ମୁଁ ଯଦି କେବେ ମନେ ପଡ଼େ
ଜହ୍ନର ଜୋଛନା ଭିଜା ରାତିରେ
କେଉଁ ଏକ ଚିକ ମିକ କରୁଥିବା
ତାରାକୁ ଦେଖିବ,
ସେ ଯଦି ତୁମର ଆଖିର ଇସାରାରେ
ଉଡିଆସି ପଡ଼ିଯାଏ ପାଦତଳେ,
ଜାଣିନେବ ଅଂଶ ଥିଲା ସେ ମୋ ହୃଦୟର ।
ମୁଁ ଯଦି କେବେ ମନେ ପଡ଼େ,
ତୁମ ଶରୀରକୁ ସ୍ପର୍ଶକରି
ବହିଯାଉଥିବା ପବନର ଲହରୀକୁ
ହାତ ମେଲାଇ ଛୁଇଁବାକୁ ଚେଷ୍ଟା କରିବ
ମିଳିଯିବି ମୁଁ ତୁମକୁ,
ଶୀତଳ ସମିରର ବାସ୍ନାରେ ।
ମୁଁ ଯଦି କେବେ ମନେ ପଡ଼େ
କାହାକୁ କିଛି ନ ଜଣେଇ
ଅଦିନିଆ, ଟୁପ୍ ଟାପ୍ କରି
ନାଚିଯାଉଥିବା ବର୍ଷା ବିନ୍ଦୁରେ
ନିଜକୁ ଭିଜେଇବାକୁ ଚେଷ୍ଟା କରିବ,
ସେ ଯଦି ତୁମକୁ ଭିଜେଇଦେଇ
ଆଙ୍କିଦିଏ ଖୁସିର ହସଟିଏ ତୁମ ଓଠଧାରେ,
ଜାଣିନେବ ସେ ବର୍ଷା ଥିଲା ଲୁହ ମୋ ଆଖିରେ ।
ଯଦି ପାଇବନି ମୋତେ
ତାରାଙ୍କ ଭିତରେ , ସମିରର ବାସ୍ନାରେ
କିମ୍ବା ବର୍ଷା ଛିଟାରେ,
ତେବେ ଚାହିଁବ ତୁମ ପାଦତଳର ମାଟିକୁ,
ପାଇବ ମୋତେ ତୁମର ପ୍ରେତ୍ୟେକଟି ପଦଚିହ୍ନରେ ।
ଯଦି କେବେ ଦେଖ କେଉଁଠି
ହୁତ ହୁତ ହୋଇ ଜଳୁଥିବା ଅଗ୍ନି ଶିଖାକୁ ,
ଜାଣିବ ସେଠି ଥିବା ପତଙ୍ଗଙ୍କ ପରି
ବିଛୁରି ଯାଇଛି ମୋର ପ୍ରେତ୍ୟେକଟି ଅଣୁ , ପରମାଣୁ,
ତୁମର କୋମଳ ହାତରେ
ସେମାନଙ୍କର ପାଉଁଶକୁ ନେଇ
ଭସେଇଦେବ କେଉଁ ଏକ ଅଜଣା ଦରିଆରେ
ମୁଁ ସମୁଦ୍ରର ଲହରୀ ଭିତରେ ଭାସିଯିବି,
ଅପେକ୍ଷା କରିଥିବି କେଉଁ ଏକ ନିର୍ଜନ ଦ୍ଵୀପରେ,
ସମୁଦ୍ର ଯାତ୍ରାରେ ଯଦି କେବେ ବାହାର,
ଅଟକିବ ସେଇ ଦ୍ଵୀପରେ ।
ମୁଁ ଯଦି କେବେ ମନେ ପଡ଼େ
ମୁଁ ଯଦି କେବେ ମନେ ପଡ଼େ ….
(Inspired by : “Agar Kabhi Meri Yaad Aaye…” Urdu Poetry, Amjad Islam Amjad)
