ଅନୁଭୂତି

ଗାଁ ଓ ପାଠଶାଳା

Dr Anita Panda

ନିଶ୍ଚୟ କିଛି ଗୋଟାଏ ଅଘଟଣ ଘଟିବ । ଗୋଟାଏ ଗୋଡ଼କୁ ଧରି ତାକୁ ତଳକୁ ଫୋପାଡ଼ି ଦେବେ କିମ୍ୱା ବାଁ ଗାଲ୍‌ରେ ଠାଏ କରି ଗୋଟାଏ ଶକ୍ତ ଚଟକଣି । ସମସ୍ତେ ଡରି ଛାନିଆ ।

ଗାଁ ଓ ପାଠଶାଳା

-: ପୂର୍ବରୁ :-

ଆମ ପରିବାରକୁ ବାଦ୍ ଦେଇ ଛଅଟି ଯାକ ଘରର ପରିବାର ସ୍ୱଜନମାନଙ୍କୁ ମୁଁ ଭିନ୍ନ ଭିନ୍ନ କାରଣରୁ ବହୁ ଭଲ ପାଉଥିଲି । ପ୍ରଥମ, ଦଶରଥ ପିଉସାଙ୍କ ପାଞ୍ଚ ଭାଇରେ ଅଲୀଅଳି ପଦୁନାନୀ ମୋର ଖୁବ୍ ସାଙ୍ଗ । ଦ୍ୱିତୀୟ ହେଲା ରାଧାନାନୀ(ପିଉସୀ)ଙ୍କ ଘର । ଗାଁର ସମସ୍ତ ମହିଳାଙ୍କଠାରୁ ସେ ମତେ ବହୁ ଜ୍ଞାନୀ ମନେ ହୁଅନ୍ତି । ତୃତୀୟ- ଶୁକାନନା ଘର । ସେ ନୂଆବୋଉଠାରୁ ମୁଁ ଗୀତ ଶିଖିଥାଏ । ଚତୁର୍ଥ-ନୃସିଂହ କକେଇ ଏବଂ ବଂଶୀ କକେଇ । ସେମାନେ କାଳେ ଆମ ନିଜର । ଏ ନିଜ ପରର ଅର୍ଥ ନ ବୁଝୁଥିଲେ ମଧ୍ୟ ସେମାନଙ୍କର ଖୁବ୍ ନିକଟ ଥିଲି । ସମୟ କ୍ରମେ ଯେମା ଖୁଡ଼ୀ(ବଂଶୀ କକେଇଙ୍କର ସହ ଧର୍ମିଣୀ)ଙ୍କର ପୁଅ ରାଜ୍ ଜନ୍ମ ହେଲା ପରେ ତାଙ୍କ ସାନଭଉଣୀ ହେମ ମାଉସୀ ଆସି ତାଙ୍କ ପାଖରେ ରହିଲେ । ତାଙ୍କ ସହ ବନ୍ଧୁତା ନିବିଡ଼ ହେଲା । ପଞ୍ଚମରେ ବାବାଜୀ କକେଇ, ବଧୂଲୀ ଖୁଡ଼ୀଙ୍କର ଝିଅ ଟୁନି ନାନୀ ସଙ୍ଗେ ମଧ୍ୟ ମୋର ଭଲ ସମ୍ପର୍କ । ଷଷ୍ଠ ଘରଟି କଥା ମନେ ପଡ଼ିଲେ ମୋ ଆଖିରେ ଏବେ ବି ପାଣି ଆସେ । ସେମାନେ ଅପୁତ୍ରିକ ଥିଲେ । ତେଣୁ ସେମାନେ କାହାର କକେଇ, ପିଉସା ମାମୁଁ କିବା ଅନ୍ୟ କିଛି ସମ୍ପର୍କ ପିଲାମାନଙ୍କୁ ଜଣାଇ ଦିଆଯାଉନଥିଲା । ତାଙ୍କ ଘରକୁ ଯିବା ପାଇଁ ମଧ୍ୟ ବାରଣ କରାଯାଉଥିଲା । ମୁଁ ଲୁଚି ଲୁଚି ତାଙ୍କ ଘରକୁ ଚାଲିଯାଏ । ମନକୁ ମନ ତାଙ୍କୁ ଖୁଡ଼ୀ ସମ୍ୱୋଧନ ଆରମ୍ଭ କରି ଦେଲି । ତାଙ୍କ ଘର ଭିତରେ ଗୋଟିଏ ଦଉଡ଼ି ଦୋଳି ବର୍ଷର ୩୬୫ ଦିନ ପାଇଁ ଥାଏ । ଖୁଡ଼ୀ ପ୍ରାୟ ସବୁବେଳେ ସେଇ ଦୋଳିରେ ବସିଥାନ୍ତି । କକେଇଙ୍କୁ ଖୁବ୍ କ୍ୱଚିତ୍ ଦେଖିଥାଏ । ଖୁଡ଼ୀ ତାଙ୍କ ଦୋଳିରେ ବସାଇ ମତେ ଲହୁଣୀ ଖୁଆନ୍ତି । ଲହୁଣୀ କେଉଁଠୁ ଆଣନ୍ତି ପଚାରିଲେ ଉତ୍ତର ଦିଅନ୍ତି ଗାଈଟିଏ ଅଛି । ତମ କକେଇ ତ ସବୁବେଳେ କଲିକତାରେ ରହନ୍ତି । ସବୁ କ୍ଷୀରତକ ଘୋଳଦହି କରି ପିଇଥାଏ । ଲହୁଣୀରୁ ଘିଅ ମାରି ସେପାରିରେ ବିକିଥାଏ । ତୁମକୁ ଲହୁଣୀ ଭଲ ଲାଗେ ।

ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ମୁଁ ତାଙ୍କୁ ପଚାରେ, “ମତେ ତ କୋଉ ଖୁଡ଼ୀ କିମ୍ୱା ପିଇସୀ ନାନୀମାନେ ଏମିତିକି ନାନୀମାନେ ମତେ ‘ତୁମେ’ କହନ୍ତିନି । ତୁମେ କାହିଁକି ‘ତୁମେ’ କହୁଛ ?” କିଛି ଉତ୍ତର ଦିଅନ୍ତିନି ସତ ମାତ୍ର ଲୁଗାକାନିରେ ଆଖି ପୋଛନ୍ତି । ତାଙ୍କ ଦୁଃଖ ଦେଖି ମୁଁ କିଛି କହିପାରେନା । ପରିବାର, ସାଇ ପଡ଼ିଶାଙ୍କଠାରୁ ତାଡ଼ନା ପାଇ ମଧ୍ୟ ମୁଁ ଲୁଚି ଲୁଚି ଯାଇ ଦୋଳିରେ ବସି ଲହୁଣୀ ଖାଏ । ଲହୁଣୀ ଖିଆ ଶେଷ ହେବା ପରେ ସେ ମତେ ଚାଲିଯିବାକୁ କହନ୍ତି ।

ଆମ ଘରଟି ସାଇ ମଝିରେ । ଘରର ଉତ୍ତରକୁ ଆମ୍ୱ, ପଣସ, ତାଳ, ନଡ଼ିଆ, ଖଜୁରୀ ଗଛ ପ୍ରଭୃତି ଏକ ପ୍ରଶସ୍ତ ବଗିଚା, ପୂର୍ବକୁ ଆମ୍ୱ, ବରଗଛ ତୋଟା, ଦକ୍ଷିଣକୁ ବାଉଁଶ, ଆମ୍ୱଗଛ ବଗିଚା ଏବଂ ପଶ୍ଚିମକୁ ନାନା ଜାତି ଫୁଲ, ନଡ଼ିଆ ଏବଂ ପିଜୁଳି ଗଛର ବଗିଚା, ସବୁଠୁ ବଡ଼ ରାଧା ଅଶୋକ ଫୁଲ ଗଛଟି ମୋର ବହୁ ପ୍ରିୟ । ତା’ର କାରଣ ହେଲା ଅଶୋକ ଗଛର ମନଲୋଭା ଲାଲ୍ ଫୁଲ ପରିବେଶକୁ ଖୁବ୍ ସୁନ୍ଦର କରାଇଥିଲେ ମଧ୍ୟ ଏହାର ବାସ୍ନା ନଥାଏ । ମାତ୍ର ରାଧା ଅଶୋକର ଛୋଟ ଛୋଟ ଧଳା ଫୁଲର ବାସ୍ନାରେ ଆମ ଖଳାଘରଟି ମହକି ଉଠିଥାଏ । ଲୁଚି ଲୁଚି ମୁଁ ମୋ ଉପର ଭଉଣୀ ସୁଶୀ ନାନୀ ସଙ୍ଗେ ତର୍କ କରିଥାଏ ଗୁଣ ସାମ୍ନାରେ ରୂପ କିଛି ନୁହେଁ ।

ପୂର୍ବ ପଟ ତୋଟାକୁ ଲାଗି ଗୋଟିଏ ଛୋଟ କଚା ପାଠଶାଳା ନଡ଼ାର ଛପର (ଯାହା ବର୍ତ୍ତମାନ ପକ୍କା ହୋଇଗଲାଣି) । ଭିତରେ ଗୋଟିଏ ମାତ୍ର ହଲ୍ ଛାତ୍ରଛାତ୍ରୀମାନେ ଚାରି ଭାଗ ହୋଇ ବସନ୍ତି । ଶିଶୁ, ପ୍ରଥମ, ଦ୍ୱିତୀୟ, ତୃତୀୟ । କାହା ପାଇଁ କେତେଟା ପିରିୟଡ୍ ଦରକାର ସେଇ ଅନୁସାରେ ସାର୍ ପଢ଼ାଇଥାନ୍ତି । ଏଇ ସ୍କୁଲ୍‌ରେ ମୋର ନନାମାନେ ମଧ୍ୟ ପ୍ରଥମ ଶିକ୍ଷା ଗ୍ରହଣ କରିଥିଲେ । ୧୯୫୨ ମସିହାରେ ସୁଶୀନାନୀ ଏଇ ସ୍କୁଲ୍‌ରେ ପ୍ରଥମ ଶ୍ରେଣୀରେ ପଢୁଥିଲା । ସେ ମୋ ଠାରୁ ବୟସରେ ଚାରିବର୍ଷ ବଡ଼ । ସ୍କୁଲରେ ନାମ ନ ଲେଖା ହୋଇଥିଲେ ମଧ୍ୟ ମୁଁ ତା’ ସଙ୍ଗେ ପ୍ରତିଦିନ ସ୍କୁଲ୍ ଯାଏ ଏବଂ ତା’ ପାଖରେ ବସେ । ପାଖ ଆଖରେ ଅନ୍ୟ କୌଣସି ସ୍କୁଲ୍ ନଥିବାରୁ ଦୂର ଦୂରରୁ ବଡ଼ ବଡ଼ ପିଲାମାନେ ପଢ଼ିବାକୁ ଆସନ୍ତି କେବଳ ହରିଜନ ସାଇର ପିଲାମାନଙ୍କ ବ୍ୟତୀତ । ଏହାର କାରଣ ଥରେ ମୁଁ ସଜନାକୁ ପଚାରିଥିଲି କହିଲା, “ଆମେମାନେ ହେଲୁ ଅଛୁଆଁ ଜାତି, ଆମ ପିଲାମାନେ ସେଠାରେ କେମିତି ବସିବେ ?”

ଏ ଛୁଆଁ ଅଛୁଆଁ ଶବ୍ଦଟା ମୁଁ ନାନୀଠାରୁ ବହୁଥର ଶୁଣିଛି । ମାନେ ନ ବୁଝୁଥିଲେ ମଧ୍ୟ ମତେ କଥାଟା ଟିକିଏ ଖଟକା ଲଗାଏ । କହିଲି, “ତେବେ ଆମ ହରିଜନ ସାଇର ପିଲାମାନେ ଗଣ୍ଡମୂର୍ଖ ହୋଇ ରହିବେ ?”

ଆମେ ଆଉ କ’ଣ ? ଆମେ ତ ସେଇଆ ।

ତୁ ଭାରି ଖରାପ ସଜନା । ନିଜେ ଆମ ଘରେ ଖୁସିରେ ଅଛୁ ବୋଲି ପିଲାମାନଙ୍କ କଥା ତୋ ମନରେ ଆସୁନି । ଆଜିଠୁ ମୁଁ ତୋ କାନ୍ଧରେ ବସିବିନି । ତୁ ଖରାପ, ଖରାପ, ଭାରି ଖରାପ ।

ମତେ ଖୁସି କରାଇବା ପାଇଁ କିମ୍ୱା ସତରେ ସଜନା କହିଲା, “ବାବୁ ଆମ ସାଇରେ ଗୋଟିଏ ସ୍ୱତନ୍ତ୍ର ପାଠଶାଳାର ବ୍ୟବସ୍ଥା କରାଉଛନ୍ତି । ହେଲେ ମାଷ୍ଟର ମିଳୁନାହାନ୍ତି । ଏ କୋଡ଼ିଏ ଖଣ୍ଡ ଗାଁରେ କୋଉ ହରିଜନଟା ଏତେ ପାଠ ପଢ଼ିଛି ଯେ, ସେ ଅନ୍ୟକୁ ପଢ଼ାଇବ । ବଡ଼ ଜାତିର ମାଷ୍ଟର ବାବୁ କ’ଣ ହରିଜନ ସାହି ଆସିବାକୁ ପସନ୍ଦ କରିବେ ? ହେଲେ ବାବୁ ଲାଗିଛନ୍ତି । କିଛି ନା କିଛି କରେଇବେ । ତୁମେ ରାଗ କରନା ।”

ଆମ ପାଠଶାଳାରେ ଦୁଇଜଣ ଶିକ୍ଷକ । ବଡ଼ସାର୍ (ବାବାଜୀ ସାର୍) ସାନସାର୍ (ପଦ ସାର୍) । ବାବାଜୀ ସାର୍ ପ୍ରଧାନ ଶିକ୍ଷକ ହୋଇଥିବାରୁ ସେ ଅଳ୍ପ ପିଲାଙ୍କୁ ପଢ଼ାଇଥାନ୍ତି । ପଦ ସାର୍ ସମସ୍ତଙ୍କୁ ପଢ଼ାନ୍ତି । ହଲ୍ ଭିତରେ ଖଣ୍ଡେ ଛୋଟ କାଠ ଚେୟାର୍ ଏବଂ ଛୋଟ ଟେବୁଲ୍‌ଟିଏ ଯାହା ପାଖେ ବସି ସାର୍‌ମାନେ ପାଠ ପଢ଼ାନ୍ତି । ବାହାର ବାରଣ୍ଡାରେ ଦୁଇଟି ଅପେକ୍ଷାକୃତ ବଡ଼ ଚେୟାର୍ । ଗୋଟିକରେ ବଡ଼ସାର୍ ବସନ୍ତି । ଅନ୍ୟଟିରେ ତାଙ୍କ ପାଖକୁ ଆସିଥିବା ଅତିଥି । ଟିକିଏ ଦୂରରେ ବେଞ୍ଚ ଖଣ୍ଡେ । ଯାହାର ଗୋଟିଏ ଗୋଡ଼ ଭଙ୍ଗା । ଘରେ ବାରମ୍ୱାର ଅଳି କରିବା ପରେ ଗୋଟିଏ ନୂଆବେଞ୍ଚ୍‌ ଆସି ଯାଇଥିଲା । ପାଠଶାଳାର ନୀତି ନିୟମ ଅନୁସାରେ ଛାତ୍ରଛାତ୍ରୀମାନେ ଭୂଇଁ ଉପରେ ବସି ହାମୁଡ଼େଇ ପଡ଼ି ଲେଖନ୍ତି । ବସିବା ପାଇଁ କେହି କେହି ନିଜ ନଡ଼ିଆ ପତ୍ର ଚଟେଇ ନେଇ ଆସନ୍ତି । ସଜନା ମୋ ପାଇଁ ମୋର ପ୍ରିୟ ପିଢ଼ା ଖଣ୍ଡକ ନେଇ ରଖି ଦେଇ ଆସିଥାଏ । ଘରଟି କଚା ହୋଇଥିଲେ ମଧ୍ୟ, ନରି କକା (ସ୍କୁଲ୍ ଆଟେଣ୍ଟାଣ୍ଟ) ଏଡ଼େ ସୁନ୍ଦର ଲିପା ପୋଛା କରାଇ ରଖିଥାଏ ଟିକିଏ ବି ଧୂଳି ଲାଗେନା । କ୍ଲାସ୍ ଶେଷ ହେଲେ କିମ୍ୱା ଖେଳ ଛୁଟି ପାଇଁ ନରି କକା ଘଣ୍ଟି ବଜାଏ । ଅନ୍ୟ ପିଲାମାନେ ପ୍ରାୟତଃ ମୋଠାରୁ ୪/୬ ବର୍ଷ ବଡ଼ । ଘଣ୍ଟି ବାଜିଲେ ସମସ୍ତେ ନିଜ ନିଜର ବସ୍ତାନି ପ୍ରଭୃତି ନେଇ ଦଉଡ଼ନ୍ତି । ମୁଁ ସବୁବେଳେ ପଛରେ ପଡ଼ିଯାଏ । ସେଦିନ ମଧ୍ୟ ସେଇଆ ହେଲା । କାନ୍ଧରେ ବସ୍ତାନୀ ବ୍ୟାଗ୍, ହାତରେ ପିଢ଼ା । ବଡ଼ସାର୍ କେଉଁଠି ଥିଲେ ସାମ୍ନାକୁ ଆସିଗଲେ । ତାଙ୍କୁ ଦେଖି ପିଳେହୀ ପାଣି । ଡରରେ ପିଢ଼ା ଖଣ୍ଡକ ହାତରୁ ଖସି ପଡ଼ି ମୋ ଡାହାଣ ଗୋଡ଼ ବୁଢ଼ା ଆଙ୍ଗୁଠି ଉପରେ ପଡ଼ିଗଲା । ଛାନିଆରେ ପ୍ୟାଣ୍ଟ ଓଦା ନିଶ୍ଚୟ ହୋଇଥିବ । ଆଙ୍ଗୁଠି ଖଣ୍ଡିଆ କଷ୍ଟ ତ ନିଶ୍ଚୟ ମନେ ଅଛି, ମାତ୍ର ତା’ ଠାରୁ ବେଶୀ ମନେ ଅଛି ବଡ଼ସାର୍‌ଙ୍କ ସ୍ନେହ ବୋଳା କଥା କେଇପଦ । ପିଢ଼ାର ସାଇଜ୍ ତୋ ଠାରୁ ବଡ଼ । ଆଉ ତା’ର ଓଜନ ନିଶ୍ଚୟ ତୋ ଠାରୁ ବେଶୀ । ଆଜିଠୁ ଏଇଟା ପଦବାବୁଙ୍କ ଦରାଜ ତଳେ ରହିବ । ନରି ତୋ ପାଇଁ ସବୁଦିନ ବ୍ୟବସ୍ଥା କରିଦେବ ।

ଫୁଲେଇ ହେଇ ସବୁ ପିଲାଙ୍କ ସାମ୍ନାରେ ବଡ଼ାଇ କରିଥିଲି । କେତେଜଣ ବଡ଼ ପିଲା ଜବାବ୍ ଦେଇଥିଲେ, ତୁ ଆମ ପାଠଶାଳାର ନୋହୁଁ । ତେଣୁ ତୋ ପାଇଁ ପାଠଶାଳାର ନୀତିନିୟମ ମାନିବାକୁ ହୁଏନା, କାହିଁକି କେଜାଣି ତୁ ଆମ ପାଠଶାଳାର ନୋହୁଁ କଥାଟା ମତେ ବହୁତ ବଡ଼ ଧକ୍କା ଦେଇଥିଲା ।

ବାର୍ଷିକ ପରୀକ୍ଷା ଆସିଲା । ପରୀକ୍ଷା ଫିସ୍ ଦେବାକୁ ହେବ । ବାପା ସୁଶୀନାନୀ ହାତରେ ଦୋଅଣୀଟିଏ ଧରାଇଲେ । ମୁଁ ମଧ୍ୟ ହାତ ପତାଇଲି । ଉତ୍ତର ପାଇଲି ସେଇଟା ତା’ର ବାର୍ଷିକ ପରୀକ୍ଷା ଫିସ୍ । କଥାଟି କିଛି ଅପମାନ ଜନିତ ନଥିଲେ ମଧ୍ୟ ମତେ ଖୁବ୍ ଆହତ କରିଥିଲା । କାହାକୁ କିଛି ନ କହି ଖଟ ଉପରେ ତକିଆରେ ମୁହଁ ମାଡ଼ି ଶୋଇଥିଲି । ସକାଳ ୯ଟାରୁ ଦିନ ଗୋଟାଏ ବାଜିଲା । ନ ଖାଇ ନ ପିଇ ସେଇମିତି ପଡ଼ି ରହିଥିଲି ବିଛଣାରେ । ସାଧାରଣତଃ ଖୁବ୍ ବେଶୀ ଆବଶ୍ୟକ ନଥିଲେ ବାପା ଆମମାନଙ୍କୁ କିଛି କହି ନଥାନ୍ତି । ସେଦିନ ମଧ୍ୟ ସେଇଆ ହେଲା । ଜଳଖିଆ ଚାହା, ରାତ୍ରି ଭୋଜନ ଚଉପାଡ଼ୀ ଘରେ କରୁଥିଲେ ମଧ୍ୟ ଦ୍ୱିପ୍ରହର ଖାଇବାଟା ସେ ପିଲାମାନଙ୍କ ଶୋଇବା ଘରେ କରନ୍ତି । ତା’ର କାରଣ ହେଲା, ଏଇ ଘରଟା ସବୁଠାରୁ ବଡ଼ । ପରିବାରର ସମସ୍ତେ ଏକାଠି ଖାଇବାକୁ ବସିଲେ ମଧ୍ୟ ଅସୁବିଧା ହୁଏନି । ରୋଷେୟା ନନା ଖାଇବା ପରଷୁ ଥିଲେ । ଖାଉ ଖାଉ ରୋଷେୟା ନନାଙ୍କ ଉଦ୍ଦେଶ୍ୟରେ କହିଲେ, “ଆଜି ସେ (ଅର୍ଥାତ୍ ମୁଁ) ଦେଖାଯାଉନି । ମାଛ ମୁଣ୍ଡ କେମିତି ଖାଇବ ?” ବାପାଙ୍କ ମୁହଁରେ କେହି କଥା କୁହନ୍ତିନି । ସମସ୍ତେ ଖଟ ଆଡ଼କୁ ଚାହିଁଲେ । ବାପାଙ୍କ ପିଠି ଖଟ ଆଡ଼କୁ । କାରଣ ଖାଇବା ସମୟରେ ସେ ପଶ୍ଚିମକୁ ମୁହଁ କରି ବସନ୍ତି । ଏଇ ଦିଗ ଦୃଷ୍ଟି ବିଷୟରେ ମଧ୍ୟ କିଛି ଜାଣିବାର ଅଛି । ମନ୍ଦିର ପ୍ରତିମାମାନଙ୍କର ମୁହଁ ପୂର୍ବକୁ ହେଲେ ମଧ୍ୟ ଘର ଇଷ୍ଟଦେବଙ୍କ ମୁହଁ ପଶ୍ଚିମକୁ ବାପା ଅର୍ଥାତ୍ ଘରର ଈଶ୍ୱର ।

ପଛକୁ ବୁଲି ନ ଚାହିଁଥିଲେ ମଧ୍ୟ ବାପା ହୁଏତ ମୋ ରୁଷି ଥିବା କଥା ବୁଝିପାରିଲେ । ଅଧାଖିଆ ମାଛମୁଣ୍ଡ ଥାଳିଆଟା ଟିକିଏ ଦୂରକୁ ରଖି ଦେଇ ବାପା ଖାଇବା ଶେଷ କରି ଉଠିଗଲେ । ମୋ ଆଖିର ଗଙ୍ଗା, ଯମୁନା ସାଙ୍ଗକୁ ମାଡ଼ି ଆସିଲା ଘଡ଼ଘଡ଼ି, ଚଡ଼ଚଡ଼ି ସୁଁ ସୁଁର ଶକ ଭୋ’ ଭୋ’ରେ ପରିବର୍ତ୍ତନ ହୋଇଗଲା । ତା’ର କାରଣ ହେଲା ମୋର ବ୍ରହ୍ମାସ୍ତ୍ର କାର୍ଯ୍ୟକାରୀ ହେଲାନି । ବାପା ହାତ ଧୋଇ ସିଧା ଶୋଇବା ପାଇଁ ନିଜର ସ୍ୱତନ୍ତ୍ର କୋଠରୀକୁ ଯାଆନ୍ତି । ସେଦିନ ନିଜ ଶୋଇବା ଘରକୁ ନ ଯାଇ ମୋ ଖଟ ପାଖକୁ ଆସିଲେ । ସମସ୍ତେ ଡରି ଛାନିଆ । ବାପା ତାଙ୍କର ଅତିପ୍ରିୟ ଖାଦ୍ୟ ମାଛମୁଣ୍ଡ ଦୂରେଇ ଦେଇଛନ୍ତି । ପୁଣି ଶୋଇବା ପାଇଁ ନ ଯାଇ ଖଟ ପାଖକୁ ଆସିଲେଣି । ନିଶ୍ଚୟ କିଛି ଗୋଟାଏ ଅଘଟଣ ଘଟିବ । ଗୋଟାଏ ଗୋଡ଼କୁ ଧରି ତାକୁ ତଳକୁ ଫୋପାଡ଼ି ଦେବେ କିମ୍ୱା ବାଁ ଗାଲ୍‌ରେ ଠାଏ କରି ଗୋଟାଏ ଶକ୍ତ ଚଟକଣି । ସମସ୍ତେ ଡରି ଛାନିଆ ।

କେଜାଣି କେମିତି ପ୍ରଭୁ ଲକ୍ଷ୍ମୀନାରାୟଣ କିମ୍ୱା ମା’ ସରସ୍ୱତୀ କିଏ ମୋ କଣ୍ଠରେ ବସିଲେ, ବାପା କିଛି କହିବା ପୂର୍ବରୁ ମୁଁ ସେଇ ସୁଁ ସୁଁ ଶକରେ ଅଝଟ କରି ବସିଲି, ମୁଁ ବାର୍ଷିକ ପରୀକ୍ଷା ଦେବି । ତା’ପରେ ତକିଆ ଉପରେ ମୁହଁ ଗୁଞ୍ଜି ବାପାଙ୍କର ହାବ ଭାବ ଲକ୍ଷ୍ୟ କରୁଥିଲି । ଦେଖିଲି ବାପା କିଛି ନ କହି ରୁମ୍ ଭିତରୁ ଚାଲିଗଲେ । ଅର୍ଥାତ୍ ମୋର ସେ ବ୍ରହ୍ମାସ୍ତ୍ର ମଧ୍ୟ ସଫଳତା ଲାଭ କଲାନି । ଆହୁରି ଜୋର୍‌ରେ କାନ୍ଦିବା ଆରମ୍ଭ କରିଦେଲି । ସୁଁ ସୁଁ ହୋଇ କହିଲି “ମତେ ବହୁତ ଭୋକ ହେଉଛି ।”

“ଉଠିଆ ତୋ ମାଛ ମୁଣ୍ଡ ଭାଗ ବାପା ତୋ ପାଇଁ ଅଲଗା ଥାଳିଆରେ ରଖି ଯାଇଛନ୍ତି”, ବଡ଼ନାନୀ କହିଲା ।

ମୋର ବହୁତ ପଢ଼ିବାକୁ ଅଛି । ପଅରିଦିନ ବାର୍ଷିକ ପରୀକ୍ଷା । ଜଲଦି ଆ’, ସୁଶୀନାନୀର ଆକ୍ଷେପ ।

ମୋର ମଧ୍ୟ ପରୀକ୍ଷା ଆସୁଛି । ସମୟ ନଷ୍ଟ କରନା ଛୁଆନନାଙ୍କ ଟିପ୍ପଣୀ ।

ମୋ ବାର୍ଷିକ ପରୀକ୍ଷା ଚାନ୍ଦା ନ ଦେଲେ ମୁଁ ଏଠୁ ଉଠିବିନି ।

ତୋ ବୟସ କେତେ ? ସମସ୍ତେ ପରିହାସ କଣ୍ଠରେ କହିଲେ ।

ଜାଣିନି । ପଦୁନାନୀ କହୁଥିଲା ତିନି ପୁରିଗଲାଣି ।

ତା’ପରେ ବହୁ ହସଗୋଳ । ପରିସ୍ଥିତି ପୁରାପୁରି ଶାନ୍ତ ପଡ଼ିଲା ଯେତେବେଳେ ରୋଷେୟା ନନା ଆସି କହିଲେ, “ତୁମକୁ ବାବୁ ଚଉପାଡ଼ୀ ଘରକୁ ଡାକୁଛନ୍ତି ।”

ବାପା ଡାକୁଛନ୍ତି, ନ ଯାଇ ଚାରା ନାହିଁ । ସେଇମିତି ସୁଁ ସୁଁ ହୋଇ ଧକେଇ ଧକେଇ ଚଉପାଡ଼ୀରେ ପହଞ୍ଚିଲି । ଦେଖିଲି ବଡ଼ସାର୍ ବସିଛନ୍ତି । ଚୁପ୍ ଚାପ୍ ଯାଇ ପ୍ରଣାମ କଲି । ସାର୍ ମତେ ତାଙ୍କ ଚେୟାର୍ ପାଖେ ଥିବା ଷ୍ଟୁଲ୍ ଉପରେ ବସାଇ ମୋ ମୁଣ୍ଡ ଆଉଁସିଲେ । ସେଇ ଆଉଁସାରେ କି ଶକ୍ତି ଥିଲା କେଜାଣି ମୁଁ ସବୁ ଦୁଃଖ ଭୁଲିଗଲି ।

ବାବାଜୀ ବାବୁ, ଏ ପିଲାଟା କେବେ କିଛି ପାଇଁ ଅଝଟ କରେନା । ପ୍ରଥମ ଥର ପାଇଁ ଜିଦି ଧରିଛି । ପ୍ରଥମ ଶ୍ରେଣୀର ବାର୍ଷିକ ପରୀକ୍ଷା ଦେବ । ଆପଣ କ’ଣ ଭାବୁଛନ୍ତି ?

ମୁଁ ମଧ୍ୟ ସେଇ କଥା ଆପଣଙ୍କୁ କହିବି ବୋଲି ଚିନ୍ତା କରୁଥିଲି । ମାତ୍ର ଭରଷି କହିପାରୁନଥିଲି । ତା’ର ପାଠ ପଢ଼ା ପ୍ରତି ବହୁ ଆଗ୍ରହ । ସୋମବାର ଦିନ ତାକୁ ପରୀକ୍ଷା ଦେବାକୁ ପଠାଇ ଦେବେ । ଅଠର ଜଣରୁ ଉଣେଇଶ ହୋଇଗଲେ କ୍ଷତି କ’ଣ ?

ହେଲେ ତାକୁ ଚାରିବର୍ଷ ବି ପୁରିନି ।

କ’ଣ ବି.ଏ., ଏମ୍.ଏ. କରିବ ନା କୋଉ ଅଫିସ୍‌ରେ କାମ କରିବ ଯେ ବୟସ କମ୍ ହେଲେ ତାକୁ ନାକଚ କରିଦେବେ । ଆପଣ ତାକୁ ପଠାଇଦେବେ । ମୁଁ ଏ କଥା ପଦବାବୁଙ୍କୁ ବି କହିଦେବି ।

ପରୀକ୍ଷା ଫଳ ବାହାରିଥିଲା । ମୁଁ ଉଣେଇଶ ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲି । ଦଶ ଜଣ ଫେଲ୍ ହୋଇଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ନବନନାର ନାଁ ମଧ୍ୟ ଥିଲା । ପଦୁନାନୀ ତାକୁ ଛିଗୁଲେଇ କହିଲା, “ମାଇଚିଆ, ଦିନ ରାତି ରନ୍ଧା ଘରେ ପଡ଼ିଥିବୁ । ପାଠ ଛାଡ଼ିଦେ’ ।”

ମୁଁ ଏତେ ଖୁସି ଥିଲି ଯେ କିଛି ନ କହିପାରି ଖାଲି ଦୁହିଁଙ୍କ ମୁହଁକୁ ବଲ ବଲ କରି ଚାହିଁ ରହିଲି ।

ଦ୍ୱିତୀୟ ଶ୍ରେଣୀ, ପରେ ପରେ ତୃତୀୟ ଶ୍ରେଣୀ । ତୃତୀୟ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମଧ୍ୟ ପ୍ରଥମ ସ୍ଥାନ ଲାଭ କରିଥିଲି । ମାଁ ସଡ଼ା ବିନ୍ଧା ନିମ୍ନ ପ୍ରାଇମେରୀ ସ୍କୁଲ୍‌ର ତୃତୀୟ ଶ୍ରେଣୀରେ ପ୍ରଥମ ସ୍ଥାନ- କୁମାରୀ ଅନିନ୍ଦିତା (ଓରଫ୍ ଅନ୍ନପୂର୍ଣ୍ଣା) ବାପା ମତେ ଅନ୍ନପୂର୍ଣ୍ଣା କହନ୍ତି । ଏ ଅନିନ୍ଦିତା ନାଁଟି ସାର୍ଙ୍କ ତରଫ୍‌ରୁ ଲେଖା ଯାଇଥିଲା । ଏବେ ମଧ୍ୟ ସେ ସାର୍ଟିଫିକେଟ୍‌ଟିକୁ ମୋଡ଼ିମାଡ଼ି ସାଇତି ରଖିଛି । ୟା’ ପରେ ଆସିଥିଲା ମୋ ପାଠରେ ବିରତି । ତା’ର କାରଣ ହେଲା ଚତୁର୍ଥ ଶ୍ରେଣୀରେ ପଢ଼ିବା ପାଇଁ ପାଖରେ ସ୍କୁଲ୍ ନଥିଲା । ବସ୍ତାନୀରେ ଡୋର ବନ୍ଧା ହେଲା ।

ତା’ ପରେ

To Top