ତମ୍ବାଖୁ, ଗୁଟ୍ଖା, ବିଡି, ପିକା ଅବା ସିଗାରେଟ୍, ନିକୋଟିନ୍ ଥିବା, ଯେଉଁ ଦ୍ରବ୍ୟଟିର ନା’ ଆପଣ ନିଅନ୍ତୁ ନା କାହିଁକି, ବନା ଦୋକାନ ପାଖରେ , ତାହା ସପକ୍ଷରେ, ଯୁକ୍ତି ବାଢିବା ପାଇଁ କିଛି ନା କିଛି ତର୍କ ଥାଏ । ଗୁଡ଼ାଖୁ ଘସିଲେ କୁଆଡେ କୋଷ୍ଠ କାଠିନ୍ୟ ଦୂର ହୁଏ, ଆଉ ପାଟିରୁ ଅନ୍ୟ ସମୟରେ ଦୁର୍ଗନ୍ଧ ବାହାରେ ନାହିଁ । ପିକା ପିଇଲେ କୁଆଡେ ଛାତି ଚଉଡା ହୁଏ । ବିଡି ପିଇଲେ ମୁଣ୍ଡବିନ୍ଧା କମିଯାଏ । ଚୂନ ତମ୍ବାଖୁ କୁ ଦୋକତା କରି କଳରେ ଜାକିଲେ ହଜମ ଭଲ ହୁଏ – ଏହିପରି ଅନେକ କିଛି ନବନିର୍ମିତ ଅତିବୈଜ୍ଞାନିକ ତଥ୍ୟ ଆପଣଙ୍କୁ ଶୁଣିବାକୁ ମିଳେ ।
ବନା ମତରେ , ତମ୍ବାଖୁ ବ୍ୟବହାର ସତେ ଯେପରି ଏକପ୍ରକାର ଅସାଧାରଣ ମହୌଷଧି । ତମ୍ବାଖୁର ବିରକ୍ତିର ସ୍ୱାଦ ଓ ଗନ୍ଧକୁ ହେୟଜ୍ଞାନ କରି ଗାଈଭଳି ଚୋବେଇବା ଅବା ଫୁଙ୍କ ନଳୀ ପରି ଫୁଙ୍କୁଥିବା ଲୋକମାନଙ୍କର ସଂଖ୍ୟା ଆଜି କଛି କମ୍ ନୁହେଁ । ଉପଯୁକ୍ତ ମାର୍ଗଦର୍ଶକଙ୍କ ଅଭାବରେ, ବିଦ୍ୟାଳୟ ଦିନଟିରୁ ଚଳଚିତ୍ର ତାରକା ମାନଙ୍କର ଅନୁକରଣ ପ୍ରିୟ ଛାତ୍ରଛାତ୍ରୀ ମାନେ; ସିଗାରେଟ, ପାନମସଲା ଖାଇବା ଆରମ୍ଭ କରିଦେଉଛନ୍ତି । ଆଉ ଅଜାଣତରେ ତାଙ୍କ ଆବଶ୍ୟକ ଚିଠାରେ ଏହି ଜିନିଷ ଗୁଡିକ ଏକ ଅବିଚ୍ଛେଦ୍ୟ ଆବଶ୍ୟକତା ହିସାବରେ ଯୋଡି ହୋଇଯାଏ ।
ଆଗ ପଛ ବିଚାର ନକରି ସେ ହୋଇଯାଏ ଗୋଟିଏ ଭିକାରି , ଆଉ କହେ , “ ଦେ ରେ ଗୋଟେ ବିଡି !” କିଏ ବୁଝାଇଲେ କହେ, “ତୋର କଣ ଯାଉଛି? ତୋ ବାପା ପଇସାରେ ପିଉଛି?” – ରୋଗ ବା ମୃତ୍ୟୁ ବିଷୟରେ କହିଲେ କୁହେ, “ ହଁ ହେଲା, କିଏ ଆଉ ମରୁନି ଯେ !”
କୌଣସି ମାଦକ ଦ୍ରବ୍ୟ ଏକପ୍ରକାର ନିର୍ଭରଶୀଳତାକୁ ଜନ୍ମଦିଏ । ସମୟ ଆସେ, ଯେତେବେଳେ କି ଜଣେ ବ୍ୟକ୍ତି, ସେହି ନିଶା ଦ୍ରବ୍ୟ ବିନା ବଞ୍ଚିବାକୁ ମଧ୍ୟ ଅସହ୍ୟ ମନେକରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ତମ୍ବାଖୁ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ମାନବ ଜାତିର ଶତ୍ରୁ ହିସାବରେ ବିବେଚନା କରି ଏହି ଦ୍ରବ୍ୟ ତିଆରି କରୁଥିବା ଉଦ୍ୟୋଗ ଗୁଡିକ ଉପରେ କିଛି କଟକଣା ଲଗାଇଛି । ଏପରିକି , ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ମଧ୍ୟ ନିଜର ପ୍ରଚଳିତ ଅମଲାତାନ୍ତ୍ରିକ ନିୟମଗୁଡିକ ମାଧ୍ୟମରେ ଅନେକ ଗୁଡିଏ କଟକଣା କରି , ଲୋକମାନଙ୍କର ତମ୍ବାଖୁ ସେବନ ପ୍ରକୃତିକୁ ବଦଳେଇବାକୁ ଚେଷ୍ଟା କରୁଛି । କିନ୍ତୁ, ଜଣେ ତମ୍ବାଖୁ ଆସକ୍ତ ବ୍ୟକ୍ତି, ଏକ ଅନ୍ଧ ଏବଂ ବଧିର ସଦୃଶ , ଯିଏ କି ସିଗାରେଟ୍ ଖୋଳ ଉପରେ ଚିତ୍ରିତ କର୍କଟ ରୋଗର ଚିତ୍ରକୁ ଦେଖିପାରେନାହିଁ, ଦେଖି ଡରେ ନାହିଁ । ତା’ ପ୍ରେମିକାର ସିଗାରେଟ ନ ପିଇବାର ଗୁହାରିକୁ ଶୁଣିପାରେନାହିଁ |
କେହିଜଣେ ବୁଦ୍ଧିମାନ ବ୍ୟକ୍ତି ସିଗାରେଟ୍ ଶବ୍ଦଟି ସଜ୍ଞାକୃତ କରିବାକୁ ଯାଇ ଠିକ୍ କହିଛନ୍ତି , “ ଯେତେବେଳେ, ଗୋଟିଏ ଚିମୁଟା ତମ୍ବାଖୁ ଗୋଟିଏ ଛୋଟ କାଗଜରେ ଗୁଡାଇହୋଇ ଗୋଟିଏ ପଟରେ ନିଆଁ ଝୁଲଟିଏ ଓ ଅନ୍ୟ ପଟଟିରେ ମୂର୍ଖଟିକୁ ବାନ୍ଧିରଖେ , ତାହା ହିଁ ହେଉଛି ସିଗାରେଟ୍ ।”