ତୁମ ବୋଉ, ମୋ ବାବୁ ମା’ । ସେ ସିଲାଇରେ ବୀଚକ୍ଷଣା ଥିଲେ । ମୋ ରୁଚି ଦେଖି ମତେ ଶିଖାଇ ଦେଇଥିଲେ ।
-: ପୂର୍ବରୁ :-
ବାପାଙ୍କ ଆଦେଶ କ୍ରମେ ଆମେ ଦୁଇ ଭଉଣୀ ମନ୍ଦିରରେ ବସି ଶିବ ପୁରାଣ ପାଠ କରିଥାଉ, କ୍ରମେ କ୍ରମେ ଶ୍ରୋତାମାନଙ୍କର ଅନୁରୋଧ କ୍ରମେ ଭଜନ ଗାଇବା ମଧ୍ୟ ଆରମ୍ଭ କରିଥିଲି । ଏ ସବୁ ବାହାରେ ଗାଁରେ କିଛି ପୂଜା ପାଠର ମହୋତ୍ସବ ଆୟୋଜନ ହୁଏ, ମତେ ଭଜନ ଗାଇବା ପାଇଁ ଆମନ୍ତ୍ରଣ ଆସିଥାଏ ।
ଗୁରୁ ଚରଣ ଭାଇ (ଭଡ଼ା କଥାର ପ୍ରତ୍ୟକ୍ଷ ରୂପ)
ଆଜି ମୁଁ ଭଡ଼ା କଥାର ଏକ ପ୍ରତ୍ୟକ୍ଷ ରୂପ ଦେଖିଲି । ଖୁସି ହେଲି ନିଶ୍ଚୟ ମାତ୍ର ସମାଜ ପ୍ରଚଳିତ ଆରୋପଟି ମତେ ବହୁ ଦୁଃଖ ଦେଇଥିଲା ।
ମୋ ହେତୁ ହେବା ଦିନଠୁ ଶୁଣି ଆସିଛି ବାପା ଶହ ଶହ ଗରିବ ପିଲାମାନଙ୍କୁ ଘରେ ରଖି ଶିକ୍ଷାଦାନ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଜଣ ବଡ଼ ବଡ଼ ଅଫିସର୍ ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି । ଏସବୁ ମୁଁ ମନଗଢ଼ା ଗପ ବୋଲି ଧରି ନେଇଥିଲି ।
ଯାଜପୁରର ଅଶୋକା ଯାତ୍ରା ଖୁବ୍ ପ୍ରସିଦ୍ଧ । ଦୁର୍ଗା ପୂଜା ପରେ ଏହା ହେଉଛି ଅନ୍ୟ ଏକ ବଡ଼ ଯାତ୍ରା । ଗାଁ ଗହଳିର ବାସିନ୍ଦା ବିଶେଷ କରି ପିଲାମାନଙ୍କ ପାଇଁ ଏହା ଏକ ମଉଜ, ମଜଲିସ୍ର ସମୟ । ଖୁବ୍ ଭିଡ଼ ହୁଏ ।
ବଗିଚାରେ ବୁଲି ବୁଲି ଅଶୋକ ଫୁଲର ଶୋଭା ଉପଭୋଗ କରୁଥିଲି । ଆମ ବଗିଚାର ପାଖକୁ ଲାଗି ଗୋଟିଏ ସରୁ ପାଦଚଲା ରାସ୍ତା । ପାଖକୁ ଦାଣ୍ଡ ମାହାରା । ମାର୍ଚ୍ଚ ମାସ । ପାଣି ଶୁଖି ଆସିଲାଣି । ଶେଷ ମୁଣ୍ଡକୁ ଲାଗି ଲାଗି ଦୁଇଟି ଖଜୁରୀ ଗଛ । ଗଛକୁ ଲାଗି ଛିଡ଼ା ହୋଇଥିଲେ ଜଣେ ସୌମ୍ୟ ପୁରୁଷ । ଖୁବ୍ ଗୋରା । ଏମିତି ଗୋରା ମଣିଷ ମୁଁ ଆଜି ଯାକେ ଦେଖି ନଥିଲି । ଶୁଣିଛି ଗୋରା (ବ୍ରିଟିଶର)ମାନେ ବହୁତ ଗୋରା । ତେବେ ଇଏ ମଧ୍ୟ ସେଇମାନଙ୍କ ମଧ୍ୟରୁ ଜଣେ । ଇଚ୍ଛା ହେଲା କହିବି, ଆମ ଦେଶ ସ୍ୱାଧୀନ । ପୁଣି କାହିଁକି ଆମ ଦେଶ ଉପରେ ନଜର ପକୋଉଛ । ମନକୁ ଖଟ୍କା ଲାଗିଲା । ନା, ଗୋରାମାନେ ତ ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି । ୟା’ଙ୍କର ପରିଧାନ ଗୋଟିଏ ଧଳା ଧୋତି ଏବଂ ଧଳା ପଞ୍ଜାବୀ । ନା, ଇଏ ସେ ଗୋରା ନୁହଁନ୍ତି । ତାଙ୍କ ସାଥିରେ ଆଉ ଦୁଇ ଜଣ ମହିଳା । ଜଣେ ମା’ ଶ୍ରେଣୀୟା । ଅନ୍ୟ ଜଣକୁ ଷୋହଳ-ସତର ବୟସ ହେବ । ଝିଅଟି ଟିକିଏ ଟିକିଏ ଜରି ଲଗା ପାଟଶାଢ଼ୀ ପିନ୍ଧିଛନ୍ତି । ଆଉ ମା’ ଜଣକ ନୀଳ ଶାଢ଼ୀ । କୌତୂହଳ ହୋଇ ସେମାନଙ୍କ ଆଡ଼କୁ ଚାହିଁ ରହିଲି । ତିନିଜଣ କ’ଣ ଖୁସୁରୁ ପୁସୁରୁ ହେବା ପରେ ମୋ ଆଡ଼କୁ ବାଡ଼ ପର୍ଯ୍ୟନ୍ତ ଆସିଲା । ପରେ ପରେ ମତେ ହାତ ଠାରି ଡାକିଲା । ବଗିଚାର କଣରେ ଗୋଟାଏ ବଡ଼ ରାଧାଅଶୋକ ଗଛ । ପାଖରେ କୃଷ୍ଣଚୂଡ଼ା ବଣ । ସୌଜନ୍ୟ ଦୃଷ୍ଟିରୁ କଣ୍ଟା ଅଡ଼ାଇ ଅଡ଼ାଇ ରାଧା ଅଶୋକ ଗଛ ପାଖକୁ ଗଲି ।
ଏଇଟା ବାବୁ ଘର ତ । ଆମ ଘର ଆଡ଼କୁ ହାତ ଦେଖାଇ ଝିଅଟି କହିଲା ।
ହଁ, ମୁଁ ତାଙ୍କ ସାନଝିଅ ।
ଆମେ ଯାଜପୁର ଅଶୋକା ଯାତ୍ରା ଦେଖିବାକୁ ଆସିଥିଲୁ । ଭାଇ ବହୁତ ବର୍ଷ ହେଲା ୟାଡେ଼ ଆସି ନାହାନ୍ତି । ତେଣୁ ବାବୁଙ୍କ ଦର୍ଶନ କରିଆସିବାକୁ କହିଲେ । ଏତେ ବର୍ଷ ପରେ ବହୁତ କିଛି ବଦଳିଯାଇଛି । ତେଣୁ ଦୋ’ ଦୋ’ ଚିହ୍ନା ହେଉଥିଲେ । ତୁମେ ତ ସେତେବେଳେ ଜନ୍ମ ହୋଇନଥିବ । ଆମକୁ ଚିହ୍ନନ୍ତ ବା କେମିତି !
ମନକୁ ମନ କହିଲି ଜନ୍ମ ହୁଏ ବା ନାହିଁ । ଆଜି ଘରେ ଅତିଥି । ବହୁ ମଜା ଆସିବ ପ୍ରକାଶ୍ୟରେ କହିଲି ସିଧା ସିଧା ଆସ । ଫାଟକ ଦେଖିଲେ ପଶିବ । ଆମ ଗାଁରେ କେବଳ ଆମ ଘର ଆଗେ ଫାଟକ । ଅନ୍ୟମାନଙ୍କର ଧଡ଼ା । ତେଣୁ ଚିହ୍ନିବାରେ ଅସୁବିଧା ହେବନି କହି, ଅତିଥି ଆସୁଛନ୍ତି ଖବରଟା ଦେବାକୁ ଘରକୁ ଦୌଡ଼ି ଦୌଡ଼ି ଆସିଲି ।
ଆଗନ୍ତୁକ ଆଗନ୍ତୁକାମାନେ ଚଉପାଡ଼ୀ ଭିତରକୁ ପଶି ସାଷ୍ଟାଙ୍ଗ ପ୍ରଣାମ କଲେ । ନାନୀ ଆଗନ୍ତୁକାମାନଙ୍କୁ ଭିତରକୁ ନେଇ ସପ ପକାଇ ବସାଇଲେ ମଧ୍ୟ ମୁଁ ଲକ୍ଷ୍ୟ କଲି ସେ ଟିକିଏ ଅସନ୍ତୁଷ୍ଟ (ଯାହାର କାରଣ ଅତିଥିମାନେ ଯିବା ପରେ ମତେ ସୁଶୀନାନୀ କହିଥିଲା । ତାହା ହେଲା ଆଗନ୍ତୁକଙ୍କର କ’ଣ ଗୋଟିଏ ବଡ଼ ରୋଗ, ମା’ ବିଧବା ହୋଇ ମଧ୍ୟ ରଙ୍ଗୀନ ଶାଢ଼ୀ ପିନ୍ଧିଛନ୍ତି, ସର୍ବୋପରି ସେମାନେ ନୀଚ୍ଚ ଜାତି) କଥାଭାଷା, ଆବଭାବରୁ ଜାଣିଲି ସେମାନେ ଆଜି ଆମ ଘରେ ରହିବେ । ଖୁବ୍ ଖୁସିଟାଏ ହୋଇ କହିଲି, “ବାଃ. . . ଆଜି ବହୁତ ମଜା ଆସିବ ଅଜଣା ନାନୀ । ରାତିସାରା ଗପ କରିବା ।”
ମୋ ନା ଅଜଣା ନୁହେଁ, ମୁଁ ବୀଣା, ଭାଇ, ଗୁରୁଭାଇ, ଗୁରୁଚରଣ ସାହୁ ଇଏ ଆମ ମା’ ।
ଖାଇବା ପରେ ଥକି ଯାଇଛି କହି ମାଉସୀ ଜଣକ ବିଛଣା ଧରିଲେ । ପରେ ପରେ ଆମ ପରିବାରର ସଦସ୍ୟମାନେ ରହିଗଲୁ ଆମେ ଦୁଇ ଭଉଣୀ, ବୀଣା ନାନୀ ଆଉ ଗୁରୁଭାଇ ।
ଗୁରୁ ଭାଇ ଗପ କୁହନା
ଶୁଣିବ ପିଲାଏ । ଗପ ହେଲେ ବି କଥାଟି ସତ
ଭାରି ବଢ଼ିଆ ଗପ ହୋଇଥିବ । ଜଲ୍ଦି କୁହ ।
ଗରିବ ମା’ ବାପାଙ୍କର ଗୋଟିଏ ମାତ୍ର ପୁଅ ଗୁରୁ । ବାପାଙ୍କର କିଛି ଅର୍ଥ ଉପାର୍ଜନ କରିବାର କ୍ଷମତା ନଥିଲା । କ’ଣ ଗୋଟାଏ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେଣୁ ଶାରୀରିକ ପରିଶ୍ରମ ମଧ୍ୟ କରିପାରୁ ନଥିଲେ । ବାବୁ ସେତେବେଳେ ଗରିବ ପିଲାମାନଙ୍କୁ ଘରେ ରଖାଇ ଶିକ୍ଷାଦାନ କରାଉଥିଲେ । ଗୁରୁ ସେଇ ଗୋଷ୍ଠୀରେ ମିଶିଗଲା । ବାବୁ ମା’ ନିଜେ ସବୁ ପିଲାଙ୍କର ଖାଇବା ଖବର ବୁଝନ୍ତି । ପାଠ ପଢେ଼ଇବାକୁ ମାଷ୍ଟର ଆସନ୍ତି । ସେମାନଙ୍କ ମଧ୍ୟରୁ (ଗୁରୁ ମଧ୍ୟ ଜଣେ) ଯେଉଁମାନେ ସ୍କୁଲ୍ ଯାଆନ୍ତି ସେ ଦାୟିତ୍ୱ ଗୁମାସ୍ତା ବାବୁଙ୍କର । ଗୁରୁର ନିଜ ବାପା ସମସ୍ତ ପିଲାମାନଙ୍କ ଉପରେ ଆଖି ରଖନ୍ତି । ଗୁରୁ ରାମବାଗ ହାଇସ୍କୁଲ୍ରୁ ମାଟ୍ରିକ ପାସ୍ କରିବା ପରେ ଯାଜପୁର ଏନ୍.ସି. କଲେଜ୍ରେ ତା’ର ନାଁ ଲେଖାଗଲା । ସେ ଯେତେବେଳେ ବି.ଏ. ପଢୁଥିଲା ତା’ ବାପାଙ୍କର ଦେହାନ୍ତ ହେଲା କହି ଗୁରୁଭାଇ ଆଖି ପୋଛିଲେ ।
ରହିଗଲ ଯେ. . . ତା’ପରେ । ଗୁରୁଭାଇ ବାପ ଛେଉଁଣ୍ଡ ହୋଇଗଲେ । ବହୁତ କାନ୍ଦିଥିବେ ତ । ମୁଁ ମଧ୍ୟ ତାଙ୍କ ଭଳି ମା’ ଛେଉଣ୍ଡ । ମାତ୍ର ମୁଁ କେବେ କାନ୍ଦେନି । ଆଗକୁ କୁହନା ଗୁରୁଭାଇ. . . ।
ବି.ଏ. ପାସ୍ କରି ଗୁରୁ ଶିକ୍ଷକ ହେଲା । ଭଉଣୀ ବୀଣାର ବାହାଘର ତା’ର ଜଣେ ସହକର୍ମୀ ଶିକ୍ଷକଙ୍କ ସହ କରାଇଲା । ଏବେ ସମସ୍ତେ ଭଲରେ ଅଛନ୍ତି । କାହା ପାଇଁ କହିଲୁ ?
ଜାଣିନି . . . ।
ବାବୁଙ୍କ ପାଇଁ ବାବୁ ଯଦି ଗୁରୁଭାଇଙ୍କୁ ପାଠ ନ ପଢ଼ାଇଥାନ୍ତେ ଆମେ ଆଜି ରାସ୍ତାରେ ପୋକ ମାଛି ଭଳି ପଡ଼ିଥାନ୍ତୁ ।
କେବଳ ମୋ ପାଇଁ ନୁହନ୍ତି । ବହୁ ଗରିବ ପିଲାମାନଙ୍କ ପାଇଁ ବାବୁ ଭଗବାନ ଥିଲେ ।
ଏଥର ମୁଁ ବୁଝିପାରିଲି, କହିଲି, ଏ ଯାକେ ତୁମେ ତୁମ କଥା କହୁଥିଲ ଗୁରୁଭାଇ, ତୁମେ କେଡେ଼ ଜ୍ଞାନୀ । ଆମେ ବୁଝିପାରୁ ନଥିଲୁ ।
ଆମ କଥାବାର୍ତ୍ତା ମାଧ୍ୟମରେ ବୀଣାନାନୀ ବାଟ ଘରେ ଝୁଲା ହୋଇଥିବା ଏକ ଧାନରେ ତିଆରି ଚିତ୍ରପଟ ଉପରେ ଦୃଷ୍ଟି ନିବଦ୍ଧ କରିଥିଲେ ।
ୟାରି ହସ୍ତଶିଳ୍ପ । ସୁଶୀ ନାନୀ ମତ ଦେଲେ ।
ଆଚ୍ଛା, ତୁମର ସିଲାଇରେ ରୁଚି ଅଛି । ଏମ୍ୱ୍ରୟେଡ଼ାରୀ କର କହିଲେ ଗୁରୁଭାଇ ।
ଶିଖିବାକୁ ବହୁତ ଇଚ୍ଛା, ହେଲେ ଶିଖାଇବାକୁ କେହି ନାହାନ୍ତି । ଆମ ଗାଁରେ କାହାକୁ ଏମ୍ୱ୍ରୟେଡ଼ାରୀ ଆସେ ନାହିଁ ।
ନିଜେ ନିଜେ କରିବା ପାଇଁ କେବେ ବି ଚେଷ୍ଟା କରିନ ।
କରିଥିଲି, ମୋଡ଼ି ମାଡ଼ି ହୋଇଗଲା । ପରେ ନନାମାନଙ୍କୁ କହି ଫ୍ରେମ, କପଡ଼ା, ସୂତା, ଛୁଞ୍ଚି ଆଣି ରଖିଛି । ମାତ୍ର. . . !
ଗୁରୁଭାଇ ଖୁବ୍ ଭଲ ଏମ୍ୱ୍ରୟେଡ଼ାରୀ କରନ୍ତି କହିଲେ ବୀଣାନାନୀ ।
ତୁମେ ପିଲାଦିନେ ତ ଏଇଠି ରହୁଥିଲ ଗୁରୁଭାଇ । ତୁମକୁ କିଏ ଶିଖାଇଲା ? ନା ବଡ଼ ହେବା ପରେ ଶିଖିଲ ।
ପିଲାଦିନୁ ।
କାହାଠୁ ? ନାଁ କୁହ ଗୁରୁଭାଇ, ବାପାଙ୍କୁ କହି ତାଙ୍କୁ ଘରକୁ ଡକାଇବୁ । ବାପାଙ୍କ କଥାକୁ ଏ ଗାଁରେ କେହି ବେଖାତିର୍ କରିବେନି ।
ଜାଣେ, କହି ଗୁରୁଭାଇ ଆଖି ପୋଛିଲେ ।
କିଛି ନ ବୁଝି ମୁଁ ନିଶ୍ଚୟ ନିଜ ଅଜାଣତରେ କିଛି ଦୁଃଖ ଦେଇଛି । ତାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲି । ଆଖି ଦୁଇଟି ପାଣିରେ ଭରି ଯାଇଥିଲା । କଣ୍ଠ ମଧ୍ୟ ରୁଦ୍ଧ ।
ତାଙ୍କ ପଞ୍ଜାବୀ ପକେଟ୍ରୁ ସୁନ୍ଦର ଏକ ଏମ୍ୱ୍ରୟେଡ଼ାରୀ କରା ରୁମାଲ୍ ବାହାର କରି ମୋ ଆଖି ପୋଛି ଦେଇ କହିଲେ ଯାଅ ତୁମ ସିଲାଇ ବାକ୍ସ ନେଇଆସ । ମୁଁ ତୁମକୁ ଶିଖାଇ ଦେବି ।
ବିଜୁଳି ବେଗରେ ଯାଇ ସିଲାଇ ବାକ୍ସଟି ନେଇ ଆସିଲି ।
ପ୍ରଥମେ ଡାଲ୍ ଷ୍ଟିଚ୍ ଶିଖାଇ ଗୁରୁଭାଇ ଚେନ୍ ଷ୍ଟିଚ୍ ଶିଖାଇଲେ ପରେ ପରେ ଅନ୍ୟ କେତେଟା । ବହୁ ସମୟ ପର୍ଯ୍ୟନ୍ତ ସିଲାଇ ଶିଖିବା କାମ ଜାରୀ ରହିଲା ।
ତୁମ ଗୁରୁଙ୍କ ନାଁ କୁହ ନା ଗୁରୁଭାଇ ।
ମୋ ଗୁରୁ । ସେ ଏବେ ଆମଠୁ ବହୁ ଦୂରରେ ।
ଏବେ ସେ ଏ ଗାଁରେ ରହୁନାହାନ୍ତି ।
ନା, ବାବୁ ମା’ ଆମ ସଭିଁଙ୍କୁ ଛାଡ଼ି ବହୁ ଦୂରକୁ ଚାଲି ଯାଇଛନ୍ତି ।
ବାବୁ ମା’ ?
ତୁମ ବୋଉ, ମୋ ବାବୁ ମା’ । ସେ ସିଲାଇରେ ବୀଚକ୍ଷଣା ଥିଲେ । ମୋ ରୁଚି ଦେଖି ମତେ ଶିଖାଇ ଦେଇଥିଲେ ।
ଆମ ବୋଉ ସିଲାଇରେ ବୀଚକ୍ଷଣା, ଆମ ପରିବାରରେ କାହାକୁ ଆସେନି । କେଡେ଼ ଦୁଃଖର କଥା ।
ନା, ସେମିତି କିଛି ନୁହେଁ । କାହାର କେଉଁ ରୁଚି ବୀଣାକୁ ସିଲାଇ ଜମା ଆସେ ନା ।
ଭାଉଜଙ୍କୁ ।
ଭାଉଜ କାହାନ୍ତି । ମୋର ଏଇ ରୋଗ ଯୋଗୁଁ ମତେ କେହି ଝିଅ ଦେବାକୁ ନାରାଜ୍ ।
କେଉଁ ରୋଗ ଗୁରୁଭାଇ ?
ମୋ ଧଳା ଦେହ ଦେଖି ଜାଣିପାରୁନ । ଧଳା ଛଉ, ପୁର ପଲ୍ଲୀରେ ୟା’କୁ ଏକ ପ୍ରକାର କୁଷ୍ଠରୋଗ ଗୋଷ୍ଠୀରେ ନିଅନ୍ତି ।
କିଛି ନ କହି ଗୁରୁଭାଇଙ୍କ ସୌମ୍ୟ ଚେହେରାକୁ କେବଳ ଏକ ଦୃଷ୍ଟିରେ ଚାହିଁ ରହିଲି ।