
ମୋତେ କହୁଛନ୍ତି ଆସିବା ପାଞ୍ଚ ମିନିଟ୍ ଡେରି ହୋଇଗଲା, ତେଣୁ ଆଉ ଆଡ଼ମିଶନ ହେଇ ପାରିବନି । ମୁଁ ବହୁ କଷ୍ଟ କରି ଫାଷ୍ଟ ଡ଼ିଭିଜନ ପାଇଛି । ଆଜି ଯଦି ଆଡ଼ମିଶନ ନହେବ ଏ ବର୍ଷ ଆଉ ମୁଁ ପଢି ପାରିବିନାହିଁ ।
୧୯୮୦ ବା ୧୯୯୦ ଦଶକରେ କଲେଜମାନଙ୍କରେ ଆଡ଼ମିଶନ ପ୍ରକ୍ରିୟା ଆଜିକାଲିକା ପରି ଅନଲାଇନ୍ ରେ ହେଉ ନଥିଲା । ଏବେ ସାମ୍ସ ( SAMS) ମାଧ୍ୟମରେ ଫର୍ମ ପୂରଣ ଠାରୁ ଆରମ୍ଭ କରି ଆଡ଼ମିଶନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହିଁ କରାଯାଉଅଛି । କିନ୍ତୁ ପୂର୍ବରୁ ସବୁକିଛି ସେଇ ଅଫ୍ ଲାଇନ୍ ମାଧ୍ୟମରେ ହେଉଥିଲା । କଲେଜକୁ ଯାଇ ଫର୍ମ କିଣିବା, ତାକୁ ପୂରଣ କରି ସେଥିରେ ଆବଶ୍ୟକୀୟ ଦସ୍ତାବିଜ୍ ଯଥା ମାର୍କ ସିଟ୍, ଫଟୋ ଇତ୍ୟାଦି ଲଗାଇ ଯେଉଁ କଲେଜରେ ପଢ଼ିବାକୁ ଚାହୁଁଛ ସେଇଠି ଯାଇ ଦଖଲ କରିବକୁ ହେଉଥିଲା । ସେତେବେଳେ ଏମିତି ଇମେଲ୍ ଆଉ ମୋବାଇଲ୍ ର ବ୍ୟବହାର ହେଉ ନଥିଲା । ଏବେ ଜଣେ ଯେକୌଣସି ଜାଗାରେ ରହି ବହୁ ଦୂରରେ ଥିବା ଏକ କଲେଜରେ ପାଠ ପଢିବା ପାଇଁ ଆବେଦନ କରିପାରିବ । ଆଡମିଶନ ପାଇଁ ରହିଥିବା ପୂର୍ବ ନିର୍ଦ୍ଧାରିତ ନିୟମ ସବୁରେ ବ୍ୟାପକ ପରିବର୍ତ୍ତନ ଏବେ ଆସିଛି । ପୂର୍ବରୁ ଯୁକ୍ତ ତିନି ଆଡ଼ମିଶନ ରେ ଆମ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ପାସ୍ କରିଥିବା ଛାତ୍ର ଛାତ୍ରୀ ଙ୍କୁ ତାଙ୍କ ରଖିଥିବା ନମ୍ବର୍ରେ ଆଉ ନବେ ନମ୍ୱର୍ ମିଶାଇ ମେରିଟ୍ ଲିଷ୍ଟ କରାଯାଉଥିଲା । ସେହିପରି ଛାତ୍ରୀ ମାନଙ୍କୁ ସେମାନେ ରଖିଥିବା ନମ୍ବର୍ ରେ ଆଉ ପାଞ୍ଚ ପ୍ରତିଶତ ନମ୍ୱର୍ ମିଶାଇ ସିଟ୍ ଉପଲବ୍ଧ କରାଯାଉଥିଲା । ଏବେ ସେସବୁ ନିୟମ ସମ୍ପୂର୍ଣ୍ଣ ଭାବରେ ଉଠିଯାଇ କେବଳ ଏସ୍ ସି, ଏସ୍ ଟି, ଆଦି ଏମିତି କିଛି ଛାତ୍ର ଛାତ୍ରୀଙ୍କୁ କେବଳ ରିଜର୍ଭ କଟେଗୋରୀ ରେ କମ୍ ନମ୍ୱର୍ ରଖିଥିଲେ ବି ସିଟ୍ ମିଳିପାରୁଚି । ମୋଟ ଉପରେ କହିବାକୁ ଗଲେ ଏବେ ଆଡ଼ମିଶନ ପ୍ରକ୍ରିୟାରେ କଲେଜ ହାତରେ କିଛି ନାହିଁ । ସବୁକିଛି ସାମ୍ସ ମାଧ୍ୟମରେ ହିଁ କରାଯାଉଅଛି ।
ଏଇ ଘଟଣା ହେଉଚି ୧୯୯୦ ମସିହାରେ ସେଇ ଆଡ଼ମିଶନ ଚାଲୁଥିବା ଜୁଲାଇ ମାସର କଥା । ସେତେବେଳେ କଲେଜରେ ପାଠ ପଢିବା ପାଇଁ ଆବେଦନ କରିଥିବା ପିଲାର ଘର ଠିକଣାରେ ଇଣ୍ଟିମେଶନ କଲେଜ ତରଫରୁ ପଠାଯାଏ । ସେଇ ଇଣ୍ଟିମେସନ୍କୁ ସାଙ୍ଗରେ ଧରି ଆଡ଼ମିଶନ ନେବାକୁ କଲେଜରେ ଆସି ପହଞ୍ଚନ୍ତି ପିଲା ଓ ତାଂକ ଅଭିଭାବକ ଫଟୋ ଆଉ ସାର୍ଟିଫିକେଟ ସହିତ । କଲେଜରେ କାଳେ ଆଡ଼ମିଶନ ପାଇଁ ଆସିଥିବା ସମସ୍ତେ ମିଳିମିଶି ଭିଡ଼ କରିବେ ସେଥିପାଇଁ ଦିନ ୧୦ ରୁ ୧୨ ଯାଏ ଗୋଟେ ବକ୍ସ ଆଡ଼ମିଶନ ପାଇଁ ଉଦ୍ଧିଷ୍ଟ ରୁମ୍ର ଝରକା ପାଖରେ ରଖାଯାଇଥାଏ । ଠିକ୍ ଦିନ ୧୨ଟା ହେବାପରେ ସେଇ ବକ୍ସ କୁ ଉଠାଇ ନେଇ ସେଥିରେ ପଡ଼ିଥିବା ଇଣ୍ଟିମେଶନ ଲେଟର ସବୁକୁ ଏକାଠି କରି ଜଣ ଜଣ କରି ନାମ ଡକାଯାଇ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହିତ ଫିସ୍ ବାବଦକୁ ରସିଦ ସେଇଠି କଟାଯାଇ ଆଡ଼ମିଶନ କରାଯାଏ । ସେଇ ଆଡ଼ମିଶନ ପାଇଁ ଉଦ୍ଦିଷ୍ଟ ରୁମ୍ ରେ କିଛି ଅଧ୍ୟାପକ / ଅଧ୍ୟାପିକା ଓ କ୍ଲର୍କ ରହି ଏଇ ସବୁ କାମ ସମ୍ପନ୍ନ କରନ୍ତି । ଆଡ଼ମିଶନ ପାଇଁ ଆସିଥିବା ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକ ମାନେ ସେଇ ରୁମ୍ର ଚାରିପଟେ ବୁଲୁଥାନ୍ତି ତାଙ୍କ ପାଳି ପଡ଼ିବା ପର୍ଯ୍ୟନ୍ତ ।
ସେଦିନ କଲେଜରେ ଆଡ଼ମିଶନ ଚାଲିଥିଲା ବର୍ତ୍ତମାନ ଯାହା ୩୭ ନମ୍ୱର୍ ରୁମ୍ ଭାବରେ ଚିହ୍ନିତ ହୋଇଛି । ସେତେବେଳ ତାହା ଲେଡ଼ିଜ ରିଡିଂ ରୁମ୍ ନାମ ବହନ କରୁଥିଲା । ସେଥିରେ ଦୁଇଟି ଦ୍ଵାର ଥିଲା । ଭିତରୁ ତାହା ବନ୍ଦ ରହିଥିଲା । ଝରକା ପାଖରେ ଠିଆହୋଇ ଆଡ଼ମିଶନ ପାଇଁ ଆସିଥିବା ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ଘର ଭିତରେ କାର୍ଯ୍ୟରେ ବ୍ୟସ୍ତ ଥିବା କିଛି ଅଧ୍ୟାପକ/ ଅଧ୍ୟାପିକା ଓ କ୍ଲର୍କଙ୍କୁ ଦେଖୁଥାଆନ୍ତି । ସେଦିନ ବୋଧ ହୁଏ ଶୁକ୍ରବାର ଥାଏ । ମୁଁ ଶେଷ ବର୍ଷ କଳା ଶ୍ରେଣୀର ଛାତ୍ର ହିସାବରେ ବିନ୍ଦାସ ହୋଇ କଲେଜ ବାରଣ୍ଡାରେ ବୁଲାଚଲା କରୁଥାଏ । ଦିନକୁ ଗୋଟେ ଅଧେ କ୍ଲାସ୍ କଣ କରିଦେଇ ଆମେ କେଇଜଣ ସେମିତି ବାରଣ୍ଡାରେ ଟହଲ ମାରିବା ନିତିଦିନିଆ କଥା ଥିଲା । କାହିଁକି ସେମିତି ବିନା କାରଣରେ ସେଇ ବାରଣ୍ଡାରେ ବୁଲୁ ସେଇ କଥା ଆଜିକା ଦିନରେ ଭାବିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଚି । ଅବଶ୍ୟ ସେତେବେଳେ ବୋଧହୁଏ ଆମ ପାଇଁ କିଛି ଭ୍ୟାଲିଡ ରିଜିନ ଥିବ ସେମିତି ଲକ୍ଷହିନ ଭାବରେ ବାରଣ୍ଡାରେ ବୁଲାବୁଲି କରିବାର ।
ସେଦିନ ସେମିତି ବୁଲାବୁଲି କରୁଥିବା ବେଳେ ଠିକ୍ ୩୪ ନମ୍ୱର୍ ରୁମ୍ ପାଖରେ ଦେଖିଲି ଗୋଟେ ଛୋଟ ପିଲା ହାଫ୍ ପ୍ୟାଣ୍ଟ୍ ଆଉ ଧଳା ହାଫ୍ ସାର୍ଟ ପିନ୍ଧି ଭେଁ ଭେଁ ରଡ଼ି ଛାଡ଼ି କାନ୍ଦୁଚି । ତାର ଦୁଇ ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥାଏ । ଛୋଟ ପିଲା ମାନେ ତା ଉଚ୍ଚତା ଓ ଦେହର ଗଢ଼ଣ କହୁଥାଏ ଯେମିତି ତାକୁ ୧୩ କି ୧୪ ବର୍ଷ ମାତ୍ର ହୋଇଚି । ଆଡ଼ମିଶନ ପାଇଁ ୩୭ ନମ୍ୱର୍ ରୁମ୍ ସାମ୍ନାରେ ପ୍ରବଳ ଭିଡ଼ ହୋଇଥିବାରୁ ସେଠୁ ଦୁଇଟି ରୁମ୍ ଛାଡ଼ି ପୁରା ଫାଙ୍କା ଥିବା ୩୪ ନମ୍ୱର୍ ରୁମ୍ ସାମ୍ନାରେ ସେଇ ବାରଣ୍ଡାରେ ଠିଆ ହୋଇ ସେ କାନ୍ଦୁଥାଏ । ବାମ ହାତରେ ଲୁହ ଅନବରତ ପୋଛୁଥାଏ ଆଉ ଡାହାଣ ହାତରେ ଗୋଟେ ଛୋଟ ବ୍ୟାଗ୍ ଧରିଥାଏ ।
ତାକୁ ଏମିତି କାନ୍ଦୁ ଥିବାର ଦେଖି ସ୍ଵାଭାବିକ ଭାବରେ ମୁଁ ତା ପାଖରେ ଠିଆ ହୋଇ ପଚାରିଲି, ” କ’ଣ ହେଲା ? କାଇଁ ଏମିତି କାନ୍ଦୁଛୁ ? ”
ସେ ସେମିତି କାନ୍ଦି କାନ୍ଦି କହିଲା, ” ମୋର ଆଜି ଯୁକ୍ତ ଦୁଇ ବିଜ୍ଞାନ ରେ ଆଡ଼ମିଶନ ଥିଲା । କୁଜଙ୍ଗରୁ ସକାଳୁ ବାହାରି ବସ୍ରେ ଆସି ପହଞ୍ଚିଲି । ମୋତେ କହୁଛନ୍ତି ଆସିବା ପାଞ୍ଚ ମିନିଟ୍ ଡେରି ହୋଇଗଲା, ତେଣୁ ଆଉ ଆଡ଼ମିଶନ ହେଇ ପାରିବନି । ମୁଁ ବହୁ କଷ୍ଟ କରି ଫାଷ୍ଟ ଡ଼ିଭିଜନ ପାଇଛି । ଆଜି ଯଦି ଆଡ଼ମିଶନ ନହେବ ଏ ବର୍ଷ ଆଉ ମୁଁ ପଢି ପାରିବିନାହିଁ । ”
ତା କଥା ଶୁଣି ମୁଁ ଜାଣିଗଲି ଯେ, ଇଣ୍ଟିମେଶନ ବକ୍ସ ଠିକ୍ ଦିନ ୧୨ ରେ ଝରକା ପାଖରୁ ନେଇଯିବା ପରେ ୧୨.୦୫ ରେ ଏଇ ପିଲାଟି ଆସି ପହଞ୍ଚିଛି ଆଉ ତାକୁ କୁହା ଯାଇଛି ସେ ଡେରିରେ ଆସିଥିବାରୁ ଆଡ଼ମିଶନ ତାର ହେଇପାରିବ ନାହିଁ । ତେବେ ତାକୁ ବୁଝାଇ କହିଲି, ” ରହ କାନ୍ଦେନା, ଦେଖିବା କଣ କରିହେବ । ମୋ ସହିତ ଆସେ । ” ୩୪ ନମ୍ୱର୍ ରୁମ୍ ପାଖରୁ ଆଡ଼ମିଶନ ହେଉଥିବା ୩୭ ନମ୍ୱର୍ ରୁମ୍ ର ଦୂରତା ମାତ୍ର ୨୦ ମିଟର । ସେତିକି ବାଟ ଆସିବା ଭିତରେ ମୁଁ ତାକୁ ପଚାରିଲି, ” ତୋ ନାଁ କଣ ?”
ସେ କହିଥିବା ନାଁ ମୋର ଠିକ୍ ମନେ ନଥିଲେ ବି ତା ଟାଇଟଲ ଅର୍ଥାତ୍ ସାଙ୍ଗିଆ ମୋର ଆଜି ବି ମନେ ଅଛି । ତାହା ହେଉଛି ଭଞ୍ଜ । ଧରିନିଅନ୍ତୁ ସେ ପିଲାର ନାମ ଥିଲା ଦେବେନ୍ଦ୍ର କୁମାର ଭଞ୍ଜ । ପ୍ରଥମରୁ ତ କହିସାରିଥିଲା କି ତା ଘର କୁଜଙ୍ଗ ବୋଲି । ତାକୁ ପୁଣି ପଚାରିଲି, ” ଆଡ଼ମିଶନ ପାଇଁ ଏକା ଆସିଚୁ ନାଁ ଘରୁ ଆଉ କିଏ ଆସିଛନ୍ତି ? ” ତାର ସଂକ୍ଷିପ୍ତ ଉତ୍ତର ଥିଲା କି ସେ ଏକା ହିଁ ଆସିଚି ।
୩୭ ନମ୍ବର୍ ରୁମ୍ ର ପଛ କବାଟ ଯାହା ଭିତରୁ ବନ୍ଦ ଥିଲା ତାକୁ ମୁଁ ହାତରେ ବାଡେଇବା ଆରମ୍ଭ କଲି । ଲକ୍ଷ୍ୟ ରଖିଥିଲି କି ଭିତରୁ କବାଟ ଖୋଲିଲେ ପଚାରିବି , ” ଏ ପିଲାର ୫ ମିନିଟ୍ ଡେରି ହେଇଗଲା ବୋଲି କାହିଁକି ଆଡ଼ମିଶନ ହେଇପାରିବ ନାହିଁ ? ”
ମୁଁ କବାଟ ବାଡେଇବା ଆରମ୍ଭ କରିଛି ତ ମୋତେ ଗୋଡେ ଗୋଡେ ଜଗିଥିବା ମୋର ସାଙ୍ଗ ରୁବୁ ଅଧିରକୁ ସାଙ୍ଗରେ ଧରି ଆସି ପହଁଚିଗଲା । ରୁବୁ ହେଉଚି ଜଣେ ଖୁବ୍ ଧିରସ୍ଥିର ମିଞ୍ଜାସର ପିଲା । ବହୁତ ଭାବି ଚିନ୍ତି ନିଷ୍ପତ୍ତି ନିଏ । ଯାହାକୁ କୁହନ୍ତି ହାତେ ମାପି ଚାଖଣ୍ଡେ ନୁହେଁ ବରଂ ଇଞ୍ଚେ ଯିବା ପିଲା । ପ୍ରେମ ପ୍ରଣୟ ଆଦି ଜିନିଷ ଠାରୁ ଢେର୍ ଦୂରରେ ରହିବା ତାର ପ୍ରକୃତି । କିଛି ଭୁଲ୍ କାମ କରିବା ତା ଜାତକରେ ନଥିଲା ।
ରୁବୁ ମୋ ପାଖରେ ପହଞ୍ଚି ଯାଇ କହିଲା, ” ଇରେ ଜଟିଆ ସେ କବାଟ ଟାକୁ ଏତେ ଜୋର୍ ରେ କାଇଁ ବାଡୋଉଚୁ ? କଣ ହେଇଚି କହିଲୁ ? ”
ମୋ ସାଙ୍ଗମାନେ ସମସ୍ତେ ମୋତେ ଜଟିଆ ବୋଲି ଡାକନ୍ତି । ଏଇ ଜଟିଆ ନାମ ମୋତେ ଆମ ଶ୍ରୀକୃଷ୍ଣ ଏକାଡେମୀ ର ନାରାୟଣ ସାର୍ ଦେଇଥିଲେ ସେତେବେଳେ ମୋର ମୁଣ୍ଡରେ ଦୁଇଟି ଲମ୍ବା ଜଟ ଥିବାରୁ ।
ରୁବୁ ର ଏଇ ପ୍ରଶ୍ନ ମୋତେ ପ୍ରଥମ ଶ୍ରେଣୀ ରେ ପଢ଼ୁଥିବା ବେଳେ ଘଟିଥିବା ଗୋଟେ ଘଟଣାକୁ ମନେ ପକାଇଦେଲା । ସେତେବେଳ ପ୍ରାଇମେରୀ ସ୍କୁଲ ରୁ ଆରମ୍ଭ କରି ହାଇ ସ୍କୁଲ ପର୍ଯ୍ୟନ୍ତ ଆଜିକାଲିକା ପରି ଦଣ୍ଡ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା ସରକାର କରିନଥିଲେ । ଦୁଷ୍ଟାମୀ କରୁଥିବା ପିଲା ବା ପାଠ ପଢାରେ ଧ୍ୟାନ ଦେଉନଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଦଣ୍ଡ ଦେଉଥିଲେ । ପ୍ରଥମ ଶ୍ରେଣୀ ରେ ପଢ଼ୁଥିବା ଜଣେ ପିଲାକୁ ତା ଦୁଷ୍ଟାମୀ ପାଇଁ ଶିକ୍ଷକ ବେତ୍ରାଘାତ କରିବାକୁ ଲାଗିଲେ । ମାତ୍ର ଗୋଟିଏ ପାହାର ଦେଇ ସାରିବା ପରେ ସେ ପିଲାଟି ରଡ଼ି ଛାଡ଼ି କାନ୍ଦିବା ଆରମ୍ଭ କରିଦେଲା । ସେ ପିଲା ତା ହାତ ଆଗକୁ ବଢ଼ାଇବା ସହିତ ଦ୍ଵିତୀୟ ପାହାର ନେବାକୁ ରେଡ଼ି ହେବା ସହିତ ଉଚ୍ଚ ସ୍ଵରରେ କାନ୍ଦିବାର ଭଲ୍ୟୁମ୍ କୁ ବଢ଼େଇ ଦେଲା । ସାର୍ ଯିଏ ପିଟୁଥିଲେ ସେ ହଠାତ୍ ବଡ଼ ପାଟିରେ କହିଲେ, ” ପାଟି ଚୁପ୍ ! କାନ୍ଦିବୁ ଏମିତି ଯେମିତି ଶଦ୍ଦ ହେବନି । ”
ପିଲାଟା ଏକାଥରେ ଚୁପ୍ ହୋଇ କିଛି ଭାବିଲା ଆଉ ତା ପରେ ମାରୁଥିବା ଶିକ୍ଷକ ଆଡ଼କୁ ଆଶ୍ଚର୍ଯ୍ୟରେ ଆନାଇଁ କହିଲା , ” ତାହେଲେ କେମିତି କାନ୍ଦିବି ? ”
ଏବେ ଠିକ୍ ସେମିତି ମୁଁ ରୁବୁ କଥାକୁ ଶୁଣି ଭାବୁଥାଏ କି କବାଟକୁ ଜୋର୍ ରେ ଧକ୍କା ନଦେଲେ ଏ ପିଲାର ଆଡ଼ମିଶନ କେମିତି ହେବ । ଛୋଟ ପିଲାଟା ଏ ବର୍ଷ ପାଠ ପଢ଼ିପାରିବନି ବୋଲି ଧରିନେଇ ଏମିତି କାନ୍ଦୁଚି । ସାତ ଆଠ ଥର ଖଣ୍ଡେ କବାଟକୁ ପିଟିବାରୁ ସେପଟୁ କବାଟ କିଏ ଜଣେ ଖୋଲିଲା । ଝଡ଼ଭଳି ମୁଁ ଭିତରକୁ ପଶିଗଲି ଏବଂ ମୋ ସହିତ ରୁବୁ , ଅଧିର ଓ ଆଉ କିଛି ପିଲା ବି ପଶିଗଲେ । ସେଇ ଭିତରେ ସେପଟେ ଯାଉଥିବା କଲେଜ ଛାତ୍ରମାନେ ହାଫ୍ ପ୍ୟାଣ୍ଟ ପିନ୍ଧା ଭଞ୍ଜ ର ନିରୀହ ମୁଁହ ଆଉ କାନ୍ଦ ଦେଖି ଘଟଣା କଣ ବୁଝିବା ପରେ ସେଇଠି ରହିଯାଇ ଭଞ୍ଜର ଆଡ଼ମିଶନ କେମିତି ନହେବ ଦେଖିବା ନାରା ଦେଉଥାନ୍ତି । ଶାନ୍ତି ଶୃଙ୍ଖଳାର ସହିତ ଚାଲିଥିବା ଆଡ଼ମିଶନ ଏଇ ଗଣ୍ଡଗୋଳ ଭିତରେ ପୁରା ଷ୍ଟପ୍ ହୋଇଗଲା ।
ପ୍ରଥମେ ଆମେ ୪ କି ପାଞ୍ଚ ଜଣ ଥିବାବେଳେ ସେଇ କେଇ ମିନିଟ୍ ଭିତରେ ତାହା ୫୦ ଡେଇଁ ସାରିଥିଲା । ସେଠି ହୋ ହାଲ୍ଲା ଆରମ୍ଭ ହୋଇସାରିଥିଲା । ହଠାତ୍ ଝଡ଼ ଭଳି ଗୁଗୁନା ଭାଇ କେଉଁଠୁ ଆସି ପହଁଚି ଗଲେ । ଗୁଗୁନା ଭାଇ ମାନେ ରଂଜନ ମହାପାତ୍ର, ମୋ ବଡ଼ ଭାଇର ସାଙ୍ଗ କିନ୍ତୁ ମୋ ସହିତ ପଢୁଥିଲେ । ତାଙ୍କର ଗଣ୍ଡଗୋଳ କରିବାର ତରିକା ଖୁବ୍ ଅସାଧାରଣ ଥିଲା । ୧୯୯୧ ମସିହା ଜାନୁଆରୀ ମାସରେ ହେବାକୁ ଥିବା ଗୋଟେ ଫଙ୍କସନକୁ ଏକୁଟିଆ ଗଣ୍ଡଗୋଳ କରି ବନ୍ଦ କରିଦେଇଥିଲେ । ଶୀତ ଦିନ ୫.୩୦ ପରେ ରାତି ହେଇଯାଇଥିଲା । ଅତିଥି ବି ଆସି ସାରିଥିଲେ । ରଞ୍ଜନ ଭାଇ କିଛି କାରଣ ପାଇଁ ଗୋଟେ ବେଞ୍ଚ୍ ର ଭଙ୍ଗା ଗୋଡ଼ କୁ ହାତରେ ଧରି ଷ୍ଟେଜ ଉପରକୁ ଉଠିଲେ ଏବଂ ଯେଉଁଠି ବାର୍ ଲାଇଟ୍ ଥିଲା ବୁଲି ବୁଲି ଭାଙ୍ଗିବାକୁ ଲାଗିଲେ । ମୋତେ ଯେମିତି ରୁବୁ ସବୁବେଳେ ଜଗିଥାଏ ଠିକ୍ ସେମିତି ସଞ୍ଜୀବ ଭାଇ ଗୁଗୁନା ଭାଇଙ୍କୁ ଜଗିଥାଏ । ସଞ୍ଜୀବ ଭାଇ ହେଉଛନ୍ତି ସଞ୍ଜୀବ ମହାନ୍ତି, ଏଇ ଆମ ସୁଜଙ୍ଗ ମାରିଚପଦାର ପିଲା । କେଇଟା ବାର୍ ଲାଇଟ୍ ଭାଙ୍ଗିବା ପରେ ସଞ୍ଜୀବ ଭାଇ ଷ୍ଟେଜ କଡ଼ରୁ ଥାଇ କହୁଥାନ୍ତି, ” ଗୁଗୁନା ଆ ପଳେଇ ଆ ! ବହୁତ୍ ହେଇଗଲା !! ଷ୍ଟେଜ ରେ ଲାଗିଥିବା ସବୁ ବାର୍ ଲାଇଟ୍ ଭ।ଙ୍ଗିଦେବାରୁ ସେଇ ଅଂଚଳରେ ଅନ୍ଧାର ବିରାଜମାନ କଲା ଆଉ ସେଇ ଅନ୍ଧାର ଭିତରେ ଗୁଗୁନା ଭାଇ ମଧ୍ୟ କୁଆଡ଼େ ମିଳେଇ ଗଲେ । ସେଇ ଭଙ୍ଗା ରୁଜା ପରେ ଆଉ ସେଦିନ ଫଙ୍କସନ ହୋଇପାରିଲା ନାହିଁ ।
ଗୁଗୁନା ଭାଇଙ୍କର ଗଣ୍ଡଗୋଳ କରିବାର ତରିକା ଏକବାରେ ଚମତ୍କାର । ମନରେ ଗୁଡେ ସାହସ ଆଉ ଦୃଢ଼ ବିଶ୍ୱାସର ସହିତ ସେ ପଦକ୍ଷେପ ନେଇଥାନ୍ତି । ଟିକେ ଖାଲି ଘଟଣା କଣ ବୁଝିଦେଇ ଗଣ୍ଡଗୋଳ କରିବା ଠିକ୍ ହେବ କି ଭୁଲ୍ ହେବ ନିରୂପଣ କରିନେଇ ସାରି ଲଙ୍କାକୁ ଯେପରି ହନୁମାନ ଲମ୍ଫ ମାରିଥିଲେ ଠିକ୍ ସେଇ ଢଙ୍ଗରେ ଏଠି ବି ସେଦିନ ଲମ୍ଫ ମାରିଥିଲେ । ୩୭ ନମ୍ୱର୍ ରୁମ୍ ଭିତରେ ପଶୁ ପଶୁ ଆଗ ଦୁଇ ତିନୋଟି ବେଞ୍ଚ ଡେସ୍କ ଧୁମ୍ ଧାମ କରି ଫୋପାଡି ଦେଲେ ।
– ତା’ପରେ –