ଅନୁଭୂତି

କ୍ଷୁରର ଧାର

Tikeswar Pradhan's odia cognition Kshurar Dhaara

ହେଲେ ପ୍ରଶ୍ନଉଠେ, ଏତେ କଷ୍ଟସାଧ୍ୟ ପଥରେ ଚାଲିବା କ’ଣ ଜରୁରୀ ? ଆଜି ଆମେ ବିକଶିତ ଓ ସ୍ଵତନ୍ତ୍ର , ଜୀବନକୁ ଉପଭୋଗ ନକରି ଶ୍ରେୟର କଷ୍ଟ , ସ୍ୱଳ୍ପ ସ୍ଵତନ୍ତ୍ରତାର ମାର୍ଗ ରେ ଚାଲିବା କାହଁକି ?

କ୍ଷୁରର ଧାର

ଶବ୍ଦାର୍ଥ ଓ ଅର୍ଥ ମଧ୍ୟରେ ସେତିକି ପାର୍ଥକ୍ୟ ଅଛି ଯେତିକି ମେଧାବୀ ଓ ଶିକ୍ଷିତ ମଧ୍ୟରେ ରହିଛି । ବହୁତ ଶବ୍ଦର ଅର୍ଥ ବୁଝିବା କେବେକେବେ କଷ୍ଟସାଧ୍ୟ ହୋଇଯାଏ । ଯେମିତି ଜେଜେବାପାଙ୍କ “କ୍ଷୁରର ଧାର ” ପଦଟି । ଜେଜେ କୁହନ୍ତି ଜୀବନ ଚର୍ଯା କ୍ଷୁରର ଧାରରେ ଚାଲିବା ସଦୃଶ୍ୟ ।

ମୁଁ କେବେ ବୁଝିପାରେନି ଏ “କ୍ଷୁର ର ଧାରରେ ଚାଲିବା” ମାନେ କଣ ? ଜଣେ କାହିଁକି କ୍ଷୁରର ଧାରରେ ଚାଲିବ ? ଯଦି ଜେଜେ ଭାବୁଥାନ୍ତେ ଜୀବନଚର୍ଯା କଷ୍ଟଦାୟକ , କଣ୍ଟା ଉପରେ ଚାଲିବା କହିଥାନ୍ତେ, କ୍ଷୁରର ଧାର କାହିଁକି ?

କିଛିଦିନ ପୂର୍ବରୁ ମୁଁ ଏକ କଥା ଉପନିଷଦ ବିଷୟ ରେ ପଢ଼ିଲି । କାହାଣୀ ହେଲା କିଶୋର ନଚିକେତା ଓ ମୃତ୍ୟୁଦେବ ଯମରାଜାଙ୍କ ସମ୍ବାଦର । ନଚିକେତାର ପିତା ଉଦ୍ଦାଲକ ବିଶ୍ବଜିତ ଯଜ୍ଞ କରି ନିଜର ପ୍ରିୟବସ୍ତୁ ଦାନରେ ଦେଉଥିଲେ । ଏହା ଦେଖି ନଚିକେତା କହିଲେ , “ଯେହେତୁ ମୁଁ ଆପଣଙ୍କ ପ୍ରିୟ , ଆପଣ ମତେ କାହାକୁ ଦାନ କରୁଛନ୍ତି? ” । ହେଲେ ମହର୍ଷି ଉଦ୍ଦାଲକ ଚୁପ୍‌ ରହିଲେ । ଏମିତି ଆଉ ଦୁଇଥର ପଚାରିବାରୁ ଉଦ୍ଦାଲକ କ୍ରୋଧରେ କହିଲେ “ମୁ ତତେ ମୃତ୍ୟୁକୁ ଦାନ କରୁଛି ” । ନଚିକେତା ଏହା ଶୁଣି ମୃତ୍ୟୁର ଦେବତା ଯମରାଜାଙ୍କ ପାଖକୁ ଯିବାକୁ ବାହାରିଲେ ।

ହେଲେ ଯମରାଜା ତାଙ୍କ ଭବନରେ ନଥିବାରୁ, ନଚିକେତା ତିନିରାତି ଯମରାଜାଙ୍କ ପ୍ରତୀକ୍ଷା କଲେ । ଯମରାଜା ଯେବେ ଫେରିଲେ, କିଶୋରେ ନଚିକେତାକୁ ପ୍ରତୀକ୍ଷାରେ ରଖିବା ପାଇଁ ଦୁଃଖୀତ ହେଲେ । ସେ ନଚିକେତାର ଦୃଢ ସଂକଳ୍ପ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ । ସେ ତିନିରାତି ପ୍ରତୀକ୍ଷାରେ ରଖିବା ପାଇଁ ତିନୋଟି ବର ଯାଚିଲେ । ନଚିକେତା ପ୍ରଥମ ବରରେ ପିତାଙ୍କ ସଦ୍ଗତି କାମନା କଲେ । ଦ୍ଵିତୀୟ ବରରେ ସମାଜ କଲ୍ୟାଣ ପାଇଁ ସ୍ୱର୍ଗପ୍ରାପ୍ତିର ଯଜ୍ଞାବିଧିର ଜ୍ଞାନ କାମନା କଲେ । ତୃତୀୟ ବରରେ ଜୀବନ ଓ ମୃତ୍ୟୁର ରହସ୍ୟ ପଚାରିଲେ ।

ଯମରାଜା ଜୀବନ-ମୃତ୍ୟୁର ରହସ୍ୟ ଜଣାଇବାରେ କୁଣ୍ଠାପ୍ରକାଶ କଲେ । କହିଲେ ଏ ରହସ୍ୟ ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ । ନଚିକେତା ଆଉ କିଛି ମାଗିପାରନ୍ତି । ତଥାପି ନଚିକେତା ନିଜ ସଂକଳ୍ପରେ ଦୃଢ ରହିବାରୁ ଯମରାଜା ନଚିକେତାକୁ ଅନ୍ୟାନ୍ୟ ପ୍ରଲୋଭନ ଦେବାକୁ ଚେଷ୍ଟା କଲେ ହେଲେ ନଚିକେତା ରାଜି ହେଲେ ନାହିଁ ।

ଯମରାଜା କହିଲେ ଏ ସଂସାର ହେଉଛି ଗୋଟିଏ ଚାରଣଭୂମି ସଦୃଶ୍ୟ ଆଉ ଜୀବନ ଯେଉଁଛି ତା ଉପରେ ଏକ ରାସ୍ତା । ଆମ ଶରୀର ଏ ପଥରେ ଗୋଟିଏ ରଥ , ଇନ୍ଦ୍ରିୟ ଗଣ – ରଥର ଘୋଡା , ମନ- ଲଗାମ୍ , ବୁଦ୍ଧି – ସାରଥୀ , ଆତ୍ମା- ରଥାରୋହୀ । ଇନ୍ଦ୍ରିୟ ସବୁ ବିଭିନ୍ନ ଦିଗରେ ଯିବାପାଇଁ ବ୍ୟାକୁଳ, ଯେମିତି ଘୋଡ଼ାମାନେ ତୃଣହୀନ ପଥରୁ ଓହରି ସବୁଜ ଘାସ ଖାଇବାକୁ ବ୍ୟାକୁଳ । ମନ ହେଉଛି ଲଗାମ୍ ଯିଏ ଇନ୍ଦ୍ରିୟ ମାନଙ୍କୁ ସଂଜତ ରଖିପାରିବ । ଯେମିତି ଘୋଡା ରାସ୍ତାରେ ନରହିଲେ ରଥାରୋହି ନିଜ ଗନ୍ତବ୍ୟରେ ପହଞ୍ଚି ପାରିବନି , ସେମିତି ଯଦି ସବୁ ଇନ୍ଦ୍ରିୟ ନିଜ ନିଜ ରସ ରେ ମଜ୍ଜି ରହିଲେ ଜୀବନ ପଥଭ୍ରଷ୍ଟ ହୋଇଯିବ ।

ଯମରାଜା ଏ ପ୍ରସଙ୍ଗ ରେ ପ୍ରେୟ ଓ ଶ୍ରେୟ ଦୁଇ ଶବ୍ଦ ର ବ୍ୟବହାର କରିଛନ୍ତି । ମଣିଷ ଜୀବନର ଅନେକ ଦ୍ଵନ୍ଦରେ ପ୍ରେୟ ଓ ଶ୍ରେୟ ଦୁଇଟି ବିକଳ୍ପ ରୂପରେ ଆସିଥାନ୍ତି । ଯେମିତି ଶୋଇବି ନା କାମ କରିବି, ସୁସ୍ୱାଦୁ କୁଖାଦ୍ୟ ଖାଇବି ନା ସରଳ ସୁଖାଦ୍ୟ, ଅନୀତି ରେ ଧନ ଅର୍ଜନ କରିବି ନା ନାହିଁ, ଇତ୍ୟାଦି ଇତ୍ୟାଦି । ପ୍ରେୟର ମାର୍ଗ କ୍ଷଣିକ ସୁଖର ମାର୍ଗ ଯାହା ଆମକୁ କ୍ଷଣସ୍ଥାୟୀ ଇନ୍ଦ୍ରିୟ ସୁଖ ପର୍ଯ୍ୟନ୍ତ ହିଁ ନେଇଯାଏ, ହେଲେ ଶ୍ରେୟର ମାର୍ଗ , ଶ୍ରେଷ୍ଠତାର ମାର୍ଗ, ଯାହା ଇନ୍ଦ୍ରିୟ ସୁଖର ପରେ ଚିରସ୍ଥାୟୀ ସୁଖକୁ ନେଇଯାଏ ।

ଯେମିତି ରଥ ଓ ପଥର ବ୍ୟାଖ୍ୟାରେ ସବୁଜ ଘାସ ପ୍ରେୟର ପ୍ରତୀକ ଆଉ ତୃଣହୀନ ସଠିକ୍ ପଥ ଶ୍ରେୟର ପ୍ରତୀକ । ଯେମିତି ସବୁଜ ଘାସ ପଥ ତୁଳନାରେ ବହୁତ ବିସ୍ତୀର୍ଣ୍ଣ ସେମିତି ପ୍ରେୟ ଇନ୍ଦ୍ରିୟ ଭୋଗର ସୀମା ନାହିଁ । ହେଲେ ଶ୍ରେୟ ର ମାର୍ଗ ବହୁତ ସଂକୀର୍ଣ୍ଣ । ଶ୍ରେୟର ପଥରେ ବହୁତ କମ୍ ବିକଳ୍ପ ଥାଏ । ଯେମିତି କାମକରିବାରେ କାମକରିବା ହିଁ ବିକଳ୍ପ ହେଲେ କାମ ନକରିବାରେ ଅନେକ ବିକଳ୍ପ – ଟିଭି ଦେଖିବା , ମୋବାଇଲ୍ ରେ ସର୍ଫିଙ୍ଗ୍ କରିବା , ଗପ କରିବା ଆଦି ଅନେକ । ଶ୍ରେୟର ମାର୍ଗରେ ଇନ୍ଦ୍ରିୟ ସୁଖ ପ୍ରାଥମିକତା ନୁହେଁ , ନା ଅଛି ବିକଳ୍ପ ଚୟନର ସ୍ୱାଧୀନତା । ଏଥିପାଇଁ ଯମରାଜା କହିଛନ୍ତି ଶ୍ରେୟର ମାର୍ଗରେ ଚାଲିବା ବହୁତ କଷ୍ଟ । ଆଉ କହିଛନ୍ତି ଶ୍ରେୟର ମାର୍ଗ କ୍ଷୁରର ଧାର ରେ ଚାଲିବା ସଦୃଶ୍ୟ, କଷ୍ଟସାଧ୍ୟ ଓ ସଂକୀର୍ଣ୍ଣ ।

ହେଲେ ପ୍ରଶ୍ନଉଠେ, ଏତେ କଷ୍ଟସାଧ୍ୟ ପଥରେ ଚାଲିବା କ’ଣ ଜରୁରୀ ? ଆଜି ଆମେ ବିକଶିତ ଓ ସ୍ଵତନ୍ତ୍ର , ଜୀବନକୁ ଉପଭୋଗ ନକରି ଶ୍ରେୟର କଷ୍ଟ , ସ୍ୱଳ୍ପ ସ୍ଵତନ୍ତ୍ରତାର ମାର୍ଗ ରେ ଚାଲିବା କାହଁକି ?

ଆମେ ଜାଣିରଖିବା ଉଚିତ ଯେ ମନୁଷ୍ୟ କେବେଳ ଏକ ଜୀବ ନୁହେଁ । ମନୁଷ୍ୟ ପ୍ରକୃତିର ସବୁଠାରୁ ବୁଦ୍ଧିଶାଳୀ ସୃଷ୍ଟି । ଯାହାର ଅତୁଳନୀୟ ବୋଧଶକ୍ତି ମାନବକୁ ଅସୀମ ଶକ୍ତିର ଅଧିକାରୀ କରିଦେଇଛି । ଇତିହାସ ପୃଷ୍ଠାରେ ମଣିଷର ଅସୀମ ଶକ୍ତିର ଅନେକ ଉଦାହରଣ ରହିଛି । ଜଣେ ମଣିଷ ସମ୍ପୂର୍ଣ୍ଣ ବିଶ୍ୱକୁ ଯୁଧ୍ୟରେ ଝାସଦେଇପାରେ । ଜଣେ ମଣିଷ କୋଟି କୋଟି ଲୋକଙ୍କର ବୁଦ୍ଧିଭ୍ରଷ୍ଟ କରିପାରେ । ମନୁଷ୍ୟ ପୃଥିବୀ ପୃଷ୍ଟ ଛାଡି ଚନ୍ଦ୍ରମାରେ ଅବତରଣ କରିପାରେ ।

ମନୁଷ୍ୟର ଏହି ଅସୀମ ଶକ୍ତି ର ଅଧିକାରୀ ହେବା, ମନୁଷ୍ୟକୁ ଉତ୍ତରଦାୟୀ କରିଦେଇଛି ତଦ୍ସମ ଦାୟିତ୍ୱର । ପ୍ରକୃତିର ଉଚ୍ଚକ୍ଷମତା ସମ୍ପନ୍ନ ସନ୍ତାନ ଭାବରେ ଆମର କର୍ତ୍ତବ୍ୟ ରହୁଛି ଆମେ ପ୍ରକୃତିର ସଂରକ୍ଷଣ କରିବା, ଆମ ସମାଜର ସଂରକ୍ଷଣ କରିବା । ପ୍ରକୃତି ଓ ସମାଜର କଲ୍ୟାଣ ହିଁ ମନୁଷ୍ୟର ଶ୍ରେଷ୍ଟ କର୍ତ୍ତବ୍ୟ ଓ ପରମ ଲକ୍ଷ ।

ମନୁଷ୍ୟର କର୍ମ ପ୍ରକୃତି ଓ ସମାଜର କଲ୍ୟାଣକାରୀ ହେବ ଯେବେ ମନୁଷ୍ୟ ଉପଭୋକ୍ତାବାଦୀ ପ୍ରେୟର ମାର୍ଗ ଛାଡି ଆତ୍ମସଂଯମ ଶ୍ରେୟର ମାର୍ଗରେ ଚାଲିବ ।

To Top