ଉପନ୍ୟାସ

ମୁଠାଏ ମାଟି

Ashok Biswal's Odia Novel Muthae Maati

ତୁମ ଆଗରେ ସେହି ଘଟଣା ଆଉ ଥରେ ଅଭିନୀତ ହେବ ଆଉ ତୁମେ ଏକ ପାତ୍ର ହିସାବରେ ଅନୁଭବ କରିବ ।- ଛାଇ ପୁଣି କହୁଥିଲା ।

ମୁଠାଏ ମାଟି

-: ପୂର୍ବରୁ :-

ତାପରେ ଅବିନାଶ ଏକ ଛୁଆ ଭଳି ଠିଆ ହୋଇ ପ୍ରାୟ ନାଚିଗଲା । ଯଦି ତାକୁ ଦିବ୍ୟ ଦୃଷ୍ଟି ମିଳିଯାଏ କି ଚମତ୍କାର ହୋଇଯିବ । ସେ ସେହି ଯାଗାରେ ଥାଇ ଅତୀତର ଘଟଣାଗୁଡା ନିଜ ହିସାବରେ ଦେଖିପାରିବ, କାହାର ବର୍ଣ୍ଣନା ହିସାବରେ ନୁହେଁ । କି ଆଶ୍ଚର୍ଯ୍ୟ କଥା ହୋଇଯିବ । ଗଲୱାନ ଉପତ୍ୟକା ବିଷୟରେ ଲୋକେ କେତେ କଣ କହୁଛନ୍ତି । ସବୁରେ ସଂଶୟ ଭରି ରହିଛି, ସବୁକିଛି ତିମିରାଚ୍ଛନ୍ନ ଲାଗୁଛି । ନିଜେ ଦେଖିପାରିଲେ ! ଓଃ ! ଆଉ ଭାବିହେଉନାହିଁ । ତା ହୃତ୍‌ପିଣ୍ଡ ଆନନ୍ଦରେ ବନ୍ଦ ହୋଇଗଲା ଭଳି ଲାଗିଲା ।

ତୁମ ଆଗରେ ସେହି ଘଟଣା ଆଉ ଥରେ ଅଭିନୀତ ହେବ ଆଉ ତୁମେ ଏକ ପାତ୍ର ହିସାବରେ ଅନୁଭବ କରିବ ।- ଛାଇ ପୁଣି କହୁଥିଲା ।

କି କି ଚମତ୍କାର ହୋଇଯିବ । ନିଜ ଆଖିରେ ଯୁଦ୍ଧ ଦେଖିବାକୁ ଇଚ୍ଛା ହେଉଛି । ମୁଁ ଯେମିତି ମହାଭାରତର ସଂଜୟ ହୋଇଯିବି । ଏ ଜନ୍ମ ସାକାର ହୋଇଯିବ ।- ଅବିନାଶ ସେମିତି ପିଲା ଭଳିଆ ଅତି ଉତ୍ସାହର ସହ କହୁଥିଲା ।

ଛାଇ ସାମାନ୍ୟ ହସିଲା ଆଉ କହିବାକୁ ଲାଗିଲା । –

ତୁମେ କିନ୍ତୁ କିଛି କରିପାରିବ ନାହିଁ । ଘଟଣା ତ ଆଗରୁ ଘଟିଯାଇଛି ତେଣୁ କିଛି ପରିବର୍ତ୍ତନ କରିହେବ ନାହିଁ । ତୁମକୁ ଲାଗିବ ତୁମେ ନିଜେ ଗଲୱାନ ଘାଟିର ପାଟ୍ରୋଲିଙ୍ଗ ପଏଣ୍ଟ ନମ୍ବର-୧୪ରେ ଥିବା ଏକ ବଡ ପଥରର ଉପରେ ଠିଆ ହୋଇଛ ଆଉ ସେଇଠୁ ତୁମେ ଯୁଦ୍ଧ ଦେଖୁଛ ।

କିଛି ଯାଗାର ପରିବର୍ତ୍ତନ କରିପାରିବି ନାହିଁ ।- ଅବିନାଶ ପଚାରିଲା ।

କିଛିଟା ହୋଇ ପାରିବ । ଠିକ୍‌ ସେ ପତଳା ରାସ୍ତା ଉପରକୁ ଆସିପାରିବ ।- ଛାଇ ଉତ୍ତର ଦେଲା ।

ତା ଛଡା ।- ପୁଣି ଅବିନାଶ ପଚାରିଲା ।

ଛାଇ ମୁହଁରେ ଟିକେ ମଳିନ ହସ ଖେଳିଗଲା ।

ତୁମେ ରାସ୍ତାର ଧାରରେ ଥିବା ପ୍ରାୟ ୨୦ ଫୁଟ ପଥରରେ ଝୁଲିପାରିବ ।

କି ଚମତ୍କାର ।

ଆଉ କଣ ହୋଇପାରିବ?

ତୁମେ ରେଜିମେଣ୍ଟ କ୍ୟାମ୍ପକୁ ଦେଖିପାରିବ ।

କି ବଢିଆ କଥା ।

ଆଉ କଣ କଣ ହୋଇପାରିବ?

କଣ ଜାଣିବାକୁ ଆଉ ଚାହୁଁଛ?

ଆଉ କେଉଁଠିକୁ ଯାଇହେବ? ତୁମେ ମୋତେ ଯେତେ ଯାଗା ନେଇଗଲଣି, ଏତେ ଯାଗା ତ ମହାଭାରତର ସଂଜୟ ନିଜେ ସେ ମହାନ ଯୁଦ୍ଧରେ ଯାଇପାରି ନଥିଲେ । ସେ ତ ଏକ ସ୍ଥାନରୁ ବସି ଯୁଦ୍ଧ ଦେଖୁଥିଲେ ।

ତୁମେ ଶେଷରେ ଗଲୱାନ ନଦୀ ପାଣିକୁ ଯାଇପାରିବ । ବାସ୍ ସେତିକି ।

ବାକି କଥା ତୁମକୁ ପରେ ପଚାରିବି ।

ଗୋଟିଏ କଥା ମନେ ରଖିବ, ତୁମେ ହାତ ଆଗକୁ ବଢାଇବ ନାହିଁ କି ଚିତ୍କାର କରିବ ନାହିଁ । ସେମିତି କଲେ ତୁମେ ଆଉ ଆଗକୁ ଦେଖି ପାରିବ ନାହିଁ । – ଛାଇ କହିଲା ।

ସର୍ତ୍ତଟା କାହିଁକି ରଖିଲ?

ପ୍ରକୃତରେ ଯୁଦ୍ଧରେ ତୁମେ ପାତ୍ର ନୁହଁ । ତୁମର ଚିତ୍କାର ସେଠିକାର ସଂଘଟିତ ଘଟଣା ନୁହେଁ । ତେଣୁ ତୁମେ ସେମିତି କିଛି କିଛି କଲେ ସେ ସବୁ ଘଟଣା ମୋଟେ ପୁଣି ସଂଘଟିତ ହୋଇପାରିବନାହିଁ । ହେଉ ତୁମର ସେହି ଦୃଶ୍ୟ ଦେଖିବା ଆରମ୍ଭ କରିବା । – ଛାଇ କହିଲା ।

ଘର ଭିତରେ ଏକଦମ ଅନ୍ଧାରୁଆ ହୋଇଗଲା । ଛାଇ ମଣିଷ ତାଆଗରେ ନିଜ ହାତକୁ ହଲାଇଦେଲା ଆଉ ଅବିନାଶ ଏକ ଉଜ୍ଜ୍ୱଳ ଆଲୋକ ଦେଖିଲା । ପ୍ରଥମେ କିଛି ଶବ୍ଦ ଆସୁ ନଥିଲା । ଏକ ଅନ୍ଧାରିଆ ଆର୍ମି କ୍ୟାମ୍ପ ଦେଖାଗଲା । କିଛି ତମ୍ବୁ ପଡିଛି । ସୈନିକମାନେ ମୋଟା ଗରମ କପଡା ପିନ୍ଧି ଚଲାବୁଲା କରୁଛନ୍ତି । ସମସ୍ତଙ୍କ ମୁହଁରେ ଶଙ୍କା । କିନ୍ତୁ ସମସ୍ତେ ଦୃୃଢ ହୋଇ ଠିଆ ହୋଇଛନ୍ତି । ତାପରେ ସୁ ସୁ ଶବ୍ଦ ଶୁଣାଗଲା । ଜୋରରେ ପବନ ବୋହିବାର ଶବ୍ଦ । ନଦୀର ଶବ୍ଦ ଅଧିକରୁ ଅଧିକ ହୋଇଗଲା । ଧିରେ ଆଲୋକ ନରମ ହୋଇଯାଇ ତାକୁ ଏକ ପାହାଡି ରାସ୍ତା ଦେଖାଗଲା । ପାହାଡ ବହୁତ ତୀଖ । କଡରୁ କୁଆଡେ ଅନ୍ଧର ଭିତରେ ହଜିଯାଇଛି । ଜଣେ ଦୁଇଜଣ ଅତିବେଶିରେ ସେ ରାସ୍ତାରେ ଯାଇପାରିବ । ଗୋଡ ଖସିଗଲେ ଜାଣି ହେଉନଥିବା ଅନ୍ଧାର ଭିତରେ ମଣିଷ ମିଳେଇ ଯିବ ।

ହଠାତ୍ ଜୋରରେ ଧପ୍ କରି ଶବ୍ଦ ହେଲା । ଏକ ପଥର ପାଣିକୁ ଖସି ଯାଉଛି । ସେ ନିଜକୁ ଏକ ବଡ ପଥର ଉପରେ ବସିବାର ଦେଖିଲା । ସେ ଏ ପଥର ଉପରକୁ ରାସ୍ତାରୁ ଚଢିଛି ନା ଶୂନ୍ୟରୁ ଆସିଛି କିଛି ଜାଣି ପାରିଲାନି । କିନ୍ତୁ ଏକଦମ ତୀଖରେ ଥିବା ପଥର ଉପରେ ସେ ବସିଛି । ଖସିଗଲେ କୁଆଡେ ହଜିଯିବ । ସେ କିନ୍ତୁ ଅନ୍ଧାରକୁ ନ ଅନାଇ ପାହାଡି ରାସ୍ତାକୁ ଅନାଇଲା ।

ଦଳେ ସୈନ୍ୟ ବହୁତ ଉତ୍ତେଜିତ ଥାଆନ୍ତି । ସେମାନଙ୍କ ଗୋଡ ପ୍ରାୟ ନାଚୁଥାଏ । ହାତ ସବୁ ଚିନୀ ସୈନିକଙ୍କ କ୍ୟାମ୍ପ ଆଡକୁ ଲମ୍ବୁଥାଏ । ସେମାନେ ଜୋର୍‌ରେ ପାଟି କରୁଥାନ୍ତି । କିଏ କିଏ ପଥରକୁ ଗୋଇଠା ମାରୁଥାନ୍ତି । ଚିନୀମାନଙ୍କୁ ଗୋଇଠା, ବିଧା କସି ଦେଉଥାନ୍ତି । ସେଗୁଡାଙ୍କ ଫୁଟାଣି ଏବେ କମିଯାଇଥାଏ । ଭାରତୀୟ ସୈନ୍ୟମାନେ ଏମିତି ପ୍ରତି ଆକ୍ରମଣ କରିପାରନ୍ତି ବୋଲି ଭାବିନଥିଲେ । ସେମାନେ ଭାବିିଥିଲେ ଏ ଭାରତୀୟଗୁଡାଙ୍କୁ ଗାଈଗୋରୁ ଭଳିଆ ତଡିଦେବେ । କିନ୍ତୁ ଏମାନେ ଯେ ପାହାଡି ଚିତାବାଘ ବୋଲି ମୋଟେ ଭାବି ନଥିଲେ । କର୍ଣ୍ଣେଲ ସୁରେଶ ବାବୁ ପ୍ରଥମ ହାତାହାତି ଳଢାଇ ପରେ ନିଜର ସୈନ୍ୟମାନଙ୍କୁ ଶାନ୍ତ କଲେ । ତାଙ୍କର ସୈନ୍ୟମାନେ ବହୁତ ଉତ୍ତେଜିତ ଥାଆନ୍ତି । ଚିନୀ ସୈନିକଙ୍କ ଔଦ୍ଧତ୍ୟପାଇଁ ସେମାନଙ୍କୁ ଶାସ୍ତି ଦେବାକୁ ଜୋରରେ ପାଟି କରୁଥାନ୍ତି ।

ମାର ଶାଲେକୋ ।- ଜୋରରେ କିଏ ପାଟିକଲା ।

ଜୟ ବଜରଙ୍ଗ ବଲ୍ଲୀ । ଅଭି ଶାଲୋ ଚିନୀକୋ ଶିଖାଏେଙ୍ଗ । ଶାଲେ କୋ ଅଭି ମୌତ କି ଘାଟ ଉତାର ଦେତେ ହୈଂ । – ଜୋରରେ ଆଉ ଦଳେ ପାଟିକଲେ । ସେମାନଙ୍କ ଆଖି ରଡ ନିଆଁ ଭଳି ଜଳୁଥିଲା । ହାତ ଗୁଡା ଷଣ୍ଢୁଆସୀ ଭଳି ଆଗକୁ ବଢି ଆସୁଥିଲା । ସେମାନେ ଡର୍ଜ୍ଜନେ ଚିନୀକୁ ମାଡିବସି ଧରିଥିଲେ । ଶିଳପୁଆ ଭଳି ହାତଗୁଡା ଚିନୀଙ୍କ ଆଗରେ ଲହ ଲହ ହେଉଥିଲା । ଚିନୀଗୁଡା ଏକଦମ ଡରି ଯାଇଥିଲେ । ଅନ୍ୟ ଚିନୀଗୁଡା ଡରି ଦୂରକୁ ପଳାଇଥାଆନ୍ତି ।

ସେ ଭିତରେ ସେଇ ଟୋକ ଚିନୀଥିଲା ଯିଏ କଣ କହି ଆସି କର୍ନେଲ ସୁରେଶ ବାବୁଙ୍କୁ ଧକ୍କା ଦେଇଥିଲା । ଲମ୍ବା ଟୋକାଟା । ଟିକିଏ ତାଗଡା । କିନ୍ତୁ ତାର କିଛି କରିବାକୁ ଚାରା ନଥିଲା । ରେଜିମେଣ୍ଟର ଶକ୍ତଶାଳୀ ଜବାନ ରାଜେନ୍ଦ୍ର କୁମାର ତାକୁ ତଳେ ପକାଇ ତା ହାତକୁ ପଛକୁ ମୋଡି ଧରିଥିଲେ । ଚିନୀଟା ତା ଭାଷାରେ ଓଃ ଓଃ ହେଉଥିଲା । ଆଗର ଫୁଟାଣିମୋଟେ ନଥିଲା । ନାକ ମାଟିରେ ଘୁଷୁରୁଥିଲା । ଟିକିଏ ଭିଡିମୋଡି ହେଲେ ତାକୁ ୟୁନିଟର ଜବାନମାନେ ଗୋଡରେ ନିର୍ଘାତ ଗୋଇଠା ଲଗାଉଥିଲେ । ସେତିକିରେ ତାର ହାତ ଗୋଡ ଚୂନା ହୋଇଯିବା କଥା । ସେ ତଳେ ପଡି ସଁ ସଁ ହେଉଥିଲା ଆଉ ସିପାହୀ ରାଜେନ୍ଦ୍ର କୁମାର ମଝିରେ ମଝିରେ ତା ହାତକୁ ଜୋରରେ ମୋଡି ଦେଉଥିଲେ ।
ଏ ଶଳା ପାଇଁ ସବୁକିଛି ହେଲା । ତାର ଏତେ ସାହାସ ଯେ କମାଣ୍ଡର ସାହାବଙ୍କୁ ଧକ୍କା ମାରିଲା ।– ଏତିକି କହି ଜଣେ ପରେ ଜଣେ ଆସି ତାକୁ ଜୋରରେ ଲାତ ପକାଉଥିଲେ ।
ସୈନ୍ୟଙ୍କ ଆଗରେ କମାଣ୍ଡରଙ୍କୁ ଅପମାନ ଅର୍ଥ ଘରେ ପଶି କିଏ ନିଜ ବାପାଙ୍କୁ ଅପମାନ କଲା । ପୁଅ ଆଗରେ ବାପାଙ୍କ ଅପମାନ ଭାରତର ସଭ୍ୟତାରେ ନାହିଁ । ତେଣୁ ସେ ଟୋକା ଚିନୀ ଆଉ ସବୁ ଧରା ହୋଇଥିବା ଚିନୀଙ୍କ ଉପରେ ଜଣଙ୍କ ପରେ ଜଣେ ରାଗ ଶୁଝାଉଥାନ୍ତି । ସେତେବେଳକୁ ସେ କେତେଟା ଚିନୀ ଲହୁଲୁହାଣ ହୋଇ ମଲା ଭଳି ତଳେ ପଡିଥାନ୍ତି । ସୈନ୍ୟ ବାହିନୀର ନିୟମ ହିସାବରେ ଆହତ ସୈନିକଙ୍କୁ ଆଉ ଆଘାତ ଦେବାକଥା ନୁହେଁ । ଯଦି ସେମାନେ କିଛି ବଦମାସୀ କରନ୍ତି ତେବେ ସେମାନଙ୍କୁ ଉପଯୁକ୍ତ ଉତ୍ତମ ମଧ୍ୟମ ଦେଇ କାବୁ କରିବା କଥା । ସେଇଟା ଏତେ ବେଳକୁ ଯଥେଷ୍ଟ ହୋଇ ସାରିଲାଣି ।

ଅବିନାଶକୁ ସେ ତଳେ ପଡିଥିବା ଚିନୀକୁ ଦେଖି ଖୁବ ରାଗ ଲାଗୁଥିଲା । ଯଦିଓ ସେ ଏକ ଘଟିଯାଇଥିବା ଘଟଣା ଏକ ଦିଆଯାଇଥିବା ଦିବ୍ୟ ଦୃଷ୍ଟିରେ ଦେଖୁଥିଲା ତଥାପି ତାକୁ ଲାଗୁଥିଲା ସେ ବି ଦୌଡିଯାଇ ସେଇ ଚିନୀକୁ ମନଇଚ୍ଛା ବାଡାନ୍ତା । ଆଗର ଘଟଣା ଶୁଣିଲାପରେ ରକ୍ତ ତ ଗରମ ପାଣି ପରି ଫୁଟୁଥିଲା । ଏଗୁଡାଙ୍କର ଏତେ ସାହାସ । ଭାରତ ଭିତରେ ପଶି ଭାରତର ଜମି ଅଧିକାର କରିବାକୁ ଚେଷ୍ଟା କରୁଛନ୍ତି ।

ତା କାନରେ ଯେମିତି କିଏ କହୁଥିଲା –ମାର ମାର ଏ ଭଣ୍ଡାରିଆକୁ ମାର । ତାର ଗୋଡଟା ଜୋରରେ ଆଗକୁ ଚାଲିଯାଉଥିଲା ଯେମିତିକି ସେ କାହାକୂ ଗୋଇଠା ପକାଉଛି ।
ଆରେ ବୟଜ । ଯଥେଷ୍ଟ ହୋଇଗଲା । – ଏଗୁଡାଙ୍କୁ ସେମାନଙ୍କ ଅଞ୍ଚଳରେ ଫୋପାଡି ଦିଅ ।- କର୍ଣ୍ଣେଲ ସାହାବ କହିଲେ । ତାଙ୍କ ସ୍ୱର ଶାନ୍ତ ଥିଲା ।

ମେଜର ସାହାବ ତ ଦାନ୍ତ ରଗଡୁଥିଲେ କିନ୍ତୁ କମାଣ୍ଡର କହୁଛନ୍ତି ବୋଲି ସେ କିଛି କହିଲେନି । ଯେପରି ତାଙ୍କ ହାତର ଶିରା ଫୁଟୁଥିଲା ସେଥିରୁ ଜଣା ଯାଉଥିଲା ସେ ଭଲକରି ପାନେ ଦେବାକୁ ନିଶ୍ଚିତ କରିଛନ୍ତି । ତାଙ୍କର ଯେମିତି ଇଚ୍ଛା ହେଉଥିଲା ସେ ସାରୁ ପତ୍ରର ନାଡ ଭଳି ଏ ଚିନୀମାନଙ୍କ ବେକକୁ ଖାଲି ମୋଡି ପକାନ୍ତେ । କିନ୍ତୁ କର୍ଣ୍ଣେଲ ସାହାବ ଶାନ୍ତ ଥିଲେ । ସେଇଟା ତାଙ୍କ ସ୍ୱଭାବ । ଯୁଦ୍ଧର ଭିତରେ ମନର ଶାନ୍ତ ହେବା ମଧ୍ୟ ଆବଶ୍ୟକ । ଶ୍ରେଷ୍ଠ ସୈନିକ କେବଳ ବଳ ନୁହେଁ, ନିଜ ମନର କଣ୍ଟ୍ରୋଲ୍‌ ପାଇଁ ଯୁଦ୍ଧରେ ବିଜୟୀ ହୁଏ ।

ସେ ଚିନୀଗୁଡାଙ୍କୁ ପାଟ୍ରୋଲିଙ୍ଗ ପଏଣ୍ଟ ନମ୍ବର-୧୪ ପୋଷ୍ଟର ତଳକୁ ଠେଲି ଦିଆଗଲା । ସନ୍ଦୀପ କୁମର ତ ଶେଷରେ ସେ ଟୋକା ଚିନୀକୁ ଠେଲି ଦେଲେ । ପଲାନୀ ତାକୁ ଅଣ୍ଟାରେ ଏକ ଜୋର ଗୋଇଠା ଦେଲେ । ସେ ତଳେ ପଡଗଲା କିନ୍ତୁ ଉଠି ଛୋଟେଇ ଛୋଟେଇ ନିଜ ଅଞ୍ଚଳକୁ ଚାଲିଗଲା । ଚିନୀଗୁଡାଙ୍କୁ ଉପଯୁକ୍ତ ଶାସ୍ତି ଦିଆଯାଇଥିଲା ।
ଏ ଭିତରେ ହଟାନଯାଇଥିବା ସବୁ କିଛିକୁ ଜାଳି ଫୋପାଡି ଦିଆଗଲା । ଭାରତର ଅଞ୍ଚଳରେ ପଶି ଏମାନେ ଆଉ ଏମିତି ଦୁଷ୍ଟାମୀ ନକରନ୍ତୁ । ଏ ଭିତରେ ରାତି ଆଠଟା ବାଜିଲାଣି । ସୈନ୍ୟମାନେ ହଟିବେନି । କର୍ଣ୍ଣେଲ ସାହାବ ସାଙ୍ଗରେ ଆଉ ଟିକେ ରହିବେ । ରାତିରେ ଚିନୀମାନେ କିଛି ନୂଆ ଚାଲ ଖେଳିପାରନ୍ତି । ତାଙ୍କ ସୈନ୍ୟମାନେ ଅତି ଉତ୍ୟକ୍ତ ଅଛନ୍ତି । ଏଣୁ ସମସ୍ତଙ୍କୁ ସମ୍ଭାଳିବା ଦରକାର । ସେଇଥିପାଇଁ ସେ ଆଉ କିଛି ଅଧିକ ସମୟ ରହିବାକୁ ଭାବିଲେ । କ୍ୟାମ୍ପକୁ ଖବର ଦେଇଦିଆଗଲା ।

ଅବିନାଶକୁ ବହୁତ ମଜା ଲାଗୁଥିଲା । ପଲାନୀ କି ଗୋଇଠାଟାଏ ଦେଲେ । ସେ ଟୋକାଟା ଯେମିତି ଛୋଟେଇ ଛୋଟେଇ ଗଲା ସେଥରୁ ସେ ଭଲକରି ଶିକ୍ଷା ପାଇଥିବା । ବାପ ଅଜା ଚଉଦ ପୁରୁଷଙ୍କୁ ଜୀବନସାରା ମନେ ପକାଇବ । ଅଣ୍ଟାରୁ ଦୁଇଟା ହାଡ ତ ଖସିଥିବା । ବାପ, ମନେରଖ ଅନ୍ୟ ସେନାର କମାଣ୍ଡରକୁ ଅପମାନ କଲେ ଏମିତିଆ ଶିକ୍ଷା ମିଳେ । ଅବିନାଶକୁ ଲାଗିଲା ଲାଗିଲା ସେ ପଥର ଉପରେ ଖୁସିରେ ନାଚିଯାଆନ୍ତା । ସେ ସେଇଟା ସତରେ କରିଥାନ୍ତା । କିନ୍ତୁ ପାଖରେ ଛାଇକୁ ବସିଥିବାର ଦେଖିଲା । ଛାଇ ଠିଆ ହେଉନଥିବାରୁ ସେ ନିଜକୁ ସମ୍ଭାଳି ନେଲା । ନିୟମ ହିସାବରେ ସେ କିଛି କରିବନି ବା ପ୍ରତିକ୍ରିୟା ଦେଖାଇବନି । ସେ ସେଇଠୁ ବସି ସବୁଆଡକୁ ଅନାଇଲା ।

ପାଟ୍ରୋଲିଙ୍ଗ ପଏଣ୍ଟ ନମ୍ବର-୧୪ ପାହାଡର ଟିକିଏ ତଳେ, ଗଲୱାନ ଉପତ୍ୟକାର ପ୍ରାୟ ମୁହଁରେ ଅବସ୍ଥିତ । ସେ ଯାଗାରୁ ଭାରତର ତିଆରି ରାସ୍ତା ( ଡାର୍ବୁକ-ଶ୍ୟୋକ- ଦୌଲତବେଗ ଓଲ୍ଡି ରାସ୍ତା) ଯାହା କାରାକୋରମ ପାସ ପାଖରେ ଥିବା ଦୌଲତବେଗ-ଓଲ୍ଡି ପର୍ଯ୍ୟନ୍ତ ଲମ୍ବିଛି, ତାହା ଉପରେ ନଜର ରଖିହେବା ସାଙ୍ଗେ ସାଙ୍ଗେ ନଦୀର ତଳପଟେ ଘଟୁଥିବା ଘଟଣା ସବୁ ଜାଣିହେବ । ୧୬୬୧୪ ଫୁଟ ଉଚ୍ଚରେ ଥିବା ଦୌଲତବେଗ-ଓଲ୍ଡି ସିଆଚେନ ତଳେ, ଐତିହାସିକ କାରାକୋରମ ରେଞ୍ଜର ପୂର୍ବତମ ସୀମାନ୍ତରେ ଅବସ୍ଥିତ । ଚୀନ ନିୟନ୍ତ୍ରଣାଧିନ ଏଲ ଏ ସି ରୁ ମାତ୍ର ୮ କି.ମି. ଦୂରରେ ଅବସ୍ଥିତ । ଏହା ଭାରତର ଉଚ୍ଚତମ ସାମରିକ ବିମାନ ଅବତରଣ କ୍ଷେତ୍ର । ସ-୧୩୦ ସୁପର ହକ୍ୟୁଲେସ, ଆଣ୍ଟୋନଭ ଏଏନ-୩୨ ଆଦି ବିଶାଳକାୟ ସାମରିକ ପରିବହନ ବିମାନ ଏଠାରେ ଅବତରଣ କରେ । ସେ ଯାଗାରୁ ସହଜରେ ସିଆଚୀନର ଅନ୍ୟଅଞ୍ଚଳ , ଭାରତ-ପାକିସ୍ତାନ-ତିବ୍ବତଆଦି ଦେଶର ସୀମାନ୍ତ ଅଞ୍ଚଳକୁ ବାୟୁସେନାର ପରିଧି ଭିତରେ ରଖିହେବ । ସହଜରେ ସିଆଚେନ ଅଞ୍ଚଳକୁ ଆବଶ୍ୟକ ସାମଗ୍ରୀ ରାସ୍ତାରେ ପରିବହନ କରିହେବ । ସେଇଥିପାଇଁ ଏ ରାସ୍ତାର ଗୁରୁତ୍ୱଏତେ ବେଶି । ତେଣୁ ପାଟ୍ରୋଲିଙ୍ଗ ପଏଣ୍ଟ -୧୪ ରୁ ଚିନୀଙ୍କୁ ତଡିଦେବା ଅତି ଆବଶ୍ୟକ ଥିଲା । ଏହାପରେ ପରେ ପାହାଡ ବୁଲିଯାଇଛି । ସେପଟୁ ସହଜରେ ଏ ସାମାରିକ ଉପେଯାଗୀ ରାସ୍ତାକୁ ସହଜରେ ଲକ୍ଷ୍ୟ କରିହେବ ନାହିଁ ।

ସେପଟ ବୁଲିଯାଇଥିବା ପାହାଡ ଉପରେ ଚିନୀଗୁଡା ଆଗରୁ ଜମା ହୋଇଥିଲେ । ଛୋଟ ଛୋଟ ଶୃଙ୍ଗମାନଙ୍କ ଉପରେ ସେମାନଙ୍କ କ୍ୟାମ୍ପମାନ ଥିଲା । ପାହାଡର ଉପରେ ରହିଲେ ଆକ୍ରମଣ କରିବା ସହଜ । ଏକେ ତ ତଳୁ ଉପରକୁ ଉଠିବାର କଷ୍ଟ ରହିବନି । ଅତି ପତଳା ବାୟୁରେ ଅମ୍ଳଜାନ ବହୁତ କମ ଥିବା ହେତୁ ପ୍ରତି ପାଦେ ଦୁଇପାଦରେ ରହି ନିଃଶ୍ୱାସ ନେବାକୁ ପଡେ । ସେତେବେଳେ ଦୌଡି କୁଦି ଆକ୍ରମଣ କରିବା ଭାବିହୁଏନା । ଉପରକୁ ତଳକୁ ଓହ୍ଲାଇଲେ ଏତେ ପ୍ରେସର ହୃତପିଣ୍ଡ ଉପରେ ପଡେନା । ତାଛଡା ଉପରେ ରହିବାର ଏକ ସୁବିଧା ହେଉଛି ପଥର ଗଡେଇ ତଳୁ ଉଠୁଥିବା ସୈନିକଙ୍କୁ ସହଜରେ ମାରିଦେଇ ହୁଏ । ଏକ ବଡ ପଥର ମାଡରେ ଯେତେ କୌଶଳୀ ସୈନିକ ମୁହୁର୍ତ୍ତରେ ଗଡି ତଳ ନଦୀର ପାଣିରେ ପଡିବ । ଆଉ ନଦୀ ପାଣି ତ ବରଫ ଥଣ୍ଡା । ହାଇପୋଥର୍ମିଆରେ ଅଧଘଣ୍ଟା- ପନ୍ଦର ମିନିଟରେ ମୃତ୍ୟୁ । ରକ୍ତ ବରଫ ପାଲଟି ଯିବ । ସେମିତିଆ ସୁବିଧା ଯାଗାରେ ଚିନୀଗୁଡାକ ଥାଆନ୍ତି । ଆାଗରୁ କାହରିକୁ ନଜାଣାଇ ଏପଟକୁ ପଶି ଆସିଥାନ୍ତି । ସେମାନଙ୍କର ଏହି ଅନାଧିକାର ପ୍ରବେଶପାଇଁ ତ ଗଲୱାନ ଘାଟୀର ଏ ଲଢେଇ ହେଉଛି । ସୀମା ନିର୍ଦ୍ଧାରିତ ହୋଇନଥିବା ଅଞ୍ଚଳକୁ କେହି ଜବରଦସ୍ତି ଅଧିକାର କରିପାରିବନି । କିନ୍ତୁ ଚିନୀଗୁଡା ଅବିଶ୍ୱାସୀ ଜାତି । ନିୟମକୁ ବେଖାତିର କରି ଏ ଅଞ୍ଚଳକୁ ମାଡିଆସି ନିଜର ବୋଲି ଦାବି କରୁଛନ୍ତି ।

ପ୍ରଥମ ହାତାହାତିରେ ଚିନୀଗୁଡା ଭଲକରି ପାନେ ପାଇଥିଲେ । ନିଜକୁ ଅତି ପରାକ୍ରମଶାଳୀ ଭାବୁଥିବା ଆଉ ଟିକ୍ଟକ୍ଭିଡିଓ ଆପ୍ର ସୁପର ସୋଲଜର ମନେକରୁଥିବା ଏ ଚିନୀଗୁଡା ନିଜର ଶକ୍ତି କୁହ ବା ବଦମାସୀ କୁହ, କିଛି କରି ଦେଖାଇବାକୁ ନିଶ୍ଚିତ କରିଥିଲେ । ରାତି ପ୍ରାୟ ନଅଟା ସମୟ । ବେଶ ଜୋରରେ ଥଣ୍ଡା ପବନ ବୋହୁଥିଲା । ଏମିତିଆ ରକ୍ତ ଜମାଟ ବାନ୍ଧୁଥିବା ଶୀତରେ ଏତେ ଉଚ୍ଚରେ ଥାଇକରି ବି ସେମାନେ ସବୁ ନିୟମକୁ ବେଖାତିର କରି ଆକ୍ରମଣ ଆରମ୍ଭ କରିଦେଲେ । ପାହାଡର ଉପର ଆଡୁ ଆଉ କିଛି ତଳଆଡୁ ପାଟ୍ରୋଲିଙ୍ଗ ପଏଣ୍ଟ ନମ୍ଭର-୧୪କୁ ମାଡି ଆସିଲେ । ଆଗରୁ ସୀମାନ୍ତରେ ସୈନିକମାନଙ୍କ ଭିତରେ ଏକ ରାଜିନାମା ଥିଲା । ସୀମାର କିଛି କିଲୋମିଟର ଭିତରେ କେହି ଆଗ୍ନେୟାସ୍ତ୍ର ବ୍ୟବହାର କରିବେନି । ସେଇଟା ଚିନୀମାନେ ମାନିବେ ବୋଲି କେହି ଭାବୁ ନଥିଲେ । କିଛି ଅସ୍ତ୍ରଶସ୍ତ୍ରର ବ୍ୟବହାର ସଂମ୍ପୂର୍ଣ ନିୟମ ବିରୁଦ୍ଧ ।

ଭାରତୀୟ ଜବାନମାନଙ୍କ ସଂଖ୍ୟା ପ୍ରାୟ ୫୦ ଥିଲା । କିନ୍ତୁ ଚିନୀମାନେ ପ୍ରାୟ ତିନି ଶହ ଥିଲେ । ସେମାନଙ୍କ ଆକ୍ରାମଣାମୁଖୀ ବ୍ୟବହାର କଥା କମାଣ୍ଡରଙ୍କ ଫିଲ୍ଡ ଅଫିସକୁ ଜଣାଇ ଦିଆଗଲା । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଗଲା । ଏତିକି ଖବର ଯାଇଛିକ କି ନାହିଁ ଉପରୁ ପଥର ବର୍ଷା ଆରମ୍ଭ ହୋଇଗଲା । ଚିନୀଗୁଡା ଗୋଟାଏ, ଦୁଇଟା ଲୋକ ଠିଆ ହେବାଭଳି ପତଳା ରସ୍ତାକୁ ମାଡି ଆସୁଥାନ୍ତି । ହାତାହାତି ଜୋରରେ ଆରମ୍ଭ ହୋଇଗଲା । ଚିନୀଗୁଡା ସାମୁରାଇ ଖଣ୍ଡା, କଣ୍ଟାଗଦା ଆଦିରେ ଆକ୍ରମଣ କରୁଥିଲେ । ଏମିତିଆ ଆକ୍ରମଣ ହେବା କଥା ନୁହେଁ । ଠେଲା ଠେଲି, ପଥର ଫିଙ୍ଗା ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଆକ୍ରମଣ ଆଗରୁ ସୀମିତ ଥିଲା । କିନ୍ତୁ ଏ ନୂଆ ଚିନୀଗୁଡା ଆଉ କିଛି ଅଧିକ କରିବାକୁ ନିଶ୍ଚିତ କରିଥିଲେ । ପ୍ରଥମ ଆକ୍ରମଣରେ ଶତ୍ରୁର ଯଥେଷ୍ଟ କ୍ଷତି କରି ପରେ ଦୁନିଆ ଆଗରେ ମହାନୁଭବତା ଦେଖାଇହେବା ଚିନୀଙ୍କର ପ୍ରକଜୃତିଗତ ଗୁଣ । କେଉଁ ଆଦିମ କାଳର ଅସ୍ତ୍ର ଯଥା ଗଦା, ଖଣ୍ଡା ଧରି ଆକ୍ରମଣ କଲେ । ଏମିତି ଆକ୍ରମଣ ଏକ ଆଧୁନିକ ସୈନ୍ୟବାହିନୀ କରିପାରେ ସେଇଟା ବିଶ୍ୱାସ କରିହେବନି । ଏ ଭିତରେ ଉପରୁ ପଥର ବର୍ଷା ଉପରୁ ଜାରିଥିଲା ।

କର୍ଣେଲ ସାହାବଙ୍କ ସାହାସ ଦେଖୁଛ?- ପାଖରୁ କିଏ ଜଣେ ଚୁପି ଚୁପି କହୁଥିଲା ।

ତାଙ୍କ ସାହାସ ତ ମେଜର ସୋମନାଥ ଶର୍ମାଙ୍କ ସାହାସ ପରି । ସବୁବେଳେ ତ ସେହି କଥା କୁହନ୍ତି । – ସେମିତି ଆଉ କିଏ ପାଖରୁ ଅତି ଚୁପଚୁପ କରି କହୁଥିଲା । ଅବିନାଶ ଜାଣି ପାରିଲାନି କିଏ ନିଜ ଭିତରେ କଥା ହେଉଛନ୍ତି । ସେ ଏକା ଏ ଯୁଦ୍ଧକୁ ଦେଖୁଛି ନା ତା ପରି ଆଉ କେଇଜଣ ଘଟିଯାଇଥିବା ଏ ଯୁଦ୍ଧକୁ ଦେଖିବାପାଇଁ ଛାଇ ସହ ଆସିଯାଇଛନ୍ତି । ତାର ବୁଲିପଡି ସେ ଲୋକଙ୍କ ସହ କଥା ହେବାକୁ ଇଚ୍ଛା ହେଉଥିଲା । କିନ୍ତୁ ନିୟମ ହିସାବରେ ସେ କିଛି କଥା କହିବ ନାହିଁ । ତାହେଲେ କଣ ଛାଇ ଅଲଗା ଲୋକଙ୍କ ପାଇଁ ଅଲଗା ନିୟମ ରଖିଛି ନା କଣ ?

ମୋର ମେଜର ଶର୍ମାଙ୍କର ପ୍ରତି କଥା ଅକ୍ଷରେ ଅକ୍ଷରେ ମନେ ଅଛି । -ପ୍ରଥମ ସ୍ୱର କହିଲା ।

ଶତ୍ରୁ ଆମଠାରୁ କେବଳ ୫୦ ଗଜ ଦୂରରେ । ଆମଠାରୁ ସଂଖ୍ୟାରେ ସେମାନେ ବହୁଗୁଣରେ ଅଧିଳ । ଆମେ ନିଆଁର ଭିତରେ ଅଛୁ । କିନ୍ତୁ ମୁଁ ଗୋଟିଏ ଇଞ୍ଚ ପଛଘୁଞ୍ଚା ଦେବିନାହିଁ । ଆମେ ଆମର ଶେଷ ସୈନିକ ଆଉ ଶେଷ ଗୁଳି ପର୍ଯ୍ୟନ୍ତ ଲଢି ଚାଲିବୁ ।- ପ୍ରଥମ ସ୍ୱର ବେଶ ଦୃଢଭାବେ କହି ଚାଲିଥିଲା ।

ତୁମ କଥା ଶୁଣିଲା ପରେ ମୁଁ ତ ଇଞ୍ଚେ ପଛକୁ ହଟିବି ନାହିଁ । – ଦ୍ୱିତୀୟ ସ୍ୱର କହିଲା ।

ଅବିନାଶ ଭାବିଲା ତାହେଲେ ଏମାନେ ସୈନିକ । ତାର ଏତେ ପାଖରେ କଣ କରୁଛନ୍ତି କେଜାଣି ? କିନ୍ତୁ ସେମାନଙ୍କୁ ସେ ଦେଖିବାକୁ ସାହାସ କଲାନାହିଁ । ଯଦି ତାର ଅନେଇବାରେ ସେମାନଙ୍କର ଧ୍ୟାନ ଭଗ୍ନ ହୁଏ ତାହେଲେ ଅନର୍ଥ ହୋଇଯିବ ତଥା ଘଟଣା ପୁରୁଣା ସମୟ ହିସାବରେ ଘଟି ପାରିବନି । ଏ ଭିତରେ ହଠାତ୍ ଏକା ଲମ୍ବା ଧପ୍ ଶବ୍ଦ ହେଲା ଆଉ ଏକ ଲମ୍ବା ଛାଇ ସେ ମେଳି ଭିତରକୁ ଡେଇଁ ପଡିଲା ।

ତେଣେ ଏ ଠେଲା ଠେଲି, ଆକ୍ରମଣ ଭିତରେ କର୍ଣେଲ ଆଘାତପ୍ରାପ୍ତ ହେଲେ । କିନ୍ତୁ ସେ ନିଜର ସୈନ୍ୟଙ୍କୁ ପଛକୁ ହଟିବାପାଇଁ କହିଲେ ନାହିଁ । ତାଙ୍କ ସୈନ୍ୟ ସଂଖ୍ୟାର ଛଅଗୁଣ ଶତ୍ରୁ, ଉପରୁ ପଥର ବର୍ଷା କରୁଛନ୍ତି, ଆଦିମ କାଳର କଣ୍ଟାଗଦା ଧରି ଆକ୍ରମଣ କରୁଛନ୍ତି । ଠିଆ ହେବାପାଇଁ ପ୍ରାୟ ଯାଗାନାହିଁ । ପ୍ରତିରକ୍ଷା ପାଇଁ ସେମିତି କିଛି ସ୍ଥାନ ନାହିଁ । ତଥାପି ସେ ପଛକୁ ହଟିବେ ନାହିଁ । ଲଢେଇ କେବଳ ପାଟ୍ରୋଲିଙ୍ଗ ପଏଣ୍ଟ ୧୪ ନୁହେଁ ଆଖ ପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିଗଲା । ଅବିନାଶ କର୍ଣ୍ଣେଲ ସାହାବଙ୍କ ନିଷ୍ଟା ଆଉ ଦୃଢତା ଦେଖି ଚମତ୍କୃତ ହେଉଥିଲା । ଏତେ ବିରାଟ ବପୁଧାରୀ ନୁହଁନ୍ତି କର୍ଣ୍ଣେଲ ସୁରେଶ ବାବୁ । କିନ୍ତୁ ମନର ଦୃଢତା ତାଙ୍କର ହିମାଳୟଠାରୁ ବଡ ଥିଲା । ସେ ପଛକୁ ହଟିବେ ନାହିଁ । ତାଙ୍କର ଦୃଢନିଷ୍ଠା ଦେଖି ଅନ୍ୟ ସୈନ୍ୟମାନେ ସାହାସ ଫେରିପାଇଲେ । ଏକ ଦୃଢ କମାଣ୍ଡର ଅଳ୍ପରେ ଏକ ଶକ୍ତିଶାଳୀ ସୈନ୍ୟବାହାନୀ ତିଆରି କରିପାରେ । ଏକ ଦୁର୍ବଳ କମାଣ୍ଡରଙ୍କ ପାଖରେ ଅତି କୁଶଳୀ ସୈନ୍ୟଥିଲେ ମଧ୍ୟ ସେମାନେ ନିଜର ପରାକ୍ରମ ଦେଖାଇପାରନ୍ତିନି । ସବୁ ମନର ଦୃଢତା ।

ରାତି ପ୍ରାୟ ନଅଟା ଅତିକ୍ରମ କରିଛି । ଏ ଭିତରେ ଗୋଟାଏ ପଥର ଆସି କର୍ଣ୍ଣେଲ ସୁରେଶ ବାବୁଙ୍କ ମୁଣ୍ଡରେ ବାଜିଲା । ଚିନୀଗୁଡା ଏକଦମ ପାଖରେ । ଆଉ କର୍ଣ୍ଣେଲ ବାବୁ ପଥର ଆଘାତରେ ତଳେ ପଡିଗଲେ । ବଡ ପଥରଟା ବୋଧହୁଏ ତାଙ୍କ ମୁଣ୍ଡକୁ ଫଟାଇ ଦେଇଥିଲାା ତାଙ୍କ କାନମୂଳୁ ରକ୍ତ ବାହାରି ଆସିଲା ।

ବୟଜ୍, ନିଜ ଯାଗା ଛାଡନି । ଯାହାହେଲେ ମଧ୍ୟ ପଛଘୁଞ୍ଚା ଦିଅନି । ଜୟ ବଜରଙ୍ଗ ବଲ୍ଲୀ । ଭାରତ ମାତା କି ଜୟ ।- ଏତିକି ଶବ୍ଦ କର୍ଣ୍ଣେଲ ସୁରେଶବାବୁଙ୍କର ଶେଷ ଶବ୍ଦ ଥିଲା । ସୈନ୍ୟମାନେ ପ୍ରବଳ ଜୋରରେ ଜୟ ବଜରଙ୍ଗ ବଲ୍ଲୀ କହି ଗର୍ଜ୍ଜନ କରି ଉଠୁଥିଲେ । ଭାରତ ମାତା କି ଜୟ । କର୍ଣ୍ଣେଲ ବାବୁ ଘୋର ଆଘାତ ପ୍ରାପ୍ତ ହୋଇଥିଲେ ଆଉ କେହି କିଛି କରିବା ଆଗରୁ ସେ ତଳ ନଦୀକୁ ଖସିଗଲେ । ନଦୀର ହିମ ଶୀତଳ ପାଣିରେ ପଡି କର୍ଣ୍ଣେଲ ବୋଧହୁଏ ବୀରଗତି ପ୍ରାପ୍ତ ହେଲେ ।

କମାଣ୍ଡର ସାହାବ ବୀରଗତି ପ୍ରାପ୍ତ ହୋଇଗଲେ । – ରେଡିଓରେ ମ୍ୟାସେଜ କମାଣ୍ଡ ସେଣ୍ଟରରେ ଜୋରରେ ବାଜି ଉଠିଲା ।

ସେ ଶବ୍ଦଟା ହୁଏତ ଯେତେ ଜୋରରେ ଶୁଣାଗଲାନି ତା ଠାରୁ ଜୋରରେ ଯେମିତି ଆର୍ତ୍ତଚିତ୍କାର ଆଉ ଗର୍ଜ୍ଜନମାନ ଶୁଣାଗଲା । ଏମିତିଆ ଶବ୍ଦରେ ରେଡିଓ ଯେମିତି ଫାଟି ଯାଉଥିଲା ।

ଜୟ ବଜରଙ୍ଗ ବାଲୀ । ସମୟ ଆସିଗଲା ପ୍ରତିଶୋଧର । ଜୟ ବଜରଙ୍ଗ ବଲ୍ଲୀ । – ରେଡିଓରେ ଗର୍ଜ୍ଜନ ଶୁଣାଗଲା । ୧୬-ବିହାର ରେଜିମେଣ୍ଟ୍‌ର ସୈନ୍ୟମାନେ ପେଟ୍ରୋଲିଙ୍ଗ ପଏଣ୍ଟ ୧୪ ରୁ ଗର୍ଜ୍ଜନ କରୁଥାନ୍ତି ।

କେହି ହଟିବନି ନିଜ ଯାଗାରୁ । – ମେଜର ସାହାବ କହିଉଠିଲେ ।

ସମସ୍ତେ ବୀରଗତି ପ୍ରାପ୍ତ ହେବୁ । ସ୍ଥାନ ଛାଡିବୁନି । ଜୟ ବଜରଙ୍ଗ ବଲ୍ଲୀ । ଭାରତ ମାତା କି ଜୟ ।- ନିଜର ଗଳା ଫଟାଇ ସବୁ ସୈନ୍ୟ ଗର୍ଜ୍ଜନ କରି ଉଠିଲେ ।

ଅବିନାଶକୁ ଲାଗିଲା ସେ ପଥରରେ ଝୁଲୁଛି । କେମିତି ଆଉ କଣପାଇଁ ଝୁଲୁଛି କିଛି ବୁଝିପାରୁନି । ତାର ହାତ ଗୋଡ ସବୁ କାଗଜର ମଣିଷର ହାତ ଗୋଡ ପରି ଜୋରରେ ହଲୁଥିଲା । ସେ ଯେମିତି ତଳକୁ ଝୁଲିଯାଇ କେଉଁ ଚିନୀକୁ ଉଠାଇ ଆଣି ତାର ବେକ ମୋଡି ତଳକୁ ଫୋପାଡି ଦେଉଛି । ଚିନୀଟା ଶବ୍ଦ ମଧ୍ୟ କରି ପାରୁନି । ନିଜ ଭିତରେ ଏକ ପ୍ରବଳ ଶକ୍ତି ଅନୁଭବ କରୁଥିଲା । ଏତେ ଶକ୍ତି ତା ଭିତରେ କେଉଁଠୁ ଆସିଲା ସେ ବୁଝିପାରୁ ନଥିଲା । ତା ପାଖରେ ସେ ଛାଇ ଝୁଲୁଥିଲା । ଛାଇ ମଝିରେ ମଝିରେ ଲମ୍ବା ହାତରେ ଚିନୀକୁ ଟେକି ଆଣି ବେକ ମୋଡୁଥିଲା । ସେତେବେଳେ ଅବିନାଶ ଦେହରେ ଅମାପ ଶକ୍ତି ଚରିଯାଉଥିଲା । ସେ କିନ୍ତୁ ପ୍ରଥମ ନିୟମ ମାନି ପାଟି କରୁନଥିଲା କି ନିଜେ କାହାକୁ ଟାଣି ଆଣୁ ନଥିଲା ।

ଏଣେ ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ସେପଟୁ ଚିନୀମାନେ ନିଜର ଖଣ୍ଡା ଆଉ ଲୁହାକଣ୍ଟା ଲଗା ଗଦା ଧରି ଆକ୍ରମଣ କରୁଥାନ୍ତି । ଅନେକ ଭାରତୀୟ ସୈନ୍ୟ ଆହାତ ହୋଇ ତଳେ ପଡିଗଲେ । କିନ୍ତୁ ଏ ଭିତରେ କିଛି ଚିନୀ ସୈନ୍ୟଙ୍କ ହାତରୁ ସେହି ଗଦା ଛଡାଇ ନିଆଯାଇଥିଲା । ଦେହରୁ ରକ୍ତ ଧାର ଧାର ହୋଇ ବୋହିଯାଉଥାଏ, ହାଡ ଭାଙ୍ଗିଯାଇଥାଏ, ତଥାପି ସୈନ୍ୟମାନେ ନିଜ ଯାଗା ନଛାଡି ମହାବଳି ହନୁମାନଙ୍କ ପରି ପଥରରୁ ଡେଇଁ ଚିନୀମାନଙ୍କ ଆକ୍ରମଣକୁ ପ୍ରତିହତ କରି ସେମାନଙ୍କୁ ପ୍ରାଣାନ୍ତକ ଆଘାତ କରୁଥାନ୍ତି । ସମସ୍ତଙ୍କ ମନରେ ପ୍ରତିଶୋଧ, ପ୍ରତିଶୋଧ କିଏ କହୁଥାଏ । ତିନିଶହ ଚିନୀଙ୍କ ଆଗରେ ଏ ପଚାଶ ଜଣ । ବେଶି କିଛି କରିପାରିବା କଥା ନୁହେଁ ଯୁଦ୍ଧର ନିୟମ ହିସାବରେ । କିନ୍ତୁ ସେମାନଙ୍କର ପ୍ରତି ଆକ୍ରମଣରେ ଆକ୍ରମଣକାରୀ ଚିନୀଗୁଡା ସ୍ତବ୍ଧ ହୋଇଗଲେ । ଘାଇଲା ବାଘପରି ଆକ୍ରମଣ । ହାତ ଗୋଡ, ମୁହଁ ସବୁରେ ମରଣର ଯନ୍ତା ଧରି ଏମାନେ ଚିନୀଗୁଡାଙ୍କୁ ପ୍ରବଳ ଆଘାତ ଦେଉଥାନ୍ତି । ଦୁଇପକ୍ଷରୁ ଅନେକ ଲୋକ ମୃତାହତ ହୋଇ ପଡିଥାନ୍ତି । ଚିନୀମାନେ ଶତଚେଷ୍ଟା ସତ୍ତ୍ୱେ ପେଟ୍ରୋଲିଙ୍ଗ ପଏଣ୍ଟ -୧୪ ଉପରେ କବଜା କରିପାରିଲେ ନାହିଁ । ମହାବୀର କର୍ଣ୍ଣେଲ ସୁରେଶ ବାବୁଙ୍କର ସୈନ୍ୟମାନେ ପ୍ରାଣବଳୀ ଦେଇ ସେ ସ୍ଥାନ ଉପରେ ନିଜର ଅଧିକାର ଜମାଇ ରଖିଲେ । ସେମାନେ କିଛି ଚିନୀଙ୍କର ଅଧିକୃତ ଅଞ୍ଚଳକୁ ମଧ୍ୟ ମାଡିଯାଇଥିଲେ ।

ଏତେ ଆଘାତ ପ୍ରତିଘାତ ଆଉ ଆର୍ତ୍ତ ଚିତ୍କାର ଭିତରେ କିଛି ସମୟ ଆକ୍ରମଣ, ପତ୍ୟାକ୍ରମଣ ବନ୍ଦ ରହିଲା । ଅବିନାଶ ଉପରୁ ରହି ତଳ ଦୃଶ୍ୟ ଦେଖୁଥିଲା । କେତେ ଲୋକ ପଡିଛନ୍ତି । ପ୍ରବଳ ଆଘାତରେ ଶରୀର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି । ଅନେକ ପାହାଡ ତଳକୁ ଖସିପଡୁଛନ୍ତି । ଏ ଭିତରେ ସେ ଦାନବୀୟ ଚିନୀଗୁଡା ଆହାତ ସୈନିକଙ୍କୁ ଆକ୍ରମଣ କରୁଛନ୍ତି । ଯୁଦ୍ଧ ନିୟମ ହିସାବରେ ଶତ୍ରୁପକ୍ଷ ଆହାତ ସୈନ୍ୟକୁ ଆଘାତ ଦେବନାହିଁ । ଏହା ଭିଏନା କନଭେନସନ ହିସାବରେ ନିୟମ ଗର୍ହିତ କର୍ମ । କିନ୍ତୁ ଏ ଦୁଷ୍ଟ ଚିନୀ ଗୁଡା କିଛି ମାନୁନଥିଲେ । ଅବିନାଶର ଇଚ୍ଛା ହେଉଥିଲା ସେ ପଥରର ଓହ୍ଲାଇ ଆସି ତଳେ ନିୟମ ବାହାରେ ଯୁଦ୍ଧ କରୁଥିବା ଚିନୀମାନଙ୍କ ଶିରଚ୍ଛେଦ କରନ୍ତା । ସେ ପ୍ରାୟ ଠିଆ ହେବାକୁ ଯାଉଥିଲା । ତା ପାଖରେ ସେ ଛାଇ ମଣିଷକୁ ହଠାତ୍ ବସିବାର ଦେଖିଲା । ଯେତେବେଳେ ସେ କିଛି ଅଲଗା କରିବାକୁ ଭାବୁଛି ଏ ଛାଇମଣିଷ ତା ପାଖରେ ଆସି ହାଜର ହୋଇଯାଉଛି । ସେ ଅଟକି ଗଲା ।

ତାର ଆଖି ଫିଲ୍ଡ ଅଫିସ ଆଉ କ୍ୟାମ୍ପକୁ ଚାଲିଗଲା ।

ପ୍ରତିଶୋଧ । ପ୍ରତିଶୋଧ ।- ଶବ୍ଦରେ କ୍ୟାମ୍ପର ଖଣ୍ଡମଣ୍ଡଳ ଫାଟୁଥିଲା ।

ମହାବଳୀ ହନୁମାନଙ୍କ ପ୍ରତିଶୋଧ । – ଜୟ ବଜରଙ୍ଗ ବଲ୍ଲୀ । ଭାରତ ମାତା କୀ ଜୟ । – ଆକାଶ ପାତାଳ କମ୍ପି ଉଠିଲା । ଲାଗୁଥିଲା ଯେମିତି ହଜାରା ହଜାର ସୈନ୍ୟ ପାହାଡରୁ ଚିତ୍କାର କରୁଛନ୍ତି । ସବୁଆଡୁ ସେ ଶବ୍ଦ ପ୍ରତିଧ୍ୱନୀତ ହୋଇଉଠିଲା । ୩-ପଞ୍ଜାବ ରେଜିମେଣ୍ଟ ଆଉ ୧୬- ବିହାରର ମହାବୀର ଘାତକ ସୈନ୍ୟମାନେ ଆଉ ପ୍ରସ୍ତୁତି ପାଇଁ ଅପେକ୍ଷା ନକରି ଯୁଦ୍ଧର କ୍ଷେତ୍ରକୁ ଦୌଡିଲେ । ସେମାନଙ୍କ ପାଦ ଶବ୍ଦରେ ମାଟି କମ୍ପୁଥିଲା । ସବୁ ଯେମିତି ଥରୁଛି । ବୋଲ ସୋ ନିହଲ୍- ସତ୍ ଶ୍ରୀ ଅକାଲ । ଶବ୍ଦରେ ପାହାଡ ଗର୍ଜ୍ଜିଲା । ଜୟ ବଜରଙ୍ଗ ବାଲୀ ଶବ୍ଦରେ ଲାଗିଲା ଯେମିତି ନିଜେ ମହାଶକ୍ତିଶାଳୀ ହନୁମାନ ପର୍ବତ ଉପରକୁ ଦୁଷ୍ଟ ଦଳନ ପାଇଁ ଉଡିଯାଉଛନ୍ତି ।

ପ୍ରତିଶୋଧ, ପ୍ରତିଶୋଧ । ସବୁ ସୈନ୍ୟଙ୍କର ରକ୍ତ ଗରମରେ ଫାଟି ପଡୁଥିଲା । ସବୁ ରକ୍ତ କଣିକା ପ୍ରତିଶୋଧ, ପ୍ରତିଶୋଧ ବୋଲି ଚିତ୍କାର କରୁଥିଲାା ଆଉ କିଛି କାନରେ ଶୁଣାଯାଉ ନଥିଲା । ଏବେ କେବଳ ପ୍ରତିଶୋଧ । ଆଉ କିଛି ନିୟମ ନାହିଁ ।

ଆଉ ସେ ପ୍ରତିଶୋଧ ଅତି ଘାତକ ଥିଲା । ଆକ୍ରମଣମୁଖୀ ସୈନ୍ୟମାନେ କିଛି ନିୟମ ମାନିବେନି । ଚିନୀମାନେ ନିୟମ ଭାଙ୍ଗିଛନ୍ତି । ଏମାନଙ୍କୁ ଆଉ ପ୍ରକୃତ ନିୟନ୍ତ୍ରଣ ରେଖା, କିଛି ଆନୁମାନିକ ସ୍ଥାନ, କିଛି ଅଟକାଉଥିବା ଚିହ୍ନ, ସେମିତିଆ କିଛି ଦେଖାଯିବନି । ରାତି ପ୍ରାୟ ଏଗାରଟା । ତାପରେ ଯେଉଁ ଆକ୍ରମଣ ଆରମ୍ଭ ହେଲା ସେ ଆକ୍ରମଣ ଚିନୀମାନେ ସ୍ୱପ୍ନରେ ଭାବିନଥିଲେ । କେବଳ କମ୍ପ୍ୟୁଟରରେ ଯୁଦ୍ଧ କରିଥିବା ଚିନୀଗୁଡା ମୃତ୍ୟୁର ଡାକରେ ଶିହରିଗଲେ । ସେମାନଙ୍କର ବେକ ସବୁ କଟା ହେଉଥିଲା । ସେମାନଙ୍କ ପିଞ୍ଜରା ହାଡ ସବୁ ଭଙ୍ଗା ଯାଉଥିଲା । ସେମାନଙ୍କ ହାତ ଗୋଡ ମୋଡି ଛିଣ୍ଡାଇ ଦିଆଯାଉଥିଲା । ସେମାନଙ୍କର ମୁଣ୍ଡକୁ ପଥରରେ ଛେଚି ଫଟାଯାଉଥିଲା । କିଛିଙ୍କର ବେକ ମୋଡାଯାଉଥିଲା । ସେମାନେ କିଛି କରିପାରିଲେନି । ମହାବଳଶାଳୀ ମହାବଳ ବାଘର ଆକ୍ରମଣରେ ବିରାଟ ଦେଖାଯାଉଥିବା ଗୋରୁଦଳ ପରି ବୋବାଳି ଛାଡିବା ଛଡା କିଛି କରିପାରିଲେନି । ବାଘ କେତେବେଳେ କାହାକୁ ଆକ୍ରମଣ କରିବା ତାର ହିସାବ ନାହିଁ । ଦଳେ ରକ୍ତମୁଖା ବାଘ ଆସି ଆକ୍ରମଣ କରୁଛନ୍ତି । ସେମାନେ କେବଳ ହମା ରଡି ପକାଇଲେ । ସେମାନଙ୍କ କମାଣ୍ଡରକୁ ଅତି ନିର୍ଦ୍ଧୟଭାବେ ବଧ କରାଗଲା । ଅନ୍ୟ କିଛି ଅଫିସରଙ୍କୁ ମଧ୍ୟ ବଦ୍ଧ କରାଗଲା । ତଳେ ଚିନୀଗୁଡାଙ୍କର ଶବ ପଡିଥିଲା । କେତେକଙ୍କୁ ଉପରୁ ତଳ ନଦୀକୁ ଫୋପାଡି ଦିଆଗଲା ତାର ହିସାବ ନାହିଁ । କେବଳ ମୃତ୍ୟୁର ତାଣ୍ଡବ ।

ଫାୟାର ଆଣ୍ଡ ଫ୍ୟୁରି । – ଅବିାନାଶ କାନରେ କିଏ କହୁଥିଲା । ଗୋଳା ନଫୁଟିଲା ନାହିଁ । ଗୋଳାର ଗର୍ଜ୍ଜନ ସେ ଲୋକମାନଙ୍କ ସ୍ୱରରେ ଥିଲା । ସେପଟ ପାହାଡରେ ଗୁଳି ନଫୁଟି, ନିଆଁର ଝଲକ ନଆସି ଶତ୍ରୁକୁ ଛିନ୍ନଚ୍ଛତ୍ର କରିଦିଆଗଲା । ଗୋଳାର ଆଘାତରେ ମଣିଷ ସ୍ତବ୍ଧ ହୋଇଗଲା ପରି ଏ ନିର୍ମମ ଆକ୍ରମଣରେ ଚିନୀଗୁଡା ହତବମ୍ବ ହୋଇଯାଇଥିଲେ । ସେମାନଙ୍କ ଶବ ସବୁ ବିଛାଡି ହୋଇ ପଡିଥିଲା ।

ଏଭିତରେ ଅବିନାଶ ପାଖର ଛାଇ ହଠାତ୍ କଣପାଇଁ ଉଠିଗଲା । ଯୁଦ୍ଧ ସଂମ୍ପୂର୍ଣ ସରିନାହିଁ । କିଛି ଚିନା ମଧ୍ୟ ପଥର ଫୋପାଡୁଥିଲେ । ଅବିନାଶ କିଛି ବୁଝିପାରିଲା ନାହିଁ । ତା ପାଖରେ କିଛି ଜୋରରେ ହଲିଗଲା । ଅବିନାଶକୁ ଲାଗିଲା ସେ ଅନ୍ଧାରକୁ ଖସିଯାଉଛି । କଣ ଘଟୁଛି ସେ ବୁଝିପାରିଲାନି । ଛାଇର ନିୟମ ହିସାବରେ ସେ କିଛି କିଛି ଯାଗାରେ ବସି ଯୁଦ୍ଧର ଘଟଣାମାନ ଦେଖିପାରିବ । ଗୋଟାଏ ଯାଗା କଥା ଭାବିଲା ବେଳକୁ ସେ ସହଜରେ ଯେମିତି ଉଡି ଚାଲିଯାଉଥିଲା । ଏବେ ତା ମନରେ ଗଲୱାନ ନଦୀର ପାଣି କଥା ଆସିବା କ୍ଷଣି ହଠାତ୍ ସେ କଣପାଇଁ ଅନ୍ଧାରକୁ ଖସିଗଲା । ତାର ଛାତି ଧକ୍ ଧକ୍ କରି ଉଠିଲା । ସେ ପ୍ରାୟ ଚିତ୍କାର କରିବାକୁ ଯାଉଥିଲା । ତାର ଚାରପାଖରେ ଆର୍ତ୍ତନାଦ । କେବଳ ଆର୍ତ୍ତନାଦ । ସବୁଆଡେ ଘୋର ଅନ୍ଧାର ।

ତା’ପରେ

ଲୋକପ୍ରିୟ ଲେଖା

To Top