ମୁଁ କଟକରେ ଚାକିରି କରିଥାଏ । ପ୍ରତିଦିନ ସକାଳୁ ଭୁବନେଶ୍ଵରରୁ କଟକ ଟ୍ରେନରେ ଯିବା ଏକ ଅଭ୍ୟାସଗତ । ମୁଁ ପ୍ରତିଦିନ ସକାଳୁ ମୋର କର୍ମସ୍ଥଳୀକୁ ଚାଲିଯାଏ । ଏତେ ଭିଡ଼ ଭିତରେ କେହି କାହାରିକୁ କଥା ହେବା ପାଇଁ ସମୟ ନଥାଏ । କେତେ ଭିକାରୀ ସେଠି ଭିକ୍ଷା କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ଏତେ ଗହଳି ଭିତରେ ଜଣେ ବୁଢ଼ୀ ମାକୁ ଦେଖିବାକୁ ପାଏ ଏବଂ ସମସ୍ତଙ୍କ ଭିଡରୁ ବୁଢ଼ୀ ମା ପ୍ରତି ମୋର ଦୁର୍ବଳତା ଆସିଗଲା ଏବଂ ମୁଁ ବୁଢ଼ୀ ମାଉସୀକୁ ଦଶ ଟଙ୍କା ଦେଇଦେଲି । ମୁଁ ମୋର ନିତିଦିନ ପରି ବୁଢ଼ୀ ମାଉସୀ କୁ ଖୋଜେ ଏବଂ ଦଶ ଟଙ୍କା ଦିଏ । ଏଥର ମୋର ଅଫିସ୍ ଛୁଟି ଥାଏ ମୋର ଭଣଜାକୁ ଆଣିବା ପାଇଁ ଷ୍ଟେସନ୍ ଯାଇଥାଏ । ବୁଢ଼ୀ ମାଉସୀ ଦେଖା ହେବାରୁ ଦଶ ଟଙ୍କା ଦିଏ ଏବଂ ଖୁସିରେ ଚାଲିଯାଏ ।
ଟ୍ରେନ ବିଳମ୍ବ ହେବାରୁ ବୁଢ଼ୀ ମାଉସୀ ପଛରେ ଗଲି ଏବଂ ଦେଖେତ ଯେଉଁ ଭିକ୍ଷା ସେ ମାଗିଥାଏ ସେ ଭିକ୍ଷା ଟଙ୍କାରେ ଗରିବ ଓ ଅସହାୟ ପିଲାମାନଙ୍କୁ ଏବଂ ଅସମର୍ଥ ବ୍ୟକ୍ତିଙ୍କୁ ବାଣ୍ଟିଦିଏ । ନିଜେ ସେ ପଇସାରେ ନ ଖାଇ ଷ୍ଟେସନରେ ପଡ଼ିଥିବା ସେ ଅଇଁଠାକୁ ଗୋଟାଇ ସେହି ଖାଦ୍ୟକୁ ଖୁଣ୍ଟି କରି ଖାଏ ଏବଂ ଅନ୍ୟ ମାନଙ୍କୁ ଫଳ,ମୂଳ, କ୍ଷୀର ଇତ୍ୟାଦି ଖାଇବାକୁ ଦିଏ । ଏକଥା ଦେଖି ମୋ ମନରେ ବିଭିନ୍ନ ପ୍ରଶ୍ନ ଭଙ୍କି ମାରୁଥାଏ, ତାପରେ ଭାବେ, ହେଉ ଛାଡ଼ ପାଗିଳିଟିଏ ହୋଇଥିବ ବୋଧେ । ସେହଦିନଠାରୁ ବୁଢ଼ୀ ମା କୁ ସର୍ବ ପ୍ରଥମେ ଖୋଜି ଥାଏ ଏବଂ ଦଶ ଟଙ୍କା ଦିଏ । ଏହିପରି ଅନେକ ଦିନ ଚାଲି ଯାଇଥାଏ ।
କିଛି ଦିନ ହେବ ସେ ବୁଢ଼ୀ ମା ଦେଖିବାକୁ ପାଇଲିନି । ମନରେ ନାନା ପ୍ରଶ୍ନ ଆସୁଥାଏ । ମନଟା ଅଶାନ୍ତ ଓ ଭଲ ଲାଗୁ ନଥାଏ । ମୁଁ ଆଉ ସହ୍ୟ ନ କରି ପାରି ସେ ଅଞ୍ଚଳରେ ଖୋଜା ଖୋଜି କରିବାରୁ ହୋଟେଲ ମାଲିକ ବୁଢ଼ୀ ମାର ରହିବା ସ୍ଥଳୀକୁ ବତାଇ ଦେଲେ । ଯେଉଁ ହୋଟେଲରେ ପ୍ରତିଦିନ ବାସନ ମାଜେ । କିଛି ନ ଭାବି ସିଧା ଚାଲିଲି ବସ୍ତିର ଶେଷମୁଣ୍ଡକୁ । ଯେଉଁଠି ବୁଢ଼ୀର ଜରିଟଣା ଛୋଟିଆ କୋଡ଼ିଆ ଟିଏ । ଘର ଭିତରକୁ ନଇଁ ନଇଁ ଯାଇ ଦେଖେତ ଘର କହିଲେ ଛିଣ୍ଡା ମସିଣା, ଚକିଆ ଟିଏ ଓ ଭଙ୍ଗା ଥାଳିଟିଏ । ବୁଢ଼ୀ ଶୋଇଥିଲା ଏବଂ ତା ହାତ ଧରି କହିଲି “ଇସ୍ ମାଉସୀ ତୋର ଦେହରେ ପ୍ରବଳ ଗରମ ଓ ଭୀଷଣ ଜ୍ୱର । ଔଷଧ ଖାଇଛୁ, ଉପାସରେ ନାହୁଁ ତ ?” କିଛି ନ ଭାବି ସିଧା ଦୌଡ଼ିଗଲି ବୁଢ଼ୀ ପାଇଁ ଔଷଧ, କ୍ଷୀର ଏବଂ ପାଉଁରୋଟି ଆଣିବାକୁ । ଔଷଧ ଆଣି ଖାଇବାକୁ ଦେଲି ।
ବୁଢ଼ୀ ମା ଟିକିଏ ଭଲ ହେଲା ପରେ ମୁଁ ପ୍ରଶ୍ନ ପଚାରିଲି – ମାଉସୀ ତୁ ଯେଉଁ ଭିକ୍ଷା ମାଗୁ ନିଜେ ନ ଖାଇ ଗରିବ ପିଲାମାନଙ୍କୁ ବାଣ୍ଟି ଦେଇ ପରର ଅଇଁଠା ଗୋଟାଇ କାହିଁକି ଖାଉ । ବୁଢ଼ୀ ମାଉସୀର ଆଖ୍ ଛଳ ଛଳ ହୋଇଗଲା ଏବଂ କହିଲା ବାପାରେ ମୋର ବି ଗୋଟିଏ ପୁଅ ଅଛି ଏବଂ ବୋହୂ । ଉଭୟ ଡାକ୍ତର ଅଛନ୍ତି । ପୁଅକୁ ମୁଁ ପରଘର କାମ କରି ଏବଂ ମୋର ଗୋଟିଏ କିଡନୀ ଦାନ କରି ଡାକ୍ତର କରିଛି । ମୋର ସ୍ୱାମୀର ଇଚ୍ଛା ଥିଲା ପୁଅକୁ ଡାକ୍ତର କରାଇବା ପାଇଁ ଏବଂ ଗରିବ ଲୋକଙ୍କୁ ମାଗଣାରେ ଟିକିତ୍ସା କରିବ । ପୁଅକୁ ଡାକ୍ତର କରିଲି ଏବଂ ବୋହୂ ଘରକୁ ଆସିଲା ପରେ ମୁଁ ସେମାନଙ୍କ ପାଇଁ ବୋଝ ପରି ଲାଗିଲି । ସେମାନଙ୍କ ସହ ଖାପ ଖୁଆଇ ହୋଇ ଚଳି ପାରିବିନି । ବୋହୂ ମୋର ପୁଅର କାନକୁ ସବୁବେଳେ ଫୋଡ଼ିଲା ଏବଂ ପୁଅ ନ ଥିବା ସମୟରେ ମୋତେ ଖାଇବାକୁ ଦିଏ ନାହିଁ ଏବଂ ମାଡ଼ ମାରେ । ଏକଥା କହିବି କାହାକୁ ନିଜ ପୁଅ ଓ ବୋହୂର କଥା । ଦିନେ ବୋହୂ କ୍ଷୀର ଚୁଲିରେ ବସାଇ ଥିଲା ଏବଂ କ୍ଷୀର ଫୁଟି ହାତରେ ପଡି ଯିବାରୁ ବୋହୂ ପୁଅକୁ କହିଲା ଯେ ତୁମ ମା ଜାଣି ଶୁଣି ଗରମ କ୍ଷୀର ମୋ ହାତରେ ପକାଇ ଦେଲେ । ପୁଅ ଓ ବୋହୂଙ୍କ ଠାରୁ ବିଧା, ଗୋଇଠା ମାରି ମୋତେ ଘରୁ ତୋଡ଼ିଦେଲେ । ପୁଅ ବୋହୁଙ୍କ ଗୋଇଠା ବିଧାରୁ ସେ ହୋଟେଲର ବାସି ଖାଦ୍ୟ ମୋ ପାଇଁ ଭାରି ସୁଆଦିଆ । ପୁଅ ସିନା ମୋର ହେଲାନି ମୁଁ ପରା ମା, ଯାହାକୁ ଜନ୍ମ କରିଛି ସେହି କଣ ମୋର ପୁଅ ଏମାନଙ୍କୁ ସିନା ମୁଁ ଜନ୍ମ ଦେଇନି ସତ କିନ୍ତୁ ଜଣେ ମାଆର କର୍ତ୍ତବ୍ୟ ତାର ସନ୍ତାନ ମାନଙ୍କର ଭଲ ମନ୍ଦ ବୁଝିବା ଏବଂ ସ୍ନେହ ଆଦ ଦରରେ ରଖିବା ମାଆର ସ୍ନେହ କଣ ସିଏ ଜାଣିଛି ଯାହାର ମା ନାହିଁ ।
ଏମାନେ ତ ସବୁ ମୋର ପିଲା ସେହି ଛୋଟ ଛୋଟ ପିଲାଙ୍କର ଭୋକ ଉପାସ ଦେଖି ଜଣେ ମା କେମିତି ନିଜକୁ ସମ୍ଭାଳି ପାରିବ । ମୋର ପୁଅକୁ ମୋର ସ୍ତନରୁ କ୍ଷୀର ଦେଇ ବଡ କରିଛି ସିଏ ତ ବୁଝି ପାରିଲାଣି । ମୋର ପୁଅକୁ ଯେମିତି ପେଟ କାଟି ପୋଷିଥିଲି, ସେମାନଙ୍କୁ ବି ଦିନେ ସେମିତି ବଡ କରିବି । ଏତିକି କହିବା କ୍ଷଣି ମୁଁ ବୁଢ଼ୀମା ପଚାରି ବୁଝିଲି ଯେ ତାଙ୍କ ପୁଅ କେଉଁ ଡ଼ାକ୍ତରଖାନାରେ ଚାକିରି କରନ୍ତି । ବୁଢ଼ୀର ଦେହରେ ଜ୍ୱରର ତାପମାତ୍ରାରେ ଫୁଟି ଉଠିଲା ଏବଂ କଣ୍ଠରୋଧରେ କହୁଥିଲା ତାର ପୁଅକୁ ଦେଖିବା ପାଇଁ । ମୁଁ ଉକ୍ତ ଡାକ୍ତରଖାନାକୁ ନେଇ ଆଡମିଶନ କରାଇଲି । ବୁଢ଼ୀମା ତାର ପୁଅକୁ ଚିହ୍ନ ପାରିଲା ଏବଂ ପୁଅ ଚିହ୍ନି ପାରୁ ନ ଥାଏ ନିଜ ମା’ କୁ । ଦୁଇ ଚାରି ଦିନ ପରେ ବୁଢୀମାର ମୃତ୍ୟୁ ହେଲା ଏବଂ ବସ୍ତିର ଲୋକମାନଙ୍କ ସହ ମିଶି ମୁଁ ଶବ ସତ୍କାର କରିଦେଲୁ । ବୁଢ଼ୀର ଘରୁ ଏକ ଚିଠିରେ ଲେଖା ହୋଇଥିଲା, ବୁଢୀମା ଏକ ବ୍ୟାଙ୍କରେ କିଛି ଟଙ୍କା ରଖିଥିଲେ ମଲା ପରେ ତାର ପୁଅ ଉକ୍ତ ଟଙ୍କା ପାଇ ପାରିବେ । ଏସବୁ ତାଙ୍କ ପୁଅକୁ ଜଣାଇ ଦେବା ପାଇଁ ଅନ୍ୟ ଏକ ଜାଗାରେ ବୁଢୀମା କିଛି ନୋଟ୍ ରଖୁଥିଲେ । ଏକ ଲକ୍ଷ ଟଙ୍କା ଏହି ଟଙ୍କା ବସ୍ତିରେ ଥିବା ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ । ମୁ ଏହି ସବୁ ବୁଢୀମାର କଥା ତାଙ୍କ ପୁଅକୁ କହିବାରୁ ପୁଅ ନିଜକୁ ଅନୁତପ୍ତ କରିଥିଲେ ଏବଂ କାନ୍ଦିବାକୁ ଲାଗିଲେ । କୋହ ସମ୍ଭାଳି ହେଉନଥାଏ । ମୁଁ ବଡ ଭୁଲ କରି ଦେଇଛି, ମୁ ପୁଅ ଜନ୍ମ ହେବାର ଯୋଗ୍ୟ ନୁହେଁ । ମୁଁ ମୋର ମାଆକୁ ସୁଖ ଦେଇ ପାରିଲି ନାହିଁ । ଏହାପରେ ମାଆର ଶରୀରକୁ ନେଇ ଗଙ୍ଗା ଅସ୍ଥି କରାଇଲେ । ମାଆ ଚାଲିଗଲା ପରେ ମାଆର ସ୍ନେହ, ଆଦର, ମମତା ଜଣା ପଡ଼େ କିନ୍ତୁ ଜୀବିତ ଅବସ୍ଥାରେ ଆମ୍ଭେମାନେ ଏତେ ପାଠ ପଢି ଶିକ୍ଷିତ ହେଲୁ ଯେ ନିଜର ମାଆକୁ ଘରୁ ବାହାର କରିଦେଲୁ । ମାଆର ରହିବା ସ୍ଥାନ ଯେତେ ବଡ ରାଜମହଲ କରି ରଖିଲେ କଣ ହେବ ପ୍ରକୃତରେ ମାଆର ସ୍ଥାନ ହୃଦୟରେ ରଖ୍ ପାରିଲେ ହେଲା । ମାଆର ଋଣ କେଉଁ ଜନ୍ମରେ ସୁଝି ପାରିବା ନାହିଁ ।
ଏହି ସବୁ ଜାଣି ମୁଁ ମନେ ମନେ ଭାବୁଥାଏ ଏ ନାରୀ କଣ ଅବଳା ଆଉ ଦୂର୍ବଳା ହୋଇପାରେ ସତରେ ନାରୀର ସର୍ବସହା ଆଉ ଶକ୍ତି ସୁରୂପିଣୀ ରୂପକୁ ମୋର କୋଟି କୋଟି ପ୍ରଣାମ । ମାଆ ସବୁଦିନ ପାଇଁ ଚିରସ୍ମରଣୀୟ ।
