ଅନୁଭୂତି

ମନର ଅକୁହା କଥା

Madhusmita Panigrahi's odia cognition Manara Akuhaa Kathaa

ଏମିତି କଥା ତ ଆଉ କାହା ସହ ସେୟାର କରିପାରିବି ନାହିଁ ତେଣୁ ଏମିତି ଶାନ୍ତିରେ ବସିକି ଡାଏରୀ ରେ କିଛି ଲେଖି ଦେଇକି ମନକୁ ସାନ୍ତ୍ବନା ଦେବା କଥା ଯାହା ।

ମନର ଅକୁହା କଥା

ବିଳମ୍ବିତ ଦିବସ ସମୟ । ଭାରି ଇଚ୍ଛା ଲାଗେ ପଦେ କିଛି ଲେଖିବାକୁ । ଜାଣିଛି ଯଦିଓ ମୁଁ କହେ ଏତେ ବଡ଼ ଲେଖିକା ନୁହେଁ ତଥାପି କାହିଁକି କେଜାଣି ଆଜି ଭାରି ଇଚ୍ଛା ହେଉଛି କିଛି ଲେଖିବାକୁ । ମନେ ପଡ଼ିଯାଏ ସେହି ପୁରୁଣା ଦିନ କଥା, ସେହି ବିଦ୍ୟାଳୟ ସମୟ କଥା ହଠାତ୍‌ ପଢି ବସିଲେ ମୋର ପାଠ ଅପେକ୍ଷା ବାହାର ଜଗତ ବିଷୟରେ ଲେଖିବାକୁ ଭାରି ଇଚ୍ଛା ହୁଏ । ମନେ ମନେ ଭାବୁଥାଏ ଅନେକ କିଛି । କିଛି କବିତା ହେଉ ଅଥବା କିଛି ଛୋଟ ଗଳ୍ପ, ବାସ୍‌ ଅଳ୍ପ କିଛି ଲେଖିଦେଲେ ମନରେ ଆନନ୍ଦ ଭରିଯାଏ ।

ଶୁଣିଥିଲି ଯେତେବେଳେ ଆମ ମନରେ କିଛି କଥା ଭାସି ବୁଲୁଥାଏ, ଖାଲି ଛଟ୍‌ପଟ ହୁଏ ବାହାରକୁ ବାହାରି ଆସିବାକୁ । ଯଦି କେହି ଅନ୍ତରଙ୍ଗ ମିଳିଯାଏ ତେବେ ସେ କଥା ସବୁ ତାହା ସହ ଆପାଣାଛାଏ ସେୟାର ହୋଇଯାଏ । ମାତ୍ର ଯଦି ସେମିତି କିଛି ହେବାର ନାହିଁ ତେବେ ଏକମାତ୍ର ସର୍ବୋତ୍ତମ ଉପାୟ ହେଲା ତାକୁ ଲେଖା ଆକାରରେ ପ୍ରକାଶ କରିଦେବା । ଛୋଟବେଳୁ ତ ବାପାଙ୍କ ଆକଟ ସାଙ୍ଗ ସାଥୀଙ୍କ ସହ ବେଶୀ ମିଶାମିଶି କରିବାକୁ ବାରଣ କରନ୍ତି, ଯଦିଓ ମୁଁ ମୋ ମାଆ ଆଉ ବୋଉଙ୍କ ଅନୁମତି କ୍ରମେ ବାପାଙ୍କ ଆଢୁଆଳରେ ସାଙ୍ଗ ମାନଙ୍କ ସହ ଯାଇ ମିଶାମିଶି କରେ । ସେଥିରେ ଥାଏ ମୁଁ ଧୁରନ୍ଧର । ମାତ୍ର ବାପୁନ ଏତେ ବେଶୀ ନ ଥାଏ ।

ମାମୁଁ ସେତେବେଳେ ଏଲ.ଆଇ.ସି.ରେ ଏଜେଣ୍ଟ୍‌ ଥିଲେ । ତେଣୁ ପ୍ରତିବର୍ଷ ମାମୁଁ ମୋତେ ଗୋଟେ ଡାଏରୀ ଦିଅନ୍ତି । ସେ ଡାଏରୀ ପାଇଲେ ଯେ ମୋତେ ଏତେ ଖୁସି ଲାଗେ ତାହା ବର୍ଣ୍ଣନା କରିହେବ ନାହିଁ । ସେହି ଡାଏରୀ ମାନଙ୍କରେ ମୁଁ ମନଇଚ୍ଛା ଲେଖିଯାଏ, ଯାହା ମୋତେ ଭଲ ଲାଗେ । ହେଲେ କଲେଜ ସମୟ ଏ ସବୁ ଅଭ୍ୟାସ କୁଆଡେ କେଜାଣି ଲୁଚିଗଲା । ସବୁ ସମୟ କଲେଜ୍‌, ଟ୍ୟୁସନ୍‌ ଏବଂ ପଢାପଢିରେ ଗଲା । କୌଣସି ବଳକା ସମୟ ମିଳୁ ନ ଥିଲା କିଛି ଲେଖାଲେଖି କରିବାକୁ । ବହୁତ ବ୍ୟସ୍ତତାରେ କଟିଗଲା ଯୁକ୍ତ ଦୁଇ ପାଠପଢ଼ା ।

ମାତ୍ର D.El.Ed ପଢ଼ା ସମୟରେ ମୁଁ ପ୍ରଥମ ଥର ପାଇଁ ଘର ଠାରୁ ୩୫୦ କି.ମି. ଦୂରରେ ହଷ୍ଟେଲ୍‌ରେ ରହିଲି । ସେଠି ତ ସମସ୍ତଙ୍କ ମୁହଁ ନୂଆ ନୂଆ ଦିଶୁଥାଏ । ବହୁତ ଅଲଗା ଅଲଗା ଲାଗେ ସେଠି । ହେଲେ ଏହି ନିଃସଙ୍ଗତା ବେଶିଦିନ ରହିଲା ନାହିଁ । କାହିଁକି ନା ସେଠାକାର ସମସ୍ତ ପିଲା ତ ବହୁତ ଦୂରାରୁ ଆସିଥିଲେ ସେଥିପାଇଁ ମାତ୍ର ଅଳ୍ପ କିଛି ଦିନ ପରେ ସମସ୍ତେ ମିଶିଗଲୁ । ଏମିତିରେ ବି ମୋତେ ମିଶାମିଶି କରିବାକୁ ବହୁତ ଭଲ ଲାଗେ । ସେଥିପାଇଁ ଯେଉଁଆଡେ ଗଲେ ମଧ୍ୟ ପ୍ରଥମେ ପ୍ରଥମେ କାହା ସହ ମିଶିଲେ ଠିକ୍‌ ହେବ କି ନାହିଁ, ଏମିତି ଅନେକ ପ୍ରଶ୍ନ ମୋ ମନରେ ଉଙ୍କି ମାରିଥାଏ । ଅଳ୍ପ କିଛି ଦିନ ଭିତରେ ସମସ୍ତ ପ୍ରଶ୍ନ ମୋ ମନରୁ କୁଆଡେ ଉଭେଇ ଗଲା ।

ସବୁଠାରୁ ବଡ଼ କଥା ହେଲା ଆମେ ସମସ୍ତେ ଗୋଟିଏ ଶ୍ରେଣୀରେ ଥିଲୁ । ପାଠ ପଢିବା ସମୟରେ ବହୁତ ମସାଲାଦାର କଥା ପଡିଥାଏ ସମବୟସୀ ହେଲେ ଯାହା ହେବା କଥା ଆଉ । ତା ଭିତରେ ମୋର ସ୍ମୃତି ସାଉଣ୍ଟିବା କାମ ଚାଲିଥାଏ । ସମସ୍ତେ ପାଠାପଢ଼ିସାରି ଯେତେବେଳେ ଶୋଇବାକୁ ଯାଉଥିଲୁ ଆମ ରୁମ୍‌ର କିଛି ପିଲା ଡାଏରୀରେ କିଛି ଲେଖୁଥିଲୁ, ତା ପରେ ଶୋଉଥିଲୁ । ଜାଣିବାକୁ ପାଇଲି ଯେ ଶୁଭ, ବନଜା ଆଉ ସରସ୍ବତୀ ସେମାନେ କିଛି ନା କିଛି କବିତା ନ ହେଲେ ଦୈନନ୍ଦିନ ଘଟୁଥିବା ଘଟଣାମାନ ଲେଖନ୍ତି । ମୁଁ ମଧ୍ୟ ସେଇଟା କରେ । ତେଣୁ ମୋତେ ଆଉ ଟିକେ ଅଧିକ ପ୍ରେରଣା ମିଳିଗଲା । ମୁଁ ଦିନ ଯାକର ଘଟିଥିବା ସମସ୍ତ ଘଟଣା , ରାତିରେ ଶୋଇବା ପୂର୍ବରୁ ମନ ମଧ୍ୟକୁ ଆଣେ ଏବଂ ତାକୁ ମୋ ଡାଏରୀରେ ଲିପିବଦ୍ଧ କରିଦିଏ । ତା ପରେ ମନକୁ ଟିକେ ଶାନ୍ତି ମିଳେ । ସତରେ ଯେଉଁ ଘଟଣାମାନ ଆମେ ଆଉ କାହାକୁ ଜଣାଇ ପାରନ୍ତି ନାହିଁ , ତାକୁ ଅତି ସୁନ୍ଦରଭାବେ ଲେଖା ଆକାରରେ ପ୍ରକାଶ କରିପାରନ୍ତି । ଆଉ ମନରେ ଘାଣ୍ଟି ଗୋଳେଇ ହେଉଥିବା କଥାସବୁ ଯଦି ବାହାରକୁ ଚାଲି ଆସେ ତେବେ ଗୋଟେ ଅଲଗା ପ୍ରକାର ଶାନ୍ତି ମିଳେ ।

ଏମିତି ସବୁ ଅନେକ କଥା ମାନେ ପଡେ, ଯେତେବେଳେ ସ୍କୁଲ ଛୁଟି କରି ଆସି ରୁମ୍‌ର ବାଲ୍କୋନି ଉପରେ ଠିଆ ହୋଇଥାଏ । ଆଜି ବହୁତ ଦିନ ପରେ ମୋର ସେହି ପୁରୁଣା ଅଭ୍ୟାସଟା ପୁଣିଥରେ ଜାଗି ଉଠିଛି । ହଷ୍ଟେଲ ଭଳି ମଧ୍ୟ ଏଠି ୧୦ ରୁ ୪ ସ୍କୁଲ୍‌ ସମୟ । ଆଉ ତା ପରେ ଖାଲି ବୋରିଂ ହେବା କଥା । ଅବଶ୍ୟ ଏଠି ରୋଷେଇ କରିବାକୁ ପଡେ । ଆଉ ଅବା କ’ଣ କାମ । ଚାରିଜଣ ଝିଅ ସାଙ୍ଗ ହୋଇ ରହୁଛୁ । ସମସ୍ତଙ୍କର ଅଲଗା ଅଲଗା ସ୍କୁଲ୍‌ । ଅପରାହ୍ନ ୪ରୁ ସକାଳ ଯାଏ ସାଙ୍ଗ ହୋଇ ରହୁ । ତା ପରେ ଯିଏ ଯାହାର କାମରେ ବାହାରି ଯାଉ । ଅବଶ୍ୟ ପ୍ରଥମେ ପ୍ରଥମେ ମୋତେ ସବୁ ରୋଷେଇ କରିବାକୁ ପଡୁଥିଲା ହେଲେ ବର୍ତ୍ତମାନ ସମସ୍ତେ ଜାଗି ଉଠିଛନ୍ତି । ସମସ୍ତେ ମୋତେ କାମରେ ସାହାଯ୍ୟ କରନ୍ତି । ଘରେ ତ ଏମିତି କେବେ ରୋଷେଇ କରିବାର ଅଭ୍ୟାସ ନ ଥିଲା । ତେଣୁ ପ୍ରଥମେ ପ୍ରଥମେ ଭାରି କଷ୍ଟ ହୋଇଛି ମତେ । ହେଲେ ବର୍ତ୍ତମାନ ସବୁ କିଛି ଠିକ୍‌ ଠାକ୍‌ ।

ରୋଷେଇ ଘରକୁ ପଶିଗଲେ ମୋତେ ଲାଗେ ଯେମିତି ମୁଁ ଏ ଘରର ମାଲିକାଣୀ । ଅବଶ୍ୟ ଏଇଟା ଟିକେ ମାତ୍ର ଅଧିକା ଭାବନା ହୋଇଗଲା । ଭାରି ଭଲ ଲାଗେ, ସାଙ୍ଗ ମାନଙ୍କ ସହ ମିସି ସମାନ ବୃତ୍ତୀଧାରୀ ହୋଇ । ନୂଆ ନୂଆ ରୋଷେଇ ଶିଖିବାରେ ଭାରି ମନ ଥାଏ ମୋର । ଛୁଟିଦିନ ମାନଙ୍କରେ ଭଲ ଭଲ ଆଇଟମ୍‌ ସବୁ ରୋଷେଇ କରି ଖାଇଥାଉ । ସମସ୍ତଙ୍କର ସହ ମିଳିମିଶି ଚାଲିଲେ, ଘର କଥା ଭୁଲି ହୋଇଯାଏ । ମାତ୍ର, ଯେବେ ଯେବେ ଦେହ ଖରାପ ଥାଏ ଆଉ ଯଦି ଆହାଃ ବୋଲି କହିବାକୁ ପାଖରେ କେହି ନ ଥାନ୍ତି ତେବେ ଘର କଥା ବହୁତ ମନେ ପଡେ ।

ଆଗରୁ ତ ଘରୁ ଏତେ ଫୋନ୍‌ ଆସୁଥିଲା ଯେ କଲ୍‌ ରିସିଭ କରିବା ପାଇଁ ବିରକ୍ତ ଲାଗୁଥିଲା । ହେଲେ ବହୁତ ଖୁସି ଲାଗେ କି ଘର ଲୋକ ମୋତେ ବହୁତ ମନେ ପକାଉଛନ୍ତି ବୋଲି । ଘର ଲୋକ କହିଲେ ବୋଉ ହିଁ ମୋତେ ସବୁଠୁଁ ଅଧିକ ଫୋନ୍‌ କରେ । ସାନ ମାଇଁ ବି ଦିନକୁ ଦୁଇଥର ଫୋନ୍‌ କରନ୍ତି । ସାନ ମାଉସୀ ଦିନକୁ ଥରେ ହେଉ ପଛକେ କିନ୍ତୁ ପ୍ରତ୍ୟେକ ଦିନ ସେ କଲ୍‌ କରନ୍ତି । ଆଜିକାଲି ଘରୁ ମୋତେ ବହୁତ କମ୍‌ କଲ୍‌ ଆସୁଛି । ବୋଧ ହୁଏ ଘରେ ସମସ୍ତେ ବହୁତ ବ୍ୟସ୍ତ ସେଥିପାଇଁ । ଏମିତି ବି ହୋଇପାରେ କି ଘରଲୋକ ଭାବୁଛନ୍ତି ଝିଅ ତ ଏତେ ଦିନ ହେଲାଣି ସେଠିକୁ ଗଲାଣି ଆଉ ଗୋଟିଏ ପ୍ରକାର ଚିରସ୍ଥାୟୀ ହେଇକି ରହିଗଲାଣି । ତେଣୁ ମୋ ଆଡେ ଦୃଷ୍ଟି କମ୍‌ ହୋଇଯାଇଛି ।

ପ୍ରକୃତ କଥା ହେଲା ଆଜି ମୋତେ ଘର କଥା ବହୁତ ମନେ ପଡୁଛି । ସାଙ୍ଗମାନେ ଯେତେବେଳେ ସେମାନଙ୍କ ଘର ଲୋକଙ୍କ ସହ କଥା ହେଉଛନ୍ତି, ମୁଁ ଆସିକି ବାଲକୋନୀରେ ନିରୋଳାରେ ବସି ଡାଏରୀ ଲେଖୁଛି । ଆଜିକୁ ଦୁଇ ମାସ ହୋଇଗଲା ଘରକୁ ଯାଇନାହିଁ । ପ୍ରତି ମାସ ନିଶ୍ଚୟ ମୁଁ ଘରକୁ ଯାଏ, ହେଲେ ଦୁଇମାସ ଯେ ମୁଁ କେତେ କଷ୍ଟରେ ଅଛି, ସେ କଥା ଖାଲି ମୁଁ ଜାଣିଛି । ଆଗରୁ ଭିଡ଼ିଓ କଲ୍‌ରେ ଘଣ୍ଟା ଘଣ୍ଟା ଧରି ଘର ଲୋକଙ୍କ ସହିତ କଥା ହୋଇଛି । ହେଲେ ଆଜିର ସମୟ ବହୁତ ବଦଳି ଯାଇଛି ସତରେ । ଘରକୁ ଯଦି ମୋ ଆଡୁ କଲ୍‌ ଯାଉଛି, ତେବେ ଅଳ୍ପ ସମୟ କଥା ହୋଇକି ବ୍ୟସ୍ତବ୍ୟସ୍ତତାରେ ଫୋନ୍‌ ରଖି ଦେଉଛନ୍ତି । ଆଜି ତ ଏମିତି ଲାଗୁଛି ଯେମିତି ମୁଁ ବର୍ତ୍ତମାନ ଏ ଚାକିରୀ ଛାଡିକି ପଳାନ୍ତି । ହେଲେ ଏଇଟା ବା କେମିତି ସମ୍ଭବ କଥା । ଏମିତି କଥା ତ ଆଉ କାହା ସହ ସେୟାର କରିପାରିବି ନାହିଁ ତେଣୁ ଏମିତି ଶାନ୍ତିରେ ବସିକି ଡାଏରୀ ରେ କିଛି ଲେଖି ଦେଇକି ମନକୁ ସାନ୍ତ୍ବନା ଦେବା କଥା ଯାହା ।

To Top