-: ପୂର୍ବରୁ :-
ସୈନ୍ୟମାନଙ୍କୁ ଏତେ ପାଖରୁ ଦେଖିଲା ପରେ ଅବିନାଶର ସେମାନଙ୍କ ପ୍ରତି ସମ୍ମାନ ବଢି ଯାଉଥିଲା । ଦଳେ ଅତି ଶୃଙ୍ଖଳିତ ମଣିଷ, ଏକା ପ୍ରକାର ପୋଷାକ ପିନ୍ଧି ମାର୍ଚ୍ଚ ପାଷ୍ଟ କରୁଛନ୍ତି । ଟ୍ରିଟ୍ ଫର ଦି ଆଏ । ବଡ ରୋଚକ ଦୃଶ୍ୟ । ଏହି ଶୃଙ୍ଖଳା ସେମାନଙ୍କୁ ଏତେ ଭିନ୍ନ କରି ତୋଳିଛି । ସେମାନେ ଯନ୍ତ୍ର ମଣିଷ ଭଳି ଚାଲୁଛନ୍ତି । ହାତ ଗୋଡ ଏକା ସାଙ୍ଗରେ ଠିକ୍ ଭାବେ ଉପର ତଳ ହେଉଛି । କିନ୍ତୁ ଅବିନାଶ ଜାଣେ ସେମାନଙ୍କ ଦେହରେ ରକ୍ତ ଅଛି, ଆଉ ଶରୀରରେ ଏକ ନରମ ମନ ଅଛି । ଅତି ନରମ ମନ । ଆଉ କାହାର ମନରେ ଆଘାତ ନକରୁଥିବା ମନ । ତାର ସୈନ୍ୟମାନଙ୍କ ପ୍ରତି ଆଦର ନୂଆକରି ତିଆରି ହୋଇଯାଇଥିଲା ।
ଛାଇକୁ ମଧ୍ୟ ଅବିନାଶର ବଦଳି ଯାଉଥିବା ମୁହଁର ଭାବ ବହୁତ ଭଲ ଲାଗୁଥିଲା । ଦାଉ ଦାଉ ଜଳୁଥିବା ମୁହଁ ସମସ୍ତଙ୍କୁ ଭଲ ଲାଗେ । ଅବିନାଶ ଛାଇକୁ ବଡ ଧ୍ୟାନରେ ଅନାଇଲା । ଛାଇର ଦେହରେ ଅଲିଭ ଗ୍ରୀନ୍ କପଡା ଜାଣି ହେଉଥିଲା । ରଙ୍ଗୀନ ଫିତା ସବୁ କଲର କଂଟ୍ରାଷ୍ଟ ଆଣୁଥିଲା । ସାର୍ଟର ପ୍ରତିଟି ବୋତାମ ଠିକ୍ ଥିଲା ଆଉ ପତଳ ଷ୍ଟାରରୁ ଆଲୋକର ପ୍ରତିଫଳନ ଆସୁଥିଲା । ହାତରେ ଆସଲ୍ଟ ରାଇଫଲ ଶୋଭା ପାଉଥିଲା । ସେ ରାଇଫଲ୍ ବ୍ୟବହାର ହୋଇ ସାମାନ୍ୟ ପୁରୁଣା ହୋଇଗଲାଣି । ଛାଇମଣିଷ ତାକୁ ଦୃଢଭାବେ ଧରିଥିଲା । ଏହା ହେଉଛି ଶକ୍ତି, ଏହା ହେଉଛି ସାହାସ, ଏହା ହେଉଛି ଭବିଷ୍ୟତର କଲମ । ଏହା ହେଉଛି ଛାଇ ମଣିଷର ଦୈବ । ହାତେ ଦେଢ ହାତ ଲମ୍ବ ଲୁହାର ଆସଲ୍ଟ ରାଇଫଲ୍ର ନଳୀ ଆକାଶକୁ ଲକ୍ଷ୍ୟ କରିଥିଲା । ଅବିନାଶକୁ ଲାଗୁଥିଲା ଯେମିତି ସେଥିରୁ ଧୂଆଁ ବାହାରୁଛି । ତାକୁ ସେ ରାଇଫଲକୁ ଧରିବା ପାଇଁ ଇଚ୍ଛା ହେଲା । ଶସ୍ତ୍ର ଧରିଲେ ମନର କି ପରିବର୍ତ୍ତନ ହୁଏ ଜାଣିବାକୁ ତାର ପ୍ରବଳ ମନ ହେଲା । ସତରେ କଣ ଆକ୍ସନ୍ର ସବୁଠାରୁ ବଡ ଯନ୍ତ୍ର ଏହି ରାଇଫଲକୁ ଧରି ସେ ନିଜକୁ ସୁପରମ୍ୟାନ ଭଳି ଅନୁଭବ କରିପାରିବ ? ତା ଭିତରେ କିଏ ସେଇ ରାଇଫଲ ପାଇଁ ଅନୁରୋଧ କରୁଥିଲା । ଏକ କିଶୋରକୁ ଏକ ଆମେରିକାନ୍ ଆର୍ମିର ଲମ୍ବା ଛୁରୀ ଦେଲେ ସେ ଘଣ୍ଟା ଘଣ୍ଟା ଧରି ଛୁରୀର ଧାରକୁ ଲକ୍ଷ୍ୟ କରେ ଆଉ ନିଜକୁ ଜଣେ ରାମ୍ବୋ ଭଳି ସାହାସୀ ଭାବେ । ନିଜ ଭିତରର ପ୍ରକୃତ ସାହାସର ଉଦ୍ବେଳନକୁ ତଉଲିବାପାଇଁ ଏକ ଅସ୍ତ୍ର ଦରକାର ।
ତୁମ ପାଖରେ ରହି ସବୁ କିଛି ଅଲଗା ଲାଗୁଛି । ତୁମର ଶକ୍ତି କଣ ସବୁବେଳ ପାଇଁ ରହିବ?- ଅବିନାଶ ପଚାରିଲା ।
ଅବିନାଶ, ଆଜିପାଇଁ କେବଳ ଶକ୍ତି ଅଛି । କେବଳ ଆଜିପାଇଁ ।- ଛାଇ ଏତିକି କହି ମୁଣ୍ଡ ହଲାଇଲା ।
ଛାଇ କହୁଛି ତାର ଶକ୍ତି ଅଛି । ତାହେଲେ କଣ ଛାଇ ଆଜି ରକ୍ତ ମାଂସର ଶରୀର ଧରି ଘର ଭିତରେ ପ୍ରକଟିତ ହୋଇପାରିବ । ତାକୁ କଣ ଛୁଇଁ ହେବ ? ଏକ ସୈନ୍ୟର ଦେହରେ ଜୋରରେ ଗରମ ରକ୍ତ ଦୌଡୁଥିବ । ତାକୁ ଛୁଇଁ ହେବକି ?
ତୁମେ କଣ ଜୀବନ୍ତ ଶରୀର କିଛି କ୍ଷଣପାଇଁ କି ପାଇ ପାରିବ ?- ଅବିନାଶ କହିଲା ।
ନା । ତାହା ସମ୍ଭବ ନୁହେଁ । ଏହା ନିୟମର ବାହାରେ । ମୋର ଶକ୍ତି ସୀମିତ । ମୁଁ ଅତୀତର ଶରୀରକୁ ଆଉ ବର୍ତ୍ତମାନ ଫେରି ପାଇବିନି । ଅତୀତର ଜୀବନ୍ତ କିଛି ହୋଇ ବର୍ତ୍ତମାନ ଉଭା ହୋଇପାରିବନି ।
ଆଚ୍ଛା କୁହ କାଲି କଣ ହେବ ?- ଅବିନାଶ ପଚାରିଲା ।
ଅବିନାଶ କାଲିଠାରୁ ମୁଁ ତୁମକୁ ଆଉ ଦେଖାଦେଇ ପାରିବିନି । କାଲିଠାରୁ ମୋର ଅନ୍ୟ ଏକ ଯାତ୍ରା ଆରମ୍ଭ ହେବ । ମୁଁ ଚାହିଁଲେ ମଧ୍ୟ ତୁମ ପାଖକୁ ଆସି ପାରିବିନି । ସତ କହିବାକୁ ଗଲେ କାଲିଠାରୁ ତୁମେ ମୋ ମନରୁ ସଂମ୍ପୂର୍ଣ ରୂପେ ବାହାରକୁ ଚାଲିଯିବ । ମୋ ମନ ଏକ ସିଲଟ ଭଳି ନୂଆ ହୋଇଯିବ । ସେଥିରେ କିଛି ଲେଖା ମଧ୍ୟ ନଥିବ ।
କିଛି ତୁମକୁ ମାଗିଲେ ତୁମେ କଣ ଦେଇ ପାରିବ ? ତୁମର ପରା କିଛି ଶକ୍ତି ଅଛି । – ଅବିନାଶ ପଚାରିଲା ।
ଛାଇ ପ୍ରଶ୍ନ କିଛି ବୁଝିପାରିଲା ନାହିଁ । ଛାଇର ଆଖି ଚାରିପାଖେ ଧୂଆଁ ଟିକେ ଜମାଟ ବାନ୍ଧିଗଲା ଆଉ କପାଳ ଟିକେ ଫୁଲିଗଲା । ଅବିନାଶ କଣ ଚାହୁଁଛି ? ଏକ ଧୂଆଁଠାରୁ କଣ ମାଗୁଛି ?
ଅବିନାଶ ମଧ୍ୟ ଅନେକ ଭାବିଥିଲା । ଛାଇର ରୂପ ତ ଜୀବନ୍ତ ନୁହେଁ । କିନ୍ତୁ ଅସ୍ତ୍ର ଶସ୍ତ୍ର, ପୋଷାକ ଏ ସବୁ ତ ଜୀବନ୍ତ ନୁହେଁ । ତେଣୁ ତାର ମାଗିବା କିଛି ଭୂଲ ହେବନାହିଁ ।
ଏମିତି କିଛି ସାଧାରଣ ଜିନିଷ । ତୁମର କିଛି ବ୍ୟବହୃତ ଜିନିଷ । ଦେଇପାରିବ?- ଅବିନାଶ କହିଲା । ତାକୁ ଅବଶ୍ୟ ରାଇଫଲସ୍ ମାଗିବାକୁ ଇଚ୍ଛା ଥିଲା । କିନ୍ତୁ ସହଜରେ କଥାଟା କହି ହେଉନି । ତେଣୁ ଏଣୁ ତେଣୁ ଗୋଳାଇ ଘାଣ୍ଟି କହୁଥିଲା । ତୁମ କଥା ଶୁଣି ଆଉ ତୁମ ବୀରତ୍ୱ ନିଜ ଆଖିରେ ଦେଖି ମୋର ଏକ ବଡ ଇଚ୍ଛା ହେଉଛି । କିନ୍ତୁ ସେଇଟା କେମିତି କହିବି ଜାଣି ପାରୁନି । ନିଜକୁ ମାଡି ପଡୁଛି । ତୁମର ଏକ ନିୟମିତ ଜିନିଷ ନେବା ପାଇଁ ଚାହୁଁଛି । ଏକ ପ୍ରିୟ ଜିନିଷ ।
କହିପାର ଅବିନାଶ । ସମ୍ଭବ ହେଲେ ନିଶ୍ଚିତ ଦେବି । କିନ୍ତୁ ମୋ ଶକ୍ତିର ମଧ୍ୟ ଏକ ସୀମା ଅଛି ।
ତୁମେ ଯୁଦ୍ଧରେ ବ୍ୟବହାର କରୁଥିବା ଏ କେ-୪୭ ଆସଲ୍ଟ ରାଇଫଲ ଦେବ ?- ଅବିନାଶ କହିଲା ଅତି ଧିରେ । ସେ ନିଜେ ଏ କଥା ଶୁଣି ପାରିଥିବ କି ନାହିଁ ସନ୍ଦେହ ।
ଅବିନାଶ ତୁମେ କଣ ପାଗଳ ହୋଇଗଲ କି ? ଅତି ଘାତକ ଅସ୍ତ୍ର ମାଗୁଛ ।
ତୁମକୁ ସେମିତି ଲାଗିପାରେ । କହିପାର ଯିଏ କିଏ ଶୁଣିବ ସେ ହସିବ । କହିବ ଅବିନାଶ ଏକ ବୋକା ।- ଅବିନାଶ ନିଜକୁ ନିଜେ କହିଲା । ଏମିତିଆ ଘାତକ ଅସ୍ତ୍ର୍ର ନେଇ କଣ ସେ ଯୁଦ୍ଧ କରିବାକୁ ଯାଉଛି ନା ମିଛରେ କେଉଁଠି ନରସଂହାର କରିବାକୁ ଯାଉଛି ?
ମୁଁ ଏକ ସୈନ୍ୟ । ସୈନ୍ୟ ତ ନିଜର ଅସ୍ତ୍ର ଦେଇ ନପାରେ ।- ଛାଇ ମଣିଷ ଉତ୍ତର ଦେଲା ।
ତା ମୁଁ ଜାଣେ । କିନ୍ତୁ ତୁମେ ତ ମରିସାରିଛ । ଆଉ ସେ ଅସ୍ତ୍ରର ଆବଶ୍ୟକତା ତୁମ ପାଖରେ ନାହିଁ ।
ଅବିନାଶ । ସାଧାରଣ ମଣିଷ ହିସାବରେ କଥାଟା ଅତି ବାସ୍ତବ । କିନ୍ତୁ ତୁମେ ବି ମୋତେ ମୃତ ଭାବିଲ ?
ଆରେ । ମୁଁ ନିଜକୁ କ୍ଷମା କରି ପାରିବି ନାହିଁ । ମୁଁ ତ ତୁମକୁ ମରିନ ବୋଲି ପ୍ରଥମରୁ ନିଶ୍ଚିତ କରିନେଇଥିଲି । କିନ୍ତୁ ଆଜି ମୋ ମୁହଁରେ ମନକୁ ମନ ସେ ଶବ୍ଦଟା ବାହାରି ଆସିଲା । କ୍ଷମା କରିବ । କିନ୍ତୁ ତୁମେ ମୋତେ ତୁମ ଆସଲ୍ଟ ରାଇଫଲ ଦେଇଦିଅ । ତୁମର ଆଉ ଆଗକୁ ଅସ୍ତ୍ରର ଆବଶ୍ୟକତା ନାହିଁ ।
ତା ତ ଠିକ୍ । କିନ୍ତୁ ଏ ସୈନ୍ୟର ଅସ୍ତ୍ର ନେଇ ତୁମେ କଣ ପାଇବାକୁ ଚାହୁଁଛ?
ଏକ ପ୍ରକୃତ ଯୋଦ୍ଧାର ଫିଲିଙ୍ଗ୍ ପାଇବାକୁ ଚାହୁଁଛି । ଅସ୍ତ୍ର ଧରିଲା ପରେ ଏକ ଯୋଦ୍ଧାର ଫିଲିଙ୍ଗ୍ ।
ଅବିନାଶ ତୁମ କଥା ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ଏକ ସୈନ୍ୟ । ଭାରତର ସୀମାରେ ନିଯୁକ୍ତ ହୋଇ ବୀରଗତି ପ୍ରାପ୍ତ ହୋଇଛି । କିନ୍ତୁ ସେଇଟା ତ ଯୁଦ୍ଧ କ୍ଷେତ୍ରରେ । ତୁମେ ଏ ଘର ଭିତରେ ଆସଲ୍ଟ ରାଇଫଲ ନେଇ କଣ କରିବ ? ଘର ଭିତରେ ଫିଲିଙ୍ଗ୍ ଖୋଜୁଛ !
ଆରେ ସତରେ ମୁଁ ଏକ ସୈନ୍ୟ ହେବାକୁ ଚାହୁଁଛି । କିଛି ନହେଲେ ବି କ୍ଷଣକ ପାଇଁ ମନରେ ।
ଡ୍ରଇଂ ରୁମରେ ସଜା ହୋଇଥିବା କାଠର ସୈନିକ କଥା କହୁଛକି? କେବଳ ଚିତ୍ରରେ ତିଆରି ହୋଇଥିବା ସୈନିକ । ଟେରାକୋଟା ସୈନିକ । ତୁମ କଥା ଶୁଣି ମୋତେ ବି ହସ ଲାଗୁଛି । ସେମାନେ ତ କାଠର ରାଇଫଲ ଧରି ଠିଆ ହୋଇଛନ୍ତି । ତୁମେ କଣ ସେମିତି ଅସ୍ତ୍ର ଧରି ଠିଆ ହୋଇ ଫଟୋ ଉାଠଇବାକୁ ଭାବିଛ କି? ଯୁଗ ଯୁଗକୁ ତୁମ ଫଟୋ ରହିଯିବ । ସମସ୍ତଙ୍କର ମନୋରଞ୍ଜନ କରୁଥିବ । କିନ୍ତୁ ତୁମେ ସେଥିରେ ନିଜକୁ ସୈନ୍ୟ ବୋଲି ପ୍ରତିପାଦନ କରି ପାରିବ ନାହିଁ ।
ଦେଖ ତୁମେ ସବୁ କିଛି ତ ଜାଣୁଛ । କିନ୍ତୁ ଫିଲିଙ୍ଗ୍ ନଥିଲେ ଜଣେ କଣ ସୈନ୍ୟ ହୋଇପାରିବ? ତୁମ ଅସ୍ତ୍ର ଧରିଲେ କିନ୍ତୁ କିଛି ତ ଫିଲିଙ୍ଗ୍ ଆସିବ ।
ଏକ ସୈନ୍ୟ ହେବା ପାଇଁ ସବୁଠାରୁ ବଡ ସାହାସ ଦରକାର । ସେଇଟା ତୁମେ ପାଇବ ବୋଲି ଭାବୁଛ?
ବାସ୍ । ସେଇଟା ଠିକ୍ । ଆଉ ସାହାସ ପାଇଁ ଶସ୍ତ୍ର ଦରକାର ।
ଅବିନାଶ, ତୁମେ ଏକ ଆଶ୍ଚର୍ଯ୍ୟ ଲୋକ । ଘର ଭିତରେ ସାହାସ ଦେଖାଇବାକୁ ଭାବୁଛ ।
ସେମିତି ତୁମେ ଭାବିପାର ।
କିନ୍ତୁ ଏ ସାହାସ ତୁମେ ମୋ ଆଗରେ ସିନା ଦେଖାଇବ । କିନ୍ତୁ ଆଗକୁ । କେବଳ ଫଟୋରେ କଣ ରହିଯିବ?
ମୁଁ ଏ ସାହାସ ଲୋକମାନଙ୍କ ପାଖକୁ ନେଇଯିବି ।
ସେଇଟା କଣ ସମ୍ଭବ ।
ସେଇ ଅସମ୍ଭବକୁ ତ ସମ୍ଭବ କରି ଦେଖାଇବି । ଯାହାହେଲେ ତ ଏକ ବୀରଗତି ପ୍ରାପ୍ତ ସୈନିକର ଶସ୍ତ୍ର ।
ତୁମେ ଜାଣିଛ ସୈନ୍ୟମାନଙ୍କ ଅସ୍ତ୍ରର ମହତ୍ତ୍ୱ ଆଉ ସେମାନଙ୍କ ଜୀବନର ଡିସିପ୍ଲିନ ତ ।
ଭଲ କରି ଜାଣିଛି ।
ବିନା ଡିସିପ୍ଲିନ୍ରେ ତୁମେ ଅସ୍ତ୍ର ଲୋକଙ୍କ ହାତରେ ଧରାଇଦେଲେ ଅରାଜକତା ହେବ ।
ସେଇଟା ମୁଁ ଜାଣେ ।
କେତେ ହିଂସା, ରକ୍ତପାତ ହେବ ବୁଝି ପାରୁଛ ତ । କଥା କଥାକଥାରେ ଗୋଳି ଚାଲିବ । ସୈନ୍ୟମାନେ ସବୁକଥାରେ ଗୋଳି ଚଲାନ୍ତିନି । ଶତ୍ରୁକୁ ସେମାନେ ଗୁଳି କରନ୍ତି । ଶୁଟ ଟୁ କିଲ । କିନ୍ତୁ ସାଧାରଣ ଲୋକେ, ନିଜର ଆତ୍ମୀୟକୁ ବି ଶତ୍ରୁ ଭାବନ୍ତି ଅନେକ ସମୟରେ । ଭାଇକୁ ପ୍ରାଣର ଶତ୍ରୁ ଭାବନ୍ତି । ସେକଥା ଭଲଭାବେ ତଉଲିଛ ତ ?
ତୁମେ ମୋର ଉଦ୍ଧେଶ୍ୟ ଭଲକରି ବୁଝୁନ । ମୁଁ ମାନସିକ ସ୍ତରରେ ଏକ ଆର୍ମି ତିଆରି କରିବାକୁ ଯାଉଛି । ତୁମେ ଏକ ମୁହଁ ଦେଖାଯାଉନଥିବା ଛାଇ ହୋଇ ଠିଆ ହୋଇଥିବ ଆଉ ମୁଁ ତୁମ ପ୍ରଦତ୍ତ ରାଇଫଲ ଧରି ଠିଆ ହୋଇଥିବି । ସେ ଫଟୋଟା ଭାଇରାଲ ହୋଇଯିବ ଆଉ ଲକ୍ଷ ଲକ୍ଷ ଲୋକ ମୋତେ ପସନ୍ଦ କରିବେ । ଏକ ବୀର ଭାରତୀୟ ସୈନ୍ୟ ସହ ଅବିନାଶ ଠିଆ ହୋଇଛି । ଏଇ ଫଟୋ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବନିଯିବ ।
ଆରେ ଅବିନାଶ ତୁମେ କଣ ଭାବୁଛ କହିଲ । ଆଗରୁ ମୁଁ ତୁମକୁ ସେମିତିଆ ଫଟୋ କଥା କହିଛି । ଏକ ମନୋରଞ୍ଜନ କରୁଥିବା ଚିତ୍ର । ମୂଲ୍ୟହୀନ ସତରେ ।
ପ୍ରଥମରୁ ମୁଁ କହିଛି ନା ତୁମ ବୀରତ୍ୱର ଗାଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବି । ତୁମର ବୀରତ୍ୱର ଗାରିମା ସମସ୍ତଙ୍କର ହୃଦୟରେ ନେଇ ଆସିବି । ସେଇଟା ମୋର ବ୍ରତ । ତାହେଲେ ମୁଁ ମୋ ଦେଶପାଇଁ ଏକ ମହାନ କର୍ତ୍ତବ୍ୟ କରୁଛି ବୋଲି ମନେ କରିବି । ସେଇ ଫଟୋ ତାହା ସମ୍ଭବ କରିବ ।
କିନ୍ତୁ ଏ ସାମାନ୍ୟ ଫଟୋରୁ ଲୋକେ କାହିଁକି ଅନୁପ୍ରାଣିତ ହେବେ? ଚଳଚ୍ଚିତ୍ରର ହିରୋର ଫଟୋ ହୁଏତ ବେଶି ପ୍ରେରଣାଦାୟକ ହୋଇପାରେ । କିନ୍ତୁ ସାଧାରଣ ସୈନିକର ଫଟୋ ଏତେ ପ୍ରଭାବଶାଳୀ ଦେଖା ନ ଯାଇ ପାରେ । ଫଟୋ ପାରଙ୍ଗମ କ୍ୟାମରାମ୍ୟାନ ଦ୍ୱାରା ଠିକ୍ଭାବେ ଫ୍ରେମିଙ୍ଗ କରି ତୋଳାଯାଉନି । ତେଣୁ ଏତେ ଆକର୍ଷଣୀୟ କେମିତି ହେବ?
ସେ ଫଟୋରେ ତୁମେ ଯେ ଅଛ । ସେଇଟା ତ ସବୁଠାରୁ ବଡ ଫ୍ରେମ ।
କିନ୍ତୁ ସେଥିରେ କଣ ବିଶେଷତା ଅଛି?
ତୁମେ ସବୁଠାରୁ ବଡ ଲକ୍ଷ୍ୟ କରିବା କଥାକୁ ଗୁରୁତ୍ତ୍ୱ ଦେଉନ । ତୁମର ଶରୀର ଧୂଆଁଳିଆ ହୋଇଯାଇଛି , ଶରୀର ଜଣା ପଡୁଛି କିନ୍ତୁ ତୁମର ପରିଚୟ ଜଣା ପଡୁନି । ତୁମର ଆଖି କିନ୍ତୁ ଚମକୁଛି । ଏକ ସ୍ଥିର ଆଖି ଆଉ ସବୁ ଧୂଆଁଳିଆ ହୋଇଯାଇଛି । ସେ ଆଖିକୁ ଦେଖିଲେ ଯେ କେହି ସମ୍ମୋହିତ ହୋଇଯିବ । ସେଇଟା ହେବ ପ୍ରେରଣା ।
ଏମିତି କିଛି ସତରେ କଣ ଅଛି?ନା ତୁମେ କେବଳ ମନ ବୁଝେଇବା ପାଇଁ କହୁଛ?
ସେଇଟା ତ ତୁମ ବିଶେଷତ୍ୱ । ତୁମେ ଜାଣି ପାରିବନି । କାରଣ ତୁମ ପ୍ରତିଚ୍ଛବି ଦର୍ପଣରେ ଦେଖାଯିବନି । କିନ୍ତୁ ମୁଁ ତୁମ ଆଖିକୁ ସ୍ପଷ୍ଟ ଦେଖିପାରୁଛି । ଆଉ କାଲି ତୁମେ ଚାଲିଗଲାପରେ ତୁମର ଆଖି ଅଧ୍ଚଳ ପ୍ରଜ୍ଜ୍ୱଳିତ ହୋଇଉଠିବ । କାରଣ ତୁମର ଏବେକାର ଛାଇ ଧୂଆଁ ହୋଇ ମିଳେଇ ଯାଉଥିବ ଆଉ ତୁମର ଆଖି ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଉଠିବ । ସେ ଚକ୍ଷୁ ତୁମକୁ ଅମର କରି ତୋଳିବ । ସେଇଟା ହେବ ତୁମ ସ୍ମୃତିର ପ୍ରକୃତ ସଂରକ୍ଷଣ ।
ଅବିନାଶ । ସତରେ ତୁମେ ଏମିତି କିଛି ଭାବୁଛ ?
ମୁଁ ପ୍ରକୃତରେ ଭାବୁ ନଥିଲି । ତୁମ ଆଖିର ତେଜ ଦେଖିଲା ପରେ ସବୁକିଛି ଅଲଗା ହିସାବରେ ଭାବିବାକୁ ଆରମ୍ଭ କରୁଛି ।
ଅବିନାଶ, ଯେତେବେଳେ ସୈନିକର ଆଖିର ତେଜ ଅନ୍ୟ ଆଖିରେ ପ୍ରତିଫଳିତ ହେବ ସେତେବେଳେ ସମାଜ ବଦଳି ଯିବ । ସୈନିକର ଦୃଷ୍ଟି ହେଉଛି ସବୁଠାରୁ ସ୍ୱଚ୍ଛ ଦୃଷ୍ଟି । ସେଥିରେ ଦଳ ଦଳ ଭିତରେ ଥିବା ବିଭେଦର ଆବିଳତା ନାହିଁ । ସେଥିରେ ଅନାଧିକୃତ ମାନସିକ ତର୍ଜ୍ଜମା ନାହିଁ । ସେଥିରେ ସମର୍ପଣ ଅଛି ଦେଶମାତୃକାର ପାଇଁ । ଅନ୍ୟର ଭବିଷ୍ୟତପାଇଁ ଅଛି ତ୍ୟାଗ । ସେଥରରେ ଅଛି ବଳିଦାନର ଗୌରବ । ସେଥିରେ ଅଛି ସର୍ବୋପରି ନିଷ୍ଠା ଆଉ ଡିସିପ୍ଲିନ୍ । ଆଃ । ତୁମେ ଏ ଅସ୍ତ୍ର ନେଇ କଣ ସେମିତି ଭାବି ପାରିବ ?
ଚେଷ୍ଟା କରିବି । ଭାବୁଛି ନିଶ୍ଚିତ ଭାବରେ ଭାବି ପାରିବି ।
ଠିକ୍ ଅଛି ମୁଁ ତୁମକୁ ମୋ ଶସ୍ତ୍ର ଦେଇଦେବି । କିନ୍ତୁ ତା ପରେ ତୁମର ଦାୟିତ୍ୱ ଶତ ଗୁଣରେ ବଢିଯିବ । ତୁମେ ସୈନିକର ଶୃଙ୍ଖଳା ସମାଜରେ ଆଣିବ । ନିଷ୍ଠା, ତ୍ୟାଗ ସବୁ ସମାଜକୁ ନେଇ ଆସିବ । ପାରିବତ ? ଆଉ ଥରେ ଭାବି ଦେଖ । ନହେଲେ ବିପରୀତ ହେବ । ସବୁକିଛିରେ ଅରାଜକତା ଆସିଯିବ । ଦେଶର ସୀମାନ୍ତରେ ନୁହେଁ, ଦେଶର ପ୍ରତି ରାସ୍ତାରେ ରକ୍ତପାତ ହେବ । ଭାବି ଦେଖ ।
ଅବିନାଶ ନିଜକୁ ସମ୍ଭାଳି ନେଲା । ତାର ଦେହ ସିଧା ହୋଇଗଲାା ତା ଭିତରେ ଦଳେ ସୈନିକ ମାର୍ଚ୍ଚ ପାଷ୍ଟ କରି ଚାଲୁଥିଲେ । ସେଠି ସେ କାହିଁ ସାମାନ୍ୟତମ ସନ୍ଦେହ ଦେଖିଲାନି । ସେ ନିଶ୍ଚିତ ଭାବେ ଅସ୍ତ୍ରର ମହତ୍ତ୍ୱ ରଖିବ ।
ପାରିବି ।- ଅବିନାଶ ଅତି ଦୃଢ ଭାବେ କହିଲା ତାର ସ୍ୱର ଥରୁ ନଥିଲା କି ଦେହର ପୋଷାକରେ ଭାଙ୍ଗ ନଥିଲା । ସେ ଅତି ଦୃଢନିଷ୍ଠ ଲାଗୁଥିଲା ।
ତୁମେ କିଛି ସମୟ ଆସଲ୍ଟ ରାଇଫଲକୁ ଧରିକରି ଦେଖ । ତା ପରେ ଭାବିବ ତୁମେ ତାକୁ ପାଖରେ ଅଧିକ ସମୟ ରଖିପାରିବ କି ନାହିଁ ।– ଛାଇ କହିଲା । ଅବିନାଶ ତତକ୍ଷଣାତ୍ ମୁଣ୍ଡ ହଲାଇଲା ।
ପରମୂହୁର୍ତ୍ତରେ ଅବିନାଶ ହାତରେ ଏକ ବେଶ ଓଜନିଆ ଆସଲ୍ଟ ରାଇଫଲସ ଥିଲା । ତାର ମ୍ୟାଗାଜିନରେ ଗୁଳିର ପୁରା ରାଉଣ୍ଡ ଥିଲା । ରାଇଫଲସ୍କୁ ଭଲ ଭାବେ ସଫା କରାଯାଇଥିଲା, ଘଷରା ହେଲେବି କେଉଁଠି ଟିକେ ଜଙ୍କ୍ ଲାଗିନଥିଲା । ଏତେ ଦିନ ଧରି ଜଣଙ୍କ ପାଖରେ ରହିବା ସତ୍ତ୍ୱେ କେଉଁଠି ଟିକେ ଧୂଳି ଲାଗି ନଥରଲା । କେଉଁ ଅଂଶ ସାମାନ୍ୟ ବଙ୍କେଇ ଯାଇ ନଥିଲା । ଅବିନାଶର ହାତ ଥରି ଉଠିଲା ।
ମୁଁ ଏକ ସୈନିକ । ମୁଁ ଯୁଦ୍ଧ କରିବି ଯେଉଁଠାରେ ମୋତେ କୁହାଯିବ । ବିଜୟୀ ହେବି ମୁଁ ସେଠାରେ । – ଭିତରେ କିଏ ଜୋରରେ କହୁଥିଲା । ସେ ନିଜ ଭିତରେ ଆହ୍ୱାନମାନ ଶୁଣୁଥିଲା ।
ଯେତେବେଳେ ବଜାରରେ ତୁମେ ଘୁରିବୁଲ,
ଓଜନିଆ ବ୍ୟାଗ୍ ପିଠିରେ ପକାଇ ମୁଁ ଚାଲୁଥାଏ
ରାସ୍ତା ପଥରରେ ଭରା, ପାଣି କାଦୁଅ ପଚପଚ ।
ଯେତେବେଳେ ତୁମେ ବନ୍ଧୁସହ ଗପସପ କର,
ନୀରବରେ ନିଜ ବନ୍ଧୁକର ନଳୀ ମୁଁ ସଫା କରୁଥାଏ
କାଲି ବନ୍ଧୁକ ଜାମ ହୋଇ ତ ନଯାଉ ।
ପାଲିଶ ଯୋତାରେ ଧୂଳି ଲାଗିଯିବ ବୋଲି ତୁମେ ବ୍ୟସ୍ତ ହୁଅ,
ମୋ ଗୋଡରୁ ଯୁଦ୍ଧ ଯୋତା କେବେ ଖୋଲି ତ ନଥାଏ
ଖୋଲିବାକୁ ବେଳ ତ ନଥାଏ ।
ମୁହଁ ସିଝିଯିବ ବୋଲି ସନସ୍କ୍ରିନଲଗାଅ ମୁହଁରେ
ଜାଣି ମୁହଁରେ ମୁଁ କଳା ଛାପି ଛାପି ଚିହ୍ନ ଦେଇଥାଏ
ମୋତେ କେହି ଜାଣି ନପାରନ୍ତୁ ।
ଏତେବେଳେ ସଂନ୍ଧ୍ୟାକୁ ଫେରି ଆସିବ କୁହ ତ ପତ୍ନୀକୁ ,
ମୋ ଫେରିବା ବେଳ ମୁଁ ନିଜେ ଜାଣି ତ ନଥାଏ
ପାଖରେ କିଏ ଅଛି, କହିବି କାହାକୁ ।
ଟିକିଏ ପାଗ ବଦଳିଲେ କାତର ହୁଅ ତୁମେ
ମୋ ଉପରେ ବର୍ଷା ଖରା, ବରଫ ଝରିପଡୁଥାଏ
ସେମିତି ଡ୍ୟୁଟିରେ ମୁଁ ଠିଆ ହୋଇଥାଏ ।
ଅବିନାଶ ସେହି ଆସଲ୍ଟ ରାଇଫଲ ଧରି ସୈନ୍ୟମାନଙ୍କ ଭଳି ସିଧା ଠିଆ ହୋଇଗଲାା ତା ଭିତରେ ହଠାତ୍ ଏକ ଶିହରଣ ଆସିଲା । ସେ ହାତକୁ ରାଇଟ ଆଙ୍ଗଲ ବା ସମକୋଣ କରି ରାଇଫଲସ୍କୁ ସୈନ୍ୟମାନଙ୍କ ଆକ୍ରମଣ କରିବା ଭଳି ଧରିଲା । ତାକୁ ଟକ୍ ଟକ୍ ଟକ୍ ଶବ୍ଦ ଶୁଣାଗଲା । ରାଉଣ୍ଡ ପରେ ରାଉଣ୍ଡ ଗୁଳି ଫାୟାର ହେଉଛି । ମ୍ୟାଗାଜିନ୍ ପରେ ମ୍ୟାଗାଜିନ୍ ସର ଯାଉଛି । ତା ଦେହ ଥରିଗଲା ।
ତାକୁ ସୈନିକମାନଙ୍କ ଉଦ୍ଧେଶ୍ୟରେ ଯୁଦ୍ଧର ବହୁତ କଥା ମନେ ଭିତରେ ଆସିଯାଉଥିଲା । ତା ଗତି ବଢି ଯାଉଥିଲା, ସେ ଲମ୍ବା ଲମ୍ବା ଦେଇଥିଲା, କେତେବେଳେ ପେଟେଇ ପେଟେଇ ଆଗାଉଥିଲା । କଭରିଙ୍ଗ ଫାୟାରରେ ଜୋରରେ ଶତ୍ରୁ ଆଡକୁ ଆଗେଇଯାଇ ଫାୟାର କରୁଥିଲା । କେତେବେଳେ ପଥର କଡରେ ଛପି ଯାଉଥିଲା । ତାକୁ ଖୋଜିବା ଆଉ ଧରିବା ପ୍ରାୟ ଅସମ୍ଭବ ଥିଲା ଭଳି ଲାଗୁଥିଲା । ସୈନିକମାନଙ୍କ ଉଦ୍ଧେଶ୍ୟରେ ସେହି ବାକ୍ୟ- ଆମକୁ ଖୋଜିବ- ତୁମକୁ ବହୁତ ଭଲ ହେବାକୁ ପଡିବ, ଆମକୁ ଧରିବ-ତୁମକୁ ଅତି ତୀବ୍ର ହେବାକୁ ପଡିବ, ଆଉ ଆମକୁ ହରାଇବା- ଏ ଛୁଆର ଚପଳାମୀ କେବେ କରିବନି ।- ତା ପାଇଁ ବେଶ ପ୍ରଜ୍ଜୁଜ୍ଜ୍ୟ ଥିଲା ପରି ଲାଗୁଥିଲା ।
ତା କାନରେ ଯେମିତି କର୍ଣେଲ ସୁରେଶ ବାବୁ ଯେପରି କହୁଥିଲେ । ସେମିତି କିଛି କଥା କେଉଁ ଅଫିସର୍ସ ମେସରେ ଲେଖା ଥିଲା ।
ତୁମେ ସେ ପର୍ଯ୍ୟନ୍ତ ପ୍ରକୃତରେ ବଞ୍ଚନାହଁ
ଯେ ପର୍ଯ୍ୟନ୍ତ ତୁମେ ପ୍ରାୟ ମରିନାହଁ ଯୁଦ୍ଧର କ୍ଷେତ୍ରରେ
ଜୀବନର ମଧୁର ମୂଲ୍ୟ ତୁମେ ଜାଣି ନାହଁ
ଯେ ପର୍ଯ୍ୟନ୍ତ ରକ୍ତ ବିନ୍ଦୁ ତୁମ ଝରିନି ଝରଣାର ପରି
ତୁମେ କେବେ ସତରେନିଃଶ୍ୱାସ ନେଇନ
ପବନର ପାଇଁ ଆଉ ଫୁସଫୁସରେ ଆଉ ଯାଗା ନାହିଁ ଯେତେବେଳ
ଆଉ ଯିଏ ଯୁଦ୍ଧ କରେ କେବେ ପଛକୁ ନଘୁଞ୍ଚ
କାହାକୁ ବଞ୍ଚାଉଛି ସେ ନିଜେ ଜାଣି ନାହିଁ
ସେ କେବେ ପଛ ଘୁଞ୍ଚା ଦିଏ ନାହିଁ ।
ତାର ହାତର ଆସଲ୍ଟ ରାଇଫଲସ୍ ଜୋର୍ରେ ମନକୁ ମନ ଟକ୍ ଟକ୍ ଟକ୍ କରି ଉଠିଲା । ତାକୁ ଲାଗିଲା ଅନେକ ଅନେକ ଶତ୍ରୁ ତା ଗୁଳିରେ ଟଳି ପଡୁଛନ୍ତି । କେହି କିଛି କରିବା ଆଗରୁ ତା ହାତରୁ ବନ୍ଧୁକ ଫୁଟୁଛି । ଅନ୍ୟମାନେ ତାର ତୀବ୍ର ଗତି ଆଗରେ ନିଷ୍ପୃହ ହୋଇଯାଇଛନ୍ତି ।
କଳିଙ୍ଗା । ତୁମର ଲକ୍ଷ୍ୟ ତ ଅଭେଦ୍ୟ । – ସେପଟୁ କିଏ ଯେମିତି କହି ଉଠିଲା ।
– ତା’ପରେ –
