ବାପା ଆଠଗଡରେ ଥିଲାବେଳେ ମୋର ଜନ୍ମ । ବାପା କୁହନ୍ତି – “ମୁଁ ତତେ ଉପରକୁ ଫୋପାଡି ଧରେ” । ଥରେ ଉପରକୁ ପକାଇ ଆଉ ଠିକ୍ ଭାବରେ ଧରିପାରିଲେନି, ଧରିଲେ କିନ୍ତୁ ମୋ ଗୋଡଦିଟାକୁ ଧରିଛନ୍ତି ମୁଣ୍ଡ ମୋର ବାପାଙ୍କ ପାଦଠାରୁ ଫୁଟେ ଉପରେ । ସେଦିନ ବାପା ଖୁବ୍ ଡରିଗଲେ ତା ପରଠାରୁ ଆଉ ସେ ଖେଳ ବନ୍ଦ । ଗୋଟେ ଦୁଇଦିନ ପରେ ପୁଣି ଆରମ୍ଭ ହେଲା ବସିକରି ମୋ ଆଣ୍ଠୁ ଉପରୁ ଧରି ମୋତେ ଟେକିବା । ମୁଁ ହଲଚଲ ନହେଇ ସିଧା ଉଠିବା ଶିଖିଗଲା ପରେ, ବଳାଗଣ୍ଠିରୁ ଧରି ଉପରକୁ ଉଠାଇଲେ । ମୁଁ ଆଉ ହଲଚଲ ନ ହୋଇ ସିଧା ଉଠିଥିଲି । ଥରେ ମୋ ପେଟ ଫମ୍ପାଇ ଥିଲା । ବାପା ମାତେ ଡାକ୍ତରଙ୍କ ପାଖକୁ ନେଇଗଲେ ଡାକ୍ତର ମୋ ପେଟକୁ ଦେଖିବେ, ତେଣୁ ବାପା ଫ୍ରକ୍ ଟେକିଲେ ଆଉ ଡାକ୍ତର ମୋ ପେଟରେ ହାତ ମାରିଛନ୍ତି , ବାସ୍ ମୁଁ ସାଙ୍ଗେ ସାଙ୍ଗେ ବାପାଙ୍କ ଚୁଟି ଧରି ପିଠିରେ ଦୁଇଟା ଦୁମ୍ ଦୁମ୍ ଥୋଇଦେଲି । ବାପା ବୋକାଙ୍କ ପରି ଚାହିଁ ରହିଲେ ଯେ, ମୋର ହେଲା କ’ଣ ? ମୁଁ ବାଡେଇଲି କାହିଁକି ? ବାପାଙ୍କ ସହ ଡାକ୍ତର ମଧ୍ୟ ଅନାଇଥାନ୍ତି । ମୁଁ ବହୁତ ଛୋଟ ଥିଲି, ମୋର ମନେ ନାହିଁ । କିନ୍ତୁ ବର୍ତ୍ତମାନ ମଧ୍ୟ ଚାହେଁନା ମୋ ଦେହରେ କେହି ହାତ ମାରନ୍ତୁ, ମୋ ଘର ଲୋକ ଓ ଛୋଟ ପିଲାଙ୍କ ବ୍ୟତୀତ ଅନ୍ୟ କେହି ମୋ ଦେହରେ ହାତ ମାରିବା ମୋର ପସନ୍ଦ ନୁହେଁ । ଆଠଗଡରେ ଥିଲାବେଳେ ମୋର କେବଳ ଗୋଟିଏ କଥା ମନେ ଅଛି । କଲେଜର ଏନ୍ସିସି ପିଲା ଯେତେବେଳେ ପ୍ୟାରେଡ କରି ଆମ ଘର ଆଗ ଦେଇ ଯାଇଥାନ୍ତି ମୁଁ ସେମାନଙ୍କୁ ଚାହିଁ ରହିଥାଏ । ସେମାନେ ଆଖିରୁ ଆଢୁଆଳ ନ ହେବାଯାଏ ମୁଁ ଠିଆ ହୋଇଥାଏ ।
ଆଠଗଡରୁ ବଦଳି ହୋଇ ବାପା ନିମାପଡ଼ା ଆସିଲେ । ସେଠି ମୁଁ ପ୍ରଥମ ଶ୍ରେଣୀରେ ନାଁ ଲେଖାଇଲି । ଘରର ଏକଦମ୍ ପାଖରେ ମୋ ସ୍କୁଲ । ମୁଁ ନିଜେ ସ୍କୁଲ ଯିବା ଆସିବା କରେ । ଦ୍ୱିତୀୟ ବେଳକୁ ଆମକୁ ଟିକେ ଦୂର ଜାଗାରେ ପଢାଗଲା ମାନେ ପ୍ରଥମ ଓ ଦ୍ୱିତୀୟ ପାଇଁ ଆଉ ଗୋଟିଏ ଜାଗାରେ ଆମ ସ୍କୁଲ ହେଲା ଖୋଲା ଜାଗା ଆମକୁ ଖେଳିବାକୁ ଭଲ ହେଇଥିଲା । ମୁଁ ସ୍କୁଲରୁ ଫେରିଲାବେଳେ ଯଦି ଦେଖି ଦିଏ ବାପାଙ୍କ ଟ୍ରକ ଓ ବାପା ଟ୍ରକରେ ବସିଛନ୍ତି । ଆଉ ଘରକୁ ଯାଏନା । ଟ୍ରକ ପାଖରେ ଠିଆ ହେଇ ବାପା ଧର ମୁଁ ଉପରକୁ ଉଠିବି, କହି ଯେଉଁଠି ପାଦ ଦେଇ ଉପରକୁ ଉଠନ୍ତି ତା ଉପରେ ଗୋଟିଏ ପାଦ ଥୋଇ ଦେଇଥାଏ । ବାପା କଣ କରିବେ ? କାହା ହାତରେ ମତେ ଘରକୁ ପଠାଇବାର ବ୍ୟବସ୍ଥା କରନ୍ତି । ମୁଁ ଆସେ ତତେ ନେଇଯିବି ଏମିତି କହି ବୁଝାଇଥାନ୍ତି । ନିମାପଡାରେ ଥିଲାବେଳେ ବାପା ମୋ ପାଇଁ ‘ଶିଶୁଲେଖା’ ପତ୍ରିକା ମଗାନ୍ତି । ମୁଁ ଛୋଟ ଛୋଟ ଗୀତ ଗପ ପଢେ । ମୋର ମନେ ଅଛି ସେଥିରେ ଲେଖା ହୋଇଥିଲା କେମିତି ଇଂରେଜମାନେ କୁଶଳୀ କାରିଗରଙ୍କର ଆଙ୍ଗୁଠି କାଟି ଦେଉଥିଲେ । ବାପାଙ୍କୁ ମୁଁ ପଚାରିଥିଲି, ସେମାନେ ଆଙ୍ଗୁଠି କାଟିଦେବେ କାହିଁକି ? ବାପା ବୁଝାନ୍ତି କେହି ଭଲ କାମ ନ କରନ୍ତୁ ସେଥିପାଇଁ କାଟିଦେଲେ । ମନ ମୋର ବୁଝେନା, ମୁଁ ପୁଣି ପଚାରେ – ସେମାନେ ଆଙ୍ଗୁଠି କାଟିଦେବେ ? ବାପା ଆଉ କିଛି ନ କହି ନିଜ କାମ କରନ୍ତି । ଛୋଟ ଛୁଆ ବୁଝାଇବା କଷ୍ଟ ତେଣୁ ବାପା ଚୁପ୍ ରୁହନ୍ତି । ମୋ ମୁଣ୍ଡଟି ସେଇଠି ଥାଏ, ସେମାନେ କାଟନ୍ତି କେମିତି ? ସେମାନେ ଭଲ ଲୋକ ନୁହନ୍ତି, ମୁଁ କହି ଚାଲିଥାଏ । ବାପା କିଛି କୁହନ୍ତିନି । ମୁଁ ବି ଚୁପ୍ ହେଇଯାଏ । ଦିନେ ସନ୍ଧ୍ୟାବେଳେ ବାପା ଘରେ ନଥାନ୍ତି, ମୁଁ ଝରକା ପାଖରେ ପଡିଥିବା ଖଟ ଉପରେ ବସି ‘ଶିଶୁଲେଖା’ ପତ୍ରିକାଟି ଖୋଲିଲି ପଢିବାକୁ ।
ଗପରେ ଥିଲା ଜଣକୁ ଭୂତ ଲାଗିଲା ଗୁଣିଆ ଆସିଲା ଝାଡିବାକୁ କେମିତି ଝାଡିଲା ତା’ର ବର୍ଣ୍ଣନା ଥିଲା – ହା ଫୁ …….ବାସ୍ ମୁଁ ଝରକା ବାହାରକୁ ଚାହିଁଲି, ମୋତେ କିଛି ଧଳା ଦେଖାଗଲା । ଘର ବାହାରଟା ଅନ୍ଧାର ଥିଲା ସେଥିରେ ପୁଣି ଧଳା ମାନେ ଭୂତ ତ ମୁଁ ଡରି ଉଠିଯାଇ ବୋଉ ପାଖରେ ବସିଲି । ବୋଉ ପଚାରିଲା କ’ଣ ହେଲା ? ମୁଁ କହିଲି ନାହିଁ । ବୋଉ ଆଉ ମୋ ଆଡେ ଧ୍ୟାନ ନଦେଇ ରୋଷେଇରେ ବ୍ୟସ୍ତ ରହିଲା । ବାପା ଆସିଲେ ମୋତେ ଛୁଇଁଲା ବେଳକୁ ମୋ ଦେହରେ ତାତି । ବାପା ଚୁପତରେ ମୋତେ ପାଖକୁ ନେଇ ପଚାରିଲେ “ମା କ’ଣ ହେଲା ? ଡରିଲୁ କି?” ମୋ ଚେହେରା ଦେଖି ବାପା ଜାଣି ସାରିଥିଲେ ଶିଶୁଲେଖା ପତ୍ରିକାଟା ମଧ୍ୟ ଖଟ ଉପରେ ପଡିଥିଲା । ମୁଁ କହିଲି ଗପରେ ଭୂତ ଅଛି । ମୁଁ ଝରକା ପଟେ ଭୂତ ଦେଖିଲି । ବାପା ମୋତେ ସାେଙ୍ଗ ସାେଙ୍ଗ କାଖେଇ ଟର୍ଚ୍ଚ ଧରି ପଦାକୁ ନେଇଗଲେ । ଆମ ଘର ବାହାରେ ଗୋଟିଏ ଟଗର ଗଛ ଥିଲା ଆଉ ସେଥିରେ ଧଳା ଫୁଲ ସବୁ ଫୁଟିଥିଲା । ବାପା କହିଲେ – ଏ ଧଳା ତ ଫୁଲ ଭୂତ କାହିଁ ? ଚାରିପଟ ବୁଲାଇ ଦେଖେଇଲେ ଆଉ ଘର ଭିତରକୁ ଆଣିଲେ । ରାତିରେ ଶୋଇଲାବେଳେ ମତେ ଝରକା ଆଡକୁ ଶୁଆଇଲେ । ମୁଁ କହୁଥାଏ ବାପା ମତେ ଏପଟେ ଶୁଆଉଛ ଭୂତ ହାତ ଗଳେଇ ମୋତେ ନେଇଯିବ । ବାପା କହିଲେ – ମୁଁ ଧରିଛି କେହି ନେବେନି । ସେ ଗପଟି ପୁଣି ଶୁଣାଇଲେ, ମୁଁ ଶୁଣ ସାରିବା ପରେ କିହିଲି ସେ ଭୂତ ନଥିଲା ଲୋକଟା ? ବାପା କହିଲେ ଭୂତ ବୋଲି କିଛି ନାହିଁ, ଶୋଇପଡ । ସକାଳୁ ଉଠିଲା ବେଳକୁ ମୋ ଦେହରେ ଆଉ ଜ୍ୱର ନଥିଲା । ବାପା କହିଲେ କଣ ? ଆଉ ତ ତାତି ନାହିଁ ପୁରା ଠିକ୍ । ଏଥର ଡରିଲେ ଟର୍ଚ୍ଚ ମାରି ଦେଖିବୁ । ଏକଦମ୍ ସଠିକ୍ ଔଷଧ ଦେଇ ମୋ ବାପା ମୋ ଜ୍ୱରକୁ ଠିକ୍ କରିଦେଇଥିଲେ ।
ନିମାପଡାରୁ ଆମେ ଦିଗପହଣ୍ଡି ବଦଳି ହେଲୁ । ବାପାଙ୍କର ପ୍ରମୋସନ୍ ସହ ବଦଳି ହୋଇଥିଲା । ବାପାଙ୍କୁ ଜିପ୍ ମିଳିଥିଲା । ଥରେ ଜିପ୍ ଆମ ଘର ଆଗରେ ଥୁଆ ହୋଇଥିବାର ମୁଁ ଦେଖିଲି । ଉପରବେଳା ମୁଁ ବାହାରେ ଖେଳୁଥାଏ । ବାପା ଭିତରୁ ଯାଇଛନ୍ତି କ’ଣ କାଗଜପତ୍ର ନେଇ ଆସିଲେ । ତା ଆଗରୁ ମୁଁ ଜିପ୍ର ପଛପଟେ ବସିପଡିଲି । ଜିପ୍ ଗୋଟେ କିଲୋମିଟର ଯିବାପରେ ମୁଁ ବାପାଙ୍କୁ କହିଲି – ବାପା ମୁଁ ଆଗକୁ ଯିବି । ବାପା ଆଶ୍ଚର୍ଯ୍ୟ ହୋଇ କହିଲେ – ତୁ କେତେବେଳେ ଚଢିଲୁ ? ମୁଁ କହିଲି ତୁମେ ଭିତରକୁ ଯାଇଥିଲ, ମୁଁ ଲୁଚିକରି ବସିଗଲି । ବାପା ଘରକୁ ଫେରି ମୋତେ ଘରେ ଛାଡି ଆଉ ଯାଇପାରିବେନି । ବାଧ୍ୟ ହୋଇ ମୋତେ ସାଙ୍ଗରେ କାମ ଜାଗାକୁ ନେଇଗଲେ । ବଜାରରେ ଜଣେ ଚିହ୍ନା ଲୋକଙ୍କୁ କହିଲେ – ଘରେ କହିଦେବ ଝିଅ ମୋ ସହ ଆସିଛି ।
ସ୍କୁଲରୁ ଆସିଲେ ମୁଁ ପିଲାଙ୍କ ସହ ବାହରେ ଖେଳିଥାଏ । ବୋଉ କହିଥାଏ ସନ୍ଧ୍ୟା ଆଗରୁ ଘରକୁ ଆସିବୁ । ମୁଁ ସନ୍ଧ୍ୟା ହେଲେ ଧୂପକାଠି ଠାକୁରଙ୍କ ପାଖରେ ଦେଇ ପ୍ରାର୍ଥନା କରେ । ଥରେ ସନ୍ଧ୍ୟା ହୋଇଗଲା । ବୋଉ ବାହାର ବାରଣ୍ଡା ଅନ୍ଧାର କରି ଠିଆ ହେଇଛି । ମୁଁ ଆଉ ଉପରକୁ ନ ଉଠେ । ସେମିତି ବାରଣ୍ଡା ତଳେ ଠିଆହୋଇଛି । ବୋଉ କହୁଛି ଆ ଭିତରକୁ । ମୁଁ ଜାଣିଛି ଗଲାମାନେ ମାଡ । ମୁଁ ସେମିତି ବାହାରେ ଠିଆ ହୋଇଥାଏ । ବାପା ଆସିଲା ପରେ ମୋତେ ସାଙ୍ଗରେ ଧରି ଭିତରକୁ ନେଲେ ।
ବାପା ଘରେ ଥିଲେ ମୋତେ କୁହନ୍ତି, ମୋ ଉପରେ ଚଢ । ମୁଁ ଚଢେ ପୁରା ବେକଠାରୁ ହାତ ପାପୁଲି, ଗୋଡର ପାଦ ପର୍ଯ୍ୟନ୍ତ । ବାପା ପେଟେଇ ଗଡନ୍ତି ଆଉ ମୁଁ ଚାରିଆଡକୁ ଚାଲିଥାଏ । କିଛି ସମୟ କୁଦିଲା ପରେ ଓହ୍ଲାଇବାକୁ ଚାହେଁ । ମୁଁ ବାପାଙ୍କୁ ପଚାରେ ବାପା ଓହ୍ଲେଇବି ? ବାପା ମନା କରନ୍ତି । କେତେ ସମୟ ଚାଲିବାପରେ ଶେଷକୁ ବାପାଙ୍କ ପିଠିରେ ଚକାମାଲି ପକାଇ ବସିପଡେ, ବେଳେବେଳେ ହାମୁଡାଇ ପଡେ । ଓହ୍ଲାଇବାକୁ ମନା ତେଣୁ ଉପରେ ଯାହା କରେ ।
ଦିଗପହଣ୍ଡିରେ ଆମେ ପାଖାପାଖି ୩ ବର୍ଷ ୨/୩ ମାସ ରହିଛୁ । ସେଇଠି ଥିଲୁ ମୋର କାଖରେ ଆଲର୍ଜି ହେଇଯାଇଥିଲା । ପୁରା କାଖରେ ଛୋଟ ଛୋଟ ଫଳିଗଲା । କୁଣ୍ଡାଇ ହେଲା କୁଣ୍ଡାଇଲାରୁ ନସି ବାହାରି ଚାରିଆଡ ହେଇଗଲା, ପୁରା କାଖ ମୋର ଦଲ ଦଲ ହୋଇ ଯାଇଥିଲା । ବାପା ୮ ଦିନକୁ ଥରେ ଡାକ୍ତର ଦେଖାଇ ଔଷଧ ବଦଳାଉଥାନ୍ତି, ଫଳ କିଛି ହେଲାନି ଭଲ ହେଉ ନଥାଏ । ମୁଁ ହନୁମାନ ପ୍ୟାଣ୍ଟ ପିନ୍ଧି ଘରେ ଥାଏ (ସେ ସମୟରେ ସେହି ପ୍ୟାଣ୍ଟ୍ ସମସ୍ତେ ପିନ୍ଧୁଥିଲେ) । ସ୍କୁଲ ବନ୍ଦ । ଦିନେ ସନ୍ଧ୍ୟାବେଳେ ସାହିର ଜଣଙ୍କ ଘରକୁ ତାଙ୍କ ସାଙ୍ଗ ଡାକ୍ତର ଆସିଥିଲେ, ବାପା ସେ ଖବର ପାଇ ମୋତେ ସାଙ୍ଗେ ସାଙ୍ଗେ କାଖେଇ ନେଇଗଲେ, ସେତେବେଳକୁ ମୁଁ ଗାମୁଛା ପିନ୍ଧୁଥାଏ କାରଣ ମୋର କୋର ସନ୍ଧିରେ ମଧ୍ୟ ଆଲର୍ଜି ହେଇଯାଇଥାଏ ଅବଶ୍ୟ କମ୍ । ସେ ମୋ କାଖ ଦେଖିଲେ , ଭଲ ଭାବେ ଟର୍ଚ୍ଚ ମାରି ଦେଖିଲେ । ଆଉ ଦୁଇଟି ଔଷଧ ଲଗାଇବାକୁ ଲେଖିଦେଲେ । ବାପା ସାଙ୍ଗେ ସାଙ୍ଗେ ବ୍ରହ୍ମପୁରରୁ ଔଷଧ ଆଣିଲେ । ମୁଁ ରାତିରେ କାଖ ଖୋଲା ରଖି ଶୁଏ ସକାଳୁ କାଖ ଦିଟା ପ୍ଲାଷ୍ଟର ପଡିଲା ଭଳିଆ ଠେଙ୍ଗା ହେଇ ରହିଥାଏ । ନସି ସବୁ ଶୁଖି ହାଡ ହୋଇଯାଇଥାଏ । ମୁଁ କାଖ ବନ୍ଦ କରି ପାରେନା । ବାପା ମୋତେ ସକାଳୁ କୋଳରେ ଉଠାଇ ନେଇ ଘର ଭିତରେ ଥିବା ବାରଣ୍ଡାରେ ସପ ଉପରେ ଶୁଆଇ ଗରମ ପାଣିରେ କାଖକୁ ସଫା କରନ୍ତି । ଆଉ ଔଷଧ ଲଗାଇ ଦିଅନ୍ତି । ଯେଉଁ ଔଷଧରେ ମୁଁ ଭଲ ହେଲି ସେହି ଔଷଧ ପ୍ରଥମେ ବାଇଗଣୀର ( ଆଗେ ଛୋଟ ପିଲାଙ୍କ ନାଭିରେ ଲଗାଇବାକୁ ଡାକ୍ତରଖାନା ଦେଉଥିଲା ) ସେହି ଔଷଧଟି ପ୍ରଥମେ ବୋଳିସାରିବା ପରେ ଦ୍ୱିତୀୟ ଔଷଧ ଧଳାରଙ୍ଗର ଲଗାଯାଏ । ଫ୍ୟାନ୍ ଲାଗିଥାଏ ସିଲିଂ ଆଉ ଟେବୁଲ୍ ଫ୍ୟାନ୍ ହେଲେ ଦ୍ୱିତୀୟ ଔଷଧର ପୋଡା ସମ୍ଭାଳି ହୁଏନି, ମୁଁ କାନ୍ଦି ଗଡୁଥାଏ । ବାପା ଖାଲି ହଁ ହେଇଗଲା, ହେଇ ସରିଗଲା ହେଉଥାନ୍ତି । ବୋଉ ସେ କୋଠରୀରେ ରୁହେ ନାହିଁ । ମୋ କାନ୍ଦ ଦେଖି ତା ଦେହ କଣ ହେଇଯାଏ, ସେ ସଫା କରେନି । ସବୁ ବାପା କରନ୍ତି । କିଛି ଦିନ ପରେ ଟିକେ ଟିକେ ଯେମିତି ଶୁଖି ଆସିଲା ପୋଡାର ତାଉ ବି ଟିକେ ଟିକେ କମି ଚାଲିଲା । ଯା’ ହେଉ ମୋର ସବୁ ଶୁଖିଗଲା ଆଉ ମୁଁ ସ୍କୁଲ ଗଲି ।
ଦିଗପହଣ୍ଡିରେ ଥିଲାବେଳେ ମୋ ଦାଦାଙ୍କର ବାହାଘର ହେଇଥିଲା । ଆମେ ସମସ୍ତେ ଗାଁକୁ ଆସିଲୁ କେନ୍ଦ୍ରାପଡାରେ ପହଞ୍ଚିଲା ବେଳକୁ ରାତି ୯ଟା ବାଜିସାରିଥିଲା । ରିକ୍ସା ମାତ୍ର ଗୋଟିଏ ଥିଲା , ଆମେ ଥିଲୁ ୬ଜଣ ମୁଁ, ମୋ ଭାଇ ଓ ଭଉଣୀ, ବାପା ଦାଦା ଓ ବୋଉ । ନିହାତି ୨ଟା ରିକ୍ସା ଦରକାର । ଶେଷକୁ ଆମ ଟ୍ରଙ୍କ୍ଟାକୁ ଜଣେ ଚିହ୍ନା ଦୋକାନୀଙ୍କ ଦୋକାନରେ ରଖି ଘର ମୁହାଁ ଚାଲିଲୁ । କେନ୍ଦ୍ରାପଡ଼ା ବସଷ୍ଟାଣ୍ଡରୁ ବଳଦେବଜୀଉଙ୍କ ମନ୍ଦିର ବୁଝୁଥିବେ କେତେ ବାଟ । ମୁଁ ୮ ବର୍ଷର ଛୁଆ । ୨ ଜଣ ଛୁଆଙ୍କୁ ୨ ଜଣ ଅଦଳ ବଦଳ କରି କାଖେଇ ଚାଲିଥାନ୍ତି ଆଉ ଜଣେ ବ୍ୟାଗପତ୍ର ଧରୁଥାନ୍ତି ଏହିପରି ଆମ ଯାତ୍ରା ଚାଲିଥାଏ । ମୁଁ ତାଙ୍କ ସାଙ୍ଗରେ ଦୌଡି ଦୌଡି ଚାଲିଥାଏ । ଚାଲି ଚାଲି ପୋଲ ପାଖ ହେଲା ପରେ ମୁଁ କହିଲି ଆଉ ମୁଁ ଚାଲି ପାରିବିନି । ବାପା କହିଲେ ହେଇ ଘର ହେଇ ଗଲାଣି, ଚାଲ ଚାଲ । ମୁଁ କହୁଥାଏ ଘର ଆସୁନି, ମନ୍ଦିର ନାହିଁ, ତମେ କହୁଛ ଅଳ୍ପ ବାଟ । ବାପା ଅଳ୍ପ ବାଟ ହେଇଗଲାଣି କହି କହି ଆଣୁଥାନ୍ତି ମତେ 0 ଯେମିତି ମନ୍ଦିର ହୋଇଗଲା ମୁଁ ଜାଣିଲି ଆମ ଘର ଆସିଗଲା । ଆଉ କଷ୍ଟ ମାନେ ପଡ଼ିଲାନି ପ୍ରଥମ ଥର ବାପା ମତେ ଏତେବାଟ ଆଠ କି.ମି. ଚଳାଇ ଆନମିଲେ । ମୁଁ ଆଜି ଖୁସି ଯେ, ବାପା ବହୁତ କିଛି ଶିଖେଇଛନ୍ତି ।
ବାପାଙ୍କର ବଦଳି ହୋଇଗଲା ଜୁନାଗଡ଼ (କଳାହାଣ୍ଡି ) । ବାପା ଜୁନାଗଡ଼ରେ ଜଏନ କରିବାର ମାସକ ପରେ ଆସି ଆମକୁ ଦିଗପହଣ୍ଡିରୁ ଜୁନାଗଡ଼ ନେଇଗଲେ । ସେତେବେଳେ ମୁଁ ପଂଚମରେ ପଢୁଥାଏ । ଆମେ ଜୁନାଗଡ଼ ଯିବାର 2-3 ମାସ ପରେ ଶୀତ ପଡିଲା । ଆମେ ସବୁ କୁଣ୍ଡାଇ ରାମ୍ପି ହେଲୁ ବାପା ନଡ଼ିଆ ତେଲରେ କର୍ପୁର ପକାଇ ଖରାରେ ରଖିଲେ ଆମେ ସମସ୍ତେ ସେହି ତେଲ ଘଷି ହେଉ ବାପା ଆମ ପିଲା ସମସ୍ତଙ୍କୁ ତେଲ ଲଗାଇ ଘସନ୍ତି । ପୂରା ଦେହ ତାତି ଉଠେ । ମୁଁ କହେ ବାପା ସେତିକି ଥାଉ ଆଉ ନୁହଁ ଆଉ ନୁହଁ । ବାପା କୁହନ୍ତି ମୁଁ ଯେମିତି ଘଷିଲି ମୋ ପିଠିରେ ତେଲ ଲଗାଇ ସେମିତି ଘସେ । ବାପା କୁହନ୍ତି ହେଲାଣି ଆଉ ଜୋରରେ , ଆହୁରି ଜୋରରେ ମୁଁ ମୋର ପାରୁ ପର୍ଯ୍ୟନ୍ତ ଦମ ଲଗାଇ । ମୋ ପାପୁଲି ତାତି ଯାଏ ବାପା କୁହନ୍ତି ହେଲାନି ।
ଜୁନାଗଡରେ ଆମେ ୫ ବର୍ଷ ୬ ମାସ ରହିଲୁ । ସେଠି ମଧ୍ୟ ବାପା ମତେ ହିଁ ପିଠିରେ ଚଢିବାକୁ କୁହନ୍ତି । ବାପା ଶୋଇକରି ବାଁ ଡାହାଣ କଡ ବୁଲାନ୍ତି (ବୁଲାଇବା ଆଗରୁ କିନ୍ତୁ କୁହନ୍ତି ମୁଁ କଡ ବୁଲାଇବି) ମୁଁ କିଛି ନ ଧରି ଚାରିଆଡ କୁଦି ଚାଲିଥାଏ (ବାପାଙ୍କର ଶିଖାଇଥିବା ହଲଚଲ ନ ହେବାଟା ମୋ କାମରେ ଆସିଥିଲା) । ମୁଁ ବେସ୍ ସହଜରେ ଚାରିଆଡେ କୁଦେ । ସସ୍ତମ ବେଳକୁ ମୁଁ କେବଳ ବାପାଙ୍କର ପିଠିଠାରୁ ଜଙ୍ଘ ପର୍ଯ୍ୟନ୍ତ କୁଦିଲି । ଦଶମ, ଏକାଦଶ ବେଳକୁ କେବଳ ଅଣ୍ଟା । ମୋର ଓଜନ ବଢିଲା ବାପାଙ୍କର ବୟସ ଖସିଲା, ଆଉ ସମ୍ଭାଳି ପାରିଲେନି । ଓଜନ ମୋର କେବେବି ୪୫ କେଜିରୁ ଅଧିକ ହୋଇନି । ମୁଁ ଚଢିଲେ ବହୁତ ସମୟ ଚଢେ । ବାପା ପୁରା ନିଦରେ ଶୋଇ ପଡନ୍ତି । ମୁଁ ଓହ୍ଲାଇବି କହିଲେ ବାପା ଯେତେବେଳେ ଜବାବ ଦିଅନ୍ତିନି, ମୁଁ ସେତେବେଳେ ଓହ୍ଲାଏ । ମୋ ଭାଇ ଭଉଣୀ ସବୁ ଚଢିଲେ, ସେମାନେ କିଛି ପଚାରନ୍ତି ନାହିଁ , ଓହ୍ଲାଇ ପଳାନ୍ତି ।
ମୋର ଏକାଦଶ ବେଳକୁ ବଡବୋଉଙ୍କର ଦେହ ଖରାପ ହେଲା ଆମେ ସବୁ ଗାଁକୁ ଆସିଲୁ । ହେଲେ ବଡବୋଉ ରହିଲେନି ଚାଲିଗଲେ । ଆମେ ଗାଁରେ ରହିଗଲୁ । ବାପାଙ୍କର ବଦଳି ହୋଇଗଲା ଭୁବନେଶ୍ୱରକୁ । ଗାଁରେ ଥିଲାବେଳେ ମୋ ପିଉସୀ ଯିଏ କି ବାପାଙ୍କଠାରୁ ୪ ବର୍ଷ ସାନ ସେ ସାହିର ସ୍ତ୍ରୀ ଲୋକଙ୍କ ଆଗରେ ଗପିଲା ବେଳେ କୁହନ୍ତି – ମୋ ରୋଜଗାରରେ (ବାପାଙ୍କ ନାଁ ଧରନ୍ତି ) ପାଠ ପଢିଛି । ଆମ ପଇସାରେ ପାଠ ପଢି ଆଜି ଏତେବଡ ଚାକିରୀ କରିଛି । ହେଲେ କାହିଁ କିଛି କରିପାରିଲାନି । ପିଅନ କ୍ଲର୍କ କି ଘର କରିଛନ୍ତି ଚାଲ ଦେଖିବ । ଇଏ ତ ଜୀବନରେ କିଛି କରି ପାରିବନି । ବଡବାପାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ କୁହେ ଅମୁକ (ମୋ ବାପା) ଚାକିରୀ କରିଥାନ୍ତା, ମୋ ସ୍ୱାମୀ ଖର୍ଚ୍ଚ କରି ପଇସା ଦେବାରୁ ସେ ଚାକିରୀ କଲା । ଏ ସବୁ ଶୁଣି ଶୁଣି ମୁଁ ଥରେ ବାପାଙ୍କୁ ପଚାରିଲି ବାପା ତମେ ଯେତେବେଳେ କଟକରେ ଡିପ୍ଲୋମା କରୁଥିଲ ଘର ଲୋକ ତମକୁ ମାସକୁ କେତେ ଟଙ୍କା ପଠାନ୍ତି ? ବାପା ପଚାରିଲେ – କଣ ହେଲା ? ପଚାରୁଛୁ । ମୁଁ କହିଲି ନାନୀ (ପିଉସୀ) କହୁଛନ୍ତି ମୋ ପଇସାରେ ପାଠ ପଢିଛି, ବଡବାପାଙ୍କର ସ୍ତ୍ରୀ କହୁଛନ୍ତି ଯେ ମୋ ସ୍ୱାମୀ ପଇସାରେ ପାଠ ପଢିଛି । ତା ପରେ ବାପା କହିଲେ – ମୁଁ କଟକରେ ପଢିବାକୁ ଚାହିଁଲି ଘରଲୋକ ପଇସା ଦେଇ ପାରିବେନି କହିଲେ । ମୁଁ କହିଲି ମତେ ମାତ୍ର ୬ ମାସ ପଇସା ଦିଅ ମୁଁ ଷ୍ଟାଇପେଣ୍ଡ ପାଇଲେ ତମ ପଇସା ସବୁ ଦେଇଦେବି । ତଥାପି ବି ରାଜି ହେଲେନି । ମୁଁ ବିଶ୍ୱଭାରତୀ ମହାବିଦ୍ୟାଳୟ ପଳାଇବି କହିଲାରୁ ବୋଉ ବାଧ୍ୟ ହେଇ ରାଜି ହେଲା । ବୋଉ ଭାବିଲା ମୁଁ କଲିକତା ଚାଲିଗଲେ ସିଆଡେ ପାଠଶାଠ ପଢି ବାହା ହେଇ ରହିଯିବି । ସେଥିପାଇଁ ହଁ କଲା । ୬ ମାସ ବି ମଧ୍ୟ ଠିକ୍ ସମୟରେ ପଇସା ଦେଇନାହାନ୍ତି । ସେମିତି କଷ୍ଟେ ମଷ୍ଟେ ଚଳିଛି । ୬ ମାସ ପରେ ମୁଁ ଷ୍ଟାଇପେଣ୍ଡ ପାଇଲି ୬୦୦ ଟଙ୍କା । ବାପାଙ୍କୁ ୫୦୦ ଟଙ୍କା ଦେଲି । ୧୦୦ ଟଙ୍କା ରଖିଲି ପ୍ରଥମ ଥର ମୁଁ ପ୍ୟାଣ୍ଟ୍ସାର୍ଟ ଖଣ୍ଡେ କଲି (ଧୋତି ପଞ୍ଜାବୀ ପିନ୍ଧି ପଢୁଥିଲେ) । ମେସ୍ ଖର୍ଚ୍ଚ ୩୦ ଟଙ୍କା ଆଉ ୨୦ ଟଙ୍କା ଖାତା କଲମ ଜଳଖିଆ ଖର୍ଚ୍ଚ ପାଇଁ । ତା’ ପରଠାରୁ ମୁଁ ୧୦୦ ଟଙ୍କା ପାଏ ଆଉ ଘରକୁ ୫୦ ଟଙ୍କା ଦିଏ ମୁଁ ୫୦ ଟଙ୍କାରେ ଚଳେ ।
ମୁଁ ସ୍ଥାଣୁ ପାଲଟି ଗଲି । ଏ ଘରେ କ’ଣ କେହି କାହାର ଭଲ କଥା କୁହନ୍ତିନି ? ବଡବାପାଙ୍କର ବାହାଘରକୁ ବି ବାପା ଧାର କରି ପଇସା ଦେଇଛନ୍ତି । ବାପାଙ୍କ ତଳେ ଆଉ ତିନି ଭାଇ ଥିଲେ ତେଣୁ ତାଙ୍କ ପାଠ ବନ୍ଦ ନ ହେଉ ବୋଲି ବାପା ଷ୍ଟାଇପେଣ୍ଡ୍ ପଇସାରୁ ଅଧା ଦେଉଥିଲେ । ଚାକିରୀ କଲାପରେ ବଡବାପାଙ୍କୁ ଚିତ୍ରାଳୟ କରିବାକୁ ପଇସା ଦେଲେ । ଶେଷକୁ ବଡବାପା ଘର ଢିଅ ବ୍ୟାଙ୍କ୍ରେ ବନ୍ଧା ପକାଇ ପଇସା ଆଣି ଖର୍ଚ୍ଚ କରିଥିଲେ, ଘର ନିଲାମ ହେଇଥାନ୍ତା ବାପା ଘର ମୁକୁଳାଇଲେ । ଆଉ କେମିତି କରିଥିଲେ ସମସ୍ତେ ସନ୍ତୁଷ୍ଟ ହେଇଥାନ୍ତେ, ମୁଁ ବୁଝିପାରେନା । ବଡବାପାଙ୍କ ପୁଅର ଟିଉସନ୍ ପଇସା ବି ବାପା ଦିଅନ୍ତି । ମୁଁ ତ ଟିଉସନ୍ ହେଇନି । ସ୍କୁଲ୍ରେ ତ ଭଲ ପଢା ହେଉଥିଲା । ଟିଉସନ୍ ଆବଶ୍ୟକ ନଥିଲା ସେ ସମୟରେ । ବଡବାପାଙ୍କ ଦେହ ଖରାପ ହେଲା ବାପା ପଇସା ଦେଲେ । ବଡବୋଉ ଚାଲିଗଲେ ଶୁଦ୍ଧିକ୍ରିୟା ଭୋଜିର ପଇସା ସବୁ ତ ବାପା ଦେଲେ, ତଥାପି ସମସ୍ତେ ଅସନ୍ତୁଷ୍ଟ । ୧୯୭୩- ୧୯୭୪ ମସିହାରେ (ଆମେ ସେତେବେଳେ ଦିଗପହଣ୍ଡିରେ ଥାଉ) ବାପା ତାଙ୍କ ସବା ସାନଭାଇ ଯିଏ ରେଭେନ୍ସାରେ ବି.କମ୍. କରୁଥିଲେ, ତାଙ୍କୁ ପ୍ରତିମାସ ୩୦୦ଟଙ୍କା ପଠାଉଥିଲେ । ଏକଥା ବାପା ଆମକୁ କୁହନ୍ତିନି । ମୁଁ ମୋ ଦାଦାଙ୍କ ହାତଲେଖା ଡାଏରୀରୁ ଜାଣିଲି । ସେଥିରେ ଲେଖାଥାଏ – “ନିତଭାଇ ଆଜି ୩୦୦ଟଙ୍କା ପଠାଇଲେ, ମୁଁ ସିନେମା ଗଲି ହୋଟେଲରେ ଖାଇଲି ।” ସେ କିନ୍ତୁ ବାପାଙ୍କୁ ଲେଖନ୍ତି “ଆପଣ ଏତେ କମ୍ ଟଙ୍କା ଦେଉଛନ୍ତି, ମୁଁ ବହିପତ୍ର କିଣିପାରୁନି । ତାଙ୍କ ଡାଏରୀରେ ଲେଖାଥିଲା । “ମୁଁ ସୁନା ନିବ୍ ଦିଆ କଲମଟିଏ କିଣିଲି ।” ସବୁଦିନ ଗୋଟିଏ ଦିଟା ସିନେମା ଯିବା ଲେଖାଥିଲା । ସେ ସମୟରେ ୩୦୦ଟଙ୍କା ତାଙ୍କୁ ଅଣ୍ଟୁ ନଥିଲା । ସମସ୍ତଙ୍କର ପଇସାକୁ ନେଇ ବାପାଙ୍କ ଉପରେ ପ୍ରଚଣ୍ଡ ଅଭିଯୋଗ ।
ଭୁବନେଶ୍ୱରରୁ ବାପା କେନ୍ଦ୍ରାପଡା ଗ୍ରୀଡ୍କୁ ୬ ମାସ ଡେପୁଟେସନ୍ରେ ଆସିଲେ । ୬ ମାସ ପରେ ବାପା ପ୍ରମୋସନ୍ ପାଇ ଥେରୁବାଲି (ରାୟଗଡା) ଚାଲିଗଲେ । ସେଠି ୪ ବର୍ଷ ରହିଲେ । ମଝିରେ ମୁଁ ଥରେ ଯାଇ, ମାସେ ସେଠି ରହି ଆସିଥିଲି । କିନ୍ତୁ ଶେଷ ୬ ମାସ ମୁଁ ବାପାଙ୍କ ସହ ରହିଥିଲି । ତା’ ଭିତରେ ବାପାଙ୍କର ଭୁବନେଶ୍ୱର ଆସିବାର ହେଲା, ମୋତେ କହିଲେ ଚାଲ୍ ତୋର ମୋର ଯିବା ଘରଆଡେ ବୁଲି ଚାଲିଆସିବା । ମୁଁ କହିଲି, ମୁଁ ଗଲେ ଆଉ ଆସିବିନି । ବାପା କହିଲେ ଠିକ୍ ଅଛି ତୁ ଯିବା ଦରକାର ନାହିଁ । ସେଠି ଥିଲା ବେଳେ ପଡିଶା ଘର ମାଉସୀ କୁହନ୍ତି, ତମେ ରହିବା ପରଠାରୁ ବାପା ଠିକ୍ ଅଛନ୍ତି, ବି.ପି. ବଢୁନି ନ ହେଲେ ମାସକୁ ଥରେ ତ ଡାକ୍ତରଖାନା ଯାଆନ୍ତି, ୨ ଦିନ ଘରେ ପଡି ରୁହନ୍ତି, କ’ଣ ଖାଆନ୍ତି ଆମେ ଜାଣିନୁ । ସିଂ କୁ (ଯିଏ ବାପାଙ୍କ ବୋଲହାକ କରିଦିଏ) ପଚାରିଲେ ସେ କୁହେ, ମୁଁ ଜାଣିନି । ମୁଁ ଥିଲାବେଳେ ଥରେ ବାପାଙ୍କ ଦେହ ଖରାପ ହେଲା ୭ ଦିନ ବିନା ଲୁଣରେ ରୋଷେଇ କରି ଆମେ ବାପ ଝିଅ ଖାଇଛୁ । ମୁଁ ପଛରେ ଲୁଣ ଗୋଳାଇ ଖାଏ ଯେ ଯାହା ଲାଗୁଥିବ, ଜାଣିଥିବେ । କିନ୍ତୁ ବାପା ଅଫିସ୍ ବନ୍ଦ କରିନାହାନ୍ତି, ତେଣୁ କେହି ଜାଣିନାହାନ୍ତି । ମୁଁ ବୁଝିଗଲି ଯେ, ମୁଁ ରହିଲେ ବାପାଙ୍କୁ ସାହସ ମିଳୁଛି । ମୁଁ ବାପାଙ୍କର ୮/୧୦ ହାତ ପାଖରେ ଥିଲେ ବାପା ମତେ “ମା’ ରେ” ବୋଲି ଡାକନ୍ତି, ଟିକେ ଦୂରରେ ଥିଲେ “ବୁଢୀ” ବୋଲି ଡାକନ୍ତି ।
ଗାଁକୁ ଆସିବା ପରେ ବାପା ଅନୁକୂଳଚନ୍ଦ୍ରଙ୍କ ସତ୍ସଙ୍ଗ ଓ ବହି ଲେଖାରେ ଲାଗି ପଡିଲେ । ଶେଷ ସମୟ ଆଡକୁ ସାହିରେ ଜଣେ ପୁତୁରା ହେବ ତାଙ୍କର, ତାକୁ କହିଲେ ମୁଁ ଆଉ ସ୍ନାନ ପୂର୍ଣ୍ଣିମାକୁ ନ ଥିବି । ବାପା ମୋର ଭଲ ଜ୍ୟୋତିଷ ହିସାବ କିତାବ କରନ୍ତି । ଗଣନା କରି କହିଥିଲେ, ସ୍ନାନ ପୂର୍ଣ୍ଣିମା ଯିବା ପରେ ସେହି ସାନ ଭାଇ ଜଣକ ମତେ କହିଲା – “ନାନୀ, ଦାଦା ତ କହିଥିଲେ ସ୍ନାନ ପୂର୍ଣ୍ଣିମାକୁ ନ ଥିବି । ଅଛନ୍ତି ତ ?” ମୁଁ କହିଲି – “ବେଇ, ମତେ କଣ କହୁଛୁ ? ତୁ ପଚାରୁନୁ ?” ବାପା କିନ୍ତୁ ସତରେ ସେହି ବର୍ଷ ଚାଲିଗଲେ ।
୨୦୧୨ ମସିହା ଅକ୍ଟୋବର ୯ ତାରିଖ ଖରାବେଳେ ବାପା ଦେହ ତ୍ୟାଗ କଲେ । ବହୁତ କଷ୍ଟ ହେଇଥିଲା ମତେ । ସେହି ଦିନଠାରୁ ମୁଁ ବୁଝିଗଲି ଜୀବନ କଣ ? ମୁଁ ମୃତ୍ୟୁକୁ ଧୀରେ ଧୀରେ ଭଲପାଇ ବସିଲି ।
