“ନାଁ ନାଁ, ହାତରେ ମୁଠାଏ ବାଲି ଧର । ମୁଁ ବହି ପଢୁଛି,ତୁମେ ଡିସେକ୍ସନ ଆରମ୍ଭ କର । ” କହିଲା ଅଶୋକ ।
ଓଡିଶାରେ ତିନିଟି ମେଡିକାଲ୍ କଲେଜ । ଏସ୍.ସି.ବି କଟକ, ଭି.ଏସ୍.ଏସ୍ ବୁର୍ଲା ଏବଂ ଏମ୍.କେ.ସି ବରହମପୁର । ମେଡିକାଲ କଲେଜ୍ ଆଡମିଶନ୍ ପାଇଁ କୌଣସି ଲିଖିତ ପରୀକ୍ଷା କିଂବା ଇଣ୍ଟରଭ୍ୟୁ ହୁଏନା । ମାର୍କସ ଅନୁସାରେ ପ୍ରଥମେ କଟକ, ଦ୍ୱିତୀୟରେ ବୁର୍ଲା ଏବଂ ତୃତୀୟରେ ବରହମପୁର ସିଟ୍ ଭର୍ତ୍ତୀ କରାଯାଇଥାଏ । ପ୍ରଥମ ଲିଷ୍ଟରେ ମୋ ନାମ ଏସ୍.ସି.ବି ପାଇଁ ମନୋନୀତ ହୋଇଥିଲା । ଶୈଳବାଳା ମହିଳା କଲେଜର ଅନୁଭୂତି ମୋ ମନରେ ବରଫ ଜମାଟ୍ ବାନ୍ଧିଲା ଭଳି ଜମି ଯାଇଥିଲା ।
ବଡ଼ନନାଙ୍କର ପାଟନାଗଡ ଟ୍ରାନ୍ସଫର ହୋଇଛି । କଟକ ଠାରୁ ବହୁ ଦୂରରେ । ସୁବିଧା ଅସୁବିଧା ଯିବା ମଧ୍ୟ ସମ୍ଭବ ହେବନି । ବହୁ ଚିନ୍ତା କଲି । ଶେଷରେ ବୁର୍ଲା ଟ୍ରାନ୍ସଫର କରାଇବାର ନିର୍ଣ୍ଣୟ ନେଲି । ସାନନନା ବହୁ ବିରକ୍ତି ହେଲେ । ନାମଜାଦା କଲେଜକୁ ଛାଡି ଆଉ ଥରେ ଭୂଲ୍ କରିବାକୁ ଯାଉଛୁ । ହେଲେ ବଡନନାଙ୍କ ଠାରୁ କୌଣସି ପ୍ରତିବାଦ ଆସିଲାନି ।
ଟ୍ରାନ୍ସଫର ପାଇଁ ବହୁଦିନ ଲାଗିଗଲା । ମୁଁ ଅପେକ୍ଷା କରି କଟକରେ ଜଣେ ବନ୍ଧୁଙ୍କ ଘରେ ରହିଥିଲି । କଲ୍ୟାଣୀର କ୍ଲାସ୍ ଆରମ୍ଭ ହୋଇ ଗଲାଣି । ସେ ତାଙ୍କ ପରିବାରର ନୁହେଁ ତା ପିତୃଗତ ଗାଁର ପ୍ରଥମ ଝିଅ ଯେ କି ବିଏ ପଢୁଛି । ଆଇ.ଏ ପାସ୍ କଲାପରେ ତା ମା ତାର ପାଠ ବନ୍ଦ କରି ତାକୁ ବାହା କରାଇଦେବାରୁ ଚେଷ୍ଟାରେ ଥିଲେ । ହେଲେ ବାପା ନ ଛୋଡ ବନ୍ଦା, ସେ ପାଠ ପଢି ଚାକିରୀ କରିବ । ତା ତିନି ଭଉଣୀଙ୍କର ଆଦର୍ଶ ହେବ ।
ମୁଁ ସିନା ବେକାର ହୋଇ ବସିଥିଲି, କଲ୍ୟାଣୀର କ୍ଲାସ ଥାଏ । ତେଣୁ ଶନିବାର ଦ୍ୱିପହରେ ତା ସଂଗେ ଦେଖାହୁଏ । ଦିନକର କଥା । ଆମେ ଦୁହେଁ ଦିନେ ଏକ ଧନୀ ବ୍ୟକ୍ତିଙ୍କ ଘରେ ଥିଲୁ । ମାଉସୀ କେତେଦିନ ପାଇଁ ବାହାରକୁ ଯାଇଥିଲେ । ଆସି ପହଞ୍ଚିଥିଲେ । ମାଉସୀଙ୍କ ପରିଚୟ ମୋ ଠାରୁ ଜାଣିବା ପରେ ସେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲା । ମାଉସୀ ଟିକିଏ ଭିନ୍ନ ଧରଣର । ଧନୀ ଘର ବୋଲି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ସେ ନିଜେ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ହେୟ ଦୃଷ୍ଟିରେ ଦେଖନ୍ତି । କଲ୍ୟାଣୀ ବିଷୟରେ ସେ ମୋ ଠାରୁ ଟିକି ନିଖି ଖବର ଏକାଠି କରିଥିଲେ । ପ୍ରଣାମ ପରେ ତାକୁ ଆଶୀର୍ବାଦ ଦେବା ବଦଳରେ ଖୁବ୍ ନିକୁଚ୍ଛ ଭାବେ କହିଲେ । “ବାପର ଛୋଟ ଚାକିରୀ ତ, ତେଣୁ ସେ ସମସ୍ତଙ୍କୁ ଭୟ କରିଥାଏ । ଏଇ ଦେଖୁନୁ,କେମିତି ପାଦ ଧରି ଗଡ ଗଡା ମାରୁଛି । ”
କଲ୍ୟାଣୀର ଦୁଇ ଆଖିରେ ଲୁହ । ତା ଆଖି ପୋଛୁ ପୋଛୁ କହିଲି, “ଭୟ ନୁହେଁ ମାଉସୀ,ଆନ୍ତରିକ ଭକ୍ତି । ଯାହା ସହରୀ ଝିଅଙ୍କ ପାଖରେ ଦେଖିବା ବିରଳ । ”
କଲ୍ୟାଣୀକୁ ଛାଡିବା ପାଇଁ ତା ଘରକୁ ଗଲି ।
ମୋର ଟ୍ରାନ୍ସଫର ଅର୍ଡର ଆସି ଯାଇଛି । ଆନନ୍ଦର ସୀମା ନାହିଁ । ବାପାଙ୍କ କଥା ମନକୁ ମନ ଦୋହରାଉଥିଲି । ଡାକ୍ତରୀ ପାଠ ପଢି ମଧ୍ୟ ତୁ ଲିଟ୍ରେଚରରେ ରୁଚି ରଖି ପାରିବୁ । ମାତ୍ର ଅନ୍ୟ କିଛି ବୃତ୍ତିରେ ଥାଇ ଡାକ୍ତର ହୋଇ ପାରିବୁନି ।
ବୁର୍ଲା ମେଡିକାଲ କଲେଜରେ ମୋର ଆଡମିଶନ୍ ହୋଇ ଯାଇଛି । କଲେଜ ନିୟମ ଅନୁସାରେ ପ୍ରଥମ ୧୦୦ ଜଣ, ସେକସନ୍ ‘ଏ’ ରେ ଏବଂ ପରେ ସମସ୍ତେ ‘ବି’ ସେକସନ୍ରେ ରହିଲି । ତେଣୁ ପ୍ରଥମ ଦିନ ଆମର ଫିଜିଓଲୋଜୀ କ୍ଲାସ୍ । ମୋର ଉଚ୍ଚତା କମ୍ ବୋଲି ମତେ ପ୍ରଥମ ବେଞ୍ଚରେ ବସିବାର ସୁଯୋଗ ସ୍କୁଲ କଲେଜରେ ପ୍ରାପ୍ତ ହେଉଥିଲା । ଏଠାରେ କେହି କିଛି ନ କହିଥିଲେ ମଧ୍ୟ ମୁଁ ପ୍ରଥମ ବେଞ୍ଚରେ ବସି ପଡିଲି ।
ପ୍ରଫେସର ସେନ୍ଙ୍କର କ୍ଲାସ୍ । ପ୍ରଥମେ ଅଳ୍ପ ବହୁତ ପରିଚୟ,କିଛିଟା ଉପଦେଶ,ପରେ ପରେ ଇଣ୍ଟରଡ଼କ୍ଟରୀ ଲେକ୍ଚର । ପ୍ରଫେସର୍ଙ୍କ କଥା ବାର୍ତ୍ତା କେଡେ ମାର୍ଜିତ । ମନେ ହୁଅନ୍ତି ଖୁବ୍ ସ୍ନେହୀ । କଲେଜରେ କେମିତି ଡରାଉଥିଲେ । ସତେ ଯେମିତି ମେଡିକାଲ କଲେଜର ପ୍ରଫେସର ମାନେ ବାଘ,ଭାଲୁ । ଯେତେ ସବୁ ବେକାର କଥା । କହନ୍ତି ନା “ଗାଁ ପରିମଳ ଧୋବା ତୁଠରୁ । ” ମେଡିକାଲ କଲେଜର ରହଣୀ ଯେ ନିଶ୍ଚିତ ଭାବେ ଆନନ୍ଦମୟ ହେବ । ଏଥିରେ ସନ୍ଦେହ ନାହିଁ ।
କ୍ଲାସରେ ନାଲି,ନେଳି,କଳା ପେନ୍ ରେ ନୋଟ୍ ଲେଖିବା ମୋର ଅଭ୍ୟାସ । ଆଜି ମଧ୍ୟ ହାତରେ ଦୁଇଟି ପେନ୍ ଧରି ସାର୍ କହିବା ବିଷୟ ତକ ନୋଟ୍ କରିଥିଲି ।
କ୍ଲାସ ଶେଷ ହେବା ପରେ ପ୍ରଫେସର ପ୍ରଶ୍ନ କରିଥିଲେ “ବୁଝିବାରେ ଅସୁବିଧା ନାହିଁ ତ !”
ଏକ ସମବେତ କଣ୍ଠ ସ୍ୱର “ବହୁତ କମ୍”
ଲକ୍ଷ୍ମଣ ଜେନା ଠିଆ ହୋଇ କହିଲା, ପ୍ରଥମ କ୍ଲାସ ତ, ମେଡିକାଲ ଶବ୍ଦ ଗୁଡିକ ସହ ଆମେ ପରିଚିତ ନୋହୁ ।
ଠିକ୍ ଅଛି,ଆସନ୍ତା କ୍ଲାସ ଆଗରୁ ଥରେ ବହିରୁ ପଢି ଦେଇ ଆସିବ । ମେଡିକାଲ୍ ଟରମିଲୋଜୀ କଷ୍ଟ ଲାଗିବନି । ଆରୋ, ତୁମି କନ ଚିତ୍ର କରୁଥିଲ ? କ୍ଲାସରେ ଆଟେଣ୍ଟିଭ ହେବା ଖୁବ୍ ଜରୁରୀ । ମୋ ଆଡକୁ ଚାହିଁ ପ୍ରଫେସର କହିଲେ ।
ଡରି ଯାଇ ଥର ଥର ଗଳାରେ କହିଲି, “ନୋଟ୍ ଲେଖୁଥିଲି । ”
ନୋଟ୍!!! କପି ଦେଖାତ ।
ବେଞ୍ଚରୁ ଉଠି ଯାଇ ସାର୍ଙ୍କ ହାତରେ ଖାତାଟି ଦେଲି । “ଅତି ସୁନ୍ଦର”, କହି ଖାତାଟିକୁ ଖୋଲି ପିଲାମାନଙ୍କ ଆଡକୁ ଦେଖାଇଲେ ।
ପ୍ରଫେସର ଯିବା ପରେ ଖୁବ୍ ହୋ,ହଲ୍ଲା– ତା ସଙ୍ଗେ ସଙ୍ଗେ ଲକ୍ଷ୍ମଣ ଆଉ ମତେ ଦୁଇଟି ଉପାଧି । “ପ୍ରଫେସର”, ଆଉ “ନୋଟ୍ ମାଷ୍ଟର” ।
ହଷ୍ଟେଲ୍ରେ ଜୋର୍ ସୋର୍ ରେ ଆଲୋଚନା ହୋଇ ଥିଲା “ଆନାଟୋମୀ ପ୍ରଫେସର ଭୀଷଣ କଡା । ଟିକିଏ ଭୂଲରେ ହାଡ ଖଣ୍ଡକରେ ମାଡ ଖାଇବାକୁ ହୁଅ । ଡରି ଛାନିଆ ହୋଇ ‘ଏ’ ସେକସନ୍ ଝିଅ ମାନଙ୍କୁ ପଚାରିଲି ।
“ବାପ୍ ରେ ବାପ୍, ତାଙ୍କର କିଛି କହିବା ଦରକାର ନାହିଁ । ତାଙ୍କ ଜଳୁଥିବା ଆଖି ଦିଟାକୁ ଦେଖିଲେ ତୁମର ଲୁଗା ଓଦା ହୋଇଯିବ । ହେଲେ ଖୁବ୍ ଭଲ ପଢାନ୍ତି ବୋଲି ରୋଜି ଅପା, ସୁଶୀଳା ଅପା(ସିନିୟର) କହୁଥିଲେ । କହିଲା ଶିବାନୀ ।
ବହୁତ ଗୋଟାଏ ସାହସୀ ପିଲା ଭଲି କହିଲି, “ଟିଚର୍ଙ୍କୁ ଭୟ କ’ଣ, ଭକ୍ତି କରିବା କଥା ”
ପରେ ପରେ ଗୁଡାଏ ମିଳିତ କଣ୍ଠ ସ୍ୱର । ହଉ ହଉ ଆଜି ସେ ସବୁ ତୋ ପାଖେ ରଖିଥା । କଲି କ୍ଲାସ ପରେ କହିବୁ । ଭୟ ନା ଭକ୍ତି । ତହିଁ ଆରଦିନ ଆଖି ଖୋଲିଲା ବେଳକୁ ଛଅଟା ବାଜି ଯାଇଥିଲା । ଜଲ୍ଦି ଜଲ୍ଦି ନିତ୍ୟକର୍ମ ସାରି ଆନାଟୋମୀ କ୍ଲାସ୍ରେ ପହଞ୍ଚି ଗଲି । ପ୍ରଫେସର ହଜାରି ବାହାରକୁ ଯାଇଥିଲେ । ତେଣୁ ଇଣ୍ଟରଡ଼କ୍ଟରୀ କ୍ଲାସ୍ ନାଁକୁ ମାତ୍ର ହେଲା । ସେଇ ସ୍କୁଲ, କଲେଜ ଭଳି କ୍ଲାସ୍ ତ— ତା ପରେ ଦଉଡିଲୁ ଡିସେକ୍ସନ୍ ହଲ ଆଡକୁ । ବାହାର ବାରଣ୍ଡାରେ ମଧ୍ୟ ଉତ୍କଟ ଫରମାଲିନ୍ ଗନ୍ଧ । ପ୍ରାୟ ସମସ୍ତ ପିଲାମାନେ ଦୁଆର ବାହାରେ । ସବୁ ଝିଅ ମାନଙ୍କର ନାକ ଉପରେ ହାତ, ମୁଁ ପଛରେ ପଡି ଯାଇଥିଲି । ଏଇ ସୁବିଧା ନେଇ ଆଗକୁ ଚାଲିଗଲି । ହଲ୍ ଭିତରେ ପତଳା ପତଳା ୧୮ ଟି ଟେବୁଲ୍, ଶସ୍ତା ମାର୍ବଲ ରେ ମଣ୍ଡିତ ତିନିଟି ଲାଇନ୍ ରେ ରଖା ଯାଇଛି, ସବୁ ଟେବୁଲ୍ ଉପରେ ଗୋଟିଏ ଲେଖାଏଁ ପୁରୁଷ ସ୍ତ୍ରୀଙ୍କର ନଗ୍ନ ଶବ । ହଲ୍ ର ଅନ୍ୟ ଏକ ପାର୍ଶ୍ୱରେ ଗୋଟିଏ ବଡ ଟେବୁଲ୍ ଯାହାକି ବିଭିନ୍ନ ପ୍ରକାର ଛୋଟ ବଡ ହାଡ ମାନଙ୍କର ସଜ୍ଜିତ । ମଝିରେ ଗୋଟାଏ ଖପୁରୀ । ମନେ ହେଉଛି ଖାଇ ଯିବକି ଆଉ । ଶଙ୍କି ଟିକିଏ ପଛକୁ ଫେରି ଆସିଲି । ଶୁଣାଗଲା ଖୁବ୍ ଏକ ମୋଟା ଗଳାର ଶବ୍ଦ “ଭିତରକୁ ଆସ” । ଫେରି ଚାହିଁଲି,ଜଣେ ଖୁବ୍ ଡେଙ୍ଗା ଚନ୍ଦା ଭଦ୍ର ବ୍ୟକ୍ତି । ଫୁସ୍ ଫାସ୍ ଭିତରେ ଜଣାଗଲା,ସେଇ ହେଉଛନ୍ତି ପ୍ରଫେସର ହଜାରି । ଆଖି ଦୁଇଟିକୁ ନିରୀକ୍ଷଣ କଲି । ସତରେ ଏ ଦୁଇଟା ଜଳୁଛି ନା ଦିପୀମାନ?
ପରେ ପରେ ଶୁଣାଗଲା ଏକ କୋମଳ କଣ୍ଠ ସ୍ୱର । ନିଜ ନିଜର ଡିସେକସନ୍ ବକ୍ସ ନେଇ ରୋଲ ନଂ ହିସାବରେ ତିନି ତିନିଜଣ ଟେବୁଲ୍ ର ଦୁଇ ପାଖେ ଛିଡା ହୁଅ । ସେ ଥିଲେ ଜଣେ ସୌମ୍ୟ ଯୁବକ,ଡାଃ ସରକାର । ପରେ ପରେ ଡାଃ ସରକାର ଗୋଡ ତଳିପା ଏବଂ ହାତ ପାପୁଲିର ସରଫେସ୍ ମାର୍କିଙ୍ଗ୍ ବୁଝାଇ କନିଙ୍ଗ୍ ହୋମ୍ ଖୋଲି ଡିସେକ୍ସନ ଆରମ୍ଭ କରିବାକୁ କହିଲେ ।
ମୁଁ ଜୋର୍ ରେ କହି ଉଠିଲି “ଖାଲି ହାତରେ ସାର?”
“ନାଁ ନାଁ, ହାତରେ ମୁଠାଏ ବାଲି ଧର । ମୁଁ ବହି ପଢୁଛି,ତୁମେ ଡିସେକ୍ସନ ଆରମ୍ଭ କର । ” କହିଲା ଅଶୋକ ।
“ମୁଁ ବହି ପଢୁଛି, ତୁମେ ବି.ପି ନାଇଫ୍ ଧର । ଅଶୋକ, ଜତୀନ୍ ତୁମକୁ ସାହାଯ୍ୟ କରିବେ । ”
“ତୁମର ଆବାଜ୍ ଅଛି? ଆମେ ଶୁଣି ପାରିବୁନି, ତୁମେ ଡିସେକ୍ସନ କର । ”
ଦେଖ ଅସୋକ,ମଣିଷର ଗୋଡ଼ ତଳିପା ଅପରିଷ୍କାର ବୋଲି ମତେ ଘୃଣା ଲାଗେ । ମୁଁ କେମିତି ଡିସେକ୍ସନ କରିବି ?
“ଜୀବନ୍ତ ମଣିଷର ପାଦ ତୁମକୁ ଘୃଣା ଲାଗେ ତ ! ମୃତ୍ୟୁ ପରେ ସେ ତ ଈଶ୍ୱର । ଡେରି ନ କରି ଆରମ୍ଭ କର”
“ଏଇ ଦେଖ,ମୁଁ ଆରମ୍ଭ କରୁଛି । ” ଟେବୁଲ୍ ଆର ପଟୁ କହିଲା ଭବାନୀ ।
ବାଧ୍ୟ ବଶତଃ ସାର୍ କହିଥିବା ଅନୁଯାୟୀ ଗୋଡ ତଳିପାର କେବଳ ଡିସେକ୍ସନ ନୁହେଁ, ବହି ଅନୁସାରେ ବିଭିନ୍ନ ଶିରା, ପ୍ରଶିରା, ସ୍ନାୟୁ ଗୁଡିକର ମଧ୍ୟ ଖାଲି ହାତରେ ଚିହ୍ନଟ କରିବାକୁ ପଡିଲା ।
ଗୋଟାଏ ରୁ ଦୁଇଟା ଲଞ୍ଚ ଟାଇମ୍ । ପହଞ୍ଚିବା ବେଳକୁ ୧୫ ମିନିଟ୍ ଚାଲିଯାଇଥିଲା । ପନ୍ଦର ମିନିଟ୍ ପୂର୍ବରୁ ଦୁଇଟା କ୍ଲାସ୍ ପାଇଁ ଯିବାକୁ ହେବ । ଡାଇନିଂ ହଲ୍ ଭର୍ତ୍ତୀ । ଝିଅମାନଙ୍କ ଖାଇବା ଦେଖି ମନେ ହେଲା ସତେ ଯେମିତି “ସୋମାଲୟା” ଫେରନ୍ତୀ ।
“ଖମ୍ୱ ଭଳି ଠିଆଟା କାହିଁକି ହୋଇଛୁ । ପ୍ଲେଟ୍ ନେ,ଜଲ୍ଦି ଖାଇ କ୍ଲାସ୍ ଯା । ନ ହେଲେ ଖାଦ୍ୟ ପରିବର୍ତ୍ତେ ଡାଃ ହଜାରିଙ୍କ ହାଡ ମାଡ ଖାଇ ରହିବୁ । ” କେହି ଜଣେ ସିନିୟର କହିଲେ ।
ହାତରେ ବହୁତ ଅସନା କାମ କରିଛି ନାନୀ, କେମିତି ଖାଇବି ?
ଆରେ ଏତେ “ଫସି” ହ ନା, ଆମେ ସମସ୍ତେ ସେଇ ଅସନା କାମ କରି ସାରିଛୁ
ସତେ ଯେମିତି କିଏ ମତେ ଗୋଟାଏ ଧକ୍କା ଲଗାଇଲା । ସିନିଅର ମାନେ ଅସନ୍ତୁଷ୍ଟ ହେଲେ ମୋର ପୁଣି ଏସ୍.ବି.ଡବ୍ଲ୍ୟ ଅବସ୍ଥା ହେବନି ତ ! କିଛି ନ କହି ରନ୍ଧା ଘର ଭିତରୁ ଗୋଟିଏ ଚାମଚ ଉଠାଇ ଖାଇବା ଆରମ୍ଭ କଲି । ସହପାଠୀ ମାନଙ୍କର ମିଳିତ କଣ୍ଠ ସ୍ୱର ଶୁଣା ଯାଉଥିଲା “ଚାମଚୀ,ଚାମଚୀ,ଚାମଚୀ—-“