କର୍ପୂର ଉଡ଼ିଯାଇଛି ହରିଆ, ଖାଲି କନା ଖଣ୍ଡକ ପଡ଼ି ରହିଛି । ଏତେ ବଡ଼ ବଡ଼ ଅଫିସର୍ମାନେ ଆସୁଛନ୍ତି । ଆଗ କଥା ଅଲଗା ଥିଲା । କଚେରୀ ଘରେ ବସାଇ ସେମାନଙ୍କ ଚର୍ଚ୍ଚା ବହୁ ଆଡ଼ମ୍ୱରରେ ହୋଇ ପାରୁଥିଲା । ସେ ଘର ତ ଭଙ୍ଗା ସରିଲାଣି ।
–ପୂର୍ବରୁ–
୧୯୫୧ରେ ସ୍ୱାଧୀନ ଭାରତର ପ୍ରଥମ ଜନ ଗଣନା । ଭାରତର ପ୍ରଦେଶ ସଂଖ୍ୟା ଚଉଦ ଏବଂ ୟୁନିଅନ୍ ଟେରିଟୋରୀ ଛଅ । ୨୦୧୧ରେ ଯାହା ବୃଦ୍ଧି ପାଇ ଚଉଦରୁ ଅଣତିରିଶ ଏବଂ ଛଅରୁ ସାତ ହୋଇଥିଲେ ମଧ୍ୟ ଭାରତବାସୀମାନଙ୍କ ମନରେ ଏକ ବଦ୍ଧ ଧାରଣା ଓଡ଼ିଶା ଏକ ଗରିବ ପ୍ରଦେଶ । ଆମ ପୂର୍ବ ପୁରୁଷମାନେ ମତ ଦେଉଥିଲେ, ଏଇ ଗରିବୀ ପାଇଁ ଓଡ଼ିଶାର ପରିଦୃଶ୍ୟମାନ ଦୈବୀ ଦୁର୍ଘଟଣା (ନାଚୁରାଲ କାଲାମିଟି) ସମ୍ପୂର୍ଣ୍ଣ ଭାବେ ଦାୟୀ । ଆଜି ମଧ୍ୟ ଏଇ ବିପନ୍ନତା ପାଇଁ ନାଟୁରାଲ୍ କାଲାମିଟିକୁ ଦୋଷୀ ସାବ୍ୟସ୍ତ କରାଯାଇଥାଏ ।
ଦୁର୍ଭିକ୍ଷ :-
୧୮୬୫ ମସିହା ନଅଙ୍କ ଦୁର୍ଭିକ୍ଷ ବିଷୟରେ ମୁଁ ପଦସାର୍ଙ୍କଠାରୁ ପ୍ରାଞ୍ଜଳ ଭାବେ ଶୁଣିଥିଲି । ପୁଣି ଥିଲା ଏକ ଭୟଙ୍କରୀ ଦୁର୍ଭିକ୍ଷ, ୧୯୪୩ର ବଙ୍ଗ ଦୁର୍ଭିକ୍ଷ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଜଟିଳତା ଯୋଗୁଁ ଏହା ଘଟିଥିଲା ବୋଲି ଅନେକ ମତ ଦିଅନ୍ତି ।
ମହାଭାରତ ଅମଳରୁ ଦୁର୍ଭିକ୍ଷ ବିଷୟରେ କିଛି ଲୋକ କଥା ପ୍ରଚଳିତ ହୋଇ ଆସୁଛି । ତାହା ହେଲା ବାଉଁଶ ଗଛରୁ ଫୁଲ । ବାଉଁଶ ଗଛରେ କରଡ଼ି ଏକ ନିୟମିତ ବିଷୟ ବସ୍ତୁ ହୋଇଥିଲେ ମଧ୍ୟ ଏଇ ଗଛ ଫୁଲ ଦେବା ବିରଳ । କୁହାଯାଏ ବାଉଁଶ ଗଛ ତା’ ଜୀବନ କାଳ ମଧ୍ୟରେ ଥରେ ଫୁଲ ୭ ରୁ ୧୨୦ ବର୍ଷ ମଧ୍ୟରେ ଦେଇଥାଏ । ସମାଜରେ ଆଜି ମଧ୍ୟ ଏଇ ଅନ୍ଧ ବିଶ୍ୱାସ ରହିଛି ଯେ ବାଉଁଶ ଗଛରେ ଫୁଲ ଆସିଲେ ରୋଡ଼େଣ୍ଟ (ମୂଷା ଜାତୀୟ) ସଂଖ୍ୟା ବଢ଼ିଥାଏ ଏବଂ ପରେ ପରେ ଦୁର୍ଭିକ୍ଷ ଅବଶ୍ୟାମ୍ଭବୀ । ବାଉଁଶ ଫୁଲ ଏବଂ ମୂଷା ବୃଦ୍ଧିର କୌଣସି ବୈଜ୍ଞାନିକ କାରଣ ଜଡ଼ିତ ନ ଥିଲେ ମଧ୍ୟ ବିଷୟାବଳୀର ଦୃଢ଼ତା ଖୁବ୍ ବେଶୀ ।
ଭାରତର ଉତ୍ତରୀପୂର୍ବ ରାଜ୍ୟରେ (ମିଜୋରାମ୍) ବାଉଁଶ ଗଛ ସଂଖ୍ୟା ବହୁତ ବେଶୀ । ୧୯୫୮ ମସିହାରେ ଏମିତି ଏକ ସମୟ ଆସିଥିଲା, ବହୁ ବାଉଁଶ ଗଛମାନଙ୍କର ଫୁଲ ଆସିଥିଲା । ମିଜୋମାନେ ଆସାମ ସରକାରଙ୍କୁ ଏ ବିଷୟରେ ସତର୍କ କରାଇଥିଲେ । ମାତ୍ର ଏଥିରେ କୌଣସି ବୈଜ୍ଞାନିକ କାରଣ ନାହିଁ ବୋଲି ସରକାର ଏ ପ୍ରସ୍ତାବ ଉପରେ ଗୁରୁତ୍ୱ ନ ଦେଇ ରଦ୍ଦ କରି ଦେଇଥିଲେ । ସମୟ କ୍ରମେ ୧୯୬୧ରେ ସେଠାରେ ଦୁର୍ଭିକ୍ଷ ଦେଖାଯାଇଥିଲା ।
ବନ୍ୟା :-
୧୯୫୫ ମସିହା ଅଗଷ୍ଟ ମାସ । ଝଡ଼ି ବର୍ଷା ଲାଗି ରହିଛି । ବ୍ରାହ୍ମଣୀ, ବୈତରଣୀ, ଖରସୁଆଁ, ମହାନଦୀ, କାଠଯୋଡ଼ି ପ୍ରଭୃତି ସମସ୍ତ ବଡ଼ ବଡ଼ ନଦୀରେ ବନ୍ୟା ଦେଖା ଦେଇଥିଲା । ଆମ ଗାଁକୁ ପାଣି ଆସି ନଥିଲା । ମାତ୍ର ବନ୍ଧ ଭାଙ୍ଗିବାରୁ କେତେ କେତେ ଘର ଦ୍ୱାର ଭାସି ଯାଇଥିଲା । ଗାଁ ଗହଳିରେ କଥା ପଡ଼ିଥାଏ, ବିରଜା ଠାକୁରାଣୀ ଯାଜପୁରର ଗାଁ ଗୁଡ଼ିକୁ ସୁରକ୍ଷିତ କରି ରଖିଛନ୍ତି । ତଥାପି ମଧ୍ୟ ସମସ୍ତେ ଆତଙ୍କିତ ହୋଇଥାଆନ୍ତି । ରେଡ଼ିଓରେ ଖବର ଦେଉଛି ଗୋଟିଏ ପ୍ରଳୟଙ୍କରୀ ବନ୍ୟା ଆସିବ । ଦଳେଇ ଘାଇ ଭାଙ୍ଗିବାର ବହୁ ସମ୍ଭାବନା । ମୁଁ କେବେ ବନ୍ୟା ଦେଖି ନ ଥିଲି । ସମସ୍ତଙ୍କ ମୁହଁରୁ ଶୁଣି ଶୁଣି କଳ୍ପନା କରୁଥିଲି । ଖୁବ୍ ଜୋର୍ରେ ପାଣି ମାଡ଼ି ଆସି ଘରର ମାଟି କାନ୍ଥ ଗୁଡ଼ିକୁ । ଭାଙ୍ଗିଦେବ । ଗାଈଗୋରୁମାନେ ପହଁରି ଚାଲିଯିବେ । ନଡ଼ା ଛାତ ଗୁଡ଼ିକ ଭାସି ଭାସି ଯିବ । ଆମେ ସବୁ ତା’ ଉପରେ ବସିଥିବୁ ।
ଦଳେଇ ଘାଇ ଭାଙ୍ଗିଛି । ବଢ଼ି ପାଣିରେ ତା’ର ଆଖ ପାଖ ଗାଁ ଆଞ୍ଚଳରେ ଖଣ୍ଡ ପ୍ରଳୟ ସୃଷ୍ଟି କରିଥିଲା । ଝଡ଼ ବାତ୍ୟାରେ ଉପୁଡ଼ି ପଡ଼ିଥିବା ବିଶାଳ ଗଛ ଗୁଡ଼ିକ କେତେକ ସୁଅ ମୁହଁରେ ପଡ଼ି ଜଳର ଗତି ରୋଧିଛନ୍ତି । ପରେ ପରେ ରେଡ଼ିଓରୁ ଶୁଣିଲୁ ଜଗତ୍ସିଂହପୁର ଅଞ୍ଚଳରେ ନାହିଁ ନଥିବା କ୍ଷତି ହୋଇଥିଲା । ଲୋକେ ବାସ ଶୂନ୍ୟ । ମୁକ୍ତ ଆକାଶ ତଳର ବିସ୍ତୃତ ଭୂଇଁ ଏବେ ପାଇଁ ତାଙ୍କର ବାସସ୍ଥଳୀ, ଧନ, ଜୀବନ କେତେ ନାଶ ହୋଇଛି ତା’ର କଳନା ନାହିଁ । ସରକାର ତରଫରୁ ବହୁ ରିଲିଫ୍ କେନ୍ଦ୍ରମାନ ଖୋଲା ଯାଇଛି । ସନ୍ଧ୍ୟାଦୀପ ସିଂହାସନ ଉପରେ ରଖି ମନାସୁ ଥିଲି, ଏ ବାସହୀନ ପାଇଁ ଶୀଘ୍ର କିଛି ବ୍ୟବସ୍ଥା କରିଦିଅ ପ୍ରଭୁ । ସେଦିନ ପୁରାଣ ପଢ଼ା ଆରମ୍ଭ ପୂର୍ବରୁ ବାପାଙ୍କୁ ପଚାରିଲି, “ସରକାର ଗୋଟାଏ ବହୁ ବଡ଼ ଡ୍ୟାମ୍ ତିଆରି କରିଛନ୍ତି ବୋଲି ଖବର କାଗଜରୁ ପଢ଼ିଥିଲି । ସେଇଟା କ’ଣ ଏ ବଢ଼ିପାଣି ପାଇଁ ଯଥେଷ୍ଟ ନୁହେଁ ।”
କୋଉ ଡ୍ୟାମ୍ କଥା କହୁଛୁ ? ହୀରକୁଦ ଡ୍ୟାମ୍ ? ତାହା ମହାନଦୀର ତ୍ରିକୋଣ ପାଇଁ । ଏ ସବୁ ବ୍ୟତୀତ ଆହୁରି ନଦୀମାନ ମଧ୍ୟ ଅଛନ୍ତି । ମୋ ବଞ୍ଚିଥିବା ଅବସ୍ଥାରେ ଆଉ କିଛି ହୋଇ ପାରିବ କି ନାହିଁ କହିପାରିବିନି । ମାତ୍ର ତୁମେମାନେ ଦେଖିବ ସରକାର ଆମ ଓଡ଼ିଶାକୁ ନିଶ୍ଚିନ୍ତ ଭାବେ ବନ୍ୟା ମୁକ୍ତ କରାଇବେ ।
ଖୁବ୍ ମଜା ଆସିବ । ବନ୍ୟା, ଦୁର୍ଭିକ୍ଷ ପ୍ରଭୃତି ବନ୍ଦ ହୋଇଗଲେ ଆମ ଓଡ଼ିଶା ଆଉ ଗରିବ ରାଜ୍ୟ ଲିଷ୍ଟରେ ରହିବନି ।
ଅନ୍ୟାନ୍ୟ ଅନୁଭୂତି :-
୧୯୫୫ ମସିହା ଡିସେମ୍ୱର ୨୧ ତାରିଖ । ଖିଅର ହେବା ସମୟରେ ବାପା ହରି ବାରିକ ସଙ୍ଗେ କ’ଣ ସବୁ ବହୁତ କଥାବାର୍ତ୍ତା କରୁଥିଲେ । ଏଇ ହରି ବାରିକ ଏ ଗାଁଟା ଭିତରେ ଜଣେ, ଯାହାକୁ ବାପା ତାଙ୍କର ଭଲମନ୍ଦ ସବୁ କଥାରେ ଭାହୀ କରିଥାନ୍ତି । ତା’ ଠାରୁ କେବଳ ଆଜ୍ଞା, ଆଜ୍ଞା ଉତ୍ତର ମିଳିଥାଏ । ଦୁଇଟା ବଡ଼ ବଡ଼ ତାଳପତ୍ର ତାଟି ଦ୍ୱାରା ଚୌପାଡ଼ୀଘର ଅନ୍ୟ ଘରଠାରୁ ବିଭାଜନ ହୋଇଛି । ବାରଣ୍ଡାରେ ସପ ପକାଇ ବସିଥିଲୁ ଶୁଣିପାରିଲୁ କିଛି ଗୋଟାଏ ବଡ଼ କାର୍ଯ୍ୟକ୍ରମର ବ୍ୟବସ୍ଥା ହେଉଛି । ମାତ୍ର ବର୍ତ୍ତମାନ ତ ସେମିତି କିଛି ପର୍ବ ପର୍ବାଣୀ ନାହିଁ । ବଡ଼ନନାଙ୍କ ଜନ୍ମଦିନ ଅକ୍ଟୋବର ଅଠର ତାରିଖରେ ବହୁ ଧୂମ୍ଧାମ୍ରେ ପାଳନ ହୁଏ । ବନ୍ୟା ପାଇଁ ଏ ବର୍ଷ ତାହା ବନ୍ଦ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମା ଯାଇ ମାସେ ହେବା ଉପରେ । ତେବେ କ’ଣ ପର୍ବ ଆସୁଛି ଛୁଆ ନା ଖୁବ୍ ଧୀର ସ୍ୱରରେ ପଚାରିଲି ।
ବଡ଼ଦିନ କହି ସେ ତାଙ୍କ ଖାତାପତ୍ର ଧରି ଉଠିଗଲେ ।
ଏ ବଡ଼ଦିନ କ’ଣ ସୁଶୀନାନୀ ?
ଗଧି. . . ସ୍କୁଲ କଲେଜରେ ବଡ଼ଦିନ ଛୁଟି ହେଲେ ବଡ଼ନନା ଗାଁକୁ ଆସନ୍ତିନି ।
ହଁ, ସତେ ତ. . . ହେଲେ ଏ ଥର ତ ବଡ଼ଦିନ ଛୁଟିରେ ବଡ଼ନନା ଆସିବେନି ବୋଲି ଛୁଆନନା କହୁଥିଲେ ।
ବଡ଼ଦିନ ବିଷୟରେ ଜାଣିବାର ଉତ୍କଣ୍ଠା ଏବେ ବଢ଼ିଗଲା ଯେ ଛୁଆନନାଙ୍କ ପଛେ ପଛେ ଗଲି ।
ବଡ଼ଦିନ କ’ଣ କୁହ ଛୁଆ ନା ?
ମୋର ଏବେ ଡେରି ହେଲାଣି । ବହିରୁ ପଢ଼ିଦେବୁ ।
କୋଉ ପୁରାଣରେ ଅଛି । ରାମାୟଣ, କାର୍ତ୍ତିକ ପୁରାଣ, ମାଘ ମହାତ୍ମ୍ୟ, ବିଷ୍ଣୁ ପୁରାଣରେ ନାହିଁ ।
ଏ ସବୁ ପୁରାଣରେ ନ ଥାଏ । ଯିଶୁ ଖ୍ରୀଷ୍ଟଙ୍କ ନାଁ ଶୁଣିଛୁ ।
ହଁ, ମେରୀ ମା’ଙ୍କର ପୁଅ ।
ତାଙ୍କର ଜନ୍ମ ତାରିଖ, ବର୍ଷ କିଛି ଜଣାନଥିଲା । ଚତୁର୍ଥ ସେଞ୍ଚୁରୀରେ ପଶ୍ଚିମ ଖ୍ରୀଷ୍ଟିଆନ୍ ଗୀର୍ଜାରେ ଯିଶୁଙ୍କ ଜନ୍ମ ଦିବସ ୨୫ ଡିସେମ୍ୱର ବୋଲି ଧରି ନିଆଯାଇଥିଲା । ସେଇ ଦିନଠୁ ଏଇ ଦିନଟି ଖ୍ରୀଷ୍ଟିଆନ୍ମାନେ ବଡ଼ ଧୂମ୍ଧାମ୍ରେ ପାଳନ କରନ୍ତି ।
ଏଃ. . . ଏଃ. . . ମୋ ଜନ୍ମଦିନ ମଧ୍ୟ ତାରିଖ ଜଣା ନଥିଲେ ପାଳନ ହୋଇପାରିବ ।
ସେଥିପାଇଁ ତତେ ସେଇ ସ୍ତରକୁ ଯିବାକୁ ପଡ଼ିବ । ଯାଇ ପାରିବୁ ?
ନା. . . ।
ଆଚ୍ଛା ଠିକ୍ ଅଛି, ଏବେ ତୁ ଯା, ତୋ ପାଇଁ ଆଜି ବହି ନେଇ ଆସିବି, ପଢ଼ିବୁ । ୨୪ ତାରିଖ ରାତିରେ ସାଣ୍ଟା ପିଲାମାନଙ୍କୁ ଉପହାର ଦେଇଥାନ୍ତି ।
ମୁଁ ତ ପିଲା, ମତେ ଦେବେ ।
ତୁ ବହି ପଢ଼ି ସାରିଲେ ଜାଣିବୁ । କହି ଛୁଆନନା ବାହାରି ଗଲେ ।
ତୁ ଏତେ ଗୁଡ଼େଇ ତୁଡ଼େଇ କାହିଁକି ପଚାରୁଛୁ ? ଯେଉଁ ପର୍ବ ପାଇଁ ହେଉ, ଆମକୁ ଭଲ ଖାଇବାକୁ ମିଳିବ (କହିବା ବାହୁଲ୍ୟ, ସୁଶୀନାନୀକୁ ଖାଇବା ପାଇଁ ଖୁବ୍ ଭଲ ଲାଗେ) ମତେ ଚୁପ୍ କରାଇବା ପାଇଁ ସୁଶୀନାନୀ କହିଲା ।
ପେଟୀ ଖାଲି ଖାଇବୁ ଖାଇବୁ ହେଉଥା ।
ପୁଣି ଥରେ ହରି ବାରିକର ସ୍ୱର ଶୁଣାଗଲେ ଗଲା କଥା ଗଲାଣି ବାବୁ । ଆପଣ ନିଶ୍ଚୟ ସବୁ ସମ୍ଭାଳି ନେବେ ।
କର୍ପୂର ଉଡ଼ିଯାଇଛି ହରିଆ, ଖାଲି କନା ଖଣ୍ଡକ ପଡ଼ି ରହିଛି । ଏତେ ବଡ଼ ବଡ଼ ଅଫିସର୍ମାନେ ଆସୁଛନ୍ତି । ଆଗ କଥା ଅଲଗା ଥିଲା । କଚେରୀ ଘରେ ବସାଇ ସେମାନଙ୍କ ଚର୍ଚ୍ଚା ବହୁ ଆଡ଼ମ୍ୱରରେ ହୋଇ ପାରୁଥିଲା । ସେ ଘର ତ ଭଙ୍ଗା ସରିଲାଣି । ବର୍ତ୍ତମାନ ଏଇ ଛୋଟ ଚଉପାଢ଼ୀ ଖଣ୍ଡକ ।
ଆପଣଙ୍କ କାମ ତ ଦେଶ ବିଦେଶରେ ରାଜେ । ଆଉ ଗୋଟେ କିଏ ସେମିତି ଅଛି । ଗଲା ବଢ଼ି ପାଇଁ ଆପଣ ଗୋଟେ କେଡ଼େ ବଡ଼ ନୂଆ କାମ କରିଦେଲେ । ଏ କଥା ସାରା ଯାଜପୁରରେ କାହା ମନୁକୁ ଆସିଥିଲା ।
ସେଇ କାମ ପାଇଁ ଧନ୍ୟବାଦ ଦେବାକୁ ଆସୁଛନ୍ତି ।
ସେଇଆ କହୁ ନାହାନ୍ତି । ଆରେ ଆମ ବାବୁଙ୍କ ଆଗରେ ଆଉ ଗୋଟେ କିଏ ହବ ? କେତେ ଜଣ ବାବୁମାନେ ଆସୁଛନ୍ତି ଆଜ୍ଞା ?
ସାତ, ଆଠ ଜଣ ।
ବଡ଼ବାବୁଙ୍କ ସାଙ୍ଗେରେ ତ ପୁଣି ତାଙ୍କର କେତେ ନୋକ ବାକ ଥିବେ ।
ଜଟିଆ, ଭିକାରୀ, ରଙ୍ଗିଆକୁ ଡାକିଛି । କିଛି ସାମିଆନା ବାନ୍ଧି ବ୍ୟବସ୍ଥା କରିବାକୁ । ଧନ ଗଲେ ମିଳିବ ହରିଆ, ମହତ୍ ଗଲେ ଆଉ ଫେରିବନି ।
ସତ କଥା ବାବୁ ।
ଭାଗ୍ୟକୁ କଚେରୀ ଘରର ଟେବୁଲ୍, ଚେୟାର୍, ବେଞ୍ଚ ମାନ ବିକ୍ରୀ ହୋଇ ନାହିଁ । ଜାଣିଛୁ ତ ବାବୁମାନେ ଆମର ରାଜକୀୟ ରହଣୀ ଦେଖିଛନ୍ତି । ବର୍ତ୍ତମାନ ଆମର ଆର୍ଥିକ ଅବସ୍ଥା ମଧ୍ୟ ଏତେ ସ୍ୱଚ୍ଛଳ ନୁହେଁ । ତେଣୁ ଚିନ୍ତାରେ ଅଛି ।
ଛୋଟ ମୁହଁ ବଡ଼ କଥା ବାବୁ । ଆପଣ ମନ ଊଣା କଲେ ଚଳିବ । ମହାପୁରୁଙ୍କ ଦୟାରୁ ସବୁ ଭଲରେ ଭଲରେ ହେଇଯିବ । ଆଉ ବେଶି କ’ଣ କହିବି ! ମୋ କାମ ଗୁଡ଼ା କହି ଦିଅନ୍ତୁ ଆଜ୍ଞା ! ଗୁଣ୍ଡୁଚି ମୂଷା ଭଳି କିଛି ତ କରିପାରିବି ।
ତୁ ଠିକ୍ କହୁଛୁ ହରିଆ । ସେଇ ଲକ୍ଷ୍ମୀନାରାୟଣ (ଆମ ଇଷ୍ଟଦେବ) ସବୁ କରାଇ ଦେବେ । ମୋ ମହତ ଦାଣ୍ଡରେ ପକାଇବାକୁ ଦେବେନି ।
ବାପା ଦିନେ ଭୋଜନ କରି ସାରିବା ପରେ ନିଶ୍ଚେ ଘଣ୍ଟେ ଦେଢ଼ ଘଣ୍ଟା ଆରାମ୍ କରନ୍ତି । ଚଉପାଢ଼ୀରେ ତାଙ୍କ ଟେବୁଲ୍ ପାଖରେ ବସି ଘଣ୍ଟା ଘଣ୍ଟି କରିବାର ସେଇଟା ମୋ ପାଇଁ ପ୍ରଧାନ ସମୟ । ବେଶୀ ଘଣ୍ଟା ଚକଟା କରିବାକୁ ପଡ଼ିଲାନି । ଟେବୁଲ୍ ଉପରେ ଖଣ୍ଡିଏ ନାମ ଲେଖା କାଗଜ ଉପରେ ଗୋଟିଏ ପେପର ୱେଟ୍ ରଖାଯାଇଥିଲା । ନାମ ମାନ ପଢ଼ିବା ଆରମ୍ଭ କଲି ।
୧. ଶ୍ରୀ ହରେକୃଷ୍ଣ ମହତାବ୍
ସାଧାରଣ ସମ୍ପାଦକ, କଂଗ୍ରେସ ପାର୍ଟି,
ପୂର୍ବତନ ମୁଖ୍ୟମନ୍ତ୍ରୀ
ଏଇ ଭଦ୍ରବ୍ୟକ୍ତି ଶ୍ରୀ ନୀଳମଣି ରାଉତରାୟଙ୍କ ସଙ୍ଗେ ବହୁବାର ଆମ ଘରକୁ ଆସିଥାନ୍ତି । ତେଣୁ ତାଙ୍କୁ ଚିହ୍ନିପାରିବି ।
୨. ଶ୍ରୀ ନୀଳମଣି ରାଉତରାୟ
ଓଡ଼ିଶା ଲେଜିସ୍ ଲେଟିଭ୍ ଆସେମ୍ୱଲି ସଭ୍ୟ ।
ଇଣ୍ଡିଆନ ଟ୍ରେଡ୍ ୟୁନିୟନ୍ ସାଧାରଣ ସମ୍ପାଦକ
୩. ଶ୍ରୀ ରାଜେନ୍ଦ୍ର ନାଥ ସିଂହ ଦେବ
ଲୋକ ସଭା ସାଂସଦ
ବାପା କହନ୍ତି ସେ ଅସ୍ପୃଶ୍ୟତା ନିରାକରଣର ସୂତ୍ରଧାର । ଆମ ହରିଜନ ସାହି ପାଇଁ ଗୋଟିଏ ସ୍ୱତନ୍ତ୍ର ସ୍କୁଲ୍ ଖୋଲିବା ପାଇଁ ପ୍ରାର୍ଥନା କରିବି ।
୪. ଶ୍ରୀ ସଦାଶିବ ତ୍ରିପାଠୀ
ଏ.ଆଇ.ସି.ସି ସଭ୍ୟ
ଓଡ଼ିଶା ଲେଜିସ୍ ଲେଟିଭ୍ ଆସେମ୍ୱଲି ସଭ୍ୟ ।
ବାପାଙ୍କ ଠାରୁ ଶୁଣିଥିଲି ଜମିଦାରୀ ପ୍ରଥା ନିରାକରଣ ପାଇଁ ତାଙ୍କର ହାତ ଥିଲା । ଆଜି ତାଙ୍କୁ ଖୋଲି ପଚାରିବି, ଏ ଜମିଦାରୀ ପ୍ରଥା କ’ଣ ଗୋଟିଏ ସୁନାମୁଣ୍ଡା ଥିଲା । ଜମିଦାରମାନଙ୍କ ହାତରୁ ତାହା ଛଡ଼ାଇ ନେବାରୁ ସେମାନେ ଗରିବ ହୋଇଗଲେ ।
୫. ଶ୍ରୀ ନୀଳକାନ୍ତ ଦାସ
ଗୋପବନ୍ଧୁ ହାଇସ୍କୁଲ୍ର ମୁଖ୍ୟ ।
ଉତ୍କଳମଣିଙ୍କୁ ଦର୍ଶନ କରିବାର ତ ସୌଭାଗ୍ୟ ପାଇନି । ମାତ୍ର ତାଙ୍କ ଦୟା ବିଷୟରେ ବହୁତ ଶୁଣିଛି । ବାପା କହନ୍ତି, ଗୋପବନ୍ଧୁ ଥିଲେ ଉତ୍କଳର ମଣି, ଓଡ଼ିଶାର ବନ୍ୟା ପୀଡ଼ିତମାନଙ୍କ ପାଇଁ ତାଙ୍କର ଦାନ ଅପାର । ସେଇ ବନ୍ୟା ପୀଡ଼ିତମାନଙ୍କ ପାଇଁ ଲାହୋରରେ ଭିକ୍ଷା କରିଥିବା ସମୟରେ ସେ କୌଣସି ଏକ ଅନାମଧ୍ୟେୟ ରୋଗରେ ପୀଡ଼ିତ ହୋଇଥିଲେ । ସେଇ ରୋଗ ତାଙ୍କୁ ହରାଇ ଓଡ଼ିଶା ଅନାଥ ହେଲା । ମନକୁ ମନ କହି ଉଠିଲି, “ହେ ମା’ ସରସ୍ୱତୀ, ମତେ ବହୁ ବିଦ୍ୟା ଦାନ କରି ଏକ ଚିକିତ୍ସକ କର ଚିତ୍କିସା କରି ତାଙ୍କୁ ରୋଗମୁକ୍ତ କରିବି । ସେମାନଙ୍କୁ ହରାଇ ଆମ ଓଡ଼ିଶାକୁ ଅନାଥ କରିବାକୁ ଦେବିନି ।”
୬. ଶ୍ରୀ ବିଶ୍ୱନାଥ ଦାସ
ଫ୍ରିଡ଼ମ୍ ଫାଇଟର୍ ।
ଅର୍ଥାତ୍ ସେ ଗାନ୍ଧିଜୀଙ୍କ ସହ ମିଶି ଆମ ଦେଶକୁ ସ୍ୱାଧୀନ କରିଛନ୍ତି । ଦେଶ ପିତାଙ୍କୁ ଦର୍ଶନ କରିବା ତ ମୋ ଭାଗ୍ୟରେ ଜୁଟିନି । ବାପା କହୁଥିଲେ ତାଙ୍କୁ ଗୋଟାଏ ଅସହିଷ୍ଣୁ ଖଣ୍ଟ ଗୁଳି କରି ମାରିଦେଇଥିଲା । ଏତେ ଖରାପ ଲୋକଙ୍କୁ ଭଗବାନ କାହିଁକି ଦୁନିଆଁରେ ଜନ୍ମ ଦିଅନ୍ତି । ସେଇ ଜାତୀୟ ପିତାଙ୍କ ସହିତ ବିଶ୍ୱନାଥ ବାବୁ ନିଶ୍ଚୟ ଏକାଠି ବସିଥିବେ, ମିଶି ଖିଆପିଆ କରିଥିବେ । ତାଙ୍କ ପାଦରେ ମୁଣ୍ଡ ରଖି ମୁଁ କହିବି ଗାନ୍ଧିଜୀଙ୍କୁ ମୁଁ କଳ୍ପନା ଚକ୍ଷୁରେ ଦେଖି ପାରୁଛି ।
୭. ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ
ଲେଖକ ।
ଠିକ୍ ଭାବେ ବୁଝିଗଲି, ସାତଜଣ ବଡ଼ ବଡ଼ ନାମଜାଦା ଅତିଥି ଆମ ଘରକୁ ଆସୁଛନ୍ତି । ଏମାନେ ନିଶ୍ଚୟ ବାପାଙ୍କର ବହୁଦିନର ବନ୍ଧୁ । କାଳେ ବନ୍ଧୁ ଚର୍ଚ୍ଚାରେ ଭଲରେ ହୋଇପାରିବନି ସେଥିପାଇଁ ଚିନ୍ତିତ । ବାପାଙ୍କ କବାଟ ଖୋଲିବା ଶବ୍ଦରେ ମୁଁ କାଗଜ ଖଣ୍ଡିକୁ ପୂର୍ବ ଭଳି ଯଥା ସ୍ଥାନରେ ରଖି ଦେଇ ମୁହଁ ଧୋଇବା ପାଇଁ ବାପାଙ୍କ ଲାଗି ପାଣି ଆଣିବାକୁ ଭିତରକୁ ଗଲି ।
– ତା’ପରେ –