ଅନୁଭୂତି

ପିକ୍‌ନିକ୍

Dr Anita Panda

ସମସ୍ତ ସମୟ ରୋଗୀ ମାନଙ୍କ ସହ ବିତାଇବାକୁ ପଡିବ । ସାର୍ କହୁଥିଲେ ଯିଏ ଯେତେ ବେଶୀ ସମୟ ରୋଗୀ ମାନଙ୍କ ସହ ସମୟ ବିତାଇବ ତାର ପରିପକ୍ୱତା ସେତିକି ଅଧିକ ହେବ

ପିକ୍‌ନିକ୍

ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀ ମାନଙ୍କର ରାଗିଙ୍ଗ୍‌ ଶେଷ ହେଲା ପରେ । ଅଭ୍ୟର୍ଥନା କଲେଜର ପଦ୍ଧତି, ତାହା ଫିଜୋଲୋଜି ପ୍ରଫେସରଙ୍କ ନେତୃତ୍ୱରେ ବ୍ୟବସ୍ଥା ହୁଏ । ଆମେ ସମସ୍ତେ ପ୍ରଫେସର ସେନ୍‌ଙ୍କୁ ଅନୁନୟ କରିଥିଲୁ ଏ ବର୍ଷ କଲେଜରେ ଅଭ୍ୟର୍ଥନା ସଭା ପାଳନ ନ କରି ପିକନିକ୍ ଗଲେ ଭଲ ହୁଅନ୍ତା । ତାହା ଦ୍ୱାରା ଆମେ ନିଜ ନିଜର ସହପାଠୀ ମାନଙ୍କ ସହିତ ବିଶେଷ ଭାବେ ଅନ୍ତରଙ୍ଗ ହେବା ସହ ଗୋଟିଏ ନୂଆ ଜାଗା ଦେଖିବାର ସୁଯୋଗ ଅନାୟାସରେ ମିଳିଯିବ ।

ମାତ୍ର ପ୍ରଫେସର ବାରଣ କଲେ । ଅଭ୍ୟର୍ଥନା ସଭାର ଉଦ୍ଦେଶ୍ୟ କେବଳ ନିଜ ନିଜ ସହପାଠୀ ମାନଙ୍କ ପାଇଁ ନୁହେଁ, ଏହା ଦ୍ୱାରା ତୁମମାନଙ୍କର ସିନିୟର ମାନଙ୍କ ଠାରୁ ଦୂରତ୍ୱ କମ୍ ରହିବ ଏବଂ ସମସ୍ତ ଟିଚର ମାନେ ତୁମମାନଙ୍କ ବିଷୟରେ ଅବଗତ ହେବେ । ସତେ ତ—– ସେ ଦିନ ଆମେ ମାନେ ଅଭିଜ୍ଞତାର ମୂଲ୍ୟବୋଧ କରିଥିଲୁ । ହେଲେ ନୀଳକଣ୍ଠ, ନାରାୟଣ, ନୀହାର, ନିୟତି, ନରହରି, ନିମାଇଁ ଜିଦି କରି ବସିଲେ, “ଆମେ ପିକନିକ୍ ଯିବୁ” । ସେଇଆ ହେଲା । ଅଭ୍ୟର୍ଥନା ସନ୍ଧ୍ୟାରେ କେବଳ ପ୍ରଥମ ବାର୍ଷିକ ଛାତ୍ର ମାନଙ୍କ ପାଇଁ ନୁହେଁ ସମସ୍ତ ଛାତ୍ର ମାନଙ୍କ ପାଇଁ ଆସନ୍ତା ମାସରେ ଭିନ୍ନ ଭିନ୍ନ ଛୁଟୀଦିନରେ ପିକନିକ୍‌ର ବ୍ୟବସ୍ଥା କରାଯିବ ବୋଲି ପ୍ରିନ୍ସିପାଲ ଘୋଷଣା କଲେ । ପ୍ରଥମ ଉଦ୍ଦିଷ୍ଟ ଥିଲା ପ୍ରଥମ ବାର୍ଷିକ ଛାତ୍ର ମାନଙ୍କ ପାଇଁ । ସିନିଅର ମାନେ ଆମ ଉପରେ ବହୁ ଖୁସି । ଆମେ ମାନେ କେବେ କେବେ ଲୁଚି ଛପି ପିକନିକ୍ ଆରେଞ୍ଜ କରୁ । ତୁମ ମାନଙ୍କ ପ୍ରଚେଷ୍ଟାରେ ଏ ବର୍ଷ ଏହା ଏକ ଅଫିସିଆଲ ଏପିସୋଡ୍ ହୋଇଗଲା ।

ନିର୍ବାଚନ ଓ ବାର୍ଷିକ ଉତ୍ସବ :-

କଲେଜ ନିର୍ବାଚନ ଶେଷ ହୋଇ ଯାଇଥିଲା । ମୁଁ କୌଣସି ପୋଷ୍ଟ ପାଇଁ ପ୍ରାର୍ଥୀ ନ ଥିଲେ ମଧ୍ୟ ଆମର ନବ ନିର୍ବାଚିତ ମ୍ୟାଗାଜିନ୍ ସାଦକ ଶ୍ରୀ ଉମଶେ ପାଣିଗ୍ରାହୀ ପରେ ମତେ ତାଙ୍କ କମିଟିରେ କୋ ଅପ୍ଟେଡ୍ ସଭ୍ୟା ରୂପେ ନେଇଥିଲେ ।

ବାର୍ଷିକ ଉତ୍ସବ କୌଣସି କାରଣରୁ ଦୁଇବର୍ଷ ହେଲା ପାଳନ କରାଯାଇ ପାରି ନଥିଲା । ତେଣୁ ସଂପୂର୍ଣ୍ଣ କଲେଜଟା ଯେମିତି ପଡୁଛି ଉଠୁଛି । ଏଥର ମହା ସମାରୋହରେ ପାଳନ କରାଯିବ । କିଛି କିଛି ନୂତନ ପଦ୍ଧତି—- ପ୍ରଫେସର ଗଙ୍ଗାଧର ବେହେରା ଏବଂ ଡାଃ ବିଜୟାନନ୍ଦ ମତ ଦେଲେ ଏ ବର୍ଷ ନାଟକ ପ୍ରତିଯୋଗୀତା କରାଇବା । ସମସ୍ତେ ଏକମତ ।

ଏକ୍ସକରସନ :-

ଆମ ହସପିଟାଲ୍‌ରେ ମନସ୍ତାତ୍ତ୍ୱକ ରୋଗୀ ମାନଙ୍କ ପାଇଁ ବ୍ୟବସ୍ଥା ନ ଥିଲା ତେଣୁ ମାନସିକ ରୋଗୀମାନଙ୍କ ସଂସ୍ପର୍ଶରେ ଆସିବା ପାଇଁ ଆମକୁ ରାଞ୍ଚି (କାଙ୍କେ ମନସ୍ତାତ୍ତ୍ୱିକ ଚିକିତ୍ସାଳୟ ଯିବା ପାଇଁ ହେବ) । କଥାଟା ଶୁଣିବା ପରେ ମୋ ମନରେ କୌତୁହଳ ଆସିଲା । ସେଇ ଚିକିତ୍ସାଳୟ ବିଷୟରେ ସମ୍ୟକ୍ ଧାରଣା ନେବା ପାଇଁ ମୁଁ ମୀନକେତନ ସାର୍ ଙ୍କ ପାଖେ ପହଞ୍ଚିଲି ।

“ଡିଉଟି ତ କରିବାକୁ ହେବ । ଏ ବ୍ୟାଚ୍‌ରେ ଯିବାକୁ ଅସୁବିଧା ଅଛି ଯଦି ପର ବ୍ୟାଚ୍ ପାଇଁ ଅନୁରୋଧ କର । ଆମ ହସ୍ପିଟାଲ୍‌ରେ ମାନସିକ ରୋଗୀ ମାନଙ୍କ ପାଇଁ ସୁବିଧା ନ ଥିବାରୁ ସମସ୍ତେ ଚତୁର୍ଥ, ପଞ୍ଚମ ବର୍ଷରେ ଏଠାକୁ ଡିଉଟି କରିବାକୁ ଯାଆନ୍ତି ।

ମୁଁ ନ ଯିବା ପାଇଁ କହୁନି ସାର୍ । ଟିକିଏ ହସ୍ପିଟାଲ୍ ଏବଂ ସେଠା ରୋଗୀ ମାନଙ୍କ ବିଷୟରେ ଜାଣିବାକୁ ଚାହୁଁଛି ।

ଓଃ— ରୋଗୀ ମାନଙ୍କୁ ତ ସେଠାରେ ଦେଖିବ । ମୁଁ ହସପିଟାଲ୍ ବିଷୟରେ ଯେତିକି ଜାଣିଛି କହୁଛି ।

ଏହାର ସ୍ଥାପନା ବ୍ରିଟିଶ୍ ରାଜ୍ୟ ସମୟରେ ୧୯୧୮ ମସିହା ମେଁ ୧୭ ତାରିଖରେ ହୋଇଥିଲା । ସେତେବେଳେ ଏହାର ନାମ ରାଞ୍ଚ ଇଉରୋପିଆନ୍ ଲୁନେଟିକ୍ ଏସାଇଲମ (asylum) ନାମ ଥିଲା । ଭାରତ ସ୍ୱାଧୀନତା ଲାଭ କରିବା ପର୍ଯ୍ୟନ୍ତ ଏଠାରେ କେବଳ ଇଉରୋପିୟାନ୍ ମାନସିକ ରୋଗୀ ମାନଙ୍କର ଚିକିତ୍ସା ହେଉଥିଲା । ଏଇ ୬୪୩ ବେଡେଡ୍ ହସ୍ପିଟାଲ୍‌ଟି ୨୧୦ ଏକର ଜମି ଉପରେ ଅବସ୍ଥିତ । ୧୯୨୨ ରେ ଏହାର ନାମ ଇଉରୋପିୟାନ ମାନସିକ ଚିକିତ୍ସାଳୟ ରୂପେ ପରିଚିତ ହେଲା । ଏବଂ ଡିପ୍ଲୋମା ନିମନ୍ତେ ଲଣ୍ଡନ ୟୁନିଭରସିଟି ସଙ୍ଗେ ସଂଯୁକ୍ତ ହେଲା । ସ୍ୱାଧିନତା ପ୍ରାପ୍ତ ହେବା ପରେ ୧୯୪୮ ରେ ଏହାର ନାମ ପ୍ରଭିନ୍ସିଆଲ ମେଣ୍ଟାଲ୍‌ ହସ୍ପିଟାଲ୍, ୧୯୫୨ ରେ ହସ୍ପିଟାଲ୍ ଫର ମେଣ୍ଟାଲ୍‌ ଡିଜିଜେସ୍ ରଖାଗଲା ୧୯୫୪ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏହାର ପରିଚାଳନା ଭାର ଗ୍ରହଣ କରିଥିଲେ ।

କାଙ୍କେରେ ପହଞ୍ଚିବା ପରେ ମୁଁ ଅନୁଭବ କଲି ଆମେ ଯେମିତି କେଉଁ ଏକ ଅନ୍ୟ ଦୁନିଆରେ ଅଛୁ । ଏଠାର ରୋଗୀ ମାନେ ଆମ ହସ୍ପିଟାଲ୍ ରୋଗୀ ମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । କାହାରି ହେଲେ ଶାରୀରିକ ପୀଡା ନାହିଁ । ତଥାପି ଏମାନଙ୍କୁ ରୋଗୀ କୁହାଯାଏ । ଆମେ ସମସ୍ତେ ପ୍ରତିଦିନ ଡାଃ ରାୟଙ୍କ ରାଉଣ୍ଡ ପାଇଁ ଯାଇଥାଉ । ରୋଗୀ ମାନଙ୍କର ହାବ ଭାବ ଦେଖି ମୋ ଅନ୍ତର କାନ୍ଦି ଉଠେ । ମନ କହିଲେ କେଉଁ ଅର୍ଗାନ୍ଟିକୁ ବୁଝାଯାଏ ? ପ୍ରଥମ ବର୍ଷ ମଣିଷ ଶରୀରଟିକୁ ଖିନ୍ ଭିନ୍ କରି କାଟି ଆମେ ସମସ୍ତ ଅର୍ଗାନ ଗୁଡିକୁ ଦେଖୁଛୁ । ମାତ୍ର ମନ ନାମକ ଅର୍ଗାନଟିର ସ୍ଥିତି କେଉଁଠି । ଯଦି ମନ ବୋଲି ଗୋଟିଏ ଅର୍ଗାନ ଶରୀରରେ ନାହିଁ ତେବେ ଏହା ରୋଗାକ୍ରାନ୍ତ ହେବ କିପରି । ପ୍ରଫେସର ଡି.ଏନ୍ ମିଶ୍ରଙ୍କ କ୍ଲାସ୍ ମୁଁ ଖୁବ୍ ମନ ଦେଇ ଶୁଣିଛି । ସାର୍ କହୁଥିଲେ ରୋଗ କେବଳ ଅର୍ଗାନ ମାନଙ୍କୁ ହିଁ ଗ୍ରାସିଥାଏ । ସେତେବେଳେ ଯଦି ମୁଁ ମାନସିକ ରୋଗ ବିଷୟରେ ଜାଣିଥାନ୍ତି, ନିଶ୍ଚୟ ପ୍ରଶ୍ନ କରିଥାନ୍ତି ।

ରୋଗୀ ମାନଙ୍କର ହିଷ୍ଟ୍ରି ନେବା ପାଇଁ ସବୁଦିନ ଆମମାନଙ୍କୁ ଆଦେଶ ଥାଏ । ଯେତେ ଭଲ କରି ହିଷ୍ଟ୍ରି ନେଲେ ବି ପ୍ରଫେସର ରାୟ କହନ୍ତି, ଆହୁରି ଭିତରକୁ ଯାଅ ।

ରେଡି ସହ ନାୟାର କ୍ୟାଣ୍ଟିନ୍‌ ପାଖ ମୁହାଁ ମୁହିଁ ପରେ ମୋ ସଂଗେ ସିଧା କଥାବାର୍ତ୍ତା କରେନା । ପ୍ରେଟି ଅନ୍ନପୂର୍ଣ୍ଣାକୁ କହିଲା ତୁମ ସାଂଗ ତ ବହୁତ ପୂଜା ପୂଜି କରେ । ଭଗବାନ୍‌ଙ୍କୁ କହି ଅଦୃଶ୍ୟ ହୋଇ ରୋଗୀମାନଙ୍କ ମନ ଭିତରେ ପଶି ହିଷ୍ଟ୍ରି ସଂଗ୍ରହ କରି ଆଣି ଆମମାନଙ୍କୁ ଦେଉ ।

ମୋ ମନର ସନ୍ତୁଳନ ଆହୁରି ବଢିଗଲା । ଖୁବ୍ ଭଲ ଷ୍ଟୁଡେଣ୍ଟ୍‌ ନ ହେଲେ ମଧ୍ୟ ଦୁନିଆଦାରୀ ବିଷୟରେ ରେଡିକୁ ବେଶୀ ଜଣା । ଅର୍ଥାତ ମନ ନାମକ ଏକ ଅର୍ଗାନ ଶରୀରରେ ଅଛି । ମୁଁ ବୋଧେ ପ୍ରଫେସର ମିଶ୍ରଙ୍କ ଲେକ୍ଚର ଶୁଣିବା ସମୟରେ ଟିକିଏ ଢୁଳେଇ ପଡିଥିଲି ।

ଟ୍ରେନିଂ ଶେଷ ହେବା ପୂର୍ବରୁ ପ୍ରଫେସର ରାୟ ଷ୍ଟୁଡେଣ୍ଟସ ମାନଙ୍କର ପରୀକ୍ଷା ନିଅନ୍ତି । ଆମ ସମସ୍ତଙ୍କୁ କେଶ୍ ଆଲଟ୍ କରାଗଲା । କେମିତି କେଜାଣି ଗୋଟିଏ କେଶ୍ କମ୍ ପଡିଲା । ସାର୍ କହିଲେ, “ନୂଆ କରି ଆସିଥିବା ରେଗୀଟିର ହିଷ୍ଟ୍ରି ତୁମେ ନିଅ । ”

ସବୁ ସାଂଗ ମାନେ ୱାର୍ଡରେ ବସି ହିଷ୍ଟ୍ରି ନେଉଥିଲେ । କେଉଁ ରୋଗୀଟି ବହୁ ହସି ହସି କଥା କହୁଛି ତ କିଏ ଖୁବ୍ ଜୋର୍‌ରେ କାନ୍ଦୁଛି । ମୁଁ ଏକା ଏକା କ୍ୟାବିନ୍ ରୋଗୀ ପାଖରେ । ରୋଗୀଟି ମୁହଁ ଖୋଲୁନି । କ’ଣ ହିଷ୍ଟ୍ରି ନେବି ! ହେ ଭଗବାନ୍, ମୋ ଭାଗ୍ୟରେ କ’ଣ ତୁମେ ଖାଲି ଦୁଃଖ, ଦୁର୍ଦ୍ଦଶା ଲେଖିଛ । ଫାଷ୍ଟ୍‌ ଏମ୍.ବି.ବି.ଏସ୍ ର ଆନାଟୋମୀ ପରୀକ୍ଷା ମନେ ପକାଇଲି । ବଡି କମ୍ ପଡିଯାଇଥିଲା ବୋଲି ମତେ ହେଡ ଆଣ୍ଡ୍‌ ନେକ୍ ଡିସେକ୍‌ସନ୍ ଆଲଟ୍ ହୋଇଥିଲା । ଶୁଖିଲା ଶରୀରରୁ ଫ୍ୟାସିଆଲ୍ ନର୍ଭ ବାହାର କରିବା କାଠିକର ପାଠ ହୋଇଯାଇଥିଲା । ମୋରି ପାଇଁ କେବଳ କେଶ୍ ସର୍ଟ ପଡିଥାଏ । କାନ୍ଦ କାନ୍ଦ ହୋଇ ଆଡେ ସାଡେ ଦେଖୁଥିଲି । ଅଳ୍ପ ଦୂରରେ ସୁନୀଲ ବସିଥିଲା । ଉଠି ଆସି କହିଲା ମନ ଊଣା କରେ ନା । ତୋ ଉପରେ ବେଶୀ ଭରସା ଅଛି ବୋଲି ସାର୍ ତତେ ଡିଫିକଲ୍ଟ କେସ୍ ଦେଇଛନ୍ତି । କଡା କରି ସତ କହିବାକୁ ଗଲେ ମୋର ଏମ୍ ବି ବି ଏସ୍ ସମୟରେ ମୁଁ କେବଳ ପାଠ ଛଡା ଦୁନିଆ ବିଷୟରେ ମଧ୍ୟ ବହୁତ କିଛି ଶିକ୍ଷା ଲାଭ କରିଥିଲି ଯାହା ବିଷୟରେ ମୁଁ ପୂର୍ବରୁ ବହୁ ଅଜ୍ଞ ଥିଲି । ଏ ସବୁ କେବଳ ମୋର ସହପାଠୀ ସହ interaction ରୁ ସିନିଅର, ଟିଚର, କଲେଜ ଏବଂ ହଷ୍ଟେଲ୍ ପରିବେଶ ଏବଂ ସର୍ବୋପରି ରୋଗୀ ମାନଙ୍କ ପ୍ରାପ୍ତ ହୋଇଥିଲା । ଓଡିଶାର ଛାତ୍ର ଏବଂ ଶିକ୍ଷା ସମସ୍ୟାକୁ ଭିତ୍ତି କରି କଲେଜ୍‌ରେ ଧର୍ମଘଟ । ତେଣୁ ଆମର ଫାଇନାଲ୍ ପରୀକ୍ଷା ରେଜଲ୍ଟ ଆସିଥିଲା । ବର୍ତ୍ତମାନ ଆଉ ପୁସ୍ତକ କୀଟ ହେବାକୁ ପଡିବନି । ସମସ୍ତ ସମୟ ରୋଗୀ ମାନଙ୍କ ସହ ବିତାଇବାକୁ ପଡିବ । ସାର୍ କହୁଥିଲେ ଯିଏ ଯେତେ ବେଶୀ ସମୟ ରୋଗୀ ମାନଙ୍କ ସହ ସମୟ ବିତାଇବ ତାର ପରିପକ୍ୱତା ସେତିକି ଅଧିକ ହେବ ।

To Top