ଅନୁଭୂତି

ପ୍ରତିଶ୍ରୃତି ପାଳନ

Dr Anita Panda

ତୁମକୁ କେଉଁ “ମୁରଲୀ ବଜାଅ ଘନଶ୍ୟାମ” ଗୀତ ଶିଖାଇ ଥିଲେ, ସେଇଟିକୁ ଭଲ ଭାବେ ପ୍ରାକ୍ଟିସ୍ କରିବାକୁ କହିଲେ ।

ପ୍ରତିଶ୍ରୃତି ପାଳନ

-: ପୂର୍ବରୁ :-

ଏ.ବି ମିଶନ ଗାର୍ଲସ୍ ସ୍କୁଲ୍‌ରେ ଅଗଷ୍ଟ ପନ୍ଦର ଉତ୍ସବ ପାଳନ । ପ୍ରାର୍ଥନା ସଭାପରେ ପ୍ରଧାନ ଶିକ୍ଷୟତ୍ରୀ ତରୁ ଦିଦି ସମସ୍ତ ଛାତ୍ରୀଙ୍କୁ ସମ୍ୱୋଧନ କରି କହିଲେ,”ଆମ ସ୍କୁଲରେ ଏ ବର୍ଷ ଅଗଷ୍ଟ ପନ୍ଦରରେ କେବଳ ପତାକା ଉନ୍ମୋଚନ କାର୍ଯ୍ୟକ୍ରମ ପାଳିତ ହେବ । ତେଣୁ ଜାତୀୟ ସଂଗୀତ ଗାଇବା ପାଇଁ ସୁଧା ଦିଦିଙ୍କ ପାଖରେ ନିଜ ନିଜର ନାମ ଲେଖାଇ ନେବ । ତା ଛଡା, କୌଣସି ବିଦ୍ୟାର୍ଥୀନୀ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କିଂବା ବକୃତା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଇଚ୍ଛୁକ ଥିଲେ, ବାଲେଶ୍ୱର ଜିଲ୍ଲା ସ୍କୁଲ ପାଇଁ ୨୫ ଜୁଲାଇ ପୂର୍ବରୁ ନାମ ଲେଖାଇବ ।”

ସଭା ଭଗଂ ପରେ ଶିକ୍ଷାର୍ଥୀନୀ ଶିକ୍ଷୟତ୍ରୀ ମାନେ ଯେଝା ଯେଝା କକ୍ଷକୁ ପ୍ରତ୍ୟାବର୍ତ୍ତନ କଲେଣି । ମୁଁ ଚିନ୍ତା କରୁଥିଲି,କହନ୍ତି ଈଶ୍ୱର ବଡଲୋକ । ସମସ୍ତଙ୍କ ମନ କଥା ବୁଝି ପାରନ୍ତି, ନ ହେଲେ ମୁଁ ଭଦ୍ରକ ସ୍କୁଲର ଚୈତନ୍ୟ ସାର୍‌ଙ୍କ ପାଖରେ ମୋର ପ୍ରତିଶ୍ରୃତି ରକ୍ଷା କରିବାକୁ ଅସମର୍ଥା ହୋଇ ଥାଆନ୍ତି । ” ବିଲେଇ କପାଳକୁ ଶିକା ଛିଡିଛି ।” ହେଲେ ସାର୍‌ଙ୍କ ପାଖରେ ଖବରଟା କେମିତି ପହଞ୍ଚାଇବି । ବହୁ ଚିନ୍ତା କଲା ପରେ ମନକୁ ଆସିଲା ବିଜୟ ଆଉ କୃଷ୍ଣବଲ୍ଲଭ କଥା । ଦୁହେଁ ମୋର ସମବୟସ୍କ ମାତ୍ର କୃଷ୍ଣ ମୋ ଠୁ ଗୋଟିଏ ଏବଂ ବିଜୟ ଦୁଇଟି ତଳ କ୍ଲାସ୍ ରେ ପଢୁଥିଲେ । ତେଣୁ ମୁଁ ଜଣକର ଅପା ଅନ୍ୟ ଜଣକର ଦେଈ ଥିଲି । କୃଷ୍ଣ ତା ଭଉଣୀ ଭିଣୋଇଙ୍କ ପାଖେ ରହି ଭଦ୍ରକ ହାଇସ୍କୁଲରେ ପଢେ । ତା ଭିଣୋଇ ଏବଂ ମୋର ନନା ଗୋଟିଏ ଅଫିସ୍‌ରେ କାମ କରନ୍ତି । ସେମାନେ ଆମର ପଡୋଶୀ ଥିଲେ । ବିଜୟର ବାପା ସେଠାରେ ଏସ୍.ଡି.ଓ ଦୁହେଁ ଭଲ ପଢନ୍ତି । କୃଷ୍ଣର ଅନ୍ୟ ଏକ ସହପାଠୀ ଗୀତା, ସେଠା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍‌ଙ୍କର ଝିଅସେ ମଧ୍ୟ ଆମ ଘର ପାଖେ ରହେ । ତେଣୁ ଚାରି ଜଣଙ୍କର ବନ୍ଧୁତା ଖୁବ୍ ନିବିଡ ଥିଲା ମାତ୍ର ମୁଁ ପାଠରେ ବହୁତ ଦୁର୍ବଳ ଥିଲି ବୋଲି ଗୀତା ମତେ ପାସଙ୍ଗରେ ପକାଏନି, ଏମିତି କି ଦିନେ ପ୍ରାର୍ଥନା ସଭା ପରେ ପରେ କୌଣସି କାରଣରୁ ତାର ଗଣେଶ (ଗୋଟିଏ ଦଶମ ଶ୍ରେଣୀ ଛାତ୍ର) ସଂଗେ ତର୍କ ବିର୍ତକ ହୋଇଥିଲା । ଗଣେଶ ତାକୁ କହିଥିଲା, ତୁମେ ବଡ ଅଫିସରଙ୍କ ଝିଅ ବୋଲି ବହୁ ଗର୍ବୀ । ଯଦିଓ କିଛି ଜ୍ଞାନ ନାହିଁ । ଉତ୍ତରରେ ସେ ତାକୁ ରୂଢ କଣ୍ଠରେ କହିଥିଲା, ତୁମ କ୍ଲାସର ପିଲାଙ୍କୁ ଏପ୍ଳସ୍‌ବି ର ହୋଲ ସ୍କୋୟାର୍ ଆସେ ନା ବେଶୀ ଫୁଟାଣୀ ମାରୁଛୁ । ସେଇଟା ମୋ ପାଇଁ ଆକ୍ଷେପ ଥିଲା । ପ୍ରକୃତରେ ମୁଁ ଗୀତା ପାଇଁ ଅପେକ୍ଷା କରିଥିଲି । ମୋ ଉପରେ ଆଖି ପଡିବା ସଂଗେ ସଂଗେ ଗଣେଶ ଆଉ ଆଗକୁ ନ ବଢି କ୍ଲାସ ଆଡେ ମୁହାଁଇଲା । ପରେ ପରେ ମୁଁ ।

ଗୀତା କଥାରେ ଅପମାନିତା ହୋଇ ମୁଁ ଗୋଟାଏ ଦୁଇଟା କ୍ଲାସରେ ଅନ୍ୟମନସ୍କ ରହିଥିଲି । ପରେ ନିଜ ମନକୁ ସାନ୍ତ୍ୱନା ଦେଲି । ସତ କଥା ତ କହିଲା । ତେଣୁ ଦୁଃଖ କରିବା ନିଃରର୍ଥକ । ତା ପରଠୁ ସେ ଆମ ତିନିଜଣଙ୍କ ସଙ୍ଗେ ମିଶିବା ମଧ୍ୟ ବନ୍ଦ କରି ଦେଲା । ଆମେ ଗଢିଲୁ ଗୋଟିଏ ସମବାହୁ ତ୍ରିଭୂଜ । ବିଜୟ କହେ, ବେସ୍(ଅର୍ଥାତ୍ ମୁଁ) ଆମର ଖୁବ୍ ଷ୍ଟ୍ରଙ୍ଗ୍ । ନିଜ ନିଜର ସୁଖ ଦୁଃଖ ଆମେ ଆଦାନ ପ୍ରଦାନ କରୁ । ବିଜୟ ଲେଖା ଲେଖି କରେ । ସାହିତ୍ୟରେ ଖୁବ୍ ଭଲ । ତଥାପି ମତେ କହେ “ଚିନ୍ତାମଣି ସାର୍ ଆମ କ୍ଲାସରେ ତୁମର ପ୍ରଶଂସା ବହୁତ କରନ୍ତି ।” କୃଷ୍ଣ କହେ,” ସେ ମତେ କହନ୍ତି ଦୁଇ ଦୁଇଜଣ ସାହିତ୍ୟ ପ୍ରେମୀ ସଂଗେ ବନ୍ଧୁତା ବାନ୍ଧିଛୁ ଟିକିଏ ବି ପ୍ରଭାବ ପଡୁନି?”

ଦୁହିଁଙ୍କ ପାଖକୁ ସାର୍‌ଙ୍କୁ ଦେଇଥିବା ପ୍ରତିଶ୍ରୃତି ବିଷୟରେ ଉଲ୍ଲେଖ କରି ତାଙ୍କର ମତାମତ ଜାଣିବାକୁ ଲେଖିଲି । ସାତ ଦିନ ପରେ ବୁଲୁର ଉତ୍ତର ।

ଅନୁ ଅପା,

ତୁମ କହିବା ଅନୁଯାୟୀ ସାର୍‌ଙ୍କ ସହ କଥାବାର୍ତ୍ତା କଲି । ବହୁତ ଖୁସି ହୋଇଗଲେ । ତୁମକୁ କେଉଁ “ମୁରଲୀ ବଜାଅ ଘନଶ୍ୟାମ” ଗୀତ ଶିଖାଇ ଥିଲେ, ସେଇଟିକୁ ଭଲ ଭାବେ ପ୍ରାକ୍ଟିସ୍ କରିବାକୁ କହିଲେ । ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ।

ଆଉ ଦୁଇ ପଦ ଗାଳି ଶୁଣିବାକୁ ପଡିଲା । ସେଇ ପୁରୁଣା ବିଷୟ ନେଇ । ତୁମ ପ୍ରଭାବ ପଡୁନି ବୋଲି କହିଲେ “ତୋର କ’ଣ ଗୋଧି ଚମ । “

ସତ କହିବି ଅନୁ ଅପା, ତୁମକୁ ସ୍କୁଲରେ ବଡରୁ ଛୋଟ ଯାଏ ସମସ୍ତେ ଝୁରୁଛନ୍ତି । କ’ଣ ଖୁଆଇଥିଲ କେଜାଣି ? ଜଗନ୍ନାଥ ସାର୍ ହେଡମାଷ୍ଟ୍ର ହେଲେ, ତେଣୁ ସବୁ ମ୍ୟାଥ୍ସ୍ ଅପସନାଲ୍ ପିଲାମାନେ ଖୁବ୍ ଖୁସି ବର୍ଷାପାଣି ଘର ଆଗରେ ବହୁତ ଜମୁଛି । ତୁମ ହାତ ଡଙ୍ଗାକୁ ମିସ୍ କରୁଛୁ । ବାଲେଶ୍ୱରରୁ କେଇଟା ଭସାଇ ଦିଅ । ଗୋଟାଏ ଅଧେ ତ ଏଠି ଆସି ପହଞ୍ଚିଯିବ । ଖୁବ୍ ଶୀଘ୍ର ଦେଖା ହେବ ।

ରହୁଛି ବୁଲୁ

ଅନୁ ଦେଈ,

ଶ୍ରାବଣର ଶ୍ରାବଣୀ ନଦୀରେ ସନ୍ତରଣ କରି ମୋର ହସ୍ତଗତ ହେଲା ଏକ ଆଜ୍ଞା ବାହୀ ପତ୍ର । ଆଜ୍ଞା କାରୀ ସୋଦରଟି କିଁ କର୍ତ୍ତବ୍ୟ ବିମୂଢ । ବୟୋଜ୍ୟେଷ୍ଠାଙ୍କର ଆଜ୍ଞା ଉଲଘଂନ କ୍ଷମା ପ୍ରାର୍ଥନାୟ । ଭୂଲ୍ ବଶତଃ ବୟୋଜ୍ୟେଷ୍ଠା ଉଚ୍ଚାରଣ ହୋଇଗଲା, ମର୍ଯ୍ୟାଦା ଜ୍ୟେଷ୍ଠା ।

ଆଜ୍ଞା ଅନୁଯାୟୀ ଭବଦୀୟଙ୍କ ଚରଣ କମଳରେ ପତ୍ର ବାହକ ପତ୍ରଟି ଉପସ୍ଥାପିତ କଲା । ସନ୍ଦେଶ ପ୍ରାପ୍ତ ଭବଦୀୟଙ୍କ ମୁଖରେ ଆନନ୍ଦର ପୂର୍ଣ୍ଣ ଜଳଧି । ମହୋଦୟଙ୍କର ଆଦେଶ, “ମୁରଲୀ ବଜାଅ ଘନଶ୍ୟାମ” ଗୀତଟିର ପରିବେଷଣ ନିମନ୍ତେ ପ୍ରଚେଷ୍ଟା ଅନିବାର୍ଯ୍ୟ (ଅବଶ୍ୟମ୍ଭାବୀ) । ଲୋକ ପ୍ରିୟ ହେବାର ମୂଳମନ୍ତ୍ରଟି ଶିଖାଇ ଦେବାପାଇଁ ଅନୁରୋଧ କରି ଲେଖନୀକୁ ବିରତି ନେଉଛି କୁନୁ ବାବୁ ।

ଚିଠି ଦୁଇଟି ପଢି ସାରିବା ପରେ ନ ହସି ରହି ପାରିଲିନି । କୁନୁ ସର୍ବଦା ତାର ମାର୍ଜିତ ଭାଷା ନେଇ ଗର୍ବ କରେ । ଦୁଇଟି ଯାକ ଚିଠିର ବିଷୟ ବସ୍ତୁ ସମାନ । ମାତ୍ର ଲେଖାର ଅନ୍ତର ଖୁବ୍ ବେଶୀ । ୧୩ ଅଗଷ୍ଟରେ ମୁଁ ଭଦ୍ରକ ପହଞ୍ଚିଲି । ମତେ ଦେଖି ସାର୍ ବହୁତ ଖୁସି ହୋଇ ଗୋଟିଏ କୁମ୍ଭୀର ଆଉ ମଣିଷର ଗପ ଶୁଣାଇଲେ ।

ମଣିଷଟି ତାର ଘରେ ଥିବା ଅପଗୁଂ ମା ପାଇଁ ନଦୀରୁ କଳସୀରେ ପାଣି ଭରିବା ସମୟରେ ଗୋଟିଏ କୁମ୍ଭୀର ପାଟିରେ ଆସି ଯାଇଥିଲା । ମଣିଷଟି କୁମ୍ଭୀର ପାଖରେ ତାକୁ ଛାଡିଦେବା ପାଇଁ ହାତ ଯୋଡି ଥିଲା ହେଲେ,ଏତେ ବଢିଆ ଖାଦ୍ୟ….କୁମ୍ଭୀର ନଛୋଡବନ୍ଦୀ, ମଣିଷଟି ବହୁ ନେହୁରା ହୋଇ ମା’ର ଦାୟିତ୍ୱ କାହାକୁ ସମର୍ପି ନିଶ୍ଚୟ ଫେରି ଆସିବ ପ୍ରତିଶ୍ରୃତି ଦେଇ ପାଣି କଳସୀ ନେଇ ମା ପାଖକୁ ଫେରିଥିଲା କହିଲୁ, ତା ପରେ କ’ଣ ହୋଇଥିବ ?

କୁମ୍ଭୀର ଖାଇଯିବା ଭୟରେ ମଣିଷଟି ପ୍ରତାରଣା କରି ଆସି ନ ଥିବ । କିଂବା ପ୍ରତିଶ୍ରୃତି ରକ୍ଷା କରିଥିବା ଯୋଗୁ ଖୁସି ହୋଇ କୁମ୍ଭୀର ତାକୁ ଛାଡି ଦେଇଥିବ ।

ଠିକ୍ କହିଛୁ, କୁମ୍ଭୀର ତାକୁ ଛାଡି ଦେଇଥିଲା ।

ମୁଁ କିନ୍ତୁ ଫେରିଯିବାକୁ ଆସିନି ସାର୍ । ମୁଁ ପ୍ରତିଯୋଗୀତାରେ ଭାଗ ନେବି ।

ନିଶ୍ଚୟ ନେବୁ । ତାହା ପୁଣି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ । ତୋ ସ୍ୱଚ୍ଛ ମନୋବୃତ୍ତି ଯୋଗୁ ମୋର ଦୃଢ ବିଶ୍ୱାସ ତୁ କୃତ କାର୍ଯ୍ୟ ହେବୁ । ସେଇୟା ହୋଇଥିଲା, ମତେ ପ୍ରଥମ ପୁରଷ୍କାର ମିଳିଥିଲା ।

– ତା’ପରେ –

To Top