ଅନୁଭୂତି

ଏମିତି ବି ହୁଏ

Odia Writer Shreebatsa Prasad Nath

ଅନେକ ଅନୁସନ୍ଧାନ ପରେ ଏତେ ଦିନେ ଜାଣିଲି ଏଇ ପାଗଳାଣୀ ଝିଅଟିର ନାମ ସରିତା ମହାନ୍ତି ।

ଏମିତି ବି ହୁଏ

ଦିନେ ଦିନ ଦି’ପହରେ ଖାଇସାରି ଟିକେ ବିଶ୍ରାମ ନେବାକୁ ଯାଉଛି, ସ୍ତ୍ରୀ ଆସି ମୋତେ ଅତି ଉତ୍କଣ୍ଠିତ ହୃଦୟରେ କହିଲା- “ଦେଖିଲଣି, ଗୋଟିଏ ପାଗଳାଣୀ ଆମ ଗାଁକୁ ଆସିଛି । ହେଇ ଆମଘର ପାଖ ମହାଦେବ ମନ୍ଦିର ସାମ୍ନାରେ ଯେଉଁ ଦଲାଣ ନାହିଁ, ତାରି ତଳେ ପରା ବସିଛି । ଲୋକେ କହୁଛନ୍ତି, ସେ କୁଆଡ଼େ ଡାକ୍ତରୀ ପାସ୍ କରିଛି । ସତକୁ ସତ ତା’ ମୁଣ୍ଡ ଯେତେବେଳେ ଭଲ ହୋଇ ଯାଉଛି ସେ ରୋଗୀମାନଙ୍କୁ ଦେଖି ପ୍ରେସ୍କ୍ରିପ୍ସନ୍ ଲେଖି ଦେଉଛି । ପୁଣି ବେଳେବେଳେ ହସୁଛି । କେତେବେଳେ କ’ଣ ଏଣୁ ତେଣୁ କହୁଛି । ଝିଅଟି ଅଳ୍ପ ଶ୍ୟାମଳୀ । ହେଲେ ସୁନ୍ଦର ଚେହେରା । ହାୟ ହତଭାଗିନୀ ! ଡାକ୍ତରୀ ପାସ୍ କରି ସେ କାହିଁକି ପାଗଳାଣୀ ହୋଇଗଲା । ପୁଣି ସେ କୁଆଡ଼େ ଡାକ୍ତରୀ ଚାକିରୀ କରିଥିଲା । କ’ଣ ତା’ର ହେଲା ? ପୁଅଝିଅ ଡାକ୍ତରୀ ପଢ଼ିବା ପାଇଁ ବାପା ମାଆ କେତେ ଦେବଦେବୀଙ୍କୁ ପୂଜା କରୁଛନ୍ତି । ସେଥିରେ ପୁଣି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଅପରିସୀମ ପଇସା ଖର୍ଚ୍ଚ । ତଥାପି ସିଟ୍ଟିଏ ମିଳିବା କେତେ କଷ୍ଟ । ଭାଗ୍ୟରେ ଥିଲେ ମିଳେ । ଅଥଚ ଏ ଝିଅଟା. . . !” ଏତେ କଥା ଧଇଁସଇଁ ହୋଇ ଏକାବେଳକେ ମୋ ଆଗରେ କହି ପକାଇଲା ଜ୍ୟୋତ୍ସ୍ନା ବୋଉ ।

ମୁଁ ଭାବିଲି, ତା’ ଚାରିପାଖ ବହୁତ ସ୍ତ୍ରୀ ଲୋକ ଜମା ହୋଇଛନ୍ତି । ପାଗଳାଣୀଟି ଦଲାଣ ତଳେ ଛାଇରେ ବସିଛି । କିଏ କହୁଛି- ମୋ ପିଲାକୁ ଜମ୍ମା ସର୍ଦ୍ଦି ଛାଡୁନାହିଁ । ତା’ ଆଗରେ କିଏ ପିନ୍ଧାଲୁଗା ଅଳ୍ପ ଖସାଇ ଅଣ୍ଟା ଦେଖାଇ କହୁଛି- ସବୁବେଳେ ମୋ ଅଣ୍ଟା ବିନ୍ଧୁଛି । ଆଉ କିଏ କହୁଛି- ଯେତେ ଔଷଧ ଦେଲେ ସୁଦ୍ଧା ତା’ ପିଲାର ଝାଡାରୋଗ ଭଲ ହେଉ ନାହିଁ । କେଉଁ ସ୍ତ୍ରୀ ଲୋକର ମାସିକିଆ ଭଲ ସଫା ହେଉନାହିଁ । ଋତୁସ୍ରାବ ହେବାକୁ ଥିବା ଦିନେ ଦିଇଦିନ ଆଗରୁ ତଳିପେଟ ଭୀଷଣ କାମୁଡୁଛି । ଏହିପରି ସ୍ତ୍ରୀଲୋକମାନେ ତାକୁ ନାନା ବିଷୟରେ ପଚାରୁଛନ୍ତି । ସେ ତା’ ଝୁଲା ମୁଣିରେ ରଖିଥିବା ଛିଣ୍ଡା ଟୁକୁରା କାଗଜ ଉପରେ ଇଂରାଜୀ ଭାଷାରେ କ’ଣ ଲେଖି ଖଣ୍ଡେ ଖଣ୍ଡେ ବଢ଼ାଇ ଦେଉଛି ସେମାନଙ୍କ ଛାତକୁ । ଏହି କାମ ସେ ନୀରବରେ ସମ୍ପର୍କ କରୁଛି । କାହାକୁ କିଛି କହୁନାହିଁ । କିନ୍ତୁ ବେଳେବେଳେ ହସୁଛି ।

ସେଇ ପାଗଳାଣୀ ଝିଅଟିର ଉନ୍ମୁକ୍ତ ଆଲୁଳାୟିତ ନୁଖୁରା କେଶପାଶ ଫୁରୁ ଫୁରୁ ହୋଇ ଉଡୁଛି ପବନରେ । ଅଡୁଆ କେଶଗୁଚ୍ଛ ଯେତେବେଳେ ତା’ ଆଖି ଉପରେ ପଡ଼ିଯାଉଛି, ସେ ତା’ର ଏକ ମସିଆ ହାତରେ ତାକୁ ଗୋଟାଇ ଜାକି ଦେଉଛି ଦୁଇ କାନ ମୂଳରେ । ପିନ୍ଧିଛି ଦେହ ଅଧା ଲୁଚା ଚିରା ମଇଳା ଶାଢ଼ୀ ଖଣ୍ଡିଏ । ଛିଣ୍ଡା ଧୂଳି ଧୂସରିଆ ଶାୟା ଖଣ୍ଡିକର କିଛି କିଛି ଅଂଶ ଦେଖାଯାଉଛି । ବ୍ଲାଉଜ ଖଣ୍ଡିକ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଉନ୍ନତ ବକ୍ଷୋଜ ଦୁଇଟିକୁ ଘୋଡ଼ାଇ ପାରୁନାହିଁ । ତା’ ପ୍ରତି ମୋର ଅନ୍ତର କାହିଁକି ସହାନୁଭୂତିରେ ଭରି ଯାଉଥିଲା । ଆଉ ମୋର ଅମାନିଆ ନିଆରା ମନଟା ଧାଇଁଲା ତା’ ବିଷୟରେ ଅନୁସନ୍ଧାନ କରି କିଛି ଜାଣିବା ପାଇଁ ।

ସେହିଦିନ ଠାରୁ ପ୍ରାୟତଃ ଅଧିକାଂଶ ସମୟ ସେ ଆମ ଗାଁ ଭିତରେ ଥିବା ଶିବମନ୍ଦିର ଆଗରେ ରହୁଥିଲା । ଭଲ ମିଜାସ ଥିଲାବେଳେ ରୋଗୀମାନଙ୍କୁ ଦରକାରୀ ଔଷଧର ନାମ ଲେଖି ଦେଉଥିଲା । ଗ୍ରାମର ସ୍ତ୍ରୀ ଲୋକମାନେ ପ୍ରାୟ ସମସ୍ତେ ତା’ ପ୍ରତି ସହାନୁଭୂତିଶୀଳ ଥିଲେ । ଏତେ ବଡ଼ ଶିକ୍ଷିତା ଜଣେ ଝିଅର ଏଭଳି ଦୁର୍ଦ୍ଦଶାରେ କିଏ ଅବା ବ୍ୟଥିତ ନ ହେବ । ଡାକ୍ତରାଣୀ ଝିଅ କିମ୍ୱା ବୋହୂ ଭାଗ୍ୟରେ ଥିଲେ ମିଳେ ସିନା । ଏତେ ବଡ଼ ପ୍ରତିଭା ଆଜି ଭୂଲୁଣ୍ଠିତ ହୋଇ ଜନ ସମାଜରୁ ଅତି ଦୟନୀୟ ଅବସ୍ଥାରେ ଉପେକ୍ଷିତ ହୋଇଛି, ଭାବିଲେ ସଂସାର ରହସ୍ୟ କିଛି ବୁଝି ହୁଏନାହିଁ । ମନଟା କେମିତି ଗୋଳମାଳିଆ ଧରିଯାଏ ।

ସେ ଯେତେବେଳେ ଯାହା ଦ୍ୱାରରେ ପହେଞ୍ଚ ଘରର ଝିଅ ବୋହୂମାନେ ତାକୁ ଅତି ଆଦରରେ ଖାଇବାକୁ ଦିଅନ୍ତି । ପୁରୁଣା ଲୁଗାପଟା ମଧ୍ୟ କେହି କେହି ଦେଇଥାନ୍ତି । ହେଲେ, ସେ ସେଗୁଡ଼ିକର ଯତ୍ନ ନିଏ ନାହିଁ କିମ୍ୱା ସାଇତି ରଖେ ନାହିଁ । ଏଣେ ତେଣେ ଫୋପାଡ଼ି ଦିଏ । କେତେବେଳେ ଅବା ଚିରି ପକାଏ । ପଇସାପତ୍ର ଦେଲେ କିଛି ନକହି ହାତହଲାଇ ମନା କରେ । ସେ କାହାରି କିଛି କ୍ଷତି କରୁଥିବା କଥା କେହି କେବେ ହେଲେ କହନ୍ତି ନାହିଁ । କେବଳ ଗୋଟିଏ ବିଲକ୍ଷଣ ତା’ଠାରେ ପ୍ରକାଶ ପାଉଥିବା ମୁଁ ଲକ୍ଷ୍ୟ କରେ । ବେଳେବେଳେ ସେ ବଡ଼ ପାଟିରେ ପ୍ରଳାପ କଲା ଭଳି କ’ଣ କହେ । ଅତି କ୍ରୋଧରେ ଅତି ଲାଲ୍ ପଡ଼ି ଯାଇଥିବା ବେଳେ ସେ ଭୀଷଣ ମୂର୍ତ୍ତିଧାରଣ କରି କାହାକୁ ଗାଳିଗୁଲଜ କରେ ଅକଥ୍ୟ ଭାଷାରେ । ତା’ର ସର୍ବନାଶ ହୋଇଯାଉ ବୋଲି ସେ ଅଭିଶାପ ଦିଏ । ମୁଁ ଅନେକ ବାର ତା’ର ପ୍ରତିଦିନ ଏହିପରି ଆଚରଣ ଓ କଥାବାର୍ତ୍ତାକୁ ଦେଖି ଦେଖି ଶୁଣି ଶୁଣି ଯାହା ଅନୁଭବ କଲି ଝିଅଟା ନିଶ୍ଚୟ କୌଣସି ପ୍ରେମସଂକ୍ରାନ୍ତୀୟ ବ୍ୟାପାରରେ ବାରମ୍ୱାର ଧୋକା ଖାଇଛି । ଫଳତଃ କ୍ରମଶଃ ତା’ର ମାନସିକ ବିକୃତି ଦେଖାଦେଇ ଶେଷରେ ଆଜି ତାହାର ପରିଣତି ଏଇୟା ହୋଇଛି ।

ଅନେକ ଅନୁସନ୍ଧାନ ପରେ ଏତେ ଦିନେ ଜାଣିଲି ଏଇ ପାଗଳାଣୀ ଝିଅଟିର ନାମ ସରିତା ମହାନ୍ତି । ତା’ର ବାପା ରାମମୋହନ ମହାନ୍ତି ଜଣେ ଇଞ୍ଜିନିୟର୍ । ଆମ ଗାଁ ଠାରୁ ଦୁଇ ତିନୋଟି ଗାଁ ଛାଡ଼ି ତାଙ୍କ ଗ୍ରାମ । କିନ୍ତୁ ଏବେ ତାଙ୍କ ଭିଟାମାଟିରେ କେହି ରହୁନାହାନ୍ତି । ସମସ୍ତେ ବାପାଙ୍କ ସମୟରୁ କଟକ ସହରରେ ସ୍ଥାୟୀ ବସବାସ କରି ରହୁଛନ୍ତି । ରାମମୋହନ ବାବୁ ଓ ତାଙ୍କ ପତ୍ନୀ ଲଳିତା ଅନେକବର୍ଷରୁ ଦେହ ତ୍ୟାଗ କରି ପରଲୋକକୁ ଚାଲିଗଲେଣି । ସେଠାରେ ରହୁଛନ୍ତି କେବଳ ସେ ଝିଅଟିର ଭାଇ, ଯେ କି ଜଣେ ଓ.ଏ.ଏସ. ଅଫିସର୍ ଓ ଅଧ୍ୟାପିକା ଭାଉଜ ଏବଂ ତାଙ୍କର ପିଲାମାନେ ।

ସରିତା ଯେତେବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ୍‌ରେ ଏମ୍.ବି.ବି.ଏସ୍. କୋର୍ସ କରୁଥିଲା, ସେତିକିବେଳେ ତା’ର ଠିକ୍ ଶେଷ ବର୍ଷରେ ତା’ ଭାଗ୍ୟରେ ଦେଖାଦେଇଥିଲା ଅକସ୍ମାତ୍ ଏକ ବିରାଟ ବିଡ଼ମ୍ୱନା । ଯାହାକି ତା’ର ଭାଗ୍ୟର ମୋଡ଼କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ଦିନେ ସେ ବଡ଼ ଡାକ୍ତରଖାନା ପାଖ ଦେଇ ଜନଗହଳି ପୂର୍ଣ୍ଣ ମୁଖ୍ୟରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ତା’ ନିକଟରେ ଜଣେ ଯୁବକର ଛାତିରେ ନିର୍ମମ ଭାବେ ଛୁରୀ ଭୂଷି କେହି ଜଣେ ଦୁର୍ବୃତ୍ତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ସରିତା ଅତି ପାଖରେ ଏ ଭୟଙ୍କର ବିଭତ୍ସ ଦୃଶ୍ୟ ଦେଖି ଅତି ଭୀତତ୍ରସ୍ତ ହୋଇ ଚିତ୍କାର କରି ଦୌଡ଼ି ଦୌଡ଼ି ଯାଇ ଆଶ୍ରୟ ନେଲା ସନ୍ନିକଟସ୍ଥ ମେଡ଼ିକାଲ କଲେଜର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ସାଗରବାବୁଙ୍କ ଘରେ । କାରଣ ସାଗରବାବୁ ତା’ର ଅଧ୍ୟାପକ । ତେଣୁ ସେ ଭାବିଥିଲା । ନିର୍ଭୟରେ ସେଠାରେ କିଛି ସମୟ ରହିଯିବ ବୋଲି ।

ସରିତା ଶାଢ଼ୀରେ ରକ୍ତ ଛିଟା ଲାଗିଥିବା ଦେଖି ସାଗରବାବୁ ତତ୍‌କ୍ଷଣାତ୍ ନିଜେ ଯାଇ ତାଙ୍କ ସ୍ତ୍ରୀଙ୍କ ଶାଢ଼ୀ ଆଣି ଦେଲେ ତାକୁ ପିନ୍ଧିବାକୁ । ତା’ପରେ ସେଠାରେ ରାତ୍ରୀଯାପନ କରିବାକୁ ବାଧ୍ୟ କଲେ । ତାଙ୍କର ସ୍ନେହଶ୍ରଦ୍ଧାରେ ସରିତା ଏତେ ତନ୍ମୟ ହୋଇଯାଇଥିଲା ଯେ ପରବର୍ତ୍ତୀ ଦିନମାନଙ୍କରେ ତାଙ୍କ ଘରକୁ ବାରମ୍ୱାର ଆସିବାକୁ ଲାଗିଲା । ଏହାର ସୁଯୋଗ ନେଇ ସାଗରବାବୁ ସରିତାକୁ ପ୍ରେମ ସମ୍ପର୍କରେ ବାନ୍ଧି ପକାଇଲେ । ଯଦ୍ୟପି ତାଙ୍କର ସ୍ତ୍ରୀ ଓ ପିଲାଛୁଆ ଥିଲେ ସେ ସେସବୁ କଥାକୁ ଭ୍ରୁକ୍ଷେପ ନ କରି କାମାନ୍ଧ ବ୍ୟକ୍ତି ଯେପରି ଲୋକଲଜ୍ଜାକୁ ଡରେ ନାହିଁ ସେହିପରି କାର୍ଯ୍ୟ କଲେ ସାଗରବାବୁ । ଶେଷରେ ଉଭୟଙ୍କ ମଧ୍ୟରେ ସିଦ୍ଧାନ୍ତ ହେଲା ସେମାନେ ବିବାହ କରି ସୁଖରେ ଘରସଂସାର କରିବେ । ଶେଷ ପରୀକ୍ଷା ସରିଲା । ହାଉସ ସର୍ଜନସିପ୍ ମଧ୍ୟ ଶେଷ ହେବାକୁ ବସିଲା । ସାଗରବାବୁ ଟାଳଟୁଳ ନୀତି ଧରି ଆଜି, କାଲି ବୋଲି କହି ସରିତାକୁ ଭୁଲାଇବାକୁ ଲାଗିଲେ । ସର୍ବଶେଷରେ ସରିତା ଯେଉଁଦିନ ଯାଇଁ ସାଗରବାବୁଙ୍କ ଘରେ ତାଙ୍କୁ ସଫା କଥା ପଚାରିଲା, ସେ ସର୍ବଦା ନିରବ ରହିଲେ । କିଛି ପଦେକଥା ହେଲେ କହିଲେ ନାହିଁ । ସରିତା ସେଠାରୁ ଗଭୀର ମର୍ମାହତ ହୋଇ ଫେରିଲା । ତା’ର ଭବିଷ୍ୟତର ସମସ୍ତ ସୁଖସୌଧ ଚୁର୍‌ମାର୍ ହୋଇଗଲା । ସେ ବର୍ତ୍ତମାନ କ’ଣ କରିବ କିଛି ଚିନ୍ତା କରିପାରିଲା ନାହିଁ । କେବଳ ଏକ ଉତ୍କଟ ନୈରାଶ୍ୟରେ ତା’ର ହୃଦୟ ଓ ମନ ପୂରି ଉଠିଲା ।

ତଥାପି ସାହସ ବାନ୍ଧି ସେ ଚାକିରୀ କ୍ଷେତ୍ରରେ ଯୋଗ ଦେଲା । କିଛିଦିନ ପରେ ସେଠାରେ ଜଣେ ଡାକ୍ତରଙ୍କ ସହିତ ତା’ର ପ୍ରଣୟାଙ୍କୁର ହେଲା । ଯୁବ ଡାକ୍ତର ଜଣକ ସରିତାର ପୂର୍ବ ପ୍ରେମସମ୍ପର୍କ ବିଷୟରେ ଜାଣିଥିଲେ ସୁଦ୍ଧା, ସେ ତାକୁ ପତ୍ନୀ ହିସାବରେ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେମାନଙ୍କ ଭିତରେ ଦିନ ପରେ ଦିନ ପ୍ରେମସମ୍ପର୍କ ବର୍ଦ୍ଧିତ ହୋଇଥିଲା । ବିବାହ ପୂର୍ବରୁ ସେମାନେ ପ୍ରାୟତଃ ସ୍ୱାମୀ-ସ୍ତ୍ରୀ ଭାବରେ ଚଳୁଥଲେ । ସରିତା ପୂର୍ବକଥା ସବୁ ଭୁଲି ନୂଆ ସଂସାର ଗଢ଼ିବାକୁ ଉଲ୍ଲସିତ ହୋଇ ଉଠିଥିଲା । ତା’ ମନରେ କେତେ ସୁନେଲୀ ସ୍ୱପ୍ନ ଦେଖୁଥିଲା ।

ପୁଣି ସରିତା ଭାଗ୍ୟରେ ଦେଖାଦେଲା ଏକ ପ୍ରଚଣ୍ଡ ବିପର୍ଯ୍ୟୟ । ଏହା ହେଉଛି ତା’ ଭାଗ୍ୟର ଶେଷ ବିଡ଼ମ୍ୱନା । ଯୁବକ ଡାକ୍ତର ତାକୁ ଧୋକା ଦେଇ ଅନ୍ୟତ୍ର ବିବାହ କଲେ । ଏ କଥାରେ ସରିତା ଅତି ଭାଙ୍ଗି ପଡ଼ିଲା । ତା’ ମନ ଓ ହୃଦୟରୁ ସରସତା ଚିରଦିନ ପାଇଁ ଲୋପ ପାଇଗଲା । ଏହି ଘଟଣାର ଅଳ୍ପ କିଛି ବର୍ଷ ପରେ ତା’ର ଏ ଦୁର୍ଦ୍ଦଶା ।

To Top