“ସରୋଜ, ତାହେଲେ ତୁମେ ବଡ ହୋଇ କଣ କରିବ ?”
– ଏହି ପ୍ରଶ୍ନ ଏଗାର ବର୍ଷର ବାଳକ ସରୋଜ ତିନିଦିନ ଭିତରେ ବୋଧ ହୁଏ ପାଞ୍ଚ ଥର ଶୁଣିସାରିବଣି ଏବଂ ପ୍ରତ୍ୟେକ ଥର ତା’ର ସେଇ ଗୋଟିଏ ଉତ୍ତର ଥାଏ, “ମୁଁ ବଡ ହେଲେ ଜୋକର ହେବି ” । ଉତ୍ତରଟି ଶୁଣିଲା ପରେ ପ୍ରଶ୍ନକର୍ତ୍ତାଙ୍କର ମୁହଁରେ ସରୋଜ ଦେଖିପାରେ; କିଛିଟା ଘୃଣା, ତାଚ୍ଛଲ୍ୟ ଏବଂ ପରିହାସର ଏକ ମିଶ୍ରିତ ଭାବ । କିନ୍ତୁ, ମଉସା ବା ମାଉସୀ କାହିଁକି ଯେ ଏପରି ମୁହଁ କରି ଦେଉଛନ୍ତି, ସେ କଥା ସରୋଜ ବୁଝି ପାରୁ ନଥିଲା | ସହିଦ୍ ନଗର ପ୍ଲଟ୍ ନମ୍ବର – ଏ / ୧୭ ରେ ଥିବା ଏକ ଘରକୁ, ତାଙ୍କ ବାପା ଏଇ ପାଞ୍ଚ ଦିନ ପୂର୍ବରୁ ଭଡା ନେଇଛନ୍ତି । ସୋମବାର ଦିନ ସରୋଜ ଏବଂ ତାର ପରିବାର , ଭୁବନେଶ୍ୱର ମାୟନଗରୀର, ମାୟାରେ ହଜିବା ପାଇଁ ପହଞ୍ଚିଛନ୍ତି ।
ପଡିଶା ଘରର ସଙ୍ଗୀତା ମାଉସୀ , ଗୋଟେ ଚକୋଲେଟ୍ ପ୍ୟାକେଟ୍ ଧରି ଘରକୁ ବୁଲିବାକୁ ଆସିଥିଲେ ଏବଂ ଦେଖାହୋଇ କହିଲେ ” ପୁଅ ବଡ ହେଲେ କଣ କରିବ ?” ସରୋଜ ପୁଣି ସେଇ ଉତ୍ତର ଦେଲା , “ମୁଁ ବଡ ହେଲେ ଜୋକର ହେବି ” । ମାଉସୀ ହସିଦେଇ କହିଲେ ” ମୁଁ ତତେ ଏ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଚାରିଲି , ମଜା ପାଇଁ ନୁହେଁ । ” ସରୋଜ ଉତ୍ତର ଦେଲା ” ମୁଁ ମଧ୍ୟ ଆପଣଙ୍କୁ ସମ୍ମାନ ଦେଇ ସତ କଥାଟି କହିଲି କି, ମୁଁ ଜଣେ ଜୋକର୍ ହେବି ।” ସଂଗୀତା ମାଉସୀ ଭର୍ତ୍ସନା କରିବା ଢଙ୍ଗ ରେ କହିଲେ ” ଆଉ କିଛି ବଡ ଲକ୍ଷ ଜୀବନରେ ରଖିପାରିଲୁ ନାହିଁ ? ମୁଁ ଶୁଣିଛି ତୁ କୁଆଡେ ଭଲ ପାଠ ପଢୁ, ଡାକ୍ତର ଅବା ଯନ୍ତ୍ରୀ ବି ହେଇ ପାରିବୁ, ଆଉ ଟିକେ ଚେଷ୍ଟା କରିଲେ ବୈଜ୍ଞାନିକ ଟିଏ ବି ହୋଇ ପାରୁ ।”
ସରୋଜ ପଚାରିଲା, “ମାଉସୀ ଆପଣ କଣ କରନ୍ତି?” ସଙ୍ଗୀତା ସଦର୍ପେ କହିଲେ , “ମୁଁ ଇଞ୍ଜିନିଅରିଂ ପଢିଛି ଏବେ ଆମ ପ୍ଲଟ୍ ରେ ଗୋଟେ ବିୟୁଟି ପାର୍ଲର୍ ଖୋଲିଛି ” ସରୋଜ ପୁଣି ପଚାରିଲା, “ମଉସା କଣ କରନ୍ତି?” – ” ମଉସା ବଡ ଚାକିରୀ କରିଛନ୍ତି, ଏବେ ଦୁବାଇରେ ଅଛନ୍ତି ।” ସରୋଜ କିଛି ସମୟ ଚୁପ ହୋଇ ତା’ପରେ ପ୍ରଶ୍ନ କରିଲା ” ଆପଣ ମଉସା ଦୂରରେ ଥାଇ ମଧ୍ୟ ଖୁସି ଅଛନ୍ତି ତ ? – ଗତ ଥର କେବେ ହସି ଥିଲେ ? ଆଉ କେବେ ଏକାଠି ହସିଥିଲେ ? ଆପଣଙ୍କର ମନେ ଅଛି ତ ?” ସଂଗୀତା ମାଉସୀ ଚୁପ୍ ରହିଲେ । ସରୋଜ ପୁଣି କହିଲା , “ ନାହିଁ – ତ ଠିକ୍ ଅଛି, ତେବେ ମୋର ଯୋଜନା ଶୁଣନ୍ତୁ । ମୁଁ ପ୍ରତ୍ୟେକ ଦିନ ଆପଣଙ୍କ ଏବଂ ମଉସାଙ୍କ ଭଳି, ଓ ମୋ ଭଳି ହଜାର ହଜାର ଲୋକଙ୍କୁ ସେଇ ଟିକିଏ ହସ ଦେବା ପାଇଁ ଭାବିଛି, ଯାହାକୁ ପାଇବାର ରାସ୍ତା ସେମାନେ ନିଜେ ନିଜପାଇଁ ବନ୍ଦ କରିଦେଇଛନ୍ତି ? ଆପଣଙ୍କୁ ଏବେଠୁ ନିମନ୍ତ୍ରଣ ରହିଲା । “