ଝିଅ ବିଦା ବେଳ ହେଲା,
ନିଜ ବାପା ମା ଙ୍କୁ ସବୁଦିନ ପାଇଁ,
ଏକା କରିଯିବାର ବେଳ ଆସିଗଲା ।
ଦୁଇ କୁଳ ହିତ କରିବ ବୋଲି ତ,
ନାମ ଟି ତାହାର ଦୁହିତା ।
ଏ କୁଳ ର ଖେଳ ସରି ସରି ଗଲା,
ଆର କୁଳ ଡାକ ଦେଲା ।
ଗୋଟେ କୂଳେ ହେଲା ଜନମ,
ଆର କୂଳେ କରିବ ଏବେ କରମ ।
ବାପା ଘର ସୁଖ ଅଢେଇ ଦିନିଆ,
କାଳେ କାଳେ ଅଛି ଏହି କଥା ।
ବୋହୁ ଡାକ ଏବେ ସୁଭିବ ସିନା,
ଝିଅ ଡାକ ଲୁଚି ଗଲା ।
ଏ କଥା ଲାଗେ ନିହାତି ଜରୁରୀ,
ତଥାପି କାହିଁକି ବୁଝେନା ,
କେଉଁ ବାପା ମା ର ମନ ।
ପର ଘର ଏବେ ଆପଣା ର ହବ,
ନିଜ ଘର ପର ହୋଇଗଲା ।
କରିଥିଲା ଦିନେ ଅଳିଅଝଟ ।
ସାଜିଥିଲା ଅଲିଅଳି ଝିଅ ।
ଏବେ ନିଜ କୋହ କୁ ଛାତିରେ,
ଚାପି ପୋଛିବ ଆଖିର ଲୁହ ଏକା ।
କେତେ ବୁଲିଥିଲା କେତେ ଖେଳିଥିଲା
କେତେ କରିଥିଲା ରଜମଉଜ ।
ଦିନେ ଦେଖି ନ ଥିଲା ହାଣ୍ଡିଶାଳ ଘର,
ଏବେ ଘର ଚାରିକାନ୍ଥ ପରିଧି ହେବ ତାର ।
ନିଜ ଭାଗ୍ୟ ନେଇ ଅଚିହ୍ନା ଅଜଣା,
ପୁରୁଷ ର ହାତ ଧରି ଆଜି ସେ,
ପାଲଟିଗଲା ତାର ଜୀବନ ର ଅତି ଆପଣା ।
ପର ଲୋକ ଏବେ ଆପଣା ର ହେବେ
ନିଜ ଲୋକ ପର ହୋଇଗଲା ।
ଚଉଁରା ରେ ଆଉ ସଞ୍ଜ ବତୀ କିଏ ,
ଦବ, ଭାଇ ହାତେ ଆଉ କିଏ ରାଖୀ,
ବାନ୍ଧିବ, ଯାହାର ମୁହଁ ରେ ଲଗାମ ,
ରହୁ ନ ଥିଲା ସେହି ଏବେ,
ମୁଣ୍ଡେ ଓଢଣା ଟାଣି ଲୁଚାଇବା ମୁହଁ।
କୁଆଁରୀ ଏବେ ପାଲଟିଗଲା କନିଆଁ ।
ବାପ ଘରୁ ଏବେ ସବାରୀ ଉଠିଲା,
ଝିଅ ବିଦା ବେଳ ହେଲା ।
