
ଅଭିନୟ ଗୁଣଟିର ବଳୀ ଦେଇ ଦେବନି ଝିଅ ।
ଅନୀମା ପେଦନୀଙ୍କ ସହ-: ପୂର୍ବରୁ :-
ପ୍ରତି ନାନୀ ପେଦନୀ ସାହିରେ ରହନ୍ତି । କାହିଁକି କେଜାଣି ମୋର ଅନୀମା ପେଦନୀଙ୍କ ସହ ସାକ୍ଷାତ କରିବାକୁ ବହୁ ଇଚ୍ଛା ହେଲା । ପ୍ରତି ନାନୀଙ୍କୁ ଅନୁରୋଧ କଲି । ପ୍ରତିନାନୀ ଓ ବଡସାର୍ (ଘନଶ୍ୟାମ ସାର୍) ଦୁହେଁ ଖୁବ୍ ଜୋର୍ରେ ହସିଲେ । ଏ ଯାକ ତ ସିନେମାଟିଏ ଦେଖିଲୁନି । ଆଉ ବାହାରିଲୁ ସିନେମା ହିରୋଇନ୍ଙ୍କ ସଙ୍ଗେ ଦେଖା କରିବାକୁ । ବଡ ସାର୍ ଟିକିଏ ଦୂରତ୍ୱ ରଖି କଥାବାର୍ତ୍ତା କରନ୍ତି । ତେଣୁ ମତେ ତାଙ୍କୁ ଭୟ ଲାଗେ । ପୁଣି ଥରେ ତାଙ୍କ ପେଟରେ ଖାଲି ଗଣିତ ଭର୍ତ୍ତୀ ହୋଇ ରହିଛି । ତେଣୁ ବପୁଟି ଅପେକ୍ଷା କୃତ ବଡ । ହେଲେ ପ୍ରତି ନାନୀ ଖୁବ୍ ମେଳାପୀ ଆଉ ସ୍ନେହୀ । ତାଙ୍କୁ ଏକା ଦେଖି ଆଉଥରେ ଅନୁରୋଧ କରିଥିଲି । ମୋ ସାଙ୍ଗ ମାନେ କହନ୍ତି ସିନେମାରେ କେବଳ ମୁସଲମାନ୍ ଝିଅ ମାନେ ଅଭିନୟ କରନ୍ତି । ସେମାନେ ଖୁବ୍ ସୁନ୍ଦର । ଚବିଶ ଘଣ୍ଟା ବୁର୍ଖା ପିନ୍ଧୁଥିବା ହେତୁ ସୂର୍ଯ୍ୟ କିରଣ ତାଙ୍କ ଦେହରେ ବାଜେନି । ତେଣୁ ସେମାନଙ୍କର ରଙ୍ଗ ମଧ୍ୟ ଚଣ୍ଢାପୁଲ ଭଳି ହଳଦିଆ, ଆଉ ନରମ । ମୋର ତାଙ୍କୁ ସ୍ୱଦେହରେ ଦେଖିବାକୁ ଇଚ୍ଛା ।
ଆଲୋ ସ୍ୱଦେହ କ’ଣ?
ମାନେ ଯେତେବେଳେ ମେକ୍ଅପ୍ ନ ହୋଇଥିବେ ।
ସେଇଆ କହ ତାକୁ ସ୍ୱଦେହ କୁହାଯାଏନା ।
ଭୂଲ ହୋଇଗଲା ପ୍ରତିନାନୀ, ଆବେଗରେ ପାଟିରୁ ଖସି ଗଲା ।
ଆଚ୍ଛା ଆଚ୍ଛା ଠିକ୍ ଅଛି । ତୁ ତେବେ ତାଙ୍କ ସୁନ୍ଦରତା କୁ ଦେଖିବାକୁ ଚାହୁଁ ? ଆମ ଛାତକୁ ତାଙ୍କ ଘରର କାର୍ଯ୍ୟ କଳାପ ପ୍ରାୟତଃ ଦେଖାଯାଏ । କେବେ ମୌକା ଦେଖି ତେତେ ଦେଖାଇଦେବି ।
ନାଇଁ ପ୍ରତିନାନୀ, ମୁଁ ତାଙ୍କ ସଙ୍ଗେ କଥା ଦି ପଦ ବି ହେବି ।
କ’ଣ ପାଠ ଛାଡି ସିନେମାରେ ମିଶିବୁ । ହେଲେ ମନେ ରଖିଥା ତୁ ବ୍ରାହ୍ମଣ ଘର ଝିଅ, “ବ୍ରାହ୍ମଣ ଝିଅକୁ ସିନେମାରେ ମିଶିବା ମନା ।”
ସେଦିନ ପ୍ରତିନାନୀ ମତେ ତାଙ୍କ ସଙ୍ଗେ ଅନୀମା ଦିଦିଙ୍କ ଘରକୁ ନେଇ ଯାଇଥିଲେ ।
ପ୍ରତିନାନୀ କ’ଣ କହି ତାଙ୍କ ଠାରୁ ଆପଏଣ୍ଟ୍ମେଣ୍ଟ୍ ନେଇଥିଲେ କେଜାଣି ମତେ ଦେଖୁ ଦେଖୁ ସେ କହିଲେ, “ତୁମକୁ ମୋର ଅଭିନୟ ଭଲ ଲାଗେ?”
ଧର୍ମ ସଙ୍କଟରେ ପଡିଲି, ଏ ପର୍ଯ୍ୟନ୍ତ ଜୀବନରେ ମୁଁ କେବଳ ଗୋଟିଏ ଓଡିଆ ସିନେମା ଦେଖିଛି । କ’ଣ ଉତ୍ତର ଦେବି ? ମତେ ଚୁପ୍ ଦେଖି କହିଲେ, “ତୁମେ ମୋର କେଉଁ ସିନେମା ଦେଖିଛ ?”
ଅଜାଣତରେ ପାଟିରୁ ବାହାରିଗଲା ଶ୍ରୀ ଲୋକନାଥ ।
ହେଲେ ମୁଁ ତ ସେଥିରେ ରୋଲ୍ କରିନି ।
ଅପଦସ୍ତ ହେଲି । ତଥାପି ନିଜକୁ ବଞ୍ଚାଇବାକୁ କହିଲି, “ମୁଁ ଆପଣଙ୍କର ଅଭିନୟ ଦେଖିନି । ହେଲେ ମୋ ସାଙ୍ଗମାନଙ୍କ ଠାରୁ ଭୁରି ଭୁରି ପ୍ରଶଂସା ଶୁଣିଛି ।”
ଅନୀମା ଦିଦିଙ୍କର ମୁହଁରେ ପ୍ରସନ୍ନତା ଛାୟା ଖେଳିଗଲା । ଟିକିଏ ରହି କହିଲେ, “ତୁମେ ଅଭିନୟ କରିବାକୁ ଭଲ ପାଅ ? ”
“ହଁ, ଅଭିନୟ ଠାରୁ ଗୀତ ଗାଇବାକୁ ମୁଁ ଆହୁରି ବେଶୀ ଭଲପାଏ ।” ମୁହଁ ତଳକୁ କରି କହିଲି ।
ଅଭିନୟ ଆଉ ଗୀତ ଗାଇବା ସଂପୂର୍ଣ୍ଣ ଅଲଗା । ଅଭିନେତ୍ରୀ ଗୀତ ଗାଏନା, ତା ପାଇଁ ଅନ୍ୟ କେହି ଗାଇଥାଏ ।
ତେବେ ଶ୍ରୀ ଲୋକନାଥରେ ହିରୋଇନ୍ କେମିତି “ଆକାସେ କି ରଙ୍ଗ ଲାଗିଲା ଗାଉଥିଲେ ।” ନାଁ, ଦିଦି ମୁଁ ଭଲ କରି ଲକ୍ଷ୍ୟ କରିଛି । ତାଙ୍କ ପାଟିର ମୁଭମେଣ୍ଟ୍ ମଧ୍ୟ ଖୁବ୍ ଭଲ ଭାବେ ନୋଟ୍ କରିଛି । ଏମିତିକି ସେ ଯେତେବେଳେ ଦୁଇହାତ ଉପରକୁ କରି ଅଭିନୟ କରୁଥିଲେ ସେତେବେଳେ ମଧ୍ୟ ତାଳ ସଙ୍ଗେ ତାଙ୍କ ଓଠ ହଲିବା ଦେଖିଛି ।
ସେଇତ ପ୍ରକୃତ ଅଭିନୟ….ଅର୍ଥାତ୍ ଦର୍ଶକ ଦର୍ଶୀକାଙ୍କର ମନେ ହେବ ଏଇଟା ବାସ୍ତବ । ଟିକିଏ ରହି ପୁଣି କହିଲେ । ତୁମେ କେବେ ଅଭିନୟ କରିଛ ?
ହଁ ଦିଦି ।
କେଉଁ ନାଟକରେ ।
ଫକୀର ମୋହନ ସେନାପତିଙ୍କର ପେଟେଣ୍ଟ୍ ମେଡିସିନ୍ରେ ।
ସୁଲୋଚନା ରୋଲ୍ ।
ନାଇଁ ଦିଦି, ଚନ୍ଦ୍ରମଣି ବାବୁ ।
ଖୁବ୍ ଭଲ । ଅର୍ଥାତ୍ ତୁମେ ଏକ ଭର୍ସାଟାଇଲ୍ ଅଭିନେତ୍ରୀ ।
କିଛି ନ ବୁଝି ମୁଁ ତାଙ୍କ ଆଡକୁ ମଟ ମଟ କରି ଦେଖିଲି ।
ବର୍ତ୍ତମାନ କ’ଣ କରୁଛ ?
ପ୍ରି ୟୁନିଭରସିଟି ସାଇନ୍ସ ମ୍ୟାଥ୍ ଫୋର୍ଥ ସବଜେକଟ୍ ।
ସିନେମାରେ ଯୋଗ ଦେବାକୁ ଚାହଁ
ନାଁ ଦିଦି, ଘରେ ସମସ୍ତଙ୍କ ଇଚ୍ଛା ମୁଁ ଡାକ୍ତର ହୁଏ ।
ଖୁବ୍ ଭଲ ଫିଲ୍ଡ, ର୍ରେସ୍ପେକ୍ଟେବଲ୍ ଜବ୍ ।ହେଲେ ତୁମର ଏଇ ଅତିରିକ୍ତ ଗୁଣଟିର ବଳୀ ଦେଇ ଦେବନି ।
ପ୍ରତିନାନୀ ଘଡି ଦେଖିଲେ,ବଡସାର୍ଙ୍କର ଆସିବା ସମୟ ହେଲାଣି ।
ଅନିମା ଦିଦିଙ୍କୁ ନମସ୍କାର କରି ବିଦାୟ ନେଲୁ । ପଛରୁ ଅନିମା ପେଦନୀଙ୍କର ସ୍ୱର ଶୁଣା ଯାଉଥିଲା, “ଅଭିନୟ ଗୁଣଟିର ବଳୀ ଦେଇ ଦେବନି ଝିଅ ।”
– ତା’ପରେ –