ଏ କବିତା ପାଣିକୁ ନେଇ
ଏଥିରେ ପାଣି ଟୋପାଏ ନାହିଁ ।
କେଉଁଠି ପାଣି ଅଛି କି ଏବେ ?
ପାହାଡ଼, ନଈ, ସମୁଦ୍ର, ଆକାଶ
ପାଣି ପାଇଁ ତ ଏତେ ପେଞ୍ଚ
ହୀରାକୁଦ, ଚିଲିକା କି ଚିତ୍ରନଦୀ ନୁହଁମ
ପାଣିଅଛି ମାନେ
ସେ ଜାଗାର ନାମ କୁରୁକ୍ଷେତ୍ର ।
ଆମର ଏଠି କବିତା ସାରା ପାଣି
ହେଲେ ଶୁଖି ପଡ଼ିଚି ଇତିହାସ ।
ଯାହା ପାଣିଟୋପାକ ଥିଲା
ଝାଳ ହୋଇ ଝରିଗଲା ବାପାଙ୍କ କପାଳରୁ
ବୋଉର ଚିରାଲୁଗା ଏବେ ପାଣି ଜୁଡୁବୁଡୁ ।
ଦିନକୁ ଦିନ ଶୁଖି ଯାଉଥିବା କୂଅ ପରି
ଦିଶୁଚି ବୋଉର ଆଖି
କୂଅ ପାଣିକୁ ନିଅଣ୍ଟ ଦଉଡ଼ି ପରି
ବାପାଙ୍କ ସାମର୍ଥ୍ୟ
ଅଧା ଅନ୍ଧାରରେ ନଟକିଥିବା ଖାଲି ମାଠିଆ ପରି
ଆମର ଭାଗ୍ୟ ।
ପୃଥିବୀଯାକର ପାଣିକୁ
ଲୁଟି ନେଲା କେଉଁ ଲମ୍ପଟ
ନଈ ଆଜି ଲଙ୍ଗଳା
ପାଣିର ପୀତାମ୍ୱରୀ ବଦଳରେ
ଦିଶୁଚି ଧର୍ଷିତା ଝିଅର ଦୁଃଖ ପରି ।
ନେଲୁ ଯଦି ସବୁ ପାଣି
ଆଖିକୁ ଲୁହ ଟୋପାଏ ଦେ’
ନିର୍ମାଲ୍ୟ ପାଇଁ ମୁନ୍ଦେ ଦେ’
ବିଲକୁ ପୋଷେ ଦେ’
ନଈକୁ ପାଉଁଞ୍ଜ ଦେ’
ଦହି ନବ ଦହି
ଲୋ ମାଣିକ ଗଉଡୁଣୀ
ପାଣି ମୁନ୍ଦେ ଦେ’ ।
ତମକୁ ଚାଉଳ କି ବୀମା
ମାଗୁନି ହୋ ସାଆନ୍ତ
ଦେଇ ପାରିବ ପାଣି ଟୋପାଏ ?
ନୀଳ ଆକାଶରେ
କଳାମେଘର ଚିତ୍ରଟିଏ !