ଆମକୁ ପ୍ରଥମେ ଦେଖିବାର କଥା ଚାରିକୋଟି ମଣିଷଙ୍କ ମୁହଁର ଭାଷା ରୂପେ ଓଡ଼ିଆ ଭାଷା ଯେଉଁ ମର୍ଯ୍ୟାଦାର ସହିତ ବଞ୍ଚିବା କଥା ସେହିପରି ଭାବେ ବଞ୍ଚିପାରିଛି କି ନାହିଁ । ଆଜକୁ ସତୁରୀ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଶା ବୋଲି ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ଭୌଗୋଳିକ ଗୌରବଟିଏ ଆମକୁ ମିଳିଥିଲା । ଆମେ ଏହି ଐତିହାସିକ ଗୌରବଟିର ଉତ୍ତରାଧିକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛୁ କି ନାହିଁ । ପୁଣି ଏହି ଗୌରବ ଦିନକ କିମ୍ୱା ଦୁଇ ଦିନର ଶ୍ରମର ଫଳ ନଥିଲା । ଏଥିପାଇଁ ଏହି ଜାତିକୁ ରୀତିମତ୍ ଭାବରେ ଲଢ଼େଇ କରିବାକୁ ପଡ଼ିଥିଲା । ୧୮୬୮ ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଆ ଭାଷା ଆନ୍ଦୋଳନ ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀରୁ ସାଂଗଠନିକ ବଳ ପାଇ ନିଜର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇଥିଲା । ଯାହାର ପରିଣାମ ସ୍ୱରୂପ ଓଡ଼ିଆ ପରି ଏକ ସମୃଦ୍ଧ ଭାଷାର ସୁଦୃଢ଼ ପାଚେରୀ ଉପରେ ଓଡ଼ିଶା ନାମକ ଏକ ପ୍ରଦେଶର ନିର୍ମାଣ ସମ୍ଭବପର ହୋଇଥିଲା ।
ସାମ୍ପ୍ରତିକ ପୃଷ୍ଠପଟରେ ଓଡ଼ିଆ ଭାଷା ଓ ଏହାର ପ୍ରଚଳନକୁ ନେଇ ଅନେକ ଅସମାଧିତ ପ୍ରଶ୍ନ ସବୁ ମୁଣ୍ଡ ଟେକି ଉଠିଛି । ଆମର ପ୍ରମୁଖ କ୍ଷେତ୍ରମାନଙ୍କରେ ଏହି ଭାଷାର ବ୍ୟବହାର ଦିନକୁ ଦିନ କମିଯିବାରେ ଲାଗିଛି କିମ୍ୱା ଆଦୌ ବ୍ୟବହୃତ ହେଉନାହିଁ କହିଲେ ଚଳେ । ଏହିସବୁର ପର୍ଯ୍ୟାଲୋଚନାରେ ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତିକୁ ସମ୍ଭବତଃ ଅଧିକ ବାସ୍ତବ ରୂପେ ଆକଳନ କରାଯାଇପାରିବ ।
ପ୍ରଥମେ ଆମ ଶିକ୍ଷା ବ୍ୟବସ୍ଥାକୁ ଦେଖାଯାଉ । ପ୍ରାରମ୍ଭିକ ଅବସ୍ଥାରେ ଶିଶୁ କଥା କହିବା ଆରମ୍ଭ କଲା ଦିନରୁ ନିଜର ମାତୃଭାଷାକୁ ବ୍ୟବହାର କରିଥାଏ । ପରବର୍ତ୍ତୀ ସମୟରେ ପ୍ରାଥମିକ ଶିକ୍ଷାସ୍ତରରୁ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ଏହି ଭାଷା ମାଧ୍ୟମରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥାଏ । ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଦ୍ୱାରା ପିଲାଟି ଦୁଇ ପ୍ରକାର ଭାବେ ଉପକୃତ ହୋଇଥାଏ । ପ୍ରଥମରେ ସେ ନିଜର ମାତୃଭାଷାକୁ ଭଲ ରୂପେ ଆୟତ୍ତ କରିବା ଶିଖିପାରିଥାଏ । ଦ୍ୱିତୀୟରେ ଏହି ମାଧ୍ୟମରେ ଶିକ୍ଷାଲାଭ କରୁଥିବାରୁ ପାଠ୍ୟ ବିଷୟବସ୍ତୁକୁ ଅବବୋଧ କରିବା ତା’ ପକ୍ଷରେ ସହଜ ହୋଇଥାଏ । ମାତ୍ର ବିଗତ କିଛି ବର୍ଷ ଧରି ଓଡ଼ିଶାରେ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ଯେଉଁପରି ଭାବରେ ନିଜର କାୟା ବିସ୍ତାର କରିଚାଲିଛନ୍ତି ତା’ର ପ୍ରଭାବରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରୁଥିବା ସ୍କୁଲ୍ ଗୁଡ଼ିକ ଲୁଚିଯିବାକୁ ବସିଲେଣି । ସହରମାନଙ୍କରେ ଏହିସବୁ ସ୍କୁଲ୍ଗୁଡ଼ିକୁ ଦେଖିଲେ ଏଗୁଡ଼ିକ ଏକ ପ୍ରକାର ଅବହେଳିତ ଓ ଅନୁନ୍ନତ ଅବସ୍ଥାରେ ପଡ଼ି ରହିଥିବା ପରି ଜଣାପଡ଼ିଥାନ୍ତି । ଧନୀ ଶ୍ରେଣୀ, ଉଚ୍ଚ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀମାନଙ୍କର ଆକାଂକ୍ଷାକୁ ସୁହାଇଲା ଭଳି ବିଭିନ୍ନ କିସମର ଇଂରାଜୀ ମାଧ୍ୟମ ସ୍କୁଲ୍ଗୁଡ଼ିକ ସହରର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ନିଜ ଅକ୍ତିୟାରକୁ ନେବାକୁ ବସିଲେଣି । କେବଳ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଗତାନୁଗତିକ ଓଡ଼ିଆ ମାଧ୍ୟମ ସରକାରୀ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଏ ପର୍ଯ୍ୟନ୍ତ ସୁଦୃଢ଼ ହୋଇ ରହିଅଛି । ମାତ୍ର ଯେଉଁ ପରିମାଣରେ ଏବେ ଦ୍ରୁତ ଅର୍ଥନୈତିକ ପରିବର୍ତ୍ତନ ସହ ସହରର ବ୍ୟବସ୍ଥାଗୁଡ଼ିକ ଗ୍ରାମାଞ୍ଚଳର ପରିବେଶ ଆଡ଼କୁ ପ୍ରସାରିତ ହେବାରେ ଲାଗିଛି, ସେଠାକାର ଏହିସବୁ ପାରମ୍ପରିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆଉ ବେଶୀକାଳ ସୁରକ୍ଷିତ ନୁହେଁ ବୋଲି କହିବାକୁ ହେବ । ଏଇଥିରୁ ଶିକ୍ଷା କ୍ଷେତ୍ରରେ ଥିବା ଓଡ଼ିଆ ଭାଷାର ବିପନ୍ନ ସ୍ଥିତିକୁ ସହଜରେ ଅବଧାରଣା କରିହୁଏ ।
ନୂଆପିଢ଼ିର ଶିକ୍ଷିତ ଓଡ଼ିଆ ଯୁବକମାନଙ୍କୁ ଯଦି ଓଡ଼ିଆ ଭାଷାର ଗୁରୁତ୍ୱ ବିଷୟରେ ବୁଝାଇ କୁହାଯାଏ, ସେମାନେ ତତ୍କ୍ଷଣାତ୍ ଏକ ନାସ୍ତିବାଚକ ପ୍ରତିକ୍ରିୟା ପ୍ରକାଶ କରିବେ । ତାଙ୍କ ବିଚାରରେ ଆଜିର ବହୁଦେଶୀୟ ବଜାରରେ ଓଡ଼ିଆ ଭାଷା ତା’ର ବିନିୟମ ମୂଲ୍ୟ ହରାଇ ସାରିଛି । ଏହି ଭାଷା ରୂପକ ମୁଦ୍ରାଟିକୁ ଧରି ଆଜିର ପ୍ରତିଯୋଗିତାପୂର୍ଣ୍ଣ ଦୁନିଆଁରେ ନା କେହି ନିଜ ପାଇଁ ବୃତ୍ତିଟିଏ ଯୋଗାଡ଼ କରିପାରିବ ନା ସାମାଜିକ ପ୍ରତିଷ୍ଠା ପାଇପାରିବ ।
ଶିକ୍ଷା ପରି ଆମ ଶାସନ ବ୍ୟବସ୍ଥାରେ ମଧ୍ୟ ଆମ ଓଡ଼ିଆ ଭାଷାର ଅବସ୍ଥା ତଦ୍ରୁପ । ଆମର ଏଠି ସଚିବାଳୟରେ ଲେଖାଯାଉଥିବା ଶୁଦ୍ଧ ଇଂରାଜୀ ଭାଷାର ଚିଠି ଓ ନିର୍ଦ୍ଦେଶାବଳୀ ସବୁ ଯାଇ ପହଞ୍ଚିଥାଏ ଜିଲ୍ଲାସ୍ତରୀୟ ମୁଖ୍ୟ କାର୍ଯ୍ୟାଳୟମାନଙ୍କରେ । ସେଠାରେ ଏହି ଇଂରାଜୀ ଭାଷାରେ ଲିଖିତ ଚିଠିସବୁର ଆଉ ଏକ ଏକ ଇଂରାଜୀ ବ୍ୟାଖ୍ୟା କରାଯାଇ ତଳସ୍ତରର ଅଫିସର୍ମାନଙ୍କୁ ପ୍ରେରଣ କରାଯାଇଥାଏ । ପୁନଶ୍ଚ ସେଠାରୁ ଯେଉଁ ଚିଠି ପ୍ରସ୍ତୁତ ହୋଇ ଆହୁରି ତଳସ୍ତର ପର୍ଯ୍ୟନ୍ତ ଯାଇଥାଏ, ତାହା ମଧ୍ୟ ଲେଖା ହୋଇଥାଏ ଇଂରାଜୀ ଭାଷାରେ । ଏପରିକି ତୃଣମୂଳ ସ୍ତରରେ ଓଡ଼ିଶା ପ୍ରଶାସନକୁ ପ୍ରତିନିଧିତ୍ୱ କରୁଥିବା ଗ୍ରାମାଞ୍ଚଳର ପଞ୍ଚାୟତ ଅଫିସ୍ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ସାହେବୀ ଭାଷାର ଯୋଗସୂତ୍ର ଦ୍ୱାରା ସହବନ୍ଧିତ । ଓଡ଼ିଶା ଲୋକସଂଖ୍ୟାର ଅର୍ଦ୍ଧେକ ନିରକ୍ଷର ଓ ଅଳ୍ପ ସାକ୍ଷର ଲୋକମାନେ କେବଳ ଏହି ଚିଠିଗୁଡ଼ିକୁ ଦୂରରୁ ଦେଖି ନିର୍ବୋଧ ପରି ଆଁ କରି ଛିଡ଼ା ହୋଇ ରହିବା ଛଡ଼ା ଏଗୁଡ଼ିକର ମର୍ମକୁ ହେଜି ପାରିନଥାନ୍ତି । ସେମାନଙ୍କ ପାଇଁ ସରକାର କ’ଣ କରୁଛନ୍ତି ? କେମିତି କରୁଛନ୍ତି ? ଓ କିପରି କରୁଛନ୍ତି ? ଏସବୁ ଜାଣିବାର ଯୁ’ ସେମାନଙ୍କ ପାଖରେ ନଥାଏ । ପ୍ରଶାସନକୁ ଚଳାଉଥିବା ବାବୁମାନଙ୍କର ଅଭେଦ୍ୟ ଦୁର୍ଗ ଭିତରକୁ ଇଂରାଜୀ ଭାଷାରେ ଅଜ୍ଞ ସାଧାରଣ ଓଡ଼ିଆ ଲୋକଟିଏ ସହଜରେ ପଶିପାରିନଥାଏ ।
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଚାଲୁ ବୋଲି ଆଗରୁ ଏକ ବା ଏକାଧିକ ଥର ଉଦ୍ୟମ ନିଆଯାଇଛି । କିନ୍ତୁ ଏହି ସରକାରୀ କଳର ବାବୁଭାୟାମାନଙ୍କର ଷଡ଼ଯନ୍ତ୍ର କିମ୍ୱା ଅବଜ୍ଞା ହେତୁ ଏହା ଏପର୍ଯ୍ୟନ୍ତ ଫଳବତୀ ହୋଇପାରିନାହିଁ ।
ଆଜିର ଏହି ଆଧୁନିକ ଯୁଗକୁ ସଂଚାରର ଯୁଗ ବା ଯୋଗାଯୋଗର ଯୁଗ ବୋଲି କୁହାଯାଉଛି । ଉଭୟ ବ୍ୟକ୍ତିଗତ ଓ ଗଣ ଯୋଗାଯୋଗ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଉପକରଣ ଦ୍ୱାରା ଏହି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ସଂଗଠିତ ହୋଇଛି । ଯେପରିକି ଟେଲିଫୋନ୍, ମୋବାଇଲ୍ ଫୋନ୍ ପ୍ରଭୃତି ଏବେକାର ବ୍ୟକ୍ତିଗତ ଓ ସାମାଜିକ ଭାବ ବିନିମୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସମ୍ପର୍କର ଭାଷା ପାଲଟିଛି ଅଧିକ ଦ୍ରୁତ ଓ ସାଙ୍କେତିକ । ଏହି ଯନ୍ତ୍ର ମାଧ୍ୟମ ଗୁଡ଼ିକର ଭାଷା ଆମର ପ୍ରଚଳିତ ମୌଖିକ ଓ ଲିଖିତ ଭାଷାକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି । ଏହା ପରୋକ୍ଷରେ ଓଡ଼ିଆ ଭାଷାକୁ ଯନ୍ତ୍ର ଅନୁକୂଳ (ଟେକ୍ନୋ-ଫ୍ରେଣ୍ଡଲି) ବା ଯୁଗୋପଯୋଗୀ କରିବା ନିମନ୍ତେ ଏକ ଆହ୍ୱାନ ସୃଷ୍ଟି କରିଛି । ଏକବିଂଶ ଶତାବ୍ଦୀର ଓଡ଼ିଆ ଭାଷା ସବୁ ଦିଗରୁ ନିଜକୁ ଏହି ଆହ୍ୱାନ ନିମନ୍ତେ ପ୍ରସ୍ତୁତ କରିପାରିଛି କି ? ଶିକ୍ଷା, ଶାସନ ଓ ସଞ୍ଚାର ପରି ପ୍ରମୁଖ କ୍ଷେତ୍ରମାନଙ୍କରେ ଓଡ଼ିଆ ଭାଷା ବ୍ୟବହୃତ ହୋଇପାରୁନଥିବାରୁ ଏହି ଭାଷା ଯେପରି ସମୃଦ୍ଧ ଓ ବିକାଶପ୍ରାପ୍ତ ହେବା କଥା ସେହିପରି ସମ୍ଭବ ହୋଇପାରିନାହିଁ । ଏହାକୁ ଆମର ଅପାରଗତା ବୋଲି କୁହାଯିବ ନା ଆମ ଭାଷାର ଅଯୋଗ୍ୟତା ବୋଲି ବିବେଚନା କରାଯିବ କିମ୍ୱା ଉଭୟଯାକକୁ ପରିପୂରକ ଭାବେ ସତ୍ୟ ବୋଲି ଗ୍ରହଣ କରାଯିବ ।
ଭାଷାର ଉଦାର ଓ ମୁକ୍ତ ପ୍ରୟୋଗ ଏହାର ସମ୍ପ୍ରସାରଣ କ୍ଷମତାକୁ ବୃଦ୍ଧି କରାଇଥାଏ । ରକ୍ଷଣଶୀଳ ବ୍ୟବହାର ଭାଷାର ପରିଧିକୁ କେବଳ ସଙ୍କୁଚିତ କରି ରଖିନଥାଏ, ପରନ୍ତୁ ଏହି ମନୋବୃତ୍ତି ଭାଷାର ବିକାଶରେ ବାଧକ ହୋଇଥାଏ । ମୁକ୍ତ ଗ୍ରହଣଶୀଳତା ଭାଷା କ୍ଷେତ୍ରରେ ଅଭିବୃଦ୍ଧିରେ କିପରି ସହାୟକ ହୋଇଥାଏ, ତାହାକୁ ଏକ ଲଘୁ ଦୁଷ୍ଟାନ୍ତ ମାଧ୍ୟମରେ ବିଶିଷ୍ଟ ଭାରତୀୟ ଇଂରାଜୀ ଲେଖକ ଖୁସ୍ୱନ୍ତ ସିଂହ ଏକଦା ନିଜ ଓଡ଼ିଶା ଗସ୍ତକାଳୀନ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ କହିଥିଲେ- “English is a great language because it is bastard language.’‘ ଆସ୍ତିସୂଚକ ଅର୍ଥରେ ତାଙ୍କ କହିବାର ମର୍ମ ଥିଲା ଗ୍ରହଣଶୀଳତାର ବ୍ୟାପାରରେ ଯେଉଁ ଭାଷା ଯେତିକି ଜାରଜ ସେହି ଭାଷା ସେତିକି ଶ୍ରେଷ୍ଠ, ସେତିକି ବ୍ୟାପକ । ଅର୍ଥାତ୍ ଇଂରାଜୀ ଭାଷା ଏକ ଜାରଜ ଭାଷା ହୋଇଥିବାରୁ ତାହା ବିଶ୍ୱର ଅନ୍ୟ ଭାଷାମାନଙ୍କରେ ପ୍ରଚଳିତ ଶବ୍ଦମାନଙ୍କୁ ଗ୍ରହଣ କରି ନିଜକୁ ସମୃଦ୍ଧ କରି ବିଶ୍ୱର ଅଗ୍ରଣୀ ଭାଷାରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଆ ଭାଷାର ଗ୍ରହଣଶୀଳତା କେତେ ତାହା ଭାଷାବିତ୍ ଓ ଭାଷାପ୍ରେମୀମାନେ ବସି ସ୍ଥିର କରନ୍ତୁ ।
ଭାଷାର ଇତିହାସକୁ ଅନୁଧ୍ୟାନ କଲେ ଏହା ଜଣାପଡ଼ିଥାଏ ଯେ କୌଣସି ଜୀବନ୍ତ ଭାଷା କୌଣସି ଜାତିର କେବେ ଏକ ସ୍ଥିତିବାନ୍ ବିଭବ ହୋଇ ରହିନାହିଁ । ସମୟ ସହିତ ଏହା ଗତିଶୀଳ ରହି ଆବଶ୍ୟକସ୍ଥଳେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଥାଏ । ଏହା ଦେଖାଯାଇଛି ଯେ ଇତିହାସର ଯେଉଁ ମୋଡ଼ରେ କୌଣସି ଭାଷା ନିଜର ଗତିଶୀଳତା ହରାଇ ଅଟକି ଯାଇଛି ସେହି ଭାଷା ପରବର୍ତ୍ତୀ ସମୟରେ ମୃତ ବୋଲି ବିବେଚିତ ହୋଇ ଭାଷା ବିଜ୍ଞାନୀମାନଙ୍କ ନିମନ୍ତେ ଗବେଷଣାର ଏକ ସାମଗ୍ରୀ ପାଲଟି ଯାଇଛି । ସମୟ ଆସିଛି ପ୍ରତ୍ୟେକ ଓଡ଼ିଆଭାଷୀ ନିଜର ମାତୃଭାଷାକୁ ଭବିଷ୍ୟତରେ ମୃତ କି ଜୀବନ୍ତ ଅବସ୍ଥାରେ ଦେଖିବାକୁ ଚାହାନ୍ତି, ତାହା ସ୍ଥିର କରିନେବା ଦରକାର ।