କାକୋଲୀ ମତେ ବଙ୍ଗଳା ଶିଖିବାରେ ସାହାଯ୍ୟ କଲା । ଇଂରାଜୀ କିଏ ଶିଖାଇବ ?
-: ପୂର୍ବରୁ :-
ପୁରୀରେ ଆମେ ଗୋଟିଏ ଦୋତାଲା ଘରେ ରହୁଥିଲୁ । ତଳ ମହଲାରେ ନନାଙ୍କର ଅଫିସ୍ ଘର ଏବଂ ଅନ୍ୟଟିରେ ତାଙ୍କର ଜଣେ ବନ୍ଧୁ ରହନ୍ତି । ଉପର ମହଲାରେ ଆମେ । ଆମ ଦୁଇ ଭଉଣୀଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ରୁମ୍ ଥିଲା । ଦୁଇ ପାଖେ ଝରକା । ପୂର୍ବ ଝରକା ପାଖେ ବସିଲେ ସାମ୍ନାରୁ କୋର୍ଟର ଚାଲି ଚଳଣୀ ଦେଖାଯାଏ । ଏମିତିକି ପରିସର ଶାନ୍ତ ଥିଲେ ”ହାଜିର ହୋ” ଶୁଣା ଯାଇଥାଏ । ଦକ୍ଷିଣ ଝରକା ପାଖରୁ ସମୁଦ୍ରର ସୌନ୍ଦର୍ଯ୍ୟ ଖୁବ୍ ମନୋରମ । ମୁଁ ନିଜ ଖଟଟି ଦକ୍ଷିଣ ଝରକା ପାଖକୁ ରଖି, ଅନ୍ୟଟିକୁ ସୁଶୀନାନୀର ବୋଲି ବ୍ୟକ୍ତି କଲି । ବଡ଼ନନା ସବୁ ଅଫିସର୍ମାନଙ୍କ ଝିଅମାନେ ମଧ୍ୟ ମୋ ଠାରୁ ବୟସରେ ବଡ଼ ଥିଲେ । ତଥାପି ମଧ୍ୟ ମୁଁ ସେମାନଙ୍କ ସହ ବନ୍ଧୁତା ଜମାଇ ଥିଲି । ପୁରୀରେ ପ୍ରାୟତଃ ବହୁଭାଗ ବଙ୍ଗାଳୀ । କାକୋଲୀ ମୋର ଖୁବ୍ ଅନ୍ତରଙ୍ଗ । ସେ ମୋ ଠାରୁ ତିନିବର୍ଷ ବଡ଼ । ସେଠାରେ ଗୋଟିଏ ନୂଆକଥା ଶିଖିଲି । ଆମ ଓଡ଼ିଆମାନଙ୍କ ଭଳି ସେମାନେ ବନ୍ଧୁକୁ ତୁ ସମ୍ୱୋଧନ କରନ୍ତିନି । ସେମାନଙ୍କୁ ତୁମେ କହିଥାଏ । ମୁଁ ସାନ ହେଲେ ମଧ୍ୟ ସେମାନେ ମତେ ତୁମେ କହିଥାନ୍ତି । କେତେଦିନ ଭିତରେ ଏଇ ”ତୁମେ”କୁ ମୁଁ ”ତୁ”ରେ ପରିବର୍ତ୍ତନ କରାଇ ଦେଇଥିଲି ।
କାକୋଲୀ ମତେ ନେଇ ନାରୀ ସେବା ସଦନରେ ସିଲାଇ କ୍ଲାସରେ ଭର୍ତ୍ତି କଲା । ଖୁବ୍ ଶୀଘ୍ର ବହୁ ସିଲାଇ, କଟିଂ ପ୍ରଭୃତି ଶିଖିଗଲି । କାକୋଲୀ ମଧ୍ୟ ସେଠାକୁ ସନ୍ଧ୍ୟାରେ କଟିଂ ଶିଖିବାକୁ ଆସୁଥିଲା । ତା’ର ଏକମାତ୍ର ଦୁଃଖ ଥିଲା ମୁଁ କାହିଁକି ସ୍କୁଲ୍ ଯାଉନି । ଏ ସମ୍ୱନ୍ଧରେ ତା’ ବାପାଙ୍କର ମୋ ନନାଙ୍କ ସଙ୍ଗେ ଆଲୋଚନା ମଧ୍ୟ ଶୁଣିଛି । ଥରେ ତାକୁ ମୁହଁ ଖୋଲି କହିଥିଲି, ”ଦେଖ୍ କାକୋଲୀ, ତୁ ଅଷ୍ଟମରେ ପଢୁଛୁ । ମୁଁ ତ ମାତ୍ର ତୃତୀୟ ପାସ୍ ।” ସେ ଦୁଃଖ କରେ, କହେ ”ମୁଁ ତତେ ସ୍କୁଲ୍ରେ ଝୁରୁଛି ।” ମନେ ମନେ ମୁଁ ମଧ୍ୟ ଦୁଃଖ କରେ । ସାଙ୍ଗମାନଙ୍କ ଠାରୁ ଶିକ୍ଷାରେ ମୁଁ କେତେ ପଛରେ ରହିଛି । ବଡ଼ନନାଙ୍କ ପାଖେ ଗୁହାରୀ କରେ, ମୁଁ ସ୍କୁଲ୍ ଯିବି ।
ନନା ଉତ୍ତର ଦିଅନ୍ତି ଏଇଟା ତ ଆଡ଼ମିଶନ୍ ଟାଇମ୍ ନୁହେଁ । ଆସନ୍ତା ବର୍ଷକୁ (ସେସନ) କରାଇବା । ମାତ୍ର ତୁ କ’ଣ ଚତୁର୍ଥରେ ପଢ଼ିବୁ ? ତୋ ଏଠା ସାଙ୍ଗମାନେ ସମସ୍ତେ ଅଷ୍ଟମରେ । ତୋ ପାଇଁ ମୁଁ ଯେଉଁ ବହି ଗୁଡ଼ିକ ଆଣି ଦେଇଛି ଦୁହେଁ ତାକୁ ବସି ବସି ପଢ଼ ।
ମୋ ପାଖେ କିଛି ଉତ୍ତର ନ ଥାଏ । ବାଧ୍ୟତଃ ନନା ଆଣି ଦେଇଥିବା ବହୁ ଗୁଡ଼ିକ ଧରି ବସେ । ଏ, ବି, ସି, ଡି ଲେଖିବା ଆରମ୍ଭ କରେ । ମାତ୍ର ଦୁଇ ତିନିଥର କରିବା ପରେ ହାଇ ଆସେ, ପରେ ପରେ ନିଦ ।
ନୂଆ ଚାକିରୀ ବୋଲି ହୁଏତ ନନା ପ୍ରାୟତଃ ସବୁବେଳେ ବ୍ୟସ୍ତ ରହନ୍ତି । କେବଳ ଖାଇବା, ଶୋଇବା ସମୟ ବ୍ୟତୀତ ଉପରକୁ ଆସନ୍ତିନି । ବହୁ ସମୟରେ ଛୁଟି ଦିନମାନଙ୍କରେ ମଧ୍ୟ ଅଫିସ୍ ଘରେ ଫାଇଲ୍ ଗଦା ଭିତରେ ମିଶି ଯାଇଥାନ୍ତି । ତେଣୁ ମୋ ଏ, ବି, ସି, ଡି ର ପ୍ରଗତି ହେଉ ନ ଥିଲା ।
ୟା ଭିତରେ ମୁଁ ସିଲାଇ, କଟିଂ, ଉଲ୍ ବୁଣିବା କାମରେ ପାରଦର୍ଶିତା ଲାଭ କରି ସାରିଥିଲି । ଏମିତି କି ନାରୀ ସେବା ସଦନର ଶିକ୍ଷୟିତ୍ରୀମାନେ ବହୁ ସମୟରେ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ମୋର ଉଦାହରଣ ଦେଇଥାନ୍ତି । ଏସବୁ ମୋ ପାଇଁ ଭଲ କି ମନ୍ଦ ଥିଲା ଜାଣେନା, ମାତ୍ର ମୋର ସହ ଶିକ୍ଷାର୍ଥିନୀମାନେ ମନ୍ତବ୍ୟ ଦେଇଥାନ୍ତି । ତା’ର ତ ଆଉ କିଛି କାମ ନାହିଁ । ମୁଣ୍ଡ ଉପରେ ପାଠପଢ଼ାର ଚାପ ଥିଲେ ଦେଖନ୍ତେ କେମିତି ଆମ ଆଗରେ ରହନ୍ତା !
ସେଦିନ ନାରୀ ସେବା ସଦନରୁ କାକୋଲୀ ମତେ ସମୁଦ୍ରକୂଳକୁ ଡାକି ନେଲା । ମେ’ ମାସ ଖରା ବହୁତ ତଥାପି ଦୁହେଁ ଏକାଠି ଯାଇଥିଲୁ । ବେଳାଭୂମିରେ ବସି ସମୁଦ୍ରର ଶୋଭା ଉପଭୋଗ କରୁ କରୁ କେତେବେଳେ ଖରା ଚାଲିଯାଇଥିଲା ଆମେ ଜାଣିପାରି ନଥିଲୁ । କାହିଁକି କେଜାଣି ମୁଁ ଅନୁଭବ କଲି କାକୋଲି ଅପେକ୍ଷାକୃତ ଗମ୍ଭୀର । କାରଣ ପଚାରିବାରୁ କିଛି ନ କହି ଚେନାଚୁର୍ ବାଲାଠୁ ଦୁଇଟା ଚେନାଚୁର୍ ପ୍ୟାକେଟ୍ ଆଣିଲା । ହାତବୁଣା ମାଳୀ ପର୍ସରୁ ପଇସା ବାହାର କରୁଥିଲି, କହିଲା ”ଏହା ମୋ ତରଫରୁ ବିଦାୟୀ ଉପଲକ୍ଷେ” ବୁଝିପାରିଲିନି, ଚେନାଚୁର ପାଟିରେ ପକାଇ ପକାଇ ସବୁ ବ୍ୟକ୍ତ କରିଦେଲା । ପାଟିକୁ ଯାଉଥିବା ଚେନାଚୁର୍ ଦାନା ଦୁଇଟି ସେମିତି ମୋ ହାତରେ ରହିଗଲା ।
ତୁ ପୁରୀ ଛାଡ଼ି ସବୁଦିନ ପାଇଁ ଚାଲିଯିବୁ କାକୋଲୀ । ମୋ ଆଖି ସଜ୍ଜଳ ହେଲା । ସେ ଆଡ଼େ ଦୃଷ୍ଟି ନ ଦେଇ ସେ କହିଲା, ”ତୋର କ’ଣ ଅସୁବିଧା ? ତୋର ତ ଏ ବର୍ଷ ସ୍କୁଲରେ ନାମ ଲେଖା ହେବ । କେତେ କେତେ ସାଥି ବାଛିନେବୁ । ମୁଁ ପୁରାପୁରି ଏକା ହୋଇଯିବି ।” କାକୋଲୀ ଦିଦି ବାହା ହୋଇ ଶାଶୁଘର ଚାଲିଯିବ । ଦାଦା ଅଫିସ୍ ଯିବେ । ମୁଁ ଏକା ଏକା ଶଯ୍ୟାଶାୟିନୀ ଠାକୁମା’ଙ୍କର ସେବା କରିବି । ମୋ ପାଠ ପଢ଼ାରେ ମଧ୍ୟ ଇତି ହେବ । ତୁ କିନ୍ତୁ ମତେ ନିୟମିତ ଚିଠି ଲେଖିବୁ ।
କାକୋଲୀ ପାଖକୁ ଚିଠି ଲେଖିବି । ମାତ୍ର କେଉଁ ଭାଷାରେ ? ଓଡ଼ିଆ ପଢ଼ିବା ତ ଦୂର କଥା ସେ ଓଡ଼ିଆ ସ୍ପଷ୍ଟ କହିବି ପାରେନା । ଯଥା କଥା ବୁଝିଯାଏ ବଙ୍ଗଳା ମଧ୍ୟ ମୋ ପାଇଁ ଦୁଷ୍କର । ବାରମ୍ୱାର ପ୍ରୟାସ କରି ଏବେ ବଙ୍ଗଳା ବୁଝିପାରୁଛି ମାତ୍ର ।
ମତେ ନିରବ ରହିବା ଦେଖି କାକୋଲି କହିଲା, ”ତୋର ଅସୁବିଧା ରହିଲା କେଉଁଠି ?” ସିଲେଇ ଶିଖିଲା ଭଳି ବଙ୍ଗଳା ଲେଖିବା ଶିଖି ଯା’ । ଯାହା ଲେଖିବା କଥା ବଙ୍ଗଳା ଅକ୍ଷରରେ ଲେଖି ଦେଲେ ମୁଁ ପଢ଼ି ବୁଝିଯିବି । ବଙ୍ଗଳା ପଢ଼ି ପାରିଲେ ତୋର ମଧ୍ୟ ମୋ ଚିଠି ପଢ଼ିବାରେ ଅସୁବିଧା ହେବନି ।”
ଆଜି ମନ୍ଦିରରୁ ଫେରିବ ସମୟରେ ୩୦ ଦିନରେ ବଙ୍ଗଳା ଶିଖ ବହି ଖଣ୍ଡିଏ ବଡ଼ଦାଣ୍ଡରୁ କିଣି ଆଣିଲି । କାକୋଲୀ ସାହାଯ୍ୟରେ ମୁଁ ପନ୍ଦର ଦିନରେ ସବୁ ଅକ୍ଷର (ଅ ଠାରୁ କ୍ଷ) ଲେଖିବା ଶିଖି ଯାଇଥିଲି । ପରେ ପରେ ମାତ୍ରା ଏବଂ ଯୁକ୍ତାକ୍ଷର । ସେ ଚାଲିଯିବା ପରେ ମୁଁ କେମିତି ଏକା ହୋଇଯିବି ତାହା ତା’ ପାଖକୁ ବଙ୍ଗଳାରେ ଲେଖିଥିଲି । ସେଇ ଚିଠିଟି ବଡ଼ନନାଙ୍କ ଆଖିରେ ପଡ଼ିଲା । ପ୍ରଶ୍ନ କଲେ, ”ତୁ ବଙ୍ଗଳାରେ ଲେଖିଛୁ ? ତେବେ ଇଂରାଜୀ କାହିଁକି ଶିଖିପାରୁନୁ ?”
କାକୋଲୀ ମତେ ବଙ୍ଗଳା ଶିଖିବାରେ ସାହାଯ୍ୟ କଲା । ଇଂରାଜୀ କିଏ ଶିଖାଇବ ?
”ଓ” ମଡ଼ାଇଲା ଭଳି ଅକ୍ଷର ଗୁଡ଼ିକୁ ଲେଖି ମଡ଼ା । ତା’ପରେ ଦେଖିବା ।
ବଡ଼ସାର୍ ଆଉ ପ୍ରତିନାନୀଙ୍କ ସହ ସାକ୍ଷାତ୍ :-
ପ୍ରଫେସର ଘନଶ୍ୟାମ ସାମଲ (ବଡ଼ସାର୍) ସେତେବେଳେ ପୁରୀ ସାମନ୍ତ ଶେଖର କଲେଜ୍ରେ ଗଣିତରେ ଆଚାର୍ଯ୍ୟ ଥିଲେ, ଆଉ ପ୍ରତିନାନୀ (ପ୍ରତିଭା ରଥ) ଗଣିତରେ ରିଡ଼ର । ବଡ଼ସାର୍ ବଡ଼ନନାଙ୍କର ଗଣିତ ଅଧ୍ୟାପକ ଥିଲେ । କେବଳ ସେତିକି ନୁହେଁ ସେ ତାଙ୍କର ପ୍ରିୟ ଛାତ୍ର ଥିଲେ । ତାଙ୍କ ଜରିଆରେ ସେ ପ୍ରତିନାନୀଙ୍କ ସଂସ୍ପର୍ଶରେ ଆସିଥିଲେ । ମୁଁ ବଡ଼ସାର୍ଙ୍କୁ ଭୟ କରୁଥିଲେ ମଧ୍ୟ ପ୍ରତିନାନୀଙ୍କ ସଙ୍ଗେ ଖୁବ୍ ଭଲ ଭାବେ ମିଶି ଯାଇଥିଲି । ପ୍ରତ୍ୟେକ ରବିବାର ବଡ଼ସାର୍ଙ୍କ ଘରେ ବ୍ରିଜ୍ ଖେଳ ହୁଏ । ତେଣୁ ମୁଁ ମଧ୍ୟ ବଡ଼ନନାଙ୍କ ସଙ୍ଗେ ପ୍ରତ୍ୟେକ ରବିବାର ତାଙ୍କ ଘରକୁ ଯାଇଥାଏ । ସେଠାକୁ ଯିବାରେ ମୋ ଦୁଇଟି ଆକର୍ଷଣ । ପ୍ରଥମ ହେଲା ତାଙ୍କ ବଗିଚାର ମାଳତୀ ଗଛ । ବର୍ଷର ୩୬୫ ଦିନ ଗଛଟି ଫୁଲରେ ଲଦି ହୋଇଥାଏ । ବାସ୍ନାରେ କେବଳ ବଗିଚା ନୁହେଁ । ଖଣ୍ଡ ମଣ୍ଡଳରେ ବ୍ୟାପୀ ଯାଇଥାଏ । ଦ୍ୱିତୀୟ ହେଲା ପ୍ରତିନାନୀ ଖୁବ୍ ଭଲ ପକୁଡ଼ି ତିଆରି କରନ୍ତି । ତେଣୁ ତାଙ୍କ ରାନ୍ଧୁଣୀ ଯେତେ ଯାହା ଜଳଖିଆ ପ୍ରସ୍ତୁତ କରିଥିଲେ ମଧ୍ୟ ପ୍ରତିନାନୀଙ୍କ ହାତ ତିଆରି ପକୁଡ଼ି ଉପରେ ସମସ୍ତଙ୍କର ଲୋଭ । ମୋର ସବୁଠୁ ବେଶୀ । ତାସ୍ ଖେଳ ସ୍ଥାନରେ ଜଳଖିଆ ଟ୍ରେ’ ନେଇ ରଖିବାକୁ କହିଥାନ୍ତି । ମୁଁ ଭୟ ପାଇଲେ ମତେ କହନ୍ତି, ”ଧରି ନେ ଏଟା ତୋର ଗୋଟାଏ ଟ୍ରେନିଂ । ବଡ଼ ବଡ଼ ଲୋକମାନଙ୍କର ସାଦର ଅଭ୍ୟର୍ଥନା କେମିତି କରାଯାଏ ଶିଖିଯିବୁ ।” ବଡ଼ସାର୍, ପ୍ରତିନାନୀ ବହୁତ ମୋଟା । ସେମାନେ କାହିଁକି ଅନ୍ୟମାନଙ୍କ ଅପେକ୍ଷା ଏତେ ବେଶୀ ମୋଟା ବଡ଼ନନାଙ୍କୁ ପଚାରିଥିଲି । ସଂକ୍ଷିପ୍ତରେ ଉତ୍ତର ଦେଲେ, ”ବପୁରେ କେବଳ ଗଣିତ ଭର୍ତ୍ତି ହୋଇଛି ।”
ସତକଥା ତ, ଇଏ କାହିଁକି ମୋ ମୁଣ୍ଡକୁ ଆସି ନ ଥିଲା । ପ୍ରତିନାନୀଙ୍କ ଠାରୁ ବଡ଼ସାର୍ ଆହୁରି ମୋଟା । କାରଣ ସେ ବିଷାରଦ । ପରକ୍ଷଣରେ ଉଦାସ ହୋଇଗଲି । ଭବିଷ୍ୟତରେ କେବେ ଯଦି ମତେ ପାଠ ପଢ଼ିବାର ସୁଯୋଗ ଆସେ ମୋ ଦ୍ୱାରା ଗଣିତ ଜମା ହେବନି । କାରଣ ହେଲା ମୁଁ ଅସମ୍ଭବ ଧରଣର ପତଳା ।
ଆଶାର ପ୍ରତ୍ୟାଶା :-
କେଉଁ ପୁରାଣରେ ପଢ଼ିଥିଲି ମୋର ଆଜି ମନେ ପଡୁନି । ମାତ୍ର କଥାଟି ହେଲା କାହାର ଯଦି ତୁମଠାରୁ କିଛି ପ୍ରତ୍ୟାଶା ରହିଛି ତାହା ପୂର୍ଣ୍ଣ କରିବା ଅର୍ଥାତ୍ ତୁମେ ଈଶ୍ୱରଙ୍କୁ ଖୁସି କରିପାରିବ । ଏଇ ବିଷୟକୁ ନେଇ ମୁଁ ଗାଁରେ ଥିବା ବେଳେ ସାଥିମାନଙ୍କ ସହିତ ବହୁତ ଯୁକ୍ତିତର୍କ ହୁଏ । ଦୁରିଆ ନାନୀ କହିଲା, ”ଯେତେ ସବୁ ବାଜେ କଥା । ଚୋର ତୁମ ଘରୁ ଚୋରି କରିବାର ଆଶା ରଖିଥିବ ଯଦି ତୁ ତାକୁ ଘର ସିନ୍ଦୁକର ଚାବି ଦେଇଦେବୁ । ନବନନା କହେ ମାଙ୍କଡ଼ ତତେ କାମୁଡ଼ିବାକୁ ଚାହୁଁଛି । ତୁ ଯାଇ ତା’ ଗାଲ ଆଉଁସି କହିବୁ, ମାଙ୍କଡ଼, ଏ ମାଙ୍କଡ଼ ! ଏ ମୋ ହାତ ନେ, କାମୁଡ଼ିବାକୁ ଇଚ୍ଛା କରିଛୁ ପରା ।” ତା’ପରେ ସମୂହ ହସଗୋଳ । ବଡ଼ ବଡ଼ ଛୁଞ୍ଚିରେ ପେଟରେ ତେରଟା ଇେଞ୍ଜକସନ୍ ।
ଅପମାନିତା ହୋଇଥିଲେ ମଧ୍ୟ ମୋ କହିବା କଥାକୁ ଦୃଢ଼ ରଖିବା ପାଇଁ କହେ ”ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର” । ଏ ହେଲା ଭାଗବତ ବାଣୀ । ଆମେ ଯଦି ବିଶ୍ୱାସରେ ଚୋରକୁ ଚାବି ଦେବା ସେ ଚୋରୀ କରିବ କି ନାହିଁ କହିପାରିବିନି, ମାତ୍ର ଭଗବାନ ଆମ ସିନ୍ଦୁକକୁ ଶହେଗୁଣାରେ ଭର୍ତ୍ତି କରିଦେବେ । ଆଉ ଏମିତି ତର୍କ କଲେ ଆମେ ଦିନେ ଦୂରେଇ ଦୂରେଇ ରହିବା ।
ଆଜି ମୁଁ ଯେଉଁ ଆଶା କଥା ଲେଖୁଛି ସେ ହେଲା ପୁରୀ ସେକେଣ୍ଡ ଅଫିସର୍ଙ୍କର ବଡ଼ ଝିଅ ଆଶା । ପୁରୀ ଗାର୍ଲସ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢ଼େ । ଖୁବ୍ ଭଲ ନାଚେ । ହେଲେ ମୋଟୀ ବୋଲି ତା’ ନାଚ କେହି ପସନ୍ଦ କରନ୍ତିନି ।
ଆମେ ଶାରଦା ଦେବୀ ରୋଡ୍ର ଛକରେ ରହୁ । ଦୁଇଟା ଘର ଛାଡ଼ି ସେମାନେ ରହନ୍ତି । ସେଇ ହେଲା ମୋର ଏକମାତ୍ର ଓଡ଼ିଆ ସାଙ୍ଗ । ତାକୁ ବଙ୍ଗାଳି ଝିଅମାନଙ୍କ ସଙ୍ଗେ ବନ୍ଧୁତା ରଖିବାକୁ ଭଲ ଲାଗେନା, କାହିଁକି ନା ସେମାନେ ତା’ ନାଚ ବିଷୟରେ ବହୁ ସମାଲୋଚନା କରନ୍ତି, ପରିହାସ କରନ୍ତି ମଧ୍ୟ । ତେଣୁ ଆଶା ସହିତ ମୋର ବନ୍ଧୁତା ନିବିଡ଼ ଥିଲେ ମଧ୍ୟ ଘନ ଘନ ଦେଖା ହୋଇ ପାରେନା ।
– ତା’ପରେ –