ଅନୁଭୂତି

ପ୍ରହେଳିକା

Dr Anita Panda

ଯେ କେହି ବାବା ବେଶ ଧାରଣ କରି ଅନ୍ୟକୁ ଅତି ସହଜରେ ଧୋକ୍କା ଦେଇପାରିଥାଏ । ଦୁଇଟି ଯାକ ବିଷୟ ଅଧ୍ୟୟନ କରି ସାରିବା ପରେ ମୋର ଯୋଗୀମାନଙ୍କ ପ୍ରତି ଏକ ପ୍ରକାର ବିତୃଷ୍ଣା ନୁହେଁ ଘୃଣା ମଧ୍ୟ ଆସିଯାଇଥିଲା

ପ୍ରହେଳିକା

-: ପୂର୍ବରୁ :-

ବାପାଙ୍କ ପାଖକୁ ବହୁ ପରିଚିତ, ଅପରିଚିତ ଆଗନ୍ତୁକ ମାନଙ୍କର ଯିବା ଆସିବାରେ ମୋର କୌତୂହଳ ବଢ଼ିଥିଲା । ଏଇ ବେଳ ଅବେଳରେ ଆସୁଥିବା ଆଗନ୍ତୁକ ମାନେ କିଏ ? ତା’ ଛଡ଼ା ଏମାନେ ଘରକୁ ଆସିଲେ ବାପା ଟିକିଏ ଅପେକ୍ଷାକୃତ ତତ୍ପର ହୋଇ ଉଠୁଛନ୍ତି, ବହୁ ସମୟ ଧରି ସେମାନଙ୍କ ସହିତ କିଛି ଆଲୋଚନାରତ ରହୁଛନ୍ତି, ନନାମାନେ ତ ବାହାରେ । କାହାକୁ ପଚାରିବି ?

ବାୟା ନାୟକ (ଜ୍ୟୋତିଷ)କୁ ମଧ୍ୟ ବାପା ଘନ ଘନ ଡକାଇ ପଠାଇ କିଛି ଆଲୋଚନା (ପରାମର୍ଶ) କରୁଛନ୍ତି, ଦିନେ ବାୟା ନାୟକ ବାପାଙ୍କୁ କହିବାର ଶୁଣିଲି, “ମା’ ଚାଲିଗଲା ପରେ ଆପଣ ଏମିତି ଉଦାସ ରହିଲେ ଯେ ଝିଅଟାର ଜାତକ ଖଣ୍ଡେ କରେଇଲେନି ଏବେ କରିବାକୁ ହେଲେ ବହୁତ କିଛି ଖୋଜା ଖୋଜି କରିବାକୁ ପଡ଼ିବ । ଟିକିଏ କେଉଁଥିରେ ତ୍ରୁଟି ରହିଲେ ମଧ୍ୟ ଜାତକ ଠିକ୍ ହୁଏନା । ଗେହ୍ଲୀ ଏବେ ବହୁତ ସାନ । ବଡ଼ର ତ ଜାତକ ଅଛି । ଆପଣ ବଡ଼ କଥା ଆଗେ ବଢ଼ାନ୍ତୁ ।”

ବଡ଼ କଥା ଆଗେ ବଢ଼ାନ୍ତୁ । ଏତେ ଗୁଡ଼ାଏ ଅପ୍ରତ୍ୟାଶିତ ଚାଲିଚଳଣ, କଥାବାର୍ତ୍ତା ମୋ ମୁଣ୍ଡରେ ବିଛା କାମୁଡ଼ାର କଷ୍ଟ ଦେଉଥିଲା ।

ବାୟା ନାୟକ ଚାଲିଯିବାର ପନ୍ଦର କୋଡ଼ିଏ ମିନିଟ୍ ପରେ ଗେଟ୍ ପାଖରେ ଦେଖା ଦେଲେ ଜଣେ ଯୋଗୀ । ମୁଣ୍ଡରୁ ବଡ଼ ବଡ଼ ଜଟା ଲମ୍ୱି ଆସିଛି, କେତେକ ପିଠି, କେତେକ ଛାତି ଏବଂ ଆଉ କେଇଟା ଦୁଇ ବାହୁ ଉପରେ । ପରିଧାନ କିଛି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । କମରଠାରୁ ଆଣ୍ଠୁ ଉପର ପର୍ଯ୍ୟନ୍ତ ଗେରୁଆ ରଙ୍ଗର ୬-୮ ଇଞ୍ଚର କୌପିନୀ । ଶରୀରର ଅନ୍ୟ ସବୁ ଭାଗ ଅନାବୃତ । ସମ୍ପୂର୍ଣ୍ଣ ଶରୀରଟି ସାଧାରଣ ଏକ ମଣିଷର ଚର୍ମ ଭଳି ନୁହେଁ, ପାଉଁସିଆ ରଙ୍ଗ । ଗୋଟିଏ ହାତରେ କମଣ୍ଡଳୁ, ଅନ୍ୟ ହାତରେ ଗୋଟାଏ ଲୁହା ଚିମୁଟା, ସାଥିରେ ଆଉ ଦୁଇଜଣ ଗେରୁଆ ବସ୍ତ୍ର ପରିନ୍ୱିତ ଯୁବକ ।

“ଜୟ ଭୋଲେ”, ଏହି ଶବ୍ଦଟି ଶୁଣି ଘର ଭିତରୁ କେତେଜଣ ବାହାରକୁ ଆସି ତାଙ୍କ ପାଛୋଟି ନେଲେ । ପରେ ପରେ ଚାଲିଲା କିଛି ଗଭୀର ଆଲୋଚନା, କେତେବେଳେ ଟୁପୁରୁ ଟାପୁର୍ ତ ପୁଣି କେତେବେଳେ ଫୁସ୍‌ଫୁସ୍ । ପର କ୍ଷଣରେ ଖୁବ୍ ଜୋର୍ ଜୋର୍‌ରେ । ୟା’ ଭିତରେ ନାନୀ ମଧ୍ୟ ଯାଇ ଆସରରେ ଯୋଗ ଦେଲାଣି । ଆଗନ୍ତୁକଙ୍କୁ ଦେଖି ମତେ ଖୁବ୍ ମଜା ଲାଗୁଥିଲା ଦୁଃଖ ମଧ୍ୟ । ତା’ର କାରଣ ହେଲା ଆଗରୁ କେବେ ମୁଁ ଏମିତି ଯୋଗୀ ଦେଖି ନଥିଲି । ଦୁଃଖର କାରଣ ଖୁବ୍ ମହତ୍ତ୍ୱପୂର୍ଣ୍ଣ ! ବହୁଦିନ ତଳେ ପଢ଼ିଥିବା ଇନ୍ଦ୍ରପୁରାଣ ଏବଂ ଗତ ସନ୍ଧ୍ୟାରେ ପଢ଼ିଥିବା ରାମାୟଣର ଗୋଟିଏ ଅଧ୍ୟାୟ ମୋର ମନକୁ ବାରମ୍ୱାର ଆସୁଥିଲା । ଦୁଇଟି ଯାକର ସାରାଂଶ ହେଲା-

ଯେ କେହି ବାବା ବେଶ ଧାରଣ କରି ଅନ୍ୟକୁ ଅତି ସହଜରେ ଧୋକ୍କା ଦେଇପାରିଥାଏ । ଦୁଇଟି ଯାକ ବିଷୟ ଅଧ୍ୟୟନ କରି ସାରିବା ପରେ ମୋର ଯୋଗୀମାନଙ୍କ ପ୍ରତି ଏକ ପ୍ରକାର ବିତୃଷ୍ଣା ନୁହେଁ ଘୃଣା ମଧ୍ୟ ଆସିଯାଇଥିଲା । ଦୁଇଟି ସୁନ୍ଦରୀ ସରଳା ଅବଳା ସୀତା ମାତା ଏବଂ ଅହଲ୍ୟା ଯୋଗୀ ରୂପୀ ରାବଣ ଏବଂ ବାବା ରୂପୀ ଇନ୍ଦ୍ରଦେବଙ୍କ ଦ୍ୱାରା ପୀଡ଼ିତା । ଯାହା ପାଇଁ ସୀତା ମାତା ସ୍ୱାମୀ, ପୁତ୍ର, ପରିବାର, ରାଜ୍ୟ ସୁଖରୁ ବଞ୍ଚିତ ହୋଇ ଶେଷରେ ତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା, ଆଉ ଅହଲ୍ୟା. . . ବିନା ଦୋଷରେ ନଦୀ କୂଳର ପଥର ହୋଇ ବର୍ଷ ବର୍ଷ ପଡ଼ି ରହି କେତେ ଯେ ପଦାଘାତ ସହିଛନ୍ତି ତା’ର କଳନା ନାହିଁ ।

ଏଇ ଦୁଇଟି ବିଷୟ ପାଠ କଲା ପରେ ମୁଁ କାହିଁକି କେଜାଣି ଅସମ୍ଭବ ଭାବେ ଉତ୍ତେଜିତା ହୋଇ ଉଠିଥିଲି ।

ବାପା ସାନ୍ତ୍ୱନା ଦେଇଥିଲେ, ସବୁ ବାବା (ଯୋଗୀ) ମାନେ ଭଣ୍ଡ ନୁହଁନ୍ତି ।

ମାତ୍ର ଭଣ୍ଡମାନେ ଯେ ବାବା ରୂପ ଧାରଣ କରନ୍ତି, ଏହାର ପ୍ରତ୍ୟକ୍ଷ ପ୍ରମାଣ ଆମକୁ କେବଳ ଇନ୍ଦ୍ର ପୁରାଣରେ ନୁହେଁ, ରାମାୟଣରେ ମଧ୍ୟ ଲେଖାଯାଇଛି । ତେଣୁ ବାବାମାନେ ଭଣ୍ଡ ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ ।

ଅନ୍ୟ କେତେ ପୁରାଣରେ ତ ଯୋଗୀମାନଙ୍କ ଅପାର ଦାନ ବିଷୟରେ ପଢ଼ିଛୁ ।

ସେସବୁ ମୁଁ ଜାଣେନା, ସୀତାମାତାଙ୍କୁ କଷ୍ଟ ଦେଇଥିବା ବାବା ଭଣ୍ଡ । ତେଣୁ ଆମେ ବାବାମାନଙ୍କଠାରୁ ଦୂରରେ ରହିବା ଉଚିତ୍ ।

ଯେ ପ୍ରକୃତ ସାଧୁ, ସନ୍ନ୍ୟାସୀ କିମ୍ୱା ବାବା ସେ କେବେ ଭାଣ୍ଡାମୀ କରନ୍ତି ନାହିଁ । ବାପାଙ୍କ ବ୍ୟାଖ୍ୟାମୂଳକ ସଂଳାପରେ ମୋର ହୃଦ୍‌ବୋଧ ନ ହୋଇଥିଲେ ମଧ୍ୟ ପ୍ରଥମତଃ ସୌଜନତା ଦୃଷ୍ଟିରୁ ବାପାଙ୍କ ସହ ତର୍କ କରିବା ଦୋଷାବହ ଏବଂ ନୀତି ବିରୁଦ୍ଧ, ଦ୍ୱିତୀୟତଃ ବାବାମାନଙ୍କ ବିରୁଦ୍ଧରେ ୟା’ଠାରୁ ମୋର ଅଧିକା ଜ୍ଞାନ ନଥିଲା । ତେଣୁ ନିରବ ରହିବାକୁ ଉଚିତ୍ ମନେ କରିଥିଲି ।

ଆଜି ଯୋଗୀଙ୍କୁ ଦେଖିବା ପରେ ମନରେ କୌତୂହଳ ଜାଗିଥିଲା । ସଙ୍ଗେ ସଙ୍ଗେ ଭୟ ମଧ୍ୟ । ସୁଶୀନାନୀକୁ ନିଦରୁ ଉଠାଇବାକୁ ଚେଷ୍ଟା କରି ପରାସ୍ତ ହେଲି । ଏକା ଏକା ଯାଇ ବଡ଼ମାନଙ୍କ ଆଲୋଚନା ସ୍ଥଳରେ ପହଞ୍ଚିଗଲି । ମତେ ଦେଖୁ ଦେଖୁ ଯୋଗୀ କହି ଉଠିଲେ, “ୟା’ର ଏ ବର୍ଷ ହେବ ନାହିଁ, ଆସନ୍ତା ବର୍ଷକୁ ରହିବ ନାହିଁ ।”ମୁଁ କିଛି ନ ବୁଝିପାରି ସମସ୍ତଙ୍କ ମୁହଁକୁ ବଲବଲ କରି ଚାହିଁଲି । ନାନୀର ମୋ ଆଡ଼କୁ କଡ଼ା ନଜର ଦେଖି ଅଗତ୍ୟା ମତେ ସେ ସ୍ଥାନ ଛାଡ଼ି ଭିତରକୁ ଆସିବାକୁ ହେଲା ।

ପ୍ରାୟ ଗୋଟିଏ ସପ୍ତାହ ଗଡ଼ିଗଲାଣି । ବାବାଙ୍କର ଗତିବିଧି ମତେ ଖୁବ୍ ଅଡୁଆ ଲାଗୁଥିଲେ ମଧ୍ୟ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ କୌତୂହଳ ବଢ଼ିଲା । ଛୁଆନନା ଦୁଇଦିନ ପାଇଁ ଗାଁକୁ ଆସିଥିଲେ । ଘରକୁ ଯୋଗୀ ଆସିବାର ବିବରଣୀ ଦେଇ ତାଙ୍କ ବିଷୟରେ ବେଶି କିଛି ଜାଣିବାର ଇଚ୍ଛା ପ୍ରକାଶ କଲି । ମୋ କଥା ଶୁଣି ଛୁଆନନା ବିରକ୍ତିର ଚରମ ସୀମାରେ ପହଞ୍ଚିଗଲେ । “ତୁ ବି ଏ ଭଣ୍ଡବାବାଙ୍କ ଚକ୍‌କରରେ ଆସିଗଲୁଣି । ମନେରଖିଥା’, ଏମାନଙ୍କଠାରୁ ନିଜକୁ ଦୂରରେ ରଖିବୁ ।”

ମୁଁ କାହିଁକି ଚକ୍‌କରରେ ଆସିବି ? ମୁଁ ତ ତାଙ୍କ ପାଖରେ ମିନିଟିଏ ବସିନି ମଧ୍ୟ ।

ଏଥର ଛୁଆନନା ଅପେକ୍ଷାକୃତ ସହଜ ହୋଇ କହିଲେ, “ବାବା. . . ଯୋଗୀ. . . ସାଧକ. . . ଏମାନେ ସମସ୍ତେ ଭଣ୍ଡ । ଏହା ଆଜି ନୁହେଁ, ପୌରାଣିକ ଯୁଗରୁ ଚାଲି ଆସିଛି । ସୀତାଚୋରି ବିଷୟରେ ତ ପଢ଼ିଥିବୁ ନିଶ୍ଚୟ ।”

“ହଁ, ଯେ. . . ତଥାପି ସମସ୍ତେ କାହିଁକି ବାବା. . . ବାବା କରି ତାଙ୍କ ଚରଣସ୍ପର୍ଶ କରୁଥିଲେ ?”

ଦୁନିଆଁରେ ତିନି ପ୍ରକାର ଯୋଗୀ ଅଛନ୍ତି, ପ୍ରଥମ, ସଦାସର୍ବଦା ଯୋଗ କରୁଥାନ୍ତି । ଅନ୍ୟମାନଙ୍କ ତୁଳନାରେ ଏମାନେ ବିରଳ । ଦ୍ୱିତୀୟ ଗୋଷ୍ଠୀର ଯୋଗୀମାନେ ଭୂତ ଭବିଷ୍ୟ ପଢ଼ିପାରନ୍ତି ବୋଲି ଦାବି କରି ସେମାନଙ୍କ ମଧ୍ୟରୁ ଅନେକ ସମାଜକୁ ଭଣ୍ଡିବାର ପ୍ରୟାସ କରିଥାନ୍ତି । ତୋ କଥାରୁ ମନେହୁଏ, ଏହି ଦ୍ୱିତୀୟ ପ୍ରକାର ଯୋଗୀ ଆମ ଘରକୁ ଆସିଥିଲେ । ଏଇ ଭଣ୍ଡମାନଙ୍କ ସମ୍ପର୍କରେ ନିକଟରେ ଘଟିଥିବା ଗୋଟିଏ ଘଟଣା କହୁଛି, “ଦାମ ସୂତାରକୁ ଜାଣିଛୁ ?”

“ହଁ, ସେ ସବୁବେଳେ ଗୋଲନା ଘରକୁ ଆସେ ?”

“ଠିକ୍ ମନେ ରଖିଛୁ । ତା’ର ପିଲା ଛୁଆ ହେଉ ନଥିଲେ । ତାକୁ କିଏ ଏଇମିତି ଭଣ୍ଡମାନଙ୍କର ଖବର ଦେଲା । ଦିନେ ଜଣେ ଭଣ୍ଡବାବାଙ୍କ ସଂସ୍ପର୍ଶରେ ଆସି ସେ ତା’ର ଦୁଃଖ ଜଣାଇଲା । ବାବା ତାକୁ ଗୋଟିଏ ଚବୁତରା ଉପରେ କିଛି ଟଙ୍କା, ସୁନା, ନୂଆ ଲୁଗା, କମ୍ୱଳ ରଖି ତା’ ଚାରିପଟେ ପ୍ରଦକ୍ଷିଣ କରି ତା’ ଆଡ଼କୁ ପଛ କରି ୧୦୮ ପାଦ ପକାଇ ଯିବ । ଏପରି କଲେ ଖୁବ୍ ଶୀଘ୍ର ତା’ର ପୁତ୍ର ସନ୍ତାନ ଲାଭ ହେବ ।”

“କେବେକା କଥା ? ଦାମ ସୂତାର ଘରେ ପୁଅ ଜନ୍ମ ହେଲାଣି ? କାହିଁ, ସେ ତ ଆମ ଠାକୁରଙ୍କ ପାଖକୁ ଭୋଗ କରିବାକୁ ଆସିନି ?”

ତୋ ପାଖରେ ଧୈର୍ଯ୍ୟ ବୋଲି ଜିନିଷଟିର ଅଭାବ । ଯେତେ ଭଲ ହେଲେ କ’ଣ ହେବ । ଧୈର୍ଯ୍ୟ ଧରିବା ଶିଖ, ଭବିଷ୍ୟତରେ ବହୁତ କାମ ଦେବ । ଟିକିଏ ରହି ପୁଣି କହିଲେ, “ତା’ପରେ କ’ଣ ହେଲା ଶୁଣ । ଦାମ ଯେତେବେଳେ ଫେରି ଚବୁତରା ପାଖକୁ ଆସିଲା ସେଠାରେ ଗୋଟିଏ ଘୁଷୁରୀ ଛୁଆ ବୁଲୁଥିଲା, ବାବା ସବୁ ଜିନିଷ ନେଇ ଫେରାର୍ ।”

“ଆମ ଘରୁ ବି ସେମିତି ଜିନିଷମାନ ନେଇ ବାବା ଯାଇଥିବେ ?”

“ମୁଁ କେମିତି ଜାଣିବି ? ତୁ ଘରେ ଥିଲୁ, ତତେ ବେଶୀ ଜଣାଥିବ ।”

“ଏମାନେ କାହିଁକି ମଣିଷ ନ ରହି ବାବା ହୁଅନ୍ତି ?”

ଯୋଗୀମାନେ ସାଧାରଣତଃ ଶିବ (ମହାଦେବ)ଙ୍କୁ ପୂଜା କରିଥାନ୍ତି । ପ୍ରଥମେ ପ୍ରଥମେ ସେମାନେ ତାଙ୍କର ନିତ୍ୟକର୍ମରେ ପୂଜାକୁ ସ୍ଥାନ ଦେଇଥାନ୍ତି । କ୍ରମଶଃ ଏହା ବୃଦ୍ଧି ପାଇଥାଏ । ଯେତେକ ଇଣ୍ଡୋ ଆରିଆନ୍ ଭାଷା କହିଥାନ୍ତି । ସେମାନେ କହିଥାନ୍ତି ଯୋଗ ଅଭ୍ୟାସ କଲେ ମୋକ୍ଷ ପ୍ରାପ୍ତ ହୁଏ । ସାଧାରଣତଃ ଦେଖାଯାଏ ଯେଉଁମାନେ ପିଲାଟି ଦିନୁ ଅଳସୁଆ ଏବଂ କାମ ଚୋର ପ୍ରବୃତ୍ତିର ହୋଇଥାନ୍ତି, କାମରୁ ଦୂରକୁ ରହିବା ପାଇଁ ସଦାସର୍ବଦା କିଛି ନା କିଛି ବାହାନା ଖୋଜୁଥାନ୍ତି । ଏଇ ବାହାନା ତିନିପ୍ରକାର । ଅସୁସ୍ଥତା, ନିଜ ପାଠପଢ଼ା ଏବଂ ପୂଜାପୂଜି କରିବାର ବାହାନା । ପ୍ରଥମ ଦୁଇଟି ବେଶୀ ବାର ପାଇଁ ପ୍ରଯୁଜ୍ୟ ହୋଇପାରେନା, ତେଣୁ ଏଇ ପୂଜା ପନ୍ଥାଟି ସ୍ଥାୟୀ ହୋଇଯାଇଥାଏ । ଅଳସୁଆମାନଙ୍କର ଅର୍ଥ ଅର୍ଜନ କରିବାର କ୍ଷମତା ନ ଥାଏ । ତେଣୁ ସେମାନେ ଏଇ ପନ୍ଥାଟିକୁ ନିଜର କରି ନେଇଥାନ୍ତି । ଧର୍ମ ନାମରେ ଅନ୍ୟକୁ ଲୁଟି ଅନାୟାସରେ ଅର୍ଥ ଉପାର୍ଜନ କରିଥାଆନ୍ତି ।

ମୁଁ ଯେଉଁ ପ୍ରକୃତ ଯୋଗୀମାନଙ୍କ କଥା ପ୍ରଥମେ କହିଲି ସେମାନଙ୍କ ସଂଖ୍ୟା ଖୁବ୍ କମ୍ । ଶହ ଶହ ଭଣ୍ଡମାନଙ୍କ ମଧ୍ୟରୁ ଗୋଟିଏ ଅଧେ ପ୍ରକୃତ ଯୋଗୀଙ୍କୁ ଚିହ୍ନି ବାହାର କରିବା ସମ୍ଭବ ନୁହେଁ । ତେଣୁ ଯୋଗୀମାନଙ୍କ ଠାରୁ ନିଜକୁ ଦୂରରେ ରଖିବା ବୁଦ୍ଧିମାନର କାର୍ଯ୍ୟ । ତଦ୍ଦ୍ୱାରା ଆମେ ପ୍ରକୃତ ଯୋଗୀଙ୍କୁ ଅପମାନ କରିବାନି କିମ୍ୱା ଭଣ୍ଡମାନଙ୍କ ଜାଲରେ ଶିକାର ହେବାନି ।

ଯୋଗୀ ଯିବାର ମାସକରୁ ଉର୍ଦ୍ଧ୍ୱ ହୋଇ ଯାଇଥିଲେ ମଧ୍ୟ ଘରେ, ବାହାରେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା । ବହୁ ଜ୍ଞାନୀ ବାବା ପରିବାର ବିଷୟରେ ସବୁ ସତକଥା ଗୁଡ଼ିକ ଗଡ଼ଗଡ଼ ହୋଇ ଗାଇଗଲେ । ଭାଗବତ ମା’, ନାନୀ ପାଖେ ନେହୁରା ହେଉଥିଲା ବାବୁଙ୍କୁ କହି ଆଉ ଥରେ ବାବାଙ୍କୁ ଡାକନ୍ତନି । ସାନବୋହୂଟାକୁ ଥରେ ଦେଖେଇ ଦେଇଥାନ୍ତି । ଦଶବର୍ଷ ହେଇଗଲାଣି, ଠାକୁରେ ତା’ କୋଳ ଖାଲି ରଖିଛନ୍ତି । ପାଖରେ ମଲ୍ଲୀ ମା’ ବସିଥିଲା କହିଲା, ହଁ ପରା ନୁଗା ନବାକୁ ଆଇଥେଲି, ମୁଁ କିଏ, କାଇଁକି ଆଇଚି, ମୋ ଘରେ ଆଉ କିଏ କିଏ ଅଛନ୍ତି ସବୁ ଗାଇଗଲା ଗୋ । ବଇଦା ଗୁଡ଼ିଆ ପାଳି ଧରିଲା, ସତରେ ନାନୀ, ପିଲାବେଳେ ଗଛରୁ ପଡ଼ି ଅଣ୍ଟାରେ ଗୋଟାଏ ବଡ଼ ଚିହ୍ନ ରହିଛି । କାହାକୁ ଜଣାନାହିଁ । ତାହା ବି କହିଦେଲେ, କୋଉ ଗଛରୁ ପଡ଼ିଥିଲି ସେ କଥା ବି ଯେମିତି ତାଙ୍କୁ ଅଛପା ନଥିଲା । ଭାରି ଜ୍ଞାନୀ ବାବାଟିଏ । ଭୂତ ଭବିଷ୍ୟ ତାଙ୍କୁ ସବୁ ଜଣା । ହାତରେଖା ପଢ଼ିବାକୁ ପଡୁ ନଥିଲା । କପାଳରୁ ସବୁ ପଢ଼ି ନେଉଥିଲେ ।

ମୋ ଖାଇବା ହାତ ବାହାତଳେ ଗୋଟେ ବଡ଼ ଭାତୁଡ଼ି । ସେ କଥା ବି ତାଙ୍କୁ ଜଣାଥିଲା । କହିଲେ, “ହସକୁଡ଼ି ନୂଆବୋଉ (ନାଭା ନନାଙ୍କ ସ୍ତ୍ରୀ) ।”

ଏଥର ମୋ ପାଟିରୁ ବାହାରି ପଡ଼ିଲା “ତୁମେ ତେବେ ଭାନୁମତୀ ନୂଆବୋଉ ।”

ଯାଉଛୁ ଏଠୁ ନା ଏବେ ଦେଖିବୁ କହି ଗୋପିଆ ମା’ ଆଈ ମୋ ଆଡ଼କୁ ଖଣ୍ଡିଆ ଛାଞ୍ଚୁଣି ଖଣ୍ଡେ ଦେଖାଇଲା ।

ତା’ପରେ

To Top