ମହିମାକୁ ଦୂରୀଭୂତ କରିଥିଲା । ମୋର ଗୋଟିଏ ମାତ୍ର ପୁଅ । ବହୁ ବାଧା କ୍ରମେ ଜନ୍ମ ହୋଇଥିଲା । “ଲୋ ବାର୍ଥ ୱେଟ୍” ଏବଂ “ଟପ୍ ଫିଡ୍” ବାରମ୍ୱାର ତା’ ଇନ୍ଫେକ୍ସନ୍ର କାରଣ ହେଉଥିଲା । ମାତ୍ର କେଇଟା ସପ୍ତାହରେ ସେ ବହୁବାର ଶିଶୁ ବିଭାଗ ୱାର୍ଡରେ ଭର୍ତ୍ତି ହୋଇ ସାରିଥିଲା । ଶେଷରେ ସମସ୍ତେ ଆଶା ଛାଡ଼ି ଦେଲେ । ଏଇ ଘଟଣାଟିରେ ମୁଁ ମାନସିକ ସକ୍ର ଆକ୍ରାନ୍ତ ହୋଇଥିଲି । ମୋର ଜଣେ ଆତ୍ମୀୟଙ୍କର ଟିପ୍ପଣୀ ଥିଲା, ପିଲା ତ ଠିକ୍ ହେଲାଣି । ଇଏ ଯେମିତି ମା’କୁ ହରାଇ ଥିଲା ସେଇ କଥାର ପୁନରାବୃତ୍ତି ହେବ । ଏଇ ରୋଗୀଣା ଛୁଆଟାର ତତ୍ତ୍ୱାବଧାନ କିଏ କରିବ । ମୋର ସିନିୟର୍ ଡା. ମାଲବୀୟାଙ୍କୁ ଘରକୁ ଆସିବାକୁ ଅନୁରୋଧ କରିଥିଲି । ମୋ ସଙ୍ଗେ କଥାବାର୍ତ୍ତା କରି କହିଲେ, “ତୁମେ ପିଲାର ଅବସ୍ଥା ଦେଖି ସକ୍ ପାଇଯାଇଛ । ଯାହା ସାର୍କୁଲେଟୋରୀ ସକ୍ ନୁହେଁ ତୁମର ଜୀବନ ନେବ । ଏହା ହେଉଛି ଇମୋସ୍ନାଲ୍ ସକ୍ । ନିଜକୁ ଦୃଢ଼ କର ପିଲାକୁ ଭଲରେ ରଖିପାରିବ ।” ସେଇ ଥିଲା ମୋର ଶେଷ ଇମୋସ୍ନାଲ୍ ସକ୍ । ପିଲାଦିନ କଥା ମନେ ପକାଇ ମୁଁ ଏକ ସିଦ୍ଧାନ୍ତରେ ନିଶ୍ଚିତ ଭାବେ ଉପନୀତ ହୁଏ ଯେ, ସେଇ ଭୂତ ପ୍ରେତର ଭୟ ମତେ ପିଲାଦିନେ ଇମୋସ୍ନାଲ୍ ସକ୍ ଦେଉଥିଲା ।
ସମୟ କ୍ରମେ ଇମୋସ୍ନାଲ୍ ସକ୍ ତ ଦୂରକଥା, ମୋ ଆଖିରେ ଲୁହ ଦେଖିବା ବି ବର୍ତ୍ତମାନ ସମ୍ଭବ ହୁଏ ନା ।
ପିଲାଦିନର ସେଇ ଭୂତ ଦର୍ଶନ । ଏପିସୋଡ୍ ପରେ ମୁଁ ରାତିରେ ଠାକୁର ଘରେ କିମ୍ୱା ଠାକୁର ଘର ବାରଣ୍ଡାରେ (ଘରଟି ପକ୍କା ଏବଂ ଉପରେ କାଠ ଛାତ, ତେଣୁ ଭୂତ ବସିବା ପାଇଁ ଫାଙ୍କ ନଥାଏ) ଶୋଇବା ଆରମ୍ଭ କରିଦେଲ । ଯିଏ ନିଜ ବିଛଣା ବ୍ୟତୀତ ଅନ୍ୟ କେଉଁଠି ରାତିରେ ଶୋଇ ପାରେନା, ତା’ର ଏକ ବ୍ୟତିକ୍ରମ, ଅର୍ଥାତ୍ ତା’ର ଆଧ୍ୟାତ୍ମିକତା ଉପରେ ଦୃଢ଼ ବିଶ୍ୱାସ ଜାଗି ଉଠିଛି କହି ବାପା ନିଜର ପ୍ରସନ୍ନତା ପ୍ରକାଶ କଲେ ।
– ତା’ପରେ –