ଅନୁଭୂତି

ଛୋଟ ଘଟଣାଟିଏ

Odia Author Mr Ramakanta Mishra

ବୟ୍‌ ଟି କିଛି ନ କହି ମୁହଁକୁ ଆହୁରି ଟିକିଏ ତଳକୁ କରି ଠିଆ ହେଲା, ମୁଁ ଆହୁରି ବିରକ୍ତ ହେଲି ଆଉ ତାକୁ ଶୀଘ୍ର ସେଠାରୁ ଚାଲିଯିବା ପାଇଁ କହିଲି । ତେବେବି ସେ ଗଲା ନାହିଁ ।

ଛୋଟ ଘଟଣାଟିଏ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜୀବନରେ ଅନେକ ଛୋଟ ଛୋଟ ଘଟଣା ଏପରି ଘଟି ଯାଏ ଯେଉଁ ଗୁଡାକ କିନ୍ତୁ ଗଭୀର ଚିହ୍ନ ରଖିଥାଏ । ଏପରି ଘଟଣା ଗୁଡାକ ସମସ୍ତଙ୍କ ଜୀବନରେ ଘଟେ ଆଉ ମୋ ଜୀବନରେ ବି ଘଟିଛି । ସେହିପରି ଛୋଟ ଘଟଣାଟିଏ ……..

ବୋଧ ହୁଏ ୧୯୮୭ ମସିହା ନଭେମ୍ବର ମାସର କଥା, ମୋର ପ୍ରକୃତ ତାରିଖ ମନେ ନାହିଁ । ଡ଼ାଇରୀ ରେ ଖୋଜିଲେ ମିଳିଯିବ । ସେ ତାରିଖ କି ଦିନର କୌଣସି ମହତ୍ତ୍ୱ ନାହିଁ ମୋ ପାଖରେ, ଯେଉଁ ଛୋଟ ଘଟଣାଟି ଘଟିଥିଲା ତାର କିନ୍ତୁ ଚିହ୍ନ ଏ ଯାଏ ମୋ ମନରେ ଅଛି ।

ମୁଁ ସେ ବର୍ଷ ଜାତୀୟ ସୁରକ୍ଷା ପରିଷଦର ପଶ୍ଚିମାଞ୍ଚଳ ପାଇଁ ଆବାହକ ନିଯୁକ୍ତ ହୋଇଥାଏ । ମୁଁ ସେତେବେଳେ ଟାଟା ରିଫ୍ରାକଟାରିଜ କାରଖାନାର ତାଲିମ ଏବଂ ସୁରକ୍ଷା ଉଭୟର ମୁଖ୍ୟ ଥିଲି । ସେତେବେଳେ ଆମ କମ୍ପାନୀର ପରିଚାଳନା ନିର୍ଦେଶକ ଥିଲେ ଶ୍ରୀଯୁକ୍ତ ଅଶୋକ ମେହେଟ୍ଟା ସାହେବ ଆଉ ମୁଖ୍ୟ ସାଧାରଣ ପରିଚାଳକ ଥିଲେ ଶ୍ରୀଯୁକ୍ତ ଡ଼ି.ଏମ୍‌.ପଟ୍ଟନାୟକ । ମୁଁ ଜାତୀୟ ସୁରକ୍ଷା ପରିଷଦ ଓଡିଶା ଶାଖାର ଆବାହକ ମନୋନୀତ ହେବା ପରେ ସେ ଉଭୟେ ମୋ ଉପରେ ଯଥେଷ୍ଟ ଖୁସି ହୋଇଥିଲେ ଏବଂ ସ୍ଵେଛା ପୂର୍ବକ ସେ ଦାୟିତ୍ୱକୁ ତୁଲାଇବା ପାଇଁ ଯଥେଷ୍ଟ ସ୍ୱାଧୀନତା ଦେଇଥିଲେ ।

ମୁଁ ଯେଉଁ ବର୍ଷ ହୋଇଥିଲି ଆବାହକ ସେହିବର୍ଷ ସଭାପତି ଭାବରେ ଶ୍ରୀଯୁକ୍ତ ବାଗ୍‌ଡିଂକୁ ମନୋନୀତ କରାଯାଇଥିଲା । ସେତେବେଳେ ସେ ଓରିଏଣ୍ଟ ପେପରମିଲ ବ୍ରଜରାଜନଗରର ପରିଚାଳନା ମୁଖ୍ୟ ଥିଲେ । ସେ ମଧ୍ୟ ଅତ୍ୟନ୍ତ ମିଷ୍ଟ ଭାଷି ଏବଂ ଦକ୍ଷ ପ୍ରଶାସକ ଥିଲେ । ମତେ ତାଙ୍କ ସହିତ ବିଭିନ୍ନ ସୁରକ୍ଷା ପ୍ରୋଗ୍ରାମ କରିବାରେ ବିଶେଷ ଭଲ ଲାଗୁ ଥିଲା କାରଣ ତାଙ୍କର ପୂର୍ଣ୍ଣ ସହଯୋଗ ପ୍ରତ୍ୟେକ କାର୍ଯ୍ୟରେ ମିଳୁ ଥିଲା ।

ମୁଁ ବେଲପାହାଡ଼ରେ ରହୁ ଥିବାରୁ ବ୍ରଜରାଜ ନଗର ବହୁତ ପାଖ ହେଉଥାଏ । ମୁଁ ସାଧାରଣତଃ ସନ୍ଧ୍ୟା ଛଟା ପର୍ଯ୍ୟନ୍ତ ମୋ ନିଜର ଅଫିସର ସବୁ କାମ ସାରି ଦେଇ ଗାଡି ନେଇ ଯାଏ ବ୍ରଜରାଜନଗର ଆଉ ସେଠାରେ ବିଭିନ୍ନ ସୁରକ୍ଷା ପ୍ରୋଗ୍ରାମ ସମ୍ବନ୍ଧରେ ବାଗଡି ସାହେବଙ୍କ ସହିତ ପରାମର୍ଶ କରେ । ବେଶୀ ରାତି ହୋଇଗଲେ ମୁଁ ଓରିଏଣ୍ଟ ପେପରମିଲର ଅତିଥି ଭବନରେ ରହିଯାଏ ରାତିକ ପାଇଁ ଏବଂ ତା ପରଦିନ ସକାଳେ ଫେରି ଯାଏ ବେଲପାହାଡ଼କୁ । ମୋର ରହିବାର ଇଚ୍ଛା ନ ଥିଲେ ମଧ୍ୟ ବାଗଡି ସାହେବ ବେଳେ ବେଳେ ବାଧ୍ୟ କରି ମତେ ରଖାଇ ନିଅନ୍ତି ତାଙ୍କର ଗେଷ୍ଟ ହାଉସ୍‌ରେ । ସେତେବେଳେ ଓରିଏଣ୍ଟ ପେପର ମିଲ ଭଲ ଚାଲୁଥାଏ ଆଉ ସେମାନଙ୍କର ଅନେକ ଗେଷ୍ଟ ହାଉସ୍‌ ମଧ୍ୟ ଥାଏ । ପ୍ରତିଦିନ ଅନେକ ଲୋକ ସେମାନଙ୍କର ବିଭିନ୍ନ ଗେଷ୍ଟ ହାଉସ୍‌ ମାନଙ୍କରେ ରହି ଆପ୍ୟାୟିତ ହେଉଥିଲେ ।

ବ୍ରଜରାଜନଗରର ଯେତେ ଗୁଡିଏ ଗେଷ୍ଟ ହାଉସ ଥିଲା ସବୁ ଗୁଡିକ ଠିକା ଶ୍ରମିକରେ ଚାଲୁ ଥିଲା, ସେତେବେଳେ ଆମ ବେଲପାହାଡ଼ର ଗେଷ୍ଟ ହାଉସ ଗୁଡିକ କିନ୍ତୁ ଟାଟା ପରମ୍ପରା ଅନୁଯାୟୀ ନିଜସ୍ୱ ଲୋକରେ ଚାଲୁ ଥିଲା । ନିଜସ୍ୱ ଲୋକରେ ଚାଲିଲେ ମଧ୍ୟ ମୁଁ ଦେଖିଛି ଆମ ଗେଷ୍ଟ ହାଉସର ଆଥିଥେୟତା ଏତେ ଭଲ ନ ଥିଲା । ଷ୍ଟାଫ ମାନେ ଏତେ ଦରମା ନେଉ ଥିଲେ କିନ୍ତୁ ଅତିଥି ମାନେ ସେ ଅନୁସାରେ ଆତିଥେୟତା ପାଉ ନ ଥିଲେ । ଠିକ୍‌ ତାର ବିପରୀତ ବ୍ରଜରାଜନଗରର ଗେଷ୍ଟ ହାଉସ୍‌ର ସେ ଠିକା ଶ୍ରମିକ ମାନେ ଅତି କମ ଦରମାରେ ଅତି ଚମତ୍କାର ଭାବରେ ଅତିଥି ସେବା କରୁଥିଲେ ।

ଯେଉଁ ଦିନର ଘଟଣା ଲେଖୁଛି ସେ ଦିନ ମୁଁ ଯାଇଥାଏ ବେଲପାହାଡ଼ରୁ ବ୍ରଜରାଜ ନଗର ସନ୍ଧ୍ୟା ବେଳେ, କାମ ସରୁ ସରୁ ରାତି ହୋଇଯାଇଥାଏ ଫଳରେ ମୁଁ ତିନି ନମ୍ବର ଗେଷ୍ଟ ହାଉସର ପ୍ରଥମ ମହଲାରେ ଗୋଟାଏ ରୁମ୍‌ରେ ରହିଗଲି । ସେ ଦିନ ମତେ ଭଲ ଲାଗୁ ନ ଥିଲା, ମୋ ପେଟଟା ମଧ୍ୟ ଭଲ ନ ଥିଲା । ତେଣୁ ରାତିରେ ଆଉ କିଛି ନ ଖାଇ ଶୋଇବା ପାଇଁ ମୁଁ ସ୍ଥିର କରି ଥିଲି । ତେଣୁ କରି ମୁଁ ପ୍ରାୟ ରାତି ଦଶଟାରେ ସବୁ ବୟ୍‌ ମାନଙ୍କୁ ମନା କରି ଦେଲି ଯେ ଆଜି ରାତିରେ ଖାଇବି ନାହିଁ ଆଉ ଶୋଇବାକୁ ଯାଉଛି । ମତେ ଯେପରି କେହି ନ ଉଠାନ୍ତି ।

ମୁଁ ଉପରକୁ ଯାଇ ନିଜ ରୁମ୍‌ର ଦରଜା ବନ୍ଦ କରି ଶୋଇ ପଡିଲି । କେତେ ସମୟ ଶୋଇଛି ମତେ ଜଣା ନାହିଁ । ମୁଁ ଶୋଇ ଯାଇଥାଏ ନିଦରେ । ହଠାତ୍‌ ମୋ ନିଦ ଭାଙ୍ଗିଲା କାହାରି ଦରଜା ବାଡିଆରେ । ମୋର ବିରକ୍ତିର ଚରମସୀମା ହୋଇଗଲା, ମୁଁ ଥରେ ଶୋଇଗଲା ପରେ ବିଶେଷ କରି ରାତିରେ ମତେ କେହି ଉଠାଇଲେ ମୁଁ ଭାରି ବିରକ୍ତ ହୁଏ । ଏକେତ ମୁଁ ଗେଷ୍ଟ ହାଉସ୍‌ର ମ୍ୟାନେଜର କୁ ମନା କରି ଦେଇଥିଲି ମତେ କେହି ନ ଉଠାଇବା ପାଇଁ, ତେଣୁ କରି ମୁଁ ଭାରି ରାଗି କରି ଉଠିଲି ଆଉ ଦରଜା ଖୋଲିଲି । ଦରଜାରେ ଗୋଟିଏ ବୟଟାଏ ଠିଆ ହୋଇଥାଏ ଆଉ ମୋ ଆଡକୁ ଚାହିଁ ସାମାନ୍ୟ ତଳକୁ ମୁହଁ କରି ଠିଆ ହୋଇ ଥାଏ । ମୋ ରାଗ ଚରମରେ ପହଞ୍ଚି ଗଲା, ଘଡି ଦେଖିଲି ସେତେବେଳକୁ ବାଜି ଥାଏ ରାତି ଏଗାରଟା ତିରିଶ ! ମୁଁ ସେ ବୟ୍‌ ଉପରେ ଭୟଙ୍କର ଭାବରେ ରାଗିଲି ଆଉ ପଚାରିଲି ମନା କରିଥିବା ସତ୍ୱେ ସେ କାହିଁକି ଏତେ ରାତିରେ ଆସି ମତେ ନିଦରୁ ଉଠାଇଲା ?

ବୟ୍‌ ଟି କିଛି ନ କହି ମୁହଁକୁ ଆହୁରି ଟିକିଏ ତଳକୁ କରି ଠିଆ ହେଲା, ମୁଁ ଆହୁରି ବିରକ୍ତ ହେଲି ଆଉ ତାକୁ ଶୀଘ୍ର ସେଠାରୁ ଚାଲିଯିବା ପାଇଁ କହିଲି । ତେବେବି ସେ ଗଲା ନାହିଁ । ମୁଁ ତାକୁ ପଚାରିଲି ତାର କଣ ଦରକାର ବୋଲି ।

କିଛି ସମୟ ପରେ ସେ ବୟ୍‌ ଟି କହିଲା “ସାର୍‌ ଆପଣ ମତେ ଆଉ ଅନ୍ୟ ମାନଙ୍କୁ ମଧ୍ୟ ମନା କରିଥିଲେ ଆପଣଙ୍କୁ ନ ଉଠାଇବା ପାଇଁ, ମୁଁ ଜାଣିଛି । ଆଉ ଏହା ମଧ୍ୟ ଜାଣିଛି ଯେ ଆପଣ ଆଜି ରାତିରେ ମଧ୍ୟ କିଛି ଖାଇ ନାହାନ୍ତି । ନଭେମ୍ବର ମାସର ଥଣ୍ଡା ରାତି, ଏତେ ବଡ଼ ରାତିରେ କିଛି ନ ଖାଇ ଶୋଇବାଟା ଭଲ ନୁହେଁ । ଆପଣ ଆମର ଏ ଗେଷ୍ଟ ହାଉସରେ ରାତି ସାରା କିଛି ନ ଖାଇ ରହିବେ ଏ କଥା ଆମକୁ ଭଲ ଲାଗିବ ନାହିଁ, ମୁଁ ତେଣୁକରି ଆପଣଙ୍କ ପାଇଁ ଗରମ କ୍ଷୀର ଏକ ଗ୍ଲାସ୍‌ ଆଣିଛି ଆପଣ ଦୟାକରି ୟା’କୁ ପିଇ ଦେଇ ଶୋଇପଡ଼ନ୍ତୁ ।”

ସେ ଡରି ଡରି ଏତକ କହିଦେଇ ମୁହଁ ତଳକୁ କରି ଠିଆ ହେଲା । ମୁଁ ଏବେ ତା ହାତରେ ପ୍ଲେଟ ଉପରେ କ୍ଷୀର ଗ୍ଳାସ୍‌ଟିଏ ଥୁଆ ହୋଇ ଥିବାର ଦେଖି ବାକୁ ପାଇଲି । ଆଗରୁ ଚିଡି କରି ଦରଜା ଖୋଲି ଥିବାରୁ ମୁଁ ଆଉ ତା ହାତରେ ଥିବା କ୍ଷୀର ପ୍ଲେଟଟିକୁ ଆଗରୁ ଲକ୍ଷ କରି ନ ଥିଲି ।

ତାର କଥା – “ସାର ଆପଣ ଆମ ଅତିଥି ଆଉ ଏତେ ବଡ଼ ରାତିରେ କିଛି ନ ଖାଇ ଶୋଇବେ ଆମକୁ ଭଲ ଲାଗିବ ନାହିଁ । ଏ କ୍ଷୀର ଗ୍ଲାସ ଆଣିଛି ପିଇକରି ଶୋଇ ପଡନ୍ତୁ ।” – ମୋର ସବୁ ରାଗ ଥଣ୍ଡା ହୋଇ ସାରି ଥାଏ । ମୁଁ ମନେ ମନେ ଭାବିଲି ଆମ ବେଲପାହାଡ ର ଗେଷ୍ଟହାଉସର ସେ ନିଜର ଷ୍ଟାଫ୍‌ ମାନେ ଏତେ ପଇସା ଦରମା ନେଇ କେବେବି ଏମିତି ନିଜ ଲୋକ ଭଳିଆ ଦରଜା ବାଡେଇ ଉଠାଇ କ୍ଷୀର ପିଇବାକୁ ଦେଇ ନ ଥାନ୍ତେ । ଆଜିକାଲି ତ ନିଜ ସ୍ତ୍ରୀ ମାନେବି ଏତେ ଆପଣାର ପରି ଏମିତି କରିବେ ନାହିଁ । ଏ ଗୋଟିଏ ଠିକା ଶ୍ରମିକ । ଦିନକୁ ୨୫ ଟଙ୍କା ଦରମା ପାଉଥିବ କିନ୍ତୁ ଦାୟିତ୍ୱ ଜ୍ଞାନ ଏବଂ ମଣିଷ ପଣିଆ କେତେ ବେଶୀ !

ମୁଁ ତା ଉପରେ କର୍କଶ ହୋଇ ଥିବାରୁ ତା ଠାରୁ କ୍ଷମା ମାଗିନେଲି ଏବଂ କ୍ଷୀର ଗ୍ଲାସ ଟିକୁ ରଖି ଦେଇ ଯିବା ପାଇଁ କହିଲି । ଏ ଘଟଣା ଅତି କ୍ଷୁଦ୍ର କିନ୍ତୁ ଏହାର ପ୍ରଭାବ ଏବେବି ମୋ ମନରେ ରହି ଯାଇଛି ।

1 Comment

1 Comment

  1. Santosh Kumar sahoo

    November 20, 2017 at 3:35 pm

    Very nice experience. It’s very rare.

To Top